ଉପସ୍ଥାପନା: ନିରଞ୍ଜନ ସାହୁ

ଓଡ଼ିଶାର ରଣପୁର । ତଦନାନ୍ତୀନ ରଣପୁର ରାଜ୍ୟ। ପ୍ରଜା ଆନ୍ଦୋଳନରେ ଭୀତତ୍ରସ୍ତ ରାଜା ଏବଂ ବ୍ରିଟିଶ ଶାସନ। ପ୍ରଜାମାନଙ୍କର ଅସନ୍ତୋଷ ଦିନୁଁ ଦିନ ଦାନା ବାନ୍ଧୁଥାଏ। ଦିବାକର ପରିଡ଼ା ଓ ରଘୁନାଥ ମହାନ୍ତିଙ୍କ ନିଷ୍ଠାପର ଉଦ୍ୟମ ଫଳରେ ପ୍ରଜାମଣ୍ଡଳ ଆନ୍ଦୋଳନ ଅଭୂତପୂର୍ବ ରୂପ ନେଉଥାଏ। ସେହି କଥା ଚିନ୍ତା କରି ରାଜା ଓ ଦେଵାନଙ୍କ ମନରେ ସୃଷ୍ଟି ହୋଇ ଆସୁଥାଏ ଅପ୍ରତ୍ୟାଶିତ ଘୂର୍ଣ୍ଣିଝଡ। କେବଳ ଥରେ ବ୍ରିଟିଶସେନା ଯଦି ରଣପୁର ରାଜ୍ୟରେ ପହଞ୍ଚିଯିବେ, ତେବେ ନିଶ୍ଚିତ ଭାବେ ଆନ୍ଦୋଳନ ଦମନ ହୋଇପାରିବ, ଏହା ଥିଲା ରାଜା ଓ ଦେଵାନଙ୍କ ମନରେ ଏକ ଭାବନା। ଅତଏବ ଆମନ୍ତ୍ରିତ ହେଲେ ବ୍ରିଟିଶ ସେନାଧ୍ୟକ୍ଷ ବେଜେଲଗେଟ୍।

୧୯୩୯ ମସିହା ଜାନୁଆରୀ ପାଞ୍ଚ ତାରିଖ। ପଲିଟିକାଲ ଏଜେଣ୍ଟ ବେଜେଲଗେଟ୍ ସମ୍ବଲପୁର ଜିଲ୍ଲାରେ ଅବସ୍ଥାନ କରୁଥାଆନ୍ତି। ଦେଵାନ୍ ଜଗନ୍ନାଥ ମହାନ୍ତିଙ୍କ ଚିଠି ପାଇ ଯାତ୍ରା ଆରମ୍ଭ ହେଲା ବ୍ରିଟିଶ ସେନାଧ୍ୟକ୍ଷ ବେଜେଲଗେଟଙ୍କର ସମ୍ବଲପୁରରୁ ରଣପୁର ଅଭିମୁଖେ। କିଛି ଫଉଜ ଓ ନିଜର ଦେହରକ୍ଷୀ ନୁର ମହମ୍ମଦଙ୍କୁ ସାଙ୍ଗରେ ଧରି ଏକ ସାମରିକ ଗାଡ଼ିରେ ପଦାର୍ପଣ କଲେ ସେନାଧ୍ୟକ୍ଷ। ମନରେ ଦମନ କରିବା ପାଇଁ ପ୍ରବଳ ନିଶା ଓ ଅହଙ୍କାର। ଆସିବା ସମୟରେ କିଛି ଅଶୁଭ ସଙ୍କେତ ଦେଖି ତାଙ୍କର ସ୍ତ୍ରୀ କୁଆଡେ ମନାକରୁଥିଲେ। କିନ୍ତୁ ଅଶୁଭ ସଙ୍କେତ ଉପରେ ଅଂହତ୍ଵର ବାଲିବନ୍ଧ କ’ଣ ସମ୍ଭଳା ପଡ଼େ !

ରଣପୁର ଠାରୁ ଚାରି ମାଇଲ୍ ଦୂରରେ ଲୁଧାଚୁଆ ଗାଁ। ସେଠାରେ ପହଞ୍ଚି ଗଲେ ସେନାଧ୍ୟକ୍ଷ। ପ୍ରଜାମଣ୍ଡଳ କର୍ମୀମାନେ ବଡ଼ ବଡ଼ ଗଛ କାଟି ରାସ୍ତାକୁ ଅବରୋଧ କରିଥାନ୍ତି। ଏହା ଦେଖି ଫଉଜମାନେ ଲୁଧାଚୁଆର ଲୋକମାନଙ୍କୁ ରାସ୍ତା ସଫା କରିବା ପାଇଁ ଖବର ପଠାଇ ଅପେକ୍ଷା କରିଥାଆନ୍ତି। ତଥାପି ବ୍ରିଟିଶ ସେନାଙ୍କ କଥାକୁ ଉପେକ୍ଷା ନକରି ମାତ୍ର ଚାରିଜଣ ପୁରୁଷ ପହଞ୍ଚିଲେ। ଗାଁର ଅନ୍ୟ ଲୋକମାନେ ରଣପୁର ସଭାରେ ଯୋଗ ଦେବାପାଇଁ ଚାଲିଯାଇଥାଆନ୍ତି। ବନ୍ଧୁକ ଦେଖାଇ ରାସ୍ତା ସଫା କରିବାକୁ ସେହି ଚାରିଜଣ ପ୍ରଜାଙ୍କୁ ନିର୍ଦ୍ଦେଶ ଦିଅନ୍ତେ, ସେମାନେ ରୋକ୍ ଠୋକ୍ ମନା କରିଦେଲେ। ଅତଃ ଫଉଜମାନେ ଲୁଧାଚୁଆର ଅବରୋଧ ରାସ୍ତା ନିଜେ ନିଜେ ସଫା କରି ଆଗେଇ ଚାଲିଲେ ରଣପୁର ଅଭିମୁଖେ। ଇତିମଧ୍ୟରେ ଏକ ଜନରବ ହେଲା ଯେ, ଲୁଧାଚୁଆର ଚାରିଜଣଙ୍କୁ ବେଜେଲଗେଟ୍(ସେନାଧ୍ୟକ୍ଷ) ମାରି ଦେଇଛନ୍ତି। ପରେ ପରେ ଆହତମାନଙ୍କୁ (ଚାରିଜଣ ଗ୍ରାମବାସୀ) ନିକଟସ୍ଥ ଟାଙ୍ଗୀ ଡାକ୍ତରଖାନାକୁ ନେଇଯାଉଥିବା ଶଗଡ଼ ଯାଇ ପହଞ୍ଚିଲା ରଣପୁର ସଭାସ୍ଥଳୀ ନିକଟରେ।


ସେଦିନ ପଉଷ ପୂର୍ଣ୍ଣିମା, ଜାନୁଆରୀ ପାଞ୍ଚ ତାରିଖ, ୧୯୩୯ ମସିହା। ରଣପୁର ରାଜପ୍ରାସାଦର ସିଂହଦ୍ଵାର ସମ୍ମୁଖରେ ଏକ ବଡଧରଣର ପ୍ରଜାମଣ୍ଡଳ ସଭା। ଉଦବୋଧନ ଦେଉଥାଆନ୍ତି ଦିବାକର ପରିଡ଼ା ଓ ରଘୁନାଥ ମହାନ୍ତି। ଅଗ୍ନିବର୍ଷୀ ଆହ୍ବାନ। ପ୍ରକୃତରେ ଲୋକମାନେ ମରିଛନ୍ତି କି ନାହିଁ – ତାହା ଦେଖିବାପାଇଁ ଅନେକ ଲୋକ ରୁଣ୍ଡ ହେଉଥାନ୍ତି ଶଗଡ଼ ଗାଡ଼ି ନିକଟରେ। ଏଥିପାଇଁ ଅନୁରୂପ ଧସ୍ତାଧସ୍ତି। ଏହି ଧସ୍ତାଧସ୍ତି ମଧ୍ୟରେ ବେଜଜଲଗେଟ୍ ତାଙ୍କ ସହିତ ଥିବା ଦେହରକ୍ଷୀଙ୍କ ଠାରୁ ବିଛିନ୍ନ ହୋଇଯାଇଥାଆନ୍ତି। ନିଜ ଜୀବନ ଉପରେ ବିପଦ ଆଶଙ୍କା କରି ତାଙ୍କ ପିସ୍ତଲରୁ ଗୁଳି ବର୍ଷଣ ଆରମ୍ଭ ହେଲା। ଫଳରେ ପ୍ରଜାମଣ୍ଡଳର ଜଣେ ଲୋକର ମୃତ୍ୟୁ ସେଇଠି ହୋଇଗଲା। ଅଧିକ ଉତ୍ତେଜିତ ହୋଇଉଠିଲେ ଲୋକେ। ସେମାନେ ବେଜେଲଗେଟଙ୍କୁ ଠେଲି ନେଇଗଲେ ରଣପୁରର ଭଣ୍ଡାରୀସାହି ଛକ ଆଡ଼କୁ। ଆତ୍ମରକ୍ଷା ପାଇଁ ସେନାଧ୍ୟକ୍ଷ ଭଣ୍ଡାରୀସାହିର କିମ୍ବା ପଢିହାରୀଙ୍କ ପିଣ୍ଢାକୁ ଉଠି ଯାଇଥିଲେ। ଘର ମଧ୍ୟକୁ ପଶି ଯାଉଥିବା ବେଳେ ଉକ୍ତ ଘରର ସ୍ତ୍ରୀ ଲୋକଜଣକ ଭିତରୁ କବାଟ କିଳି ଦେଇଥିଲେ।ପ୍ରାଣ ବିକଳରେ ପୁଣି ସେହି ଘରର ଓଳିରେ ଥିବା ଗୋଟିଏ ଶଗଡ଼ଚକର ଅର ଭିତରେ ମୁଣ୍ଡ ପୁରାଇ ଦେଇଥିଲେ, ଯେଉଁ ମୁଣ୍ଡ ଆଉ ବାହାରିବା ସମ୍ଭବ ନଥିଲା। ଉତ୍ତ୍ୟକ୍ତ ଲୋକଙ୍କ ବିଧାଚାପୁଡ଼ା ବସିଥିଲା ସେନାଧ୍ୟକ୍ଷ ବେଜେଲଗେଟ୍’ଙ୍କ ଉପରେ। ଶେଷ ନିଃଶ୍ୱାସ ତ୍ୟାଗ କଲେ ବେଜେଲଗେଟ୍।ଏହା ପରେ ଏହି ଘଟଣାର ଚାର୍ଜସିଟ୍ ତିଆରି କରିବାର ଦାୟିତ୍ବ ଦିଆଯାଇଥିଲା ପୋଲିସ ଇନ୍ସପେକ୍ଟର ମନବୋଧ ପଣ୍ଡା ଓ ଗଙ୍ଗାଧର ଦ୍ଵିବେଦୀଙ୍କୁ। ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ସେଠାରେ ଉପସ୍ଥିତ ନ ଥିଲେ ମଧ୍ୟ ତାଙ୍କୁ କିପରି ଏଥିରେ ଜଡ଼ିତ କରାଯିବ, ତାହା ଥିଲା ଆମ ଦୁଇ ଓଡ଼ିଆ ଇନ୍ସପେକ୍ଟର ଭାଇମାନଙ୍କର ମୁଖ୍ୟ କାର୍ଯ୍ୟ। ସେମାନେ ଅବଶ୍ୟ ସଫଳ ହେଲେ ! ଶେଷରେ ଏହି ହତ୍ୟାକାଣ୍ଡର ଐତିହାସିକ ବିଚାର ଆରମ୍ଭ ହୋଇ ବିଭିନ୍ନ ଚାପ ପ୍ରୟୋଗ କରି ଏହି ଦୁଇ ପ୍ରବାଦ ଦେଶପ୍ରେମୀ ଫାଶୀ ଦଣ୍ଡାଦେଶ ପାଇଥିଲେ। ବ୍ରିଟିଶ ଶାସନ ପାଇଁ ଏ ପ୍ରଜାମଣ୍ଡଳ ଆନ୍ଦୋଳନ ଥିଲା ଏକ ଆହ୍ୱାନ । ବେଜେଲଗେଟ୍ ହତ୍ୟାକାଣ୍ଡ ବ୍ରିଟିଶ ପାର୍ଲିଆମେଣ୍ଟକୁ ହୁଲସ୍ଥୁଲ କରିଦେଇ ରାଜତନ୍ତ୍ର ଉପରେ ଭୟ ସୃଷ୍ଟି କରିଥିଲା।କାଳକାଳକୁ ଅମ୍ଳାନ ସ୍ମୃତି ରଖି ଦେଇଥିବା ସହିଦଦ୍ଵୟଙ୍କୁ ଓଡ଼ିଶା ସବୁଦିନ ପାଇଁ ମନେରଖିବ ଓ ବେଜେଲଗେଟ୍ ହତ୍ୟାକାଣ୍ଡ ଇତିହାସର ପୃଷ୍ଠା ମଣ୍ଡନ କରୁଥିବ ।
ଆଧାର: ଡ. ଜଗନ୍ନାଥ ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ
Killing of Major Bazalgette Ranapur Nayagarh
© Niranjan Sahu
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago