ଲେଖା: ନିରଞ୍ଜନ ସାହୁ

୧୯୩୦ ମସିହା ମାର୍ଚ୍ଚ ମାସ ୨୦ ତାରିଖ। ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡିରେ ଲୁଣମରା ଅଭିଯାନ । ଶହ ଶହ ସତ୍ୟାଗ୍ରହୀଙ୍କ ମେଳରେ ଜଣେ ୧୮ ବର୍ଷର ବାଳକ । ଇଂରେଜ ଫଉଜର ସାମନା କରି ଗିରଫ ହୋଇଗଲେ। ଜେଲଦଣ୍ଡ ଭୋଗିଲେ ଏକ ବର୍ଷ ପାଇଁ, କଟକ ଜେଲ୍’ରେ ସହବନ୍ଦୀ ଥିଲେ ହରେକୃଷ୍ଣ ମହତାବ। ଏକବର୍ଷର ଜେଲଦଣ୍ଡ କିନ୍ତୁ ବିରାମ ଦେଇନଥିଲା ସେହି ବାଳକଙ୍କ ସ୍ଵାଧୀନଚେତା ମନକୁ । ସତ୍ୟାଗ୍ରହୀ ହୋଇଗଲେ ଏଣୁ । ବକ୍ତୃତା ଦେଇ ସ୍ଵାଧୀନତା ପାଇଁ ଜୀବନ ଉତ୍ସର୍ଗ କରିବାକୁ ଲୋକମାନଙ୍କୁ ଉତ୍ସାହିତ କରିବା ଉପରେ ଗୁରୁତ୍ବ ଦେଲେ ଓ ଗ୍ରାମ ଗ୍ରାମ ବୁଲି ସ୍ଵାଧୀନତା ବାର୍ତ୍ତା ପ୍ରଚାର କରିବାକୁ ଧ୍ୟେୟ ମଣିଲେ । ଏଇଥିପାଇଁ ଇଂରେଜ ସରକାରଙ୍କ ଚକ୍ଷୁଶୀଳ ହୋଇ ବାରମ୍ୱାର ଗିରଫ ହୋଇଥିଲେ । ୧୯୩୦ରୁ ୧୯୪୬ ମଧ୍ୟରେ ମୋଟ ସାତଥର ଜେଲଦଣ୍ଡ ଭୋଗିଥିବା ଏହି ଯୁବକ ସେଇଥିପାଇଁ କାରାଗାରକୁ ବରି ନେଇଥିଲେ ତାଙ୍କର ଦ୍ଵିତୀୟ ଗୃହ ଭାବରେ ।

୧୯୩୦ ମସିହା ବେଳର ସେହି ଓଜସ୍ଵୀ ବକ୍ତାଙ୍କର ପିତା ଥିଲେ ଆମ ଜାତିର ନମସ୍ୟ, ସର୍ବଦା ବନ୍ଦନୀୟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ଏହି ବାଳକ ଥିଲେ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର (Nityananda Mohapatra), ଓଡ଼ିଆ ସାହିତ୍ୟ ଓ ରାଜନୀତିର ସମନ୍ୱୟ ପ୍ରତିଭା । ୧୯୧୨ ମସିହା ଜୁନ୍ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭଦ୍ରକର ତାଳପଦା ଗ୍ରାମ ଠାରେ। ଜେଜେ ବାପା ଥିଲେ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର, ବିହାର-ଓଡ଼ିଶା ବିଧାନ ପରିଷଦର ଉପସଭାପତି । ପାଠପଢା ପରେ ପରେ ସିଧା ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ବହୁ ଚର୍ଚ୍ଚିତ ହୋଇଥିଲେ ଯୁବକ ନିତ୍ୟାନନ୍ଦ ବରିଷ୍ଠ ସଂଗ୍ରାମୀମାନଙ୍କ ନିକଟରେ। ବାରମ୍ବାର ଜେଲ । ଏହି ୧୬ ବର୍ଷର ଜେଲ ଜୀବନ ତାଙ୍କୁ ସଂସ୍କୃତ ଶିକ୍ଷା, ଇଂରାଜୀ କଥାବାର୍ତ୍ତା ଓ ସାହିତ୍ୟ ସର୍ଜନା ପାଇଁ ସାହାଯ୍ୟ କଲା ।

ପ୍ରଥମଥର ଜେଲ ଜୀବନରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବନ୍ଦୀର ଆତ୍ମକଥା ଶୈଳୀରେ ଲେଖିଲେ ବନ୍ଦୀର ଚିନ୍ତା ନାମକ କାବ୍ୟ । ସେ ପୁସ୍ତକଟିକୁ ଇଂରେଜ ସରକାର ଜବତ କରିନେଲେ । ବନ୍ଦୀ ଜୀବନରେ ୧୯୪୩-୪୪ ରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବହୁଚର୍ଚ୍ଚିତ ପୁସ୍ତକ ମାଟିର ମଣିଷ ଉପନ୍ୟାସର ହିନ୍ଦୀ ଅନୁବାଦ କରି ‘ମିଟ୍ଟି କା ପୁତଲା’ ନାମରେ ସମର୍ପିତ କଲେ ହିନ୍ଦୀ ସାହିତ୍ୟଜଗତକୁ । ଚିନ୍ତା ଓ ଚେତନାକୁ ସେ ସବୁ ସମୟରେ ଉଗ୍ର ଜାତୀୟତାବାଦରେ ରୂପାନ୍ତରିତ କରୁଥିଲେ । ଜାତୀୟତାବାଦ ଚିତ୍ର ବହନ କରିଥିବା ତିନିଗୋଟି ପୁସ୍ତକ ଯଥା: ସ୍ଵରାଜ୍ୟ ପାଲା, ଗଳ୍ପ ମାଉସୀ ଓ ବନ୍ଦୀର ଚିନ୍ତା ଯଥାକ୍ରମେ ୧୯୩୦, ୧୯୩୪ ମସିହାରେ ବ୍ରିଟିଶ ସରକାରଙ୍କ ଦ୍ୱାରା ବ୍ୟାଜାପ୍ତ ହୋଇଥିଲା ।  ଲେଖନୀର ବିରାମ ହୋଇନଥିଲା କିନ୍ତୁ ।
 
ରାଜନୀତିରେ ପ୍ରବେଶ ସହ ସାହିତ୍ୟ ସୃଷ୍ଟିରେ ମନୋନିବେଶ କରି ନିତ୍ୟାନନ୍ଦ ମହାପାତ୍ର ଓଡ଼ିଆ ସାହିତ୍ୟ ଜଗତକୁ ସମର୍ପି ଦେଲେ: ଭଙ୍ଗାହାଡ଼, ହିଡ଼ମାଟି, ଘରଡିହ, ଜୀବନର ଲକ୍ଷ୍ୟ, ଇନ୍ଦ୍ର ଓ ଇନ୍ଦ୍ରାଣୀ, ଜୀଅନ୍ତା ମଣିଷ, ପୀରତି ପଥ ଖସଡ଼ା, ସୁଖର ସନ୍ଧାନେ, ଭୁଲ୍ ଏବଂ ନାହଂ ତିଷ୍ଠାମି ବୈକୁଣ୍ଠେ  ଇତ୍ୟାଦି ଉପନ୍ୟାସସମୂହ। ଏହି ପୁସ୍ତକ ମାନଙ୍କ ମଧ୍ୟରୁ ଦୁଇଟି ପୁସ୍ତକ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛି ।

ଓଡ଼ିଆ କାବ୍ୟ ସାହିତ୍ୟକୁ ଅସୀମ ଦାନ କରିଯାଇଛନ୍ତି ନିତ୍ୟାନନ୍ଦ ମହାପାତ୍ର, କବିତା ସଙ୍କଳନ “କାଳରଡି଼, ଦରଦ, ପରଶ, ମରମ, ପାଞ୍ଚଜନ୍ୟ, ଶରଦୂତ, ପରୀକ୍ଷା, ଭୂମାହାତ୍ମ୍ୟ ଓ କବି ପ୍ରିୟାସୁ” ଇତ୍ୟାଦି ପଦ୍ୟସାହିତ୍ୟ ସୃଷ୍ଟି କରି । ଏଣୁ ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ଭାବେ ସର୍ବଦା ବନ୍ଦନୀୟ ଓଡ଼ିଆ ସାହିତ୍ୟର ଉପଭୋକ୍ତା ମାନଙ୍କ ନିକଟରେ । ଗଳ୍ପ ମାନଙ୍କରେ ଗଭୀର ମାନବିକତାର ପରିଚୟ ସହ ଆବେଗ ପୂର୍ଣ୍ଣ ଉପସ୍ଥାପନା ତାଙ୍କର ବିଶେଷତ୍ବ । କାନ୍ତକବିଙ୍କ ପ୍ରତିଷ୍ଠିତ ଡଗର ପତ୍ରିକାର ସମ୍ପାଦକ ଭାବେ ସେ ମଧ୍ୟ ବହୁ ସୁନାମର ଅଧିକାରୀ। ହରିଜନ ମନ୍ଦିର ପ୍ରବେଶ ନାଟକ ମଞ୍ଚସ୍ଥ ହେବାବେଳେ ବହୁ ଆଲୋଡ଼ନ ସୃଷ୍ଟି କରିଥିଲା ଜାତିଭେଦ ବିରୋଧରେ ।

ରାଜନୀତି କ୍ଷେତ୍ରରେ ଜଣେ ସଫଳ ଅଥଚ ନିଃସ୍ଵାର୍ଥପର ରାଜନୀତିଜ୍ଞ ଭାବେ ସେ ସମୟରେ ବହୁ ଚର୍ଚ୍ଚିତ ହୋଇଥିଲେ। ତିନିଥର ବିଧାନସଭାକୁ ନିର୍ବାଚିତ ହୋଇ ୧୯୬୭ ରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ସଂଗ୍ରହାଳୟର ବହୁବିଧ ଉନ୍ନତି, ପୋଥି ପ୍ରକାଶନ ଓ ଜିଲ୍ଲା ସ୍ତରରେ ଶାଖା ମିଉଜିଅମ୍ ପ୍ରତିଷ୍ଠା କରାଯାଇଥିଲା ତାଙ୍କର ମନ୍ତ୍ରୀତ୍ଵରେ ।

ନିତ୍ୟାନନ୍ଦ ମହାପାତ୍ର ଥିଲେ ଲେଖକ ଓ ରାଜନୀତିଜ୍ଞ । ଅତି ସରଳ ଜୀବନଯାପନ କରୁଥିବା ନିତ୍ୟାନନ୍ଦ ମହାପାତ୍ରଙ୍କ ବିଧାନସଭାକୁ ସାଇକେଲ ନେଇ ଯିବାଆସିବା, ଖଦଡ଼ ଲୁଗା ଚଦର ପରିଧାନ, ବୈଷ୍ଣବ ମତେ ପ୍ରତ୍ୟହ ମାଳିଜପ ଏବଂ ରାଜଧାନୀର ଖାରବେଳ ନଗରରେ ରହୁଥିବା ଖଣ୍ଡେ ଛୋଟ ଘର ଇତ୍ୟାଦି ସେ ସମୟରେ ଜନମାନସରେ ଶ୍ରେଷ୍ଠ ଆଦର୍ଶ ଭାବେ ପ୍ରତିଭାତ ହୋଇଥିଲା।

ବିପୁଳ ସାରସ୍ଵତ ସାଧନାରେ ବ୍ରତୀ ରହି ମଧ୍ୟ ଆଦର୍ଶ ରାଜନୈତିକ ନେତା ଭାବେ ଓଡ଼ିଶାର କୋଣ ଅନୁକୋଣରେ ଲୋକଙ୍କ ହୃଦୟ ଜିଣି ପାରିଥିଲେ ଏହି ପୂଜ୍ୟ ମଣିଷ ନିତ୍ୟାନନ୍ଦ ମହାପାତ୍ର । ବହୁ ସମ୍ମାନ ମିଳିଛି ଅନେକ ଅନୁଷ୍ଠାନ ତରଫରୁ ବିଭିନ୍ନ ସମୟରେ । ସହକାର ସମ୍ମାନ, ଅତିବଡୀ ସମ୍ମାନ ଓ ଉତ୍କଳରତ୍ନ ଉପାଧିରେ ଭୂଷିତ ଏହି ମହାନ ସାହିତ୍ୟ, ରାଜନୈତିକ ସମନ୍ୱୟର ଅଧିକାରୀ ମଣିଷ ୧୦୧ ବର୍ଷରେ ୨୦୧୨ ମସିହାର ଅପ୍ରେଲ ମାସ ୧୭ ତାରିଖରେ ପରଲୋକ ଗମନ କଲେ ।

Nityananda Mahapatra Kantakabi Dagara © Niranjan Sahu

Spread the love
admin

View Comments

  • ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ? । ଓଡ଼ିଆ ସାହିତ୍ୟରେ ନବଯୁଗର ବିଶିଷ୍ଟ କଥାଶିଳ୍ପୀ।

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago