~ ହୋଲି ~
ଲେଖା: ରୁପେଶ୍ୱର କୁମ୍ଭାର
ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି । ଏହି ପର୍ବରେ ଅନେକ ପ୍ରକାରର ରଙ୍ଗକୁ ନେଇ ଜାତି, ଧର୍ମ, ସବୁ ଭୁଲି ଆମେ ସମସ୍ତେ ଏହି ପର୍ବକୁ ପାଳନ କରିଥାଉ, ସମସ୍ତ ଶତ୍ରୁତାକୁ ଭୁଲି ଭାଇଚାରର ସମ୍ପର୍କ ଆମେ ସୃଷ୍ଟି କରିଥାଉ । ତେଣୁ ଆମେ ଏହାକୁ ଭାଇଚାରାର ପର୍ବ ମଧ୍ୟ କହିଥାଉ।
‘Holi ‘
ହିନ୍ଦୀ-होली,
କାନାଡ଼ା: ಹೋಳಿ,
ମରାଠୀ- होळी,
ନେପାଳୀ: होली,
ପଞ୍ଜାବୀ: ਹੋਲੀ,
ତେଲୁଗୁ- హోళి)
(ବଙ୍ଗଳୀ- বসন্ত উত্সব) (“Spring festival”)
West Bengal ଓ Assam – Festival of Colours, or Dol Jatra
Assamese: দ’ল যাত্ৰা
ଓଡ଼ିଆ: ଦୋଳଯାତ୍ରା
ଆସାମିୟା: ফাকুৱা
ହୋଲି(ହୋରି)ଦେ.କ୍ରି- ଏ ଶବ୍ଦର ମୂଳ ଶବ୍ଦ ହୋଲକା – (ସଂ.ବି-ହୋଡ୍ ଧାତୁ+ଭାବଅକ) ଧୁମହୀନ ଦହକ ଘସିନିଆଁକୁ ଶଯ୍ୟା ତଳେ ରଖି ଶୋଇବା ବ୍ୟକ୍ତିଙ୍କ ଦେହରେ ବସ୍ତ୍ରାବରଣ ପୂର୍ବକ ଗ୍ରହଣ କରାଯିବା ସ୍ବେଦ ବା ସେକ)
ଇଂରାଜୀ ଶବ୍ଦ କୋଷ Oxford English dictionary ରେ ଏହି ଶବ୍ଦ Holi (/ˈhoʊliː/)କୁ ଉଲ୍ଲେଖ କରାଗଲା। ଏହାର ବିଭିନ୍ନ phonetically derived spellingର ଯୋଗ ଇଂରାଜୀ ଶବ୍ଦକୋଷରେ Howly(1687), Hooly(1698), Huli(1789), Hohlee(1809), Hoolee (1825), ଶେଷରେ Holi ଶବ୍ଦ 1910ରେ ଆଡିସନ କରି published କରିଦିଆଗଲା।
ଏହା ହେଉଛି ହିନ୍ଦୁ ମାନଙ୍କର ଏକ ହରରଙ୍ଗୀ ପର୍ବ। ଫାଲଗୁନ ପୂର୍ଣ୍ଣିମା (feb-march) ଦିନ ଏହି ବସନ୍ତ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଯେତେବେଳେ ଶୈତ୍ଯର ପ୍ରକୋପ ପୃଥିବୀରୁ କମିଯାଇଥାଏ, ଦକ୍ଷିଣାପବନ ମୃଦୁ ସ୍ପର୍ଶ ମଣିଷର ତନୁମନରେ ଅପୂର୍ବ ପୁଳକ ସୃଷ୍ଟି କରିଥାଏ। ନୂତନ କିଶଳୟର ଭରପୁର ହୋଇ ଉଠିଥାଏ ଉଦ୍ୟାନର ବୃକ୍ଷରାଜ୍। ସବୁଜ ବନାନୀ ମାୟା ସମସ୍ତଙ୍କୁ ମୋହଗ୍ରସ୍ତ କରିପକାଇଥାଏ।ବସନ୍ତ ଋତୁକୁ ସ୍ବାଗତ ଜଣାଇବା ପାଇଁ ଏତିକିବେଳେ ପାଳିତ ହୁଏ ଦୋଳ ବା ହୋଲି ଉତ୍ସବ। ପର୍ବର ମୁଖ୍ୟ ଠାକୁର ହେଉଛନ୍ତି ରାଧାକୃଷ୍ଣ, ଏହାଙ୍କ ମଧ୍ୟରେ ଅବିର ରଙ୍ଗର ଖେଳ ହୋଇଥାଏ । ତେଣୁ ସନ୍ଥକବି ଜୟଦେବ ଶ୍ରୀ ଗୀତଗୋବିନ୍ଦରେ ଲେଖିଛନ୍ତି-
“ରାଧାମାଧବ ବୟୋର୍ଜୟନ୍ତ ଯମୁନାକୂଳେ ରହଃ କେଳନ୍ତି”।
ଏହି ପର୍ବରେ ଅନେକ କିମ୍ବଦନ୍ତୀ ଓ ଲୋକକଥା ଯଡିତ।
ଲୋକକଥା:
ଶ୍ରୀକୃଷ୍ଣ ସନ୍ଥମାନଙ୍କୁ ପାଳନ କରିବା ପାଇଁ ଦୁଷ୍ଟ ନିବାରଣ କରିଥିବା ଯୋଗୁଁ ହୋଲିରେ ଦୋଳ ଉତ୍ସବ ପୂର୍ଣ୍ଣମୀ ଦିନ ପାଳିତ ହୁଏ ବୋଲି କେତେକଙ୍କ ମତ।
କିମ୍ବଦନ୍ତୀ:
ପ୍ରହ୍ଲାଦ ଉପାଖ୍ୟାନ – (ହୋଲିକାଦହନ) ବିଷ୍ଣୁ ପୁରାଣ ଅନୁଯାୟୀ, ନଡ଼ା ଗଦାକରି (ଅଇଘରା/ ଅଗିରା) ଦୋଳ ପୂର୍ଣ୍ଣିମୀ ରାତିରେ ବା ହୋଲି ଉତ୍ସବରେ ଯେଉଁ ଅଗ୍ନି ଜ୍ୱଳନର ପରମ୍ପରା ଅଛି, ତାହା ଭକ୍ତ ପ୍ରହ୍ଲାଦଙ୍କ ପୌରାଣିକ ଉପାଖ୍ୟାନ ସହିତ ସଂପୃକ୍ତ । ଆଖ୍ୟାନଟି ହୋଲିକା ଦହନ ନାମରେ ପରିଚିତ । ହୋଲିକା ଏକ ରାକ୍ଷସୀ ଓ ତାହାର ଦହନ ରାଜା ହିରଣ୍ୟକଶିପୁର ନାସ୍ତିକତା ପ୍ରେରିତ ଦୁଷ୍ଟ ଶକ୍ତି ଉପରେ ଭକ୍ତ ଓ ଶିଶୁ ପ୍ରହ୍ଲାଦ ପ୍ରତି ଆଶିର୍ବାଦ ପ୍ରଦାନ କରୁଥିବା ଦୈବୀଶକ୍ତିର ପ୍ରତୀକାତ୍ମକ ବିଜୟ ରୂପେ ଅନୁଷ୍ଠିତ ହୋଇଥାଏ । ପୌରାଣିକ କଥାବସ୍ତୁ ଅନୁଯାୟୀ ହୋଲିକା ଥିଲା ହିରଣ୍ୟକଶିପୁର ଭଉଣୀ- ଯେ କି ଶିବଙ୍କଠାରୁ ବରପ୍ରାପ୍ତ ହେଇଥିଲା ଯେ ସେ ଜଳରେ ବୁଡ଼ିବ ନାହିଁ କି ନିଆଁରେ ପୋଡ଼ିବ ନାହିଁ । ନାସ୍ତିକତା ପ୍ରମତ୍ତ ହିରଣ୍ୟକଶିପୁକୁ ଭଗବାନ ବିଷ୍ଣୁଙ୍କ ମାୟାରେ ଶିକ୍ଷା ଦେବାପାଇଁ ହୋଲିକା ରାକ୍ଷସୀକୁ ପୁତ୍ର ପ୍ରହ୍ଲାଦ ସହିତ ଅଗ୍ନିରେ ପ୍ରବିଷ୍ଟ କରାଇଥିଲା, ସେଥିରେ ଶିଶୁ ପୁତ୍ରଟି ରକ୍ଷା ପାଇଯାଇଥିବା ବେଳେ ହୋଲିକା ଭସ୍ମୀଭୂତ ହୋଇଥିଲା ।
କାମଦହନ – (ଶିବପୁରାଣ, ଶିବପାର୍ବତୀ ଓ କାମଦେବରତି): ଏକ ପକ୍ଷରେ ନବବସନ୍ତ, କୋକିଳର କୁହୁତାନ, ଚୂତବୃକ୍ଷରେ ନବ ମୁକୁଳ, ମୃଦୁମନ୍ଦ ଶୀତଳ ସମୀରଣ ଏବଂ ଅନ୍ୟ ପକ୍ଷରେ ସତୀଙ୍କର ଅକାଳମୃତ୍ୟୁ ପରେ ରୁଦ୍ର ମହାତପସ୍ୱୀ ମହାଦେବ ଶିବ ରୂପରେ ଧ୍ୟାନମଗ୍ନ । ତେଣେ ଦେବ ଗଣ ତାରକାସୁରର ଅତ୍ୟାଚାରରେ ଭୀତ, ସଂତ୍ରପ୍ତ ଆଉ ଉଚ୍ଚକିତ ଭାବରେ ପ୍ରତୀକ୍ଷାମାଣ- ଏକ ଶୁଭଲଗ୍ନର । ମହାଯୋଗୀ ଶିବଙ୍କର ଧ୍ୟାନ ଭାଙ୍ଗିଲେ ହିଁ ମଦନଙ୍କ ପଞ୍ଚଶରରେ ତାଙ୍କୁ ଆକ୍ରାନ୍ତ କରାଯାଇପାରେ ଏବଂ ଅନିନ୍ଦ୍ୟ ରୂପବତୀ ହିମବନ୍ତ କନ୍ୟା ପାର୍ବତୀଙ୍କ ସହିତ ମହାଦେବ ଶିବ ମିଳିତ ହେଲେ ହିଁ କାର୍ତ୍ତିକେୟଙ୍କର ଜନ୍ମ ସମ୍ଭବ । ଏହି କାର୍ତ୍ତିକେୟ ହିଁ ଦେବଗଣଙ୍କ ସେନାପତି ଭାବରେ ତାରକାସୁରକୁ ନିଧନ କରି ଦେବତାଙ୍କୁ ଅଭୟ ପ୍ରଦାନ କରିବାରେ ଏକମାତ୍ର ସମର୍ଥ ।
ଗୋଟିଏ ଗୋଟିଏ କରି ପଞ୍ଚବାଣ ନିକ୍ଷେପ କଲେ କାମଦେବତା ମଦନ, ଉନ୍ମୁକ୍ତ ହେଲା ଶିବଙ୍କର ମୁଦ୍ରିତ ଚକ୍ଷୁ । କପାଳରେ ଜଳି ଉଠିଲା ତୃତୀୟ ଚକ୍ଷୁ । ନିମିଷକରେ ଭସ୍ମୀଭୂତ ହେଲେ କାମଦେବତା ମଦନ । ଉଚ୍ଚସ୍ୱରରେ ବିଳାପ କରି ରତିଦେବୀ ଆବିର୍ଭାବ ହେଲେ । ନିଜର ସ୍ୱ-ଦେହ ଜ୍ୱଳନରେ ମଦନ କିନ୍ତୁ ସେଦିନ ଦେବତାଙ୍କ ସୁରକ୍ଷା ପାଇଁ ମହାଦେବଙ୍କ ମାଧ୍ୟମରେ ଏକ ଇପ୍ସିତ ଲକ୍ଷ୍ୟ ସାଧନ କରିଦେଇ ଗଲେ । କେହି କେହି କହନ୍ତି, ହୋଲିର ଦିବ୍ୟ ଦହନ କ୍ରିୟା ଏହି ଅନଙ୍ଗଙ୍କୁ ଅଗ୍ନିରେ ଦାହ କରିବାର ଏକ ପ୍ରତିଛବି ।
ପୁତନା ରାକ୍ଷସୀ ଉପାଖ୍ୟାନ: କେତେକ ଅଞ୍ଚଳରେ ମଥୁରାରୁ ପ୍ରେରିତ ଛଦ୍ମ ଖଳନାୟିକା ପୁତନାର ଗୋପପୁର ପ୍ରବେଶ ଓ ସ୍ତନ୍ୟପାନ କରାଇ କୃଷ୍ଣ ଉଦ୍ୟମର କାହାଣୀକୁ ହୋଲି ଉତ୍ସବ ସହିତ ଯୋଡାଯାଇଥାଏ । ପୁତନା ରାକ୍ଷସୀର ଅନ୍ତ ଓ ତାହାର ଅନ୍ତ୍ୟେଷ୍ଟିକୁ ଏହି ଅଗ୍ନି ପ୍ରଜ୍ୱଳନ ସହିତ କେତେକ ସଂପୃକ୍ତ କରିଥାନ୍ତି । ଯେତେବେଳେ ଅସୁରରାଜା କଂସ ଶୂନ୍ୟବାଣୀ ଶୁଣିବାକୁ ପାଇଥିଲା ଯେ ତା’ର ପ୍ରକୃତ ହତ୍ୟାକାରୀ ଗୋପରେ ବଢୁଛି, ସେ ଚାହିଁଥିଲା ଗୋପପୁରର ସମସ୍ତ ଶିଶୁଙ୍କୁ କଳେବଳେ କୌଶଳେ ହତ୍ୟା କରିବ ବୋଲି । ସେଥିପାଇଁ ରାକ୍ଷସୀ ପୁତନା ପ୍ରେରିତ ହୋଇଥିଲା ଗୋପପୁରକୁ ନିଜ ସ୍ତନରେ ହଳାହଳ ବିଷ ପୂର୍ଣ୍ଣକରି କ୍ଷୀର ରୂପେ ପାନ କରାଇ ସମସ୍ତ ଗୋପାଳ ଶିଶୁଙ୍କ ଜୀବନ ହରଣ କରିବା ପାଇଁ । କୃଷ୍ଣ ପୁତନାର ସ୍ତନ୍ୟପାନ କରିବାର ଛଳନା କରି ଛଳନାମୟୀ ସୁନ୍ଦରୀର ପଞ୍ଚପ୍ରାଣା ଶୋଷଣ କରିଥିଲେ । ଦିବ୍ୟ ସୁନ୍ଦରୀ ରୂପ ଧାରଣ କରିଥିବା ପୁତନା ତା’ର ଅସଲ ରୂପ ପ୍ରକାଶ କରି ମୃତ୍ୟୁବରଣ କରିଥିଲା । ଶ୍ରୀକୃଷ୍ଣ ସନ୍ଥମାନଙ୍କୁ ପାଳନ କରିବା ପାଇଁ ଦୁଷ୍ଟ ନିବାରଣ କରିଥିବା ଯୋଗୁଁ ହୋଲି ବା ଦୋଳଉତ୍ସବ ପାଳିତ ହୁଏ ବୋଲି ଅନେକ ମତବ୍ୟକ୍ତ କରନ୍ତି ।
ତେବେ ଶ୍ରୀମଦ ଭାଗବତର ଗୋପଲୀଳାର ଅନ୍ୟ କେତେକ କଂସ ପ୍ରେରିତ ଅସୁର, ଅସୁରିଣୀଙ୍କ ନିଧନ ସହିତ ମଧ୍ୟ ଏହି ଦୋଳଉତ୍ସବକୁ ସଂପୃକ୍ତ କରାଯାଇଥାଏ । କିନ୍ତୁ ଗୋପଲୀଳାର ସର୍ବୋକ୍ତୃଷ୍ଟ ଆଖ୍ୟାନ ରାଧାକୃଷ୍ଣ ଯୁଗଳ ମିଳନର ଏକ ସର୍ବଶ୍ରେଷ୍ଠ ଦୃଶ୍ୟ ଦୋଳିରେ ରାଧାକୃଷ୍ଣ ବା ଝୁଲଣରେ ଯୁଗଳ ମୂର୍ତ୍ତି ଏହି ପର୍ବର ପ୍ରଧାନ ଉପାସ୍ୟ ।
~ ପୌରାଣିକ – ରାଧାକୃଷ୍ଣ ପ୍ରେମ ଲିଳା ~
ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇରହିଛି । ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ଅନ୍ୟ ପକ୍ଷରେ ଅନ୍ୟାନ୍ୟ ପୌରାଣିକ ଆଖ୍ୟାନର ଗୁନ୍ଥନ । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି । ଶ୍ରୀରାଧା – ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା, ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ । ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା ।
ଦୋଳ ପୂର୍ଣ୍ଣିମା:
ଓଡ଼ିଶାରେ ଫାଲଗୁନ ପୂର୍ଣ୍ଣିମାକୁ ଦୋଳ ପୂର୍ଣ୍ଣିମା, ଫଗୁଣ, ଫଗୁନ ପୂନି କହନ୍ତି। ଯେଉଁ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଥାଏ ତାକୁ ଦୋଳ ମେଳା କୁହାଯାଏ।
‘ବିଶେଷତଃ କଳିଯୁଗେ,
ଦୋଳଯାତ୍ରା ବିଧିୟତେଃ ।
ଫାଲଗୁନସ୍ୟ ଚତୁର୍ଦ୍ଦଶ୍ୟାଃମ୍
ଅଷ୍ଟମେ ନାମସଂଯକଃ’ ।। (ପଦ୍ମ ପୁରାଣ)
ଦୋଳରେ ଝୁଲିବେ ଭଗବାନ । ଯେତେବେଳେ ଶାନ୍ତ ସୁକୁମଳ ପରିବେଶ ଥିବ, ଅବଶ ଶରୀରକୁ ଲୋଟଣି ପାରା ଭଳିଆ ଲେଟେଇ ଦେଇ ଚିନ୍ତା କରୁଥିବେ ଆନନ୍ଦରେ, ତା’ ନା ହେଉଛି ଦୋଳ । ଭଗବାନ ଦୋଳି ଖେଳିବା ପାଇଁ ଦୋଳକୁ ଯାଆନ୍ତି । ଦୋଳକୁ ଯାଉଥିବା ଯାତ୍ରା ତଥା ଚାଚେରୀ ଲୀଳାର ଅନ୍ତିମ ଦିବସକୁ ଦୋଳପୂର୍ଣ୍ଣିମା କୁହନ୍ତି । ଏହାର ପୂର୍ବଦିନ ଚତୁର୍ଦ୍ଦଶୀରେ ହୋଲିକା ଦହନ କରାଯାଏ । ଏହି ଚତୁର୍ଦ୍ଦଶୀ ତିଥି ପରିପାଳନ ହେଲା ପରେ ଭଗବାନ ଦୋଳ ବେଦିରେ ବସିବେ । ଶ୍ରୀମନ୍ଦିରରେ ଦକ୍ଷିଣ ପୂର୍ବ କୋଣରେ ଦୋଳ ବେଦି ହୋଇଥାଏ କାରଣ ସେଇ ଯାଗାରେ ହୋଲି ଉତ୍ସବ ପାଳନ କରାଯାଇଥାଏ ।
‘ଦୋଳେଚ୍ବ ଦୋଳଗୋବିନ୍ଦମ୍,
ମଞ୍ଚେତ୍ବମ୍ ମଧୁସୂଦନମ୍
ରଥେତ୍ବମ୍ ବାମନମ୍ ଦୃଷ୍ଟ୍ୟା
ପୂନର୍ଜନ୍ମ ନ ବିଦ୍ୟତେ।’
ମନୁଷ୍ୟର ସକଳ ପାପରାଶି ଦୂରୀଭୂତ ହୋଇ ମହାପୁଣ୍ୟ ଅର୍ଜନ ହୋଇଥାଏ ବୋଲି ବ୍ରହ୍ମପୁରାଣ ଅବଲମ୍ବନରେ ଜାଣିହୁଏ,
‘ନରୋ ଦୋଳଗତଂ
ଦୃଷ୍ଟା ଗୋବିନ୍ଦ ତ୍ରିଦଶାର୍ଚ୍ଚିତମ୍।
ଫାଲ୍ଗୁନ୍ୟଂ ସଂଯତୋ ଭୂତ୍ୱା
ଗୋବିନ୍ଦସ୍ୟ ପୁରଂ ବ୍ରଜେତ୍।’
ଦୋଳପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଭଗବାନ କୃଷ୍ଣ ଦର୍ପୀ ଦାନବ ଶଂଖଚୂଡ଼ ଓ ରାକ୍ଷସୀ ହୋଲିକା ଆଦିଙ୍କୁ ବଧକରି ଶାନ୍ତି ପ୍ରତିଷ୍ଠା କରିଥିବାରୁ ଗୋପୀ ଗୋପାଳମାନେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାରେ ରାଧା-କୃଷ୍ଣଙ୍କୁ ଦୋଳିରେ ବସାଇ ଦୋଳଯାତ୍ରା ପାଳନ କରିଥିଲେ। ମାନବ ଜାତିର ଅତ୍ୟନ୍ତ ଶ୍ରଦ୍ଧା ଓ ସଂହତିର ପର୍ବ ଦୋଳଯାତ୍ରା ହେଉଛି ଭାରତୀୟ ସଂସ୍କୃତିର ଏକ ଶ୍ରେଷ୍ଠପର୍ବ ଓ ଆସୁରିକ ଶକ୍ତି ଉପରେ ଦୈବୀଶକ୍ତିର ବିଜୟ। ଦୋଳଉତ୍ସବର ଆଉ ଏକ ଆଖ୍ୟାନରୁ ଜଣାପଡ଼େ, ଦ୍ୱାପର ଯୁଗରେ ଏକ ରାକ୍ଷସ ଯାହାର ନାମ ଥିଲା ମେଢ଼, ସେ ଅତ୍ୟନ୍ତ କ୍ରୂର ଓ ଦର୍ପୀ ସ୍ୱଭାବର ଥିଲା। ତା’ର ଅତ୍ୟାଚାରରେ ବୃନ୍ଦାବନବାସୀ ଭୟଭୀତ ଅବସ୍ଥାରେ ରହୁଥିଲେ। ବୃନ୍ଦାବନବାସୀଙ୍କୁ ଶାନ୍ତିରେ ବସବାସ କରିବାକୁ ସୁଯୋଗ ଦେବା ପାଇଁ ଭଗବାନ କୃଷ୍ଣ ସେ ମେଢ଼ ଦାନବର ବଧ କଲେ। ବଧ ହୋଇଥିବା ମେଢ଼ ଦାନବର ରକ୍ତରେ କୃଷ୍ଣଙ୍କୁ ଗାଧୋଇ ଦେଇ ସୁଦୃଶ୍ୟ ବିମାନରେ ବୃନ୍ଦାବନ ସାରା ପରିକ୍ରମା କରାଇଥିବାର ପୃଷ୍ଠଭୂମି ଥିବା ଜଣାଯାଏ। ସେହିଦିନଠାରୁ ଦୋଳଉତ୍ସବ ପାଳନ ଓ ତହିଁରେ ନାଲି ଅବିର ଠାକୁରଙ୍କ ଉପରେ ପକାଇବାର ପରମ୍ପରା ପ୍ରଚଳିତ ହୋଇଆସୁଛି।
ବୃନ୍ଦାବନରେ କୃଷ୍ଣ ପାଇଁ ବ୍ରହ୍ମାଙ୍କ ନିର୍ଦ୍ଦେଶନାରେ ଯେଉଁ ଦୋଳମଣ୍ଡପ ବିଶ୍ଵକର୍ମା ନିର୍ମାଣ କରିଥିଲେ ତା’ର ପରିମାଣ ଥିଲା ଶହେହାତ ଓ ଖୁବ୍ ଉଚ୍ଚ।
‘ପରିମାଣ ଅଟେ ତାର ଶହେ ହାତ ସ୍ଥଳୀ,
ସାତ-ତାଳ ଉଚ୍ଚ ସେ ଯେ ନୁହଇ ତା କଳି।’
(୭ଖଣ୍ଡ ହରିବଂଶ, ଅଚ୍ଯୁତାନନ୍ଦ)
ଏ ଦୋଳ ପର୍ବ ଗଉଡ ବା ଗୋପାଳ ଜାତିର ଲୋକମାନେ ବିଶେଷ ଭାବେ ଯଡିତ ଓ ପାଳନ କରନ୍ତି। ଏମାନଙ୍କ ପବିତ୍ର ଦିନ। ଗୋମାତାର ଜନ୍ମ ଦିବସ ରୂପେ ଦୋଳ ପୂର୍ଣ୍ଣିମୀକୁ ହିନ୍ଦୁ ପୂରାଣ ଓ ଶାସ୍ତ୍ର ଗ୍ରହଣ କରିନେଇଛନ୍ତି।
ଏକଦା ଗ୍ରୋପନଗ୍ରର ଗୋପାଳମାନେ ପୂର୍ବ ଫାଲ୍ଗୁନି ନକ୍ଷତ୍ରଯୁକ୍ତ ଫାଲଗୁନ ଶୁକ୍ଳ ପୂର୍ଣ୍ଣିମୀ ତିଥିକୁ ଏକ ମହୋତ୍ସବ ରୂପେ ମହାସମାରୋହରେ ପାଳନ କରୁଥିଲେ।
“ଯଶୋଦା ବୋଇଲେ ବାବୁ ଶୁଣରେ ଆତ୍ମଜ,
ଗାଈମାନଙ୍କ ବନ୍ଦାଣ ଅଟେ ଆମ୍ଭ ଆଜ।
ଗୋମାତାଙ୍କ ଜନ୍ମ ଦିନ ଅଟଇ ଯୁକତେ,
ତେଣୁ କରି ଗୋପ ଲୋକେ ଗମନ୍ତି ଉଷତେ।।”
(ହରିବଂଶ ୩ଖଣ୍ଡ, ଅଚ୍ୟୁତାନନ୍ଦ ଦାସ)
ଏହିଦିନରେ ବଳି ରାଜା ପାତାଳକୁ ଗମନ କରିଥିବା ହେତୁ ଘରେ ଘରେ ପୁରେ ପୁରେ ଅବିର ଦେଇ ପୂଜାର୍ଚ୍ଚନା କରିଥାନ୍ତି । ଲୋକଙ୍କ ଭାବନା ଏହି ଦିନ ଆସୁରିକ ଶକ୍ତି ପାତଳକୁ ଗଲା ଏବଂ ଭଗବତ ଶକ୍ତିର ବିକାଶ ଧରାପୃଷ୍ଠରେ ହେଲା ବୋଲି ଅନେକଙ୍କ ବିଶ୍ବାସ । ହୋଲିକା ରାକ୍ଷସୀର ପୁଅ ମେଷ ଦେହର ଭଗବାନ ଅବିର ବୋଳି ଶ୍ବାସ ରୁଧ୍ୟ କରି ମାରିଦେଇଥିଲେ ।
~ ମହାପ୍ରଭୁ ଜଗନ୍ନାଥଙ୍କ ଦୋଳ ଯାତ୍ରା~
ଶ୍ରୀ ମନ୍ଦିରରେ ହେଉଥିବା ପର୍ବ ପର୍ବାଣୀ ପ୍ରାଧାନ୍ୟ ସଂପର୍କରେ ଏକ ପ୍ରସିଦ୍ଧ ଶ୍ଳୋକ ଅଛି।
“ମଞ୍ଚସ୍ନାନଂ ରବରଗତିଃ ଶାୟନଂ ଚାୟନେ ଦ୍ବେ,
ପାର୍ଶ୍ଵବୃତ୍ତିଃ ଶୟନ ନିବୃତ୍ତିଃ
ପାବୃର୍ତ୍ତେଃ ପୂଷ୍ୟ ପୂଜା
ଦୋଳଯାତ୍ରା ଦମନକମହୋତାକ୍ଷପୂଜା ତୃତୀୟା,
ଚୈଙ୍କ ଯାତ୍ରା ବିଧିନିଗଦିତା ଦ୍ବାଦଶୈତା ନରେନ୍ଦ୍ର।”
ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ଦୋଳଯାତ୍ରା ଅନ୍ୟତମ। ଶ୍ରୀମନ୍ଦିରରେ ପାଳିତ ଚତୁଃରାସ ଯଥା – ଗ୍ରୀଷ୍ମର ଚନ୍ଦନ ବା (ଚାପ), ବର୍ଷାରେ ଝୁଲଣ, କାର୍ତ୍ତିକରେ ଶରଦରାସ ଏବଂ ବସନ୍ତରେ ବାସନ୍ତିକ ରାସ ମଧ୍ୟରେ ଦୋଳପର୍ବ ଅନ୍ତର୍ଭୁକ୍ତ। ଦୋଳପର୍ବର ଆରାଧ୍ୟ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଜଗନ୍ନାଥଙ୍କ ଅନ୍ୟ ଏକ ରୂପ। ଏ ଦୃଷ୍ଟିରେ ବୈଷ୍ଣବମାନେ ଦୋଳ ଉତ୍ସବକୁ ଶ୍ରୀମନ୍ଦିରରେ ଅତ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରିଥାନ୍ତି। ଶ୍ରୀମନ୍ଦିରରେ ବାସନ୍ତିକ ରାସ ବା ଦୋଳୋତ୍ସବ ସମ୍ବନ୍ଧରେ ନୃସିଂହ ମନ୍ଦିର ଶିଳାଲେଖରୁ ଚୋଡ଼ଗଙ୍ଗ ରାଜତ୍ୱରେ ‘ଗୋବିନ୍ଦ ଦୋଳ’ ହେଉଥିବାର ପ୍ରମାଣ ମିଳେ। ଦୋଳୋତ୍ସବର ମହତ୍ୱ ସମ୍ପର୍କରେ ଶ୍ରେଷ୍ଠଗ୍ରନ୍ଥ ଯଥା – ନୀଳାଦ୍ରି ମହୋଦୟ, ବାମଦେବ ସଂହିତା, ବ୍ରହ୍ମାଣ୍ଡ ପୁରାଣ, ଯାତ୍ରା ଭାଗବତ ଆଦିରୁ ସହଜରେ ଜାଣିହୁଏ। ଶ୍ରୀମନ୍ଦିର ନୀତି ଓ ସାମ୍ପ୍ରତିକ ପର୍ବପର୍ବାଣିର ଅତୀତକୁ ଦୃଷ୍ଟି ଦେଲେ ପ୍ରାୟ ପଞ୍ଚଦଶ ଶତାବ୍ଦୀ ପୂର୍ବରୁ ଶ୍ରୀମନ୍ଦିରର ଦକ୍ଷିଣପୂର୍ବ ପାର୍ଶ୍ୱରେ ଦୋଳମଣ୍ଡପ ନିର୍ମାଣ କରାଯାଇ ରାଧା-କୃଷ୍ଣ ଉପାସନାକୁ ସାର୍ବଜନୀନ କରାଯାଇ ଏକ ଭବ୍ୟ ପରମ୍ପରାର ଧାରାକୁ ଉଜ୍ଜୀବିତ କରାଯାଇଥିଲା।
~ ଚାଚେରୀ ଲିଳା ~
ଲଳିତା ଲଙ୍ଗବଲତା ସ୍ବର୍ଶଶ୍ନିଗଧ ମୃଦୁମନ୍ଦ ତାନେ ତାନେଜୀବରୂପେଣୀ ବ୍ରଜସୂନ୍ଦରୀଙ୍କ ସହିତ ବ୍ରଜରୂପୀ ରଜରାଜ ନନ୍ଦନନ୍ଦନ ବାସନ୍ତିକ ରାସଲୀଳା ଦୋଳଯାତ୍ରା ମୂଳଉତ୍ସ। ଦେବଦୁଲ୍ଭବ ଦାସ ରହସ୍ଯ ମଞ୍ଜୁରୀରେ ଲେଖିଲେ-
“ଚାଚେରୀ ଗହଲ ସଖୀ ଗୋବିନ୍ଦଙ୍କ ଦୋଳ,
ସର୍ବ ସୁଖ ଘେନି ଗଲେ ମଦନ ଗୋପାଳ।”
‘ଚାଚେରୀ’ ଶବ୍ଦ, ସଂସ୍କୃତ ‘ଚର୍ଚ୍ଚରୀ’ ଶବ୍ଦର ଅପଭ୍ରଂଶ। ଚର୍ଚରୀ ହୋଲି ଉତ୍ସବ, ବସନ୍ତ କାଳରେ ଗାନ କରାଯାଉଥିବା ଗୀତ, ବାଦ୍ୟ ଓ ଆମୋଦ ପ୍ରମୋଦ, ଆନନ୍ଦୋତ୍ସବ ଆଦିକୁ ବୁଝାଏ। ଶ୍ରୀମନ୍ଦିରରେ ଚାଚେରୀ ବେଶ ଓ ଭୋଗ କରାଯାଇଥାଏ। ସ୍କନ୍ଦପୁରାଣ, ଶ୍ରୀମଦ୍ଭାଗବଦ୍, ଯାତ୍ରା ଭାଗବତ, ନିଳାଦ୍ରୀ ମହୋଦୟି ଓ ବାମଦେବ ସଂହିତାର ଏ ଚାଚେରୀ ଯାତ୍ରା ବିଷୟରେ ଉଲ୍ଲେଖ ରହିଛି।
କବିଶ୍ରେଷ୍ଠ ଜୟଦେବଙ୍କ ଗୀତଗୋବିନ୍ଦରେ ବର୍ଣ୍ଣିତ ବସନ୍ତ ରାସ ଚାଚେରୀ ଯାତ୍ରା ର ବର୍ଣ୍ଣନା –
‘ବସନ୍ତେ ବାସନ୍ତୀ କୁସୁମ ସୁକୁମାରୈ ରଚୟବୈ
ର୍ଭମନ୍ତୀ କାନ୍ତାରେ ବହୁ ବିହିତ କୃଷ୍ଣାନ୍ବସରଣାମ୍;
ଅମଳଂ କନ୍ଦର୍ପଜ୍ବର ଜନିତ ଚିନ୍ତାକୁଳତୟା
ଚଳନ୍ ବାଧାଂ ରାଧାଂ ସରସମି ଦମ୍ବଚେ ସହଚରୀ।’
(ଗୀତଗୋବିନ୍ଦ, ବସନ୍ତ ପ୍ରବେଶ)
ଭୋ ସୁନ୍ଦରୀ ବସନ୍ତ ଋତୁ ପ୍ରବେଶ ହୋଇଲା। ଶିଶିର ସରିଲା, ତରୁ ପଲ୍ଲବିଲା, କୁମୁଦ ମଉଳିଲା, ସୁଶୀତଳ ବହିଲା, କୋଇଲି ଭାସିଲା, ବନ ଶୋଭା ଦିଶିଲା, କୁମୁଦ ବିକଶିଲା। ଦୋଳ ଉଚ୍ଛଳ, ଚହଳ ଗହଳ ଗୋପାଳ, ଅବନୀ ମଣ୍ଡଳ ଟଳମଳ, ଦଲଦଲ ଦୁମୁଦୁମୁ। ଧୀରଧୀର ଚଳ ତ, ବଡ଼ଦାଣ୍ଡେ ଶ୍ରୀ ମଦନଗୋପାଳ ବର ।
(ଶରଣ ଦାସ, ଚାଚେରୀ ଭ୍ରମଣ – ପ୍ରାଚୀନ ଓଡ଼ିଆ ଗଦ୍ୟ)
ସର୍ବଶେଷେ, ଚାଚେରୀ ହୃଦୋଲ୍ଲାସର ପ୍ରତୀକ। ଚାଷ ଆରମ୍ଭ, ଫଳପ୍ରସୂ, ପୁଷ୍ପେ ଶୋଭିତ ଧରଣୀରାଣୀ ଙ୍କର ସ୍ବାଗତୋତ୍ସୋବ।ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଚାଚେରୀ ଏକ ଗ୍ରାମଦେବତୀଙ୍କ ନାମ। ଚାଚେରି ଏକ ଭଙ୍ଗୀର ନାମ।
“ଚାଚେରୀ ମୁଦ୍ରା ଯେସବୁରି ମୂଳ
ଚନ୍ଦ୍ରହୁଁ ସେହୁ ଅଟଇ ଶୀତଳ।”
(ପ୍ରାଚୀ, ପାଚେରୀ ଗୀତା)
ଏହି ଚାଚେରୀ ଲୀଳା ବା ବସନ୍ତ ରାସ ଯମୁନା କୁଞ୍ଜବନରେ ରାଧାକୃଷ୍ଣ ପ୍ରେମ ଲିଳାକୁ ନେଇ ସୃଷ୍ଟି ଏବେର ହୋଲି । ଫଗୁଣ ପୂର୍ଣ୍ଣିମା ରେ ଯେଉଁ ରାଧାକୃଷ୍ଣ ପ୍ରେମ ଆଧାରିତ ଗୀତ ଗାଇ ଲୋକେ ହୋଲି ଖେଳନ୍ତି। ଏଥିରେ ରଙ୍ଗର ବ୍ୟବହାର କରୁଛୁ ବୋଲି ଏହାର ଅନ୍ୟ ନାମ ରଙ୍ଗଖେଳ।
ଦୋଳଯାତ (ବା ଦୋଳଯାତ୍ରା) ଶ୍ରୀକୃଷ୍ଣଙ୍କ ଗୋପୋଲୀଳାର ନିଦର୍ଶନ । ଏଥିରେ ରାଧାଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ପ୍ରାକୃତିକ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ । କିନ୍ତୁ ସମୟ ବଢିବ ସହ ବହୁତ ସଂସ୍କୃତି ରେ ଅନେକ ପରିବର୍ତ୍ତନ ଆସିଛି ଆଜି ଡିଜେ ବିନା କିଛି ବି ହୁଏନି ଏବଂ ଆନେକ ଅଣସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି, ଏବଂ କିଛି ବିଷାକ୍ତ ରଙ୍ଗବଜାରରେ କିଣାବିକା କରାଯାଉଛି ଯାହା କି ଆମ ସ୍ୱାସ୍ଥ୍ୟକୁ ଆନେକ କ୍ଷତି ପହଂଚାଉଛି । ଏହି ବିଷାକ୍ତ ରଙ୍ଗ ଠାରୁ ଆମେ ଦୁରେଇ ରହିବା ଆବଶ୍ୟକ, ଏବଂ ନିଜର ଆଖିକୁ ମଧ୍ୟ ରଙ୍ଗଠାରୁ ଯଥା ସମ୍ଭବ ଦୁରେଇ ରଖିବା ।
କାଳିଦାସ ତାଙ୍କର ‘ଦଶକୁମାର ଚରିଚ’ରେ ବସନ୍ତ ପୂର୍ଣ୍ଣିମୀ କଥା ଦେଖିବାକୁ ମିଳେ। ଓ ତାଙ୍କ ଅନ୍ୟାନ୍ୟ ରଚିତ ଋତୁସଂହାର, ରଘୁବଂଶ ମେଘଦୂତ, କୁମାର ସମ୍ଭବମରେ ଉଲ୍ଲେଖ ରହିଛି। ହର୍ଷଙ୍କ ରଚିତ ରତ୍ନାବଳୀରେ ଉଲ୍ଲେଖ ରହିଛି।
ଲାଲ୍ କିର୍ଲ୍ଳା ଯୋଗର ସମ୍ରାଟମାନେ ଏ ହୋଲି ଖେଳୁଥିଲେ ତେଣୁ ଏ ପର୍ବ ର ନାଁ Eid-e-gulaabi କିମ୍ବା Aab-e-pashi ରୂପେ ପରିଚିତ। ୧୮୩୭ ମସିହାରେ ଲାହୋର ରେ ମହାରାଜା ରଞ୍ଜିତ ସିଂ ଶିଖ୍ ସମ୍ରାଟ ୩୦୦ମାଉଣ୍ଡ ରଙ୍ଗ ବ୍ୟବହାର କରିଥିଲେ। ଏହି ରଙ୍ଗମହୋତ୍ସବରେ British Indian Armyର କମାଣ୍ଡର Henry Fane ବିଳୱଳ ଗାର୍ଡେନ ଯୋଗଦେଇଥିଲେ ।
ପଶ୍ଚିମ ଓଡ଼ିଶାରେ ଚତୁର୍ଦ୍ଦଶୀ ଦିନ ରାତିରେ ହୋଲି ଦହନ କରନ୍ତି, ଏଥିରେ ଗଛର ଡାଳ ଓ ନଡ଼ା ନେଇ ଏକ ପଡ଼ିଆରେ ଗଦାଖମ୍ବ କରି ନିଆଁ ଲଗାଇ ଥାନ୍ତି , ଏହି ସମୟରେ ଡିଣାଁପିଲାମାନେ ଅଶ୍ଳୀଳ ଗୀତ ବୋଲି ହୁଇଲି କରିଥାନ୍ତି। ନିଆଁ ଲିଭାଇବା ପୂର୍ବରୁ ଏ ନିଆଁ ଅଙ୍ଗାରକୁ ମାଡ଼ି ଥାନ୍ତି। (ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି) ଏହି ପୂଜାରେ ଝାଙ୍କର,ଗଅଁତିଆ,ଚଉକିଦାର ଓ ନରିହା ମାନଙ୍କ ଭୂମିକା ଥାଏ।
“ଯେଭେଁ ଯିବୁ ହୁଇଲି ଗଦା
ସେଭେଁ ମିଲ୍ବା ମାଏଝୀ ଗୁଟା।”
” ଏ ହୁଲା ହୁଲେରେ,ହୁଲେରେ
କାଠ ଖଣେ ଆଣେ ଆଣରେ”।
“ଏହୁଲା ହୁଲେରେ, ହୁଲେରେ
ଦେଖରେ ପିଲେ ଉପରକେ
ଜନ୍ ଗ୍ରାସୁଛେ ତାରାକେ।”
ଏହିପରି ଅନେକ ହୁଇଲି ଗୀତ ଗାଇ ମଜା ନିଅନ୍ତି।
ତେବେ ଆଜିକାଲି ଏ ଗୀତ ଆଉ ଶୁଣାଯାଏ ନାହିଁ।
ଧଳାକାଗଜରେ କଳା ଅକ୍ଷର,
ମଥାରେ ଲାଗିଲା ରଙ୍ଗ ଅବିର,
ନାଚି ଗାଏ ଆଜି ସଭିଙ୍କ ମନ
ହୋଲି ପାଇଁ ସଭିଙ୍କୁ ଅଭିନନ୍ଦନ ।
Images: Bandhan Dalai/CuttackPujaFestivals , Lalit Mohan Ray
Holi Rupeswar Kumbhar