ଲେଖା: ନିରଞ୍ଜନ ସାହୁ

~ ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନ ~

ଓଡ଼ିଶା ଇତିହାସ ଓ ଓଡ଼ିଆ ସାହିତ୍ୟରେ ମାଦଳାପାଞ୍ଜିର ଅବଦାନକୁ କେହି ଅସ୍ବୀକାର କରି ପାରିବେ ନାହିଁ । ଶ୍ରୀମନ୍ଦିର ରୀତିନୀତି, ସେବା ପୂଜାବିଧି, ଗଜପତି ମହାରାଜାମାନଙ୍କର ରାଜ୍ୟ ଶାସନ ବିବରଣୀ, ସମକାଳୀନ ସାମାଜିକ ଓ ରାଜନୈତିକ ଚିତ୍ର, କିଛି ଅସାଧାରଣ ବିବରଣୀ, ବହୁ କାହାଣୀ, କିମ୍ବଦନ୍ତୀ, ଲୋକକଥା ଇତ୍ୟାଦିରେ ସମୃଦ୍ଧ ଏହି ମାଦଳାପାଞ୍ଜି । ଏହା ଶ୍ରୀମନ୍ଦିରର ଏକ ସେବା ଭାବରେ ଅଧିକତର ଗୃହୀତ ।

ସବୁଠାରୁ ବଡ଼ କଥା ହେଉଛି ଏହି ପାଞ୍ଜି ଲିଖନ ପାଇଁ କେହି ଜଣେ ନିଯୁକ୍ତ ହୋଇ ନଥାନ୍ତି କିମ୍ବା ଲେଖକ ଜଣକ ମଧ୍ୟ ଐତିହାସିକ, ସାହିତ୍ୟିକ, ଗାଳ୍ପିକ ବା କବି ଶ୍ରେଣୀର ଅନ୍ତର୍ଭୁକ୍ତ ନୁହଁନ୍ତି । ବିଶେଷ କରି ଏହି ପାଞ୍ଜି ତିନୋଟି ସ୍ଥାନରେ ରଚିତ ହୁଏ ଓ ଏଥିପାଇଁ ପାଞ୍ଚ ପ୍ରକାର କରଣ ନିଯୁକ୍ତ ହୋଇଥାନ୍ତି । ଏହି ତିନୋଟି ସ୍ଥାନ ହେଉଛି ଶ୍ରୀମନ୍ଦିର, ରାଜନବରତଢଉକରଣଙ୍କ ଘର । ମାଦଳାପାଞ୍ଜି ସହ ସମ୍ପୃକ୍ତ ହୋଇଥିବା କରଣମାନଙ୍କୁ ବର୍ଗୀକରଣ କରାଯାଇଛି ନିମ୍ନମତେ:

କୋଠକରଣ (Compiler)
ବଇଠିକରଣ (Asst. Compiler)
ତଢାଉକରଣ (Writer)
ଦେଉଳକରଣ (Enforcer)
ପାଞ୍ଜିଆକରଣ (Preserver)

ଏହି ନାମ ଗୁଡ଼ିକ ରାଜଦତ୍ତ ଉପାଧି ଏବଂ ବଂଶାନୁକ୍ରମ ।
କୋଠକରଣ: ମାଦଳାପାଞ୍ଜିରେ ଲିଖିତ ହେବା ନିମିତ୍ତ ରାଜନବରରୁ ବିବରଣୀ ସଂଗ୍ରହ ।

ବଇଠିକରଣ:  ଆସିଥିବା ବିବରଣୀ ମାନଙ୍କ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ବିବରଣୀ ନିର୍ବାଚନ ।

ତଢା଼ଉକରଣ: ବିଭାଗୀକରଣ କରିବା ସହ ପାଞ୍ଜିରେ ସମ୍ପୃକ୍ତ ବିଭାଗ ମାନଙ୍କରେ ଲିପିବଦ୍ଧ କରିବା ।

ଦେଉଳକରଣ: ପ୍ରତିଦିନ ବେହରଣରେ ପାଞ୍ଜି ପାଠ କରିବା ।

ପାଞ୍ଜିଆକରଣ: ପାଞ୍ଜି ସଂରକ୍ଷଣ, ପାଞ୍ଜିର ଅଧିକ ନକଲ ପ୍ରସ୍ତୁତି ସହ ଗୋଟିଏ ନକଲ ଶ୍ରୀମନ୍ଦିରରେ ଗଛିତ ରଖିବା, ଗୋଟିଏ ନକଲ ତଢା଼ଉକରଣ ଓ ଅନ୍ୟଟି ରାଜନବରକୁ ହସ୍ତାନ୍ତର କରିବା ।


ମାଦଳାପାଞ୍ଜିର ବିଭାଗ ମଧ୍ୟ ପାଞ୍ଚ ପ୍ରକାର, ଯଥା, ରାଜଖଞ୍ଜା, ଦେଶଖଞ୍ଜା, କର୍ମାଙ୍ଗୀ, ଦିନପାଞ୍ଜି ଏବଂ ଚକଡା଼ । ଏହି ପାଞ୍ଚ ପ୍ରକାର ଉପରେ ଆଧାରିତ ଆଲୋଚନା ନିମ୍ନମତେ କରାଯାଇଥାଏ,

ରାଜଖଞ୍ଜା: ଏହି ମାଦଳାରେ ରାଜାମାନଙ୍କ ବିଶେଷ ଘଟଣାବଳୀ ଲିପିବଦ୍ଧ ହେଉଥିଲା । ପ୍ରତିବର୍ଷ ପୌଷ ପୂର୍ଣ୍ଣମୀରେ ରାଜାଙ୍କର ଅଭିଷେକ ବାର୍ଷିକୋତ୍ସବରେ ପାଠ କରାଯାଏ। ଏହାର ଏକ ନକଲ ତଢା଼ଉକରଣଙ୍କ ପାଖରେ ରହିଥାଏ ।

ଦେଶଖଞ୍ଜା: ଏହି ମାଦଳାରେ ଦାନ, ଦକ୍ଷିଣା, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଦିର ତାଲିକା ରଖାଯାଉଥିଲା। ବିଭିନ୍ନ ଆକ୍ରମଣକାରୀଙ୍କ ଦ୍ବାରା ଲୁଣ୍ଠିତ ହୋଇଥିବା ଜଗନ୍ନାଥଙ୍କ ସମ୍ପତ୍ତିର ତାଲିକା ମଧ୍ୟ ଏଥିରେ ଲିପିବଦ୍ଧ ହେଉଥିଲା ।

କର୍ମାଙ୍ଗୀ: ଏହି ମାଦଳାରେ ଜଗନ୍ନାଥ ମନ୍ଦିରର ପ୍ରତିଦିନର ରୀତିନୀତି, ପର୍ବପର୍ବାଣୀ, ଅନ୍ୟାନ୍ୟ ମୁଖ୍ୟ ଘଟଣାବଳୀ ସ୍ଥାନିତ ହେବା ସହ ପ୍ରତ୍ୟହ ବେହରଣରେ ପାଠ କରାଯାଉଥିଲା । 

ଦିନପାଞ୍ଜି: ପ୍ରତିବର୍ଷ ବିଷୁବ ସଂକ୍ରାନ୍ତି ଦିନ ଠାରୁ ଏଥିରେ ଲେଖା ଆରମ୍ଭ ହେଉଥିଲା । ଦୈବଜ୍ଞ ଉପାଧିଧାରୀ ଶ୍ରୀମନ୍ଦିରର ଗଣକ ଏହାକୁ ପ୍ରତ୍ୟହ ପ୍ରସ୍ତୁତ କରି ଶ୍ରୀଜୀଉଙ୍କ ଅବକାଶ ସମୟରେ ପାଠ କରୁଥିଲେ ।

ଚକଡ଼ା: କେବଳ ମାଦଳା କରଣମାନେ ଶ୍ରୀକ୍ଷେତ୍ରରେ ମାଦଳାପାଞ୍ଜି ରଚନା କରୁନଥିଲେ, ବିଭିନ୍ନ ଅଞ୍ଚଳରେ ସେମାନଙ୍କ ବଂଶଧର ଗଣ ମଧ୍ୟ ପାଞ୍ଜି ରଚନାରେ ନିଯୁକ୍ତ ହୋଇଥିଲେ । ଏସବୁ ଆଞ୍ଚଳିକ ପାଞ୍ଜି ଏବଂ ଚକଡା଼ ନାମରେ ନାମିତ । “ଗୋବିନ୍ଦ ଦାସ ଚକଡା, ଖୁରୁଧା ଚକଡା଼, ରାମେଶ୍ବର ଚକଡା଼, ତାପଙ୍ଗ ଚକଡା଼, ଚୟନି ଚକଡା଼” ଇତ୍ୟାଦି ।

ତେବେ ବିଧିବଦ୍ଧ ଭାବରେ ଏହା ଗୋଟିଏ ସ୍ଥାନରେ ଲେଖା ନହୋଇ, ବିଭିନ୍ନ ସ୍ଥାନରେ, ସମୟକ୍ରମେ ଅଣସାହିତ୍ୟିକ, ଅଣ ଐତିହାସିକ ମାନଙ୍କ ଦ୍ଵାରା ଲେଖା ହୋଇଥିବା ହେତୁ ଏ ଗୁଡି଼କର ପାଠରେ ବୈଷମ୍ୟ ପରିଲକ୍ଷିତ ହେବା ସ୍ଵାଭାବିକ । ଏମିତିକି ରାଜ୍ୟ ସଂଗ୍ରହାଳୟରେ ଥିବା ମାଦଳାପାଞ୍ଜି, ଡଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଂଗୃହିତ ପାଞ୍ଜି, ଉତ୍କଳ ବିଶ୍ୱବିଦ୍ୟାଳୟରେ ଗଛିତ ହୋଇଥିବା ପାଞ୍ଜି ମଧ୍ୟରେ ବହୁ ଅମେଳ । କିନ୍ତୁ ଏହା ନିଶ୍ଚିତ ଯେ, ଅତୀତର ଜଗନ୍ନାଥ ମନ୍ଦିର, ଉତ୍କଳର ନୃପତି ମାନଙ୍କର ବିଶେଷ ଘଟଣା ସମୂହ, ସେ ସମୟର ସାମାଜିକ ଚିତ୍ର, ଓଡ଼ିଆ ସଂସ୍କୃତି ପରମ୍ପରା ଇତ୍ୟାଦିର ଭିତ୍ତି ହିଁ ମାଦଳାପାଞ୍ଜି । ଏହାର ସାହିତ୍ୟିକ ମୂଲ୍ୟ ମଧ୍ୟ କମ୍ ନୁହେଁ । ଯଦିଓ ଏହା ସୃଜନଶୀଳ ସାହିତ୍ୟ ସର୍ଜନା ନୁହେଁ, ତଥାପି ମାଦଳାପାଞ୍ଜି ଅନେକ କାଳ୍ପନିକ (?) କଥାକୁ ନେଇ ପୁଷ୍ଟ । ପରବର୍ତ୍ତୀ ସମୟରେ ବହୁ ଉପାଦେୟ ଓ ବିଖ୍ୟାତ ରଚନା ସୃଷ୍ଟି ହୋଇଛି ଆମ ଓଡିଆ ସାହିତ୍ୟରେ ।


କୌଣସି କବି ଓ ଲେଖକ ଏହାର ଲେଖା ଦାୟିତ୍ୱରେ ଥିଲେ ହୁଏତ ମାଦଳାପାଞ୍ଜିରେ ସ୍ଥାନିତ ବିବରଣୀ ଗୁଡ଼ିକ କଳ୍ପନା ରସରେ ଅନୁରଞ୍ଜିତ କରି ପ୍ରକାଶ କରିଥାଆନ୍ତେ । ଅବଶ୍ୟ ସେହି କରଣମାନେ କଳ୍ପନା ବିବର୍ଜିତ, କପୋଳକଳ୍ପିତ, ଅତି ରଞ୍ଜିତ ଜନଶ୍ରୁତିକୁ ଏଥିରେ ସଂଯୋଜିତ କରି ପରବର୍ତ୍ତୀ ସାହିତ୍ୟିକଗଣଙ୍କ ପାଇଁ ଉପାଦାନ ଛାଡ଼ି ଦେଇ ଯାଇଛନ୍ତି । ଅତଏବ ପରୋକ୍ଷରେ ଏହି ପାଞ୍ଜିକୁ ସାହିତ୍ୟ ଭାବରେ ଗ୍ରହଣ କରିବାରେ ବୋଧହୁଏ ଅସୁବିଧା ନାହିଁ ।

କାହାଣୀମାନଙ୍କ ମଧ୍ୟରେ ଯଯାତି କେଶରୀଙ୍କ ଶ୍ରୀଜଗନ୍ନାଥଙ୍କ ଉଦ୍ଧାର ଓ ମୂର୍ତ୍ତି ନିର୍ମାଣ ,ରାଜା ମଦନମହାଦେବଙ୍କ ଦ୍ଵାରା ବୌଦ୍ଧ ଶ୍ରମଣ ଓ ବ୍ରାହ୍ମଣଙ୍କ ଶକ୍ତି ପରୀକ୍ଷା, ଶିବେଇ ସାଆନ୍ତରାଙ୍କ ଖିରି ଖିଆ, ଗଙ୍ଗେଶ୍ଵର ଦେବଙ୍କ ନିଜ କନ୍ୟା ଉପଭୋଗ, ନାଗସାପ ଓ କପିଳେନ୍ଦ୍ର ଦେବ, କାଶିଆ କପିଳା ଭେଟ ଇତ୍ୟାଦି ବର୍ଣ୍ଣିତ କାହାଣୀ ସବୁ ପାଠକୀୟ କୌତୁହଳ ଓ ଉତ୍କଣ୍ଠା ଲାଗି ସୁଯୋଗ ସୃଷ୍ଟି କରିଥାଏ । ଏସବୁ କିମ୍ବଦନ୍ତୀ ତ ଏବେ ଆମ ସାହିତ୍ୟରେ ଅଙ୍ଗ ହୋଇ ସାରିଛି ଏବଂ ସମୟକ୍ରମେ ଗଳ୍ପ ଉପନ୍ୟାସ ରଚନା କରିବା ପାଇଁ ଆମର ସାହିତ୍ୟିକ ମାନଙ୍କୁ ଖୋରାକ ଯୋଗାଇଛି ।

ଆଧୁନିକ ଯୁଗରେ କବିବରଙ୍କ ‘ପାର୍ବତୀ’, ‘ଚିଲିକା’ କାବ୍ୟରେ ରକ୍ତବାହୁ ପ୍ରସଙ୍ଗ, ନାଟ୍ୟକାର ରାମଶଙ୍କରଙ୍କ ‘କାଞ୍ଚି କାବେରୀ’, ଗୋଦାବରୀଶ ମିଶ୍ରଙ୍କ ‘ପୁରୁଷୋତ୍ତମ ଦେବ’, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ‘ଅଭିଯାନ’, ପୁରୁଷୋତ୍ତମ ଦାସଙ୍କ କାବ୍ୟ ‘କାଞ୍ଚି କାବେରୀ’, ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳଶୈଳ’, ‘ନିଳାଦ୍ରୀ ବିଜୟ’ ଇତ୍ୟାଦି ମାଦଳାପାଞ୍ଜି ଉଲ୍ଲିଖିତ କଥାବସ୍ତୁ ଉପରେ ହିଁ ଆଧାରିତ। ପରବର୍ତ୍ତୀ ସାହିତ୍ୟକୁ ବହୁ ଭାବରେ ସହାୟତା ସୃଷ୍ଟି କରିଥିବା ଆମର ଏହି ମାଦଳାପାଞ୍ଜି ହିଁ ପ୍ରକୃତରେ ଇଂରେଜୀ ସାହିତ୍ୟର Holinsheds Chronicles । ଏହି ଠାରେ ସମାଲୋଚକ ଡଃ ନିଳାଦ୍ରୀ ଭୂଷଣ ହରିଚନ୍ଦନଙ୍କ ଉକ୍ତି ଉଦ୍ଧାର କରିବା ଶ୍ରେୟସ୍କର – “ଷୋଡ଼ଶ ଶତାବ୍ଦୀର ସାହିତ୍ୟ ସମ୍ପୂର୍ଣ୍ଣ ପଦ୍ୟ ସାହିତ୍ୟ ହୋଇଥିଲେ ହେଁ ମାଦଳାପାଞ୍ଜିର ଗଦ୍ୟ ଉପାଖ୍ୟାନ ରଚନା ବାସ୍ତବରେ ବିସ୍ମୟକର ଓ ବିପ୍ଳବାତ୍ମକ ।” ଓଡ଼ିଆ ଗଦ୍ୟ ସାହିତ୍ୟର କ୍ରମବିକାଶରେ ମାଦଳାପାଞ୍ଜିର ଭୂମିକା ଏଣୁ ଅପରିହାର୍ଯ୍ୟ ।

ସହାୟକ ଗ୍ରନ୍ଥ: ଓଡ଼ିଆ ସାହିତ୍ୟର ଇତିହାସ, ଡ. ସୁରେନ୍ଦ୍ର ମହାରଣା; ଓଡ଼ିଆ ସାହିତ୍ୟର ଇତିହାସ, ଡ. ବାଉରୀବନ୍ଧୁ କର; ମାଦଳାପାଞ୍ଜି, ଡ. ଆର୍ତ୍ତବଲ୍ଲଭ ମହାନ୍ତି ଓ ପ୍ରବନ୍ଧ ‘ମାଦଳାପାଞ୍ଜି’, Unique Publishers, Cuttack 

Madala Panji Odisha Itihasa © Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

5 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

6 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

1 week ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago