ଲେଖା: ଡ. ଜୟଶ୍ରୀ ନନ୍ଦ

~ ଆମ ପାରମ୍ପରିକ ଖାଦ୍ୟ: ମୁଢ଼ି ~
“ମୁଢ଼ିନଡ଼ିଆ.. ତାକୁ ଭଲ କି ଚିନ୍ହିଛି ଓଡ଼ିଆ
ଉଷୁମ ଥିବ ମୁଢ଼ି ହୋ, ନଡିଆ ପାତି ଥିବ ପଡି
ଘାଣି ସୋରିଷ ତେଲ, ତା ତୁଲେ ଥିବ ଜଡି
ଚାଖିଲେ ଲାଗୁଥିବ ବଢିଆ ହୋ
ମୁଢ଼ିନଡ଼ିଆ.. ତାକୁ ଭଲ କି ଚିନ୍ହିଛି ଓଡ଼ିଆ”
ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ଗୀତ । ଆପଣ ନିଶ୍ଚେ ଶୁଣିଥିବେ। ଏଥିରୁ ତ ଅନୁମାନ କରିସାରିଥିବେ ଆଜି ଅନ୍ତରଙ୍ଗ କଳିଙ୍ଗର ପ୍ରୟାସ ଆମର ଆଉ ଏକ ପାରମ୍ପରିକ ଖାଦ୍ୟ ଉପରେ ଆମ ପାରମ୍ପରିକ ଖାଦ୍ୟକୁ ଟିକେ ଶ୍ରଦ୍ଧାସମ୍ମାନ ଦେବା ପାଇଁ । ପରପିଢ଼ୀକୁ ଏ ସବୁର ସ୍ବାଦ ସହ ପରିଚୟ କରାଇବା ପାଇଁ ।
(ଘିଅକୋରୁଅମୁଢ଼ି)
ମୁଢ଼ି ! ଖାଲି ଏକ ପାରମ୍ପରିକ ଖାଦ୍ୟ ନୁହେଁ ଆମ ସମସ୍ତଙ୍କର ଅତି ପ୍ରିୟ । ପ୍ରତି ଓଡ଼ିଆର ଆନ୍ତରିକ ଆବେଗ ଓ ଭାବପ୍ରବଣତା ସହ ନିବିଡ ଭାବେ ଜଡିତ । ଗରିବରୁ ଧନୀ ଯାଏ ପ୍ରତି ଓଡିଆ ଘରେ ଏହା ନିଶ୍ଚିତ ଥାଏ । କହିଲେ ଚଳିବ ଆମକୁ ବର୍ଷର ବାରମାସ ଦରକାର। ସକାଳ ଜଳଖିଆରୁ ସନ୍ଧ୍ୟା ବେଳ ଯାଏ ଦରକାର । ବର୍ଷା ଶୀତ ସବୁ ୠତୁରେ ଦରକାର । ଘରେ କ୍ଷୀର ଶିଝା ହେଲେ ମୁଢ଼ି ଦରକାର, ବସାଦହି ଥିଲେ ଦରକାର, ଘିଅ ମରା ହେଲେ ବି ମୁଢ଼ି ଖୋଜାପଡେ । ନଡ଼ିଆ ଥିଲେ ତ ନିଶ୍ଚେ ମୁଢ଼ିର ଆବଶ୍ୟକତା ପଡେ। ଆଜ୍ଞା କହିବା କଥା ମୁଢ଼ି ବିନା ଆମ ଓଡ଼ିଆ ଆଉ ଓଡ଼ିଆଙ୍କ ବିନା ମୁଢ଼ିକୁ ଭାବି ହେବନି । ମୁଢ଼ିକୁ କେହି କେହି (Indian biscuit) ବି କହନ୍ତି, ଏଇ ନାମରେ ବଡ ଜଣାଶୁଣା ।
(ସିଝାକ୍ଷିର, ମୁଢ଼ିକଦଳୀ  ଗୁଡ ଚକଟା)
ବର୍ଷା ଆରମ୍ଭ ହେଲେ ମୁଢ଼ି ଖୋଜା ପଡିବ । କିଏ କେମିତି ବିଭିନ୍ନ ପ୍ରକାରେ ଖାଇବାକୁ ପସନ୍ଦ କରନ୍ତି । ବର୍ଷା ଓ ଶୀତ ଦିନରେ ଚାରି ଛଅ ଜଣ ସାଙ୍ଗ ସାଥୀ ବା ପରିବାର ଥିଲେ ଅଦାପକା ଚା କପେ ସହ ଆହାଃ ଏ ସ୍ବାଦ ସବୁକୁ ଶବ୍ଦ କାହିଁ ଲେଖିବାକୁ । କିଏ କେମିତି ପସନ୍ଦ କରନ୍ତି ଖାଇବାକୁ । ସମସ୍ତଙ୍କର ସ୍ବାଦ ପସନ୍ଦ ତ ଭିନ୍ନ ପରସ୍ପର ଠାରୁ । କିଏ ପସନ୍ଦ କରନ୍ତି ଚାହାମୁଢ଼ି, #ସିଝାକ୍ଷିର ମୁଢ଼ି, #ମୁଢ଼ିନଡିଆ, ସୋରିଷତେଲ କଞ୍ଚାଲଙ୍କା ପିଆଜ, ମୁଢ଼ିବସା ଦହିଗୁଡ, ମୁଢ଼ିକଦଳୀଖୁଡ, ମୁଢ଼ିଆମ୍ବ ସୋଦୁଅ, ମୁଢ଼ି ସହ ସଜମରା ଘିଅକୋରୁଅ ! ଏତିକି ପରେ ଆହୁରି କେତେ ଯେ ଅଛି, କେତେ ଭିନ୍ନ ପ୍ରକାରରେ ଏହି ପାରମ୍ପରିକ ଖାଦ୍ୟଟି ଆମର ମନକୁ ପେଟକୁ ଆତ୍ମାକୁ ଶାନ୍ତି କରାଏ, ଲେଖିଲେ ପୋଥିଟିଏ ହେବ।
(ମୁଢ଼ିମୁଆଁ)
ଓଡ଼ିଶା କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଆମ ଚାଷୀ ଭାଇଙ୍କର ବି ଏହା ସହ ବହୁତ ଆନ୍ତରିକତା । ଚାଷୀଭାଇଟି ଯେତେବେଳେ କାମକରି ଥକି ପଡେ ତାର ବହୂଟି ବା ଘରଣୀଟି ତା ପାଇଁ ଚାହାମୁଢ଼ି ନେଇ ନେଇଆସେ ବିଲକୁ । ଚାଷୀଭାଇ ବିଲହିଡ ମୁଣ୍ଡରେ ବସି ଚା ସହ ମୁଢ଼ି ଦୁଇମୁଠା ପାଟିରେ ପକାଇ ତାର ଥକା ମେଣ୍ଟାଏ, ପରିଶ୍ରମର ସୁନାଫଳକୁ ବସି ଦେଖେ କିଛି ସମୟ ବିଶ୍ରାମ ନେଇ।
ପିଲା ଯେତେବେଳେ ଖାଇବା ଆରମ୍ଭ କରନ୍ତି ଅନେକ ଘରେ ମୁଢିଛତୁଆ କ୍ଷୀର ପିଲାଙ୍କୁ ଦିଆଯାଏ ଖାଇବା ପାଇଁ । ଟିକେ ବେଶି କ୍ଷୀରରେ ମୁଢ଼ି ଛତୁଆ ଗୋଳାଇ ପିଲାଙ୍କୁ ଖୁଆଯାଏ । ଦାନ୍ତ ନ ଥିଲେ ମୁଢ଼ିଛତୁଆ ଅନ୍ୟ ଏକ ଜଳଖିଆ । ମୁଢ଼ି ଆଗ କାଳରେ ପ୍ରତି ଘରେ ସପ୍ତାହରେ ଥରେ ଭଜା ହେଉଥିଲା । ଆଜିବି ଅନେକଙ୍କ ଘରେ ମାଟିହାଣ୍ଡିରେ ବାଲି ଦେଇ ଚୁଲିରେ ବସାଇ ଭଜା ହୁଏ । ଏ ବି ଆମ ଓଡ଼ିଆ ଘରର ଝିଅ ବୋହୂଙ୍କର ଅନ୍ୟ ଏକ ସୂକ୍ଷ୍ମ କୌଶଳ ଯାହା ଉପର ପିଢ଼ିରୁ ଆମେ ଶିଖିଥାଉ । ଦିନକୁ ଦିନ ଏ ସବୁ କମିଗଲାଣି, ଦୋକାନ ବଜାରରେ ତ ମିଳୁଛି ଏତେ ପରିଶ୍ରମ କରିବା ପାଇଁ ଲୋକେ ଚାହୁଁ ନାହାନ୍ତି । ମୁଢ଼ିଭାଜିବା କିଛି ଲୋକଙ୍କ ଘରେ ବୃତ୍ତି ଯାହା ଭରଣପୋଷଣ ପାଇଁ ଅର୍ଥ ଉପାର୍ଜନର ଏକ ମାଧ୍ୟମ।
(ମୁଢ଼ିଘୁଗୁନି/ଗୁଗୁନି)
ମୁଢ଼ିମୁଆଁର ସ୍ବାଦ ତାକୁ ପରା ଦେଖୁ ଦେଖୁ ଖାଇବାର ଲାଳସା ବଢିଯାଏ। ଗୁଡକୁ ପାଗ କରି ସେଥିରେ ମୁଢ଼ି, ନଡିଆପାତି, ଟିକେ ଗୋଲମରିଚ ଗୁଣ୍ଡ ଦେଇ ମୁଢ଼ିମୁଆଁ ଗଢା ହୁଏ । କିଏ କୁଆଡେ ଦୂରକୁ ଗଲେ ମା’ମାନେ ମୁଢ଼ିଛତୁଆ, ମୁଢ଼ି, ମୁଢ଼ିମୁଆଁ ଏ ସବୁ ନିଶ୍ଚେ ଦେବେ ସାଙ୍ଗରେ । କହିବେ ଆରେ ପହଞ୍ଚୁ ପହଞ୍ଚୁ କିଛି ନ ମିଳିଲେ ମୁଢ଼ି ମୁଠେ ଖାଇଦେବୁ।
(ମୁଢ଼ିପାଗ)
#ମୁଢ଼ିପାଗ ଏ କଥା ତ ସମସ୍ତେ ଭଲ ଭାବେ ଜାଣନ୍ତି। ଯାହାକୁ ଲୋକେ ଝାଲମୁଢ଼ି କହୁଛନ୍ତି । ଉଷୁମୁମୁଢ଼ି, ବାଦାମ, ପିଆଜ, ଧଣିଆପତ୍ର, ସୋରିଷ ତେଲ, କଞ୍ଚାଲଙ୍କା, ଆଚାର ତେଲ, ନଡିଆପାତି ବା ନଡିଆଖଣ୍ଡ ଟିକେ ଛଣା ସେଉ ବା ମିକ୍ସଚର ଏ ସବୁ ପକାଇ ମିଶାଇ ଯେଉଁ ମୁଢ଼ିପାଗ ବନାହୁଏ ତା ସାଙ୍ଗକୁ ବର୍ଷାଦିନର ମଜା ପଞ୍ଚତାରକା ହୋଟେଲର ଖାଦ୍ୟ ଠାରୁ ଅଧିକ ଖୁସି ଦିଏ ଆମ ଓଡ଼ିଆଙ୍କୁ । ଛାତ୍ରଜୀବନରେ ଏହା ପରି ସାଥି ନାହିଁ । ହଷ୍ଟେଲ୍ ବା ମେସ୍ ରେ ରହିବା ବେଳେ ବରା ପିଆଜୀ ଓ ଆଳୁଚପ୍ ସାଙ୍ଗରେ ମୁଢ଼ିପାଗ ପ୍ରାୟ ଛାତ୍ର ଜୀବନର ସ୍ମୃତି ଯାହା ଅଭୁଲା ସ୍ମୃତି ।
(ମୁଢ଼ିପାଗ)
ବାରିପଦା ବାଲେଶ୍ବର ଜିଲ୍ଲାରେ ଏହା ପ୍ରତିଦିନର ପ୍ରଧାନ ଖାଦ୍ୟ । ବାହାଘର, ପର୍ବପର୍ବାଣିରେ ବି ଚାହିଦା । #ମୁଢ଼ି/ମାଂସ, ମୁଢ଼ି/ପତୁଆ, ମୁଢ଼ି/ଘାଣ୍ଟ ଏମିତି କେତେ ପ୍ରକାରର ବ୍ୟଞ୍ଜନ । ମୁଢ଼ି ବି ସମସ୍ତଙ୍କ ସହ ମିଶିଯାଏ କହିବାର ଅର୍ଥ ଏହାକୁ ତରକାରି ସହ ଖାଅ ବି ମିଠା ସହ ପିଆଜ ସହ ବି ନଡିଆ ସହ ବା ପଖାଳ ପରି ସବୁଥିରେ ମିଶିଯାଏ । ମୁଢ଼ି, ଚୁଡା, ଖଇଉଖୁଡା, ନଡ଼ିଆ, ଗୁଡ, କଦଳୀ ଚକଟା ! ଆହାଃ ଭାରି ବଢିଆ ଲାଗେ ।
(ମୁଢ଼ି, ବାଦାମ, ସେଓ – ବାରମଜା)
ମୁଢ଼ି ସହ ଆମେ ସମସ୍ତେ ଓତପ୍ରତଃ ଭାବେ ଜଡିତ । ଆମେ ଯେତେବେଳେ ଆମ ପୂର୍ବପୁରୁଷଙ୍କ ସଂସ୍କାର, ଖାଦ୍ୟ, ଚଳନୀରେ ଅନୁପ୍ରାଣୀତ ହେଉ ବା ସେ ପରମ୍ପରାକୁ ଆଗକୁ ନେଉ ସେତେବେଳେ ପିଢ଼ୀ ପରେ ପିଢ଼ୀ ସେ ସବୁକୁ ଶିଖନ୍ତି। ଏ ସବୁ ଦ୍ବାରା ଆମର ପରମ୍ପରା ସୁଦୃଢ଼ ହୁଏ। ଆମେ ଆମ ପରମ୍ପରା ସଂସ୍କୃତିକୁ ନେଇ ନିଜେ ଗର୍ବିତ ହେଉ। ଆମେ ଯଦି ସେ ସବୁକୁ ଭୁଲି ଯିବା ଆମର ନିଜତ୍ବ ବୋଲି କ’ଣ ବା ରହିବ। ନୂଆ ଜିନିଷ ଶିଖିବା ଖାଇବା ପିନ୍ଧିବା ବିଲକୁଲ୍ ଖରାପ ନୁହେଁ କିନ୍ତୁ ନିଜର ବେଶ ପୋଷାକ ଖାଦ୍ୟକୁ ଛାଡି ଅନ୍ୟକୁ ଅନୁକରଣ କରିବାରେ ନିଜତ୍ବ ପଣିଆ ନଷ୍ଟ ହୋଇଯାଏ ।
(ଦହିବରା ମୁଢ଼ି)
ଲୋକ କଥାଟିଏ, ଆପଣ ବି ଶୁଣିଥିବେ।
“ପରଲୁଗା ପିନ୍ଧି ଯାତକୁ ଯାଏ,
ଲୋକ ପଚାରିଲେ ମୁଣ୍ଡ ଟୁଙ୍ଗାରୁ ଥାଏ”
ନିଜ ଲୁଗା ଯେତେ କମ୍ ଦାମ୍ ର ହେଉ ପଛେ ତାକୁ ପିନ୍ଧିବାରେ ଆନନ୍ଦ ଥାଏ ଆଉ ଚିରି ଯିବାର ଡର ବି ନ ଥାଏ । ପରଠୁ ମାଗି ଦାମିକିଆ ଲୁଗା ପିନ୍ଧିଲେ ବି ମନରେ ଡରଥାଏ କାଳେ ଚିରିଯିବ କିଏ ପଚାରିଦେବ । ଆମ ଖାଦ୍ୟ ଆମର ପରିଚୟ କହିପାରିବା ଗର୍ବରେ ଆତ୍ମ ବିଶ୍ବାସରେ ଏ ଆମ ଓଡ଼ିଆ ଖାଦ୍ୟ ଆମ ପରମ୍ପରାର ଖାଦ୍ୟ । ଆମ ପୂର୍ବପୁରୁଷଙ୍କ ଖାଦ୍ୟ, ମୋ ମାଆ ଖୁଆଇଥିବା ଖାଦ୍ୟ ଓ ସର୍ବଶେଷରେ ଏ ମୋର ପ୍ରିୟ ଖାଦ୍ୟ। ଏ ଖାଦ୍ୟ ସହ କେହି ତୁଳନୀୟ ନୁହଁନ୍ତି ।
© Dr. Jayashree Nanda
Spread the love
admin

View Comments

Share
Published by
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago