~ ଶ୍ରୀବତ୍ସ ପଣ୍ଡା ~
ଲେଖା: ଅମୃତେଶ ଖଟୁଆ
“ଅଜ୍ଞ ସାଧାରଣ ନିନ୍ଦାକୁ ନ ଡ଼ରି,
ପାଆନ୍ତୁ ସଂସ୍କାର କରି ସତ୍ବର,
କେହି ମୂଢ଼ମତି କଲେ ହେଁ ଆପତ୍ତି
ଅବଶ୍ୟ ସହାୟ ହେବେ ଈଶ୍ୱର।”
ସେଦିନ ମହୋଦୟ ଆନ୍ଧ୍ରପ୍ରଦେଶର ସବରେଜିଷ୍ଟ୍ରାର ଥିବାବେଳେ ସେଠି ଜଣେ ଉତ୍କଳୀୟ ବ୍ରାହ୍ମଣ ବାଳବିଧବାର ପୁନର୍ବିବାହ କରାଇଥିଲେ ‌। ଏଥି ସକାଶେ ନଗଦ ୫୦୦ ଟଙ୍କାର ଖଣ୍ଡେ ଜମି ଖରିଦ କରି ଦେବା ସଙ୍ଗେ ବିବାହ ପରବର୍ତ୍ତୀ ପ୍ରତିପୋଷଣ ପାଇଁ ସମୁଦାୟ ବ୍ୟୟ ପରିମାଣ ପ୍ରଦାନ କରନ୍ତି । ହେଲେ ସେତେବେଳେ ସ୍ଥାନୀୟ ବ୍ରାହ୍ମଣଙ୍କ ବିରୋଧର ଚକ୍ଷୁଶୂଳ ହେଇଥିଲେ । ତହୁଁ ଏହି ସମାନ ପ୍ରସଙ୍ଗକୁ ମୁକ୍ତିମଣ୍ଡପ ସନ୍ଦର୍ଭରେ ଲେଖିଥିଲେ ‌। ମୁକ୍ତିମଣ୍ଡପ ନିଜର ଶାସ୍ତ୍ରପ୍ରାଜ୍ଞ ବ୍ରାହ୍ମଣମାନଙ୍କ ସମାବେଶ ପାଇଁ ଗୌରବାବହ ମଣ୍ଡନ କରୁଥିବା ସ୍ଥଳେ ତତ୍କାଳୀନ ବିପ୍ରସମାଜ କିନ୍ତୁ ନିଜ ମହତପଣକୁ ପେଟପାଟଣା ପାଇଁ ଜଳାଞ୍ଜଳି ଦେଉଥିଲେ । କାରଣ, ମୁକ୍ତିମଣ୍ଡପର ବ୍ରାହ୍ମଣମାନଙ୍କ ପରାମର୍ଶ ନିର୍ବିଚାରରେ ଠିକ୍ ବୋଲି ଜାଣି ଅନେକ ଲୋକମାନେ ଭଣ୍ଡ ବ୍ରାହ୍ମଣ ମାନଙ୍କ ସମ୍ମୁଖୀନ ହେଉଥିଲେ । ଫଳସ୍ଵରୂପ, ସେମାନଙ୍କ ତ୍ରୁଟିଯୁକ୍ତ ପରାମର୍ଶ ଗ୍ରହଣ କରି ସାଧାରଣ ଜନତା ନିଜ ଅଜ୍ଞତା ସକାଶେ ଉପହସିତ ହେବାକୁ ଏକ ଧରଣର ବାଧ୍ୟ ‌।
ତେବେ, ଏଠାରେ ବିରୋଧ କରିବା ପାଇଁ ଅନ୍ଧ ପରାଏ ସମସ୍ତେ ଯେତେବେଳେ ମୌନ ଓ ଦାରୁଭୂତ ମୁରାରି, ଏକା ସେତେବେଳେ ନିଜ ‘ନିବେଦନ’ର ଦୃପ୍ତସ୍ଵରରେ ଛଳପୂର୍ଣ୍ଣ ଓ ରକ୍ଷଣଶୀଳ ଭାବନା ପ୍ରତି ପ୍ରଶ୍ରୟ ପ୍ରଦାନକୁ ବିରୋଧ କରିଥିଲେ ଏହି ମହାମହିମ ! ସେଥିପାଇଁ ସେ ପୁରୀରେ ‘କଳାପାହାଡ଼’ ବୋଲାଇଲେ ସିନା, କିନ୍ତୁ, ଜ୍ଞାତିକୁଟୁମ୍ବରେ ସିଏ ବୋଲାଇ ପାରିଥିଲେ ଏକ ମାତ୍ର ‘ସଂସ୍କାରକ’। ଏକଦା ତାଙ୍କ ଅସପତ୍ନ କୃତିତ୍ଵ ଓ ସମାଜ ସଂସ୍କାର ଉଦ୍ୟମର ଅଦମ୍ୟ ଆଗ୍ରହକୁ ଲକ୍ଷ୍ଯ କରି ଭକ୍ତକବି ମଧୁସୂଦନ ରାଓ ବଡ଼ଖେମୁଣ୍ଡି ଠାରେ ତାଙ୍କୁ କହିଥିଲେ, “ଆପଣ ଆମ #ଉତ୍କଳର #ଈଶ୍ଵରଚନ୍ଦ୍ର”
କବି ବାଞ୍ଛାନିଧି ଦାସ ପ୍ରଶଂସା କରି ଲେଖନ୍ତି –
“ଅନ୍ଧାରେ ନ ହଜେ କେବେ ଆଲୋକ ସନ୍ତାନ
କାଳ କି ପାରଇ କରି ତାର ଛବି ମ୍ଳାନ ?
ହେ ଆର୍ଯ୍ୟ ପ୍ରବର ବୀର ନିର୍ଭୀକ ସାଧକ
ମାନବର ସେବା ପ୍ରେମୀ ଶୁଦ୍ଧ ସଂସ୍କାରକ ।
× × × ×
ଉତ୍କଳର ଜାତୀୟତା ଯାବତ ଜୀବିତ
ଶ୍ରୀବତ୍ସ ନୋହିବ କେବେ ସ୍ମୃତି ଅନ୍ତର୍ହିତ।
ଶ୍ରୀବତ୍ସ ସାର୍ଥକ ନାମା ଏ ମାଟି ଶ୍ରୀବତ୍ସ
ବ୍ୟକ୍ତିର ସ୍ଵଭାବ ଚିନ୍ତା ସାଧନାର ଉତ୍ସ।”
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟବର୍ତ୍ତୀ ମନ୍ଦାର ଗ୍ରାମରେ ପିତା ଧର୍ମ ପଣ୍ଡା ଓ ମାତା ରାଧାଦେବୀଙ୍କ କୋଳମଣ୍ଡନ କରିଥିଲେ #ସଂସ୍କାରକ #ଶ୍ରୀବତ୍ସ #ପଣ୍ଡା। ତାଙ୍କର ଜନ୍ମ ହୁଏ ଅକ୍ଟୋବର ୧ ତାରିଖ, ୧୮୭୦ ମସିହାରେ। ତାଙ୍କ ପରିବାର ଥିଲା ଏକ ରକ୍ଷଣଶୀଳ ବ୍ରାହ୍ମଣ କୁଟୁମ୍ଵ, ମାତ୍ର ଛାତ୍ର ଜୀବନରୁ ସେ ବ୍ରାହ୍ମଣ ପରିବାରର ସଂସ୍କାର ପ୍ରତି ବୀତସ୍ପୃହ ଓ ବିରୋଧୀ ଥିଲେ। ଏକ ଅଖ୍ୟାତ ପଲ୍ଲୀରୁ ଆଗତ ହେଲେ ସୁଦ୍ଧା ତାଙ୍କ ସଂସ୍କାରଧର୍ମିତା ଥିଲା ଆଜୀବନ ଏକ ଯୁଗାନ୍ତକାରୀ ଦୃଷ୍ଟାନ୍ତ ।
ମୁଣ୍ଡରୁ ଲମ୍ବା ଲମ୍ବା ଚୁଟି ସବୁକୁ କାଟି ପକେଇଛନ୍ତି, ଘରର ବଖରାଗୁଡିକରେ ବଡ଼ ବଡ଼ ଝରକା ଲଗେଇଛନ୍ତି, ପୂଜାପାର୍ବଣ ସମୟରେ ମଦ୍ୟପାନ, ଦାନଦକ୍ଷିଣା ଓ ବାଲ୍ୟବିବାହର ବିରୋଧ କରିଛନ୍ତି । ବିଧବା ବିବାହର ସମର୍ଥନରେ ଲେଖାଲେଖି ଓ ବକ୍ତୃତା ଆଦି କରି ସେ ବନ୍ଧୁବାନ୍ଧବଙ୍କ ମଧ୍ୟରେ ‘ସଂସ୍କାରକ’ ନାମରେ ପରିଚିତ ଥିଲେ । ଏଥି ସହ ସ୍ତ୍ରୀ ସ୍ଵାଧୀନତା, ସବର୍ଣ୍ଣ ବିବାହ, ଅବରୋଧ ପ୍ରଥା, ଅସ୍ପୃଶ୍ୟତା, ଜାତିଭେଦ ଉପରେ ଯୁକ୍ତିନିଷ୍ଠ ମନ୍ତବ୍ୟମାନ ସବୁ ଉପସ୍ଥାପିତ କରୁଥିଲେ ।
କାୟ ମନୋବାକ୍ଯରେ ସମାଜରେ ସେ ସଂସ୍କାର ଉଦ୍ୟମ ପାଇଁ ସର୍ବଦା ଉଦ୍ୟମ କରିଆସିଛନ୍ତି। ୧୮୯୦ ମସିହାରୁ ମାଟ୍ରିକ୍ ପଢୁଥିବା ବେଳେ, ତାଙ୍କର ପ୍ରଥମ ପ୍ରବନ୍ଧ ‘ସମ୍ବଲପୁର ହିତୈଷିଣୀ’ରେ ପ୍ରକାଶ ପାଏ । ଏହା ପରେ ତାଙ୍କର ଲେଖା ପ୍ରଜାବନ୍ଧୁ, ଉତ୍କଳବାସୀ, ଉତ୍କଳଦର୍ପଣ, ଉତ୍କଳ ସେବକ, ଉତ୍କଳବାର୍ତ୍ତା, ଉତ୍କଳ ଦୀପିକା, ସମ୍ବାଦବାହିକା, ଓଡ଼ିଆ ନବସମ୍ବାଦ, ଗଡ଼ଜାତବାସିନୀ, ଗଞ୍ଜାମ ଗୁଣଦର୍ପଣ, ଆଶା, ପ୍ରଜାମିତ୍ର, ସମାଜମିତ୍ର, ମୁକୁର ପ୍ରଭୃତିରେ ପ୍ରକାଶିତ ହୋଇ ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଛି ।
ସମ୍ବାଦଚର୍ଚ୍ଚା ବ୍ୟତୀତ ସେତେବେଳେ ‘ସମ୍ଵଲପୁର ହିତୈଷିଣୀ’ର ଅନ୍ୟତମ ଆଭିମୁଖ୍ୟ ଥିଲା ସଂସ୍କାରଧର୍ମିତା । ଭାରତୀୟ ନାରୀଙ୍କର ଦୁରବସ୍ଥାକୁ ନିଖୁଣ ଭାବେ ଦର୍ଶାଇ ସେମାନଙ୍କ ଅଧିକାର ସମ୍ପର୍କରେ ଏକାଧିକ କୃତବିଦ୍ୟ ଲେଖକଙ୍କ ଉଚ୍ଚକୋଟୀର ଆଲେଖ୍ୟ ସ୍ଥାନୀତ ହୋଇଥିଲା। କେତେକ ପୃଷ୍ଠାରେ କବିତାବଳୀ ମାଧ୍ୟମରେ ସ୍ତ୍ରୀ ସ୍ଵାଧୀନତାକୁ ପ୍ରୋତ୍ସାହନ ଦେବା ସହ ସେତେବେଳେ ଘଟୁଥିବା କୁସଂସ୍କାରକୁ ଚିତ୍ରିତ କରାଯାଏ –
“କେ ତୁହି ଲଳନେ ! କିମ୍ପା ଦୁଃଖ ମନ
ନେତ୍ରାସାରେ ଭାସି କରୁ ରୋଦନ ?
ଜବା ଫୁଲସମ ଓଷ୍ଠ ଅନୁପମ
ଦିଶେ ଶୁଷ୍କ-ପକ୍ଵ-ବିମ୍ଵ ଯେସନ
ଯେସନେ ବିଷଣ୍ଣ ଭାସେ ଶଶଧର
ତେସନେ କିମ୍ପା ତୋ ବଦନ ଇନ୍ଦୁ
ନାହିଁ କି କାରଣ ଅଙ୍ଗେ ଆଭରଣ
ସୀମନ୍ତିରେ ଚାରୁ-ସିନ୍ଦୁର-ବିନ୍ଦୁ।”
(ସମ୍ବଲପୁର ହିତୈଷିଣୀ, ୧୮୯୩ ସଂଖ୍ୟା)
ଏକଦା ହିତୈଷିଣୀରେ ତାଙ୍କ ଲେଖା ପଢି ଶ୍ରୀବତ୍ସ ପଣ୍ଡାଙ୍କୁ ବ୍ୟାସକବି ଫକୀରମୋହନ କୁହନ୍ତି – “ଆପଣଙ୍କ ଲେଖା ସବୁ ମୁଁ ପଢୁଛି। ଆପଣଙ୍କୁ ଅନେକ ଗାଳି ହୋଇଥାଏ, ସେଥି ଲାଗି ବିଚଳିତ ହେବେ ନାହିଁ । ଲେଖାରେ ସାର ନଥିଲେ କେହି ପାଠକ ଚମକି ଉଠି ଗାଳି ଦିଅନ୍ତି ନାହିଁ। ବୁଝିବେ ଆପଣଙ୍କ ଲେଖାରେ ବହୁ ସାର ଅଛି, ଗାଳି ପ୍ରତି ଭ୍ରୂକ୍ଷେପ ନ କରି ଲେଖି ଯାଆନ୍ତୁ।” ଏହିପରି ଭାବରେ ଗୋପୀନାଥ ନନ୍ଦଶର୍ମା, କବିବର ରାଧାନାଥ ରାୟ, କବିଶେଖର ଚିନ୍ତାମଣି ମହାନ୍ତି ଆଦି ଖୁବ୍ ପ୍ରଶଂସା କରିଛନ୍ତି।
ମାନ୍ଦ୍ରାଜରୁ ସ୍ନାତକ ପରେ ରାଜମହେନ୍ଦ୍ରୀ କଲେଜରେ ଦର୍ଶନ ଶାସ୍ତ୍ରରେ ବି.ଏ ପଢିବା କାଳରେ ଆନ୍ଧ୍ରର ବିଖ୍ୟାତ ସଂସ୍କାରକ ବୀରେଶଲିଙ୍ଗମ୍ ପାନ୍ତୁଲୁଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଥିଲେ (କଣ୍ଡୁକରୀ ବୀରେଶଲିଙ୍ଗମ୍ ପାନ୍ତୁଲୁ ତେଲୁଗୁ ସାହିତ୍ୟରେ ନବ୍ୟବାଦୀ ଧାରା ସୃଷ୍ଟି କରିବା ସହ ଅନେକ ସଂସ୍କାର ଉଦ୍ୟମ କରିଥିଲେ। ତାଙ୍କ ରଚିତ ‘ରାଜଶେଖର ଚରିତ୍ରାମୁ’ ତେଲୁଗୁ ସାହିତ୍ୟର ସର୍ବପ୍ରଥମ ଉପନ୍ୟାସ। )। ଏହା ପରେ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ମାତ୍ର ୨୦ ବର୍ଷ ବୟସରେ ସବ୍-ରେଜିଷ୍ଟ୍ରାର କାର୍ଯ୍ୟରେ ଅବସ୍ଥାପିତ।
ସରକାରୀ କର୍ମଚାରୀ ଥିବା ସମୟରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଧାରା ଅତ୍ୟନ୍ତ ମୁଖର ହୋଇ ଆସିଥିଲା। ନୀଳମଣି ବିଦ୍ୟାରତ୍ନ, ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ, ବାଲେଶ୍ଵରର ବଦାନ୍ୟ ରାଜା ବୈକୁଣ୍ଠନାଥ ଦେ, ବଳଭଦ୍ର ମହାପାତ୍ର ଏବଂ ନରସିଂହ ଦାସ ପ୍ରମୁଖଙ୍କ ସହିତ ଯୋଗ ଦେଇ ନିଜସ୍ଵ ଯୋଗଦାନ ଦିଅନ୍ତି। ୧୯୦୧ ମସିହାରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଓ ବଳଭଦ୍ର ମହାପାତ୍ରଙ୍କ ସହ ଦିନେ ବିଚାରପୂର୍ବକ ଏହି ସମ୍ମିଳନୀ ପାଇଁ ଆଗେଇ ଆସିଥିଲେ ଶ୍ରୀବତ୍ସ ପଣ୍ଡା।
ତତ୍କାଳୀନ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସବ୍-ରେଜିଷ୍ଟ୍ରାର ରୂପେ କାର୍ଯ୍ୟ ବହନ ପରେ ୧୯୨୦ରେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରନ୍ତି। ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟ ଓ ବିଂଶ ଶତାବ୍ଦୀର ଆଦ୍ୟଲଗ୍ନ ସମଗ୍ର ଭାରତବର୍ଷରେ ସାମାଜିକ ସଂସ୍କାର ପାଇଁ ଏକ ଯୁଗ ଆରମ୍ଭ କରିଦିଏ। ହିନ୍ଦୁ ସମାଜରେ ରକ୍ଷଣଶୀଳ କୁସଂସ୍କାରର ଦୂରୀକରଣ ସହ ସଚେତ ଆଧ୍ୟାତ୍ମିକ ଭାବକୁ ପ୍ରାଧାନ୍ୟ ଦେଇ ଗଢି ଉଠେ ‘ବ୍ରାହ୍ମ ସମାଜ’, ‘ଆର୍ଯ୍ୟ ସମାଜ’ ପରି ସଂଗଠନ।
ଏହି ସମୟରେ ଭଞ୍ଜନଗର ନିକଟବର୍ତ୍ତୀ ତନରଡ଼ାଠାରେ ଶ୍ରୀବତ୍ସ ପଣ୍ଡା ଗୋରକ୍ଷାଶ୍ରମ, ବେଦଭବନ ଓ ଆର୍ଯ୍ଯ କନ୍ୟା ଗୁରୁକୁଳ ପ୍ରତିଷ୍ଠା କରିଥିଲେ, ଯାହା ଅଦ୍ୟାବଧି ମଧ୍ୟ ତାଙ୍କ ସ୍ମୃତିପୀଠ ରୂପେ ରହିଅଛି । ସରକାରୀ ଚାକିରିରେ ଯେଉଁ ସ୍ଥାନରେ ରହୁଥିଲେ, ସେଠିକାର ଲୋକଙ୍କୁ ବୁଝାଇ ସୁଝାଇ ବାଳିକାଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିବା, ପରଦା ପ୍ରଥାର ଉତ୍ପଟନ, ଅସ୍ପୃଶ୍ୟତା ଦୂରୀକରଣ, ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ସ୍ୱରାଜ୍ୟ ପ୍ରାପ୍ତି ପାଇଁ ଉଦ୍ୟମ ଅବ୍ୟାହତ ରଖିଥିଲେ ।
ଓଡିଆମାନଙ୍କର ଜାତୀୟତାର କେନ୍ଦ୍ରପୀଠ ‘ଉତ୍କଳ ସମ୍ମିଳନୀ’ର କାର୍ଯ୍ୟାନ୍ଵୟନ ଓ ସଙ୍ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ ଶ୍ରୀବତ୍ସ ପଣ୍ଡା। ‘ସମ୍ବଲପୁର ହିତୈଷିଣୀ’ ର ୧୯୧୫ ମସିହା ଅକ୍ଟୋବର ସଂଖ୍ୟାରେ ସେ ଲେଖିଥିଲେ – “ଉତ୍କଳ ସମ୍ମିଳନୀ ଓଡ଼ିଆମାନଙ୍କର ପ୍ରଧାନ ବାର୍ଷିକ ମେଳା । ଏହା ନିର୍ଜୀବ ବା ନଶ୍ଵର ପଦାର୍ଥ ନୁହେଁ, ଯାନ, ଜାତ ରହିବ। ଜାତି ସଙ୍ଗେ ସଙ୍ଗେ ଜାତୀୟ ମେଳା ଥିବ। ଜୀବାତ୍ମା ପରି ଏହି ମେଳା ବା ସମ୍ମିଳନୀ ମଧ୍ୟ ଅବିନଶ୍ଵର। ଉତ୍କଳ ସମ୍ମିଳନୀ ଓଡିଆ ମାନଙ୍କର ଏକ ଜାତୀୟ ଅକ୍ଷୟ ସମ୍ପଦ ଓ ଜାତୀୟ ପ୍ରତିଷ୍ଠାନ। ଯେଉଁ ଜାତିର ମେଳା, ମିଳନ ନାହିଁ, ସେହି ଜାତିର ଜୀବନ ନାହିଁ। ସେହି ଜାତି ଜାତି ପଦବାଚ୍ୟ ନୁହେଁ। . . ଏହା ବାସ୍ତବରେ ଓଡିଆ ଅସ୍ମିତାର ସ୍ମାରକୀ ଉତ୍କଳ ସମ୍ମିଳନୀର ଯଥାର୍ଥ ମୂଲ୍ୟାୟନ।”
ସମ୍ଵାଦପତ୍ର ମାନଙ୍କରେ ନିୟମିତ ଜାତୀୟ ସ୍ତରୀୟ ଅନୁଷ୍ଠାନର ଅବଦାନ ସଙ୍ଗେ ‘ଉତ୍କଳ ସମ୍ମିଳନୀ’ ସହ ଜଡିତ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କରେ ତାଙ୍କର ଆଲେଖ୍ୟ ମାନେ ଏକାଧିକ ଥର ଉପସ୍ଥାପିତ ହୋଇଥିଲା। ଗଞ୍ଜାମର କର୍ମବୀର ନେତା ନରସିଂହ ଦାସ, ବ୍ୟାସକବି ଫକୀର ମୋହନ, ଖଡିଆଳର ରାଜା ବୀର ବିକ୍ରମଦେବ ପ୍ରଭୃତିଙ୍କୁ ସେ ଆଲୋଚନାର ପରିସର ଆଣିଥିଲେ। ଏଥି ସହ ପୂଜ୍ୟପୂଜା ସଂସ୍କୃତିକୁ ନେଇ ତତ୍କାଳୀନ ଏପ୍ରିଲ ସଂଖ୍ୟାରେ ଏକ ବିଶଦ ଆଲେଖ୍ୟ ଦେଇଥିଲେ।
ଯେତେବେଳେ ‘ଉତ୍କଳ ସମ୍ମିଳନୀ’ର କେତେକାଂଶ ଆଲୋଡ଼ନ ଦେଇ ଗତି କରୁଥିଲା, ସେତେବେଳେ ଶ୍ରୀବତ୍ସ ପଣ୍ଡା ଯୁଗୋପଯୋଗୀ ନୂତନତ୍ବ ଆଣିବା ନିମିତ୍ତ ଦୃପ୍ତ ଆହ୍ଵାନ କରିଥିଲେ। ବହୁ ବ୍ୟୟବରାଦ ଅଥବା ବହ୍ବାଡମ୍ଵର ଛାଡି ଚିନ୍ତାଶୀଳ କର୍ମପ୍ରବଣ ଲୋକଙ୍କ ସମାଗମ ବି ଏ ସମ୍ମିଳନୀ ପାଇଁ ଯଥେଷ୍ଟ । ଦେଶ ହିତୈଷୀ ମାନେ ସର୍ବଦା ଦେଶ ସେବା ପାଇଁ ଆଗତ ରହୁଥିବେ। ଆଉ ଆପଣାର ବିଗତ କାର୍ଯ୍ୟାବଳୀର ସମାଲୋଚନା କରିବାକୁ ବର୍ଷକରେ ଥରେ ଏକତ୍ର ହେବା ପାଇଁ ଅସ୍ଵୀକାର କରିବେ ନାହିଁ।
ଆର୍ଯ୍ୟ ସମାଜର ଆଦର୍ଶାନୁରାଗୀ ହେତୁ ସେ ପ୍ରତି ଦିନ ପଞ୍ଚମହାଯଜ୍ଞ କରୁଥିଲେ। ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ସହ ଜାତୀୟ କଂଗ୍ରେସ କାର୍ଯ୍ୟକ୍ରମ ସହିତ ସକ୍ରିୟ ରହୁଥିଲେ। ଅସୁସ୍ଥତା ସତ୍ତ୍ୱେ ତାଙ୍କୁ ଦୁଇଥର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସଭାପତି ରୂପେ ମନୋନୀତ କରାଯାଇଛି। ସ୍ଵୀୟ ସକଳ ସଂପତ୍ତି ଗୋରକ୍ଷାଶ୍ରମ, ବିଧବାଶ୍ରମ, ବାଳିକା ବିଦ୍ୟାଳୟ ଓ ଆର୍ଯ୍ୟ ସମାଜକୁ ଦାନ କରିଛନ୍ତି। ଏଥି ସହ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ଦଶମ ଅଧିବେଶନରେ ତାଙ୍କ ରଚିତ ‘ମୋ ମାତୃଭାଷା’ ପୁସ୍ତକ ବଣ୍ଟନ ହୋଇଥିଲା।
ଏହି ପୁସ୍ତିକାଟିର ମୂଲ୍ୟାୟନ କରାଯାଇ ‘ସମ୍ଵଲପୁର ହିତୈଷିଣୀ’ରେ ଏହାର ଉପାଦେୟତା କିଛି ଏହିପରି ଭାବରେ ବର୍ଣ୍ଣନା କରାଯାଏ – “ଉକ୍ତ ପୁସ୍ତକ ଖଣ୍ଡ ଯେ ଥରେ ଅଧ୍ୟୟନ କରିବ, ଅବଶ୍ୟ ମାତୃଭାଷା ପ୍ରତି ତାର ସ୍ନେହ, ମାୟା, ମମତା ବଢିବ। ପଡୋଶୀ ଭାଷା ଓ ରାଜଭାଷାର ଭୋଳରେ ପଡି ଏକାବେଳକେ ଓଡିଆମାନେ ନିଜ ମାତୃଭାଷାକୁ ବିକଳାଙ୍ଗ କରୁଥିବାର ଦେଖି ପଣ୍ଡା ମହାଶୟ ଏହି ପୁସ୍ତକ ପ୍ରଣୟନ କରିଥିଲେ।”
ଜାତୀୟ ଚରିତ୍ର ଗଠନ, ଜାତୀୟତାର ପ୍ରସାର ଏବଂ ଏହାର ସାମାଜିକ ଦିଗ ଉପରେ ଗୁରୁତ୍ବ ଦେଇ ଶ୍ରୀବତ୍ସ ପଣ୍ଡା ଅନେକ ଆଲୋଚନା ପ୍ରକାଶ କରିଥିଲେ। ମାତୃଭାଷା ଶିକ୍ଷାକୁ ସେ ବିଶେଷ ଗୁରୁତ୍ଵ ଦେଇଥିଲେ। ‘ଜାତୀୟ ଶିକ୍ଷା’ ନାମକ ଏକ ପ୍ରବନ୍ଧରେ ସେ ଲେଖିଲେ – “ମାତୃଭାଷାରେ ଯେଉଁ ଶିକ୍ଷା ଦିଆଯାଏ ତାହା ହିଁ ଜାତୀୟ ଶିକ୍ଷା। ଜାତୀୟ ଶିକ୍ଷା ଅଭାବରୁ ଉତ୍କଳ ଜାତି ଆଜି ଅନୁନ୍ନତ। ଉତ୍କଳ ଦେଶ ଖଣ୍ଡ ଖଣ୍ଡ ହୋଇ ବିଭିନ୍ନ ଜାତୀୟ ଶିକ୍ଷା ପ୍ରଭାବରେ ଆସି ନିଜର ବିଶୁଦ୍ଧ ପବିତ୍ର ଜାତୀୟ ଶିକ୍ଷା କରି ନ ପାରି ଜାତୀୟ ଉନ୍ନତି ସାଧନ କରିପାରୁନାହିଁ।”
ଏପରି ପ୍ରସଙ୍ଗରେ ସେ ବି ଜାତୀୟ ଶିକ୍ଷା ସଂଶ୍ରଦ୍ଧ କଥା ଉତ୍ଥାପନ କରାଇ ଜାତୀୟ ଶିକ୍ଷାକୁ ଓଡିଶାରେ କୁଠାରାଘାତ କରାଯାଇଥିବାର କହିଛନ୍ତି। ବିଶେଷ କରି ମୁଷ୍ଟିମେୟ ଜମିଦାର ଓ କ୍ଷମତାଶାଳୀ ବ୍ୟକ୍ତିମାନେ ଓଡିଆ ଦେଶରେ ତେଲୁଗୁ ଭାଷାର ଆଧିପତ୍ୟକୁ ପ୍ରଶ୍ରୟ ଦେବାକୁ ସମାଲୋଚନା କରିଥିଲେ। ଶ୍ରୀବତ୍ସ ପଣ୍ଡା ଭାରତୀୟ ଚେତନାର ବିବିଧତା ସଙ୍ଗେ ଏକୀଭୂତ ପ୍ରବଳ ଜାତିରେ ଉନ୍ନତ ହେବା ପାଇଁ ୧୯୧୦ ମସିହାରେ ମତ ଦେଇଥିଲେ। ତାଙ୍କର ଜାତୀୟ ଚେତନଖ ଥିଲା ସର୍ବତୋପରି ପ୍ରଭାବସମ୍ପନ୍ନ।
ଓଡ଼ିଆ ସାହିତ୍ୟର ପ୍ରସାର ପାଇଁ ସେ ସ୍ବୀୟ ବ୍ୟୟରେ ଗଞ୍ଜାମର ରସୁଲକୋଣ୍ଡା (ବର୍ତ୍ତମାନର ଭଞ୍ଜନଗର ) ଠାରେ ସେ ‘ସ୍ଵଦେଶୀ ପ୍ରେସ୍’ ନାମକ ଏକ ଛାପାଖାନା ପ୍ରତିଷ୍ଠା କରିଥିଲେ। ତାଙ୍କ ସମ୍ପାଦନାରେ ବ୍ରହ୍ମପୁରରୁ ‘ସଂସ୍କାର’ (୧୯୨୫ ) ଏବଂ ବେଲଗୁଣ୍ଠା ପଲ୍ଲୀବାସୀ ପ୍ରେସରୁ ‘ଆର୍ଯ୍ୟ’ ନାମକ ମାସିକ ପତ୍ରିକା ପ୍ରକାଶ ପାଇଥାଏ। ଦୟାନନ୍ଦ ସରସ୍ବତୀଙ୍କ ‘ସତ୍ଯାର୍ଥ ପ୍ରକାଶ’କୁ ଓଡ଼ିଆ ଅନୁବାଦ କରିଥିଲେ। ତାଙ୍କ ଅସ୍ମିତାର ଅନ୍ୟତମ ଉଦାହରଣ ଥିଲା, ଯେତେବେଳେ ୧୯୧୨ ମସିହା ମେ ୧୧ ତାରିଖରେ ଖଡିଆଳ ରାଜାଙ୍କ ବିୟୋଗରେ ଜାତୀୟ ଚେତନା ପ୍ରସଙ୍ଗ ଆଣି ଗାଇଥିଲେ –
“ଉତ୍କଳ ଧରଣୀ କୋଳରେ ଜନମି
ସୁସନ୍ତାନ ଗଣେ ପୂରୁ ଏ ଦେଶ
ଅଚିରେ ଘୁଞ୍ଚିବ ଦେଶବ୍ୟାପୀ ଆମ୍ଭ
ଅନୁନ୍ନତ ରୂପ ଦୁଃଖ ଅଶେଷ,
ଏହି ଆଶାତରୁ ଉପାଡୁଛୁ ତୁହି
ଅକାଳେ ମୃତ୍ୟୁକୁ କରି ପ୍ରେରଣ,
କେତେ ସୁପଣ୍ଡିତ ରାଜା, ମହାରାଜା
ଦୁଃଖିନୀ ମାତାର କରୁ ହରଣ।।”
ଏତଦ୍ ବ୍ୟତୀତ, ‘ବୈଦିକ ଧର୍ମ’, ‘ଗୋଧନ’, ‘ସଂସ୍କାର ଗୀତାବଳୀ’, ‘ଜାତିଗୀତି’, ‘ଆର୍ଯ୍ଯଧର୍ମ’ , ‘ମୋ ମାତୃଭାଷା’ , ‘ଶଶିକଳା ପରିଣୟ’ (‘ବିଧବା ବିବାହ’ ନାଟ୍ଯ), ‘ଜାତୀୟ ଜୀବନ’, ‘ପୋଷ୍ଯପୁତ୍ର’, ‘ହିନ୍ଦୁମାନଙ୍କର ବ୍ରାହ୍ମଣପ୍ରିୟତା’, ‘ପୁନର୍ମୂଷିକ ଭବ’, ‘ଭୁବନେଶ୍ୱର ଦର୍ଶନ’, ‘ତୀର୍ଥଯାତ୍ରା (ଦକ୍ଷିଣାଞ୍ଚଳ)’, ‘ତୀର୍ଥଯାତ୍ରା (ଉତ୍ତରାଞ୍ଚଳ)’, ‘ରେଙ୍ଗୁନ ଯାତ୍ରା’ ତାଙ୍କର ଅନବଦ୍ୟ କୃତିସମୂହ। ସେତେବେଳେ ସମଗ୍ର ଭାରତବର୍ଷରେ ସଂସ୍କାରଧର୍ମୀ ବାର୍ତ୍ତା ବହନ କରି ଓଡ଼ିଆ ମାଟିରେ ବିଧବା ବିବାହ ନିମନ୍ତେ ସ୍ଵରୋତ୍ତଳନ କରିବାରେ ସର୍ବପ୍ରଥମ।
‘ପାର୍ବତୀପୁର’ ପ୍ରବନ୍ଧ ତାଙ୍କର ଏକ ଦୀର୍ଘ, ଉପାଦେୟ ପ୍ରବନ୍ଧ ଅଟେ। ତାଙ୍କର ସୁବୋଧ୍ୟ, ସରଳ ଓ ଆବେଗଧର୍ମୀ କାବ୍ୟଗାନରେ ସ୍ବାଧୀନ ଜୀବନର ଆଦର୍ଶ ସହ ସମାଜକୁ ଯୁକ୍ତିନିଷ୍ଠ ଓ ବ୍ୟଙ୍ଗାତ୍ମକ ବାର୍ତ୍ତା ମାଧ୍ୟମରେ ତାଙ୍କର ସଂସ୍କାର ଉଦ୍ୟମ ଆଜି ମଧ୍ୟ ପ୍ରଭାବଶାଳୀ ଓ ଯୁଗୋପଯୋଗୀ। କବିବର ରାଧାନାଥ ରାୟ ତାଙ୍କ ‘ପାର୍ବତୀପୁର’ ପଢି ଅନେକ ପ୍ରଶଂସା କରିବା ସହ ତାଙ୍କ ସ୍ପଷ୍ଟବାଦିତା ଓ ନିର୍ଭୀକତାକୁ ପ୍ରଶଂସା କରିଥିଲେ ସ୍ଵଭାବକବି ଗଙ୍ଗାଧର ମେହେର। ତାଙ୍କର ଦେହାବସାନ ୧୧ ମଇ, ୧୯୪୩ ମସିହାରେ ଘଟେ।
ପରସ୍ପରର ଉନ୍ନତି ଆକାଂକ୍ଷା ସଂକୀର୍ଣ୍ଣ ସ୍ଵାର୍ଥାନ୍ଧତା ଲୋପ କରି ବିଶାଳ ଉଦାର ଆଲୋକ ଗ୍ରହଣ କରିଥାଏ – ଏହାକୁ ସେ ମର୍ମେ ମର୍ମେ ଉପଲବ୍ଧି କରିଥିଲେ। ଭାଷାଗତ ବିଭେଦ ବିଦୂରିତ କରି ଏକ ଉଦାରତାସମ୍ପନ୍ନ ତଥା ସହାନୁଭୂତିଶୀଳ ପାରସ୍ପରିକ ଭାବର ମେଳ ଆବଶ୍ୟକ ବୋଲି ସେ ସତତ ଆଦର୍ଶ ରୂପେ ଗ୍ରହଣ କରି ଆସିଥିଲେ। କୌଣସି ଜାତିର ସାହିତ୍ଯ ହିଁ ଉକ୍ତ ଜାତୀୟତାର ଜୀବନସର୍ବସ୍ଵ । ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଏହି ଦିଗରେ ଥିଲେ ଜଣେ ଅଗ୍ରଦୂତ ଓଡ଼ିଆ ।
©ମୋ ପ୍ରିୟତମ ପାଥେୟ: Amritesh Khatua
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

5 days ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

5 days ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

5 days ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

5 days ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

5 days ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

5 days ago