ଯୁଗେ ଯୁଗେ ଓଡ଼ିଶା

ସୌରଭିତ ସୃଷ୍ଟି: ଡ. ହରେକୃଷ୍ଣ ମହତାବ 
~ ଯୁଗେ ଯୁଗେ ଓଡ଼ିଶା ~
ପ୍ରତିବର୍ଷ ବୈଶାଖ ମାସ ଆରମ୍ଭରେ ପଞ୍ଜିକାର ଯେତେବେଳେ ଏହି ଦେଶର କୌଣସି ଗଜପତି ଗୌଡ଼େଶ୍ଵର କର୍ଣ୍ଣାଟୋତ୍କଳେବର୍ଗେଶ୍ଵର ବୀରାଧିବୀରବର ପ୍ରତାପୀ ରାଜାଙ୍କ ନାମରେ ପ୍ରଚଳିତ ସମ୍ବତ୍ସରର ଶୁଭାଶୁଭ ଫଳ ଶୁଣାଏ, ସେତେବେଳେ ଓଡ଼ିଶାର ଅସଂଖ୍ୟ ଅଧିବାସୀଙ୍କ ମନରେ ସେଇ ହଜି ଯାଇଥିବା ଦିନଗୁଡ଼ିକର ବିଷଣ୍ଣ ସ୍ମୃତି ଝଲସି ଉଠିଥାଏ । ତାକୁ ବିଶ୍ୱାସ ହୁଏ ନାହିଁ ଯେ ସେ ସେଇ ବୀରତ୍ଵପୂର୍ଣ୍ଣ ପରମ୍ପରା ଓ ପିଢ଼ିର ବଂଶଧର । ସେ କଳ୍ପନା କରିପାରେ ନାହିଁ କି ସେଇ ଜନ୍ମଭୂମି ଏକଦା ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ଥିଲା । ଶତାବ୍ଦୀ ପରେ ଶତାବ୍ଦୀ ବିତିଯାଇଛି ଏବଂ କଳିଙ୍ଗ, କଙ୍ଗୋଦ, ତ୍ରିକଳିଙ୍ଗ, ସପ୍ତକଳିଙ୍ଗଉଡ୍ରଦେଶର ବୀର ସନ୍ତାନମାନଙ୍କ ଶୌର୍ଯ୍ୟ, ବୀର୍ଯ୍ୟ ଓ ଐଶ୍ୱର୍ଯ୍ୟରେ ଏହି ଭୂମି ବିସ୍ତୃତତର ଓ ପରିପୁଷ୍ଟ ହୋଇଛି । ତାର ବିଶ୍ୱାସ ହୁଏନା ଯେ ସେ ସେଇ କଙ୍ଗୋଦ-ସନ୍ତାନର ଉତ୍ତର ପୁରୁଷ । ସେଇ ଉଡ୍ରଦେଶର ପ୍ରାଣ ପ୍ରତିଷ୍ଠାତା ଓଡ଼ିଆ । ଆଜି ଏହି ପତନର ତମସାଚ୍ଛନ୍ନ ନିଶୀଥ ପ୍ରହରରେ ତାର ପୂର୍ବସୂରୀଙ୍କ ଆତ୍ମା ଖୋଜି ହେଉଛି — ତାମ୍ରଲିପ୍ତ, ତୋଷାଳୀ, କୀରଣ ସୁବର୍ଣ୍ଣ, ଚେଳିତୋଳ, ମଞ୍ଜୁଷା, ରାଜମହେନ୍ଦ୍ରିର ଉପାନ୍ତରେ ହଜି ଯାଇଥିବା ସ୍ମୃତିକୁ । 
ତାର ଏହି ସୁଜଳା ସୁଫଳା-ଶସ୍ୟ ଶ୍ୟାମଳା ଜନ୍ମଭୂମି ନଦୀମାତୃକା । ଅନାଦି କାଳରୁ ପ୍ରବାହିତ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ସୁବର୍ଣ୍ଣରେଖାର ଉର୍ବର ମୃତ୍ତିକାରେ ଗଠିତ ତାର ସମତଳ ଉପକୂଳ । ଈଷତ୍ ଲାଲ ପୀତ ରଙ୍ଗର ମିଶ୍ରଣରେ ନିର୍ମିତ ଏଇ ପଟୁ ମାଟି, ବସନ୍ତର କୁସୁମ ସମ୍ଭାରରେ, କୋଇଲିର କୁହୁ ତାନରେ, ଉଷ୍ମ ମନ୍ଦ ମଳୟରେ, ମରୀଚିକାର ମାୟାରେ, ଆଦ୍ୟ ଆଷାଢ଼ର ଅନନ୍ତ ଆକାଶରେ ଆଚ୍ଛାଦିତ ନୂତନ ମେଘର ସଂଚାରରେ, ଶରତର ଜ୍ୟୋସ୍ନା ବିଧୌତ ପୂର୍ଣ୍ଣିମା ରଜନୀରେ, କାଶ କୁସୁମ ପଂକ୍ତିରେ, ଶୀତର ସୁନେଲୀ ଶସ୍ୟର ରଙ୍ଗିମାରେ — ଏକ ଅପରୂପ କାବ୍ୟପୁରୀରେ ପରିଣତ ହୋଇଯାଏ । 
ଯୁଗେ ଯୁଗେ ଓଡ଼ିଶା . . 
ପୂର୍ବାଞ୍ଚଳ ସମତଳଭୂମିରେ ତାର ବନରାଜି ସୁଶୋଭିତ । ପଶ୍ଚିମାଞ୍ଚଳ ଆହୁରି ଅଧିକ ମନୋହର, ଆହୁରି ବର୍ଣ୍ଣାଢ଼୍ୟ ହୋଇଯାଏ, ନୂତନ ମେଘର ସଂଚାରରେ । ତାର ପଶ୍ଚିମାଞ୍ଚଳରେ ମେଘମାନେ ଆଲିଙ୍ଗନ କରୁଥିବା ଗିରିରାଜ ଶିଖର, ତାର ସବୁଜ ଉପତ୍ୟକା, ତାର ଛାୟାଘନ ଗିରିକନ୍ଦର, ତାର ସ୍ବପ୍ନିଳ ପାହାଡ଼ି ନଦୀର ନୀର ବେଣୀ ଧରାପୃଷ୍ଠରେ କରେ ସ୍ୱର୍ଗର ରଚନା । ଏଇ ଦେଶର ରାମଗିରିରେ ନିର୍ବାସିତ ଯକ୍ଷ ନୂତନ ମେଘର ଶୀତଳ ସ୍ପର୍ଶରେ ହୋଇଯାଏ ବିରହାନ୍ବିତ । ସେ ମେଘକୁ ଦୂତକରି ପଠାଏ ଅଳକାପୁରରେ ଥିବା ତାର ପ୍ରେମିକା ପାଖକୁ । ଯକ୍ଷର ଏହି ବିରହ ବ୍ୟଥାରେ ସେ ହୋଇଉଠେ ବ୍ୟଥିତ । ସେ ସେହି ବିରହୀ ଯକ୍ଷର ମର୍ମଜ୍ଞ । ସେ ମେଘଦୂତ । ତାର ପ୍ରାଣରେ ଅସଂଖ୍ୟ ପକ୍ଷୀଙ୍କ ରୋମାଞ୍ଚ । ବିରହର ଆକୁଳ ଆକୁତି । ବିଡ଼ମ୍ବିତ ରାତିର ଗୁଞ୍ଜନ । ତାର କଣ୍ଠରେ ମେଘମହ୍ଲାର । ତା ଦେଶର କବିର ଗୀତିକା- ଚମ୍ପୁ, ଭାଟିୟାଲି । ସେ ଉନ୍ମତ୍ତ ହୋଇଉଠେ । ସେ ହୃଦୟର ତନ୍ମୟତାରେ ତଲ୍ଲୀନ ହୋଇଯାଏ ।
ମହୋଦଧିର ଉତ୍ତାଳ ତରଙ୍ଗରେ ଏହି ଦେଶର ଚରଣ ପ୍ରକ୍ଷାଳନ ହୋଇଥାଏ । ତାର ସ୍ଵର୍ଣ୍ଣିମ ତଟଭୂମି ଶିକରସିକ୍ତ, ତା’ର ସୂର୍ଯ୍ୟୋଦୟ ଚିତ୍ରାତ୍ମକ । ତା’ର ସୂର୍ଯ୍ୟାସ୍ତ ତାର ରଙ୍ଗିମାମୟ ଜଳରେ ଇନ୍ଦ୍ରଧନୁର ଛବି ଆଙ୍କିଦିଏ । ଏଇ ଦେଶର ସୂର୍ଯ୍ୟପୀଠ କୋଣାର୍କ । ସେ ସୂର୍ଯ୍ୟ ଉପାସକ । ସେ ଆଲୋକ-ସନ୍ତାନ । ତାର ଝାଉଁବନର ଗୁଞ୍ଜନରେ ସମୁଦ୍ରର ଆହ୍ୱାନ । ବେନାମୀ ପକ୍ଷୀଙ୍କ ପୁକାରରେ ତାର ଅନ୍ତଃହୀନ ଜଳରାଶିର ଅନନ୍ତ ଇଙ୍ଗିତ । ସେ ରହସ୍ୟ ସନ୍ଧାନୀ କଲମ୍ବସ । ବିକ୍ଷୁବ୍ଧ ସାଗର ବକ୍ଷରେ ସେ ଦୁଃସାହସୀ କର୍ଣ୍ଣଧାର । ତାର ଆଖିରେ ଲବଙ୍ଗଦ୍ଵୀପର ସ୍ଵପ୍ନ । ତାର ମନରେ ଦାରୁଚୀନର ବନମାୟା । ସାଗରପାରି କର୍ପୁର ପୁରୀର ନିଶା । ଜାଭା, ସୁମାତ୍ରା, ବାଲି, ସେଲିବିସର ସମୁଦ୍ରରେ ତାର ନୌକା । ପ୍ରବାଳ ଦ୍ବୀପର କେଉଁ ପାରିଜାତ ବନର ଶୀତଳ ଆଲୋକ ଛାୟାରେ ସେ ସୁଷୁପ୍ତ ଶ୍ରମକ୍ଲାନ୍ତ ସୌଦାଗର । ତାର ସ୍ମୃତିପଟରେ ଉଙ୍କି ମାରେ କାର୍ତ୍ତିକ ପୂର୍ଣ୍ଣିମାର ମେଘଢଙ୍କା ଅନ୍ତିମ ରାତ୍ରିର ଫିକା ଚାନ୍ଦ – ଆରତି ପୂଜାପାଇଁ ତାମ୍ରଲିପ୍ତ, ପାଲୁର, ଚରିତ୍ରା, ଦନ୍ତପୁର, ରମ୍ଭା, କଳିଙ୍ଗନଗର ବନ୍ଦରରେ ତାର ପ୍ରେୟସୀର ବିଷର୍ଣ୍ଣ ଚେହେରା, ତାର ଲଲାଟରେ ପ୍ରେୟସୀର ବିଦାୟ ତିଳକ ଓ ଅଗୁରୁ ଚନ୍ଦନ । 
ଯୁଗେ ଯୁଗେ ଓଡ଼ିଶା . . 
ସେ କେବଳ ମସଲାରେ ଭରା ଦ୍ଵୀପପୁଞ୍ଜ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସୌଦାଗର ନୁହେଁ । ସେ ପଥଚାରୀ ବଣିକ । ତାର-ପଣ୍ୟ ସାମଗ୍ରୀ ବୋହି ନେଉଥିବା ଅସଂଖ୍ୟ ପଶୁଙ୍କ ପଦପାତ ଶବ୍ଦରେ ମୁଖର ହୋଇଉଠେ ଶ୍ୟାମ, ବ୍ରହ୍ମଦେଶ, ଚମ୍ପା, ଚୀନ, ତିଦ୍ଦତର ଦୁର୍ଗମ, ଦୁଷ୍କର, ନୀରବ, ନିଷ୍ପଳ ଗିରିପଥ । ମାନସରୋବରର କେଉଁ ତୁଷାରମୟ ଶୀତଳ ପାହାଡ଼ି ନଦୀ ମୁହାଣରେ ବନହଂସୀର ଚକିତ ଭୀତତ୍ରସ୍ତ ଦଳ । ବ୍ରହ୍ମପୁତ୍ରର କୂଳେ କୂଳେ ତାର ନୌକାର ତରଙ୍ଗ ବହି ବହି ଯାଏ । ନିବିଡ଼ ତୀରବନରେ ଗୁଞ୍ଜରିତ ହୁଏ ତାର ପ୍ରତିଧ୍ବନି । ସେ ଆରବିୟାନ୍ ନାଇଟସ୍ କାହାଣୀର ନାୟକ । ସେ ଆଗବ ମରୁଭୂମିରେ ତୃଷାର୍ଭ ବେଦୁଇନ । ସେ ଛଦ୍ମବେଶଧାରୀ, ରାଜ୍ୟଗ୍ରାସୀ ବଣିକ ନୁହେଁ । ସେ ଶାନ୍ତିଦୂତ । ସେ କଳା, ସଂସ୍କୃତି, ସ୍ଥାପତ୍ୟ ଓ ଧର୍ମର ଉପନିବେଶ ସ୍ଥାପକ । ସେ ସଂଘମିତ୍ରା, ଉପଗୁପ୍ତ । 
ସେ କ୍ରାନ୍ତିର ଉପାସକ । ସେ ବିପ୍ଳବୀ, କ୍ରାନ୍ତିକାରୀ । ତାର ବିପ୍ଳବ ବହୁମୁଖୀ, ତାର ଧର୍ମରେ ବିପ୍ଲବର ଆହ୍ବାନ । ତାର ସଂସ୍କୃତିରେ କ୍ରାନ୍ତିର ଉତ୍ତରଣ । ତାର କଳା, ସ୍ଥାପତ୍ୟ, ପରମ୍ପରା ଅକ୍ଷୟ, ଅମର । ସେ ବୈଦିକ ଆର୍ଯ୍ୟ ସଂସ୍କୃତିର ବାହକ । ସେ ଜୀବନର ଛନ୍ଦହୀନ କାବ୍ୟକାର । ତାର ଦେବ ମନ୍ଦିରର ଗାତ୍ରରେ ମୈଥୁନ ଚିତ୍ର । ତାର ସାହିତ୍ୟରେ ପରକୀୟା ପ୍ରୀତିର ନିଃସଂକୋଚ ପ୍ରକାଶ । ତାର ଲୋକଗୀତରେ ମୁକ୍ତ ପ୍ରଣୟ ଇଙ୍ଗିତ। କାବ୍ୟରେ ଆତ୍ମୀୟଜନଙ୍କ ରତି ପ୍ରିୟା ରୂପାୟନ । ତାର ‘ଗୀତଗୋବିନ୍ଦ‘, ପାର୍ବତୀ କାବ୍ୟ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ କାବ୍ୟ । ତାର କପଟପାଶା ପ୍ରତ୍ୟେକ ବ୍ରାହ୍ମଣ୍ୟ ଆର୍ଯ୍ୟ ସମାଜର ଧର୍ମୀୟ ନିପୀଡ଼ନ ବିରୁଦ୍ଧରେ ଏକ ସଫଳ ପ୍ରତିବାଦର ବଜ୍ରନିର୍ଘୋଷ । ସେ ଦ୍ରାବିଡ଼, ସେ ଶାକ୍ତ, ସେ ବୈଷ୍ଣବ । ସେ ସୁଧାଭକ୍ତିର ଉଦ୍ଗାତା, ଉନ୍ମୁକ୍ତ ପ୍ରେମର ପ୍ରବକ୍ତା । ସେ ଅନନ୍ତ ପ୍ରେମର ସ୍ରୋତ । ସେ ‘କାମସୂତ୍ର’ର ରସିକ କାମୁକ । ସେ ସୁରାସାକୀର ପ୍ରମତ୍ତ ଓମରଖାୟାମ । 
ଯୁଗେ ଯୁଗେ ଓଡ଼ିଶା . . 
ତାର ଆଦିବାସୀ ସମାଜରେ ପ୍ରଚଳିତ ‘ଘୋଟଲ’, ବୟସ୍କ ଯୁବକ-ଯୁବତୀଙ୍କ ଶୟନାଗାର ଆତ୍ମୀୟ ସମାଜ ରଚନାର ଏକ ଉଦାହରଣ । ସେ ଅସ୍ତିତ୍ଵବାଦୀ । ଆତ୍ମପ୍ରବଞ୍ଚନା ତାର ପ୍ରକୃତିର ବିରୋଧୀ । ଯୌବନର ଅନିନ୍ଦ୍ୟ ରାଗରେ ତାର ନିଭୃତ ଚିତ୍ତ ଚିର ଗୁଞ୍ଜରିତ । 
ତାର ବିଶ୍ଵବନ୍ଦିତ ଜଗନ୍ନାଥ ମହାପ୍ରଭୁ ବୌଦ୍ଧାବତାର ! ତାର ଶ୍ରୀମନ୍ଦିର ସର୍ବଧର୍ମ ସମନ୍ଵୟର ଏକ ଅମର କୀର୍ତ୍ତି । ଶାନ୍ତି, ମୈତ୍ରୀ, ସାମ୍ୟ, କରୁଣା ଓ ବିଶ୍ଵଭ୍ରାତୃତ୍ଵର କେନ୍ଦ୍ରଭୂମି । ତାର ଦେବତା ପତିତପାବନ । ଦଳିତ, ପତିତ, ଦୀନ, ପୀଡ଼ିତଙ୍କ ପାଇଁ ସେଇ ଦେବତାଙ୍କ ନୈବେଦ୍ୟ ମହାପ୍ରସାଦ । ଅମୃତ ଖାଦ୍ୟ, ସେବନବିଧି-ନିଷେଧବିହୀନ । ତାର ଦେବତା ଅନ୍ଧବିଶ୍ୱାସର ଅଥର୍ବ ବିଗ୍ରହ ନୁହେଁ, ତାର ଦେବତା ସଚଳ ‘ସାକ୍ଷୀଗୋପାଳ‘। ତାର ଦେବତା ସଂସ୍କାରବଦ୍ଧ ମନର ଏକ ବିକାର ନୁହେଁ, ସେ ଜୀବନାନୁରାଗ ଅନୁଭୂତିର ଏକ ଅମୂର୍ତ୍ତ ପ୍ରେରଣା । ତାର ଦେବତା କେବଳ ନୈବେଦ୍ୟ ଭୋଗୀ ନୁହେଁ, ତାର ସଙ୍କଟରେ ସକ୍ରିୟ ସହାୟକ ମଧ୍ୟ । ତାର କାଞ୍ଚି ଅଭିଯାନ ପଥରେ ଦେବତାର ଗୋପନ ସମରଯାତ୍ରାର କାହାଣୀ ଅଲୌକିକ । ସୃଷ୍ଟିର ଗତିଶୀଳତା ସହ ତାଳ ମିଳାଇ ତାର ସମସ୍ତ ଜୀବନ ଦର୍ଶନ ଗତିମୟ । 
ଯୁଗେ ଯୁଗେ ଓଡ଼ିଶା . . 
ମହାମାନବର କଲ୍ୟାଣ ପ୍ରତି ସେ ଚିରଜାଗ୍ରତ । ତାର କଣ୍ଠରେ ମହାଜାତିର ବିଜୟଗାଥା । ତାର ଚିତ୍ତ ଜାତି, ଗୋତ୍ରର ସଂକୀର୍ଣ୍ଣତାରୁ ବିମୁକ୍ତ । ସେ ବିରାଟ । ମହୀୟାନ । ତାର ସ୍ଵପ୍ନବିଳାସୀ ମନ ଆକାଶସ୍ପର୍ଶୀ । ସେ ଜାଗତିକ ବନ୍ଧନର ଉର୍ଦ୍ଧ୍ବରେ ପଦ୍ମଭୁକ । ସେ ଉଦାର । ସେ ଶାନ୍ତି ଓ ସନ୍ଧିର ବାର୍ତ୍ତାବାହୀ କପୋତ। ସେ ବିରାଟ ସମନ୍ଵୟକାରୀ । ତା’ର ଗୃହରେ ପୀରସତ୍ୟନାରାୟଣଙ୍କର ପୂଜା । ତାର କବି ପୀର ଓ ସତ୍ୟନାରାୟଣଙ୍କ ମହିମା କୀର୍ତ୍ତନରେ ମୁଖର । ସେ ହିନ୍ଦୁ ନୁହେଁ, ମୁସଲମାନ ନୁହେଁ, ବୌଦ୍ଧ ନୁହେଁ, ଜୈନ ନୁହେଁ । ସେ ପ୍ରକୃତିର ଅନବଦ୍ୟ ସୃଷ୍ଟି ମାନବ ସନ୍ତାନ । ସେ କଳା, ଗୋରା ବର୍ଣ୍ଣ ବିଭେଦର ପରିପନ୍ଥୀ । ତାର କୃଷ୍ଣାଙ୍ଗ ଜଗନ୍ନାଥ, ଶ୍ୱେତାଙ୍ଗ ବଳଭଦ୍ର ଓ ଲୋହିତାଙ୍ଗ ସୁଭଦ୍ରା ସଂସାରର ବିଚିତ୍ର ଦେହରଙ୍ଗର ସମନ୍ୱୟର ଏକ ଉଜ୍ଜ୍ୱଳ ପ୍ରତୀକ । 
ତାର ଏହି ଦେଶ ଦେବଲୀଳାଭୂମି । ତାର କଳକଲ୍ଲୋଳିନୀ ସ୍ରୋତସ୍ଵିନୀ ବୈତରଣୀରେ ସ୍ନାନ କରି ଦ୍ରୌପଦୀ ପାପବିମୁକ୍ତା ହୋଇଥିଲେ । ଶାମ୍ବ ଶାପମୁକ୍ତ ହୋଇଥିଲେ । ଏହି ଦେଶରେ ଅସଂଖ୍ୟ ମୋକ୍ଷକାମୀ ଶୁଚିମନ୍ତ ହୋଇଛନ୍ତି । ସେ ପବିତ୍ର, ସେ ନିଷ୍ପାପ । ସେ ବୁଦ୍ଧ, ସେ ଅବିନଶ୍ଵର ବୁଦ୍ଧ । 
ଯୁଗେ ଯୁଗେ ଓଡ଼ିଶା . . 
ସେ ସଂସାରବିରାଗୀ । ସେ ଅନାସକ୍ତ । ସେ ନିରାଲମ୍ବ । ତାର ‘ମନବୋଧ ଚଉତିଶା‘ ରେ ଜୀବନର ଅସାରତା ପ୍ରତିପାଦିତ । ସେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟର ଷଡ଼ବିଧ-ରିପୁ-ଲୁବ୍ଧକୀଟ ନୁହେଁ । ସେ ତ୍ୟାଗର ତେଜସ୍ଵିତାରେ ବହ୍ନିମାନ । ସେ ସବ୍ୟସାଚୀ, ଗୋପବନ୍ଧୁ। ସେ ଗୀତାର ସମାଧିପ୍ରାପ୍ତ କର୍ମଯୋଗୀ। ‘ଲୋକସଂଗ୍ରହମ୍’, ତାର ଜୀବନାଦର୍ଶ, ସେ ଉର୍ଦ୍ଧ୍ବଚେତା । ତାର ନାଭିକମଳରେ ବିଚରଣ । ପ୍ରଣବ, ନ୍ୟାସ, ମୁଦ୍ରା ତାର ବୀଜମନ୍ତ୍ର । ନାଦବିନ୍ଦୁରେ ତାର ପରମାତ୍ମାଙ୍କ ସଂଯୋଗ । ସେ ତାନ୍ତ୍ରିକ । ସେ ରହସ୍ୟବାଦୀ, ସେ ଭୈରବୀ ସାଧକ। ଡାକିନୀ, ଯୋଗିନୀ ତାର ମନ୍ତ୍ରଦୂତ ‌। ସେ ଅବଧୂତ। ସେ ଅଲେଖ । ସେ ମହିମାଧର୍ମୀ । ସେ ଶ୍ରେଣୀହୀନ ସମାଜର ଅଗ୍ରଦୂତ । 
ସେ ମୁକ୍ତିକାମୀ । ପରଶାସନ ବିରୁଦ୍ଧରେ ତାର ଅପରାଜେୟ ସଂଗ୍ରାମ । ସେ ରୋଡ଼ଙ୍ଗର ସୈନିକ । ରାହାଙ୍ଗର ସେନାନୀ । ଖୋରଧାର ପାଇକ ସେନାପତି ବକ୍ସି ଜଗବନ୍ଧୁ ବିଦ୍ୟାଧର । ସେ ବୀର ସୁରେନ୍ଦ୍ର ସାଏ । 
ସେ ରାଣୀ ଲକ୍ଷ୍ମୀବାଈଙ୍କ ଅନ୍ୟତମ ସାଥି ଚାଖି ଖୁଣ୍ଟିଆ । ସେ ସିପାହୀ ବିଦ୍ରୋହର ଅଗ୍ରଦୂତ । ମୁକ୍ତିଯଜ୍ଞର ହୋତା । ସେ ମହାଯଜ୍ଞର ଋତ୍ଵିକ । ମେରଠ, କାନପୁର, ଚନ୍ଦନନଗର ବିଦ୍ରୋହୀ ସିପାହୀଙ୍କ ମାନସଚକ୍ଷୁରେ ତାର ମୁକ୍ତିର ଆବେଦନ ପତ୍ର । ପଲାସୀର ଆମ୍ରକୁଞ୍ଜର ଅଶାନ୍ତ ହାୱାରେ ତାର ବିଦ୍ରୋହର ନୂତନ ଗାଥା । ସେ ନେତାଜୀଙ୍କ ଉଦାତ୍ତ ଆହ୍ଵାନରେ ମୁକ୍ତିପାଗଳ ମୁକ୍ତିଯୋଦ୍ଧା । ସେ ଜାତୀୟ ମୁକ୍ତିବାହିନୀର ବୀର ସୈନିକ । ସେ ଇମ୍ପାଲର ଶହୀଦ । ସେ ପୂର୍ଣ୍ଣଗର୍ଭା । ବ୍ରାହ୍ମଣୀର ବିକ୍ଷୁବ୍ଧ ବକ୍ଷରେ ଢେଙ୍କାନାଳ ପ୍ରଜାମଣ୍ଡଳର ଏକାନ୍ତ ମୁକ୍ତ-ପ୍ରହରୀ, ବୀରଦର୍ପରେ ଗରୀୟାନ ଦୁର୍ଦ୍ଧର୍ଷ-ଦୁର୍ବାର ନାବିକ-ପୁତ୍ର ବାଜି ରାଉତ । ଅତ୍ୟାଚାର, ଉତ୍ପୀଡ଼ନର ନିବିଡ଼ ଅନ୍ଧକାରରେ ସେ ଏକ ଦେଦୀପ୍ୟମାନ ମୁକ୍ତିର ଦୀପ୍ତିମାନ ଜ୍ୟୋତି । 
ଯୁଗେ ଯୁଗେ ଓଡ଼ିଶା . . 
ତାର ଜନ୍ମଭୂମି ଏହି ଓଡ଼ିଶାର ମାଟି ବୀର ପ୍ରସବିନୀ । ତାର ବାରବାଟୀ, ଚୌଦ୍ଵାର, ରାଇବଣିଆ, ଯାଜପୁର ଦୁର୍ଗ ଅସଂଖ୍ୟ ବୀର ସେନାନୀଙ୍କ ସ୍ମାରକ । ତାର ରକ୍ତରେ ଯଦୁ ଜାତିର ସମର ତରଙ୍ଗ‘ । ତାର ବୀର ଧମନୀରେ ଅସଂଖ୍ୟ ‘ଖାରବେଳ’ର ରକ୍ତ । ତାର ଶ୍ରୁତିରେ ରଣଦୁନ୍ଦୁଭି । ଇତିହାସରେ ଅସଂଖ୍ୟ ଜୟଗାଥା । ସେ ସମର ଉନ୍ମନା । ସେ ଶତ୍ରୁର ବିରାଟ ଆତଙ୍କ । ଗଙ୍ଗା — ଗୋଦାବରୀର ଜଳ ତାର ଅସଂଖ୍ୟ ମୃତ ସୈନିକଙ୍କ କ୍ରନ୍ଦିତା ପତ୍ନୀଙ୍କ ଅଞ୍ଜନରେ କୃଷ୍ଣବର୍ଣ୍ଣ । ସେ ଅଦମ୍ୟ, ଦୁର୍ଜେୟ । ତା ସମକ୍ଷରେ ଜୀବନର ଗୁଞ୍ଜନ, ଜୀବନର ମଧୁର ଆବେଦନ ତୁଚ୍ଛ । ମିଳନ-ମଧୁର ବିରହ-ବିଧୁର ମୁହୂର୍ତ୍ତରେ ପ୍ରେୟସୀର ଅଶ୍ରୁଭରା ଆଖି ଓ କ୍ରନ୍ଦନଭରା ମୁଖ ତାକୁ ରଣବିମୁଖ କରିପାରେ ନାହିଁ । ସେ ଏକ ବୀର ଜାତି । 
ସମୁଦ୍ର ବକ୍ଷରେ ସେ ଯେପରି ଦୁଃସାହସୀ ସୌଦାଗର, ରଣକ୍ଷେତ୍ରରେ ସେହିପରି ଦୁର୍ଦ୍ଧର୍ଷ କଳିଙ୍ଗସେନା । ଯେତିକି ନିଷ୍ଠୁର, ନିଷ୍କରୁଣ ତାର ବୀର ହୃଦୟ, ସେତିକି ଗୀତିମୟ ତାର ସୃଜନଶୀଳ ମନ । 
ସେ ବାଉଲ । ସେ ଗୀତିକାର । ତାର ଶିଳା ଦେହରେ ସଙ୍ଗୀତର କମ୍ପନ । ପାଷାଣ ସିମ୍ପୋନିରେ ସଙ୍ଗୀତ ମୂର୍ଚ୍ଛନା । ସେ ଦେବଦାସୀ । ସେ ଓଡ଼ିଶୀ ସଙ୍ଗୀତର ଲଘୁ ଲଳିତ ସମାରୋହରେ ନୃତ୍ୟରତା ମାହାରୀ । ତାର ଆଖିରେ ଓଡ଼ିଶୀ ନୃତ୍ୟ ଇଙ୍ଗିତ । ତାର ମୁଦ୍ରାରେ ଓଡ଼ିଶୀ ନୃତ୍ୟର ଭଙ୍ଗିମା । ନୃତ୍ୟର ଛନ୍ଦରେ ସିଞ୍ଜନୀର ଝଙ୍କାର । ବାଦ୍ୟର ତାଳରେ ଚଳ ଚଞ୍ଚଳତା । ତା’ର ଲାସ୍ୟମୟୀ ସୁରସୁନ୍ଦରୀ ରୂପସୀ ଉର୍ବଶୀ । ତା’ର ଅଧରରେ ଅମୃତ । ତା’ର ଆଖିରେ କାମାଞ୍ଜନ । ତାର ଭ୍ରୁଲତା ଉପରେ ନବୀନତାର ଭଙ୍ଗିମା । ତାର ଅଙ୍ଗ ସୌଷ୍ଠବରେ ସ୍ତମ୍ଭନ ଆଉ ସମ୍ମୋହନ । ସେ ଗୋଟିପୁଅ । ସେ କୋଣାର୍କର ପ୍ରୀତିପ୍ରଲୁବ୍ଧା ନାୟିକା । ସେ ରସଗ୍ରାହୀ । ସେ ରଙ୍ଗିଲା ନାୟକ । ତାର ପାଇକ ନୃତ୍ୟରେ ରଣ କୌଶଳର ପରାକାଷ୍ଠା, ଛଉ ନାଚରେ ବେଲାଡ଼ । 
ଯୁଗେ ଯୁଗେ ଓଡ଼ିଶା . . 
ସେ ଅନ୍ତରୀକ୍ଷର ରହସ୍ୟାନୁସଂଧିତ୍ସୁ ଜ୍ୟୋତିର୍ବିଦ୍। ସେ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର । ତାଙ୍କର ‘ସିଦ୍ଧାନ୍ତ ଦର୍ପଣ‘ ଜ୍ୟୋର୍ତିବିଜ୍ଞାନରେ ଏକ ବିରାଟ ବିସ୍ମୟ । ସେ ଟେଲିସ୍କୋପ, ଟେଲିଭିଜନ ସାହାଯ୍ୟରେ ନୁହେଁ, ମାନମନ୍ଦିରରେ ଉନ୍ନତ ଯାନ୍ତ୍ରିକ ସାଧନରେ ନୁହେଁ, ଗ୍ରାମର ଏକ ନିଭୃତ କୋଣରେ ବାଉଁଶ ନଳୀରେ ମେଘ ବିମୁକ୍ତ ନିଶିଥ ଆକାଶକୁ ଦେଖି ବିଶ୍ଵବ୍ରହ୍ମାଣ୍ଡର ଗ୍ରହମଣ୍ଡଳର ଗତିବିଧି ଅନୁଧ୍ୟାନ ପଟୁ ବୈଜ୍ଞାନିକ । ସେ ଆବିଷ୍କାରକ । 
ସେ ଚିତ୍ରକର । ତାର ହାତୀଗୁମ୍ଫା, ରାବଣଗୁମ୍ଫା, ଖଣ୍ଡଗିରି, ଉଦୟଗିରି ଗୁହାରେ ଅପରୂପ ଚିତ୍ର ସମ୍ଭାର । ତାର ରଙ୍ଗିଲି ସିଲାଇ କାମର ବିଚିତ୍ର କାରୁକର୍ମ ଅବର୍ଣ୍ଣନୀୟ । ତା’ର ମସଲିନ୍ ଶାଢ଼ୀ, ରେଶମୀ ଉତ୍ତରୀୟ ରାଜପ୍ରାସାଦର ରାଣୀମହଲ ମାନଙ୍କରେ ଶୋଭା ପାଉଛି । କୁଶଳୀ ତନ୍ତୁବାୟ ସେ। 
ସେ ଭବିଷ୍ୟବେତା । ‘ଅଚ୍ୟୁତାନନ୍ଦ ମାଳିକା‘ ରେ ତାର ଭବିଷ୍ୟବାଣୀ । ସେଥିରୁ ସ୍ପଷ୍ଟ ହୁଏ ବର୍ତ୍ତମାନର ସମାଜରେ ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର, ଭ୍ରଷ୍ଟାଚାର, ଅବିଚାର କେବଳ ମହାପ୍ରଳୟର ଲକ୍ଷଣ । ସେ ମନେକରେ ଯେ କଳି ଯୁଗାନ୍ତ ଦିନ ମହାପ୍ରଳୟରେ ପାପୀ, ଅଧର୍ମୀ, ଦୁଷ୍କୃତମାନଙ୍କର ବିନାଶ ହେବ । ସେଦିନ ଯୁଗପୁରୁଷ ତ୍ରାଣକର୍ତ୍ତାଙ୍କର ଆବିର୍ଭାବ ଘଟିବ — ‘ପରିତ୍ରାଣାୟ ସାଧୁନାମ୍’ । ମାର୍କଣ୍ଡେୟ ଋଷିଙ୍କ ଭଳି ସେହିଦିନ ସାଧୁ ସନ୍ଥ ‘ପ୍ରଳୟ ପୟୋଧି ଜଳ’ର ସର୍ବଗ୍ରାସୀ ମୃତ୍ୟୁ କୁଣ୍ଡଳୀରୁ ଉଦ୍ଧାର ପାଇ ନୂତନ ସମାଜ ଗଠନରେ ପ୍ରବୃତ୍ତ ହେବେ । ସେହିଦିନ ପୃଥିବୀରେ ପୁଣି ସ୍ଵର୍ଗର ପ୍ରତିଷ୍ଠା ହେବ । ସେହିଦିନ ଧର୍ମର ସଂସ୍ଥାପନ ହେବ । ସେଥିପାଇଁ ଆଜି ରାଜନୀତି ମାଧ୍ୟମରେ ମାନବୀୟ ସମସ୍ୟା ସମାଧାନର ପ୍ରସ୍ତାବନା ପ୍ରତି ତାର ଅନାସ୍ଥା । ଗଣତନ୍ତ୍ରରେ ତାର ଆନ୍ତରିକତାର ଅଭାବ । ସମାଜବାଦ ତା’ ପାଇଁ ଏକ ମରୀଚିକା । ସେଥିପାଇଁ ତାର ରାଜନୀତି ଅସ୍ଥିର । ସେ ପ୍ରଗତି ଓ ପ୍ରତିକ୍ରିୟା ମଧ୍ୟରେ ଦ୍ଵିଧା ବିଭକ୍ତ । ତା’ ସମ୍ମୁଖରେ ‘ବହୁପଥ ବହୁମତ ସହସ୍ର ନିଶାଣ’ । ଅତିମାନସ ନା ନାଗଭୂଷଣ ? ତା’ ଆଗରେ ଶତାବ୍ଦୀର ଏହି ବିରାଟ ପ୍ରଶ୍ନଚିହ୍ନ !!
ଯୁଗେ ଯୁଗେ ଓଡ଼ିଶା . . 
ଉପସ୍ଥାପନା: ନିରଞ୍ଜନ ସାହୁ
Juge Juge Odisha Dr. Harekrushna Mahatab Utkal Keshari
Niranjan Sahu 
Spread the love

Leave a Reply

Your email address will not be published. Required fields are marked *