ଲେଖା: ନିରଞ୍ଜନ ସାହୁ
ଗୋଟିଏ ପରେ ଗୋଟିଏ ସଫଳତାର ସହ ଭାରତର ବିଭିନ୍ନ ରାଜ୍ୟର ଶାସନଭାର ହାତକୁ ନେବାପରେ ଇଂରେଜ ସରକାରଙ୍କ ଦୃଷ୍ଟି ଓଡ଼ିଶା ଉପରୁ ବାଦ ଯାଇନଥିଲା। ନିଜର ଶୌର୍ଯ୍ୟ ପାଇଁ ବିଦିତ ଓଡ଼ିଶାକୁ ଆକ୍ରମଣ କରି ନିଜ ଅକ୍ତିଆରକୁ ନେବା ଥିଲା ଇଂରେଜ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ।
୧୮୦୩ ମସିହାରେ ଓଡ଼ିଶାକୁ ତିନି ଆଡୁ ଆକ୍ରମଣ କରିଥିଲେ। ଏହାର ଐତିହାସିକ ସତ୍ୟତା ସମ୍ପର୍କରେ ଡ. ହରେକୃଷ୍ଣ ମହତାବ କହନ୍ତି “ଇଂରେଜମାନେ ଓଡ଼ିଶାକୁ ତିନି ଆଡୁ ଆକ୍ରମଣ କରିଥିଲେ। ଦକ୍ଷିଣରେ ମାନ୍ଦ୍ରାଜ ସେନା ଗଞ୍ଜାମରେ ଏକତ୍ରିତ ହୋଇ କର୍ଣ୍ଣେଲ ହର୍କଟଙ୍କ ନେତୃତ୍ୱରେ ୧୮୦୩ ସେପ୍ଟେମ୍ବର ଆଠ ତାରିଖରେ ଓଡିଶା ଅଭିମୁଖେ ଅଭିଯାନ ଆରମ୍ଭ କଲେ।ଏହାଙ୍କ ସାଙ୍ଗରେ ୬୦୦ ଇଉରୋପୀୟ ଓ ୪୩୦୦ ଭାରତୀୟ ସୈନ୍ୟ ଥିଲେ। ସେନାବାହିନୀ ସମୁଦ୍ର କୂଳେ କୂଳେ ଅଗ୍ରସର ହୋଇ ୧୬ ତାରିଖ ଦିନ ପୁରୀ ଜିଲ୍ଲାର ମାଣିକ ପାଟଣାରେ ପହଞ୍ଚିଲେ। ଚିଲିକା ସହ ସମୁଦ୍ରର ସଂଯୋଗ ପାର ହେବାକୁ ସେମାନଙ୍କୁ ଦୁଇ ଦିନ ସମୟ ଲାଗିଲା। ସେଠାରେ ବାଧା ଦେବା ପାଇଁ ଜଣେ ବି ମରହଟ୍ଟା ସୈନ୍ୟ ନଥିଲେ।” (ଓଡ଼ିଶା ସେତେବେଳେ ମରହଟ୍ଟାମାନଙ୍କ ହାତରେ ଥିଲା)। ଏହାପରେ ଇଂରେଜ ମାନେ ଓଡ଼ିଶାର ରାଜଧାନୀ କଟକରେ ପଦାର୍ପଣ କଲେ ଅକ୍ଟୋବର ମାସ ଆଠ ତାରିଖରେ। ମରହଟ୍ଟାମାନେ ଛତ୍ରଭଙ୍ଗ ଦେଲେ ଓ ଅତି ସହଜରେ ବିନା ବାଧାରେ ସେମାନେ ଅଧିକାର କରିନେଲେ ବାରବାଟୀ ଦୁର୍ଗ ଅକ୍ଟୋବର ମାସ ୧୪ ତାରିଖ ଦିନ।
ଏହାର ଠିକ୍ ଏକ ବର୍ଷ ପରେ ଅର୍ଥାତ୍ ୧୮୦୪ ମସିହାରେ ଖୋର୍ଦ୍ଧାରେ ଇଂରେଜ ଓ ଖୋର୍ଦ୍ଧା ରାଜାଙ୍କ ମଧ୍ୟରେ ଆରମ୍ଭ ହେଲା ସଂଗ୍ରାମ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ।ଏ ଯୁଦ୍ଧର ଅନ୍ତ ନ ଥିଲା, କାରଣ ଓଡ଼ିଆ ପାଇକର ରକ୍ତରେ ସ୍ଵାଧୀନତାର କଣିକା ପ୍ରବାହିତ ହେଉଥାଏ ସର୍ବଦା। ଏହିପରି ସମୟରେ ଆବିର୍ଭାବ ହୋଇଥିଲେ ବୀର ଶିରୋମଣି ବକ୍ସି ଜଗବନ୍ଧୁ ବିଦ୍ୟାଧର ୧୮୧୭ ମସିହା ବେଳକୁ।
ପିଣ୍ଡିକୀ ବାହୁବଳେନ୍ଦ୍ର ଥିଲେ ଇଂରେଜମାନଙ୍କ ବିରୋଧରେ ୧୮୧୭ ମସିହାରେ ସଂଘଟିତ ପାଇକ ବିଦ୍ରୋହର ଅଧିନାୟକ। ବକ୍ସି ଜଗବନ୍ଧୁଙ୍କର ଅନ୍ୟତମ ପରମ ସହଯୋଗୀ।ସେ ଥିଲେ ଚନ୍ଦକା ନିକଟସ୍ଥ ଦାରୁଠେଙ୍ଗଗଡର ଦଳେଇ। ଦେହରେ ଅସୁମାରୀ ବଳ, ମୁଦଗର ପରି ବାହୁ। ବକ୍ସି ଜଗବନ୍ଧୁଙ୍କ ସହ ହାତ ମିଳାଇ ସେ ଆରମ୍ଭ କଲେ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ। ବହୁ କୌଶଳ ପ୍ରୟୋଗ କରି ତାଙ୍କୁ ଧରି କଳାପାଣି ଦଣ୍ଡ ଦିଆଯାଇଥିଲା। ମାତ୍ର ସେ ଇଂରେଜ ସରକାରଙ୍କ ଆଖିରେ ଧୂଳିଦେଇ ଆଣ୍ଡାମାନରୁ ଲୁଚି ପଳାଇ ଆସିଥିଲେ ପ୍ରିୟ ଜନ୍ମଭୂମି ଖୋର୍ଦ୍ଧାକୁ। ସେ ସମ୍ମୁଖ ଯୁଦ୍ଧ ଚଳାଇ କେତେକ ଇଂରେଜ ସୈନ୍ୟ ମାରିପକାଇଥିଲେ। ବହୁ ଉଦ୍ୟମ କରି ମଧ୍ୟ ତାଙ୍କୁ ଧରିପାରିଲେ ନାହିଁ ବ୍ରିଟିଶସେନା। ସେଥିପାଇଁ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା।
ଶେଷରେ ତାଙ୍କର ଜଣେ ବାଲ୍ୟବନ୍ଧୁ ମଳିପଡା ଗ୍ରାମର ଜାଗିରଦାର ଏକ ହୀନ ଉପାୟ ଅବଲମ୍ବନ କରି ତାଙ୍କୁ ଧରାଇ ଦେଇଥିଲେ। ଦିନେ ସେ ଗୋଟିଏ ଭୋଜିର ଆୟୋଜନ କରି ପିଣ୍ଡିକୀ ଓ ଅନ୍ୟ କେତେକ ସାଥିଙ୍କୁ ନିମନ୍ତ୍ରଣ କରିଥିଲେ। ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଭୋଜନ ପୂର୍ବରୁ ଭାଙ୍ଗ ସହ ଦୁଦୁରା ମଞ୍ଜି ମିଶାଇ ସେବନ କରିବାକୁ ଦେଇଥିଲେ। ଇଂରେଜମାନଙ୍କ ସହ ସଲାସୁତୁରା କରି ଏ କାମ କରାଯାଇଥିଲା। ଇଂରେଜ ସୈନ୍ୟ ସେଠାରେ ପହଞ୍ଚି ସଙ୍ଗେ ସଙ୍ଗେ ପିଣ୍ଡିକୀ ଓ ଅନ୍ୟ ବନ୍ଧୁମାନଙ୍କୁ ଗିରଫ କରି ନେଲେ।
ବାହୁବଳେନ୍ଦ୍ରଙ୍କୁ କଟକ ଜେଲ୍’ରେ ରଖାଯାଇଥିଲା। ସେ ପରେ ଜେଲ୍’ରୁ ଖସି ପଳାଇ ଆସୁଥିବା ବେଳେ ଇଂରେଜମାନେ ତାଙ୍କୁ ଗୋଡେଇ ଗୋଡେଇ ପଛରୁ ଗୁଳି ଚଳାଇଥିଲେ। ସେଇଠାରେ ଟଳି ପଡ଼ିଥିଲେ ଓଡ଼ିଆ ପାଇକ ଗୌରବ ‘ପିଣ୍ଡିକୀ ବାହୁବଳେନ୍ଦ୍ର’।
ଏହି ଅମରଗାଥା ସର୍ବଦା ଇତିହାସରେ ଲିପିବଦ୍ଧ ହୋଇ ରହିବ। ସେହି ମହାନ ଯୋଦ୍ଧାଙ୍କୁ ‘ଅନ୍ତରଙ୍ଗ କଳିଙ୍ଗ’ର ବିନମ୍ର ଶ୍ରଦ୍ଧାଞ୍ଜଳୀ।
Pindiki Bahubalendra Buxi Bakshi Jagabandhu Khurda Paika
© Niranjan Sahu
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 months ago