ଲେଖା: ନିରଞ୍ଜନ ସାହୁ

ଇଂରେଜ ବିରୋଧୀ ଆନ୍ଦୋଳନର ମୁକ୍ତିପାଗଳ ମୁକ୍ତିଯୋଦ୍ଧା ପଦ୍ମନାଭ ଛୋଟରାୟ ଥିଲେ ବକ୍ସି ଜଗବନ୍ଧୁଙ୍କ ସହଯୋଗୀ। ସେ ଥିଲେ ଜଣେ ଦଳବେହେରା, କେତେକ ଗଡ଼ର ଅଧିପତି, ନିର୍ଭିକତାର ପ୍ରତୀକ ଓ ପ୍ରବୀଣ ଯୁଦ୍ଧବିଶାରଦ। ଜଣେ ବିଶ୍ଵସ୍ତ ଓ ଅନ୍ତରଙ୍ଗ ସହଯୋଗୀ ଭାବରେ ବକ୍ସିଙ୍କର ଯୁଦ୍ଧ ସମୟରେ ସହାୟତା କରୁଥିଲେ।

ଭୁବନେଶ୍ୱର ସହରର ଅଧୁନା ବରଗଡ଼ ନାମରେ ପରିଚିତ ବରଗଡ଼ ଦୁର୍ଗର ସେ ଥିଲେ ଗଡ଼ପତି। ଏହି ଗଡ଼ଟି ଏବେର ରାଜ୍ୟ ସଂଗ୍ରହାଳୟକୁ ସଂଲଗ୍ନ କରିଥିବା ବିସ୍ତୃତ ଅଞ୍ଚଳରେ ଥିବାର ଜଣାଯାଏ। ଏହାକୁ ସିଂହଗଡ଼ ବା ବୀରଗଡ ବୋଲି କୁହାଯାଉଥିଲା। ରାଜ୍ୟ ସଂଗ୍ରହାଳୟ ଅଞ୍ଚଳରେ ଖନନ କାର୍ଯ୍ୟ ଚାଲିଥିଲାବେଳେ ସେଠାରେ ଏକ ଗଡ଼ର ସଙ୍କେତ ଦେଖିବାକୁ ମିଳିଥିଲା, ମାଟିତଳୁ। 

ଏହି ବଡ଼ ଗଡ଼ଟି ଖୁରୁଧା ରାଜ୍ୟର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ ନିର୍ମାଣ କରିଥିବାର ବୋଲି ଜଣାଯାଏ। ତାଙ୍କ ଦ୍ଵାରା ନିର୍ମିତ ୭୨ଟି ଗଡ଼ ମଧ୍ୟରୁ ଏହା ଥିଲା ଅନ୍ୟତମ। ଏହି ଦୁର୍ଗର ଅବସ୍ଥିତି ଓ ସାମରିକ ଗୁରୁତ୍ଵ ଦୃଷ୍ଟିରୁ ବିଚାର କରି ରାଜା ରାମଚନ୍ଦ୍ରଦେବ ଏହାକୁ ବଡ଼ ଆକାରରେ ତିଆରି କରାଇଥିଲେ। ତେଣୁ ଏହା ବଡ଼ଗଡ ନାମରେ ନାମିତ ହୋଇଥିଲା। ବାଲିଅନ୍ତାଠାରୁ ଶିଶୁପାଳଗଡ଼ ଓ ତା’ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ତଦାରଖ କରିବା ପାଇଁ ପଦ୍ମନାଭ ଛୋଟରାୟଙ୍କୁ ଦିଆଯାଇଥିଲା, ଯାହାକୁ ସେ ଅତ୍ୟନ୍ତ ସୁଚାରୁରୂପେ ଚଳାଉଥିଲେ।

ପଦ୍ମନାଭ ଥିଲେ ଜଣେ ସୁନ୍ଦର, ସ୍ଵାସ୍ଥ୍ୟବାନ୍ ଓ ବଳିଷ୍ଠ ବ୍ୟକ୍ତି। ସେ ଧନୁତୀର ଚାଳନାରେ ଥିଲେ ଅତ୍ୟନ୍ତ ଧୂରୀଣ। ଏକ ଜନଶ୍ରୁତି ରହିଛି ଯେ, ପଦ୍ମନାଭ ତୀର ଚାଳନା କରି ବିନ୍ଦୁସାଗରର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ବକୁ ପହଞ୍ଚାଇ ପାରୁଥିଲେ। ପ୍ରଚଣ୍ଡ ସ୍ଵାଭିମାନୀ, ସ୍ଵାଧୀନଚେତା ମଣିଷ ଥିଲେ ସେ। ଥରେ ବନ୍ଦୀ ଭାବରେ ତାଙ୍କୁ ଯେତେବେଳେ ଇଂରେଜ ସେନାପତିଙ୍କ ପାଖକୁ ନିଆଗଲା ସେ ତାଙ୍କୁ ନମସ୍କାର କରି ସମ୍ମାନ ଜଣାଇଲେ ନାହିଁ। ବରଂ ନିର୍ଭୀକ ଓ ଦୃଢ଼ତାର ସହ କହିଥିଲେ, ଓଡ଼ିଆ ଜାତି ଶ୍ରୀ ଜଗନ୍ନାଥ ଓ ଚଳନ୍ତି ବିଷ୍ଣୁ ଗଜପତିଙ୍କ ନିକଟରେ ମୁଣ୍ଡ ନୁଆଁଇ ନମସ୍କାର କରିବା ଜାଣିଛି, କିନ୍ତୁ ମ୍ଳେଛମାନଙ୍କୁ ନୁହେଁ।

ଇତିମଧ୍ୟରେ ବକ୍ସି ଜଗବନ୍ଧୁ, ପଦ୍ମନାଭ ଛୋଟରାୟ ଓ ଅନ୍ୟ କେତେକଜଣ ଦଳବେହେରା, ଦଳେଇ, ପାଇକ ଓ ଜନସାଧାରଣଙ୍କ ପ୍ରବଳ ବିରୋଧ ଯୋଗୁଁ ଇଂରେଜ ସେନାବାହିନୀ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ନିଜକୁ ରକ୍ଷା କରିବା ପାଇଁ ସାମରିକ ଆଇନ ଘୋଷଣା, ବ୍ୟାପକ ଗିରଫଦାରୀ ଓ ମାନ୍ଦ୍ରାଜ ସୈନ୍ୟ ବାହିନୀର ନିଯୁକ୍ତି ଫଳରେ ବିଦ୍ରୋହର ଉତ୍ତାଳ ତରଙ୍ଗ କିଛିଟା ଭଟ୍ଟା ପଡିଯାଇଥିଲା। ତଥାପି ବିଦ୍ରୋହର କିଛି ତୁଙ୍ଗ ନେତାମାନେ ଲୁଚିଛପି ସଂଗ୍ରାମ ଚାଲୁ ରଖିଥିଲେ। ଇତିମଧ୍ୟରେ ରବର୍ଟକେର୍ କମିଶନର ହେବାପରେ ୧୮୧୮ ମସିହା ଜୁନ ମାସ ୧୦ ତାରିଖ ଦିନ ରାଜଦ୍ରୋହୀଙ୍କ ପ୍ରତି ସର୍ବକ୍ଷମା ଘୋଷଣା କଲେ। ମାତ୍ର ଏହା ବକ୍ସି ଜଗବନ୍ଧୁ, ପଦ୍ମନାଭ ଛୋଟରାୟ, ପିଣ୍ଡିକି ବାହୁବଳେନ୍ଦ୍ର, ଗୋପାଳ ଛୋଟରାୟ, ପୀତବାସ ମଙ୍ଗରାଜଙ୍କ ପ୍ରତି ପ୍ରଯୁଜ୍ୟ ହୋଇନଥିଲା। କିନ୍ତୁ ଏମାନଙ୍କୁ ଗିରଫ କରିବା ପାଇଁ ପ୍ରବଳ ଉଦ୍ୟମ ଜାରି ରହିଥିଲା। 

ସେ ବୀରମାନଙ୍କ ମଧ୍ୟରେ ସବୁଠାରୁ ଦୁର୍ଦ୍ଦାନ୍ତ ଥିଲେ ପଦ୍ମନାଭ ଛୋଟରାୟ। ସେ ବହୁ ହତ୍ୟାକାଣ୍ଡ ସହ ସଂପୃକ୍ତ ବୋଲି ପୋଲିସ ଘୋଷଣା କରିଥିଲେ। ତାଙ୍କୁ ଧରାଇ ଦେଲେ ଏକହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଶେଷରେ ସାମାନ୍ୟ କିଛି ଅର୍ଥ ଲାଳସା ଯୋଗୁଁ କେତେ ଜଣ ଯଥା, ଶିବପ୍ରସାଦ ଦାରୋଗା, ରାମ ମହାପାତ୍ର, ଭରତ ମାଝି, ଜଗବନ୍ଧୁ ମଙ୍ଗରାଜ, ଶେର୍ ଖାଁ, ନବୀନ ବାହୁବଳେନ୍ଦ୍ର ଓ ଧନୁ ମିଳିତ ଭାବେ ପଦ୍ମନାଭ ଛୋଟରାୟଙ୍କୁ ଧରାଇ ଦେଇ ବ୍ରିଟିଶ ସେନାଧ୍ୟକ୍ଷଙ୍କ ଠାରୁ ପୁରସ୍କାର ପାଇଥିଲେ। ଏହା ଥିଲା ଶଠତା, ହୀନକାର୍ଯ୍ୟ, ବେଇମାନୀର ଜ୍ଵଳନ୍ତ ଉଦାହରଣ। ଏହାର ଭୂୟସୀ ପ୍ରମାଣ ଓଡ଼ିଶା ଇତିହାସ ବହନ କରେ। 

ପଦ୍ମନାଭ ଛୋଟରାୟ ଓ ଅନ୍ୟ କେତେକଜଣ ରାଜଦ୍ରୋହୀ ମାନଙ୍କର ଅପରାଧର ବିଚାର କରି ବ୍ରିଟିଶ୍ ଶାସନ ସେମାନଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ପ୍ରଥମେ ପଦ୍ମନାଭ ଛୋଟରାୟଙ୍କୁ ୧୮୨୦ ମସିହାରେ ଏକ ବରଗଛରେ ଫାଶୀ ଦିଆଯାଇଥିଲା। ମାତ୍ର କେତେକ ଗବେଷକଙ୍କ ମତରେ ସେ ୧୮୨୫ ମସିହାରେ ଫାଶୀ ପାଇଥିଲେ। ପରେ ତାଙ୍କ ବିଧବା ପତ୍ନୀ ଆତ୍ମହତ୍ୟା କରିଥିବା ଜଣାଯାଏ।

ଏହିପରି ଜଣେ ସ୍ୱାଧୀନତାଚେତା, ସ୍ଵାଭିମାନୀ, ସଚ୍ଚୋଟ ଦେଶପ୍ରେମୀ, ବିଦ୍ରୋହର ସ୍ଫୁଲିଙ୍ଗ ନିଜର ମାତୃଭୂମିକୁ ବିଦେଶୀ ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଆପ୍ରାଣ ସଂଗ୍ରାମ କରି ବଳି ପଡିଥିଲେ। ଆମେ ଆଜି ମୁକ୍ତ କଣ୍ଠରେ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ଯେ, ଜାତିର ଶଠ, ବେଇମାନ୍, ଦେଶଦ୍ରୋହୀ କେତେଟା ହୀନ ମଣିଷଙ୍କ ପାଇଁ ଏ ଜାତି ହରାଇଦେଲା ତା’ର ବୀର, ସଙ୍ଗ୍ରାମୀ ପୁଅକୁ। ଏହି ଉତ୍ସର୍ଗୀକୃତ ମଣିଷର ବ୍ୟକ୍ତିତ୍ଵକୁ ପ୍ରଶଂସା କରି କବି ପ୍ରସନ୍ନ ପାଟ୍ଟଶାଣୀଙ୍କ ସହ ତାଳ ମିଳାଇ ଗାଇବା —

“ଖୋର୍ଦ୍ଧାର ହେ ବୀର, ସହିଦ ପାଇକ ବୀର
ଦେଵାନ କୃଷ୍ଣଚନ୍ଦ୍ର ଭ୍ରମରବର ଅବା 
ପଦ୍ମନାଭ ଛୋଟରାୟ,
ତୁମ ତ୍ୟାଗ ଓ ନିଷ୍ଠାକୁ ସ୍ମରଣ କରେ .. 
ତୁମରି ସାହସର ପଟାନ୍ତର ନାହିଁ
ସ୍ମୃତିର ଲୋତକ ଜଳେ ଦେବି ମୁଁ ଗାଧୋଇ”

ସେହିପରି ବହୁଦିନ ଧରି ବଡ଼ଗଡ ଅଞ୍ଚଳରେ ବ୍ୟବହାର ହେଉଥିବା ପ୍ରବାଦ —

“ଖରା ମାରେ ଝାଇଁ ଝାଇଁ,
ପଦସା’ନ୍ତକୁ ଫିରିଙ୍ଗି ନେଲା ଲୋ କହିବା 
କାହାକୁ ଯାଇ ।”

ଏଇଥିପାଇଁ ବୀର ପଦ୍ମନାଭ ଛୋଟରାୟ ଏ ଜାତିର ଯଶୋଦେହେ ଆୟୁଷ୍ମାନ। ଶତପ୍ରଣାମ II

ତଥ୍ୟ ଓ ଆଧାର: ଡଃ ଜଗନ୍ନାଥ ପଟ୍ଟନାୟକ
ପୁସ୍ତକ: ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ

Padmanabha Chhotray Padmanabha Chhotaray Bakshi Buxi Jagabandhu Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago