ଲେଖା: ନିରଞ୍ଜନ ସାହୁ

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଭୟ, ଆତଙ୍କ, ଅଶିକ୍ଷା, ଅନ୍ଧବିଶ୍ୱାସ ଓଡ଼ିଆ ଜାତିକୁ ଆତ୍ମବିଲୁପ୍ତ କରିଦେଇଥିଲା। ଦ୍ଵିତୀୟାର୍ଦ୍ଧର କିଛି କାଳ ପର୍ଯ୍ୟନ୍ତ ଏ ଜାତିର ନିର୍ବେଦତା ଲାଗି ରହିଲା। ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଗୋଟିଏ ଇତିହାସ ପ୍ରସିଦ୍ଧ ଜାତିର ମେରୁଦଣ୍ଡକୁ ଦୋହଲାଇ ଦେଇ ଶ୍ମଶାନିତ କରିଦେଲା। ଛିନ୍ନବିଛିନ୍ନ ହୋଇଗଲା ଧର୍ମ, ଦର୍ଶନ, କଳା, ସାହିତ୍ୟ, ସ୍ଥାପତ୍ୟ, ବାଣିଜ୍ୟ ଏବଂ ସାମରିକ ପରାକାଷ୍ଠା।

ଏହି ଦୁର୍ଭିକ୍ଷର ଆର୍ତ୍ତନାଦର ମହାଶ୍ମଶାନରୁ ଶୋଇଯାଇଥିବା ଐତିହ୍ୟ ସମ୍ପନ୍ନ ଜାତିର ଆତ୍ମଜାଗୃତିର ଶୁଭ ଲକ୍ଷଣ କ୍ରମଶଃ ପରିଦୃଷ୍ଟ ହେଲା। ମାତୃଭାଷା ଓ ମାତୃଭୂମିକୁ ଆଧାର କରି ଜାତୀୟତାର ଶୁଭଶଙ୍ଖ ନିନାଦିତ ହେଲା କର୍ମଯୋଗୀ ଗୈାରୀଶଙ୍କର ସମ୍ପାଦିତ ଉତ୍କଳ ଦୀପିକା ମାଧ୍ୟମରେ (୪/୮/୧୮୬୬)। ପରେ ପରେ ଆଗେଇ ଆସିଲେ ବାଲେଶ୍ଵର ସମ୍ବାଦ ବାହିକା, ଉତ୍କଳ ହିତୈଷିଣୀ, ଉତ୍କଳଦର୍ପଣ, ଉତ୍କଳ ସାହିତ୍ୟ ଇତ୍ୟାଦି ପତ୍ରିକା। ଅତଃ ଆବିର୍ଭାବ ହେଲା ଏକ ଶିକ୍ଷିତ, ମଧ୍ୟବିତ୍ତ ଶ୍ରେଣୀ, ବିଭିନ୍ନ ସଂଘ ସମିତି। ରାଜାମହାରାଜାଙ୍କ ପୃଷ୍ଠପୋଷକତାରେ ଗଢିଉଠିଲା ଅନେକ ଅନୁଷ୍ଠାନ ଯେଉଁ ମାନେ ଉଦ୍ରେକ କରିବାରେ ସହାୟକ ହେଲେ ‘ଭାଷାପ୍ରୀତି’, ‘ଉତ୍କଳ ପ୍ରୀତି’ । ଏହାହିଁ ଓଡ଼ିଶାର ରେନେସାଁ ଯୁଗର ଆରମ୍ଭ।

ଠିକ୍ ସେତିକି ବେଳେ ଏହି ଭାଷା ଆନ୍ଦୋଳନକୁ ଶିକ୍ଷିତ ଗୋଷ୍ଠୀ ଓ ପତ୍ରପତ୍ରିକା ମଧ୍ୟରେ ସୀମିତ ନରଖି ଏହାକୁ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଆଗେଇ ଆସିଥିଲେ ଜଣେ ରାଜନ୍ ମହାରାଜା ଭେଙ୍କଟେଶ୍ଵର ଦେଓ। ସେ ଥିଲେ କନ୍ଧମାଳ ଜିଲ୍ଲାର ‘କଡିଙ୍ଗିଆ‘ର ରାଜା।

ଏକ ଦୃଢ ସଙ୍ଗଠନ ବିନା ଏକ ଆନ୍ଦୋଳନ ବଞ୍ଚାଇ ରଖିବା କଷ୍ଟକର, ଏହା ଥିଲା ରାଜାଙ୍କର ଦୃଷ୍ଟିଭଙ୍ଗୀ। ଏହାକୁ ଦୃଷ୍ଟିରେ ରଖି ରାଜା ଭେଙ୍କଟେଶ୍ଵର ଦେଓ ୧୮୭୦ ମସିହା ସେପ୍ଟେମ୍ବର ମାସରେ ଆହୂତ କଲେ ଏକ ବିରାଟ ଜନସଭା, ରସୁଲକୋଣ୍ଡା (ଭଞ୍ଜନଗର) ଠାରେ। ତାହା ଥିଲା ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ପ୍ରଥମ ସାଙ୍ଗଠନିକ ପ୍ରୟାସ। ତାଙ୍କର ଦୃଢ ସଙ୍ଗଠନ, ଗଭୀର ଆତ୍ମବିଶ୍ବାସ ଓ ପ୍ରଚଣ୍ଡ ଜ୍ଞାନ, ଭାଷା ପ୍ରୀତି ହେତୁ ସେ ସମୟରେ ମାଡ୍ରାସ ପ୍ରେସିଡେନ୍ସିରେ ଥିବା ସମସ୍ତ ଓଡିଆ ଭାଷାଭାଷୀ ଅଞ୍ଚଳର ରାଜନ୍ ବର୍ଗ, ଜମିଦାର, ପେଣ୍ଠ ଗ୍ରାମର ମୁଖିଆ ଓ ବହୁ ଜନପ୍ରତିନିଧି ସ୍ଵତଃସ୍ଫୁର୍ତ୍ତ ଭାବେ ଯୋଗ ଦେଇଥିଲେ। ଏହା ଥିଲା ଓଡିଆଭାଷୀ ଅଞ୍ଚଳର ସର୍ବପ୍ରଥମ ସମାବେଶ। ସେହି ସଭାରେ ପାଲୁରୁ, ହୁମା, ଗଞ୍ଜାମ, ବିରୁଳୀ, ଖଲ୍ଲିକୋଟ, କୋଦଳା, ଆଠଗଡ଼, ଘୁମୁସର, ଧରାକୋଟ, ସୋରଡ଼ା, ରଢବା, ଗଦାପୁର, ବଡଗଡ, ସାରଙ୍ଗଗଡ, ସାନଖେମୁଣ୍ଡି, ବଡ଼ଖେମୁଣ୍ଡି , ଚିକିଟି, ମହୁରୀ, ଜରଡା, ସୁରଙ୍ଗୀ, ମଞ୍ଜୁଷା, ଜଳନ୍ତରଟିକିଲିର ରାଜା, ଜମିଦାର ଓ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ତାହା ଐତିହାସିକ ରସୁଲକୋଣ୍ଡା ଅଧିବେଶନ ନାମରେ ପରିଚିତ। ଏହି ସଭାରେ ଆବାହକ ଥିଲେ ବିଶିଷ୍ଟ ଶିକ୍ଷାବିତ ଜନାର୍ଦ୍ଦନ ଦାସ ଓ ସଭାପତି ଆସନ ଅଳଙ୍କୃତ କରିଥିଲେ ରାଜା ଭେଙ୍କଟେଶ୍ଵର ଦେଓ।

ବ୍ରିଟିଶ ଶାସନ କାଳରେ ଓଡ଼ିଆ ଭାଷାକୁ ହତାଦର କରୁଥିବାରୁ ଏହି ସଭା ଉଦବେଗ ପ୍ରକାଶ କରିବା ସହ, ତାର ପ୍ରତିବାଦରେ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କ ନିକଟକୁ ପ୍ରସ୍ତାବ ମୁତାବକ ଦାବୀପତ୍ର ପ୍ରେରଣ କରିଥିଲେ। ଏହି ଦାବୀପତ୍ରରେ ଉଲ୍ଲେଖ ଥିଲା –

(୧) ସରକାରୀ ଅଫିସରେ ଓଡ଼ିଆ ଭାଷାରେ ଲିଖିତ ଦରଖାସ୍ତ ଗ୍ରହଣ କରାଯାଉ ଓ ଓଡ଼ିଆ ଭାଷାରେ ନିଷ୍ପତ୍ତି ପ୍ରକାଶିତ ହେଉ।

(୨) ଅଫିସ ଗୁଡ଼ିକର ରେକର୍ଡ ପତ୍ର ଓଡ଼ିଆରେ ରଖାଯାଉ ଏବଂ ଓଡ଼ିଆ ମାଧ୍ୟମରେ ପରୀକ୍ଷା କରାଯାଇ ସରକାରୀ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆଯାଉ।

(୩) ଶିକ୍ଷାନୁଷ୍ଠାନଗୁଡ଼ିକରେ ପରୀକ୍ଷା ପ୍ରକ୍ରିୟାରେ ଓଡ଼ିଆ ଭାଷାକୁ ସ୍ଵୀକୃତି ଦିଆଯାଉ।

ମହାରାଜା ଭେଙ୍କଟେଶ୍ଵର ଦେଓ ଉତ୍କଳ ଦୀପିକାର ସମ୍ପାଦକଙ୍କୁ ପତ୍ର ଲେଖି ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପ୍ରଚାର କରିବାକୁ ଅନୁରୋଧ କରିଥିଲେ। ସମସ୍ତ ପ୍ରକାର ସରକାରୀ ଚାକିରୀ କ୍ଷେତ୍ରରେ ଓଡ଼ିଆମାନଙ୍କୁ ବଞ୍ଚିତ କରାଯାଉଥିବାରୁ ଏହାର ଦୃଢ ପ୍ରତିବାଦ କରିବାସହ ଆନ୍ଦୋଳନ ଆହୁରି ତୀବ୍ରତର କରିବାକୁ ରାଜା ଭେଙ୍କଟେଶ୍ଵର ସମସ୍ତ ଉପସ୍ଥିତ ସଦସ୍ୟଙ୍କର ସହାୟତା ଲୋଡ଼ିଥିଲେ ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଗୋଟିଏ ସୂତ୍ରରେ ବାନ୍ଧିରଖିବା ପାଇଁ ଆହ୍ୱାନ ଦେଇଥିଲେ।

ଏହି ଅଧିବେଶନ ପରେ ରମ୍ଭା, ବ୍ରହ୍ମପୁର ଓ କଟକ ଅଧିବେଶନ ହିଁ ଥିଲା ପରବର୍ତ୍ତୀ ବୃହତ ସମାବେଶ, ଯହିଁରୁ ଜନ୍ମ ନେଇଥିଲା ଗଞ୍ଜାମ ଜାତୀୟ ସମିତି ଓ ଉତ୍କଳ ସମ୍ମିଳନୀ।

ପ୍ରଚଣ୍ଡ ଭାଷାପ୍ରେମୀ, ସ୍ଵାଭିମାନୀ, ସ୍ଵାଧୀନଚେତା, ସ୍ଵଦେଶୀ ଚିନ୍ତାଧାରାର ବାର୍ତ୍ତାବହ ମହାରାଜା ଭେଙ୍କଟେଶ୍ଵର ଦେଓ ଆଜି କିନ୍ତୁ ଅନାଲୋଚିତ ବ୍ୟକ୍ତିତ୍ଵ। ସେ ପ୍ରକୃତରେ ଭାଷା ଆନ୍ଦୋଳନର ଅଗ୍ରନେତା, ସଙ୍ଗଠକ, ଜନନାୟକ ଓ ତ୍ୟାଗୀ। ଓଡ଼ିଶାର ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇପାରିନାହାନ୍ତି ସଠିକ୍ ଭାବେ। ତଥାପି ଏ ଜାତି ପାଇଁ ତାଙ୍କର ଅବଦାନ ଦୃଷ୍ଟିରୁ ସେ ଯଶୋଦେହେ ଆୟୁଷ୍ମାନ

ଦଣ୍ଡବତ ପ୍ରଣାମ ଏହି ପ୍ରବାଦ ରାଜନଙ୍କୁ । ‘ଅନ୍ତରଙ୍ଗ କଳିଙ୍ଗ’ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଆଧାର: କାହ୍ନୁ ବାଳକୃଷ୍ଣ ବିହାରୀ, ଉତ୍କଳ ପ୍ରସଙ୍ଗ, ମେ ୨୦୧୮

Maharaja Venkateswar Deo Katingia © Niranjan Sahu

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

17 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

7 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago