ଲେଖା: ନିରଞ୍ଜନ ସାହୁ

“ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ ନିସଙ୍ଗତା ପ୍ରତ୍ୟେକ ଜୀବନରେ ଆସେ – ଏହା ପ୍ରାୟ ସାର୍ବଜନୀନ । ତେବେ ପିତୃ-ମାତୃ-ଭ୍ରାତୃହୀନ ଏକ ନିସଙ୍ଗ ତରୁଣକୁ ଯେଉଁମାନେ ସଖ୍ୟଦାନ କରି ତାକୁ ଅନୁଗୃହୀତ କଲେ, ତାଙ୍କର ମହିମ୍ନ ସ୍ତବ ଗାଇବା ତା’ ପକ୍ଷରେ କି ବିଚିତ୍ର ବ୍ୟାପାର ?” (ଧୂପ ମୁଖବନ୍ଧ)

ମାନସିଂହୀୟ ସ୍ଵାତନ୍ତ୍ର୍ୟରେ ଭାସ୍ଵର ଏହି ପ୍ରେମ କବିତା ‘ଧୂପ’ର କବି ଚହଲା ମନ ଦୋହଲା ଭାବନାକୁ ଅକ୍ଷର ଫୁଲରେ ସଜାଇ ଦେଇଥିବା କବି ଡ. ମାୟାଧର ମାନସିଂହ । ପ୍ରେମ ଓ ପ୍ରଣୟର କବି ଭାବରେ ସାରା ଓଡ଼ିଆ ସାହିତ୍ୟରେ ସୁପରିଚିତ, ଏକ ବିଶେଷ, ସ୍ଵତନ୍ତ୍ର ସ୍ଥାନର ଅଧିକାରୀ । ପ୍ରାଚୀନ ତଥା ମଧ୍ୟଯୁଗୀୟ ଓଡ଼ିଆ କବିତାରେ କୌଣସି କବି ନିଜର ପ୍ରେମ ଜୀବନକୁ ମାନସିଂହଙ୍କ ଭଳି ମାଦକଭରା ଭାଷା ଓ ଖୋଲା ହୃଦୟ ନେଇ ପ୍ରକାଶ କରି ନଥିଲେ । କୃତ୍ରିମତା, ଛଳନା ଓ ଅନୁସରଣ ସର୍ବସ୍ଵତା ଭିତରେ ଛନ୍ଦି ହୋଇ ପଡ଼ିଥିବା ମାନସିଂହ ପୂର୍ବବର୍ତ୍ତୀ କାବ୍ୟ, କବିତା ପାଠ କରି ଓଡ଼ିଆ ପାଠକ ସମାଜ ହୁଏତ ଅନୁସନ୍ଧାନ କରୁଥିଲା ଆତ୍ମ-ମୁକ୍ତି, ଅନୁଭବସିଦ୍ଧ, ଆବେଗମୟ ଭାଷା ରୂପରେ ଚିତ୍ରିତ ରୂପ ଓ ସୌନ୍ଦର୍ଯ୍ୟର ଭାଷା ! ଏବଂ ସେହି ସମୟରେ ଦୁର୍ଗମ ଅଂଚଳ ‘ନନ୍ଦଳା’ର ଅଭାବକ୍ଲିଷ୍ଟ ଯୁବକ ମାୟାଧରଙ୍କ ଲେଖନୀରୁ ଝରି ଆସିଥିଲା ଆବେଗମୟ ବୈଚିତ୍ର୍ୟର କାବ୍ୟକବିତା ସମୂହ । ପାଠକର ହୃଦୟରେ ପ୍ରବେଶ ନ କରିବାର କୌଣସି ଚାରା ଆଉ ନଥିଲା । ଫଳତଃ ନୂତନ ପୀଢ଼ି ପାଠକର ହୃଦୟ-ସିଂହାସନରେ ଏକେଶ୍ଵର ହୋଇ ବିରାଜିତ ହେବାରେ ନଥିଲା ପ୍ରତିବନ୍ଧକ ! ଓଡ଼ିଆ ସାହିତ୍ୟରେ ରୋମାଣ୍ଟିକ୍ ଚିନ୍ତାଧାରାର ନୂତନ ପ୍ରସ୍ଥ ଉଦଘାଟିତ ହେବାରେ ଆଉ ବେଶୀ ବିଳମ୍ବ ହୋଇ ନଥିଲା ଯେପରି । ଧୂପ, ପ୍ରେମପୁଷ୍ପ, ହେମପୁଷ୍ପ, ହେମଶସ୍ୟ,ଉପେକ୍ଷିତାର କବି ଭାବରେ ପରିଚିତ ହୋଇଗଲେ ମାୟାଧର ମାନସିଂହ, ସାରା ଓଡ଼ିଶାର ପାଠକ ମହଲରେ । ବସ୍ତୁତଃ ସେହି ଯୁବକଙ୍କୁ ସାଧାରଣ ପାଠକଟିଏ ଗ୍ରହଣ କରିନେଲା ପ୍ରେମିକକବି ଭାବରେ ।

ଅଜସ୍ର ପାଠକୀୟ ଶ୍ରଦ୍ଧା ସିନା ମିଳିଲା, ହେଲେ ସାଧାରଣରେ ଏକପାଖିଆ ଅତ୍ୟଧିକ ଗୁରୁତ୍ଵ ଆରୋପ ଦ୍ଵାରା ମାନସିଂହଙ୍କ ଅନ୍ୟ କୃତି ସମୂହକୁ ପାଠକେ ଆଉ ଚିନ୍ତା କରିଲେନି, ବରଂ ସହଜିଆ ମନ୍ତବ୍ୟ ଦେଇ ଉଠିଲେ, ଏକ ସଂକୀର୍ଣ୍ଣ ଉପାଧି ଦେଇ ପ୍ରେମିକକବି ମାୟାଧର ମାନସିଂହ ! ଏହାହିଁ ହେଉଛି ବିଡ଼ମ୍ବନା ମାୟାଧର ମାନସିଂହଙ୍କ ସୃଷ୍ଟି ତଥା ମାନସିଂହୀୟ ସାହିତ୍ୟ ଚର୍ଚ୍ଚା ନିମିତ୍ତ । ସାଧାରଣ ପାଠକ (ଆମ ଭଳି !) ତାଙ୍କୁ ସଂକୀର୍ଣ୍ଣତାର ଗଣ୍ଡି ମଧ୍ୟରେ ଆସୀନ କରାଇ, ତାଙ୍କର ବହୁମୁଖୀ ପ୍ରତିଭା ପ୍ରତି ଆଉ ଦୃଷ୍ଟି ଫେରାଇଲେ ନାହିଁ ଯେପରି ! ତେବେ ମାନସିଂହଙ୍କ ସମସ୍ତ କବିତା, ସମଗ୍ର ସୃଷ୍ଟିସମ୍ପଦର ଯଥାର୍ଥ ଅଧ୍ୟୟନ ହୋଇ ପାରିଥିଲେ, ନିଶ୍ଚିତ ଭାବେ ପାଠକେ ତାଙ୍କୁ ଓଡ଼ିଆ ସାହିତ୍ୟରେ ବିଂଶ ଶତାବ୍ଦୀର ଏକ ଶ୍ରେଷ୍ଠ ଆସନରେ ଅଧିଷ୍ଠିତ କରାଇ ପାରିଥାଆନ୍ତେ !

୧୯୦୫ ମସିହାରେ ଜନ୍ମ ଠାରୁ ୧୯୭୩ ମସିହା ସ୍ଵର୍ଗାରୋହଣ ପର୍ଯ୍ୟନ୍ତ, ବହୁ ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ କାଳାତିପାତ କରିଥିବା ସାହିତ୍ୟିକ ମାୟାଧର ମାନସିଂହ । ନିଜେ ଧୂପ ଭଳି ଜଳିଛନ୍ତି, ମାତ୍ର ବାସ ଚହଟାଇ ଦେଇଛନ୍ତି ଭାରତୀୟ ସାହିତ୍ୟରେ ! ଓଡ଼ିଆ ସାହିତ୍ୟରେ ଏପରି କୌଣସି ବିଭାଗ ନାହିଁ, ଯାହା ତାଙ୍କ ପ୍ରତିଭାର କାଉଁରୀ ସ୍ପର୍ଶରେ ସଞ୍ଜିବିତ ହୋଇନାହିଁ । ତେଣୁ ଓଡ଼ିଆ ସାହିତ୍ୟକୁ ତାଙ୍କର ଦାନ ସର୍ବାଧିକ ଓ ସର୍ବମାନ୍ୟ ।


~ ମାନସିଂହୀୟ କାବ୍ୟ କବିତା ~
ରୋମାଣ୍ଟିକ୍ ଦୃଷ୍ଟିଭଙ୍ଗୀରେ ରାଧାନାଥଙ୍କ କାବ୍ୟଚେତନା ସହିତ ତାଙ୍କର ଭାବ ନିବିଡ଼, ମାତ୍ର ରାଧାନାଥଙ୍କ ଭଳି ବିଜାତୀୟ ଭାବକୁ ସେ ଗ୍ରହଣ କରିପାରିନାହାନ୍ତି । ବରଂ ରାଧାନାଥୀୟ କାବ୍ୟ ଚେତନାର ଦୃପ୍ତ ପ୍ରତିବାଦ ଭାବରେ ଆତ୍ମପ୍ରକାଶ କରିଥିବା ତାଙ୍କ କାବ୍ୟଚେତନାରେ ରାଧାନାଥୀ ରୂପ ପ୍ରାଣତା ସହ ସତ୍ୟବାଦୀର ତୀବ୍ର ଜାତୀୟ ଆଭିମୁଖ୍ୟର ଚମତ୍କାର ସହାବସ୍ଥାନ, ସବୁଜ ଗୋଷ୍ଠୀର ପଳାୟନବାଦ ପ୍ରତି ଅସହ୍ୟତା, ପଲ୍ଲୀ ଜୀବନର କରୁଣ-ମଧୁର ରସ, ଗୌରବାବହ ଐତିହ୍ୟ, ପଲ୍ଲୀରୂପ, ଦାର୍ଶନିକ ଚିନ୍ତନର ଗର୍ଭଗୃହ ହିଁ ତାଙ୍କରି କବିତା !

ମାନସିଂହଙ୍କ କବିତାର ମୂଳଭିତ୍ତି ହିଁ ଇହଜଗତ ପ୍ରତି ତାଙ୍କର ଆସକ୍ତି ଓ ମାନବପ୍ରୀତି । ପୁନଶ୍ଚ ରୂପ ଓ ସୌନ୍ଦର୍ଯ୍ୟର କବିତା ସହ ଦେଶପ୍ରୀତି, ରୂପପ୍ରୀତି, ସାମ୍ୟବାଦୀ ଚିନ୍ତାଧାରା, ମହାଚେତନା, ମାନବବାଦ, ସଂସ୍କାର, ଗଭୀର ଅନୁଭୂତି, ଜିଜ୍ଞାସା, ଆଧିଭୌତିକ ଚେତନା, ଧର୍ମୀୟ ମୂଲ୍ୟବୋଧ ପ୍ରତିଫଳିତ ହୋଇଛି କବିତା ସମୂହରେ । ଧୂପ କବିତା ସିନା ଚାରୁକେଶୀ ବାଳିକା ହେମଲତାଙ୍କୁ ଉତ୍ସର୍ଗ କରିଛନ୍ତି, ହେଲେ ତାହା ତ ବୈବାହିକ ଜୀବନର ପୂର୍ବରୁ,  ଯୌବନର ଆଦ୍ୟ ପାହାଚରେ ! ତେବେ ଜୀବନର ଚଲାପଥରେ, ଯୌବନର ଉତ୍ତରକାଳରେ ରୋମାଣ୍ଟିକ୍ କାବ୍ୟ ଧୂପ, ପ୍ରେମପୁଷ୍ପ, ହେମପୁଷ୍ପ, ହେମଶସ୍ୟ ସଂଗୋପିତ ହୋଇ ଯାଇଥିଲେ ଯେମିତି ! କବି ଜୀବନର ବୈଚିତ୍ର୍ୟ, ଆଧିଭୌତିକ ଚେତନା, ମାନବବାଦ ଇତ୍ୟାଦି ପ୍ରତିଫଳିତ ହୋଇଆସିଥିଲା ମାନସିଂହ ସୃଷ୍ଟି ସମୂହରେ । ତେବେ କ’ଣ ଡ. ମାୟାଧର ମାନସିଂହ କେବଳ ପ୍ରେମ ଓ ପ୍ରଣୟର କବି ? 

~ ଆଧିଭୌତିକ ଚେତନାର କାବ୍ୟ ‘କ୍ରୁଶ’ ~
ପ୍ରଥମ କରି ଓଡ଼ିଆ କାବ୍ୟ ସାହିତ୍ୟରେ ରଚିତ ହେଲା ସନେଟ୍ । ଏକଶତ ସନେଟ୍ ବିଶିଷ୍ଟ କାବ୍ୟ ହେଉଛି କ୍ରୁଶ, ଯାହା ତାଙ୍କ ଆଧିଭୌତିକ ଚେତନାର ବାହକ । ୧୯୪୫ରୁ ୧୯୫୬ ମଧ୍ୟରେ କ୍ରୁଶର ସମସ୍ତ କବିତା ରଚିତ । ମୂହୁର୍ତ୍ତର ଭାବାବେଗକୁ ପ୍ରାଣର କେତେକ ଗଭୀର ଅନୁଭୂତି ଓ ଜିଜ୍ଞାସାର ପ୍ରତିଫଳନ ହିଁ ସନେଟ୍ ସମୂହ । ଅନୁଭୂତିକୁ ଅଧିକତର ପରିଛନ୍ନ ଭାବରେ ପ୍ରକାଶ କରିବା ପାଇଁ ଏହି ସନେଟମାନଙ୍କର ଆଶ୍ରୟ ନେଇଛନ୍ତି କବି ମାୟାଧର ମାନସିଂହ । ଗଙ୍ଗାଧର ମେହେର କଲେଜର ଅଧ୍ୟକ୍ଷ ଥିବା ବେଳେ ହିଁ ଏହି ସର୍ବାଦୃତ କାଳଜୟୀ କବିତା ମାନଙ୍କରର ସୃଷ୍ଟି । ଗୋଟିଏ ବ୍ୟଥିତ ଆତ୍ମା ଯୀଶୁଖ୍ରୀଷ୍ଟଂକର କ୍ରୁଶ ମରଣ ସତ୍ତ୍ୱେ, ନିଜେ କେମିତି ବାରମ୍ବାର କ୍ରୁଶବିଦ୍ଧ ହେଉଛି, ତାହା ନିଜେ ବିଚାରି ବିସ୍ମିତ ହେଉଛି:
“କେ ରୋଧିଛି ମୋର ପୃଷ୍ଠେ କ୍ରୁଶ-ନିଷ୍ପୀଡ଼ନ,
ବ୍ୟାଧି, ବିଫଳତା, ନିନ୍ଦା, ଶୋକ, ବ୍ୟର୍ଥାଶାର ?
କିମ୍ପା ସହସ୍ରଧା କ୍ଷତ-ଜର୍ଜର ଜୀବନ ?
ମୋ ପିଠିରେ ଲାଞ୍ଛନାର କଣ୍ଟକ ପ୍ରହାର ?”
(ସନେଟ୍: ମୋ କ୍ରୁଶ )
(ଏ ତ ପ୍ରେମ ଓ ପ୍ରଣୟର କବିତା ନୁହେଁ !)

ସୁସ୍ଥ ସମ୍ପାଦନାର ଅଭାବ ସହ ପାଠକର ଅବଚେତନରେ ବହୁ କବିତା ଏକପାଖିଆ ଦୃଷ୍ଟିଭଙ୍ଗୀ ମଧ୍ୟରେ ରହିଯାଇଛି । ତେଣୁ ସେହି ମହାନ ସାହିତ୍ୟିକଙ୍କୁ ଚିହ୍ନିବାରେ ବିଘ୍ନ ସୃଷ୍ଟି ହୋଇଛି। ମୂଲ୍ୟାୟନ ତ ଦୂରର କଥା, ହେଲେ ଖଣ୍ଡିତ ଓ ଅଜ୍ଞାତର ମନ୍ତବ୍ୟର ଶରବ୍ୟ ହୋଇଗଲେ ମାୟାଧର ମାନସିଂହ । ଈଶ୍ଵରଙ୍କ ନିକଟରେ ଅଭିମାନ କରି ପ୍ରେମଭିକ୍ଷା କରିନାହାନ୍ତି, କିନ୍ତୁ ଅମୃତର ସନ୍ତାନ ଭାବେ ଧରାବତରଣ କରିଥିଲେ ମଧ୍ୟ, କୌଣସି ପ୍ରକାରର ଐଶ୍ୱରୀୟ ଆନନ୍ଦରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ସେ । ସେହି ଅନୁଶୋଚନା କେତେ ସ୍ପଷ୍ଟ !
“ଦେବଶିଶୁ ଚଳେ ନରକର ଅଭିସାରେ,
ଭଗବାନ ତମେ ନିଦ୍ରିତ କେଉଁଠାରେ ?
ନିରଞ୍ଜନ ମୁଁ ଆସିଥିଲି ପରା ଆନନ୍ଦ ବିତରଣେ,
ବାଣ୍ଟିବି ବୋଲି ଅମୃତ ଏହି ପୃଥିବୀର କଣେ କଣେ?
× × ×      × × ×
ବିଳାସେ ଅଳସେ ରହିଲେ ଦେବତାଦଳ,
କେ ବୁଝିବ ନର-ଆତ୍ମାର କଲବଲ ?
ବିଶ୍ଵେ ମୁହିଁ ଯେ ସୃଷ୍ଟି କରୁଛି ବିଷ,
ପ୍ରତିକ୍ରିୟା ତା’ ହେବ ତ ହେ ଅବିନୀଶ ?
କରିବାର ଯାହା, ତ୍ଵରା ହେଉ ଅବଧାନ,
ଡାକେ ଦେବଶିଶୁ , ନିଦ୍ରାଳୁ ଭଗବାନ୍ !”
(ନିଦ୍ରିତ ଭଗବାନ)


~ ମାନବବାଦ, ସାମ୍ୟବାଦ ଚେତନାର କବି ~
ମାନବବାଦୀ କବି ମାୟାଧର ମାନସିଂହ ଆସ୍ଥା ପ୍ରକଟ କରିପାରି ନାହାନ୍ତି, ଗତାନୁଗତିକ ପିତୁଳା ପୂଜା ଉପରେ । ପୁରୋହିତ ତନ୍ତ୍ରରେ ବ୍ୟତିବ୍ୟସ୍ତ ହୋଇ ୧୯୩୫ ବେଳକୁ ବୌଦ୍ଧଧର୍ମ ପ୍ରତି ଆସକ୍ତି ଆସିଯାଇଥିଲା କବିଙ୍କର । ବୟସର ଅଗ୍ରଗତି ସହ ଆମର ମହାନ ସାହିତ୍ୟିକଙ୍କର ତରୁଣ ସୁଲଭ ପ୍ରଗଳଭତା ବିଦାୟ ନେଇ ସାରିଥିଲା ଏବଂ ସେ ସ୍ଥାନ ଅଧିକାର କରିଥିଲା ପବିତ୍ର ଭକ୍ତିଭାବ, ସାମ୍ୟବାଦୀ ଚେତନା, ମାନବୀୟ ଆବେଦନ, ଦେଶଭକ୍ତି, ପଲ୍ଲୀ ଜୀବନ, ରାଜନୀତିରେ କଳୁଷିତ ଭାବ, ମହାଚେତନା । ସେଇଥିପାଇଁ ତ କବି ଗାଇଥିଲେ ସାମ୍ୟବାଦୀ ସଙ୍ଗୀତ:
“ଧରାତଳେ କ୍ରୁର ପରିହାସ,
କାଟି ଶସ୍ୟ, ରହେ ଉପବାସ ।
ସକଳେ ଯେ ଯୋଗାଏ ଭୋଜନ,
ନିଜ ଥାଳେ ନାହିଁ ତା’ର ଅନ୍ନ ।
ତା’ ଥାଳିରୁ ଭାତ ନେଇ କାଢ଼ି,
ଦେଖ ବଡ଼ଲୋକ – କୋଠା-ଗାଡ଼ି ।
ସ୍ତିରୀ ତାଙ୍କ ବୁଲନ୍ତି ମୋଟରେ,
ପିଲେ ଛନ୍ତି ସୁଖ ବିଳାସରେ ।
କୃଷକ ମୁଁ, ଅଧା ଉପବାସ,
ଆଶ୍ରୟ ମୋ ଭଙ୍ଗାରୁଜା ବାସ ।
(କୃଷକ, ତଳିଆ ଜୀବର ବିଳାପ)

ବଡ଼ ଅସହ୍ୟ ହୋଇଛି ଯନ୍ତ୍ରଣା, ପୁଣି ଭୀଷଣ ଷଡ଼ଯନ୍ତ୍ର, ପୂଜ୍ୟପୂଜା ସ୍ଵପ୍ନରେ ବନ୍ଧ୍ୟା ପାଲଟିଯାଇଛି। ଜାତି ପାଇଁ ଅନୁଶୋଚନା ଉଜ୍ଜୀବିତ ହୋଇଛି କବିପ୍ରାଣରେ । ମନର ଆବେଗ ସୃଷ୍ଟି ହୋଇଛି ଏ ଜାତି ପାଇଁ, ଉତ୍ତରଦାୟାଦ ମାନଙ୍କ ପାଇଁ । ସର୍ଜନା ପ୍ରତିଫଳିତ ହୋଇଛି କବିତା ପୁସ୍ତକ ‘ସ୍ଵରାଜ୍ୟାଶ୍ରମ’ରେ । ବ୍ୟାକୁଳିତ ହୋଇଛି ମନ, ପଶ୍ଚାତରେ ରହିଯାଇଛି ଆଦ୍ୟ ଯଉବନର ସେହି ସୃଷ୍ଟି ସମୂହ । ଖେଦ ପ୍ରକାଶୁଛନ୍ତି କବି:

“ପଣ୍ଡିତ ଗୋପବନ୍ଧୁ ଓ ମି: ଦାସ,
ଲଢ଼ି ଲଢ଼ି ଗଢ଼ି ଦେଇଗଲ ଯା ଏଇ ଓଡ଼ିଆ ପ୍ରଦେଶ
(ଓଡ଼ିଆଙ୍କର ନିଜର ବୋଲି ଜାଗା ଟିକେ ଥାଉ, ଅଲଗା)
ଆଜି ଯଦି ଦିଅନ୍ତ ପୁଣି ଓଡ଼ିଶା ମାଟିରେ ପାଦ,
କ୍ଷୁଦ୍ର-ଭାବ-ଚିତକାରର ପାଇଯାନ୍ତ ସ୍ଵାଦ !
ମୁହଁରେ ଦେଇ ବଲଗା
ବିଚ୍ ଦାଣ୍ଡରେ ଆମେ ମାରନ୍ତୁ ଚାବୁକ
ଆମେ ମହାଭାରତୀୟ ଭାବୁକ !
(ପ୍ରାଦେଶିକ/ସ୍ଵରାଜ୍ୟାଶ୍ରମ)

~ ଜାତୀୟତା ବୋଧର ପ୍ରତୀକ କବିତା ~
୧୯୩୫ ସାଲ ବେଳକୁ ଆତ୍ମପ୍ରକାଶ କଲା ଅନ୍ୟ ଏକ ପ୍ରେମ ଓ ପ୍ରଣୟର କବିତା ସଙ୍କଳନ ହେମପୁଷ୍ପ । କିନ୍ତୁ ତା’ର ଦଶବର୍ଷ ପୂର୍ବରୁ କୋଡ଼ିଏ ବର୍ଷ ବୟସରେ କବିଙ୍କ ମନରେ ଜାତୀୟତା ଭାବ ଉଦ୍ରେକ ହୋଇ ସାରିଥିଲା । ଉଙ୍କି ମାରି ଆସିଥିଲା ଦେଶପ୍ରୀତି, ପୁଣି ଓଡ଼ିଶା ପାଇଁ । ୧୯୨୫ ମସିହାରେ ରଚିତ ଦେଶ ବନ୍ଦନାର ଏକ କବିତା ଉପରେ ପାଠକ ମହଲରେ ନୀରବତା କାହିଁକି ? ବୋଧହୁଏ ସାଧାରଣ ପାଠକବର୍ଗ (ଠିକ୍ ଆମ ଭଳି !)

ମାନସିଂହଙ୍କ ପାଞ୍ଚଟି ପୁସ୍ତକ ନିଜ ନିଜର ଉତ୍ତାଳ ଯୌବନରେ ପାଠ କରି ଧରିନେଲେ ଯେ, ମାୟାଧର ମାନସିଂହ ଅର୍ଥ ଓଡ଼ିଆ ସାହିତ୍ୟର ପ୍ରେମିକ କବି ! କି ବିଡ଼ମ୍ବନା ସତେ ! ଏହି କବିତାବଳୀର ଅନେକ ପୂର୍ବରୁ ଦେଶପ୍ରେମର କବିତା ମା’ ଓଡ଼ିଶା ଯେ ରଚିତ ହୋଇ ସାରିଥିଲା ‘ନନ୍ଦଳା’ ଗାଁର ସେହି ଯୁବକ ଦ୍ଵାରା !

“କବିଭୂମି, ଶିଳ୍ପଧାତ୍ରୀ, ତୁହିଟି ମା ‘!
ବିଶ୍ଵେ ଗରବିଣୀ, ବୀରମାତା ଉତ୍କଳ ଜନନୀ।

ଆଦିମ ତାମସ ଗର୍ଭୁଁ ଯେବେ ଗୋ ମା’
                                    ବିକାଶ ତୋହରି,
ପ୍ରଥମ ଚୁମ୍ବନ-ବ୍ରୀଡ଼ା ରବି ଦେଲା ତୋ
                                      ଅଙ୍ଗରେ ଭରି

ଆସିଲା ବସନ୍ତ ତହୁଁ କରିବାକୁ ତୋ’
                                       ବକ୍ଷରେ ଲୀଳା
ସାଜିଲା ପ୍ରକୃତି ବସିକରି ତୋତେ
                                        ଏମନ୍ତ ଛବିଳା

ପାତାଳ ଫୁଟାଇ ତହୁଁ ବହିଲେ ଏ ନଦୀ ଶତ ଶତ
                                       ବ୍ୟଗ୍ର ଅବିରତ !

                 × × ×    × × ×

ଛିନ୍ନଭିନ୍ନ ଅଙ୍ଗ ତୋର ବିଦେଶୀର
                                       ନିର୍ମମ ଶାସନେ
ସନ୍ତାନ ମରଇ ନିତି ଦାରିଦ୍ର୍ୟର
                                        କ୍ରୂର ନିପୀଡ଼ନେ

ବିଧାତାର ବାମନେତ୍ର ପଡ଼ିଛି ମା’ !
                                      କପାଳେ ତୋହରି,
ନିଅ ଆଉ କେତେ ଦିନ ଭଗବାନ
                                          ଆବେଶ ଏପରି,

ଭାବେ ମନେ, ପାହିଲାଣି ତୋର ଦୁଃଖ-ତମିଶ୍ରା-ସଂହତି,
                                        ଅଧମ ସନ୍ତତି ।।
(ମା’ ଓଡ଼ିଶା)

~ ନୂତନ ଦୃଷ୍ଟିକୋଣରେ ପାରମ୍ପରିକ ସର୍ଜନା ~
ଚଉରାଳିଶଟି କବିତା ପୁଷ୍ପ ଗ୍ରଥିତ ହୋଇଛି କାବ୍ୟ ‘ସିନ୍ଧୁ ଓ ବିନ୍ଦୁ’ ପୁସ୍ତକରେ । ଏଠାରେ ଦାର୍ଶନିକ ଚିନ୍ତନ ଅପୂର୍ବ ଶିହରଣ ଆଣେ କବିତାପାଠ କରିବା ବେଳେ । ପରମ୍ପରା ଯୁକ୍ତ ଭାବନାରେ ପୁଷ୍ଟ ଏହି କବିତାଗୁଛ ମଧ୍ୟରେ ଆତ୍ମାର ପରିପ୍ରକାଶ ଘଟିଛି । ଭାରତୀୟ ଧର୍ମ ଦର୍ଶନର ସୁନ୍ଦର ଉପସ୍ଥାପନା ଏହି ପରି । କବି ମାୟାଧର ମାନସିଂହ ଥିଲେ ବୌଦ୍ଧ, କିନ୍ତୁ ଭାରତୀୟ ଧର୍ମ ଚେତନାରୁ ଦୂରେଇ ଯାଇନାହାନ୍ତି କେଭେଁ ! ଭାରତୀୟ ଧର୍ମରେ ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କର ବନ୍ଦନା କେତେ ଦାର୍ଶନିକ ତତ୍ତ୍ଵପୂର୍ଣ୍ଣ !

“ଆଗେ, ପଛେ, ଉର୍ଦ୍ଧ୍ଵେ, ଅଧେଃ, ବାମେ ଓ ଦକ୍ଷିଣେ,
ପ୍ରଣମେ ମୁଁ ଓତଃପ୍ରୋତ ସେ ଶ୍ୟାମ ଚରଣେ,
ଛାୟା-ପଥ ଯା ବକ୍ଷର ଶୁଭ୍ର ବନମାଳ,
ନ ହେବ କେ ଗୋପୀ, ସବୁ ସଁପି ତା’ ଚରଣେ !”
(ଶେଷ ପଦ/ଶ୍ରୀକୃଷ୍ଣ)

ନିଜ ରଚନାରେ କବି ମାୟାଧର ମାନସିଂହ ସ୍ଵୟଂସିଦ୍ଧ । ତେଣୁ ସବୁକିଛି କବିତା ତାଙ୍କର କାବ୍ୟିକ ତଥା ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ । ସମକାଳୀନ ମୁଣ୍ଡ ଟେକି ଉଠୁଥିବା ସବୁଜଗୋଷ୍ଠୀର କାବ୍ୟକବିତା ତାଙ୍କର ମନକୁ ଛୁଇଁ ପାରିନଥିଲା । ସେଇଥିପାଇଁ ତାଙ୍କର ଆଭିମୁଖ୍ୟ ଥିଲା – “ଏ ଦେଶରେ ଯେ କିଆ, କେତକୀ, ପୋଲାଙ୍ଗ ଫୁଟି ଝଡ଼ିପଡ଼ୁଛି, ସେ ଖବର ନ ରଖି ଏମାନେ ଚାମେଲୀ, ଗୋଲାପ, ବେଲଫୁଲ, ହାସ୍ନା ହେନାର ଗନ୍ଧ ଆଣି ଆମକୁ ଶୁଙ୍ଘାଇଲେ । ସାଧବଝିଅ ନଈରେ ଗାଧୋଇଲା ବେଳେ ଛିଣ୍ଡି ପଡ଼ିଥିବା ବାରହାତ ଲମ୍ବ ବାଳକୁ ସୁନାଫରୁଆରେ ପୂରାଇ ପାଣିରେ ଭସାଇ ଦେଇ ଅନାଇ ରହିଛି । ସେ ଦୃଶ୍ୟ କବିମାନେ ଦେଖି ପାରୁନାହାନ୍ତି, ସେମାନେ ସବୁଜ ପରୀ ଓ ଆସମାନ ପରୀର ନୃତ୍ୟ ଆମକୁ ଦେଖାଉଛନ୍ତି ।”(ସହକାର/ଫେବୃଆରୀ ୧୯୩୩)

ମାନସିଂହଙ୍କ କବିତାଗୁଛ ମଧ୍ୟରେ ଧୂପ, ହେମପୁଷ୍ପ, ହେମଶସ୍ୟ, ପ୍ରେମପୁଷ୍ପ, କୋଣାର୍କ, ମାଟିବାଣୀ, ଜୀବନଚିତା, ଅକ୍ଷତ, କ୍ରୁଶ, ବାପୁ ତର୍ପଣ, ସିନ୍ଧୁ ଓ ବିନ୍ଦୁ, ଉପେକ୍ଷିତା, ନିକ୍ଵଣ, ଶୁଭଦୃଷ୍ଟି, ସାଧବଝିଅ, ଜେମା, କମଳାୟନ, ଗୀତ ରେଣୁ, ସ୍ଵରାଜ୍ୟାଶ୍ରମ, ସେ ଦିନର କବିତା ଇତ୍ୟାଦି ପାଠକ ସମାଜରେ ବହୁ ଆଦୃତ । ସମସ୍ତ କାବ୍ୟସମୂହର ବିଜ୍ଞାନ ସମ୍ମତ ଅନୁଶୀଳନ କଲେ କେହି ଜଣେ ମଧ୍ୟ ମାନସିଂହଙ୍କୁ ଏକ ସଂକୀର୍ଣ୍ଣ ପରିସରକୁ ଠେଲି ଦେଇ ତାଙ୍କୁ କେବଳ ପ୍ରେମିକ କବି ଭାବେ ଆସୀନ କରିବାକୁ ପଛେଇବେ । ତାଙ୍କ ଜୀବନବ୍ୟାପୀ ସାଧନାରେ କାବ୍ୟକବିତା କେତୋଟି ପୃଷ୍ଠା ମାତ୍ର । ବହୁଧା ବିଭକ୍ତ ତାଙ୍କର ସୃଷ୍ଟିସମଗ୍ର ।

ଆମେ ତ ଏଯାଏଁ ସମାଲୋଚକ, ପ୍ରାବନ୍ଧିକ, ନାଟ୍ୟକାର, ଶିଶୁ ସାହିତ୍ୟିକ, ଅନୁବାଦକ, ଆତ୍ମଚରିତ ଲେଖକ, ପତ୍ରିକା ସମ୍ପାଦକ, ଐତିହାସିକ, ଭ୍ରମଣ ବୃତ୍ତାନ୍ତ ଲେଖକ, ଶିକ୍ଷାବିତ, ପ୍ରଶାସକ, ଦାର୍ଶନିକ ଚିନ୍ତନର ମଣିଷ ଓ ସର୍ବୋପରି ଜଣେ ଭଲ ମଣିଷ ମାୟାଧର ମାନସିଂହଙ୍କୁ ସଠିକ ଭାବେ ଚିହ୍ନିପାରିନୁ ବା ବିଜ୍ଞାନସମ୍ମତ ମୂଲ୍ୟାୟନ କରିପାରି ନାହୁଁ । ତେବେ ଆଜି ମଧ୍ୟ ଏ ଦିଗରେ ବିଶ୍ଳେଷଣ ଅପେକ୍ଷା ରଖେ । ଜୀବନସାରା ସାହିତ୍ୟସଂସ୍କୃତି ପ୍ରତି ନିଜକୁ ସମର୍ପିତ କରିଥିବା କବିମନିଷୀ ମାନସିଂହେ ଆମଠାରୁ ପାଇଲେ କ’ଣ ? ଜୀବନର ଗାଥାକୁ କିନ୍ତୁ ପରଶି ଦେଇଗଲେ:
“ମୃତ୍ୟୁ ରାଜ୍ୟେ ଯିବି ଯେବେ ଛାଡ଼ି
କୋଳ ମାଆ ଧରିତ୍ରୀର
ବସନ୍ତର ପୁଷ୍ପୋତ୍ସବେ, ଶାରଦ ଜ୍ୟୋତ୍ସ୍ନାରେ
ସ୍ମରି କେବେ ମୋ ଦେଶର ଯୁବକଯୁବତୀ,
ଆସି ମୋ ସମାଧି ପରେ
ପୁଷ୍ପ ଢ଼ାଳି ପ୍ରୀତିଭରେ
କବିରେ ଦେବେ ସେ ଯଦି ଶ୍ରଦ୍ଧାର ଆରତି
ସେହି ସେ ହୋଇବ ମୋର ଶ୍ରେଷ୍ଠ ପୁରସ୍କାର
ସେହି ମୋର ମାନଦଣ୍ଡ ଜୀବନ-ଯାତ୍ରାର ।”

ହେ ବିସ୍ମୟ ସାଧକ ! ଓଡ଼ିଆ ସାହିତ୍ୟାକାଶର ଭାସ୍କର ! ଏ ଓଡ଼ିଆ ଜାତିର ପ୍ରଣାମ ଘେନିବା ହେବେ ।

ଆଧାର: ମାନସିଂହ ଗ୍ରନ୍ଥାବଳୀ; ଓଡ଼ିଆ ସାହିତ୍ୟରେ ମାୟାଧର ମାନସିଂହ, ଶ୍ରୀ ଚିନ୍ତାମଣି ବେହେରା

Sahitya Bhaskar Dr. Mayadhar Mansingh Dhupa © Niranjan Sahu

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

2 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago