~ ମାଣବସା ଗୁରୁବାର ~
ଉପସ୍ଥାପନା: ଅମୃତେଶ ଖଟୁଆ
ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ
ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ ।
ଗୋମୟ ଲିପା ଅଗଣାତଳ
ଦିଶୁଚି କେଡ଼େ ସୁନିରିମଳ
ନୟନ ମନ ନେଉଚି ହରି
ପିଠଉ-କମ-ଝୋଟି
ଶତେକ ଦଳେ ହୋଇଚି ଲେଖା
ପଦ୍ମଫୁଲ ଗୋଟି ।
(ଛନ୍ଦକବି ରାଧାମୋହନ ଗଡ଼ନାୟକଙ୍କ ‘ଶ୍ରୀୟା ଚଣ୍ଡାଳୁଣୀ‘)
ମାର୍ଗଶିର ମାସ ପ୍ରଥମ ପାଳି ଗୁରୁବାର । ଅଲାଗିପାଳି ଗତ ହୋଇ ଆଜି ମା’ ଲକ୍ଷ୍ମୀଙ୍କ ମଗୁଶୁର ଗୁରୁବାର । ଏବେ ଚାଉଳ କୁଟିବା ଲାଗି ଢିଙ୍କି ଯୁଗ ନାହିଁ ନହେଲେ ବୋଧହୁଏ ଆଜି ସକାଳୁ ସକାଳୁ ଅରୁଆ ଚାଉଳର ଢିଙ୍କି କୁଟା ଚାଉଳ ଚୂନା ନିଶ୍ଚେ ମାଣ ପାଇଁ ଲାଗି ହୋଇଥାନ୍ତା । ଘରେ ଅଗଣା ମଝିରେ କଢ଼ିପଦ୍ମ ଝୋଟି, ଧାନକୋଠି ତଳେ ଧାନଘର ଚିତା, କାନ୍ଥରେ ଛିଞ୍ଚା ଧାନଗଦା ଚିତା, ଚାଉଳଡୋଲି ଓ ଅମାରଘର କାନ୍ଥ ବୁକୁରେ ଲତାପଦ୍ମ ଚିତା, ଧାନ ଘରେ ପଦ୍ମମରେଇ ଚିତା, ଶଙ୍ଖପଦ୍ମ, ଚକ୍ର ପଦ୍ମ ସାଙ୍ଗରେ ପଡ଼ିଦାତ୍ରୀ ସାମନ୍ତାଣୀ ଲକ୍ଷ୍ମୀ ଠାକୁରାଣୀଙ୍କୁ ଅଭିବାଦନ ଜଣେଇ ଅତି ସନ୍ତର୍ପଣରେ ଅଙ୍କା ହେଇଯାଇଥିବ ଲକ୍ଷ୍ମୀଙ୍କ ଆସ୍ଥାନରେ ଦଶମଣ୍ଡଳ ପଦ୍ମଚିତା
ପୂର୍ବ ରାତିରୁ ଘର ଦାଣ୍ଡ ଦୁଆର ଯାଏଁ ଗୋବର ଛୁଞ୍ଚ ପାଣି ପଡ଼ି ଯଥେଷ୍ଟ ଶୁଚିତା ବାବଦକୁ ଗୋମୟରେ ଅଗଣା ଚଉତରା ଲିପା ପୋଛା ହେଇ ତୁଠପଥର ଭଳି ମସୃଣ ପାଲଟି ଯାଇଥାଏ । ଇଏ ଅସିଆ କାଳର ମସିଆ କଥା । ତଥାପି ପରମ୍ପରାରେ ରହିଛି ଓଡ଼ିଆ ଘର ନବବଧୂର ଚେତନା । ତେଣୁ, ଓଡ଼ିଆଣୀ ଥିବା ଯାଏଁ ପରମ୍ପରାର ମୃତ୍ୟୁ ନାହିଁ, ପବିତ୍ରତାର ଅନ୍ତ ନାହିଁ । ହଁ, ବୋହୂମାନଙ୍କ ପାଇଁ ବଡ଼ ଗୁରୁତର ବେଳା ।
ଶିଶିର ମାସ ବଡ଼ି ଭୋରୁ ଶଯ୍ୟାତ୍ୟାଗ କରି ମୁଣ୍ଡ ଧୋଇ ଗାଧୋଇବା ପରେ ଶୁକ୍ଳ ବସନ ପରିଧାନ କରି ମା’ ମହାଲକ୍ଷ୍ମୀଙ୍କ ପାଇଁ ଖଟୁଲିରେ ମାଣ ବସାଇ ନୂଆ ଅମଳ ଚାଉଳ ଉପରେ ମହାଦେବୀଙ୍କୁ ପୂତ ଚିତ୍ତରେ ଆବାହନ କରିବେ । ଏ ଯୋଜନା ଅମଳର ପ୍ରଥମ ପର୍ଯ୍ୟାୟ ପୂର୍ବଦିନ ବୁଧବାର ରାତିରୁ ହିଁ ଆରମ୍ଭ ହେବ ।
ଏତିକିବେଳେ ଗୃହିଣୀଙ୍କ କର୍ମକାଳକୁ ଶାଶୁମାନେ ସଜାଗ ହୋଇ ରହିଥିବେ ‌। ଗୁରୁବାର ସକାଳୁ ନଗଦ ନଗଦ ପାଇଟିପତ୍ର ନ ସାରି ଅଗାଧୁଆ ମୁହଁ ଜଳ ଅନ୍ନ ଛୁଇଁ ଲକ୍ଷ୍ମୀଙ୍କୁ ଘର ଆସୁ ଆସୁ ଘଉଡ଼େଇଦେବା ଭଳି ପ୍ରବୃତ୍ତି, ଏସବୁ ଆଦୌ ସହ୍ୟ ହେବନାହିଁ । ସମ୍ପଦ ଆସେ ପରିଶ୍ରମ ଓ କୌଶଳରୁ, ଅଳସପଣକୁ ଆଦରି ଲକ୍ଷ୍ମୀ ସେ ଘରେ ପାଦ ପକେଇପାରିବେ କେମିତି ଅବା ?
ମାଣବସା ଗୁରୁବାର ଅବସରରେ ଏଇ ଚିତା ଅଙ୍କନରେ ସାଇତା ଓଡ଼ିଆ ଘର ନବବଧୂର କଳାକୌଶଳ ଓ ନିର୍ମଳ ଅନୁଭୂତିମାନଙ୍କ ସମ୍ଭାର । ଯାହା ଜାତି, ବର୍ଣ୍ଣ ନିର୍ବିଶେଷରେ ବାଟ କଢ଼ାଇ ଆଣେ ମା’ ମହାଲକ୍ଷ୍ମୀଙ୍କୁ । ଏଣେ ଓଷାକୋଠି ଗମ୍ଭୀରାରେ ଭରି ଉଠୁଥିବ ସଜ ସକାଳ ପରି ସଜପଦ୍ମର ସୁରଭି । କେଳିକୁସୁମର ମାଳ ଶୋଭା ଭିତରେ ବର୍ଣ୍ଣମୟ ଐଶ୍ବର୍ଯ୍ୟର ଗନ୍ତାଘର ବେଣୀପକା ନୂଆ ଧାନମେଣ୍ଟା ସହ ଖଟୁଲିଟିଏ ଉପରେ ବେତବୁଣା ନୂଆ ସାନ ବଡ଼ ଦୁଇଟା ମାଣ । ତା ସଙ୍ଗେ ଶ୍ବେତ ଧାନ ଓ ବେଦୀ ତଳେ ପୂର୍ଣ୍ଣ କଳସୀ । ଚଉପାଶ ବେଢ଼ି ରହିଛି ଗୋଟା ପାନ, ମୂଳା ଆଖୁ ଖଣ୍ଡ । ମାଣ ଖଟୁଲିର କଡ଼କୁ ବଇଠା ଉପର ଘିଅ ଦୀପ ଦାଉ ଦାଉ ଜଳିଉଠୁଛି ।
ଘିଅଦୀପର ନିଷ୍ପ୍ରଭ ଆଲୋକରେ ଉପବାସୀ କୂଳବଧୂ ଓ ଆକୁଳା କନ୍ୟାମାନଙ୍କ ସୁଲଳିତ କଣ୍ଠରେ ବଳରାମ ଦାସଙ୍କ ବୈପ୍ଳବିକ ‘ଲକ୍ଷ୍ମୀପୁରାଣ’ର ଗମ୍ଭୀରଗାନ । ଅଗଣିତ ନାରୀହୃଦୟରେ ଗୋଟିଏ ବିନ୍ଧାଣିର ଆବେଗ ଓ ସମର୍ପିତ କଳ୍ପରାଜ୍ୟର ଗୌରବମଣ୍ଡିତ ଆସ୍ଥାନକୁ ନିଜର ସୁଯୋଗ୍ୟ ସ୍ଥଳୀ ମଣି ଆପଣା ଛାଏଁ ବିହ୍ବଳ ହୋଇ ସଜ ବିଜେ କରନ୍ତି ମା’ ପଡ଼ିଦାତ୍ରୀ ।
ହୁଳହୁଳି ସହ ଘଣ୍ଟ ଶଙ୍ଖ ନାଦରେ ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ । ଚକୁଳିପିଠା, ମୂଳା ଶାଗ, ମଣ୍ଡା, ତରଣ, କାକେରା, ବିରି ତିଆରି ବିରିବରା, ବୁଢ଼ା ଚକୁଳି ଆଦି ସ୍ବାଦୁ ବ୍ୟଞ୍ଜନର ବାସନା ଭିତରେ ଠା’ ସଜାଡ଼ି ରଖାଯାଇଥିବ ଆହୁରି ଭୂରି ଭୂରି ନୈବେଦ୍ୟ । ଛେନା ଫଳମୂଳ ଲାଗି ବାଳଭୋଗ ଓ ପରେ ପରେ ସଙ୍ଖୁଡି ଭୋଗ ହୋଇ ମାଣବସା ଆରମ୍ଭ ହେଇଛି ।
ଏହି ଗୋଟିଏ ପରମ୍ପରାର ଝୁଙ୍କ କେବଳ ମା’ ମହାଲକ୍ଷ୍ମୀଙ୍କ ଆବାହନ ସୂତ୍ରରେ ପ୍ରଚଳିତ ହୋଇନାହିଁ । ବରଂ ପ୍ରତି ଓଡ଼ିଆ ଘରର ନାରୀମାନଙ୍କୁ ମା’ ମହାଲକ୍ଷ୍ମୀଙ୍କ ସ୍ବରୂପ ପ୍ରଦାନ କରି ମହିମାନ୍ବିତ କରିଛି । ଶୁଚିନିଷ୍ଠା ଓ କର୍ତ୍ତବ୍ୟପରାୟଣ ହେବା ସହ ଗୃହସ୍ଥ ସଦସ୍ୟମାନଙ୍କ ନିମନ୍ତେ ନାରୀର ମୁରବିପଣ ମଧ୍ୟ ପ୍ରତିଷ୍ଠିତ । ଆଜି ଯୁଗ ପରିବର୍ତ୍ତନ ଅନେକ କିଛି ପରିବର୍ତ୍ତିତ ସତ୍ୟ । ମାତ୍ର ଚାଲି ଯାଇନାହିଁ ଓଡ଼ିଆ ଘରର ବୈପ୍ଳବିକ ବିଶ୍ବାସ ଅଥବା ସେହି ମହାର୍ଘ ପରମ୍ପରା ପାଳନର ଗୌରବ । ନିଜ ଉଦ୍ୟମ ଓ ସଚ୍ଚୋଟ ଚିନ୍ତନର ଶୃଙ୍ଖଳ ଭିତରେ ସଜାଗ ଆଜି ବି ଏହି ମାଟି ।
Manabasa Gurubara, Chita, Dhanamanika
LakshmiPuja, LakshmiPurana
Balaram Das, Shriya Chandaluni
Maa Lakshmi
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago