~ ରଳବଗଡ଼ ~
ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ
ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ ରଳବଗଡ଼ ନାମରେ ପରିଚିତ । ଏହାକୁ ନୟାଗଡ଼ର ପ୍ରଥମ ଗଡ଼ ବୋଲି ମଧ୍ୟ କୁହାଯାଏ। ଇତିହାସ ସାକ୍ଷୀ ଯେ, ତ୍ରୟୋଦଶ ଶତାବ୍ଦୀର ପ୍ରଥମ ଭାଗରେ ଏହି ପବିତ୍ର ଭୂମିରୁ ଦିନେ ଓଡ଼ିଶାର ଏକ ନୂତନ ଗଡ଼ଜାତ ରାଜ୍ୟ ସୃଷ୍ଟିର ମୂଳଦୁଆ ପଡିଥିଲା । ଏଠାରେ ଆଜି ମଧ୍ୟ ସେଇ ପୁରୁଣା ଶ୍ରୀଜଗନ୍ନାଥ ମନ୍ଦିରର ଭଗ୍ନାବଶେଷ ଦେଖିବାକୁ ମିଳେ ଯାହା ସହ ଜଡିତ ଅଛି ଏକ ଆଶ୍ଚର୍ଯ୍ୟଜନକ ଓ ଅଲୌକିକ କାହାଣୀ।
କୁହାଯାଏ ଯେ ଦିନେ, ଅଧୁନା ମଧ୍ୟପ୍ରଦେଶର ରେୱା ଅଞ୍ଚଳରୁ ଦେଶାନ୍ତର ହୋଇ ଆସିଥିବା ବଘେଲା ବଂଶର ରାଜପୁତ ବୀର ସୂର୍ଯ୍ୟମଣି ପ୍ରଥମେ ଗୁନାନଟି, ପରେ ହରିପୁରଗଡ଼ ତଦୁପରେ ଏହି ଅଞ୍ଚଳରେ ଆସି ପହଞ୍ଚିଥିଲେ। ସେ ସମୟରେ ଏଠାରେ ଏକ ଭୟଙ୍କର ମହାବଳ ବାଘ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଥିଲା ଏବଂ ସ୍ଥାନୀୟ ଲୋକ ମାନଙ୍କୁ ମାରି ଖାଇ ଯାଉଥିଲା | ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ବୀର ସୂର୍ଯ୍ୟମଣି ସେହି ବାଘକୁ ନିଜ ଖଡ୍ଗ ମାଧ୍ୟମରେ ହତ୍ୟା କରି ଏଠାରେ ବିଶ୍ରାମ ନେଇଥିଲେ।
ବିଶ୍ରାମ ସମୟରେ ସେ ଦେଖିଥିଲେ ଏକ ଅଦ୍ଭୁତ ଘଟଣା । ଏକ ଗର୍ଭବତୀ ମହିଳା ନିକଟସ୍ଥ ଝରଣାକୁ ମାଟିର କଳସୀ ନେଇ ପାଣି ଆଣିବାକୁ ଯାଉଥିଲେ। କିଛି ସମୟ ପରେ ସେହି ମହିଳା ଫେରୁଥିବା ବେଳେ କୋଳରେ ଏକ ଛୋଟ ଶିଶୁକୁ ଧରି ପାଣି ନେଇ ଫେରୁଥିଲେ, କିନ୍ତୁ ତାଙ୍କର ପୂର୍ବରୁ ଥିବା ଗର୍ଭ ଦେଖାଯାଉନଥିଲା। ଏହି ଘଟଣା ଦେଖି ରାଜକୁମାର ସୂର୍ଯ୍ୟମଣି ଆଶ୍ଚର୍ଯ୍ୟ ହୋଇ ସେହି ମହିଳାଙ୍କୁ ଅଟକାଇ ଏହାର ରହସ୍ୟ ଜାଣିବାକୁ ଚାହିଁଥିଲେ। ଦେବୀଙ୍କ ଠାରୁ ସମସ୍ତ ବୃତ୍ତାନ୍ତ ଶୁଣି ସେ ଜାଣିପାରିଥିଲେ ଯେ, ସେହି ମହିଳା ଆଉ କେହି ନୁହେଁ, ସେ ହେଉଛନ୍ତି ସେହି ସ୍ଥାନର ଗ୍ରାମଦେବୀ “ମା ବାଉରୀ”
ଦେବୀ କହିଥିଲେ ଯେ, ସୂର୍ଯ୍ୟମଣି ଯେଉଁ ବାଘକୁ ବଧ କରିଥିଲେ, ସେହି ବାଘଟି ଥିଲା ମା’ ବାଉରୀଙ୍କ ବାହନ। ଦେବୀଙ୍କ ଆଦେଶରେ ସେହି ଦିନ ସୂର୍ଯ୍ୟମଣି ମା’ ବାଉରୀଙ୍କ ମୁଣ୍ଡ ହାଣି ଏହି ସ୍ଥାନରେ ପୋତି ତାଙ୍କୁ ନିଜ ରାଜ୍ୟର ଇଷ୍ଟଦେବୀ ଭାବେ ପ୍ରତିଷ୍ଠା କରିଥିଲେ ଏବଂ ଉକ୍ତ ବାଘ ମୁଣ୍ଡଟିକୁ ମଧ୍ୟ ଦେବୀଙ୍କ ସମ୍ମୁଖରେ ପୋତିଦେଇଥିଲେ । ଏହା ସହିତ ମାଆଙ୍କ ଆଦେଶରେ ସେ ନିଜ ନୂତନ ରାଜ୍ୟର ପ୍ରତୀକ ରୂପେ ମହାବଳ ବାଘମୁଣ୍ଡର ଚିତ୍ରକୁ ଗ୍ରହଣ କରିଥିଲେ।ଏବଂ ଦେବୀଙ୍କୁ ହାଣିଥିବ ଖଣ୍ଡାଟିକୁ ନିଜ ରାଜ୍ୟର ପାଟଖଣ୍ଡା ରୂପେ ଦେବୀଙ୍କ ପିଢ଼ରେ ସ୍ଥାପନ କରିଥିଲେ ।
ପରବର୍ତ୍ତୀ ସମୟରେ ଏହି ସ୍ଥାନରେ ରାଜା ସୂର୍ଯ୍ୟମଣି ନିଜର ପ୍ରଥମ ସ୍ଥାୟୀ ଦୁର୍ଗ ବା ଗଡ଼ ରଳବଗଡ଼ ପ୍ରତିଷ୍ଠା କରି ନୂତନ ରାଜ୍ୟର ଶାସନ ଆରମ୍ଭ କରିଥିଲେ। ଦିନ ପରେ ଦିନ, ବର୍ଷ ପରେ ବର୍ଷ କ୍ରମେ ସମୟର ସ୍ରୋତରେ ବହି ଯାଇଛି। ସମୟର ପରିବର୍ତ୍ତନ ସହ ନୟାଗଡ଼ ରାଜବଂଶ ମଧ୍ୟ ସେହି ପୁରୁଣା ଗଡ଼ ଛାଡ଼ି ଆଜିର ନୟାଗଡ଼ ସହରରେ ନିଜ ନୂତନ ଦୁର୍ଗ ସ୍ଥାପନ କରିଥିଲେ। ଏବେ ଆଉ ପୂର୍ବଭଳି ସେଠାରେ ରାଜ ପରିବାରର ବସବାସ ନାହିଁ, ବସୁ ନାହିଁ ରାଜଦରବାର, ନାହିଁ ପାତ୍ରମନ୍ତ୍ରୀ ଓ ପ୍ରଜାମାନଙ୍କ ଆଗମନର କୋଳାହଳ। କିନ୍ତୁ ସମୟର ଏହି ପରିବର୍ତ୍ତନ ମଧ୍ୟରେ ମଧ୍ୟ ଏକ ଅମର ସତ୍ୟ ଆଜି ପର୍ଯ୍ୟନ୍ତ ଅବିଚଳିତ ଅଛି, ସେହି ପବିତ୍ର ସ୍ଥାନରେ ଦେବୀ ଆଜି ମଧ୍ୟ ସାନ୍ତ, ସରଳ ଓ କରୁଣାମୟୀ ମା’ ରୂପେ ବିରାଜମାନ। ସେ ନୟାଗଡ଼ବାସୀଙ୍କୁ ନିଜ ପଣତକାନିରେ ଘୋଡ଼ାଇ ରଖି ସଦା ଆଶୀର୍ବାଦ କରୁଛନ୍ତି।
ସମ୍ଭବତଃ ସେହି ଦିବ୍ୟ କୃପା ଓ ଆଶୀର୍ବାଦର ଫଳରେ ଆମର ପ୍ରିୟ ନୟାଗଡ଼ ଆଜି ଓଡ଼ିଶା ରାଜ୍ୟରେ ଏକ ବିକଶିତ ଓ ଆଧୁନିକ ଜିଲ୍ଲା ଭାବେ ନିଜର ଗୌରବମୟ ସ୍ଥାନକୁ ଅଳଙ୍କୃତ କରିପାରିଛି।
Ralab Gada Maa Bauri Nayagarh Nayagada Itihasa Prasant Das
Spread the love

Leave a Reply

Your email address will not be published. Required fields are marked *