ପିଣ୍ଡିକୀ ବାହୁବଳେନ୍ଦ୍ର ଥିଲେ ଇଂରେଜମାନଙ୍କ ବିରୋଧରେ ୧୮୧୭ ମସିହାରେ ସଂଘଟିତ ପାଇକ ବିଦ୍ରୋହର ଅଧିନାୟକ। ବକ୍ସି ଜଗବନ୍ଧୁଙ୍କର ଅନ୍ୟତମ ପରମ ସହଯୋଗୀ।ସେ ଥିଲେ ଚନ୍ଦକା ନିକଟସ୍ଥ ଦାରୁଠେଙ୍ଗଗଡର ଦଳେଇ। ଦେହରେ ଅସୁମାରୀ ବଳ, ମୁଦଗର ପରି ବାହୁ। ବକ୍ସି ଜଗବନ୍ଧୁଙ୍କ ସହ ହାତ ମିଳାଇ ସେ ଆରମ୍ଭ କଲେ ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ। ବହୁ କୌଶଳ ପ୍ରୟୋଗ କରି ତାଙ୍କୁ ଧରି କଳାପାଣି ଦଣ୍ଡ ଦିଆଯାଇଥିଲା। ମାତ୍ର ସେ ଇଂରେଜ ସରକାରଙ୍କ ଆଖିରେ ଧୂଳିଦେଇ ଆଣ୍ଡାମାନରୁ ଲୁଚି ପଳାଇ ଆସିଥିଲେ ପ୍ରିୟ ଜନ୍ମଭୂମି ଖୋର୍ଦ୍ଧାକୁ। ସେ ସମ୍ମୁଖ ଯୁଦ୍ଧ ଚଳାଇ କେତେକ ଇଂରେଜ ସୈନ୍ୟ ମାରିପକାଇଥିଲେ। ବହୁ ଉଦ୍ୟମ କରି ମଧ୍ୟ ତାଙ୍କୁ ଧରିପାରିଲେ ନାହିଁ ବ୍ରିଟିଶସେନା। ସେଥିପାଇଁ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା।
ଶେଷରେ ତାଙ୍କର ଜଣେ ବାଲ୍ୟବନ୍ଧୁ ମଳିପଡା ଗ୍ରାମର ଜାଗିରଦାର ଏକ ହୀନ ଉପାୟ ଅବଲମ୍ବନ କରି ତାଙ୍କୁ ଧରାଇ ଦେଇଥିଲେ। ଦିନେ ସେ ଗୋଟିଏ ଭୋଜିର ଆୟୋଜନ କରି ପିଣ୍ଡିକୀ ଓ ଅନ୍ୟ କେତେକ ସାଥିଙ୍କୁ ନିମନ୍ତ୍ରଣ କରିଥିଲେ। ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଭୋଜନ ପୂର୍ବରୁ ଭାଙ୍ଗ ସହ ଦୁଦୁରା ମଞ୍ଜି ମିଶାଇ ସେବନ କରିବାକୁ ଦେଇଥିଲେ। ଇଂରେଜମାନଙ୍କ ସହ ସଲାସୁତୁରା କରି ଏ କାମ କରାଯାଇଥିଲା। ଇଂରେଜ ସୈନ୍ୟ ସେଠାରେ ପହଞ୍ଚି ସଙ୍ଗେ ସଙ୍ଗେ ପିଣ୍ଡିକୀ ଓ ଅନ୍ୟ ବନ୍ଧୁମାନଙ୍କୁ ଗିରଫ କରି ନେଲେ।
ବାହୁବଳେନ୍ଦ୍ରଙ୍କୁ କଟକ ଜେଲ୍’ରେ ରଖାଯାଇଥିଲା। ସେ ପରେ ଜେଲ୍’ରୁ ଖସି ପଳାଇ ଆସୁଥିବା ବେଳେ ଇଂରେଜମାନେ ତାଙ୍କୁ ଗୋଡେଇ ଗୋଡେଇ ପଛରୁ ଗୁଳି ଚଳାଇଥିଲେ। ସେଇଠାରେ ଟଳି ପଡ଼ିଥିଲେ ଓଡ଼ିଆ ପାଇକ ଗୌରବ ‘ପିଣ୍ଡିକୀ ବାହୁବଳେନ୍ଦ୍ର’।
ଏହି ଅମରଗାଥା ସର୍ବଦା ଇତିହାସରେ ଲିପିବଦ୍ଧ ହୋଇ ରହିବ। ସେହି ମହାନ ଯୋଦ୍ଧାଙ୍କୁ ‘ଅନ୍ତରଙ୍ଗ କଳିଙ୍ଗ’ର ବିନମ୍ର ଶ୍ରଦ୍ଧାଞ୍ଜଳୀ।
Pindiki Bahubalendra Buxi Bakshi Jagabandhu Khurda Paika
© Niranjan Sahu