ଲେଖା: ନିରଞ୍ଜନ ସାହୁ
(ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ ସ୍ଵରୋତ୍ତଳନ କରୁଥିବା ଜଣେ ଯୁବକକୁ ପ୍ରଲୋଭନ ଦେଖାଇ ସେଦିନର ଇଂରେଜ ସରକାର ଡେପୁଟି ମାଜିଷ୍ଟ୍ରେଟ ଚାକିରୀ ପାଇଁ ମନୋନୀତ କରିଥିଲେ । ସେହି ଯୁବକର ଉତ୍ତର ଥିଲା, “ମୋତେ ଯଦି ବଡ଼ଲାଟ୍ କରାଯାଏ, ତାକୁ ମଧ୍ୟ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ନୁହେଁ ।” ଏହା ଥିଲା ୧୮୭୦ ମସିହା ବେଳର କଥା, ଜଣେ ସ୍ଵାଭିମାନୀ, ଦେଶପ୍ରେମୀ ଓ ସତମାର୍ଗୀ କୋଡ଼ିଏ ବର୍ଷୀୟ ଯୁବକର । ସେ ଯୁବକ ଜନ୍ମରୁ ନିର୍ଭୀକ, ପରୋପକାରୀ, ଦାନୀ, ସ୍ଵାଧୀନଚେତା ଗୁଣର ଅଧିକାରୀ ଥିଲେ ।) ଊନବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗରେ ଭୟାବହ ପ୍ରାକୃତିକ ବିପର୍ଯ୍ୟୟ ନଅଙ୍କ ଦୁର୍ଭିକ୍ଷ।ଉତ୍କଟ ଖାଦ୍ୟାଭାବରେ ଅସଂଖ୍ୟ ଲୋକ ମୃତ୍ୟୁବରଣ କରିବା ସହ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ହେଲା ଭୂଲୁଣ୍ଠିତ ଆମରି ପ୍ରିୟ ଓଡ଼ିଶାରେ । ଏହି ସମୟରେ ‘ବସି ପଡି଼ଥିବ ଯେତିକିବେଳେ ବିଧାଏ ମାରିବୁ ସେତିକିବେଳେ’ ନ୍ୟାୟରେ ଆଉ ଏକ ସମସ୍ୟା ମୁଣ୍ଡ ଟେକି ଉଠିଲା । କେତେକ ମୁଷ୍ଟିମେୟ ସଂକୀର୍ଣ୍ଣମନା ପରଶ୍ରୀକାତର ତଥା ଓଡ଼ିଆ ଭାଷା ଓ ସାହିତ୍ୟରେ ମୂର୍ଖ ଜଣେ ଅଣଓଡ଼ିଆ ସଂସ୍କୃତ ପଣ୍ଡିତଙ୍କ ମାଧ୍ୟମରେ ଓଡ଼ିଆ ଭାଷାର ସ୍ଵକୀୟତା ଓ ସ୍ଵତନ୍ତ୍ର ସ୍ଥିତି ଉପରେ ଆକ୍ଷେପ କରି ଏବଂ ଓଡ଼ିଶାର ବିଦ୍ୟାଳୟମାନଙ୍କରୁ ଓଡ଼ିଆ ଭାଷା ବିଲୋପ ଦାବି କରି ଭିତିରିଆ ଆନ୍ଦୋଳନ ଆରମ୍ଭ କରିଦେଲେ । ସେହି ମୂର୍ଖ ଜଣକ ଲେଖି ପକେଇଲେ ଖଣ୍ଡିଏ ବହି , ଯେମିତି ଓଡ଼ିଆ ଭାଷାର ସ୍ଥିତି ଲୋପ ପାଇଯିବ ! ଏହି ପୁସ୍ତିକା ପ୍ରକାଶନର ପୃଷ୍ଠଭୂମିରେ ଏଠାରେ ଏହା ପ୍ରକାଶ କରିବା ସମିଚୀନ ହେବ । ୧୮୪୭-୪୮ ମସିହା ବେଳକୁ ଆରମ୍ଭ ହୋଇ ଯାଇଥିଲା ଓଡ଼ିଆ ଭାଷା ବିଲୋପ କରି ବିଦ୍ୟାଳୟମାନଙ୍କରେ ବଙ୍ଗଳା ଭାଷା ପ୍ରଚଳନ ପାଇଁ । ସେ ସମୟରେ କଟକ ଜିଲ୍ଲା ମାଜିଷ୍ଟ୍ରେଟ ଏସ୍ . ବାଉରିଙ୍ଗ୍ କିଛି ବଙ୍ଗୀୟ ଅମଲା ମାନଙ୍କ ପ୍ରରୋଚନାରେ ହାତ ଗଣତି ବିଦ୍ୟାଳୟ ପରିଦର୍ଶନ କରି ମତ ଦେଇଥିଲେ ଯେ, “ମୋ ବ୍ୟକ୍ତିଗତ ଅଭିମତ ମୋ କ୍ଷମତାର କେତେ ପରିସରଭୁକ୍ତ ମୁଁ ତାହା ଜାଣେ ନାହିଁ । ତଥାପି ମୁଁ କହିବି ଯେ, ସାଧାରଣ ଶାସନ ଦୃଷ୍ଟିରୁ ବ୍ରିଟିଶ ରାଜ୍ୟରେ ଓଡ଼ିଆ ଗୋଟିଏ ସ୍ଵତନ୍ତ୍ର ଭାଷା ରୂପେ ତିଷ୍ଠି ରହିବା ଉଚିତ ନୁହେଁ । ଏଇ କ୍ଷୁଦ୍ର ପ୍ରଦେଶରେ ଗୋଟିଏ ସ୍ଵତନ୍ତ୍ର ସାହିତ୍ୟ ସୃଷ୍ଟି ହେବା ଆଶା କରାଯାଇ ନ ପାରେ । ଓଡ଼ିଆ ହେଉଛି ବଙ୍ଗଭାଷାର ଉପଭାଷା ମାତ୍ର ।”

ଜିଲ୍ଲା ମାଜିଷ୍ଟ୍ରେଟଙ୍କର ଏଭଳି ମନ୍ତବ୍ୟ କିନ୍ତୁ ଖଣ୍ଡିତ ହେଲା କମିଶନର ଗୋଲ୍ଡସବରୀଙ୍କ ଦ୍ଵାରା । ସେ ସ୍ପଷ୍ଟ ଭାବରେ ଘୋଷଣା କଲେ, “ବାଉରିଙ୍ଗଙ୍କ ମତ ଅତ୍ୟନ୍ତ ଭ୍ରମାତ୍ମକ । ଓଡ଼ିଆ ଭାଷାର ବଙ୍ଗଭାଷା ସହିତ ଅନେକ ସାମ୍ୟ ଥିଲେ ମଧ୍ୟ ଏହା ଏକ ପ୍ରାଚୀନତମ ସ୍ଵତନ୍ତ୍ର ଭାଷା । ଗୋଟିଏ ସ୍ଵତନ୍ତ୍ର ଭୌଗଳିକ ଭୂଖଣ୍ଡରେ ଏହି ପ୍ରାଚୀନ ଭାଷା ପ୍ରଚଳନ ଥିବାରୁ, ଏହା ଲୋପ ପାଇଯିବ, ଏ ଆଶା କରିବା ନିର୍ବୋଧତା ଓ ନିରର୍ଥକ । ଓଡ଼ିଶାରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଭାଷା ପ୍ରଚଳନ ହେବା ଆପତ୍ତିଜନକ ।” କମିଶନରଙ୍କ ଏହି ଯୁକ୍ତି ଥିଲା ଗ୍ରହଣୀୟ ।

ତଥାପି ବଙ୍ଗ ସଦର ବୋର୍ଡ ଭିତରେ ଭିତରେ ବିଷମଞ୍ଜି ପୋତୁଥିଲେ । ଏହି ବିଷମଞ୍ଜି ପୋତିବାରେ ଆଉ ଟିକେ ସକ୍ରିୟ ହୋଇଗଲେ କଟକ ରାଜସ୍ଵ ପର୍ଷଦ ସଦସ୍ୟ ହେନେରୀ ରିକେଟସ । ତାଙ୍କର ମତ ଥିଲା, “ଓଡ଼ିଆ ମାନଙ୍କର ସାହିତ୍ୟ ତାଳପତ୍ରରେ ଲିଖିତ ହୋଇ ରହିଥିବା ଧର୍ମମୂଳକ କେତୋଟି କାହାଣୀ ଓ କଥା ମାତ୍ର। କଚେରୀରେ କାମ ଚଳେଇନେବା ଭଳି ଓଡ଼ିଆଟା ହେଉଛି ସେମାନଙ୍କ ଜୀବନର ବଡ଼ ଆକାଙକ୍ଷା । ଓଡ଼ିଆ ପଢ଼ି ଜାଣିଥିବା ଲୋକଙ୍କ ସଂଖ୍ୟା ଏତେ କମ୍ ଓ ସେମାନେ ଏତେ ଦରିଦ୍ର ଯେ, ସେମାନଙ୍କର ଗୋଟିଏ ବଡ଼ ସାହିତ୍ୟ ତିଆରି ହୋଇ ପାରିବ, ଏହା କଳ୍ପନା କରାଯାଇ ନ ପାରେ । କାରଣ ସାହିତ୍ୟ ଯେଉଁ ଲୋକଙ୍କ ସହାୟତାରେ ଗଢ଼ି ଉଠିବ, ସେ ଲୋକ ଏଠାରେ ନାହାଁନ୍ତି ।”

ଏହିପରି ବାଦାନୁବାଦ ମଧ୍ୟରେ ଓଡ଼ିଆ ଭାଷା ସପକ୍ଷରେ କମିଶନର ଗୋଲ୍ଡସବରୀ, ପୁରୀ କଲେକ୍ଟର ଫୋରବିସ୍ ଥିବା ବେଳେ ବିପକ୍ଷରେ ହେନେରୀ ରିକେଟସ, ଉମାଚରଣ ହାଲଦାର୍ (ସ୍କୁଲ ଡେପୁଟି ଇନ୍ସପେକ୍ଟର) ରହିଥିଲେ । ତେବେ ୧୮୫୭ ମସିହାରେ ଓଡ଼ିଶା ଡିଭିଜନ୍ ର ସ୍ଵତନ୍ତ୍ର ସ୍କୁଲ ଇନ୍ସପେକ୍ଟର ମିଃ ରୋର୍ ଏକ ଗୁରୁତ୍ବପୂର୍ଣ୍ଣ ମତ ଦେଇଥିଲେ ଯେ, “ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା । ଏହାର ସ୍ଵତନ୍ତ୍ର ଲିପି ଓ ବ୍ୟାକରଣ ନିୟମ ରହିଛି, କିନ୍ତୁ ପାଠ୍ୟପୁସ୍ତକର ଘୋର ଅଭାବ ରହିଛି। ମିଃ ସଟନଙ୍କ ଉଦ୍ୟମରେ କିଛି ପୁସ୍ତକ ଅନୁବାଦ ହୋଇଥିଲା, କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ତାହା ଯଥେଷ୍ଟ ନୁହେଁ । ଓଡ଼ିଆ ଭାଷାରେ ଯଥେଷ୍ଟ ପାଠ୍ୟପୁସ୍ତକ ଅଭିବୃଦ୍ଧି ସକାଶେ ଉଦ୍ୟମ ହେବା ଉଚିତ ।”

ତେବେ ଗୋଲ୍ଡସବରୀ, ଫୋରବିସ୍ ଓ ରୋର୍ ସାହେବଙ୍କ କଥାର ଗୁରୁତ୍ୱକୁ ଉପଲବ୍ଧି କରି ଏବଂ କତିପୟ ପଡୋଶୀଙ୍କ ଷଡ଼ଯନ୍ତ୍ର ବିରୁଦ୍ଧରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡି଼ଥିଲେ ଓଡ଼ିଶାର ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର ଅନେକ ବ୍ୟକ୍ତି ୧୮୬୮ ରୁ ୧୮୭୩ ମଧ୍ୟରେ, ଯାହା ପରବର୍ତ୍ତୀ ସମୟରେ ଆଉ ଅଟକି ନଥିଲା । ଏହି ଗୋଷ୍ଠୀରେ ଥିଲେ ଉତ୍କଳପ୍ରାଣ ଗୌରୀଶଙ୍କର, ଫକୀରମୋହନ ସେନାପତି, ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଦୁଇଜଣ ଓଡ଼ିଆପ୍ରାଣ ବିଦେଶୀ ଟି.ଇ. ରେଭେନ୍ସା ଏବଂ ଜନ୍ ବିମସ । ଉଦ୍ଦେଶ୍ୟ ଓଡ଼ିଆ ଭାଷାସୁରକ୍ଷା ଓ ଏହି ଭାଷାରେ ବିଦ୍ୟାଳୟମାନଙ୍କ ପାଇଁ ପୁସ୍ତକ ରଚନା ।

ଫକୀରମୋହନଙ୍କ ରାଜପୁତ୍ର ଇତିହାସ (ହାତଲେଖା), ଭାରତ ଇତିହାସ, କିଛି ଅଙ୍କ ବହି, ରାଧାନାଥ ରାୟଙ୍କ କବିତାବଳୀ, ଗୌରୀଶଙ୍କର ରାୟଙ୍କ ଭୂଗୋଳ ତତ୍ତ୍ୱ, ଗୋବିନ୍ଦ ରଥଙ୍କ ବର୍ଣ୍ଣବୋଧକ, ପ୍ୟାରୀମୋହନଙ୍କ ଓଡ଼ିଶାର ଇତିହାସ ଇତ୍ୟାଦି ଆତ୍ମପ୍ରକାଶ କଲା ଏବଂ ଓଡ଼ିଆ ବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ ହୋଇଗଲା ବହୁ ବାଧା, ପ୍ରତିରୋଧ ସତ୍ତ୍ୱେ । ଭାଷା ସୁରକ୍ଷା ସହ ଛାତ୍ର ମାନଙ୍କ ପାଇଁ କେତେ ଆତୁରତା ସତେ ! କେବଳ ଏତିକି ନୁହେଁ, ଗୌରୀଶଙ୍କରଙ୍କ ରଣହୁଙ୍କାର ଉତ୍କଳ ଦୀପିକା ମାଧ୍ୟମରେ, ଫକୀରମୋହନଙ୍କ ଲେଖା ସମ୍ବାଦ ବାହିକା ମାଧ୍ୟମରେ ଏବଂ ଠିକ୍ ପଛକୁ ପଛ ପ୍ୟାରୀମୋହନଙ୍କ ଉତ୍କଳ ପୁତ୍ର ସମଗ୍ର ଓଡ଼ିଶାର ଆଖି ଖୋଲିଦେଲା । ନବଜାଗରଣ ମନ୍ତ୍ରରେ ମନ୍ତ୍ରିତ ହେଲା ସମଗ୍ର ଓଡ଼ିଶାର ନଗର, ପୁରପଲ୍ଲୀ ।

ସେତେବେଳକୁ ଗୌରୀଶଙ୍କର ଓ ଫକୀରମୋହନ ଓଡ଼ିଶାର ଜଣେ ଜଣେ ସାଂସ୍କୃତିକ ଯୋଦ୍ଧା ଭାବେ ପରିଚିତ ହୋଇ ସାରିଥିଲେ । କିନ୍ତୁ ଆଉଟିକେ ଆଖି ଖୋଲିଦେଲେ ଜଣେ କୋଡ଼ିଏ ବର୍ଷୀୟ ତରୁଣ ୧୮୭୦ ମସିହାରେ ତାଙ୍କର ଶାଣିତ ଓ ତୀବ୍ର ଭାଷାରେ ପ୍ରବନ୍ଧମାନ ରଚନା କରି ଆରମ୍ଭ ହୋଇଥିବା ପତ୍ରିକା ଉତ୍କଳ ପୁତ୍ର ମାଧ୍ୟମରେ । ଅର୍ଥାଭାବରୁ ପ୍ରଥମେ ହାତଲେଖା ଓ ପରେ ପରେ ଏହି ପତ୍ରିକାର ସୁନାମ, ପ୍ରତିଷ୍ଠାରେ ଆକୃଷ୍ଟ ହୋଇ ଗୌରୀଶଙ୍କର ରାୟ ତାଙ୍କ ପ୍ରେସରୁ ଛାପା ହୋଇ ପ୍ରକାଶିତ ହେବା ପାଇଁ ବ୍ୟବସ୍ଥା କରିଦେଲେ ।

ଜଣେ ତରୁଣର ଏଭଳି ସତ୍ୟନିଷ୍ଠ ଲେଖା, ବ୍ରିଟିଶ ସରକାରଙ୍କ ତୃଟି, ପ୍ରଶାସନିକ ଶୋଷଣ, ସାମାଜିକ କୁସଂସ୍କାର ଇତ୍ୟାଦିର ନିର୍ଭୀକ ଉପସ୍ଥାପନା ତାଙ୍କ ନିଜ ପତ୍ରିକାରେ ଦେଖି ବ୍ୟସ୍ତ ହୋଇପଡୁଥିଲେ ସରକାରୀ କଳ, ଓଡ଼ିଆ ଭାଷା ବିଲୋପ ପାଇଁ ଓ ଏହା ପ୍ରତି ଅସୂୟା ଭାବ ପୋଷଣ କରୁଥିବା ବ୍ୟକ୍ତି ବିଶେଷ ତ୍ରାହି ତ୍ରାହି ଡାକ ଛାଡି଼ଲେ । ସେହି ତରୁଣର ଉଦାତ୍ତ କଣ୍ଠରେ ସେଦିନ ଘୋଷିତ ହୋଇଥିଲା:

“ଉଠ, ଉଠ, ଉଠ,
ପରିହରି ମୋହ ନିଦ୍ରା ଆସ କରି ରଣ
ଉତ୍କଳ ତିମିର ସଙ୍ଗେ ହୋଇ ସ୍ଥିର ମନ ।”

ପ୍ରଥମେ ରାଜଧାନୀ କଟକ ସହର ଓ ପରେ ପରେ ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ଚହଳ ପଡ଼ିଗଲା, “କିଏ ଏହି ଯୁବକ ?”

ସେହି ଯୁବକ ଜଣକ ପ୍ୟାରୀମୋହନ ଆଚାର୍ଯ୍ୟ। ୧୮୫୧ ମସିହା ଅଗଷ୍ଟ ମାସ ପାଞ୍ଚ ତାରିଖ । କଟକ ଜିଲ୍ଲା ମାହାଙ୍ଗା ନିକଟସ୍ଥ ପଶୁଲୁଣ୍ଡା ଗାଁ। ଚତୁର୍ଦ୍ଦିଗରେ ବିସ୍ତୃତ ଶ୍ୟାମଳ ଶସ୍ୟକ୍ଷେତ୍ର । ଅନୁପମ ଶୋଭାରେ ଭରପୁର ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଶାନ୍ତ, ସରଳ, ପରିବେଶର ରାଜୁତି । କଟକ ଅଦାଲତରେ ଇଂରେଜ ଅମଳର ପ୍ରତିଷ୍ଠିତ ଓକିଲ ଭୁବନମୋହନ ଆଚାର୍ଯ୍ୟ । ତାଙ୍କର ପ୍ରଥମ ସନ୍ତାନ ଭାବେ ଜନ୍ମ ନେଲେ ପ୍ୟାରୀମୋହନ। ବୟସ ସହ ତାଳ ଦେଇ ଖଡି଼ଛୁଆଁ, ଚାଟଶାଳୀ, ପାଠ ଶାଳାରେ ଶିକ୍ଷା ସମାପ୍ତ ହେଲା ବାର ବର୍ଷ ବୟସରେ । ଉଚ୍ଚଶିକ୍ଷାର ଏକମାତ୍ର ବିଦ୍ୟାଳୟ ସେତେବେଳେ କଟକ ଜିଲ୍ଲା ସ୍କୁଲ (ଏବେର ରେଭେନ୍ସା କଲିଜିଏଟ୍) । ସେଠାରେ ନାମ ଲେଖାଇଦେଲେ ବାପା ।

ହାଇସ୍କୁଲରେ ପଢ଼ିବା ବେଳେ ତାଙ୍କ ଠାରେ ଅଲୌକିକ ପ୍ରତିଭା ଦେଖିବାକୁ ମିଳିଲା। ଖେଳକୁଦ, ଗପସପରେ ସମୟ ନଷ୍ଟ ନ କରି ଭଲଭଲ ବହି ପଢ଼ିବା, ଶିକ୍ଷକ ମାନଙ୍କର କଥାକୁ ଭଲ ଭାବରେ ଗ୍ରହଣ କରିବା, କୌଣସି କଥାକୁ ଭଲ ଭାବରେ ହୃଦୟଙ୍ଗମ କରି ଅନୁଶୀଳନ ସହିତ ଗଭୀର ଭାବରେ ଚିନ୍ତା କରିବା, ବିଭିନ୍ନ ତର୍କ ସଭାରେ ଯୋଗଦାନ କରିବା ଥିଲା ତାଙ୍କର ପ୍ରଥମ କର୍ତ୍ତବ୍ୟ । ଏହି ସବୁ ଦ୍ୱାରା ସେ ବାରି ହୋଇ ପଡ଼ିଲେ ଶିକ୍ଷକ ଓ ଛାତ୍ର ମହଲରେ । ବସ୍ତୁତଃ ସେ ପାଲଟି ଗଲେ ଜଣେ ନିର୍ଭୀକ ସୁବକ୍ତା ।

କଟକ ସ୍କୁଲରୁ ଏଫ୍.ଏ ପାଶ ପରେ କଟକ କଲେଜରେ ନାମ ଲେଖାଇଲେ । ସାକ୍ଷାତ୍ ହେଲା ମଧୁସୂଦନ ରାଓଙ୍କ ସହ । ଦୁହେଁ ହୋଇଗଲେ ପରମ ବନ୍ଧୁ । ଦୁହେଁ ମିଶି ଆଧ୍ୟାତ୍ମିକ ଆଲୋଚନା, ପ୍ରବନ୍ଧ ରଚନା ଏବଂ ଉପାଦେୟ ଇଂରାଜୀ ରଚନାର ଅନୁବାଦ କାର୍ଯ୍ୟରେ ସମୟ ବିତାଇଲେ । ଛାତ୍ରାବସ୍ଥାରୁ ସବୁ ବିଷୟରେ ଅନୁଶୀଳନ କରି ନିଷ୍ପତ୍ତି ନେବା ଓ କାମରେ ଲଗାଇବା ଥିଲା ତାଙ୍କର ଏକ ଶ୍ରେଷ୍ଠ ଗୁଣ । ସତ୍ୟର ଅନୁଶୀଳନ ଦ୍ଵାରା ଦୁଇ ବନ୍ଧୁ ପ୍ୟାରୀମୋହନ ଆଚାର୍ଯ୍ୟ ଓ ମଧୁସୂଦନ ହିନ୍ଦୁଧର୍ମର କୁସଂସ୍କାର ଇତ୍ୟାଦିରେ ବିତସ୍ପୃହ ହୋଇ ପଡ଼ିଥିଲେ । କୁସଂସ୍କାର, ଅନ୍ଧବିଶ୍ବାସ ଦୂର ହୋଇପାରିଲେ ହିଁ ସମାଜର ଉନ୍ନତି ସମ୍ଭବ ହେବ – ଏଇ କଥାରେ ଏକ ମତ ହୋଇ ଦୁହେଁ ଦୀକ୍ଷିତ ହୋଇଗଲେ ବ୍ରାହ୍ମଧର୍ମରେ । ଏହି ଧର୍ମାନ୍ତରୀକରଣର ମୂଳ ଲକ୍ଷ୍ୟ ଥିଲା ଆମ ସମାଜରୁ କୁସଂସ୍କାରର ଖୋଳପା ଫିଙ୍ଗି ଦେଇ ନାରୀଶିକ୍ଷାର ପ୍ରସାର, ସମାଜ ସଂସ୍କାର, ବିଧବା ବିବାହ ପ୍ରଚଳନ, ଅନ୍ଧବିଶ୍ବାସର ଦୂରୀକରଣ, ଶିକ୍ଷାପ୍ରସାରଓଡ଼ିଶାର ନବଜାଗରଣ

ଗୋଟିଏ କୋଡ଼ିଏ ବର୍ଷୀୟ ଛାତ୍ରର ନବଜାଗରଣ ପାଇଁ ଉତ୍କଣ୍ଠା ଦେଖି ସେବେଳର ଅନେକ ବୁଦ୍ଧିଜୀବୀ ଗଭୀର ଆଶାନ୍ଵିତ ହୋଇ ପଡ଼ିଥିଲେ । ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି, ଭାଷାସୁରକ୍ଷା, ଅସତ୍ୟର ବିରୋଧ, ଇଂରେଜ ଶାସନର ଶୋଷଣ ବିରୁଦ୍ଧରେ ସ୍ଵରୋତ୍ତଳନ ପାଇଁ ଦୁଇଟି ପତ୍ରିକା ଉତ୍କଳ ଦୀପିକା ଏବଂ ସମ୍ବାଦ ବାହିକା ପ୍ରକାଶ ପାଉଥିଲା । ଫଳରେ ଓଡ଼ିଶାର ସମସ୍ତ ସମସ୍ୟା, ଅସୁବିଧା, ବିଭିନ୍ନ ଦାବୀ ସମ୍ପୂର୍ଣ୍ଣ ରୂପେ ସ୍ଥାନିତ ହୋଇ ପାରୁ ନଥିଲା । ଦୃଢ଼ ମନୋବଳ ଓ ଗଭୀର ଆତ୍ମବିଶ୍ଵାସ ଥିବା ଏହି ତରୁଣ ଛାତ୍ର ଜଣକ ହାତ ଲେଖାରେ ବାହାର କଲେ ୧୮୭୦ ମସିହାରେ ଏକ ପାକ୍ଷିକ ପତ୍ରିକା ଉତ୍କଳ ପୁତ୍ର ।

ଜୀବନର ଲକ୍ଷ୍ୟ ଥିଲା ଆହୁରି ଅନେକ . . .

ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ତରୁଣ ଜଣଙ୍କର ଭାଷା ଥିଲା ଶାଣିତ , ତୀବ୍ର, ସତ୍ୟ ଉପରେ ଆଧାରିତ । ସମାଜର ହିତାର୍ଥେ ପ୍ରବନ୍ଧ ଓ ସମ୍ବାଦ ଗୁଡ଼ିକ ସ୍ଥାନିତ ହେଉଥିଲା ଉତ୍କଳପୁତ୍ରରେ । ଜଣେ କଲେଜ ଛାତ୍ରର ଏତାଦୃଶ ଲେଖା ଏକ ଶକ୍ତିଶାଳୀ ସରକାରକୁ ବ୍ୟତିବ୍ୟସ୍ତ କରି ଦେଉଥିଲା । ଗୋଟିଏ ଐତିହାସିକ ଘଟଣା – କଟକ ସହରରେ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ସରକାରଙ୍କ ଟିକସ ଆଦାୟ କିନ୍ତୁ ଥିଲା ବଳବତ୍ତର । ଉନ୍ନୟନ କାର୍ଯ୍ୟରେ ଆଦୌ ଗୁରୁତ୍ୱ ନାହିଁ । ରାସ୍ତାଘାଟ ଶୋଚନୀୟ ।

ଛାତ୍ର ପ୍ୟାରୀମୋହନ କିନ୍ତୁ ନୀରବ ଦର୍ଶକ ହୋଇ ରହିପାରିଲେ ନାହିଁ । ସରକାରଙ୍କୁ ହେଲା ତୀବ୍ର ବିରୋଧ ଓ ସମାଲୋଚନା ଲେଖନୀ ମାଧ୍ୟମରେ । ଦରଖାସ୍ତ ଯୁତିଆନ ଶିରୋନାମାରେ ପ୍ରକାଶିତ ହେଲା ସମ୍ବାଦ । ଦରଖାସ୍ତ ଯୁତିଆନ – ଅର୍ଥାତ୍ “ଯୋତା ମାନଙ୍କର ଆବେଦନ” । ନିଦ ହଜିଗଲା କଟକ ମାଜିଷ୍ଟ୍ରେଟ ଏରଭିଙ୍ଗ ସାହେବଙ୍କର । ବିବ୍ରତ ଓ କ୍ଷୁବ୍ଧ ହେଲେ ସେ ।  ନିର୍ଦ୍ଦେଶ ଦିଆଗଲା ସେହି ଛାତ୍ର ପଢୁଥିବା ‘କଟକ କଲେଜ’ ଅଧ୍ୟକ୍ଷ ଚଣ୍ଡୀ ଚରଣ ବାବୁଙ୍କୁ — ଅନୁଷ୍ଠାନରୁ ଶୀଘ୍ର ବହିଷ୍କାର କରିବାକୁ, ଛାତ୍ରକୁ । ଭଲ ଛାତ୍ରଟିକୁ କଲେଜରୁ ତଡ଼ିବା ପାଇଁ ଅଧ୍ୟକ୍ଷ ସମ୍ମତ ହୋଇ ପାରୁନଥିଲେ । କ୍ଷମା ପ୍ରାର୍ଥନା ପାଇଁ ପରାମର୍ଶ ଦେଲେ ଅଧ୍ୟକ୍ଷ ମହୋଦୟ । ସତ୍ୟନିଷ୍ଠ, ସ୍ଵାଧୀନଚେତା ତରୁଣଙ୍କ ପାଖରେ ଏହା ସମ୍ଭବ କି ? ଉତ୍ତର ଦେଲେ ଛାତ୍ର — “ମୋ’ର ଲେଖା ଅକ୍ଷରେ ଅକ୍ଷରେ ସତ୍ୟ, ସେଥିରେ ଅସତ୍ୟର ଗନ୍ଧ ନାହିଁ । ଏଥିପାଇଁ ମୁଁ ମୁଣ୍ଡ ନୁଆଁଇବି କାହିଁକି ? ମୁଁ ଆଦୌ କ୍ଷମା ପ୍ରାର୍ଥନା କରି ପାରିବି ନାହିଁ ।”

ପାଠପଢା ଶେଷ ! ବିତାଡ଼ିତ ହେଲେ ସେହି ସତ୍ୟନିଷ୍ଠ ତରୁଣ । ଜୀବନର ଗତିପଥ ବଦଳିଗଲା । ଅସତ୍ୟ ସହ ସାଲିସ କରିବାର ପ୍ରଶ୍ନ କାହିଁକି ? ଉତ୍କଳପୁତ୍ର ହୋଇ ଉଠିଲା ଜାତୀୟ ଜାଗରଣର ବାର୍ତ୍ତାବହ , ଜାତିସ୍ଵାର୍ଥର ଜାଗ୍ରତ ପ୍ରହରୀ ଏବଂ ଦରଖାସ୍ତ ଯୁତିଆନ କେବଳ କଟକ ପାଇଁ ପ୍ରତିବାଦ ନୁହେଁ, ବରଂ ଓଡ଼ିଆ ଜାତି ପାଇଁ ନବଜାଗରଣର ପ୍ରଥମ ଓଁକାର ।

କଲେଜରୁ ବିତାଡ଼ିତ ହେବାର ପ୍ରତିକ୍ରିୟା ସୃଷ୍ଟି ଓ ସମ୍ଭାବନାରେ ରୂପାନ୍ତରିତ ହେଲା । “ଯଦି ଏଭଳି ପରିସ୍ଥିତି ଆଉ କେଉଁ ଛାତ୍ରର ଶିକ୍ଷା ଲାଭ ସମୟରେ ଘଟେ ?” ତେବେ ବିକଳ୍ପ ହିଁ ବାହାର କରିବାକୁ ହେବ । ଜାତି ପାଇଁ ସ୍ଵାର୍ଥ ତ୍ୟାଗ , ସମାଜର ଉନ୍ନତି ପାଇଁ ଆଶା, ଦୁସ୍ଥ ପାଇଁ ସମବେଦନା, ଅସତ୍ୟ ବିରୁଦ୍ଧରେ ସଂଗ୍ରାମ – ଏ ସବୁ ତ ତାଙ୍କର ସଂକଳ୍ପ ମାତ୍ର !

ବକ୍ସି ବଜାରର କୃପାନିଧି ସାହୁଙ୍କର ଏକ ପାଠଶାଳା । ଅସୀମ ଧୈର୍ଯ୍ୟ ଓ ମନୋବଳ ନେଇ ପହଞ୍ଚିଲେ ସେଠାରେ ପ୍ୟାରୀମୋହନ । ଏହି ପାଠଶାଳାକୁ ସୁନ୍ଦର ଓ ବଡ଼ କରିବାକୁ ହେବ । ଯୋଜନା ପ୍ରସ୍ତୁତ ହୋଇସାରିଥିଲା, ଏବେ କାର୍ଯ୍ୟ ଆରମ୍ଭ ହେଲା। ଶିକ୍ଷାଦାନ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ଆକର୍ଷିତ ହେଲେ ବହୁ ଅଭିଭାବକ । ପିଲାମାନଙ୍କୁ ନେଇ ନାମ ଲେଖାଇଦେଲେ । ପ୍ୟାରୀମୋହନ ଆଚାର୍ଯ୍ୟ ପ୍ରଧାନ ଶିକ୍ଷକ, ଗୋବିନ୍ଦ ରଥ (ଓଡ଼ିଶାର ସ୍ଵନାମଧନ୍ୟ କବି, ଲେଖକ, ପ୍ରକାଶକ, ସଂଗ୍ରାମୀ ଓ ଦେଶପ୍ରେମୀ) ହେଲେ  ସହକାରୀ ଶିକ୍ଷକ ।

୧୮୭୫ରେ ପାଠଶାଳା ଉନ୍ନିତ ହେଲା ମଧ୍ୟ ଇଂରାଜୀ ବିଦ୍ୟାଳୟକୁ, ୧୮୭୯ରେ ହାଇସ୍କୁଲ, ନାମିତ ହେଲା କଟକ ଏକାଡେମୀ, (ଆଜିର ପ୍ୟାରୀମୋହନ ଏକାଡେମୀ ) ଭାରତବର୍ଷର ବିଶିଷ୍ଟ ବିପ୍ଳବୀ, ଶିକ୍ଷାବିତ୍, ସଂଗ୍ରାମୀ ବିପିନଚନ୍ଦ୍ର ପାଲ୍ (ଲାଲ୍-ବାଲ୍-ପାଲ୍) ଯୋଗ ଦେଲେ ସ୍ଵେଛାରେ ପ୍ରଧାନଶିକ୍ଷକ ଭାବେ । (ଥରେ କଳ୍ପନା କରନ୍ତୁ ତ, ଏହି ଅଠେଇଶି ବର୍ଷୀୟ ଯୁବକର ଖ୍ୟାତି ସେତେବେଳେ କ’ଣ ଭାରତବର୍ଷରେ ! ବିପିନଚନ୍ଦ୍ର ପାଲ୍’ଙ୍କ ପରି ଜନନାୟକ ଏହି ଯୁବକଙ୍କ ପ୍ରତିଷ୍ଠିତ ସ୍କୁଲରେ ଶିକ୍ଷକ !)

ଛାତ୍ରଦତ୍ତ ପଇସାରେ ବିଦ୍ୟାଳୟ ଚଳେଇବା କଷ୍ଟକର ହେଲା । ଏପଟେ ଷଡ଼ଯନ୍ତ୍ର ଓ ଅର୍ଥାଭାବରୁ ଉତ୍କଳପୁତ୍ର ବନ୍ଦ ହେବା ପାଇଁ ବସୁଥିଲା । ତେଣୁ ବିଦ୍ୟାଳୟ ଚଳେଇବାକୁ ଚାକିରୀ ଆରମ୍ଭ କଲେ ପ୍ୟାରୀମୋହନ ଡମପଡ଼ା ରାଜାଙ୍କ ପାଖରେ ମାସିକ ପଚାଶ ଟଙ୍କା ବେତନରେ । ସେହି ଉପାର୍ଜିତ ଦରମା ବିଦ୍ୟାଳୟ ପାଇଁ ପ୍ରତି ମାସରେ ଖର୍ଚ୍ଚ ହେଉଥିଲା । ଡମପଡ଼ା ରାଜା ରଘୁନାଥ ମାନସିଂହ ଥିଲେ ଗୁଣଗ୍ରାହୀ । ପ୍ରଥମ ପୃଷ୍ଠପୋଷକ ହୋଇଗଲେ ସେ, କଟକ ଏକାଡେମୀର । ବିଦ୍ୟାଳୟର ସୁନାମ ବ୍ୟାପିଲା । ଅଧିକରୁ ଅଧିକ ଜନସମର୍ଥନ ମିଳିବା ସହ ଛାତ୍ର ସଂଖ୍ୟା ବୃଦ୍ଧି ପାଇଲା । ଏଠାକାର ଶିକ୍ଷାଦାନ ଆକୃଷ୍ଟ କଲା ବହୁ ସଂଖ୍ୟାରେ ଛାତ୍ରମାନଙ୍କୁ ।

ପ୍ୟାରୀମୋହନ ଆଚାର୍ଯ୍ୟ ମହାଶୟ ଥିଲେ ଅତ୍ୟନ୍ତ ଦୟାବନ୍ତ । ପରର ଦୁଃଖରେ ସେ ବ୍ୟସ୍ତ ହୋଇପଡୁଥିଲେ ଓ ତତକ୍ଷଣାତ ସହଯୋଗର ହାତ ବଢ଼ାଇଥିଲେ । ତାଙ୍କର ରୋଜଗାର ବିଦ୍ୟାଳୟ ଓ ଦୀନଦୁଃଖୀଙ୍କ ପାଇଁ ଖର୍ଚ୍ଚ ହେଉଥିଲା । ଥରେ ରଥଯାତ୍ରା ସମୟରେ ପୁରୀରେ ମହାମାରୀ ବ୍ୟାପିଲା । ପୁରୀ ନଯାଇ ଜଗନ୍ନାଥ ସଡ଼କ ଦେଇ ଯାଉଥିବା ଯାତ୍ରୀମାନଙ୍କ ପାଇଁ ନିଜେ ପଥି ରାନ୍ଧି, ସେବା କରି, ସୁସ୍ଥ କରାଇ ସେ ସମସ୍ତଙ୍କୁ ବିଦାୟ ଦେଉଥିଲେ ।

ପ୍ୟାରୀମୋହନ ଥିଲେ ଏ ଜାତିର ପ୍ରଜ୍ଞା ଓ ମନୀଷାର ପ୍ରତୀକ । ସେ ରାଜନୈତିକ ନେତା ନୁହନ୍ତି, କିନ୍ତୁ ଜଣେ ଜାତିପ୍ରାଣ ଓଡ଼ିଆ। ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ଥିଲା ତାଙ୍କ ଜୀବନର ପରମ ଲକ୍ଷ୍ୟ । ସେଥିପାଇଁ ସେ ୧୮୭୪ ମସିହା ବେଳକୁ ଏକ ଭାଷାଭିତ୍ତିକ ରାଜ୍ୟର ସ୍ଵପ୍ନ ଦେଖିଥିଲେ, ଯାହା ଅନେକଙ୍କୁ ଅଗୋଚର । ଏ ସ୍ଵପ୍ନ ୧୯୦୩ ମସିହା ଉତ୍କଳ ସମ୍ମିଳନୀର ବହୁ ପୂର୍ବରୁ ଅବଶ୍ୟ ! ୧୮୭୪ ମସିହା ଜୁନ୍ ତିନି ତାରିଖରେ ତାଙ୍କର ପତ୍ରିକା ଉତ୍କଳପୁତ୍ରରେ ଲେଖିଥିଲେ — “ସମ୍ବଲପୁର ଓ ଗଞ୍ଜାମ ଓଡ଼ିଶାର ଅଂଶ ମାତ୍ର ଓ ସେ ଦୁହିଁଙ୍କୁ ଧଇଲେ ଓଡ଼ିଶା ବଙ୍ଗଳାର ଅର୍ଦ୍ଧାଂଶରୁ ଅଧିକ ହେବ । କି ଭାଷା, କି ଆଚାର ବ୍ୟବହାର, କି ଧର୍ମ ସବୁ ବିଷୟରେ ଉକ୍ତ ଦୁଇ ଜିଲ୍ଲାର କଟକ ସଙ୍ଗେ ଐକତା ରହିଛି – ଅନ୍ୟ କାହାରି ସଙ୍ଗେ ନାହିଁ । ବର୍ତ୍ତମାନ ଯେପରି ଅଛି, ସେପରି ରହିଲେ କସ୍ମିନ କାଳେ କାହାରି ଭଲ ହେବାର ସମ୍ଭାବନା ନାହିଁ ।” * ଏହା ଥିଲା ଓଡ଼ିଶା ପାଇଁ ଜଣେ ଜାତୀୟବାଦୀ, ସ୍ଵାଭିମାନୀ, ଦୂରଦୃଷ୍ଟି ସମ୍ପନ୍ନ ଓଡ଼ିଆ ମଣିଷର ଇସ୍ତାହାର ।

ଶକ୍ତିଶାଳୀ ବ୍ରିଟିଶ ସରକାରଙ୍କ ନିକଟରେ ତାଙ୍କର ଏକ ନିର୍ଭୀକ ପ୍ରଶ୍ନ ଉତ୍କଳପୁତ୍ର ରେ ପ୍ରକାଶିତ ହେବା ପରେ ସେବେଳର ବୁଦ୍ଧିଜୀବୀ ମାନେ ବିସ୍ମିତ ହୋଇଥିଲେ, ଯାହା ଥିଲା ଓଡ଼ିଶାରେ ଇଂରେଜ ଶାସନର ସମୀକ୍ଷା: “ବଙ୍ଗଳାରେ, ଉତ୍ତର ପଶ୍ଚିମରେ, ପଞ୍ଜାବରେ, ବିଦ୍ୟାଶିକ୍ଷାରେ ଯେଉଁ ମହତ ଉପାୟମାନ ସେମାନେ ବିଧାନ କରିଅଛନ୍ତି — ତହିଁର ଅର୍ଦ୍ଧେକ ଆମ୍ଭମାନଙ୍କ ସକାଶେ ବ୍ୟବସ୍ଥା ହୋଇଛି କି ? ଉକ୍ତ ଦେଶମାନଙ୍କରେ ରେଳ ଇତ୍ୟାଦି ଦ୍ଵାରା ପରସ୍ପର ଯିବା ଆସିବାର ସମ୍ବନ୍ଧ ରଖିବାର ଯେଉଁସବୁ ସୁଗମ୍ୟ ବ୍ୟବସ୍ଥା କରିଅଛନ୍ତି ତହିଁର ଷୋଡ଼ଶତାଂଶ ଏ ଦୁଃଖି ଦେଶକୁ ଦେଇ ଅଛନ୍ତି କି ?? କି ରୂପେ ଏ ଦେଶୀୟ ଲୋକେ ଉନ୍ନତିଶୀଳ ହେବେ, କି ରୂପେ ଏମାନେ ଉକ୍ତ ରାଜକୀୟ କର୍ମମାନଙ୍କରେ ଅଧିଷ୍ଠିତ ହେବେ ? କି ରୂପେ ଉଚ୍ଚ ଶିକ୍ଷା କରିବେ ?? ଓ ଲଭିବାକୁ ଉତ୍ସାହୀ ହେବେ ??? “

ପ୍ୟାରୀମୋହନ ଆଚାର୍ଯ୍ୟ ଥିଲେ ସମ୍ପୂର୍ଣ୍ଣ ରୂପେ ଓଡ଼ିଆ ଓ ଓଡ଼ିଶା ପାଇଁ ସମର୍ପିତ । ଓଡ଼ିଶାର ଉନ୍ନତି ପାଇଁ ସେ ସର୍ବଦା ନିଷ୍ଠାର ସହ କାର୍ଯ୍ୟ କରୁଥିଲେ । ତାଙ୍କର ଭାଷଣ ଓଡ଼ିଆମାନଙ୍କ ପାଇଁ ଥିଲା ସଂଜିବନୀ ସଦୃଶ। କଟକ ପ୍ରିଣ୍ଟିଂ କୁମ୍ପାନୀ ଉପର ମହଲାରେ  ୧୮୭୯ ମସିହା ଅପ୍ରେଲ ମାସ ୨୪ ତାରିଖ ଦିନ ଜାତୀୟ ଜୀବନ ଉପରେ ସେ ଯେଉଁ ବକ୍ତୃତା ଦେଇଥିଲେ, ତାହା ଯୁଗ ଯୁଗ ପାଇଁ ଉପାଦେୟ । ଏଭଳି ବକ୍ତୃତା ଥିଲା ତୀବ୍ର, ଶାଣିତ ଓ ଶୋଇ ଯାଇଥିବା ଜାତି ପାଇଁ ଏକ ଆହ୍ୱାନ । (ପରବର୍ତ୍ତୀ ସମୟରେ ଏହା ଉତ୍କଳ ଦୀପିକାରେ ସ୍ଥାନିତ ହୋଇଥିଲା)

ପ୍ୟାରୀମୋହନଙ୍କ ସମୟ ବେଳକୁ ଓଡ଼ିଶା ଇତିହାସ ରଚିତ ହୋଇସାରିଥିଲା । ଇଂରାଜୀରେ ଲିଖିତ ଏହି ଇତିହାସ ଚୟକୁ ରଚନା କରିଥିଲେ ଷ୍ଟର୍ଲିଂ ସାହେବ, ହଣ୍ଟର ସାହେବ ଓ ରାଜେନ୍ଦ୍ର ଲାଲ୍ ମିତ୍ର । ସମସ୍ତେ ବିଜାତୀୟ । ତେଣୁ ଉତ୍କଳୀୟ ପ୍ରାଣର ସ୍ପନ୍ଦନ ଆସିବ କୁଆଡ଼ୁ ? ତେଣୁ ଏ ସମସ୍ତ ଇତିହାସ ଜାତୀୟ ଇତିହାସ ନୁହେଁ ! ବୈଜ୍ଞାନିକ ପଦ୍ଧତିରେ ଇତିହାସ ରଚନା ହିଁ ଜାତୀୟ ଜୀବନ ଓ ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ । ଅପରପକ୍ଷରେ ଓଡ଼ିଆ ଭାଷାରେ ସାହିତ୍ୟ ହେଲେ ସିନା ଭାଷାର ମର୍ଯ୍ୟାଦା ରହିବ ! ବିଦ୍ୟାଳୟର ଛାତ୍ରମାନଙ୍କୁ ଶିକ୍ଷା ଦିଆଯିବ ! ଓଡ଼ିଆ ଭାଷାରେ ଇତିହାସ ନାହିଁ ବୋଲି ତ ପଡ଼ୋଶୀଙ୍କ ଷଡ଼ଯନ୍ତ୍ର ଚାଲିଛି ! ଓଡ଼ିଆ ସ୍ଵତନ୍ତ୍ର ଭାଷା ନୟ ବୋଲି ତ ନାରା ଲାଗିଛି ! ଏହା ଥିଲା ଦେଶପ୍ରେମୀ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ପାଇଁ ଏକ ଆହ୍ୱାନ । ତେଣୁ ରଚନା କଲେ ଓଡ଼ିଶାର ଇତିହାସ ।

ଇଂରେଜ ସରକାର ଏହାକୁ ଗ୍ରହଣ କରି ପ୍ୟାରୀମୋହନ ଆଚାର୍ଯ୍ୟ ମହୋଦୟଙ୍କୁ ତିନି ଶହ ଟଙ୍କା ପୁରସ୍କାର ଦେଲେ । ୧୮୭୯ ମସିହାରେ ଏହା ଛପାଯାଇ ବିଦ୍ୟାଳୟରେ ଚଳିଲା । ହେଲେ ଦେହ ସହିଲା ନାହିଁ ! ପଡୋଶୀଙ୍କ ଷଡ଼ଯନ୍ତ୍ର ଚାଲିଲା “ଓଡ଼ିଆ ଭାଷାରେ ଇତିହାସ !” ମାନ୍ୟବର କାଳୀପଦ ବାନାର୍ଜୀ (!) ଲାଗିପଡ଼ି ବ୍ରିଟିଶ ଶାସକ ପସି ସାହେବଙ୍କ କାନରେ କେତେ କ’ଣ ଫୁଙ୍କିଲେ ଯେ, ଶେଷରେ ମାଜିଷ୍ଟ୍ରେଟ ପସି ସାହେବଙ୍କ ନିର୍ଦ୍ଦେଶ ହେଲା, “ଏହି ପୁସ୍ତକକୁ ବାଦ ଦିଆଯାଉ “।

ଛାଡ଼ିବା ଲୋକ ନଥିଲେ ନ୍ୟାୟ, ସତ୍ୟନିଷ୍ଠ, ସ୍ଵାଧୀନଚେତା ମଣିଷ କର୍ମବୀର ଗୌରୀଶଙ୍କର । ଲେଖା ଚାଲିଲା, ତୀକ୍ଷ୍ଣ ବାଣ ରୂପ ନେଲା ମସି ଉତ୍କଳ ଦୀପିକା ମାଧ୍ୟମରେ । ତା ୮/୫/୧୮୮୦ ରେ ପୃଷ୍ଠା ମଣ୍ଡନ କଲା ପ୍ରତିବାଦ:

“ଆମ୍ଭେମାନେ ଦୁଃଖର ସହିତ ଅବଗତ ହେଲୁ ଯେ, ଏଠା ମାଜିଷ୍ଟ୍ରେଟ କଲେକ୍ଟର ଶ୍ରୀଯୁକ୍ତ ପସି ସାହେବ ପ୍ୟାରୀବାବୁଙ୍କ ଇତିହାସ ବର୍ତ୍ତମାନ ବିଦ୍ୟାଳୟମାନଙ୍କରେ ପଠିତ ହେବାର ନିଷେଧ କରିଅଛନ୍ତି । କାଳୀବାବୁଙ୍କର ଜଗନ୍ନାଥୀମାନ ବ୍ୟର୍ଥ ଯାଇନାହିଁ । କିନ୍ତୁ କମିଟିର ମତ ନେବା ଉତ୍ତାରୁ ମାଜିଷ୍ଟ୍ରେଟ ସାହେବ କିପରି ଏହା କଲେ ଏବଂ ତାହାଙ୍କର ଏପରି କରିବାର କି କ୍ଷମତା ଅଛି ଆମ୍ଭେମାନେ ବୁଝି ପାରିଲୁ ନାହିଁ। ଯେବେ ସାଧାରଣଙ୍କ ବିଚାର ବିରୁଦ୍ଧରେ କେବଳ କାଳୀପଦ ବାବୁଙ୍କର ଅସାର ଯୁକ୍ତିରେ ଅନୁଗାମୀ ଏପରି କରିଥାନ୍ତି ତେବେ ବଡ଼ ଦୁଃଖର ବିଷୟ ଅଟଇ । କାରଣ ସେପରି ଯୁକ୍ତିକୁ ଘେନିଲେ ଆହୁରି କେତେକ ପୁସ୍ତକ ବିଦ୍ୟାଳୟରୁ ଉଠାଇ ଦେବାକୁ ହେବ ଏବଂ ତହିଁର ଫଳ ଏହି ହେବ ଯେ ଆଉ କେହି ପୁସ୍ତକ ଲେଖିବାକୁ ସାହସୀ ହେବେ ନାହିଁ ।”

ସରକାରୀ ନିଷ୍ପତ୍ତିରେ ଗୃହ ଯୁଦ୍ଧ ଆରମ୍ଭ ହେଲା । ଏ ପଟେ ଉତ୍କଳ ଦୀପିକା, ବୁଦ୍ଧିଜୀବୀ ମହଲ ଓ ସ୍ଵୟଂ ପ୍ୟାରୀମୋହନ ଆଚାର୍ଯ୍ୟ, ଅନ୍ୟ ପକ୍ଷରେ କାଳୀପଦବାବୁ ଓ ତାଙ୍କର ଅନୁଗାମୀ ବୃନ୍ଦ । ଶେଷରେ ବିଜୟୀ ହେଲେ ନିର୍ଭୀକ , ସତ୍ୟନିଷ୍ଠ ସ୍ଵାଧିନଚେତା ମଣିଷ ପ୍ୟାରୀମୋହନ ।

ଏହି ପୁସ୍ତକର ସାରବତ୍ତା, ଉପାଦେୟତା ଏବଂ ରଚନା ଶୈଳୀ ଅତି ଉଚ୍ଚକୋଟୀର, ଯାହା ତାଙ୍କ ଅମ୍ଲାନ ପ୍ରତିଭାର ଯଥାର୍ଥ ପରିଚୟ । ଐତିହାସିକ ମୃତ୍ୟୁଞ୍ଜୟ ରଥଙ୍କ ଭାଷାରେ — “ଐତିହାସିକ ଉପକରଣ ସଂଗ୍ରହ ଓ ସାହିତ୍ୟିକ ମର୍ଯ୍ୟାଦାର ଗଣନାରେ ଏ ପ୍ରକାର ପୁସ୍ତକ ଏ ପର୍ଯ୍ୟନ୍ତ ଓଡ଼ିଶାରେ ଆଉ ବାହାରି ନାହିଁ ବୋଲିବାକୁ ହେବ ।”ଏହା ଥିଲା ଓଡ଼ିଶାର ଇତିହାସ, ଓଡ଼ିଆ ଭାଷାରେ ପ୍ରଥମ ଇତିହାସ ।

ଜନସାଧାରଣଙ୍କ ସେବା, ଜାତିର ଉନ୍ନତି, ସ୍ଵାର୍ଥରକ୍ଷା, ଭାଷା ସୁରକ୍ଷା, ଭାଷା ଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ଗଠନ, ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡିକରେ ଓଡ଼ିଆ ପ୍ରଚଳନ, ଅସତ୍ୟ ବିରୁଦ୍ଧରେ ସଂଗ୍ରାମ, ଶିଥିଳ ଓଡ଼ିଆ ପ୍ରାଣରେ ସଂଜିବନୀ ସିଞ୍ଚନ, ଅନ୍ୟାୟ ପୁରୋଭାଗରେ ସ୍ଫୁଲିଙ୍ଗ, ଉତ୍କଳ ତାମସ ଗଗନେ ଉଲକାସମ ପ୍ରତୀୟମାନ, ଶାଶ୍ଵତ ମଙ୍ଗଳ ପ୍ରଶାନ୍ତ ବ୍ୟକ୍ତିତ୍ଵ ପ୍ୟାରୀମୋହନ ଆଚାର୍ଯ୍ୟ ଏ ଜାତିର ଦୁର୍ଗ ପ୍ରାଚୀର । ସେଇଥିପାଇଁ ତ —
“ତେଣୁ ଆଜି ଶତବର୍ଷ ପରେ
ସତ୍ୟର ସନ୍ଧାନୀ ଦେଶଭକ୍ତ ସେହି ,
ଅଗ୍ରଦୂତ ବିପ୍ଳବୀର ପଦେ
ପ୍ରଣତି ମୋ ଢାଳେ ଭକ୍ତି ଭରେ ।”

ସମଗ୍ର ଓଡ଼ିଶାରେ ବାସ ଚହଟାଇବା ସହ  ଜାତିର ଇତିହାସ ଲେଖିବା ପାଇଁ ଯେମିତି ପ୍ୟାରୀମୋହନ ଆଚାର୍ଯ୍ୟ ଥିଲେ ଇଶ୍ଵର ପ୍ରେରିତ । ମାତ୍ର ତିରିଶି ବର୍ଷର ଅଭିନୟ ସାରି ପୁଣି ଫେରିଗଲେ ସବୁ ମଣିଷର ଶେଷ ଗନ୍ତବ୍ୟକୁ ୧୮୮୧ ମସିହା ଡିସେମ୍ବର ମାସ ୨୮ ତାରିଖ ଗୁରୁବାର ଦିନ। ରହିଗଲେ କିନ୍ତୁ ଅମର ପ୍ରତି ଓଡ଼ିଆର ହୃଦୟରେ ଆଲୋକର ଶିଖା ହୋଇ।

ଆଧାର: ରାଧାନାଥ ରାୟ ଗ୍ରନ୍ଥାବଳୀ, ଫକୀରମୋହନ ଆତ୍ମଚରିତ, ଓଡ଼ିଶାର ଇତିହାସ, ସେକ୍ ମତଲୁବ୍ ଅଲ୍ଲୀଙ୍କ ଏକ ମୁଖବନ୍ଧ, କର୍ମବୀର ଗୌରୀଶଙ୍କର ରାୟଙ୍କ ଜୀବନୀ, ଉତ୍କଳ ଦୀପିକା, ବିଭିନ୍ନ ପ୍ରବନ୍ଧ ସମୂହ

© Niranjan Sahu

Spread the love
admin

Recent Posts

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 weeks ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 months ago