କବିଶେଖର ଚିନ୍ତାମଣି ମହାନ୍ତି 

~ କବିଶେଖର ଚିନ୍ତାମଣି ମହାନ୍ତି ~
ଲେଖା: ଅମୃତେଶ ଖଟୁଆ
“ସୌଭାଗ୍ୟର ଏ କି ମହା ଶୁଭଦିନ, 
ନାଚି ଉଠେ ପ୍ରାଣେ ପୁଲକ ନବୀନ।
ଅଲକ୍ଷ୍ୟରେ କୋଟି ଆନନ୍ଦ-ହାବେଳି, 
ମନ ମଧ୍ୟେ ପଶି ଯାଉଅଛି ଖେଳି।” 
(ଘୁମୁସର କାବ୍ୟ )
ଦ୍ଵାଦଶ ସର୍ଗ ବିଶିଷ୍ଟ ବର୍ଣ୍ଣନାତ୍ମକ “ଘୁମୁସର କାବ୍ୟ”, କବିଶେଖରଙ୍କ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଥିବା ଅନୁରକ୍ତିକୁ ଦର୍ଶାଇ ତାଙ୍କ ଜନ୍ମଭୂମିର ଚମତ୍କାର ବର୍ଣ୍ଣନା ସମ୍ବଳିତ। ଭଞ୍ଜଙ୍କ କାବ୍ୟକଳାକୁ ସେ ଅଦ୍ଵିତୀୟ ମନେ କରି ଲେଖିଛନ୍ତି –
“ସାରସ୍ଵତ-ରାଜ୍ୟ ରାଜ-ଚକ୍ରବର୍ତ୍ତୀ, 
କାବ୍ୟ-ତପୋବନ-ତପଃସିଦ୍ଧ ଯତି,
ଉତ୍କଳ-ସାହିତ୍ୟ-କଳ୍ପଦ୍ରୁମ ମଞ୍ଜ, 
କବି-କୁଳଟିକା ଉପଇନ୍ଦ୍ର ଭଞ୍ଜ।”
୧୬ ମାର୍ଚ୍ଚ ୧୮୬୭ ମସିହାରେ ଭଦ୍ରକ ନିକଟସ୍ଥ କୁଳମୂଲାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ କବିଶେଖର ଚିନ୍ତାମଣି ମହାନ୍ତି। ତାଙ୍କ ପିତା ମଦନମୋହନ ମହାନ୍ତି ସ୍ଥାନୀୟ ରାଜ-ବିଚାରାଳୟରେ ଜଣେ ମୁକ୍ତାର ଥିଲେ। ମାତାଙ୍କ ନାମ ଥିଲା ନେତ୍ରପ୍ରଭା ଦେବୀ। ପ୍ରଥାନୁଯାୟୀ, ଚିନ୍ତାମଣି ଚାରିବର୍ଷ ଚାରିମାସରେ ବିଦ୍ୟାରମ୍ଭ କରିଲେ। ଗ୍ରାମରେ ତାଙ୍କର କୌଣସି ବିଦ୍ୟାଳୟ ନଥାଏ। ଚିନ୍ତାମଣି ମହାନ୍ତି ୭ ବର୍ଷ ବୟସରେ ବ୍ରିଟିଶ ଅଧିକାରୀଙ୍କ ଦ୍ଵାରା ସ୍ଥାପିତ କୁଳମୂଲାଇ ନିକଟସ୍ଥ ନରିପୁର ଗ୍ରାମରେ ଏକ ପାଠଶାଳାରେ ଅଧ୍ୟୟନ କରନ୍ତି। 
ଶୈଶବରୁ ଥିଲେ ସେ ନିର୍ଜନତା ପ୍ରିୟ, ଯହିଁରୁ ସେ ଅନେକତ୍ର ନିର୍ଜନ ସ୍ଥଳେ ପଠନ-ପାଠନ କରୁଥିଲେ। ତାଙ୍କର ଅଧ୍ୟୟନଶୀଳତା, ତୀକ୍ଷ୍ଣ ବୁଦ୍ଧି ଆଉ ସଦ୍ ବ୍ୟବହାର ଦ୍ଵାରା ସେ ଶିକ୍ଷକମାନଙ୍କ ସ୍ନେହଭାଜନ ହୋଇଥିଲେ। ୧୨ ବର୍ଷ ବୟସରେ ସେ ଅପର ପ୍ରାଇମେରୀ ସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। ତାଙ୍କ ମେଧାବୀ ଗୁଣ ଯୋଗୁଁ କବିବର ରାଧାନାଥ ରାୟ ଭଳି କବିମାନଙ୍କ ସ୍ନେହଭାଜନ ସହ ପ୍ରୋତ୍ସାହିତ ହେଇଥିଲେ ଅନେକ ବଡ଼ ଲୋକମାନଙ୍କ ଦ୍ଵାରା। ୧୯୩୫ ମସିହାରେ ଆନ୍ଧ୍ର-ରିସର୍ଚ୍ଚ ୟୁନିଭର୍ସିଟି ତାଙ୍କୁ “କବିଶେଖର” ଉପାଧି ପ୍ରଦାନ କରିବା ସହ ସସନନ୍ଦ ସମ୍ମାନିତ କରିଥିଲେ।
ନିଜର ଜୀବନ କାଳ ମଧ୍ୟରେ ଅନେକ ଥର ଅସୁସ୍ଥ ହୋଇ ସୁଦ୍ଧା କବିଶେଖର ଚିନ୍ତାମଣି ମହାନ୍ତି ରଚନା କରିଯାଇଅଛନ୍ତି ଅନେକ କାବ୍ୟକବିତା। ‘ଘୁମୁସର କାବ୍ଯ’, ‘ମହୋଦଧି’, ‘ମହେନ୍ଦ୍ର’, ‘ସିଂହରାଜ’, ‘ଉତ୍କଳକମଳା’, ‘ମେଘାସନ ଓ ସାଳନ୍ଦୀ’ (ବର୍ଣ୍ଣନାତ୍ମକ କାବ୍ୟ ); ‘ସୁଭଦ୍ରା’, ‘ଶିଶୁପାଳବଧ’, ‘ବିକ୍ରମାଦିତ୍ୟ’, ‘ଶ୍ରୀମୁକୁନ୍ଦଦେବ’, ‘ସପ୍ତରଥୀ’, ‘ଭାରତଲଳନା’, ‘ଆର୍ଯ୍ୟବାଳା’ , ‘ପଦ୍ମପୁଷ୍ପ’, ‘ସାନ୍ଧ୍ୟ ତାରା’, ‘କଳ୍ପନାକୁଞ୍ଜ’, ‘ଫୁଲଡାଳା’, ‘ଶତଦଳ’, ‘ପୁଷ୍ପବାଟିକା’ ପ୍ରଭୃତି କାବ୍ୟକବିତାମାନଙ୍କର କବି ସିଏ। 
ଉତ୍କଳ ପ୍ରକୃତି ଓ ପରିବେଶ କବି ଚିନ୍ତାମଣି ମହାନ୍ତିଙ୍କ କାବ୍ୟରେ ଏକ ଜୀବନ୍ତ ରୂପ ପରିଗ୍ରହ କରିଅଛି। ପ୍ରଣୟ ଓ ପ୍ରେମିଳତା ମଧ୍ୟରେ ସ୍ଵୀକୃତି ପାଇଛି ଐତିହ୍ୟ, କାବ୍ୟିକତା ପାଇଅଛି ଅସ୍ଫୁଟ ଚେତନାର ସମ୍ବେଦନ, ଯେଉଁ ଥିରେ ପ୍ରକୃତି ଉପାସ୍ଯ, ଆନନ୍ଦମୟୀ ମାତୃକା-ସୁଲଭ । ହେଲେ ତାଙ୍କ ଲେଖନୀ ଚାଳନାରେ ଅତିରିକ୍ତ କୃତ୍ରିମତା, ଅମିତ୍ରାକ୍ଷର ଛନ୍ଦର ବହୁଳ ପ୍ରୟୋଗ ହେତୁ ତାଙ୍କ ରଚନା ସମ୍ଭାରରେ ଗୁଣାତ୍ମକ ସ୍ଥିତିରେ ତ୍ରୁଟି ଦର୍ଶାଇଥିବାର ଦେଖାଯାଏ, କାରଣ ତାଙ୍କ ରଚନାକାଳର ସନ୍ଧିକ୍ଷଣରେ ସେ ସମ୍ମୁଖୀନ କରିଥିଲେ ଅସରନ୍ତି ଦୈନ୍ୟ, ଆର୍ଥିକ ଦୁରବସ୍ଥା ସହ ଶାରିରୀକ ଅସୁସ୍ଥତା। ହେଲେ, ଏହି ତ୍ରୁଟି ପରିପ୍ରେକ୍ଷୀରେ ଥିବା ତାଙ୍କର ଆଦର୍ଶ ସମାଜ ପ୍ରତି ଅନୁରକ୍ତ ଉଦ୍ଘୋଷଣା ସହ କ୍ଷୁଦ୍ର ଓ ଅବହେଳିତ ମାନସିକତା ମଧ୍ୟରେ ବିରାଟତାର ସ୍ଫୁରଣ ସହ ନିଃସର୍ଗ ନୀରାଜନା – ତାଙ୍କ କାବ୍ଯିକ ଆଦର୍ଶକୁ ଦେଇପାରିଛି ଏକ ଅନାସକ୍ତ ଛୁଙ୍କ।
ଏଥି ସହ ‘ରୂପାଚୁଡି’, ‘ବୁଲାଫକୀର’, ‘ଶନିସପ୍ତା’ ପ୍ରଭୃତି ଉପନ୍ଯାସରେ ତାଙ୍କର ଗଦ୍ୟ ସାହିତ୍ୟର ଉପୋଦ୍ଘାତର ଏକ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥାଏ। ଏଗୁଡିକ ୧୯୨୦ ରୁ ୧୯୪୦ ମଧ୍ୟରେ ରଚିତ । ସମକାଳୀନ ସାମାଜିକ ସ୍ଥିତାବସ୍ଥା, ଭାଗ୍ୟବାଦ ଆଉ ପ୍ରେମିଳତା ହେଇଛି ଏପରି କିଛି ଗଦ୍ୟର ଉପଜୀବ୍ୟ। ଫକୀରମୋହନଙ୍କ ଶୈଳୀ ମଧ୍ୟ କଦାଚିତ୍ ପ୍ରତିବିମ୍ବିତ। ପୁନଶ୍ଚ , ‘ମାଧୁରୀ’, ‘ଧର୍ମବଳ’, ‘ଦାର୍ଶନିକ ପଣ୍ଡିତ’, ‘ମାଷ୍ଟରବାବୁ’, ‘ଭାଗ୍ୟ ବିପର୍ଯ୍ୟୟ’, ‘ଅଦ୍ଭୁତ ପରିବର୍ତ୍ତନ’, ‘ଦଶହରା ଅନୁକୂଳ’, ‘ରସଭଙ୍ଗ’, ‘ଉପଯୁକ୍ତ ଶିକ୍ଷା’, ‘ପଣଭଙ୍ଗ’ ଓ ‘ଦେବୀ ବାହୁଡ଼ା’ ଭଳି ଗଳ୍ପର ସ୍ରଷ୍ଟା। କାହାଣୀଧର୍ମିତା ଅବଲମ୍ବନରେ ମଝିରେ କବିତ୍ଵ ବର୍ଣ୍ଣଛଟା ସହ କଳ୍ପନା ପ୍ରବଣତା ମଧ୍ୟ ବେଶ୍ ଜଣାପଡିଥାଏ। ତାଙ୍କ ଆତ୍ମଜୀବନୀ ‘ଜୀବନ ପଞ୍ଜିକା’ ଏକ ଉଲ୍ଲେଖଯୋଗ୍ୟ କୃତିଟିଏ। ହେଲେ ତାଙ୍କ କୃତୀତ୍ଵ ଖୁବ୍ ସୀମିତ ପ୍ରତୀତ, କାରଣ ସତ୍ୟବାଦୀ ଗୋଷ୍ଠୀଠୁ ଆରମ୍ଭ କରି ସଚ୍ଚି ରାଉତରାୟଙ୍କ ସମାଲୋଚନାର ଶରବ୍ୟ ସେ ହେଇପାରିଥିଲେ। ହେଲେ ବି ତାଙ୍କ କାବ୍ୟକବିତା (ଏତେ ଦୁଃଖ ତଥା ଯନ୍ତ୍ରଣାକ୍ତ ଜୀବନ ଥାଇ ସୁଦ୍ଧା) ଅଦ୍ୟାବଧି ମଧ୍ୟ ସୁଖପାଠ୍ୟ। 
Kabisekhar Chintamani Mohanty Amritesh Khatua
Spread the love

2 Comments

  1. Sir you have uploaded the photo copy of JatiyaKabi Banchhanidhi Mohanty in place of Kabisekhar Chintamani Mohannty. Kindly replace it.

Leave a Reply

Your email address will not be published. Required fields are marked *