ଲେଖା: ଦେଵ ତ୍ରିପାଠୀ

୧୯୮୨ ମସିହା ।

ଆମ ରାଜ୍ୟରେ ଥିଲେ ଏକ ଦୂରଦୃଷ୍ଟିସମ୍ପନ୍ନ ସରକାର ।

ହିମାଳୟର ପାର୍ବତ୍ୟାଞ୍ଚଳରେ ଯେପରି ଚା’ ଚାଷ ହେଇପାରୁଛି, ଓଡ଼ିଶାର ପାର୍ବତ୍ୟ ବନାଞ୍ଚଳରେ କ’ଣ ସେପରି ହୋଇପାରନ୍ତା ନାହିଁ ?

ଓଡ଼ିଶାରେ ଚା’ ଚାଷ ! ହାସ୍ୟାସ୍ପଦ ବିଚାର ଥିଲା କିଛି ସରକାରୀ କର୍ମକର୍ତ୍ତା ତଥା ବୁଦ୍ଧିଜୀବିଙ୍କ ପାଇଁ ! ସରକାର କିନ୍ତୁ ଥିଲେ ନିଜ ବିଚାରରେ ଅଟଳ !

ଚା’ ଚାଷ ପାଇଁ ଯେଉଁ ଭଳି ମାଟି, ଜଳବାୟୁ ପାଣିପାଗ, ତାପମାତ୍ରା, ଆର୍ଦ୍ରତା ଆବଶ୍ୟକ । ତାହା ତରମାକାନ୍ତ ଜଙ୍ଗଲରେ ମିଳିବାରୁ ଚା’ ଚାଷ ବେଶ୍ ସୁରୁଖୁରୁରେ ଚାଲିଲା । ଏହି ଅଞ୍ଚଳଟି ସମୁଦ୍ରପତ୍ତନଠାରୁ ୧୮୦୦ ଫୁଟରୁ ୨୨୦୦ ଫୁଟ୍ ଉଚ୍ଚତାରେ ମିଳିଗଲା ସେପରି ଅଞ୍ଚଳଟିଏ । ପୁଣ୍ୟତୋୟା ବୈତରଣୀ ନଦୀ ଓ ଏହାର ଦୁଇଟି ପ୍ରମୁଖ ଉପନଦୀ ରାଣୀମା ନଳା ଏବଂ ଅନ୍ୟ ଏକ ଜଳ ଉତ୍ସର ମଧ୍ୟବର୍ତ୍ତୀ ଥିଲା ସେଇ ଅଞ୍ଚଳ । ଗ୍ରୀଷ୍ମଦିନେ ସେଇ ଅଞ୍ଚଳର ସର୍ବାଧିକ ତାପମାତ୍ରା ରହୁଥିଲା ୪୪° ସେଣ୍ଟିଗ୍ରେଡ୍ ଏବଂ ଶୀତ ଦିନେ ସର୍ବନିମ୍ନ ତାପମାତ୍ରା ୦° । ସେହିଭଳି ଏଠାରେ ଆର୍ଦ୍ରତାର ମାତ୍ରା ୬୦ରୁ ୯୦% ଏବଂ ବାର୍ଷିକ ହାରାହାରି ବୃଷ୍ଟିପାତ ୧,୦୦୦ ମିମିରୁ ୨୫୦୦ ମିମି ମଧ୍ୟରେ ରହୁଥିବା କାରଣରୁ ଏଇ ଅଞ୍ଚଳ ଚା’ ଚାଷ ପାଇଁ ଅନୁକୂଳ ବୋଲି ଗବେଷକଙ୍କ ସ୍ବୀକୃତି ପାଇଲା ।

ରାଜ୍ୟ ସରକାରଙ୍କ ଉଦ୍ୟମରେ କେନ୍ଦୁଝରର ‘ଜୁଆଙ୍ଗ-ଭୂୟାଁ ପିଢ’ ଅନ୍ତର୍ଗତ ତରମାକାନ୍ତ ଅଞ୍ଚଳରେ ଏକ ଚା’ ପ୍ରକଳ୍ପ ଆରମ୍ଭ କରାଗଲା । ଏଇ ଚା’ ଚାଷ ଆରମ୍ଭ କରିବା ନେଇ ରାଜ୍ୟ ସରକାର ଦାର୍ଜିଲିଂର ଏକ ଚା’ କଂପାନୀ ‘ଟିଏମ୍ ଆଣ୍ଡ ଏମ୍.ସି’ (Tea Manufacturing and Marketing Consultant Pvt. Ltd.) କମ୍ପାନୀକୁ ନିମନ୍ତ୍ରଣ କରିଥିଲେ । ଏହି ଚା’ କଂପାନୀ ଏବଂ ଓଡ଼ିଶା ସରକାର ମିଳିତ ଭାବେ ‘Odisha Tea Plantation Ltd. ନାମରେ ଏକ ସଂସ୍ଥା ଗଠନ କରି ତରମାକାନ୍ତରେ ବିଧିବଦ୍ଧ ଭାବେ ଚା’ ଚାଷ ଆରମ୍ଭ କରିଥିଲେ ।

୧୯୮୩ ମସିହାରେ ପ୍ରଥମେ ତରମାକାନ୍ତ ଜଙ୍ଗଲରେ ମାତ୍ର ୧୦ ହେକ୍ଟର ଜମିରେ ପରୀକ୍ଷାମୂଳକ ଭାବେ ଚା’ ଚାଷ କରାଗଲା ଏବଂ ଏହା ଏତେ ମାତ୍ରାରେ ସଫଳତା ପାଇଲା ଯେ, ଏହାର ବର୍ଷ ଦୁଇ ବର୍ଷ ପରେ ୪୦୦ ହେକ୍ଟର ଜମିରେ ଚା’ ଚାଷ କରାଗଲା ।

ଏଠାକାର ଚା’ ଚାଷରେ ଅଗ୍ରଗତି ସହିତ ଚା’ ବଗିଚା ପାଇଲା ନୂତନ ରୂପ ଓ କଳେବର ! ଦିନ ଆସିଲା, ଚା’ ବଗିଚାରେ ଲାଗିଲା ବହୁ ସଂଖ୍ୟାରେ ସୌଖୀନ ଗାଡ଼ି, ବହୁ ସଂଖ୍ୟାରେ ବଡ଼ବଡ଼ ଟ୍ରକ୍, ପ୍ରତିଷ୍ଠା ହେଲା ବେଲ୍‌ଜିୟମ୍ କାଚରେ ସୌଖୀନ ଅତିଥି ଗୃହମାନ ! ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ, ବିଶେଷଜ୍ଞ ଓ ବ୍ୟବସାୟୀଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଲା ତରମାକାନ୍ତ !

ପ୍ରତିଦିନ ଏଠାରୁ ସ୍ଥାନୀୟ ଭୂୟାଁ, ଜୁଆଙ୍ଗ ମହିଳା, ପୁରୁଷମାନେ ଚା’ ପତ୍ର ସଂଗ୍ରହ କରିଚାଲିଲେ, ଚା’ ପତ୍ରର ପ୍ରୋସେସିଂ କରାଗଲା, ପ୍ୟାକେଟିଂ ମଧ୍ୟ । ହଜାର ହଜାର ସଂଖ୍ୟାରେ ଚା’ କମ୍ପାନୀ କର୍ମଚାରୀ, ଚା’ ପତ୍ର ତୋଳାଳି ଏବଂ ବିଦେଶୀ ପର୍ଯ୍ୟଟକ, ବ୍ୟବସାୟୀଙ୍କ କୋଳାହଳରେ ତରମାକାନ୍ତର ଏହି ‘ଭୂୟାଁ ଜୁଆଙ୍ଗ ପିଢ଼’ ଅଞ୍ଚଳ ବେଶ୍ ଚଳଚଞ୍ଚଳ ହୋଇଉଠୁଥିଲା ।

ପ୍ରାୟ ୧୯୮୭ ମସିହା ବେଳକୁ ତରମାକାନ୍ତ ଜଙ୍ଗଲରେ ୧୧୫୦ ହେକ୍ଟର ଜମିରେ ଚା’ ଚାଷ କରାଯାଇ ସମଗ୍ର ଓଡ଼ିଶାର କୃଷି ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା । ୧୯୮୭ ମସିହାରେ Odisha Tea Plantation Ltd. କମ୍ପାନୀ ରେକର୍ଡ ପରିମାଣର ୨,୩୫,୦୦୦ କିଲୋ ଚା’ ବିଦେଶକୁ ରପ୍ତାନୀ କରି ସମଗ୍ର ଦେଶରେ ଏକ ବିରଳ ରେକର୍ଡ ସ୍ଥାପନ କଲା । ଆଉରି ମଧ୍ୟ, ସେତେବେଳେ ତରମାକାନ୍ତ ଚା’ ଥିଲା ସମଗ୍ର ରାଜ୍ୟ ତଥା ଦେଶର ଏକ ଚର୍ଚ୍ଚିତ ବ୍ରାଣ୍ଡ ! 

ଜାପାନ, ଫ୍ରାନ୍ସ, ଜର୍ମାନୀ, ଲଣ୍ଡନ, ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍ ରଷ, କାନାଡା ଭଳି ଦେଶମାନଙ୍କୁ ଚା’ ରପ୍ତାନୀ କରି କମ୍ପାନୀ ଲାଭବାନ ହୋଇଉଠିଲା । ଏହି ଲାଭ ଯୋଗୁଁ ଚା’ ବଗିଚାରେ କାମ କରୁଥିବା କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ, ଭୂୟାଁ ମହିଳା ଓ ପୁରୁଷମାନେ ମଧ୍ୟ ଦି’ ପଇସା ପାଇପାରିଲେ ଏବଂ ସେମାନଙ୍କ ସଂସାର ବେଶ୍ ସୁରୁଖୁରୁରେ ଚାଲିବାକୁ ଆରମ୍ଭ କରିବାକୁ ଲାଗିଲା । ତରମାକାନ୍ତ ଚା’ ଅଧିକ ସ୍ୱାଦଯୁକ୍ତ ଥିବାରୁ ବିଦେଶ ବଜାରରେ ଏହା ଦାର୍ଜିଲିଂ ଚା’କୁ ମଧ୍ୟ ପଛରେ ପକାଇ ନିଜର ବ୍ୟବସାୟିକ ସଫଳ ଯାତ୍ରା ଅବ୍ୟାହତ ରଖିପାରିଲା ।

୧୯୮୩ ମସିହାରୁ ଏଠାରେ କାରବାର ଆରମ୍ଭ ହୋଇ ୨୦୦୨ ମସିହା ବେଳକୁ ବ୍ୟବସାୟ ସଫଳତାର ଶୀର୍ଷକୁ ଛୁଇଁ ପାରିଲା । ଏଠାରୁ ଉତ୍ପାଦିତ ଚା’ର ଏକ ସ୍ବତନ୍ତ୍ର ଚାହିଦା ବିଶ୍ବବଜାରରେ ରହିଆସିଥିଲା ଏବଂ ଆରମ୍ଭ ହେବା ଦିନୁ ଲାଭରେ ଚାଲି ଆସିଥିବା ଏହି ପ୍ରକଳ୍ପଟି ହଠାତ ୨୦୦୨ ମସିହାବେଳକୁ ଧିମେଇ ଯାଇଥିଲା । ସରକାରଙ୍କ ଆନ୍ତରିକତାର ଅଭାବ, ପରିଚାଳନାଗତ ତ୍ରୁଟି, ପ୍ରାଶାସନିକ ଅଧିକାରୀଙ୍କ ସ୍ବାର୍ଥଖୋର ପ୍ରବୃତ୍ତି, ଦୁର୍ନୀତିର ପ୍ରବେଶ ଏବଂ ବ୍ୟାପକ ଅର୍ଥ ହେବ ଫଳରେ ଏହି ପ୍ରକଳ୍ପଟି କ୍ରମେ ବନ୍ଦ ହୋଇଯିବାକୁ ବସିଲା । ୨୦୦୩-୦୪ ମସିହା ବେଳକୁ ଏହା ସଂପୂର୍ଣ୍ଣ ବନ୍ଦ ହୋଇଗଲା ।

ଏକବିଂଶ ଶତାବ୍ଦୀର ଆରମ୍ଭରେ ଓଡ଼ିଶା ମାଟିକୁ ତଳିତଳାନ୍ତ କରିବାର ଯେଉଁ କୁତ୍ସିତ ଯୋଜନା ପ୍ରସ୍ତୁତ ହେଲା, ତା’ର ପ୍ରଥମ ସୋପାନ ଭାବେ ବଳିପଡ଼ିଲା ତରମାକାନ୍ତର ଚା’ ଉଦ୍ୟୋଗ ! ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଗଢ଼ି ଉଠିଥିବା କାରଖାନା, ମୂଲ୍ୟବାନ ଯନ୍ତ୍ରାଂଶ, କର୍ମଚାରୀଙ୍କ ବାସଗୃହ, ବେଲଜିୟମ କାଚରେ ନିର୍ମିତ ଆକର୍ଷଣୀୟ ତଥା ଖୁବ ବିଳାସମୟ ଅତିଥିଗୃହ ଓ ସର୍ବୋପରି ହଜାର ହଜାର ହେକ୍ଟର ପରିମିତ ଚା’ ବରିଚା ଧ୍ବଂସ ପାଇଯାଇଗଲା । କମ୍ପାନୀ କାମରେ ଲାଗୁଥିବା ଛୋଟବଡ଼  ସୌଖୀନ ଗାଡ଼ି ମାନ ମଧ୍ୟ ଧ୍ବଂସ ପାଇ ମାଟିରେ ମିଶିଗଲା ।

ଦିନେ ବିଦେଶ ମାଟିରେ ବେଶ୍ ନାଁ କରିଥିବା କେନ୍ଦୁଝର ମାଟିର ଗର୍ବଗୌରବ ତରମାକାନ୍ତ ଚା’ ଆଜି ସ୍ଵପ୍ନ ଓ ଇତିହାସ ପାଲଟିଛି । ସ୍ବାଦରେ ଦାର୍ଜିଲିଂ ଚା’କୁ ଟପି ଯାଇଥିବା କେନ୍ଦୁଝର ଜିଲ୍ଲାର ‘ଜୁଆଙ୍ଗ-ଭୂୟୀ ପିଢ଼’ର ତରମାକାନ୍ତ ଚା’ ଏବେ ବି ଅନେକଙ୍କ ସ୍ମତିରେ ତାଜା ହୋଇରହିଛି ।

ଆଜି ତରମାକାନ୍ତ ଚା’ ବଗିଚାର ଲକ୍ଷାଧିକ ଥୁଣ୍ଟା ଚା’ ଗଛ ନିରବରେ କଟାକ୍ଷ କରିଚାଲିଛନ୍ତି ଆମର ଅପାରଗପଣିଆକୁ ! ମହାଭାରତ ଯୁଗର ଜୁଆଙ୍ଗ ଜନଜାତି ତଥା କେନ୍ଦୁଝର ଜିଲ୍ଲାବାସୀଙ୍କୁ ନିଜ ଦୁର୍ଭାଗ୍ୟ ସହିତ ଜୀଇଁ ବାକୁ ପ୍ରେରଣା ଯୋଗାଉଛି କେବଳ ।

Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

23 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago