ଲେଖା: ଅମୃତେଶ ଖଟୁଆ

~ କ୍ଷୀରୋଦ ଚନ୍ଦ୍ର ପୋଥାଳ ~
“ଅକଲ ମକଲ ଟକଲ ଟିଆଁ,
ହନୁ ମାଙ୍କଡ଼ ହୋଇଛି ଠିଆ।
ବିଲେଇ ନାନୀ ହେଉଛି ବାହା,
ଗଧିଆ ଭାଇ ପିଉଛି ଚାହା।
ଠେକୁଆ ଭାଇ ଭରିଛି ରାହା,
ଅଜା ଘର ଯିବ ଆମ ଠେକୁଆ।
ଅକଲ ମକଲ ଟକଲ ଟିଆଁ
ଚିଁ ଚିଁ କରେ କୁକୁଡା ଚିଆଁ।”
ଇଂରାଜୀ ସାହିତ୍ୟ ଜଗତର କିମ୍ବଦନ୍ତୀ ମହାମହିମ ୱିଲିୟମ୍ ସେକ୍ସପିୟର୍ କହିଛନ୍ତି, “Tis when sceptres are in children’s hand, But more when envy breeds unkind division, there comes the ruin, there begins the confusion”.(Henry VI, Part 1). ପିଲା ରାଜା ହେଇ ଚପଳ ହେଲେ ସେ କେବଳ ଭଙ୍ଗାରୁଜା କରିପାରେ, ମାତ୍ର ମଣିଷ ଭିତରେ ଅସୂୟାଭାବ, ତାହାର ସର୍ବନାଶକୁ ଡାକି ଆଣେ ! ସେଥିପାଇଁ ବୋଧହୁଏ ଇଂରାଜୀରେ ପ୍ରବାଦ ଅଛି, ସ୍ଵର୍ଗକୁ ହାତ ବଢାଇ ଶିଶୁଟିଏ ହିଁ ନେଇ ଯାଇପାରେ। ଆଉ ଶିଶୁବତ୍ସଳ ହେଉଛି ମାଆ ଏବଂ ଶିକ୍ଷାର ଧାରାରେ ଶିଶୁଟିଏ ସମ୍ମୁଖୀନ କରେ ନିଜ ଅନ୍ତଃଚେତନା।
ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଆ ଶିଶୁ ସାହିତ୍ୟରେ ଭାବଗର୍ଭୀ ମନଛୁଆଁ କାବ୍ୟବିନ୍ୟାସ ସହ ଶୈଶବର ମନସ୍ତତ୍ତ୍ଵ ଓ ମୌଳିକତାକୁ ସେ ସମୟର ସ୍ରୋତରେ କରିପାରିଥିଲେ ଅବଗାହନ । ଶିଶୁ ସାହିତ୍ୟରେ ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ହେଁ କବିତ୍ଵ ଥିଲା ତାଙ୍କର ଏକ ସ୍ଵକୀୟ କ୍ଷେତ୍ର। ସ୍ଵାଧୀନୋତ୍ତର ଆଧୁନିକ ଜଗତରେ ପିଲାମାନଙ୍କ ବୌଦ୍ଧିକ ଅବସ୍ଥାକୁ ହେଜିଣ ଏମନ୍ତ ସର୍ଜନା ମାତ୍ର କ୍ଷୀରୋଦ ଚନ୍ଦ୍ର ପୋଥାଳ ମହୋଦୟଙ୍କ ନିକଟେ ସାର୍ଥକତା ଲଭିଥିଲା !
ଉପରୋକ୍ତ କବିତା, ‘ଅକଲ ମକଲ ଟକଲ ଟିଆଁ’ ୧୯୭୦ ମସିହାରେ ପ୍ରକାଶ ପାଇ ଅନେକ ଖ୍ୟାତି ସାଉଁଟି ପାରିଥିଲା। ୧୯୩୯ ମସିହା ୩୦ ଜୁନ୍ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଗୋପପୁର ଗ୍ରାମରେ ପିତା ଯଦୁମଣି ପୋଥାଳ ଏବଂ ମାତା ଜହ୍ନଦେଈଙ୍କ କୋଳମଣ୍ଡନ କରିଥିଲେ କ୍ଷୀରୋଦ ଚନ୍ଦ୍ର ପୋଥାଳ। ସ୍ଵାଧୀନୋତ୍ତର ଭାରତୀୟ ଗୀତିସାହିତ୍ୟ ଏବଂ ଶିଶୁସାହିତ୍ୟର ବିକାଶଧାରାରେ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ତୁଙ୍ଗିମା ଥିଲା ସୁଦୂରପ୍ରସାରୀ।
ସାମ୍ପ୍ରତିକ ଆଧୁନିକ କବିତାଠାରୁ ବେଶ୍ ଲାଳିତ୍ୟପ୍ରସୂ ଥିଲା ତାଙ୍କ କବିତା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାଳୁ ଭଜମନ ହୋଇଲେ ଆଉ କାହାର ଅକୁଶଳ ଭବେ ସମ୍ଭବିବ କି! ଭକ୍ତିମାର୍ଗ ସହ ଦେଶାତ୍ମବୋଧରେ ମଧ୍ୟ ତାଙ୍କ ବପୁ ସ୍ଫୀତୋନ୍ମୁଖୀ ହୋଇ ଥରେ ନିଃସୃତ କରିଦିଏ –
“କୋଟି କଣ୍ଠେ ଆଜି, ସୁର ଉଠୁ ଆଜି
ଜୟ ମା ଭାରତ ଜୟ,
ସେହି ଜୟନାଦେ, ନିନାଦିତ ହେଉ
ଆକୁମାରୀ ହିମାଳୟ।
ଜନ୍ମ ହେବାର ଦୁଇ ମାସ ପରେ ଶିଶୁ କ୍ଷୀରୋଦ ମାତାଙ୍କ ବିହୁନେ ପିତାଙ୍କ ସାମୀପ୍ୟ ଗ୍ରହଣ କରେ। ଦଇବ ବାମ ହେବା ଉତ୍ତାରୁ ଚାରି ବର୍ଷର କ୍ଷୀରୋଦ ଚନ୍ଦ୍ରଙ୍କୁ ଛାଡି ଚାଲିଗଲେ ପିତା । ପିତାଙ୍କୁ ହରାଇବାରୁ ସେ ଆଉ ଶିକ୍ଷାଦୀକ୍ଷା ପାଇ ନ ପାରି ପାରିବାରିକ ସ୍ନେହରୁ ବଞ୍ଚିତ ହୋଇଥିଲେ। ମାତ୍ର, କୈଶୋର ପାଦଦେଶରେ ସାରସ୍ଵତ ସାଧନାବ୍ରତୀ ହୋଇ ସମଗ୍ର କଳାକୁ ପରମ କାରୁଣିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉତ୍ସର୍ଗୀକୃତ କଲେ।
ମାତ୍ର, ଚଉଦ ବର୍ଷ ବୟସରୁ ସେ ‘ମାତୃଭୂମି’ ପତ୍ରିକାରେ ନିଜସ୍ଵ ଏକ ଶିଶୁ କବିତା ପ୍ରକାଶ କରେଇ ଲୋକ ଲୋଚନରେ ଉଭା ହୁଅନ୍ତି। ଏହା ପରେ ‘ପ୍ରଜାତନ୍ତ୍ର’ର ମୀନାବଜାର, ‘ସମାଜ’ର ଶିଶୁରାଇଜରେ ପ୍ରକାଶିତ ହୋଇ ଶିଶୁ ପାଠକ ମହଲରେ ଆଦୃତ ହୋଇଥିଲା। ତାଙ୍କ ରଚିତ କବିତା ଧାରାବାହିକ ରୂପେ ସବୁ ପ୍ରକାଶିତ ହୋଇ ଜନପ୍ରିୟତା ଲାଭ କରେଇ ପାରିଥିଲା ତାଙ୍କୁ।
ନୀତିପରାୟଣତା, ସ୍ଵାଧ୍ଯାୟଶୀଳତା, ପ୍ରକୃତିପ୍ରୀତି, ଦେଶାତ୍ମବୋଧତା, ସମପ୍ରାଣତା ଭଳି ଉଚ୍ଚକୋଟୀର ନୈତିକତାକୁ ଶିଶୁପ୍ରାଣରେ ଉପଜୀବ୍ଯ ରୂପେ ଗଢଣ କରିବା ଦ୍ଵାରା ସେମାନଙ୍କ ସହଜାତ ପ୍ରବୃତ୍ତି ଓ କର୍ତ୍ତବ୍ୟ ଦେଶର ଭବିଷ୍ୟତ ପାଇଁ ସଦା ସୁନିୟୋଜିତ ହୋଇ ମଙ୍ଗଳଗାମୀ ହୋଇଥାଏ। ଶିଶୁର ଅନ୍ତର୍ଗତ ଚେତନା ସହ ଛନ୍ଦୋମୟୀ ସରସମୟ ଗୀତ ସହ “ଉପଧା” ପ୍ରୟୋଗରେ ରଚିତ ଗୀତ ରଚନାକୁ ସେ ସଦା ଗୁରୁତ୍ବ ଦେଇ ଆସିବା ସହ ଶିଶୁ କାହାଣୀ, ଗଳ୍ପ, ସଂଗୀତ, କବିତା ପ୍ରଭୃତି ଦ୍ଵାରା ଓଡ଼ିଆ ଶିଶୁ ସାହିତ୍ଯକୁ ସେ ସମୃଦ୍ଧ କରିବାରେ ସୃଜନପଟୁ ଥିଲେ।
କଟକଠାରେ ରହି କବିଙ୍କର ଅଧିକାଂଶ ସୃଜନଶୀଳତା ଶିଶୁର ଶିକ୍ଷାତତ୍ତ୍ଵ, ସମାଜବିଜ୍ଞାନ, ଶିଶୁ ଜୀବନ ନିର୍ମାଣ ସହ ପରିବର୍ତ୍ତନାର୍ହ ଚେତନାକୁ ଊର୍ଜ୍ଜସ୍ଵଳ କରାଇବାରେ ତାଙ୍କର ଭୂମିକା ଥିଲା ମହତ୍ତ୍ଵପୂର୍ଣ୍ଣ। ‘ଗାଆଁ ମାଟି ମୋର ହସେରେ’ (୧୯୭୦), ‘ହସ ପସରା’ (୧୯୭୬), ‘କ୍ଷୀରୋଦ ଚନ୍ଦ୍ର ସଙ୍ଗୀତାବଳୀ’ (୧୯୮୦), ‘ମନହୁଏ ମୋର ହେବାକୁ ମୀନା’ (୧୯୮୪), ‘ହସ ରାଇଜରେ ମୁନା’ (୧୯୮୬), ‘ଶିଶୁ ସାଥୀ ଗପ ସଙ୍କଳନ’ (୧୯୯୦), ‘ସାବାସ୍ ନାନୀ’ (୧୯୯୧), ‘ଶୁଣ ମୋର ଧନରେ’ ଭଳି ରଚନାରେ ଗ୍ରାମ୍ୟ ପରିପାଟୀ କରିବା ସହ ନିଜ ଶୈଶବର ଅଭୁଳା ସ୍ମୃତିଚୟ ମଧ୍ୟ ଯୋଡିଦେଇଛନ୍ତି।
ଗୀତିକବିତା ରଚନା କ୍ଷେତ୍ରରେ ସେ ଥିଲେ ଜଣେ ବିଦଗ୍ଧ ବ୍ୟକ୍ତିତ୍ଵ। ଆକାଶବାଣୀ ଦ୍ଵାରା ଗୀତିକାର ରୂପେ ସ୍ଵୀକୃତିପ୍ରାପ୍ତ ହୋଇ ସେ ଅଜସ୍ର ଲୋକପ୍ରିୟ ସଙ୍ଗୀତର ସର୍ଜନା କରିଥିଲେ। ୪୫ ବର୍ଷ ହେବ ଆକାଶବାଣୀରେ ତାଙ୍କ ଗୀତିକଥା, ଗୀତିକାବ୍ୟ ସବୁ ପ୍ରସାରିତ ହୋଇ ସୁମତିଜନେ ପ୍ରୀତିଭାଜନ କରିବାନ୍ତେ ସଫଳ ହୋଇଛି ସକଳ! ଆଉ ଏକନିଷ୍ଠ ଭକ୍ତି ରଚନା ଆହୁରି ଜନପ୍ରିୟତା ଅଜାଡି ଦେଇଥିଲା, ଆଉ ଏହାର ପାଟବ ବୋଇଲେ ଶତାଧିକ ଜଣାଣ, ଭଜନ, ସଙ୍ଗୀତର ଅପଟାନ୍ତର ଅନୁସର୍ଜନା।
ଭିକାରୀ ବଳଙ୍କ କଣ୍ଠରେ ସର୍ବଜନାଦୃତ ହୋଇପାରିଥବା ଭଜନ “କୋଠ ଭୋଗଖିଆ ମୋ ଚକାଆଖିଆ . .” କ୍ଷୀରୋଦ ଚନ୍ଦ୍ରଙ୍କ ସର୍ଜନା। ପ୍ରଥମତଃ, ଗୀତର ଦୁଇ ପଦ ଘୋଷା ଲେଖି ସେ ଭିକାରୀ ବଳଙ୍କୁ ଦେଇଥାଆନ୍ତି। ପ୍ରଥମରୁ ସହଜ ହେଉଥିବା ପଦ କବିଙ୍କ ଚେତନାସ୍ତରକୁ କାହିଁକି କିନ୍ତୁ ସ୍ପର୍ଶ କରୁନଥାଏ। ଦିନଦିନାନ୍ତ ଅତିବାହିତ ହେଇଯାଉଥାଏ। ମାତ୍ର, କିଂକର୍ତ୍ତବ୍ୟବିମୂଢ ଭିକାରୀ ବଳ ପୂର୍ବ ରାତିରେ ଗୀତ ନପାଇ ନିରାଶ ହୋଇ ଚାଲି ଯାଉଥିଲେ।
ସେତିକି ବେଳେ ଦୁଇ ଭୁଜ ଟେକି ସବୁ ବଡିମା, ଅଭିମାନ ତେଜି ପ୍ରଭୁଙ୍କ ପାଦପଦ୍ମାସୀନ ହୋଇ ତଲ୍ଲୀନ ହୋଇ ପଡିଥିଲେ। ସେତେବେଳେ, ଠିକ୍ ସମ୍ପୂର୍ଣ୍ଣ ପଦ ସହ ଉଭା କ୍ଷୀରୋଦ ଚନ୍ଦ୍ର –
“କୋଠଭୋଗ ଖିଆ, ମୋ ଚକାଆଖିଆ
ଉଠ ହେ ପହଡ଼ ଭାଙ୍ଗି,
ପଣ୍ଡା ପଢିଆରୀ କରନ୍ତି ଗୁହାରି
ହେବାକୁ ଚନ୍ଦନ ଲାଗି।
ପତିତପାବନ ବାନା ଉଡାଇଛ
ପତିତ ଉଦ୍ଧାର ପାଇଁ,
ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୋ ଡାକ କି ଶୁଭେ ନାହିଁ।।
ଏଡ଼େ ବଡ଼ ପଣ ବହି ଅଛ ପ୍ରଭୁ
କୁହ ତେବେ କାହା ଲାଗି
ଉଠ ହେ ପହଡ଼ ଭାଙ୍ଗି . . ।।”
ଏତଦ୍ ବ୍ୟତୀତ ଅନାବିଳ ଭାବର ଗୀତସବୁ ଥିଲା ‘କଳ୍ପବଟ ମୂଳିଆ ମୋ କାଳିଆ ରାଜା’, ‘ମନ ଦେଖ କାଳିଆର ଭେଳିକିରେ’, ‘ଆହା ମୋ କାଳିଆ ହାତୀ’, ‘ଚକା ଆଖି ହେ ଚକା ଆଖି’, ‘ଜଗାକାଳିଆରେ କଲୁ ମତେ ସାତପର’, ‘ମିଛେ ଦୀନବନ୍ଧୁ ନାମ କହିଛ ହରି’, ‘ପତିତ ତାରଣ ଶରଣ ରକ୍ଷଣ’, ‘କାଳିଆ ସୁନାରେ କାଳିଆ ସୁନା’, ‘ମୋର ଡ଼ର ନାହିଁ ଆଉ କାହାକୁ’, ‘ମହାପ୍ରଭୁ ଏ କି ତୁମ ବଡ଼ପଣ’, ‘କଳାମାଣିକ ମୋ କଳାବଦନ’, ‘ଚାହଁ ମନ ଚକାଡୋଳାକୁ’, ‘ଫୁଲଟିଏ ମତେ କରିଦିଅ ପ୍ରଭୁ’ – ଯାହା ଅଭୂତପୂର୍ବ ସ୍ନେହ ଲଭିଛି ଓ ଆଜି ବି ହୃଦୟପଟ୍ଟଳରେ ଅମ୍ଳାନ!
‘ମୋ କଥା ମୋ କବିତା’, ‘ଗପ ଗୋଲାପ’, ‘ଆମରି ଗାଁର ମକରା’, ‘କ ଓ ଖ ମଧ୍ୟରେ କଳି ଝଗଡା’, ‘ଭାଲୁ କାହିଁକି ନିଆଁକୁ ଡରେ’ ଭଳି କବିତାରେ ତାଙ୍କର ସୁପ୍ରଚୁର ସୁଖପାଠ୍ୟତା ଓ ଶିକ୍ଷଣୀୟତାର ଖୋରକା ଲଭିହୁଏ। ୧୯୮୪ ମସିହାରେ ‘ମନହୁଏ ମୋର ହେବାକୁ ମୀନା’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ସହ ‘ବୈକୁଣ୍ଠନାଥ ସ୍ମୃତି ସଂସଦ’ ପକ୍ଷରୁ ‘ସାହିତ୍ୟଶ୍ରୀ’, ‘ଭକ୍ତ ସାଲବେଗ ସାଂସ୍କୃତିକ ପରିଷଦ’ ପକ୍ଷରୁ ‘ଭକ୍ତ ସାଲବେଗ ସମ୍ମାନ’, ‘ରାମକୃଷ୍ଣ ନନ୍ଦ ସ୍ମୃତି ପୁରସ୍କାର’, ‘ରାଜ୍ୟ ସାହିତ୍ୟ ଶିଶୁ ସମିତି ସମ୍ମାନ’, ‘ଉତ୍କଳ ସାହିତ୍ୟ ସମାଜ‘ ଦ୍ଵାରା ୨୦୦୧ ମସିହାରେ ରାମକୃଷ୍ଣ ନନ୍ଦ ସ୍ମୃତି ପୁରସ୍କାର ପାଇଥିଲେ।
ଏଥି ସହ ୧୯୭୩ ମସିହାରେ ‘ଗାଁ ମାଟି ମୋର ହସେରେ’ ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ଦ୍ବାରା ରାଜ୍ୟ ଶିକ୍ଷା ସମ୍ମାନ ପାଇଥିବା ସହ ଆହୁରି ୨୦ରୁ ଊର୍ଦ୍ଧ୍ଵ ଅନୁଷ୍ଠାନ ଦ୍ବାରା କ୍ଷୀରୋଦ ଚନ୍ଦ୍ର ପୋଥାଳ ସମ୍ବର୍ଦ୍ଧିତ ହୋଇଥିଲେ। ମାତ୍ର, ଏହି ଗରୀୟାନ୍ ଗୀତିସ୍ରଷ୍ଟା ଏବଂ ଶିଶୁ ସାହିତ୍ୟିକ ୨୦୧୨ ମସିହା ୧୫ ଜାନୁଆରୀ ତାରିଖରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ବେଳେ ତାଙ୍କର ୭୨ ବୟସରେ ବିୟୋଗ ଘଟେ।
Kshirod Chandra Pothal
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 hours ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 day ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

5 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

5 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago