~ ନନ୍ଦିକେଶ୍ଵରୀ ~
ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ
ଊନବିଂଶ ଶତାବ୍ଦୀର ଉପୋଦ୍ଘାତରେ ଯେତେବେଳେ ଓଡ଼ିଆ ମାଟି ନବଜାଗରଣ ପର୍ଯ୍ୟାୟରେ ପଦକ୍ଷେପ ଜନିତ ସାରସ୍ଵତ ଓ ସାଂସ୍କୃତିକ ପୃଷ୍ଠଭୂମିରେ ଆବର୍ତ୍ତିତ ହେଉଥିଲା, ସେହି ସମୟରେ ଓଡ଼ିଆ ଜନପ୍ରାଣକୁ ପରମୁଖାପେକ୍ଷୀ ସତ୍ତାର କବଳିତ ଶାଙ୍କୋଳିରୁ ମୁକ୍ତି ଦେଇଥିଲେ ଆମ୍ଭର ପରମ ସଦାଶୟମାନଙ୍କ ସମୁଚ୍ଚୟୀ ପ୍ରଯତ୍ନର ସ୍ଵେଦଲଗା କଠୋର ଆୟାସପ୍ରାଣ ସଂଗ୍ରାମ । ଫିରିଙ୍ଗି, ବଙ୍ଗାଳୀ, ତେଲେଙ୍ଗା ପ୍ରଭୃତି ପ୍ରତିବେଶୀଙ୍କର ଦମନକ୍ରିୟାକୁ ପ୍ରତିହତ କରି ଆମ ସାରସ୍ଵତ ଜଗତର ସମୃଦ୍ଧି ଦିଶିଥିଲା ଜାତୀୟ ଚେତନାର ମହିମ୍ନ ଉଦ୍ରେକରେ ।
ଏହି କଥାକୁ ସ୍ଵୟଂ ବଙ୍ଗୀୟ ଐତିହାସିକ ରାଖାଲ ଦାସ ବାନାର୍ଜୀ ମଧ୍ୟ ସ୍ଵୀକାର କରି କୁହନ୍ତି ଯେ କେତେକ ନିମ୍ନବିତ୍ତ ଶ୍ରେଣୀ ବଙ୍ଗାଳୀ ମାନେ ବ୍ରିଟିଶକାଳୀନ ଆନୁଗତ୍ୟ ସମ୍ଭାବନାରୁ ଲାଭ କରିଲେ ସ୍ଵଚ୍ଛଳ ପଦପଦବୀ । ଉଭୟ ଶାସନ ଓ ବିଚାର ଧାରାକୁ କରାୟତ୍ତ କରିବାରେ ତାଙ୍କ ଅନାୟାସ-ଲକ୍ଷିତ ପନ୍ଥା ଥିଲା ଓଡିଶାର ଶାସନ ଓ ଅର୍ଥନୈତିକ ଦୁରବସ୍ଥା କ୍ରମେ ଓଡ଼ିଆ ଭାଷା ଓ ସମ୍ଭ୍ରାନ୍ତ ସାରସ୍ଵତ ପରିଚର୍ଯ୍ୟାକୁ ସୁଦ୍ଧା ବିକୃତ କରିବେ । ହେଲେ ‘ମହତ୍ ତ୍ରୟୀ’ ଙ୍କ ଉଦୟଲଗ୍ନ ଦ୍ଵାରା ଏ ଜାତିର ହିମାବୃତ ପଦ୍ମମନା ସାରସ୍ଵତ ସରସୀ ପୁନଶ୍ଚ ଅସ୍ତଙ୍ଗତ-ମହିମ ମାଟିର ପୁଲକାନୁଭୂତି ଦ୍ଵାରା ପ୍ରସ୍ଫୁଟିତ ହୁଏ ।
ଇତିବୃତ୍ତର ଅମ୍ଳାନ ପୃଷ୍ଠା ପୃଷ୍ଠା ଧୂଳିଧୂସରିତ ଅକ୍ଷରମାନଙ୍କ ଉତ୍ତରୀୟ ଆବୃତ ଐତିହ୍ୟ ତଳେ ଆମ୍ଭେ ମାନେ ଆଜି ମଧ୍ୟ ସେହି ଚିରହରିତ ଅକଳୁଷର ସନ୍ଧାନ ପାଇଥାଉ । ସାରସ୍ଵତ ନନ୍ଦନକୁଞ୍ଜର ସୁରଭିତ ସ୍ତବକ ରୂପେ ସେ ଫୁଟିଥିଲେ କେତେ ହୀନିମାନ ପାଷାଣ, ଶୈବାଳ, ଶୈବଳିନୀ ଓ ପର୍ବତଗୁହା ଦେଇ ମନୁଷ୍ୟ ହୃଦୟର ରିକ୍ତ ବାସନାବଦ୍ଧ ଓ ଆବେଗିକ ସ୍ପର୍ଶରେ । ଯୁଗସନ୍ଧିର ଆତ୍ମବିସ୍ମୃତ ଓ ମୋହ-ବିନିଦ୍ର-ପ୍ରାଣକୁ ମୁକୁଳାଇବାକୁ ହୁଏ ଦୁସ୍ତର ତମସା ମଧ୍ୟରୁ । ଏହି ଆତ୍ମବିସ୍ମୃତିରୁ ଆତ୍ମପ୍ରତ୍ୟୟକୁ, ଦୈନ୍ୟସଙ୍କୁଳରୁ ନେଇ ଆମ୍ରକୁଟଜର ବକୁଳ ପର୍ଯ୍ୟନ୍ତ ଆହରଣର ପ୍ରଚ୍ଛନ୍ନ ଅନ୍ତର୍ଦୃଷ୍ଟି ଥିଲେ – କବିବର ରାଧାନାଥ ରାୟ
ଶଷ୍ପ-କେଦାର-ଶୋଭନା ବାଲେଶ୍ଵର ମାଟିର ରଣବିଶାରଦ ଭୂମିରେ ଆଜିର ଦିନ (ସେପ୍ଟେମ୍ବର ୨୮) ତାରିଖ ୧୮୪୮ ମସିହାରେ ସୋର ଅନ୍ତର୍ଗତ କେଦାରପୁର ଗ୍ରାମରେ ଜନ୍ମିତ ରାଧାନାଥ ପରବର୍ତ୍ତୀ ସମୟରେ ଶିକ୍ଷାବ୍ୟବସ୍ଥା ସହ ଅନ୍ତର୍ଗତ ହୋଇ ନବୀନ ଜାଗୃତ ଓଡ଼ିଆ ଶୈକ୍ଷିକ ପରିମଣ୍ଡଳକୁ ଯେ କ୍ରିୟାନ୍ଵିତ ଓ ଜାତୀୟ ସମ୍ଵେଦନାରେ ବିକଶିତ କରିଯାଇଛନ୍ତି, ତାହା ଲାଗି ଆମ୍ଭର ଗୌରବ ବେଶ୍ ସ୍ମରଣଯୋଗ୍ୟ । ଆଉ ଆମ ଜନଜୀବନର ପ୍ରୋଜ୍ଜ୍ଵଳ ଦୀପ୍ତିରେ ଏବଂ ପ୍ରକୃତି ସହ ଭାବାବେଶ ମଧ୍ୟରେ ରୂପୈଶ୍ଵର୍ଯ୍ଯର ମାନବୀୟ ସମ୍ଵେଦନା ଦେଇ ସୂତ୍ରପାତ କରି ସେ ଏକ ଆଶ୍ଚର୍ଯ୍ୟଜନକ କଳାସ୍ରଷ୍ଟା ପାଲଟିଥିଲେ ।
ଏକ ସମୟରେ ଓଡିଆ ଭାଷାଭାଷୀଙ୍କର ଅଗ୍ରସୂରୀ ଭାବେ କଟକଠାରେ କର୍ମବୀର ଗୌରୀଶଙ୍କର ରାୟ, ବାଲେଶ୍ଵରରେ ବ୍ୟାସକବି ଫକୀରମୋହନ ଓ ସ୍ବଳ୍ପାଲୋଚିତ ଅନ୍ୟତମ ପ୍ରତିଭାଧର ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ (ଉକ୍ତ ବ୍ୟକ୍ତିତ୍ଵ ଫକୀରମୋହନଙ୍କ ସହ ବାଲେଶ୍ଵରର ପ୍ରଥମ ମୁଦ୍ରଣଯନ୍ତ୍ର ସ୍ଥାପନା ଓ ‘ବାଲେଶ୍ଵର ସମ୍ଵାଦବାହିକା‘ ପ୍ରକାଶ ସମୟରେ ଜଣେ ବଳିଷ୍ଠ ପୃଷ୍ଠପୋଷକ ଥିଲେ ।) ମିଳିତ ଭାଷାସଂଗ୍ରାମର ଫଳସ୍ଵରୂପ ଓଡିଆଙ୍କର ବଙ୍ଗାଳୀଙ୍କୁ ନେଇ କୁଚକ୍ର ଖଣ୍ଡିତ ହେବା ସହିତ ଓଡ଼ିଆ ଭାଷାଭାଷୀ ଓ ସାରସ୍ଵତ ପରିଚର୍ଯ୍ୟା ଏକ ଉନ୍ମେଷରେ ସ୍ଵୀକୃତ ଓ ଯୁଗଧର୍ମ ଦ୍ଵାରା ପ୍ରବୃତ୍ତ ହୁଏ । ପ୍ରବର୍ତ୍ତିତ ହୁଏ ନୂତନ ସଂସ୍କାର, ପ୍ରସାରିତ ହୁଏ ଶିକ୍ଷା ଓ ସଂସ୍କାରପୂତ ସଞ୍ଚାରଧ୍ଵନି ।
ଊନବିଂଶ ଶତାବ୍ଦୀର ଆଧୁନିକ ଓଡ଼ିଆ ସାହିତ୍ୟର ମଧ୍ୟ ନୂତନ ଆବର୍ତ୍ତନ ‘ରାଧାନାଥ ଯୁଗ’ର ଯୋଗସୂତ୍ରରୁ ସର୍ବମାନ୍ୟ ତଥା ସୃଜନ-ଐତିହ୍ୟରେ ସ୍ଵତଃ ସ୍ଵୀକୃତ । ଜାତୀୟତାବାଦ, ରୂପ ଓ ମଧୁରିମା ପ୍ରତି ପ୍ରଗାଢତା, ମାଟିପ୍ରାଣତାର ପ୍ରଗଲ୍ଭ ଉଚ୍ଛ୍ଵାସରେ, ଇତିହାସର ଅସ୍ତାୟମାନ ଗୌରବଗାଥାର ବିରହ-ସୁଲଭ ସ୍ମରଣ ଜନିତ କାବ୍ୟିକ ସତ୍ତାର ଆଲୋଡ଼ନ, ନଶ୍ବରତା, ବିଷାଦପ୍ରବଣତା ଓ ରସ, ରାଗ ଓ ରଞ୍ଜନର ସମନ୍ଵୟରେ ଘଟିତ ଏକ ଯୁଗପ୍ରବର୍ତ୍ତନ । ଆଉ ଏହି ବର୍ଣ୍ଣିତ ରସଗର୍ଭା ଓ ଚେତନା ପ୍ରଗଲ୍ଭ ସୂତ୍ରରେ ଐତିହାସିକ ନାମାଙ୍କନରେ କବିବରଙ୍କ କୃତ ‘ନନ୍ଦିକେଶ୍ଵରୀ’ କାବ୍ୟ ଅନ୍ୟତମ । ଏହା ମଧ୍ୟରେ ଚରିତ୍ର ଚିତ୍ରଣର ଅଭୂତପୂର୍ବ ଛଟା ଏବଂ ମାନବୀୟ ସମ୍ଵେଦନା ଗର୍ଭିତ ।
୧୮୮୬ ମସିହା ନଭେମ୍ବର ମାସରେ କଟକ ସ୍ଥିତ ଭିକ୍ଟୋରିଆ ପ୍ରେସ୍’ରୁ ମୁଦ୍ରିତ ‘ନନ୍ଦିକେଶ୍ଵରୀ’ କାବ୍ୟ ଇତିହାସ ପ୍ରଥିତ କଟକ ନଗରୀକୁ କେନ୍ଦ୍ର କରି ରାଜା ଚୋଡ଼ଗଙ୍ଗ ଦେବ ଓ ତାଙ୍କ ସେନାପତି ବାସୁଦେବ ବାହିନୀପତି ତଥା ଏହି କାବ୍ୟସୌଧ ଓ ନିହିତ ମର୍ମରେ ଥିବା ନାରୀ ନନ୍ଦିକାର ସକରୁଣ ପ୍ରତିବେଦନ ମଧ୍ୟରେ ଆବର୍ତ୍ତିତ । କିମ୍ବଦନ୍ତୀ ବିଶ୍ରୁତ କେଶରୀ ବଂଶୀୟ ଶେଷ ରାଜା ସୁବର୍ଣ୍ଣକେଶରୀଙ୍କ ସହ ଗଙ୍ଗବଂଶର ଉଦ୍ୟୋକ୍ତା ଚୋଡଗଙ୍ଗ ଦେବଙ୍କ ସହ ଯୁଦ୍ଧ ବୃତ୍ତାନ୍ତର ପୃଷ୍ଠଭୂମିରେ ପର୍ଯ୍ୟବସିତ । ଇତିମଧ୍ୟରେ ସୁବର୍ଣ୍ଣ କେଶରୀଙ୍କ କନ୍ୟା ଶତ୍ରୁ ବୀର ଚୋଡଗଙ୍ଗଙ୍କୁ ପ୍ରେମ ନିବେଦନ କରି ନିଷ୍ଠୁର ପ୍ରତ୍ୟାଖ୍ୟାନର ସମ୍ମୁଖୀନ ହୁଅନ୍ତେ ବିଷପାନ କରି ମରଦେହକୁ ଆତ୍ମସାତ୍ କରିଛନ୍ତି ।
ଅନେକତଃ ସମାଲୋଚନାର ଶରବ୍ୟ ହୋଇଥିବା ଏହି ନନ୍ଦିକେଶ୍ଵରୀ କାବ୍ୟର ଐତିହାସିକ ନାମ ପଛରେ ଥିବା ପାଶ୍ଚାତ୍ୟ ଉପସ୍ଥିତି ପାଇଁ ଦାୟୀ ହେଉଛି ପ୍ରସିଦ୍ଧ ଇଂରାଜୀ ରୋମାଣ୍ଟିକ୍ କବି ଲର୍ଡ ଜର୍ଜ ବାୟରନ୍ ଙ୍କ ‘Seige of Corinth’ (୧୮୧୬) କାବ୍ୟର ଛଟା ଦ୍ଵାରା ବହୁଳ ଅନୁସୃତ ହୋଇଥିବାର ଲକ୍ଷିତ । ୧୭୧୫ ଖ୍ରୀଷ୍ଟାବ୍ଦର ଗ୍ରୀସୀୟ ସହର କରିନ୍ଥନଗର ତୁର୍କୀୟଙ୍କ ଦ୍ଵାରା ଅଧିକୃତ ହେବା ସହ ଭେନିସ୍ ନଗରୀର ଅଧିପାଳ ‘ମିନୋଟି’ଙ୍କ କନ୍ୟା ‘ଫ୍ରାନସେସ୍କା’ ତୁର୍କୀୟବାହିନୀର ଅଗ୍ରଣୀ ବୀରପୁରୁଷ ‘ଆଲ୍ପ’ଙ୍କ ସହ ପ୍ରେମରେ ପଡିବା, ଇସଲାମ ଦୀକ୍ଷିତ ଆଲ୍ପଙ୍କୁ ଧର୍ମାନ୍ତର ନ ହେବାକୁ ନାନା ଅନୁଯୋଗ, ଆଲ୍ପଙ୍କ ପ୍ରତ୍ୟାଖ୍ୟାନ ଓ ପ୍ରେମିକାର କରୁଣ ଆତ୍ମାହୁତି ଏହାର ବର୍ଣ୍ଣିତ ବିଷୟ ।
ସମାଲୋଚକ କଥିତ ଏହି ଐତିହାସିକ ମୂଲ୍ଯଶୂନ୍ୟ କାବ୍ୟରେ ଐତିହାସିକ ନାମଧେୟ ଚରିତ୍ରମାନେ ଯେପରି ରାଜା ଚୋଡଗଙ୍ଗ, ବାସୁଦେବ ବାହିନୀପତି, ଗଙ୍ଗା, ନନ୍ଦିକା ଓ ବିଡାନାସୀ କଟକ ତଥା କୋଳାହଳ ନଗରୀ ଉପରୋକ୍ତ ଭେନିସ୍ ସହର, କରିନ୍ଥନଗର, ମିନୋଟି, ଆଲ୍ପ ଓ ଫ୍ରାନସେସ୍କାଙ୍କ ସ୍ଥାନୀୟତା ଓ ଉତ୍କଳୀୟ ପୃଷ୍ଠଭୂମିରେ ପର୍ଯ୍ୟବସିତ । ଦୁଇଟି ଭାଗରେ ରଚିତ ଏହି କବିତାରେ ବିଷୟବସ୍ତୁ ହେଉଛି ରାଜା ସୁବର୍ଣ୍ଣ କେଶରୀ ପ୍ରଥମେ ଗଡଚଣ୍ଡୀଙ୍କ ନିକଟରେ ଅନୁଗ୍ରହପ୍ରାର୍ଥୀ ହେବା ପରେ ଗଡଚଣ୍ଡୀ ତାଙ୍କଠି ସନ୍ତୁଷ୍ଟ ହୋଇ ଦେଲେ ଶତ୍ରୁଜୟୀ ଜୈତ୍ରମଣି । ଏଥି ସହ ଦେବୀଙ୍କ ଆଜ୍ଞା ପାଇ ଗଡ ଦ୍ଵାର ରୁଦ୍ଧ କରି ରହିଲେ।
ହେଲେ ଯୁଦ୍ଧୋଦ୍ୟତ ଉଭୟ ବିପକ୍ଷ ଓ ପକ୍ଷଙ୍କର ଅପେକ୍ଷା କାରଣରୁ ଧୈର୍ଯ୍ୟଚ୍ୟୁତି ଘଟେ । ଏକ ରାତି ଅପେକ୍ଷା କରି କିନ୍ତୁ ପରେ ଚୋଡଗଙ୍ଗ ଶିବିରରୁ ଅନ୍ତର୍ହିତ ହେବା ପରେ ସେ ଫେରି ଗଙ୍ଗମାତାଙ୍କ ଆବିର୍ଭାବ ଉପାଖ୍ୟାନ ଜଣାଇବା ସହ ଯୁଦ୍ଧ ନିମିତ୍ତ ସମ୍ଭାଷଣ ପ୍ରତି ସାବଧାନ ହେଲେ । ଦ୍ଵିତୀୟ ସର୍ଗରେ କିନ୍ତୁ ଶତ୍ରୁ ଫେରିଯିବାର ଜାଣି ବିଡାନାସି ଗଡ ଉତ୍ସବିତ ହେଇଯିବା ମଧ୍ୟରେ ଲୁଚିକି ଜୈତ୍ରମଣି ଧରି ନନ୍ଦିକା ଯାଉଛି ଚୋଡଗଙ୍ଗଙ୍କ ପାଖକୁ । ହେଲେ ଯୁଦ୍ଧପ୍ରବଣ ଓ ଲୋକସମାଜର ଗତିରୋଧ ସତ୍ତ୍ଵେ କୁମାରୀ ମନର ବୀରପୁରୁଷଙ୍କ ପ୍ରତି ଅଗାଧ ଅନୁରକ୍ତି ଜଣାଇଛି ସମସ୍ତ ବାଧାପ୍ରତିବନ୍ଧକର ଦ୍ରୋହାଚାରରେ ।
ଘୋର ରକ୍ତପାତ, ଅତନ୍ଦ୍ର ଦୁଃଖୀ ସୈନ୍ୟ ସଭ୍ୟମାନଙ୍କ ଦୁରବସ୍ଥାରେ ସାମ୍ରାଜ୍ୟବିସ୍ତାରୀ ଆଧିପତ୍ୟର କରୁଣ ଚିତ୍ରଣ ମଧ୍ୟରେ ପୁନଶ୍ଚ ନବୀନା ବାଳା ନନ୍ଦିକା ସହିଲେ ଏକ ଘୋର ପ୍ରତ୍ୟାଖ୍ୟାନ । ଦେଶ, ରାଜା ଓ ପିତାଙ୍କ ପ୍ରତି ଦ୍ରୋହାଚାରରେ ଦାୟୀ କରିଥିଲେ ଚୋଡଗଙ୍ଗ । କାରୁଣ୍ୟ ପ୍ଳାବିତା ନନ୍ଦିକା ପରବର୍ତ୍ତୀ ଦିନ ଆତ୍ମହତ୍ୟା କରିବା ପରେ କିନ୍ତୁ ପିତାଙ୍କୁ ଅତି ମର୍ମସ୍ପର୍ଶୀ ଭାବେ ଲେଖିଲା ଯେ ନିଜେ ପତି ରୂପେ ମାନ୍ୟ କରୁଥିବା ଚୋଡଗଙ୍ଗଙ୍କୁ ନିଜ ଜାମାତାପ୍ରତିମ କରି ନନ୍ଦିକାଙ୍କୁ ମାନବସଞ୍ଚାର ବିରଳ ସ୍ଥାନରେ ସମାଧି ଦେବେ । ନନ୍ଦିକାର ଶେଷକୃତ୍ୟ ଅନ୍ତେ ସୁବର୍ଣ୍ଣ କେଶରୀ ବନବାସୀ ହେଇ ଜୀବନ ଯାପିବା ସହ ଜୈତ୍ରମଣି ଶ୍ରୀକ୍ଷେତ୍ର ପଠାଇ ଦିଆଗଲା ।
ସେଥିପାଇଁ ସଚ୍ଚି ରାଉତରାୟ ମଧ୍ୟ ଲେଖନ୍ତି ନିଜ ‘ଅସମାପିକା’ କବିତାରେ, ‘ରଖିଚ ଗୋପନ କରି ନେପଥ୍ୟରେ, ସେ ଅବଗୁଣ୍ଠନ/ବିଶ୍ଵର ମରମୀ ପ୍ରାଣେ ସିଂହାସନ କରିବି ରଚନ ।’ ଅପ୍ରାପ୍ତିର ବ୍ୟଥାରୁ ତିକ୍ତ ହୃଦୟର ଫଲଗୁ ମୁହୂର୍ତ୍ତକ ଲାଗି ସ୍ତିମିତ ହେଇଗଲା, ହେଲେ ଆଜି ନନ୍ଦିକେଶ୍ଵରୀ ପଠା ଭାବରେ ତାହାର ଯୌବନୋଚ୍ଛଳ ପ୍ରେମ, ଅସରନ୍ତି ଅଶ୍ରୁ ଓ ଅନୁରାଗର ସହାନୁଭୂତିକୁ ଊର୍ବର କରି ରଖିଛି । ଆଉ ସେହି ଗାଥାର ଉପସ୍ଥାପନା କରୁଛୁ ଏବଂ ଆସନ୍ତା ଦିନମାନଙ୍କରେ ଅତିଶୀଘ୍ର ରାଧାନାଥଙ୍କ ଏହି ଭାବବୈଚିତ୍ର୍ୟ ସମ୍ବନ୍ଧୀୟ ଆଲେଖନ ଆପଣଙ୍କ ଲାଗି ସହୃଦୟତାର ସହ ଆଗତ କରାଯିବ ।
ଉପସ୍ଥାପନା: ଅମୃତେଶ ଖଟୁଆ
Amritesh Khatua
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

7 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago