ଲେଖା: ନିରଞ୍ଜନ ସାହୁ

୧୮୦୩ ମସିହା ବେଳକୁ ଇଂରେଜମାନେ ସମଗ୍ର ଓଡ଼ିଶା ଦଖଲ କରିନେଲେ । ତା ପୂର୍ବରୁ ସେମାନେ ଓଡ଼ିଶାର ଦକ୍ଷିଣରେ ଆସ୍ଥାନ ଜମେଇ ସାରିଥିଲେ ।

ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ଗଞ୍ଜାମ ଜିଲ୍ଲା ଇଂରେଜ ଶାସନାଧୀନ ହେଲା । ଗଞ୍ଜାମର ଲୋକେ ଥିଲେ ଶୌର୍ଯ୍ୟର ପ୍ରତୀକ । କୌଣସି ଅନ୍ୟାୟ, ଅତ୍ୟାଚାର, ଶୋଷଣ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ସେମାନେ କେହି ପଛଘୁଞ୍ଚା ଦେଉନଥିଲେ । ତେଣୁ ବହୁ ଅଞ୍ଚଳରେ ହିଂସ୍ର ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା । ଇଂରେଜ ସରକାରଙ୍କୁ ପ୍ରତିରୋଧ କରିବାକୁ ସଙ୍କଳ୍ପ ନେଇଥିଲେ ଗଞ୍ଜାମର ଅଧିବାସୀ ମାନେ । ତେଣୁ ଆଗେଇ ଆସିଥିଲେ ବହୁ ବୀର, ଜାତିପ୍ରେମୀ, ଦେଶପ୍ରେମୀ । କେବଳ ସିମୀତ ରହି ନ ଥିଲା ଏହା ପୁରୁଷ ମାନଙ୍କ ମଧ୍ୟରେ । ଅନେକ ନାରୀ ମଧ୍ୟ ଆଗେଇ ଆସିଥିଲେ ଏହି ମହତ କାର୍ଯ୍ୟ ସମ୍ପାଦନ କରିବାକୁ । ଏହା କେତେ ଯେ ଗୌରବାବହ, ତାହା ଜାଣିଲେ ମଥା ନଇଁଯାଏ, ପାଦଧୂଳି ନେବାକୁ ମନ ଓ ହୃଦୟ ବ୍ୟସ୍ତ ହୋଇଯାଏ । ସେହିଭଳି ଜଣେ ବୀରାଙ୍ଗନା, ଦେଶପ୍ରେମୀ ସଂଗ୍ରାମୀ ହାରାମଣୀ ବିଶୋୟୀ

ବିପ୍ଳବିଣୀ, ବୀରାରମଣୀ ଶ୍ରୀମତୀ ହାରାମଣୀ ବିଶୋୟୀ । ପାରଳାଖେମୁଣ୍ଡି ଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ ଏବଂ ତା’ର ଶାସନ ଦାୟିତ୍ଵରେ ଥିଲେ ଇଂରେଜ ସାହେବ କଟ୍ସଫୋର୍ଡ । ସେତେବେଳେ ପାରଳାର ରାଜା ଥାଆନ୍ତି ନାରାୟଣ ଗଜପତି ଦେଵ । ସ୍ଵାଧୀନଚେତା, ହାର ମାନିବା ତାଙ୍କ ଜାତକରେ ନ ଥିଲା । ଇଂରେଜମାନେ ତାଙ୍କ କମ୍ପାନୀ ମାଧ୍ୟମରେ ଶାସନ କାର୍ଯ୍ୟରେ ହସ୍ତକ୍ଷେପ କରିବାରେ ଲାଗି ପଡ଼ିଥାନ୍ତି । ଅସହ୍ୟ ହୋଇ ଇଂରେଜ ହସ୍ତକ୍ଷେପକୁ ସ୍ବୀକାର କଲେ ନାହିଁ ରାଜା ନାରାୟଣ ଗଜପତି । ଫଳରେ ଇଂରେଜ ସେନାଧ୍ୟକ୍ଷ କର୍ଣ୍ଣେଲ ପିଚ୍ ଓ ରାଜାଙ୍କ ମଧ୍ୟରେ ଏକ ଭୟାବହ ଯୁଦ୍ଧ ସଂଗଠିତ ହେଲା । ଦୁର୍ଭାଗ୍ୟକୁ ପାରଳା ରାଜା ପରାଜିତ ହେଲେ ।

କିନ୍ତୁ ବୀର ସର୍ବଦା ବୀର ! ପଛଘୁଞ୍ଚା ନ ଥାଏ ତା’ର । ଏଇଠି ଶେଷ ହେଲା ନାହିଁ ଇଂରେଜ ବିରୋଧୀ ମନୋଭାବ । “ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଆମ ଶାସନରେ ହସ୍ତକ୍ଷେପ କରିବାକୁ ଦେବୁ ନାହିଁ ।” ଏହା ଥିଲା ଶପଥ ବିଶୋୟୀ ମାନଙ୍କର । ତେଣୁ କଳେ ବଳେ ଯୁଦ୍ଧ କରି ଇଂରେଜମାନଙ୍କୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ ହେଲା, ଗରିଲା ଯୁଦ୍ଧ ମାଧ୍ୟମରେ। ନେତୃତ୍ଵ ନେଇଥିଲେ ବିପ୍ଳବୀ ମଣିଷ କୃଷ୍ଣଚନ୍ଦ୍ର ବିଶୋୟୀ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ହାରାମଣୀ ବିଶୋୟୀ । ଦୀର୍ଘ ବାଇଶି ବର୍ଷ ଧରି ଚାଲିଲା ଗରିଲା ଯୁଦ୍ଧ ‌। ଗରିଲା ଯୁଦ୍ଧ କୌଶଳରେ ନିପୁଣ ବିଶୋୟୀମାନେ ବହୁ ସଂଖ୍ୟାରେ ଇଂରେଜ ସୈନ୍ୟଙ୍କୁ ବନ୍ଦୀ ଓ ହତ୍ୟା କରି ଚାଲିଥିଲେ ।

କିନ୍ତୁ ପାରଳା ଉପରେ ଦୁର୍ଭାଗ୍ୟର ଛାଇ ମାଡ଼ିଗଲା ୧୭୭୦ ମସିହା ଡିସେମ୍ବର ମାସରେ । କୃଷ୍ଣଚନ୍ଦ୍ର ବିଶୋୟୀଙ୍କର ଆକସ୍ମିକ ଭାବେ ମୃତ୍ୟୁ ହୋଇଗଲା । ଧୈର୍ଯ୍ୟହରା ହେଲେ ନାହିଁ କିନ୍ତୁ ସ୍ଵାଧୀନଚେତା ହାରାମଣୀ । ଅସୀମ ସାହସର ସହିତ ପାରଳା ସନ୍ନିକଟ ଗୁମ୍ମାଦୁର୍ଗର ରକ୍ଷିକା ହୋଇ, ସେହିଠାରୁ ଇଂରେଜଙ୍କ ବିରୋଧରେ ସଂଗ୍ରାମ ଅବ୍ୟାହତ ରଖିଲେ । ସ୍ଵାମୀ କୃଷ୍ଣଚନ୍ଦ୍ର ବିଶୋୟୀଙ୍କ ପରଲୋକ ଗମନ ପରେ ଦୀର୍ଘ ୧୦ ବର୍ଷ ଯୁଦ୍ଧ ଚଳାଇ ରଖିଲେ ଗରିଲା ଯୁଦ୍ଧର ସେନାଧ୍ୟକ୍ଷା ଭାବରେ । ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ ଇଂରେଜ ସରକାର ବିଦ୍ରୋହୀଙ୍କ ରଣହୁଙ୍କାର ଓ ଯୁଦ୍ଧର ଅଭୂତପୂର୍ବ କୌଶଳ ଦେଖି । ଅନେକ ବନ୍ଦୀ ହେଲେ ଓ ହତ ହେଲେ ମଧ୍ୟ ।

ରକ୍ତମୁଖା ସାହେବ ରସେଲ୍ କୌଶଳ କ୍ରମେ ଠାବ କରିବାରେ ସଫଳ ହେଲେ ଏବଂ ଗୁଳି ଚାଳନା କରିବାକୁ ପଛାଇଲେ ନାହିଁ । ଟଳି ପଡ଼ିଥିଲେ ମହିୟସୀ ବିପ୍ଳବିଣୀ ତ୍ୟାଗନିଷ୍ଠ ସ୍ଵାଧୀନଚେତା ଜାତିର ରକ୍ଷିକା ମା’ ହାରାମଣୀ

ଶେଷ ହୋଇଗଲା ଗୋଟିଏ ଯୁଗ ଯେମିତି ! ଭୂମିକନ୍ୟା ହାରାମଣୀଙ୍କୁ ଶେଷ ଦର୍ଶନ କରି ଇଂରେଜ ସାହେବ ରସେଲ୍ କହି ଉଠିଲେ – “ଏପରି ବିପ୍ଳବିଣୀ ମୁଁ ଦେଖି ନଥିଲି । ତାଙ୍କର ଅସାଧାରଣ ଧୈର୍ଯ୍ୟ, ସହିଷ୍ଣୁତା ଓ ନିର୍ଭୀକତା ଯୋଗୁଁ ସେ ମୋ ହୃଦୟରେ ଜଣେ ଅସାଧାରଣ ନାରୀ ରୂପେ ସ୍ଥାନ ପାଇବେ” ।

(ମାଁ, କିଏ କହେ ତମେ ଶହୀଦ ! ତମେ ଯେ ଆମର ଚିରବନ୍ଦନୀୟା, ଆମର ପୂଜ୍ୟା, ଏ ଓଡ଼ିଆ ଜାତିର ବୀରତ୍ୱର ସ୍ଵତନ୍ତ୍ର ଅଧିକାରିଣୀ, ଆମ ଓଡ଼ିଶାର କୀର୍ତ୍ତିମାନ୍ ସ୍ତମ୍ଭ ! ‘ଅନ୍ତରଙ୍ଗ କଳିଙ୍ଗର’ ଦଣ୍ଡବତ ପ୍ରଣାମ ଘେନିବା ହୁଅନ୍ତୁ ।)

Haramani Bisoyi Bishoi Paralakhemundi Niranjan Sahu

Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

3 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago