ଲେଖା: ଦେଵ ତ୍ରିପାଠୀ

ଥିଲେ ଜଣେ ମହାନ ନାଟ୍ୟକାର । ଜଣେ ସରଳ ଗ୍ରାମ୍ୟ ବାଳିକାର ଏକ ଜଟିଳ ଭବିତବ୍ୟ ଭିତରେ ବଡ ହୋଇ ଉଠିବାର ଏକ ବହୁକୋଣୀୟ ଅଭିଜ୍ଞତାକୁ ନେଇ ସେ ରଚିଥିଲେ ‘ନଷ୍ଟଉର୍ବଶୀ’ ନାଟକ । ସେଇ ଉପଜୀବ୍ୟ କାହାଣୀର କଥାବସ୍ତୁ ଯେତିକି ଗ୍ରାମ ଆଉ ସହର ସହିତ ସଂପୃକ୍ତ ସେତିକି ପ୍ରେମ ଆଉ ପ୍ରବଞ୍ଚନା, ଦୈହିକ ଲୁଣ୍ଠନ ଆଉ ମାନସିକ ଆନୁଗତ୍ୟ ସହିତ । ଏପରି ଏକ କ୍ଲାସିକ ନାଟକ ରଚନାରୁ ସେ ଗଢିପାରିଥିଲେ ସ୍ବତନ୍ତ୍ର ପରିଚୟ, ଓଡ଼ିଶାର ନାଟ୍ୟପ୍ରେମୀଙ୍କ ହୃଦୟରେ । ଫେରିଆ, ଭରସା, ପରକଲମ, ଶଙ୍ଖାସିନ୍ଦୁର, ଅର୍ଦ୍ଧାଙ୍ଗିନୀ ପରି ଗୋଟିଏ ପରେ ଚର୍ଚ୍ଚିତ ନାଟକମାନ ରଚନା କରି ସେ ଆଣିଥିଲେ ନାଟ୍ୟ ଜଗତରେ ନୂତନଧାରା । ସେ ପଦ୍ମଶ୍ରୀ ଗୋପାଳ ଛୋଟରାୟ ।

ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ ଗୋପାଳ ଛୋଟରାୟ। ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକ ସବୁ ଥିଲେ ପରିପୁଷ୍ଟ ଓ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଶ୍ରୀଜଗନ୍ନାଥ, ଅମଡ଼ାବାଟ, ଅଭିନେତ୍ରୀ, ମାଟିରମଣିଷ, ଅଦିନମେଘ ପରି ଅନେକ କାଳଜୟୀ ଚଳଚ୍ଚିତ୍ରରେ ସଂଳାପ ରଚନା କରି ସେ ଓଡ଼ିଶାର କଳାଜଗତରେ ଅଧିକାର କରିଥିଲେ ସ୍ବତନ୍ତ୍ର ସ୍ଥାନ । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀ ନାଟକକୁ କରିଛନ୍ତି ଓଡ଼ିଆ ଭାଷାରେ ରୂପାନ୍ତରିତ । ବ୍ୟାସକବି ଫକୀରମୋହନଙ୍କ ପେଟେଣ୍ଟ ମେଡ଼ିସିନ ଗଳ୍ପକୁ ଗୀତିନାଟ୍ୟ ରୂପ ଦେଇ ସେଥିରେ ଖୋକାଭାଇଙ୍କ ଅମୂଲ୍ୟ ସ୍ବର ସଂଯୋଜନା ଓ କଣ୍ଠଦାନ ଦ୍ଵାରା କରାଇଥିଲେ ଚର୍ଚ୍ଚିତ ଓ ଲୋକପ୍ରିୟ ।

ଶ୍ରୀଗଣେଷ, ମହିଷମର୍ଦ୍ଦିନୀ, ଜନ୍ମାଷ୍ଟମୀ, ଶ୍ରୀଜଗନ୍ନାଥ, କପଟପାଶା, ଘରବରା ଦେଖା, ନପାହୁ ରାତି ନ ମରୁ ପତି, ଶ୍ରୀମତୀ ସମାର୍ଜନୀ, ଶ୍ରୀହରିଙ୍କ ସଂସାର, ପୁରାପୁରି ପାରିବାରିକ, ବିଭ୍ରାଟ, ଡାକ୍ତରବାବୁ ପରି ଅସଂଖ୍ୟ ନାଟକ, ଏକାଙ୍କିକା ଓ ଗୀତିନାଟ୍ୟ ରଚନା କରି ସେ ଓଡ଼ିଆ ସାହିତ୍ୟକୁ କରିଛନ୍ତି ଋଦ୍ଧିମନ୍ତ । ଆକାଶବାଣୀ କଟକରେ ବହୁକାଳ ଧରି ଅନେକ ନାଟକ ରଚନା କରିଥିବା ଏହି ମହାନ ନାଟ୍ୟକାର ଗୋପାଳ ଛୋଟରାୟ ଆତ୍ମଜୀବନୀ ‘ପଥିକ’ରେ ମଧ୍ୟ ବଖାଣିଛନ୍ତ ନିଜ ଜୀବନ ଆଦର୍ଶର ଗାଥା ।

ଗୋପାଳ ଛୋଟରାୟଙ୍କ ଅସୁମାରୀ ସୃଷ୍ଟି ମଧ୍ୟରୁ ଅନେକ ମଞ୍ଚ, ବେତାର, ଅପେରା, ଚିତ୍ରନାଟ୍ୟର କାହାଣୀ ମାନ ହିନ୍ଦୀ, ଇଂରାଜୀ ଓ ତେଲୁଗୁରେ ଅନୁବାଦ ହୋଇଛି । ଏହି ମହାନ ନାଟ୍ୟକାରଙ୍କୁ ପଦ୍ମଶ୍ରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, ବିଷୁବ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଇତ୍ୟାଦିରେ ସମ୍ମାନିତ କରି ରାଜ୍ୟବାସୀ ନିଜକୁ କରିଛନ୍ତି ଗୌରବାନ୍ଵିତ ।

ଅବିଭକ୍ତ କଟକ ଜିଲ୍ଲାର ପୁରୁଣାଗଡ଼ ଗ୍ରାମରେ ଜନ୍ମିତ ଏହି ପ୍ରଥିତଯଶା ନାଟ୍ୟବିନ୍ଧାଣୀ ଗୋପାଳ ଛୋଟରାୟ ୨୦୦୩ ମସିହା ଜାନୁଆରୀ ୨୨ ତାରିଖରେ ଓଡିଆ ନାଟ୍ୟ ଜଗତରେ ଅପୂରଣୀୟ ଶୂନ୍ୟ ସ୍ଥାନଟିଏ ସୃଷ୍ଟି କରି ଇହଲୀଳା ସମ୍ବରଣ କରିଥିଲେ ।

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

6 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago