ଲେଖା: ଦେଵ ତ୍ରିପାଠୀ
୧୮୦୩ ମସିହା, ସେପ୍ଟେମ୍ବର ୮ ତାରିଖ ।
ଗଞ୍ଜାମ ମାଟିରୁ ଏକ ବିଶାଳ ସୈନ୍ୟବାହିନୀ ପ୍ରସ୍ତୁତ ହେଉଥିଲେ ଏକ ବହୁପ୍ରତୀକ୍ଷିତ ଯୁଦ୍ଧାଭିଯାନ ପାଇଁ ! ବ୍ରିଟିଶ ସେନାର #କର୍ଣ୍ଣେଲ_ହାରକୋଟ୍ ଙ୍କ ନେତୃତ୍ବରେ !
ଆଜି କର୍ଣ୍ଣେଲଙ୍କ ମନ ଉଚ୍ଚାଟ ! ଦୀର୍ଘ ଦିନର ଇପ୍ସିତ ଏ ଯାତ୍ରା ! ଏ ଅଭିଯାନ ! ଏ ସମରାଭିଯାନ ଗୋଟିଏ ବିଶାଳ ଜାତିର #ସ୍ବାଭିମାନର_ହତ୍ୟା ପାଇଁ ! #ଆତ୍ମିକ_ଦହନ ପାଇଁ !
ମନେ ମନେ କୁରୁଳି ଉଠୁଥିଲେ କର୍ଣ୍ଣେଲ ! ଉତ୍କଳ ଭୂଖଣ୍ଡର ଭାଗ୍ୟଶ୍ରୀକୁ ହରଣ କରିବେ ସେ !
ସେ ଜିଣିବେ ଓଡ଼ିଆ ଜାତିର ପ୍ରଧାନ ରଙ୍ଗସ୍ଥଳୀକୁ !
ସେଇ ରଙ୍ଗସ୍ଥଳୀ – ଯାହାରି କୋଳରେ ଆଶ୍ରିତ ପ୍ରତିପାଳିତ ହୋଇ ଏ ଜାତିର ଟେକ ରଖିଛନ୍ତି କେତେ କେତେ ନରପତି !
ଉତ୍କଳକୁ ବହିଃଶତ୍ରୁ ଆକ୍ରମଣରୁ ସୁରକ୍ଷା ଦେଇଆସିଛି, ଦୀର୍ଘ କାଳ ଧରି !
ଭାରତବର୍ଷର ଅନ୍ୟାନ୍ୟ ଭୂଖଣ୍ଡ ଆଫଗାନ/ମୋଗଲଙ୍କ ଅତ୍ୟାଚାରରେ ତ୍ରାହି ତ୍ରାହି ଡାକୁଥିଲା ବେଳେ, ଉତ୍କଳ ଭୂଖଣ୍ଡରେ ସ୍ବାଧୀନତାର ଗୌରବଧ୍ୱଜା ଉଡ଼ାଇ ଚାଲିଥିଲା ଯେଉଁ ସ୍ଥଳୀ !
ଉତ୍କଳ ଆକାଶର ଯିଏ ଥିଲା ଧ୍ରୂବତାରା !
ଉତ୍କଳୀୟ ନରପତିମାନଙ୍କର ଅମୂଲ୍ୟ ସମ୍ପଦ, ପରମ ଶାନ୍ତିସ୍ଥଳ, ସର୍ପମଣି ତୂଲ୍ୟ ! ସ୍ବର୍ଗର ପାରିଜାତସମ !
ବୀରଯୋଦ୍ଧୃମାନଙ୍କର ପରମ ଆବେଗମୟ ପୀଠ ! ଯାହାକୁ ମାନସଚକ୍ଷୁରେ ରଖି, ଯାହାକୁ ଦେବତୂଲ୍ୟ ମଣି ଉତ୍କଳୀୟ ଯୋଦ୍ଧାଗଣ ଲଙ୍ଘୁଥିଲେ ସମରସାଗର !
ଓଡ଼ିଶା ଇତିହାସର ଅସୁମାରୀ ସମ୍ପଦ, ବିପଦ, ସନ୍ଧିବିଗ୍ରହର ଜୀବନ୍ତ ସାକ୍ଷୀପ୍ରାୟ ଦଣ୍ଡାୟମାନ ସେଇ ଭବ୍ୟ, ସୁବିଶାଳ, ସୁଶୋଭିତ, #ବୀରରକ୍ତସିକ୍ତ #ବାରବାଟୀ ! “ଭୂକାନ୍ତ କଟକମ୍ କଟକ ନଗରୀମ୍”ର ବକ୍ଷଦେଶରେ !
ଦିନ ଥିଲା, ସେଇ ବାରବାଟୀ ଦୁର୍ଗର ବିଭବ ବେଳାରେ, ଅଦମ୍ୟ ଶକ୍ତି ଲୋକୋତ୍ତର ଗୁଣସମ୍ବଳିତ ଓଡ଼ିଆ ଗଜପତିମାନଙ୍କ ଶାସନ କାଳରେ, ଏ ଭୂଖଣ୍ଡର ପୁର, ପଲ୍ଲୀ, ପର୍ବତ, ପ୍ରାନ୍ତର ଅବା ଅରଣ୍ୟ ତେଜସ୍ଵୀ ସେନା ଓ ସୁଦୃଢ଼ ଦୁର୍ଗମାଳାରେ ପରିପୂର୍ଣ୍ଣ ଥିଲା !
#ଗଜପତି ଯେପରି #ନବକୋଟି_କର୍ଣ୍ଣାଟ_କଳବର୍ଗ ର ଅଧୀଶ୍ଵର ଥିଲେ, ଏଇ ବାରବାଟୀ ସେପରି #ଅସଂଖ୍ୟ_ଦୁର୍ଗର_ଶିରୋଭୂଷଣ ଥିଲା ! ସେ ସମସ୍ତ ଦୁର୍ଗରୁ ବାରବାଟୀର ସ୍ବାଧୀନତା ଶକ୍ତି ବିକୀର୍ଣ୍ଣ ହେଉଥିଲା, ଗଙ୍ଗାଠାରୁ କୁମାରୀକା ପର୍ଯ୍ୟନ୍ତ ସମୁଦାୟ ଭୂଖଣ୍ଡ ଯୁଦ୍ଧପ୍ରିୟ ଓଡ଼ିଆ ବୀରଙ୍କ କ୍ରୀଡ଼ାସ୍ଥଳୀ ଥିଲା ଏବଂ ପ୍ରାୟ ସମଗ୍ର ଭାରତବର୍ଷ ଅନୁଭବ କରୁଥିଲେ ଓଡ଼ିଆଙ୍କ ଶକ୍ତି ଓ ସାମର୍ଥ୍ୟ !
ସେଇ ଅଭେଦ୍ୟ ବାରବାଟୀ ହିଁ ଉତ୍କଳ, #ଉତ୍କଳ_ହିଁ_ବାରବାଟୀ, ଏକଥା ହୃଦୟଙ୍ଗମ କରିଥିଲେ କର୍ଣ୍ଣେଲ ! ଚିଲିକା ଓ ସମୁଦ୍ରପଥରେ ମାଣିକପାଟଣା, ନରସିଂହପାଟଣା ଦେଇ ପୁରୀରେ ପହଞ୍ଚିଥିଲେ ହାରକୋଟ୍ ବାହିନୀ ! ବ୍ରିଟିଶବାହିନୀ ପରି ମରାଠାମାନେ ଯେ ବାରବାଟୀ ପ୍ରତି ମୋହାସକ୍ତ ଏକଥାକୁ ବିଚକ୍ଷଣ କର୍ଣ୍ଣେଲ ଧ୍ୟାନ ଦେଇ ପ୍ରସ୍ତୁତ ହୋଇଥିଲେ ! ଅକ୍ଟୋବର ୪ ତାରିଖରେ ମୁଷ୍ଟିମେୟ ମରାଠାସୈନ୍ୟଙ୍କୁ ପରାଜିତ କରି ଆଗେଇ ଚାଲିଲେ ସେ !
ମରାଠାମାନେ ଯେ ସହଜରେ ହଟିବେ ନାହିଁ ସେ ଆଶଙ୍କା ଥିଲା ବ୍ରିଟିଶ ବାହିନୀର । ମାତ୍ର କାଠଯୋଡ଼ିର ଅପର ପାର୍ଶ୍ଵରେ ହାରକୋଟ୍’ଙ୍କର ବିଶାଳ ସେନାପଟୁଆର ଦେଖି #ଲାଲବାଗ_କୋଠି ର ମରହଟ୍ଟା କର୍ମଚାରୀ ଆତ୍ମଗୋପନ କଲେ ବାରବାଟୀ ଦୁର୍ଗରେ ! କଟକର ସାଧାରଣ ଜନତା ଭୀତତ୍ରସ୍ତ ହେଲାବେଳକୁ ଧନୀକ, ସାମନ୍ତଶ୍ରେଣୀୟ ଲୋକେ ସହର ଛାଡ଼ି ଟାଙ୍ଗୀ ଚୌଦ୍ବାର ଆଡ଼କୁ ପଳାୟନ କଲେ !
ଅକ୍ଟୋବର ୮ ତାରିଖ । ମରାଠାମାନଙ୍କୁ ଦୁର୍ବଳ ଭାବି ନ ଥିଲା ବ୍ରିଟିଶବାହିନୀ ! ଉତ୍କଳ ମାଟିର #ବୀରତ୍ୱ_ତଥା_ପ୍ରଶାସନିକ_ଶକ୍ତିର_ପ୍ରତୀକ ବାରବାଟୀକୁ ଅକ୍ତିଆର କରିଥିବା ଜାତିର ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ କର୍ଣ୍ଣେଲ ଓ ତାଙ୍କର ବିଶାଳବାହିନୀ ! ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ତୋପଗୋଳା ଇତ୍ୟାଦିରେ ସଜିଲ ହେଲେ ସେନା ! ବିଚକ୍ଷଣ କର୍ଣ୍ଣେଲ ଅବଶ୍ୟ ପରଖି ନେଇଥିଲେ ବାରବାଟୀର ବିଶାଳତାକୁ ! ୨୦ରୁ ୩୦ ପାହୁଣ୍ଡ ପ୍ରସ୍ଥର ବିଶାଳ ପ୍ରସ୍ତରପ୍ରାକାର ବେଷ୍ଟିତ ଆଠଗୋଟି ସୁଉଚ୍ଚ ଅଟ୍ଟାଳିକା ଦ୍ଵାରା ସୁରକ୍ଷିତ ବାରବାଟୀ ! ସେଇ ବାରବାଟୀକୁ କବଳିତ କରିବାର ଅଭୀପ୍ସାରେ କର୍ଣ୍ଣେଲଙ୍କ ଯୁଦ୍ଧ ପ୍ରସ୍ତୁତି ଥିଲା ଦୀର୍ଘ ସାତ ଦିନର !
ଅକ୍ଟୋବର ୧୪ ତାରିଖ । ବ୍ରିଟିଶବାହିନୀର ସାମରିକ ଶକ୍ତି ଅବଲୋକନରେ ମାନସିକ ସ୍ତରରେ ହାରିସାରିଥିଲେ ମରାଠାସୈନ୍ୟ ! ସକାଳ ୧୦ ଘଣ୍ଟା ସମୟ ବେଳକୁ ମରାଠା ଅବରୋଧକାରୀଗଣ ଲୁଚି ରହିଥିବା ଗହ୍ୱରଗୁଡ଼ିକ ମଧ୍ୟ ଦେଇ ଅଚିରେ ଦୁର୍ଗ ଭିତରକୁ ପ୍ରବେଶ କଲେ ହାରକୋଟ୍’ଙ୍କ ସେନା ! ଆତ୍ମସମର୍ପଣର ସୁଯୋଗ ପାଇ ନ ଥିଲେ ମରାଠାସୈନ୍ୟ ! ପ୍ରାଚୀର ଉପରୁ ଲମ୍ଫ ଦେଇ ଅବା ଅନ୍ୟ ବାଟରେ ପଳାୟନ କଲାବେଳକୁ ପଶ୍ଚାତଧାବନ ପୂର୍ବକ ସେମାନଙ୍କୁ ହତ୍ୟା କରି ଚାଲିଥିଲେ ବ୍ରିଟିଶ ସେନା ! କୁହାଯାଏ ଆତ୍ମରକ୍ଷାର ତିଳେମାତ୍ର ସୁଯୋଗ ନ ପାଇ ହତ ହୋଇଥିବା ୩୦୦ରୁ ଉର୍ଦ୍ଧ୍ବ ମୃତଦେହ ବଳଦଗାଡ଼ିରେ ଲଦା ହୋଇ ବନ୍ୟଜୀବଙ୍କ ଆହାର ନିମନ୍ତେ ନଦୀ ମଧ୍ୟରେ ନିକ୍ଷିପ୍ତ ହେଇଥିଲା !
ଉତ୍କଳର ‘ପୂର୍ବକୀର୍ତ୍ତିସ୍ମୃତି-ପୂତ-ବାରବାଟୀ’ର ଗୌରବାବହ ଗାଥା ତଥା ଐତିହାସିକମାନଙ୍କ ବିବରଣୀରେ ପଢ଼ିଥିଲେ ହାରକୋଟ୍ ! ମନେ ପକାଉଥିଲେ #ବ୍ରୁଟନ ଙ୍କ ସେଇ କଥାପଦିକ, So Large in Extent and so Magnificent in Structure . . ! ସେତୁର ସାହାଯ୍ୟ ନ ନେଇ ଦୁର୍ଗକୁ ପ୍ରବେଶ କରିବା ଥିଲା ଅସମ୍ଭବ ! ସମ୍ପୂର୍ଣ୍ଣ ଦୁର୍ଗକୁ ଅକ୍ତିଆର କରିବା ପୂର୍ବରୁ ତିନୋଟି ବିଶାଳ ଫାଟକ ଅତିକ୍ରମ କରିବାକୁ ପଡ଼ିଥିଲା ବ୍ରିଟିଶ ସେନାକୁ ! ଓସାରିଆ ଓ ଗଭୀର ଗଡ଼ଖାଇରୁ ଶତାଧିକ କୁମ୍ଭୀରଙ୍କୁ ମାରି ଦିଆଗଲା କିମ୍ବା ମହାନଦୀରେ ଛାଡ଼ି ଦିଆଗଲା !
ମରାଠାମାନଙ୍କ ହାତରୁ ଅଚିରେ ଛଡ଼ାଇ ନେଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଦୁର୍ଗକୁ ଆୟତ୍ତ କରିବାକୁ ପାଞ୍ଚଦିନ ସମୟ ଲାଗିଗଲା ବ୍ରିଟିଶ ସେନାକୁ ! ଶେଷକୁ ଗଡ଼ ଜିତିଲେ କର୍ଣ୍ଣେଲ ହାରକୋଟ୍ ! ଅକ୍ଟୋବର ୧୯ ତାରିଖରେ ସେଇ କଳଙ୍କିତ ସନ୍ଧ୍ୟାରେ ୧୩୦୦ ବର୍ଗ ମାଇଲ୍ କ୍ଷେତ୍ରବିଶିଷ୍ଟ ତଥା ୩୦ ଲକ୍ଷ ଲୋକାଧିବାସ ପ୍ରସିଦ୍ଧ ଉତ୍କଳଭୂମି ଅନ୍ତର୍ଭୁକ୍ତ ହେଲା ବ୍ରିଟିଶ ରାଜତ୍ଵର !
ଧନ୍ୟ ତୁମେ ହାରକୋଟ୍ ! ଏ ମାଟିର ଯେଉଁ ସର୍ବଶ୍ରେଷ୍ଠ ଅମୂଲ୍ୟ ସମ୍ପଦ ପ୍ରବଳ ପ୍ରତାପୀ ମୋଗଲମାନଙ୍କୁ ସ୍ତମ୍ଭିତ କରିଥିଲା, ଯାହା ପ୍ରଭାବରେ ଉତ୍କଳ ହୋଇପାରିଥିଲା #ଭାରତବର୍ଷର_ଅଦ୍ୱିତୀୟ_ପ୍ରଦେଶ; ସେଇ ପାରିଜାତସମ ସମ୍ପଦକୁ ହାତେଇପାରିଲ ତୁମେ !
କାହିଁକି ତୁମେ ଚୂର୍ଣ୍ଣ କଲ ଏ #ବୀରମାଟି ବାରବାଟୀର ଦର୍ପ ?
କାହିଁକି ସୁପ୍ତ ସିଂହର ଦ୍ୱାରଦେଶରେ ଗର୍ଜି ଉଠିଲା ତୁମ ତୋପର କ୍ରୋଧ ?
କେତେ ଦିନର କ୍ରୋଧ ଥିଲା ତୁମ ବ୍ରିଟିଶ ଜାତିର, ଏ ଓଡ଼ିଆ ଜାତି ଉପରେ ? ଓଡ଼ିଆଙ୍କ #ନୌବାଣିଜ୍ୟ ଦିନର ?
ବେପାର ଦସ୍ୟୁମାନଙ୍କୁ ପରାଜିତ କରିଥିବା #ଅନଙ୍ଗଭୀମ_ଦେବଙ୍କ ପରାକ୍ରମର ପ୍ରତିବାଦ ଓ ପ୍ରତିଶୋଧ ନେଲ ତୁମେ ? ଏତେ ଶତାବ୍ଦୀ ପରେ ?
ଦୀର୍ଘ ଦୁଇ ଦଶନ୍ଧିର ଅଭିଜ୍ଞତା ତଥା ଐତିହାସିକ ବିବରଣୀ ଆଦିରୁ ବ୍ରିଟିଶ ସରକାର ଠଉରାଇ ନେଇଥିଲେ – ପ୍ରାଚୀନ ବାରବାଟୀ ଦୁର୍ଗର ପ୍ରାଚୀନତା ଯେ ଓଡ଼ିଆ ଜାତିର ଭବିଷ୍ୟତରେ ଆଦର୍ଶ ହୋଇ ପାରେ; ସେଇ ଆଦର୍ଶକୁ ପରମ ସମ୍ବଳ ମନେ କରି ଜାତୀୟ ହୃଦୟରେ ଆକାଙ୍କ୍ଷା ଜନ୍ମିପାରେ ! ସେଇ ସ୍ମୃତିବିଜଡ଼ିତ ଦୁର୍ଗର ପଥରଖଣ୍ଡଗୁଡ଼ିକ ଓଡ଼ିଆ ଜାତୀୟ ଜୀବନପ୍ରାସାଦର ଭିତ୍ତି ହୋଇପାରେ !
ତାକୁ ଯଦି ଓଡ଼ିଆ ଜାତିର ପାଦଦଳନର ସାମଗ୍ରୀ କରିଦିଆଯାଏ ?
ଓଡ଼ିଆ ଜାତି ଯେ ଡାକ୍ତରଖାନା ବିନା ରୋଗରେ ପ୍ରାଣ ତ୍ୟାଗିପାରେ ! ରାସ୍ତା ବିହୁନେ ପଥକ୍ଳେଶ ସହିପାରେ ! ମାତ୍ର‌ ପ୍ରତ୍ନସ୍ମୃତି ଓ ପରମ୍ପରାର ଉଦବୋଧନ ବିନା ହତହେବ ତା’ର ଜାତୀୟ ଜୀବନ !
ଓଡ଼ିଆଙ୍କ ଜାତୀୟ ଜୀବନକୁ ତିଳ ତିଳ କରି ହତ୍ୟା କରିଚାଲିଲେ ବ୍ରିଟିଶ ସରକାର ! ବାରବାଟୀ ଦୁର୍ଗର ପଥରଗୁଡ଼ିକୁ ସହରର ରାସ୍ତା ନିର୍ମାଣ, କାଠଯୋଡ଼ି ବନ୍ଧ ମରାମତି ଅବା ଡାକ୍ତରଖାନା ନିର୍ମାଣରେ ଲଗାଇ ! ସେ ହତ୍ୟାକାଣ୍ଡର ଯୋଜନାରେ ଜଡ଼ିତ ଥିଲେ କଟକର ତତ୍କାଳୀନ କମିଶନର Thomas Packenham ତଥା G. Becher, J.A.Sulej, Captain Harris, Er. John Macmillan, Er. G. Stockwell, Col. H. Gladwin ପ୍ରମୁଖ !
ଚିତ୍ର: Deba Prasad Swain, Prashant Sahu, livehistoryindia.com, Deepak Kumar Nayak, Cuttack Heritage Walks Divyadarshini Panda,
Spread the love
admin

View Comments

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

3 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago