ଲେଖା: ନିରଞ୍ଜନ ସାହୁ

କଟକ ଜିଲ୍ଲାର ସତ୍ୟଭାମାପୁର ମଲ୍ଲବଂଶ ପରିବାର । ଏହାଥିଲା ଜାତୀୟଗୌରବ ମଧୁସୂଦନ ଦାସ, ପ୍ରଶାସକ-ସାହିତ୍ୟିକ ଗୋପାଳ ବଲ୍ଲଭ ଦାସ, ବିଶିଷ୍ଟ ସାହିତ୍ୟିକ ନାରାୟଣ ଚନ୍ଦ୍ର ଦାସ, ସର୍ବଜନାଦୃତ ମହିୟସୀ ମା’ ରମାଦେବୀଙ୍କ ଏନ୍ତୁଡ଼ିଶାଳ । ଓଡ଼ିଶା ତଥା ଭାରତବର୍ଷର ଏହି ବରେଣ୍ୟ ମହାପୁରୁଷ, ଦେଶସେବକ ମାନଙ୍କ ସହ ଯୋଡ଼ି ହୋଇଯାଇଥିଲେ ଆଉଜଣେ ମହିୟସୀ, ଯେ ଜନ୍ମ ନେଇଥିଲେ ଏହି ଏନ୍ତୁଡ଼ିଶାଳରୁ କୁଳବୃଦ୍ଧଙ୍କ ସହୋଦର ଭ୍ରାତା ସାହିତ୍ୟିକ ନାରାୟଣ ଚନ୍ଦ୍ର ଦାସଙ୍କ କନ୍ୟା ଭାବରେ । ଭାରତର ସ୍ଵାଧୀନତା ସଂଗ୍ରାମରେ ତାଙ୍କର ନାମ ଅଧିକ ଆଲୋଚିତ ହୋଇ ନ ଥିଲେ ମଧ୍ୟ ‘ଓଡ଼ିଶା ପ୍ରଦେଶର ଭାରତୀୟ ସଂଗ୍ରାମକୁ ଦାନ’ ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଅଛି । କିନ୍ତୁ ଆମ ଜାତି ଇତିହାସର ବିରୋଧାଭାସ ଏହି ଯେ, ସେହି ମହିୟସୀ ଉତ୍କଳୀୟ ଜନମାନସରେ ସେତିକି ପରିଚିତ ହୋଇନାହାନ୍ତି ଯେତିକି ହେବା କଥା । ସେହି ମହିୟସୀ, ସ୍ଵାଧୀନତା ସଂଗ୍ରାମୀ, ନାରୀନେତ୍ରୀ, ଶତାୟୁ ପ୍ରିୟମ୍ବଦା ଦେବୀ ।

୧୮୯୮ ମସିହାର ଡିସେମ୍ବର ମାସ ପାଞ୍ଚ ତାରିଖ । ଭୂମିଷ୍ଠ ହେଲେ ପ୍ରିୟମ୍ବଦା ସତ୍ୟଭାମାପୁର ସେହି ନାମକରା ପରିବାରରେ । ବଂଶର ପରମ୍ପରା, ସଂସ୍କାର, ସ୍ଵାଭିମାନ, ଅତୀତ ଗୌରବର ପ୍ରଭାବ ପଡ଼ିଥିଲା ତାଙ୍କ ଶୈଶବରୁ । ପାଠ ପଢ଼ିଲେ ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ । ତାପରେ ତେର ବର୍ଷ ବୟସରେ ୧୯୧୨ ବୈଦିକ ରୀତିରେ ବିବାହ ସମ୍ପନ୍ନ ହେଲା ଯାଜପୁର ଜିଲ୍ଲାର ବରୀ (ଆନନ୍ଦପୁର) ଗ୍ରାମର ଜମିଦାର ଭଗୀରଥ ଦାସଙ୍କ ସହ । ତେଣୁ ପାଠପଢ଼ା ଶେଷ ହୋଇଗଲା ସେହିଦିନଠାରୁ ।

~ ସ୍ଵାଧୀନତା ସଂଗ୍ରାମରେ ବାନର ସେନା ~
ବରୀ ଜମିଦାର ଭଗୀରଥ ଦାସ ଥିଲେ ଜଣେ ନୀତିନିଷ୍ଠ , ଧର୍ମପରାୟଣ, ସ୍ଵାଧୀନଚେତା ଜମିଦାର । ଲୋକମାନଙ୍କର ଅତି ପ୍ରିୟ ଭାଜନ, ପର ଦୁଃଖରେ ଦୁଃଖି ମଣିଷ ସେ । ପରାଧୀନତାର  ଶୃଙ୍ଖଳରେ ବିଚଳିତ ହୋଇ ଇଂରେଜ ସରକାର ବିରୁଦ୍ଧରେ ଅଣ୍ଟା ଭିଡ଼ୁଥିଲେ । ମଣିକାଞ୍ଚନ ସଂଯୋଗ ହେବା ପରି ଜମିଦାର ଭଗୀରଥ ଦାସଙ୍କ ସହ ଯୋଡ଼ି ହୋଇଯାଇଥିଲେ ପ୍ରିୟମ୍ବଦା ଦେବୀ । ୧୯୨୧ ମସିହା ବେଳକୁ ସ୍ଵାଧୀନତା ସଂଗ୍ରାମ ଜୋର ଧରିଲା ମହାତ୍ମାଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେବାରୁ । ଏହାର ତିନି ବର୍ଷ ପରେ ୧୯୨୪ ମସିହାରେ ଉଭୟେ ସ୍ଵାମୀ ସ୍ତ୍ରୀ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଲେ । ଦୁହେଁ ନିଷ୍ପତ୍ତି ନେଲେ ସ୍ଵାଧୀନତା ଆନ୍ଦୋଳନକୁ ତୃଣମୂଳ ସ୍ତରରୁ ଆରମ୍ଭ କରିବାକୁ ହେବ, ଯାହା ଫଳରେ ଏଥିପାଇଁ ସ୍ଵତନ୍ତ୍ର ସେନାନୀ ଗଠିତ ହୋଇପାରିବ ଏବଂ ଏହି ସେନାନୀ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼େଇ ଜାରି ରଖିବେ । ଏହି ଉଦ୍ଦେଶ୍ୟରେ ଗଠନ କଲେ ବାନର ସେନା । ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଗଲା ସ୍ଵାଧୀନତା ସଂଗ୍ରାମର ପୋଥିରେ।


~ ନିଜ ଗୃହରେ ଆଶ୍ରମ ~
ବାନର ସେନା ଗଠନ ପରେ ସେମାନଙ୍କୁ ସଠିକ ଭାବେ ତାଲିମ ଦେବା ଆବଶ୍ୟକତାକୁ ହୃଦୟଙ୍ଗମ କରିଥିଲେ ଦାସ ଦମ୍ପତ୍ତି । ତେଣୁ ନିଜ ଘରକୁ ତାଲିମ କେନ୍ଦ୍ର ଆଶ୍ରମ ରୂପେ ଗଢ଼ିଲେ । ବରୀ ଅଞ୍ଚଳର ବିଭିନ୍ନ ଗ୍ରାମରୁ ସ୍ଵେଚ୍ଛାସେବୀ ଭାବେ ଯୋଗ ଦେଉଥାନ୍ତି ଯୁବକଯୁବତୀମାନେ । ଆଶ୍ରମରେ ରହିବା,ଖାଇବା ପିଇବାର ବନ୍ଦୋବସ୍ତ କରିଦେଇ ନୈତିକ ଶିକ୍ଷା ସହ ଦେଶର ସ୍ଵାଧୀନତା ପାଇଁ ଆତ୍ମୋତ୍ସର୍ଗ କରିବାକୁ ସଙ୍କଳ୍ପ ନେଉଥାନ୍ତି ଆଶ୍ରମରେ ଯୋଗ ଦେଉଥିବା କର୍ମୀ ମାନେ । କାହାର ଯେପରି କିଛି ଅସୁବିଧା ନହୁଏ, ତାହାର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ କରୁଥିଲେ ଭଗୀରଥ ଦାସ ଓ ପ୍ରିୟମ୍ବଦା ଦେବୀ । ପ୍ରତ୍ୟହ ଅନ୍ୟୁନ ଶହେ ଜଣ ବାନର ସୈନିକଙ୍କ ସବୁ କିଛି ଦାୟିତ୍ବ ଗ୍ରହଣ କରିଥିଲେ ମହିୟସୀ ପ୍ରିୟମ୍ବଦା। ଓଡ଼ିଶାରେ ମୁକ୍ତି ସଂଗ୍ରାମ ଓ ସେବାର ପ୍ରମୁଖ ବରୀ ଆଶ୍ରମର ମୂଳଦୁଆ ପଡ଼ିଥିଲା ଏହି ଜମିଦାରଙ୍କ ଘରୁ।

~ ନିଶା ନିବାରଣ ~
ସେତେବେଳେ ବରୀ ଅଞ୍ଚଳରେ ତାଳ ଓ ଖଜୁରୀ ଗଛ ଥିଲା ପ୍ରଚୁର । ଖଜୁରୀ ଗଛରୁ ତାଡ଼ି ସଂଗ୍ରହ କରି ନିଶା ରୂପେ ବ୍ୟବହାର କରୁଥିଲେ ଗରିବ ଶ୍ରେଣୀର ଲୋକେ । ଏହା ଏକ ସାମାଜିକ ବ୍ୟାଧି ଆଡ଼କୁ ମୁହାଁଉଥିଲା । ଉଭୟ ସ୍ବାମୀ ଓ ସ୍ତ୍ରୀ ମିଶି ପଦଯାତ୍ରା ମାଧ୍ୟମରେ ଲୋକମାନଙ୍କୁ ନିଶାରୁ ମୁକ୍ତି ପାଇବା ପାଇଁ ପ୍ରବର୍ତ୍ତାଉ ଥିଲେ । ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଅଭିଯାନ ଆରମ୍ଭ କଲେ । ଏହା ଥିଲା ମହାତ୍ମାଗାନ୍ଧୀଙ୍କ ସମାଜ କଲ୍ୟାଣର ସ୍ଵପ୍ନ ମଧ୍ୟରେ ଅନ୍ୟତମ । ଏହି ଦୁଇଜଣଙ୍କ ଏତାଦୃଶ କାର୍ଯ୍ୟରେ ଅତିଷ୍ଠ ହୋଇ ୧୯୩୨ ମସିହାରେ ବ୍ରିଟିଶ ସରକାର ବିଦ୍ରୋହୀ ଘୋଷଣା କରି ଗିରଫ କଲେ ଓ ଭାଗଲପୁର ସେଣ୍ଟ୍ରାଲ ଜେଲକୁ ପଠାଇ ଦେଲେ ।

~ ଅସ୍ପୃଶ୍ୟତା ନିବାରଣ ଓ ଖଦୀ କାମ ~
୧୯୩୨ ମସିହାର ଜେଲଦଣ୍ଡ ପରେ, ଯେବେ କାରାମୁକ୍ତ ହେଲେ, ସେତେବେଳେ ବରୀରେ ପହଞ୍ଚି ଆହୁରି ସକ୍ରିୟ ହୋଇଉଠିଲେ ପ୍ରିୟମ୍ବଦା ଦେବୀ ସମାଜ ସଂସ୍କାର ଓ ସ୍ଵାଧୀନତା ପାଇଁ । ଏହି ସମୟରେ ଯୋଗ ଦେଇଥିଲେ ଶ୍ରୀମତୀ ହରପ୍ରିୟା ଦେବୀ, ଛାୟା ପରିଡ଼ା, ଅଧରମଣି ଦେଇ, କୃଷ୍ଣ କୁମାରୀ ଦେବୀ ଇତ୍ୟାଦି ନାରୀ କର୍ମୀଗଣ । ସମସ୍ତେ ଲାଗି ପଡି଼ଲେ ନିଶା ନିବାରଣ, ଖଦୀ ବୁଣିବା, ଖଦୀ ବିକିବା, ଅସ୍ପୃଶ୍ୟତା ନିବାରଣ, ସୂତାକଟା ଓ ସ୍ଵାଧୀନତା ବାର୍ତ୍ତା ପ୍ରଚାର କରିବାରେ ।

~ ଅମ୍ଳାନ ତ୍ୟାଗର ପ୍ରତୀକ ~
(୨୦୦୩ ମସିହାରେ ପ୍ରିୟମ୍ବଦା ଦେବୀଙ୍କୁ ସାକ୍ଷାତ୍ କରିଥିଲେ ସଂଗ୍ରାହକ, ‘ଆମେ ଓଡ଼ିଆ’ ର ସଂକଳକ ପୂଜ୍ୟ ନୃସିଂହ ଚରଣ ସାହୁ । ସେହି ସାକ୍ଷାତକାରର କିୟଦଂଶ ଏଠାରେ ଉପସ୍ଥାପନ କରୁଛୁ, ଯାହା ନିଜେ ବଖାଣି ଥିଲେ ପୂଜ୍ୟା ପ୍ରିୟମ୍ବଦା ଦେବୀ ।)

ପାଠପଢ଼ା:
ସ୍କୁଲ ଆଉ ଯାଇଛି କୋଉଠୁ ! ବାପା ମନା କଲେ । ତେଣୁ ଘରେ ମା’ ଯାହା ପଢ଼େଇଥିଲା ଚତୁର୍ଥ/ପଞ୍ଚମ କ୍ଲାସ ଯାଏ । ଅଳ୍ପ କିଛି କିଛି ଇଂରାଜୀ ଓ ହିନ୍ଦୀ ବି ଶିଖିଥିଲି ତା’ ଠାରୁ ।

ବିବାହ:
ବରୀରେ ଗୋଟେ କେଶ୍ ଚାଲିଥିଲା ମୋ ଶଶୁରଙ୍କ ଘରେ । ମଧୁବାବୁ (କୁଳବୃଦ୍ଧ ମଧୁସୂଦନ) ସେଠିକି ଯାଇଥିଲେ ସେ କେଶ୍ ସମ୍ପର୍କିତ ଘଟଣାରେ । ସେଠି ସେ ମୋ ସ୍ଵାମୀଙ୍କୁ ଦେଖି ତାଙ୍କୁ ଜ୍ବାଇଁ କରିବାର ସିଦ୍ଧାନ୍ତ ନେଇ ବାମଣ୍ଡା ଆସି ବାପାଙ୍କୁ କହିଲେ। ବାପା ତା’ ପରେ ବିବାହ ପାଇଁ ଲାଗିପଡ଼ିଲେ । ୧୯୧୨ ରେ ଭଗୀରଥ ଦାସଙ୍କ ସହ ମୋର ବିବାହ ସମ୍ପନ୍ନ ହେଲା । ସେତେବେଳେ ସେ ସ୍କୁଲରେ ପଢ଼ୁଥିଲେ । ବାମଣ୍ଡାର ରାଜା ବାମଣ୍ଡାରେ ମୋର ବିବାହ କାର୍ଯ୍ୟ ହେଉ ବୋଲି ଚାହୁଁଥିଲେ । କିନ୍ତୁ ମୋ ମା’ ଅଡ଼ି ବସିବାରୁ ଆମ ଗାଁରେ ବିବାହ ହେଲା ।

ଦେଶସେବା:
ଗୋପବନ୍ଧୁ ଚୌଧୁରୀ ଯାଜପୁର ମାଜିଷ୍ଟ୍ରେଟ ଚାକିରି ତ୍ୟାଗ କରି ଆନ୍ଦୋଳନ ଆରମ୍ଭ କରିବା ପାଇଁ ଯେତେବେଳେ ନିଷ୍ପତ୍ତି ନେଲେ, ସେତେବେଳେ ସେ ଆନ୍ଦୋଳନ ଚାଲୁ ରଖିବା ପାଇଁ ଏକ ସ୍ଥାନ ଖୋଜିଲେ। ମୋ ଶାଶୁ ଘର ଲୋକେ, ବିଶେଷ କରି ମୋ ସ୍ଵାମୀଙ୍କର ଦେଶପ୍ରେମ ଖୁବ୍ ଗଭୀର ଥିଲା । ସେମାନେ ଥିଲେ ସେ ଅଞ୍ଚଳର ଜମିଦାର, ତେଣୁ ପ୍ରଚୁର ଭୂସମ୍ପତ୍ତିର ମାଲିକ ବି ଥିଲେ । ଫଳରେ ଆନ୍ଦୋଳନ ଚଳାଇବା ସହଜ ହେବ ବୋଲି ସ୍ଥିର କରି ଗୋପବନ୍ଧୁ ଚୌଧୁରୀ ଆଶ୍ରମ ଆରମ୍ଭ ହେଲା ଆମରି ଘରେ । ପରେ ବରୀରେ ଅନ୍ୟ ଏକ ସ୍ଥାନରେ ଜାଗା ନିଆଯାଇ ପ୍ରସିଦ୍ଧ ‘ବରୀ ଆଶ୍ରମ’ ତିଆରି ହେଲା ।

ସେତେବେଳେ ଦୈନିକ ପ୍ରାୟ ଶହେ ପାଖାପାଖି ଲୋକ ଆମ ଘରେ ଖିଆପିଆ କରୁଥିଲେ। ସେ ସମସ୍ତଙ୍କ ପାଇଁ ରୋଷେଇ ଦାୟିତ୍ବ ମୁଁ ନେଇଥିଲି । ତା’ ଛଡ଼ା ଆଖପାଖର ସ୍ତ୍ରୀ ଲୋକଙ୍କୁ ସଂଗଠିତ କରାଇବା କାମ ବି ମୁଁ ହାତକୁ ନେଇଥିଲି । ମୋ ସ୍ବାମୀ ଥିଲେ ମୋର ପ୍ରେରଣାଦାତା। ବର୍ଷଟିଏ ପରେ ମୁଁ ସାଇକେଲ ଚଢି଼ବା ଶିଖିଗଲି ଓ ସାଇକେଲ ଚଢ଼ି ଗାଁକୁ ଗାଁ ବୁଲିଲି ମହିଳାମାନଙ୍କୁ ବୁଝାଇବା ପାଇଁ ।

ଆଶ୍ରମ ପାଇଁ ସମ୍ପତ୍ତି ବିକ୍ରୀ:
ସମ୍ପତ୍ତି ବିକି ନଥିଲେ ଆଶ୍ରମ ଚଳିଥାନ୍ତା କେମିତି ? ପ୍ରତିଦିନ ଯେତେ ଲୋକ ଆସୁଥିଲେ, ସେମାନଙ୍କ ଖାଇବାଠୁ ଆରମ୍ଭ କରି ସଂଗଠନର ଅନ୍ୟାନ୍ୟ ଖର୍ଚ୍ଚ ବହନ କରିଥାନ୍ତା କିଏ ? ମୋ ସାଆନ୍ତ ଶାଶୁ ଲାବଣ୍ୟ ଦେବୀଙ୍କ ନାଆଁରେ ଜମିଦାରୀର ସବୁ ସମ୍ପତ୍ତି ଥିଲା । ମୋ ସ୍ବାମୀ କୌଶଳରେ ତାଙ୍କ ଠାରୁ ପାୱାର ଅଫ୍ ଆଟର୍ଣ୍ଣି କରି ନେଇଥିଲେ ଓ ସେଇ ଅଧିକାର ବଳରେ ଜମିସବୁ ବିକି ଆନ୍ଦୋଳନକୁ ଦାନ କରୁଥିଲେ । ଇଂରେଜ ସରକାର ଯେତେବେଳେ ଜାଣିଲେ ଯେ, ଆମ ସମ୍ପତ୍ତି ବିକ୍ରିଧନ ଇଂରେଜ ବିରୋଧୀ ଆନ୍ଦୋଳନରେ ବ୍ୟୟ ହେଉଛି, ସେତେବେଳେ ସରକାର ସବୁ ସମ୍ପତ୍ତି ବାଜ୍ୟାପ୍ତ କରିଦେଲେ ।

ମହିଳା ସଂଗଠନ:
ମୁଁ ସେମାନଙ୍କ ପାଖରେ ପହଞ୍ଚିଥିଲି । ଗାନ୍ଧୀ ମହାତ୍ମାଙ୍କ ବାର୍ତ୍ତା, ନିଶା ନିବାରଣ, ଖଦୀ ପ୍ରଚାର ଇତ୍ୟାଦି ବିଷୟରେ ବୁଝାଉଥିଲି ଓ ସଂଗ୍ରାମରେ ଯୋଗ ଦେବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଉଥିଲି ।”

ପ୍ରିୟମ୍ବଦା ଦେବୀ ବହୁବାର କାରାବରଣ କରିଥିଲେ । ୧୯୩୦ ରୁ ୧୯୪୨ ମଧ୍ୟରେ ଯେତେଥର ଜେଲ୍ ଯାଇଛନ୍ତି, ତାହା ଓଡ଼ିଶାର ନାରୀ ନେତ୍ରୀ ମାନଙ୍କ ମଧ୍ୟରେ ସର୍ବାଧିକ । ୧୯୪୬ ମସିହାରେ ସେ ନିର୍ବାଚିତ ହେଲେ ବିଧାୟିକା ଭାବରେ ଓଡ଼ିଶା ଆସେମ୍ଲିକୁ । ପାଞ୍ଚ ବର୍ଷ ବିଧାୟିକା ଭାବରେ ରହି ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିବା ହେତୁ ସେ ଥିଲେ ସବୁ ସଦସ୍ୟ ମାନଙ୍କର ପ୍ରିୟ । ବିଧାୟିକା ଥିବା ସମୟରେ ଭାରତ ସ୍ୱାଧୀନ ହେଲା । ତେଣୁ ସେ  ସ୍ଵାଧୀନ ଦେଶରେ ଓଡ଼ିଶାର ପ୍ରଥମ ମହିଳା ବିଧାୟିକା ଭାବରେ ମାନ୍ୟତା ପାଇଲେ । ସେ ଥିଲେ ତ୍ୟାଗୀ, ଦେଶପ୍ରେମୀ ଓ ସ୍ଵାଧୀନତା ସଂଗ୍ରାମୀ ।

~ ଉତ୍କଳର ସ୍ମୃତି ଅର୍ଘ୍ୟ ~
ନିଃସ୍ଵାର୍ଥପର ସମାଜସେବା କାର୍ଯ୍ୟ ପାଇଁ ଚେଷ୍ଟା ଅବ୍ୟାହତ ରହିଥିଲା ତାଙ୍କର । ତାଙ୍କ କାର୍ଯ୍ୟରେ ଓ ଦେଶପ୍ରେମରେ ଉଦବୁଦ୍ଧ ହୋଇ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଶ୍ରଦ୍ଧା ଜ୍ଞାପନ କରିଥିଲେ, ପ୍ରିୟମ୍ବଦା ଦେବୀଙ୍କୁ ଏକ ଉପହାର ଦେଇ ୧୯୯୩ ମସିହାରେ । ଉପହାରଟି ଥିଲା କଟକ କ୍ୟାଣ୍ଟନମେଣ୍ଟ ରୋଡ଼ରେ ଏକ ସରକାରୀ ଘର ଓ ତାଙ୍କର ଚିକିତ୍ସା ପାଇଁଁ ପାଣ୍ଠି ଯୋଗାଇ ଦେବା । କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କୁ ବହୁବାର ତାମ୍ରଫଳକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ମହିୟସୀ ମହିଳାଙ୍କ ଜୀବନ ଦୀପ ଲିଭିଯାଇଥିଲା ୨୦୦୮ ମସିହା ଜୁଲାଇ ମାସ ୮ ତାରିଖ ଦିନ । ପାଖରେ ଉପସ୍ଥିତ ଥିଲେ ତାଙ୍କର ବଡ଼ ପୁଅ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଦାସ, ଦ୍ଵିତୀୟ ପୁଅ ଅର୍ଥନୀତି ପ୍ରଫେସର ବିବେକାନନ୍ଦ ଦାସ ଓ ସାନପୁଅ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଶ୍ରୀ ଗୋକୁଳାନନ୍ଦ ଦାସ । ପ୍ରିୟମ୍ବଦା ଦେବୀଙ୍କ ଶେଷଇଛା ଥିଲା କର୍ମଭୂମି ନିଜ ଗାଁ ବରୀରେ ଶେଷକୃତ୍ୟ ସମ୍ପନ୍ନ ହେବା ପାଇଁ । ତେଣୁ କଟକ ବାସଭବନରୁ ମରଶରୀର ଯାତ୍ରା କରିଥିଲା ବରୀ ଗ୍ରାମକୁ । ହଜାର ହଜାର ନରନାରୀ ଶେଷଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ ସେଠାରେ ।

ପ୍ରିୟମ୍ବଦା ଦେବୀ ଥିଲେ ଶତାୟୁ । ୧୦୨ ବର୍ଷର ଆୟୁଷ ନେଇ ଦେଶ ପାଇଁ ନିଜକୁ ସମର୍ପଣ କରିଦେଇଥିଲେ । ଓଡ଼ିଶାର ଶତାୟୁ ସ୍ବାଧୀନତା ସଂଗ୍ରାମୀମାନଙ୍କ ସମ୍ପର୍କରେ ଆମେ ଯେତେବେଳେ ଚିନ୍ତା କରୁ, ସେତେବେଳେ ବିଶିଷ୍ଟ ସାହିତ୍ୟିକ ଓ  ରାଜନୀତିଜ୍ଞ ନିତ୍ୟାନନ୍ଦ ମହାପାତ୍ର, ସମାଜ ସମ୍ପାଦକ ରାଧାନାଥ ରଥଙ୍କ ନାମ ସହ ଯୋଡ଼ି ହୋଇଯାଆନ୍ତି ଶ୍ରୀମତୀ ପ୍ରିୟମ୍ବଦା ଦେବୀ । ଆଜି ବି ଏଜାତି ତାଙ୍କୁ ଭୁଲିପାରିବ ନାହିଁ ।

ଆଧାର: ପ୍ରିୟମ୍ବଦା ଦେବୀଙ୍କ ଦାୟାଦଗଣ, ବରୀ ଗ୍ରାମର ଆନନ୍ଦ ସିଂ ଓ “ଆମେ ଓଡ଼ିଆ” ସଙ୍କଳକ ନୃସିଂହ ଚରଣ ସାହୁ
ଫଟୋ ସୌଜନ୍ୟ: ଆନନ୍ଦ ସିଂ, ବରୀ 

Priyambada Debi Madhubabu Madhusudan Das Gopal Ballabh Das Maa Ramadevi Ame Odia © Niranjan Sahu

Spread the love
admin

View Comments

  • ଉତ୍କଳ ମାତାର ଜଣେ ସୁଯୋଗ୍ୟ କନ୍ୟା ମାଁ ପ୍ରିୟମ୍ବଦା ଦେବୀ

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago