~ ପଖାଳ ~

ଲେଖା: ଡ. ଜୟଶ୍ରୀ ନନ୍ଦ
ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ। ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ପଖାଳ ବିଷୟରେ କବିତାଟିଏ . .
ବଡଘର ବଡ ଗୁମର କଥା

ବଡ ପଣେ ସେ ତ ବଡଦେବତା,
କୋଟି ଓଡ଼ିଆର ମଉଡମଣି,
କେ ନ ଜାଣେ ତାର ସେ ବଡ ଠାଣି।
ମାନବୀୟ ଲୀଳା କରେ କାଳିଆ
କାଳିଆ ବି ମୋର ପଖାଳଖିଆ,
କଥାରେ କହନ୍ତି ସତେ ଓଡ଼ିଆ
ଓଡ଼ିଆ ଅଟନ୍ତି ପଖାଳଖିଆ ।
ପଖାଳରେ ଭାରି ଶରଧା ତାର,
ପଖାଳ ଖାଏ ଯେ ବଡଠାକୁର।
କେତେବେଳେ ଭାସେ ପଖାଳେ ଘିଅ
ପଖାଳଖିଆ ପା ଆମରି ଦିଅଁ।
ନିଦ ଆସେ ନାହିଁ ଚକାଆଖିକୁ
ପଖାଳ ଖାଇ ସେ ଯାଏ ଶେଯକୁ।
ବଡଖିଆ ପରା କଳାଠାକୁର
ପଖାଳ ଖାଏ ସେ କେତେ ପ୍ରକାର।
ସୁବାସପଖାଳ, ଦହିପଖାଳ
ଚୁପୁଡା ପଖାଳ, ମିଠାପଖାଳ
ପାଣିପଖାଳମଲ୍ଲିପଖାଳ
ଘିଅ ପଖାଳରେ ଶରଧା ତାର।
ସୁଗନ୍ଧିତ ଅନ୍ନେ ପାଣି ମିଶାଇ
ଅଦାକଟା ଭଜା ଜିରା ପଡଇ,
#ସୁବାସପଖାଳ କାଳିଆ ପାଇଁ
ଏତେ ଜତନରେ ପରଷା ହୋଇ।
ପ୍ରସାଦ ଲାଗଇ କାଳିଆ ଆଗେ
ତାକୁ କି ଅଜଣା ସୁଆଦ ତେବେ
ବଡଖିଆ ସେତ ବଡଠାକୁର
ବଡଖିଆ ପୁଣି ନାମଟି ତାର।
#ଚୁପୁଡାପଖାଳ, ଚୁପୁଡାହୁଏ
ମାଟି କୁଡୁଆରେ ପରଷା ଯାଏ
ଭଜା ଜିରା ଦହି ସାଥିରେ ଲୁଣ
କେ ନ ଜାଣେ ତାର ଖାଇବା ଗୁଣ।
ଷାଠିଏ ପଉଟି କାଳିଆ ଖାଏ
ବଡଖିଆ ବୋଲି ବଡ ଦେଖାଏ,
ସାଧାସିଧା ଖାଦ୍ୟେ ଲୋଭ ତାହାର
#ପାଣିପଖାଳରେ ଶରଧା ଯାର।
ସାଧା ଅନ୍ନରେ ଯେ ପାଣି ମିଶାଇ
ଲୁଣ ପଡିଥାଏ ସ୍ବାଦାନୁଯାୟୀ,
କାଳିଆ ଆଗରେ ପରଷା ଯାଏ
କାଳିଆ ନୁହେଁ ତ ଓଡିଆ ସିଏ।
ଶୁଖିଲା ଅନ୍ନରେ ଦହି ଗୋଳାଇ
ଦହି ମାତ୍ରା ଟିକେ ଅଧିକ ଦେଇ,
ଭଜାଜିରା ସାଥେ ଅଦା ପକାଇ
#ଦହିପଖାଳଟି ପରଷା ଯାଇ।
ରସିକ ପଣରେ ରସନାଗର
ଖାଇବା ସଉକ ସାଆନ୍ତେଙ୍କର
ପଖାଳପରଷା ହୁଅଇ ଯେବେ
ନିଦଟି ହୁଅଇ ଜଗାକୁ ତେବେ।
ଧଳାଗୁଡ ଅବା ଚିନି ପକାଇ
ସାଧା ଅନ୍ନ ଯେବେ ରନ୍ଧା ହୁଅଇ
ଖଣ୍ଡଅଦା ଭଜାଜିରାର ସଙ୍ଗେ
#ମିଠାପଖାଳଟି ବଢା ତା ଆଗେ।
ପଖାଳରେ ମଲ୍ଲିଫୁଲ ପକାଇ
#ମଲ୍ଲିଫୁଲପଖାଳ କାଳିଆ ଖାଇ,
ସଉକ ଜାଣଇ ନନ୍ଦର ବଳା
ସେଥିପାଇଁ ପରା ଷୋହଳକଳା ।
#ଘିଅପଖାଳ ଯେ କାଳିଆ ଖାଏ
କଦଳୀ ଭଜାଟି ସାଙ୍ଗରେ ଥାଏ ,
ବଡସିଂହାର ବା ପହୁଡ ଆଗେ
ପଖାଳପରଷା ହୁଅଇ ତେବେ।
ସାଧାଅନ୍ନେ ଦହି ଅଦା ଓ ଜିରା
ଲୁଣ ସାଥେ ଥାଏ ଘିଅଟି ପରା,
ପଖାଳ ଖାଇଲେ ନିଦଟି ଆସେ
ପଖାଳ ଖାଇକି କାଳିଆ ହସେ।
କାଳିଆ ଆମର ବଡବଡିଆ
ତା ନାମେ ଲଗାଇ କଥାଟି କୁହା
ତୋ ବାପା ଖାଇଥିଲା ପଖାଳେ ଘିଅ
ମୋ କାଳିଆ ହେଉଛି ଓଡିଆ ପୁଅ (ଓଡିଆ ଦିଅଁ)।
Spread the love
admin

Share
Published by
admin
Tags: ପଖାଳ

Recent Posts

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର…

1 day ago

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ…

5 days ago

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ…

5 days ago

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍…

5 days ago

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା…

5 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ…

5 days ago