ଲେଖା: ନିରଞ୍ଜନ ସାହୁ

୧୮୦୪ ମସିହା ବେଳକୁ ଇଂରେଜ ବିରୋଧୀ ଆନ୍ଦୋଳନ କ୍ରମଶଃ ଦାନା ବାନ୍ଧି ଆସୁଥାଏ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ସଂଘଟିତ ହୋଇଗଲା ୧୮୧୭ ମସିହାରେ। ଏହାର ପରେ ପରେ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ତେଜି ଉଠୁଥାଏ, ବ୍ୟାପି ଯାଉଥାଏ ଓଡ଼ିଶାର କୋଣ ଅନୁକୋଣକୁ, ବିଶେଷ କରି ଖୋର୍ଦ୍ଧା ଜିଲ୍ଲାର ସବୁସ୍ଥାନକୁ।

ଏହି ସମୟରେ ବାଣପୁରର ବିପ୍ଳବ ଆରମ୍ଭ ହୋଇଗଲା, କୃତ୍ତିବାସ ପାଟ୍ଟଶାଣୀ ନାମକ ଜଣେ ସ୍ଵାଧୀନଚେତା ଦଳବେହେରାଙ୍କ ନେତୃତ୍ୱରେ। ସେ ଥିଲେ ଅରଙ୍ଗଗଡର ପୂର୍ବତନ ଦଳବେହେରା ଶ୍ୟାମସୁନ୍ଦର ପାଟ୍ଟଶାଣୀଙ୍କ ପୁତ୍ର। ଜନ୍ମ ଗ୍ରହଣ କରିଥିଲେ ୧୭୯୮ ମସିହାରେ। ବଡ଼ ହେବା ପରେ ୧୮୦୪ର ଖୋର୍ଦ୍ଧା ବିଦ୍ରୋହ ଏବଂ ପାଇକ ବିଦ୍ରୋହର ଘଟଣାଗୁଡ଼ିକ ଜାଣି ତାଙ୍କର ରକ୍ତ ଉଷ୍ଣ ହୋଇଆସୁଥିଲା। ତେଣୁ ଇଂରେଜମାନଙ୍କୁ ତଡିବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ପ୍ରାଥମିକ ପଦକ୍ଷେପ ସ୍ବରୂପ ୧୮୩୬ ମସିହା ଜୁନ ଏକ ତାରିଖରେ ଆହ୍ବାନ ଦେଇଥିଲେ ଏକ ପାଇକ ସମ୍ମିଳନୀ ପାଇଁ। ଏଥିରେ ଯୋଗ ଦେଇଥିଲେ ରୋଢଙ୍ଗର ଦଳବେହେରା ପଞ୍ଚାନନ ନାୟକ ଓ ଖୋର୍ଦ୍ଧାର ଲୋଚନ ବିଷୋୟୀ । କେତେକ କହିଲେ ଯେ, ଲୋଚନ ବିଷୋୟୀ ଜଣେ ନୀଚ ଜାତିର ଲୋକ, ସେ ଦଳବେହେରା ନୁହଁନ୍ତି। ତେଣୁ କୃତ୍ତିବାସ ପାଟ୍ଟଶାଣୀ ସେଠାରେ ପଞ୍ଚାନନ ନାୟକଙ୍କୁ ଶରଣ ସିଂହ ନାମ ଦେଇ ରାଜା ବୋଲି ଘୋଷଣା କଲେ। ତାପରେ ରାଜା ଶରଣ ସିଂହ କୃତ୍ତିବାସଙ୍କୁ ତାଙ୍କର ପାଟମନ୍ତ୍ରୀ ଓ ସେନାପତି ଭାବେ ଦାୟିତ୍ଵ ଦେଲେ। ତାଙ୍କୁ ସହାୟତା କରିବାକୁ ଲୋଚନ ବିଷୋୟୀ ନିଯୁକ୍ତି ପାଇଥିଲେ।

ଠିକ୍ ପରେ ପରେ ସହସ୍ରାଧିକ ଦଳବେହେରା, ଦଳେଇ ନାୟକ ଓ ପାଇକ କୃତ୍ତିବାସଙ୍କ ଛତ୍ର ତଳେ ଏକତ୍ରିତ ହୋଇଥିଲେ। ତାଙ୍କର ନିର୍ଦ୍ଦେଶ କ୍ରମେ ସେମାନେ ସମସ୍ତେ ବାଣପୁର ଥାନା ଦଖଲ କରିନେଲେ। ଥାନା ଭିତରେ ପଶି କାଗଜପତ୍ର ପୋଡ଼ି ଦେବା ସହ ଧନସମ୍ପତି ଲୁଟ୍ କରିନେଲେ। ଜୁନ ମାସ ଚାରି ତାରିଖରେ ବାଣପୁର ସ୍ଵାଧୀନ ହେଲା ବୋଲି ଘୋଷଣା କଲେ ରାଜା ଶରଣ ସିଂହ। ଦୁର୍ଭାଗ୍ୟର ବିଷୟ ଯେ, ଏହି ସ୍ଵାଧୀନତା ମାତ୍ର ତିନି ଦିନ ଧରି ରହିଲା। କେତେକ ଐତିହାସିକଙ୍କ ମତରେ ସମଗ୍ର ଭାରତରେ ଏହି ପଦକ୍ଷେପ ପ୍ରଥମ।

ପରେ ପରେ ଏହି ଆନ୍ଦୋଳନର ସଫଳତା ରେ ଉତ୍ସାହିତ ହୋଇ ଆଉ ଏକ ସମାବେଶ ଆୟୋଜିତ ହୋଇଥିଲା ଚିଲିକା ନିକଟସ୍ଥ ଭୀମପୁର ଗ୍ରାମରେ। ସେଠାରେ ସ୍ଥିର କରାଗଲା ଯେ, ଆଠ ତାରିଖରେ ଟାଙ୍ଗୀ ଥାନା ଉପରେ ଆକ୍ରମଣ କରାଯିବ। ସେହି ସଭାକାର୍ଯ୍ୟ ଚାଲିଥିବା ବେଳେ ସେଠାରେ ଥିବା ବ୍ୟବସାୟୀଗୋଷ୍ଠୀ ବିଶ୍ବାସଘାତକତା କରି ଇଂରେଜ ସୈନ୍ୟଙ୍କୁ ନିମନ୍ତ୍ରଣ କଲେ ଓ କୃତ୍ତିବାସ ପାଟ୍ଟଶାଣୀ, ଶରଣ ସିଂହ, ଲୋଚନ ବିଷୋୟୀଙ୍କ ସମେତ ଅନ୍ୟ କେତେକ ସାଥୀଙ୍କୁ ଧରାଇ ଦେଲେ। ଏହା ଥିଲା ଜାତି ଇତିହାସ ପୃଷ୍ଠାରେ ଏକ କଳଙ୍କିତ ରୂପ। ମାତ୍ର ନିଜର ଅଭିଜ୍ଞତାକୁ ଭିତ୍ତି କରି କୌଶଳକ୍ରମେ କୃତ୍ତିବାସ ପାଟ୍ଟଶାଣୀ ଓ ଶରଣ ସିଂହ ଖସି ପଳାଇ ଯାଇଥିଲେ।

ଏତିକିରେ ସନ୍ତଷ୍ଟ ହୋଇନଥିଲେ ବ୍ୟବସାୟୀ ମାନେ। କୃତ୍ତିବାସଙ୍କ ଶଶୁର ବାସୁଦେବ ନରେନ୍ଦ୍ର ସିଂ, ଯେ କି ଜଣେ ଜଣାଶୁଣା ବ୍ୟବସାୟୀ ଶେଷରେ ନିଜ ଜ୍ବାଇଁଙ୍କୁ ଗିରଫ କରାଇଦେଲେ, ଭୁଷଣ୍ଡପୁର ଠାରେ ଥିବା ଉଗ୍ରତାରା ମନ୍ଦିରରେ। ଘଟଣା ଥିଲା ଏହିପରି – ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କଲେ ଜ୍ବାଇଁ ଏବଂ ତାଙ୍କର ବନ୍ଧୁ ଶରଣ ସିଂହଙ୍କୁ। ଇଂରେଜମାନଙ୍କୁ ଖବର ଦେଇଦେଲେ। ଖାଉଥିବା ସମୟରେ ଇଂରେଜ ସୈନ୍ୟ ସେଠାରେ ପହଞ୍ଚି ଗିରଫ କରିନେଲେ ଏହି ଦୁଇ ବୀରପୁତ୍ରଙ୍କୁ। ନୟାଗଡ଼ ଜେଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା ସେମାନଙ୍କୁ ସଙ୍ଗେ ସଙ୍ଗେ। ବିଚାର କରି ବ୍ରିଟିଶ୍ ଶାସନ ସେମାନଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ମାତ୍ର ଏ ସମ୍ପର୍କରେ ଅନ୍ୟ ଏକ ମତ ଅନୁସାରେ କୃତ୍ତିବାସଙ୍କୁ କଳାପାଣି ଦଣ୍ଡ ଦିଆଯାଇଥିଲା ଓ ଆଣ୍ଡାମାନ ଦ୍ଵୀପକୁ ପଠାଇ ଦିଆଯାଇଥିଲା।

କୃତ୍ତିବାସ ଆଣ୍ଡାମାନରେ ଥିବା ବେଳେ କର୍ଜନ ବୋଲି ଜଣେ ଅଧିକାରୀ ତାଙ୍କ ସ୍ତ୍ରୀଙ୍କ ସହ ସେଠାକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ହେଲା। କୃତ୍ତିବାସ ପିଲାଦିନରୁ ଶିକ୍ଷା କରିଥିବା ମନ୍ତ୍ରତନ୍ତ୍ର ପ୍ରୟୋଗ କରି ତାଙ୍କୁ ଭଲ କରିବାରେ ସଫଳ ହେଲେ। ତାଙ୍କ ସ୍ତ୍ରୀଙ୍କୁ ଭଲ କରିଦେଲେ। କୃତଜ୍ଞତାର ନିଦର୍ଶନ ସ୍ବରୂପ କର୍ଜନ କୃତ୍ତିବାସଙ୍କୁ ଖଲାସ କରିବା ପାଇଁ ପ୍ରତିଶ୍ରୁତି ଦିଅନ୍ତେ ଏହି ସ୍ଵାଭିମାନୀ ଓଡିଆ ପୁଅ ଉତ୍ତରରେ କହିଥିଲେ “ଯେଉଁଦିନ ଆପଣ ମୋତେ ମୋ ଶଶୁରଙ୍କ କଟାମୁଣ୍ଡ ଆଣି ଦେଇପାରିବେ, ସେଦିନ ମୁଁ ଓଡ଼ିଶାକୁ ଫେରିବି।” ଏହି ପ୍ରକାର ଉତ୍ତର କେବେ ଆଶା କରିନଥିଲେ ସେହି ଇଂରେଜ ସାହେବ। ଏହି ପରି ବଳବତ୍ତର ରହିଲା କୃତ୍ତିବାସଙ୍କ ଇଛା। ସେହିଠାରେ ଜୀବନ ନିର୍ବାପିତ ହେଲା ଜଣେ ସ୍ଵାଭିମାନୀ, ସ୍ଵାଧୀନଚେତା, ବୀର ଓଡ଼ିଆ ପୁଅର। ବିଶ୍ବାସଘାତକତା ନଥିଲେ, ଦେଶ ମାତୃକାର ଏହି ସୁଯୋଗ୍ୟ ସନ୍ତାନ ଯେ ସ୍ଵାଧୀନତା ସଂଗ୍ରାମରେ ଆଉ ଏକ ଅଧ୍ୟାୟ ଯୋଡ଼ି ଥାଆନ୍ତେ ଏଥିରେ ସନ୍ଦେହ ନାହିଁ।

ସେହି ଦୃଷ୍ଟିରୁ ତାଙ୍କର ଜୀବନଚର୍ଯ୍ୟା ଓଡ଼ିଆ ମାନଙ୍କର ଧ୍ୟେୟ। ସେ ହିଁ ଯଶୋଦେହେ ଆୟୁଷ୍ମାନ, କୃତ୍ତିବାସ ପାଟ୍ଟଶାଣୀ। ‘ଅନ୍ତରଙ୍ଗ କଳିଙ୍ଗ’ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଆଧାର: ଡ. ଜଗନ୍ନାଥ ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ

Krutibasa Patasani Kruttibasa Patsani Bakshi Buxi Jagabandhu © Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 months ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 months ago