ଲେଖା: ନିରଞ୍ଜନ ସାହୁ

“ଧନ୍ୟ ଧନ୍ୟ ଧନ୍ୟ ଧନ୍ୟଟି ରେଭେନ୍ସା
ଚିରକାଳ ତୁମ କୀର୍ତ୍ତି ଗାଇବ ଓଡ଼ିଶା,
କେତେ କମିଶନ ଆସିଥିଲେ ଓଡ଼ିଶାକୁ
ମାତ୍ର କେତେଜଣ ଲୋକ ଚିହ୍ନନ୍ତି ତାହାଙ୍କୁ ?
ହେ ରେଭେନ୍ସା ପୁଣ୍ୟଶ୍ଳୋକ ଧର୍ମପରାୟଣ
ଧନ୍ୟ ମୁହିଁ ତୁମ୍ଭ ନାମ କଲି ଉଚ୍ଚାରଣ।
ଓଡ଼ିଶାର ମାଆବାପ କାହିଁ ତୁମ୍ଭ ପରି ଜଣେ
ଓଡ଼ିଶା ସକାଶେ ଲାଗିଥିଲ ପ୍ରାଣପଣେ।
ରେଭେନ୍ସା କଲେଜ କୀର୍ତ୍ତି ସବୁଦିନେ ଥିବ
ଜୟ ଜୟ ଜୟ ରେଭେନ୍ସା ସାହେବ।”

ବ୍ୟାସକବି ଫକୀରମୋହନଙ୍କ ଶ୍ରଦ୍ଧାଞ୍ଜଳୀ ଏହି ସାହେବଙ୍କୁ, ଯେ ଥିଲେ ଜାତିରେ ଫିରିଙ୍ଗି ମାତ୍ର ପ୍ରାଣରେ ଓଡ଼ିଆ।

ସେ ମହାନ୍ ବ୍ୟକ୍ତି ହିଁ ଓଡ଼ିଆପ୍ରାଣ ମଣିଷ ଜଣେ, ଓଡ଼ିଶାରେ ଉଚ୍ଚ ଶିକ୍ଷାର ପ୍ରସାରକ, ବିଦେଶରେ ରହି ଶେଷ ନିଃଶ୍ୱାସ ତ୍ୟାଗ କରିବା ସମୟରେ ଓଡ଼ିଶା କଥା ଚିନ୍ତା କରୁଥିବା ବ୍ରିଟିଶ ମଣିଷ, ଟମାସ୍ ଏଡଵାର୍ଡ ରେଭେନ୍ସା ।

ଉନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗ ଓଡ଼ିଶା ପାଇଁ ଥିଲା ଏକ ଘଡିସନ୍ଧି ମୂହୁର୍ତ୍ତ। ନଅଙ୍କ ଦୁର୍ଭିକ୍ଷର ପଦଧ୍ଵନି ଶୁଣାଯାଉଥିଲା ୧୮୬୫ ମସିହାର ଆରମ୍ଭ କାଳରୁ। ଏହି ସମୟରେ ଜୁଲାଇ ମାସରେ ଓଡ଼ିଶା କମିଶନର ଭାବେ ଯୋଗଦେଉଥାନ୍ତି ରେଭେନ୍ସା ସାହେବ। ପ୍ରକୃତିର କଟାକ୍ଷ ଓ ପ୍ରଶାସନିକ ଅବହେଳା ଯୋଗୁଁ ବହୁ ସଂଖ୍ୟକ ଅଧିବାସୀ ମୃତ୍ୟୁ ମୁଖରେ ପଡୁଥାନ୍ତି। ଏହି ଦୁଃସମୟରେ ନୂଆ ହୋଇ ଯୋଗ ଦେଇଥିବା କମିଶନରଙ୍କୁ ପ୍ରକୃତ ତଥ୍ୟ ଦିଆନଯାଇ ବୁଝାଇ ଦିଆଯାଇଥାଏ ଯେ, ଓଡ଼ିଶାର କୃଷକମାନେ ରାଜସ୍ଵ ଠକିବା ଉଦ୍ଦେଶ୍ୟରେ ଯୋଜନା କରି କମ୍ ଫସଲ ଅମଳ ହୋଇଛି ବୋଲି ଦେଖାଉଛନ୍ତି। ଏ କଥା ଉଚ୍ଚ ପଦବୀରେ ଥିବା ବଙ୍ଗୀୟ କର୍ମଚାରୀଙ୍କ ନୀଚ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ରେଭେନ୍ସା ସାହେବ ଧରି ପାରିନଥିଲେ ବରଂ ସେହି ବଙ୍ଗୀୟ କର୍ମଚାରୀଙ୍କ ପରାମର୍ଶ କ୍ରମେ କୋଡ଼ିଏ ହଜାର ଟନ୍ ଚାଉଳ ବଙ୍ଗଦେଶକୁ ରପ୍ତାନି କରିଦିଆଗଲା।

ରେଭେନ୍ସା ସାହେବ କିନ୍ତୁ ଥିଲେ ନିହାତି ସହାନୁଭୂତିଶୀଳ ଅଫିସର। ସେ ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ସୂଚନା ପାଇ ନିଜେ ପରିଦର୍ଶନରେ ଗଲେ ଏବଂ ପରିସ୍ଥିତି ଅଧିକ ଗୁରୁତର ନହେବା ପାଇଁ ଡିସେମ୍ବର ମାସରେ ରିଲିଫ କମିଟି ଗଠନ କରି ଦୁର୍ଭିକ୍ଷର ପରବର୍ତ୍ତୀ ମୁକାବିଲା ପାଇଁ ଚେଷ୍ଟା ଅବ୍ୟାହତ ରଖିଲେ। ଅପରପକ୍ଷରେ ସେହି ବଙ୍ଗୀୟ କର୍ମଚାରୀଙ୍କ ପ୍ରତି ତାଙ୍କର ମନରେ ତୀବ୍ର ଘୃଣା ଓ ଅବିଶ୍ବାସ ଜନ୍ମିଲା।

ଦୁର୍ଭାଗ୍ୟର ବିଷୟ ଯେ ଠିକ୍ ଏହି ସମୟରେ ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀ ବିଦ୍ରୋହ ଦେଖାଗଲା। ବାଧ୍ୟ ହୋଇ ଉପର ହାକିମଙ୍କ ନିର୍ଦ୍ଦେଶନାରେ ତାଙ୍କୁ ବିଦ୍ରୋହ ଦମନ ପାଇଁ ବାମନଘାଟୀ ଅଞ୍ଚଳକୁ ଯିବାକୁ ହେଲା। ସେଠାରେ ଦୁଇ ମାସ ପରେ ବିଦ୍ରୋହ ଦମନ କରି ଫେରିଆସିଲେ ରାଜଧାନୀ କଟକ। ସେତେବେଳେ ୧୮୬୬ ମସିହାର ଅପ୍ରେଲ, ମେ ମାସ। ଚାରିଆଡେ ହାହାକାର, ହା ଅନ୍ନ ହା ଅନ୍ନ ଚିତ୍କାର। ପୋକମାଛି ପରି ପ୍ରତିଦିନ ଲୋକଙ୍କ ମୃତ୍ୟୁ।

ଏହି ଐତିହାସିକ ଦୁର୍ବିପାକ ପାଇଁ ନିଜକୁ କ୍ଷମା ନଦେଇ ଅଣ୍ଟା ଭିଡ଼ିଲେ ରେଭେନ୍ସା ସାହେବ। ପ୍ରଥମ ଦଫାରେ ଯେଉଁ କର୍ମଚାରୀଙ୍କ ପରାମର୍ଶ ରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା,ସେ ସମସ୍ତଙ୍କୁ ବଦଳି କରାଯାଇ, ପ୍ରାୟଶ୍ଚିତ ସ୍ଵରୂପ ପରବର୍ତ୍ତୀ ସମୟରେ ଓଡ଼ିଶାର ଜାତୀୟ ସମ୍ମାନ ଓ ସ୍ଵାଭିମାନ ବଞ୍ଚାଇବା ପାଇଁ ସବୁମତେ କାର୍ଯ୍ୟ ଆରମ୍ଭ ହୋଇଗଲା, ରେଭେନ୍ସା ସାହେବଙ୍କ ନେତୃତ୍ୱରେ।

୧୮୬୭ ମସିହା ଡିସେମ୍ବରରେ ସରକାରଙ୍କ ତରଫରୁ ନଅଙ୍କ ଦୁର୍ଭିକ୍ଷର ପରିସମାପ୍ତି ଘୋଷଣା କରାଯାଇଥିଲା। ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ଦାରୁଣ ଦୁର୍ଭିକ୍ଷ କଥା ଆଲୋଚନା କଲାବେଳେ ଭାରତ ବ୍ୟାପାର ବିଭାଗ ମନ୍ତ୍ରୀଙ୍କ କଟୁକ୍ତି ଥିଲା ଏହିପରି —

“ସବୁଦିନ ପାଇଁ ଓଡ଼ିଶାର ଦୁର୍ଭିକ୍ଷ ବ୍ରିଟିଶ ଶାସନର ଏକ କଳଙ୍କ ଭାବରେ ଇତିହାସରେ ଲିପିବଦ୍ଧ ହୋଇ ରହିବ। ଯେଉଁ ଦାରୁଣ ବିପର୍ଯ୍ୟୟ ଓଡ଼ିଶାବାସୀ ଭୋଗ କଲେ ସେଥିପାଇଁ ଇଂରେଜ ପଦାଧିକାରୀ ମାନେ ଲଜ୍ଜିତ ହେବା ଦରକାର।”

ଏହି ଲଜ୍ଜାର ପରିଣତି ସ୍ବରୂପ ରେଭେନ୍ସା ସାହେବ ଆଗାମୀ ଦିନରେ ମରୁଡି ପରିସ୍ଥିତିର ସମ୍ମୁଖୀନ ହେବାକୁ ଜଳସେଚନ ପ୍ରକଳ୍ପ ଆରମ୍ଭ କଲେ। ଦୁର୍ଭିକ୍ଷ ପ୍ରତିକାର ନିୟମାବଳୀ ପ୍ରଣୀତ ହେଲା। ମହାନଦୀର ବନ୍ୟା ଦାଉରୁ ଜନବସତିକୁ ସୁରକ୍ଷା ଦେବା ପାଇଁ ନଦୀବନ୍ଧ ଯୋଜନା ଆରମ୍ଭ ହେଲା। ବାଙ୍କୀ ଓ ଆଳି ଅଞ୍ଚଳରେ ପ୍ରଥମ କରି ଖୋଳା ହେଲା କେନାଲ। ଖାଦ୍ୟଶସ୍ୟ ନେବା ଆଣିବା ପାଇଁ ଗମନାଗମନ ବ୍ୟବସ୍ଥା ସୁଦୃଢ଼ କରାଯାଇଥିଲା।

ରେଭେନ୍ସା ସାହେବ ଓଡ଼ିଶାର କମିଶନର ଭାବେ ୧୮୬୫ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲେ। ବିଭିନ୍ନ ରାଜ୍ୟରେ ପ୍ରଶାସନିକ ଅଧିକାରୀ ଭାବେ ଅବସ୍ଥାପିତ ହେଲେ ମଧ୍ୟ, ଓଡ଼ିଶାକୁ ତିନି ଥର କମିଶନର ହୋଇ ଆସିଥିଲେ। ସେତେବେଳେ କିଛି ନିମ୍ନ ମାନସିକତା ଥିବା ପଡୋଶୀଙ୍କ କ୍ରୁର ଦୃଷ୍ଟିରେ ଓଡିଶା ଥିଲା। “ଉଡିୟା ଏକ ସ୍ଵତନ୍ତ୍ର ଭାଷା ନୟ”, ବୋଲି ପ୍ରଚାରିତ ହେଉଥିଲା ଏହି ଚକ୍ରାନ୍ତକାରୀ ଗୋଷ୍ଠୀ ଦ୍ବାରା। ଏହା ବହୁତ ବାଧିଲା ରେଭେନ୍ସା ସାହେବଙ୍କୁ। ଓଡ଼ିଆଭାଷା ସୁରକ୍ଷା ପାଇଁ ସେ ଓଡ଼ିଆ ପ୍ରାଚୀନ ପୋଥି ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଥିଲେ।

ଓଡ଼ିଆମାନେ ସରକାରୀ ଚାକିରୀ କ୍ଷେତ୍ରରେ ପ୍ରବେଶ କଲେ, ଓଡ଼ିଶାର ଉନ୍ନତି ହେବ, ଏହି ଆଶା ନେଇ ସେ ଓଡ଼ିଆଙ୍କୁ ସରକାରୀ ଚାକିରୀ କ୍ଷେତ୍ରରେ ନିଯୁକ୍ତି ଦେଲେ । ଓଡ଼ିଆ ସାହିତ୍ୟ ଓ ଭାଷାସୁରକ୍ଷା ଅଭିଯାନରେ କର୍ମବୀର ଗୌରୀଶଙ୍କର ରାୟଙ୍କ ସହ ସାମିଲ୍ ହୋଇ ‘କଟକ ପ୍ରିଟିଙ୍ଗ୍ କୋମ୍ପାନୀ’ ବସାଇବାରେ ସାହାଯ୍ୟ କଲେ ଏବଂ ଏହାର ଅଂଶଧନ କିଣିଥିଲେ।

ଶିକ୍ଷା ପ୍ରସାର ନିମନ୍ତେ ପଦକ୍ଷେପ ଥିଲା ଅତି ଅମୂଲ୍ୟ। ଓଡ଼ିଆ ପିଲାମାନେ ଓଡ଼ିଶାରେ ପଢିବେ ଏବଂ ଆଉ ବଙ୍ଗଦେଶକୁ ଯିବେ ନାହିଁ, ଏହା ଥିଲା ତାଙ୍କର ସିଦ୍ଧାନ୍ତ। ପ୍ରଥମ ଥର ଓଡିଶାକୁ ଆସିବାର ତିନି ମାସ ମଧ୍ୟରେ  ବଙ୍ଗ ସରକାରଙ୍କ ପାଖକୁ ଏକ ପତ୍ର ଲେଖି ଦାବି ଜଣାଇଥିଲେ ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା କରିବାକୁ। ସୁତରାଂ ୧୮୬୮ ମସିହାରେ କଟକ ଜିଲ୍ଲା ସ୍କୁଲରେ ଆଉ ଦୁଇଟି ଉଚ୍ଚତର ଶ୍ରେଣୀ (ହାଇସ୍କୁଲ ପରେ) ଖୋଲାଯାଇ ପାଠ୍ୟକ୍ରମ ଆରମ୍ଭ ହେଲା। ଏହାହିଁ ଥିଲା ଏକମାତ୍ର କଲେଜ ସେ ସମୟରେ। ପରବର୍ତ୍ତୀ ସମୟରେ ଏହା ହିଁ ପରିଚିତ ହେଲା ‘ରେଭେନ୍ସା ମହାବିଦ୍ୟାଳୟ’ ନାମରେ। କଟକ ମେଡିକାଲ ସ୍କୁଲ ସେ ପ୍ରତିଷ୍ଠା କଲେ, ଯାହା ଆଜିର ‘ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ’ ।


୧୮୭୯ ସାଲରେ ଓଡ଼ିଶାରୁ ବିଦାୟ ନେବା ପୂର୍ବରୁ ରେଭେନ୍ସା ନିବେଦନ କରିଥିଲେ ଓଡ଼ିଶାର ରାଜନ୍ୟବର୍ଗଙ୍କୁ, ଏହି କଲେଜ ପାଇଁ ଅର୍ଥ ଦାନ କରିବା ପାଇଁ। ଫଳରେ ମୟୁରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ବିଜୟନଗର ମହାରାଜା, କୁଜଙ୍ଗ ରାଜା, କାଶିମ୍ ବଜାର ରାଣୀ, ପାଣ୍ଡୁଆ ଜମିଦାର ଏବଂ ଅନେକ ସାହାଯ୍ୟ କରିଥିଲେ କଲେଜ ପାଇଁ। ଫଳରେ ଗଢିଉଠିଥିଲା କଟକରେ କଲେଜଟିଏ।

ଏ ଜାତି ହରାଇଦେଲା ରେଭେନ୍ସା ସାହେବଙ୍କୁ ୧୮୭୯ ସାଲରେ। ତେବେ କୃତଘ୍ନ ନୁହେଁ ଏ ଜାତି ! ଓଡ଼ିଆ ଜାତିର କୃତଜ୍ଞତାର ନିଦର୍ଶନ ସ୍ବରୂପ ସେହି ମସିହାର ଶେଷ ଭାଗରେ (ରେଭେନ୍ସା ସାହେବ ଓଡ଼ିଶାରୁ ବିଦାୟ ନେବା ପରେ) କଟକରେ ଏକ ସଭା ଆହୂତ କରାଇ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ପ୍ରସ୍ତାବ ଦେଲେ – ‘ଏହି କଲେଜର ନାମ ରେଭେନ୍ସା କଲେଜ’ ହେଉ, ଯାହା ବିପୁଳ ସଂଖ୍ୟାରେ ସମର୍ଥିତ ହୋଇଥିଲା।

ରେଭେନ୍ସା ମହାବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା, ଓଡ଼ିଶାରେ ଉଚ୍ଚ ଶିକ୍ଷାର ଭଗୀରଥ, ମେଡିକାଲ ସ୍କୁଲର ପ୍ରତିଷ୍ଠା, ବହୁ ଲୋକହିତକର କାର୍ଯ୍ୟ, ପ୍ରାଚୀନ ପୋଥି ସଂଗ୍ରହ, ଓଡ଼ିଆ ଭାଷା ସୁରକ୍ଷା ଅଭିଯାନରେ ଜଣେ ବିଦେଶୀ ! ଧନ୍ୟ ରେଭେନ୍ସା ସାହେବ, ଓଡ଼ିଆଏ ଋଣୀ ରହିଲେ ଆପଣଙ୍କ ପାଖରେ।

ତଥ୍ୟ: ଶ୍ରୀ ନୃସିଂହ ଚରଣ ସାହୁ

Thomas Edward Ravenshaw Saheb Ravenshaw University

Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago