~ ଗୋବିନ୍ଦ ତେଜ ~

ଲେଖା: ଅମୃତେଶ ଖଟୁଆ

“ଗୋଟିଏ ଓଡିଆ ଚଳଚ୍ଚିତ୍ର କେବଳ ଯେ ଓଡିଆ ଭାଷା ପାଇଁ ହେଉଛି, ତାହା ନୁହେଁ। ଆଉ ମୁଁ ମଧ୍ୟ ଚଳଚ୍ଚିତ୍ର କରିବାର ଏକମାତ୍ର ଅଭିପ୍ରାୟ ରଖି ଚଳଚ୍ଚିତ୍ର କରେନାହିଁ। ଚଳଚ୍ଚିତ୍ରର ଚେର ସବୁବେଳେ ଗୋଟିଏ ମାଟିର ସଂସ୍କୃତି ସହ ଜଡିତ ରହିବା ଦରକାର। ରାଜସ୍ଵ ବର୍ଦ୍ଧନ କରିବା ସାଥିରେ ସୁସ୍ଥ ମନୋରଞ୍ଜନ ମଧ୍ୟ ଦେବା ଆବଶ୍ୟକ।”

ନିଜର ଚଳଚ୍ଚିତ୍ର ନିର୍ମାଣକୁ ନେଇ ମତବ୍ୟକ୍ତ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ‘ସୁଦାମା’ ଗୋବିନ୍ଦ ତେଜ!

ମାଟିର ଭୂରୁବନ ବାସ ତାଙ୍କ ବୃତ୍ତିସ୍ଥ ପିଣ୍ଡକୁ ଦୋଳାୟମାନ କରୁଥିଲା ପ୍ରତ୍ୟହ ! ତାଙ୍କ ଆତ୍ମସ୍ଥ ଚେତନା ଓ ବୃତ୍ତିସ୍ଥ ପିଣ୍ଡ – ବରାବର ଅମେଳ ଓ ବେଖାପ ପଡିଯାଉଥିଲେ ମାଟିର ପ୍ରାଣବନ୍ତ ସୁରଭିରେ !

ଅଜସ୍ର ଲୋକପ୍ରିୟତା ଅର୍ଜନ ଅନ୍ତେ ଓଡ଼ିଆ ମାଟିର ସାଂସ୍କୃତିକ ମୂଳଧାତବକୁ ଆହୁରି ଶାଣ ଦେବା ସହ ଫୁଙ୍ଗୁଳା ଦେହକୁ ଦେଇଥିଲେ ପ୍ରକୃତିସ୍ଥ ହେବାର ଆହ୍ଵାନ !


ସଂସ୍କୃତିର ମାନବେତର ଦିଗବଳୟକୁ ସ୍ପର୍ଶ କରି ସେ ପରଶି ଦେଇଥିଲେ ମଣିଷକୁ ମଣିଷ ହେବାର ନିଦର୍ଶନ! ଗୋବିନ୍ଦ ତେଜ !୧୯୨୮ ମସିହା ମଇ ୨୬ ତାରିଖରେ ଅନୁଗୋଳର ଅମଲାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ଗୋବିନ୍ଦ ତେଜ। ଅନୁଗୋଳଠାରେ ନିଜର ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସମାପନ ଅନ୍ତେ କଟକ ଠାରେ ଇଞ୍ଜିନିୟରିଂ ପଢି ସେ ସିଭିଲ୍ ଇଞ୍ଜିନିୟର ରୂପେ ଯୋଗ ଦେଇଥିଲେ। ମାନବର ଏକ ଚଞ୍ଚଳତା ହେଉଛି ଗୋଟିଏ ସ୍ଥାନରେ ନିଜ ସ୍ପୃହା ନ ଟଳିଲେ ପର ପକ୍ଷକୁ ଢଳିବା ! କିଛି ସମୟ ଅଧ୍ୟାପନା ପରେ ତାଙ୍କର  ଚଳଚ୍ଚିତ୍ର ଜଗତ ପ୍ରତି ଆସକ୍ତି ଧୀରେ ଧୀରେ ବାରି ହେଇଗଲା! କୁହାଯାଏ ‘ଶନୈଃ ପନ୍ଥା, ଶନୈଃ ପର୍ବତ ଲଂଘନମ୍’ – ଏଇ କେତୋଟି ଧୀର ପଦ ସଞ୍ଚାଳନ କରି ସେ ଯେତେବେଳେ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଥିଲେ, ତାଙ୍କ ଅଭିନିବେଶ ଓଡ଼ିଆ ଚଳଚ୍ଚିତ୍ରକୁ ଏକ ନୂତନ ପରିଚିତି ଦେଇ ଚାଲିଲା।
‘ମା’ ଚଳଚ୍ଚିତ୍ର ମାଧ୍ୟମରେ ନିଜ ଅଭିନୟ ଜୀବନର ଶୁଭଲଗ୍ନ କରିଥିଲେ। ଏହା ପରେ ୧୯୫୪ ମସିହାରେ ‘ରାଧା ପିକଚର୍ସ’ର ନିବେଦିତ ‘କେଦାର ଗୌରୀ’ ଚଳଚ୍ଚିତ୍ରରେ ଅଭିନୟ ପରେ ‘ବନ୍ଧନ’ (୧୯୬୯), ‘ଧରିତ୍ରୀ’ (୧୯୭୩), ‘ନାଗଫାଶ’ (୧୯୭୭), ‘ରାମାୟଣ’ (୧୯୮୦), ଭଳି ଚଳଚ୍ଚିତ୍ରରେ ନିଜର ଜୀବନ୍ତ ଅଭିନୟ ଦ୍ଵାରା ସମସ୍ତଙ୍କୁ ଅଭିଭୂତ କରାଇ ପାରିଥିଲେ। ୧୯୬୯ ମସିହାରେ ସେ ବିଧିମତ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ।

‘ବନ୍ଧନ’ ଚଳଚ୍ଚିତ୍ର ଅକ୍ଟୋବର ୩ ତାରିଖ ୧୯୬୯ରେ କଟକର ପ୍ରଭାତ ସିନେମାରେ ମୁକ୍ତିଲାଭ କରିଥିଲା ଓ ପ୍ରିମିୟର ସୋ’ ଦିନ ଦର୍ଶକଙ୍କ କରତାଳିରେ ପ୍ରେକ୍ଷାଳୟଟି ଖାଲି ଉଠୁଥିଲା ପଡ଼ୁଥିଲା ! ଏଥିରେ ସଙ୍ଗୀତ ନିର୍ଦ୍ଦେଶକ ହୋଇଥିଲେ ଭୁବନେଶ୍ୱର ମିଶ୍ରକଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ!

୧୯୭୦ ଦଶନ୍ଧିରେ ‘କୃଷ୍ଣ ସୁଦାମା’ ଚଳଚ୍ଚିତ୍ର ମାଧ୍ୟମରେ ଗୋବିନ୍ଦ ତେଜ ଚଳଚ୍ଚିତ୍ର ପ୍ରଯୋଜନା କାର୍ଯ୍ୟ ଆରମ୍ଭ କରିଥିଲେ ନିଜର “ନିୟୁ ଲାଇଫ ପ୍ରଡକସନ” ସଂସ୍ଥାରେ। କଟକର ‘ନ୍ଯାସନାଲ୍ ମ୍ଯୁଜିକ୍ ଆସୋସିଏସନ‘ର ସେ ଥିଲେ ପ୍ରତିଷ୍ଠାତା ନିର୍ଦ୍ଦେଶକ। ନାଟ୍ୟକାର ମନୋରଞ୍ଜନ ଦାସ, ଧୀରେନ୍ ଦାସ ଓ ଅନନ୍ତ ମହାପାତ୍ରଙ୍କ ସହ ମିଶି ‘ସୃଜନୀ’ ନାମରେ ଏକ କଳାନୁଷ୍ଠାନର ଗଠନ କରିଥିଲେ।


ଏହି ‘ସୃଜନୀ’ ଅନୁଷ୍ଠାନର ପରିକଳ୍ପନା ମଧ୍ୟ ୬୦ ଦଶନ୍ଧିର ନବନାଟ୍ଯ ଆନ୍ଦୋଳନର ପୃଷ୍ଠଭୂମିରେ ସଂଗଠିତ। ତାଙ୍କ ସହ ଅନ୍ୟାନ୍ୟ ସହଭାଗୀ ଥିଲେ ହେମନ୍ତ ଦାସ, ତୁଷାର ପାଣିଗ୍ରାହୀ, ରାଧାରାଣୀ ସରକାର, ବିଜୟ ମହାନ୍ତି, ରମେଶ ମିଶ୍ର, ସୁଖଲତା ମହାନ୍ତି ଓ ଝରଣା ଦାସ। ଶହେ ଶହେ ଟଙ୍କା ଦେଇ ଆରମ୍ଭ ହୁଏ ୧୯୬୪ ମସିହାରୁ ବିଧିମତେ ଏହି କଳାପୀଠ !କାବେରୀ‘ (୧୯୮୩) ଚଳଚ୍ଚିତ୍ରର ସୁଟିଂ ସେଟ୍’ରେ ରୋଚକ ଘଟଣାଟିଏ ଘଟେ। ଅଭିନେତ୍ରୀ ସୁଧାରାଣୀ ଓ ମହାଶ୍ଵେତା ଆସିସାରନ୍ତେ ହେଲେ, ଅଭିନେତା ବା ନାୟକ ଶ୍ରୀରାମଙ୍କ ପୋଷାକରେ ନିର୍ଦ୍ଦେଶକ ଅମଙ୍ଗ ହେଇ ତାଙ୍କୁ ଧୋତି ପିନ୍ଧିବା ପାଇଁ କୁହନ୍ତେ। ବଡ଼ ମାନ ପରେ ଧୋତି ପିନ୍ଧାଇଥିଲେ ସ୍ଵୟଂ ନିର୍ଦ୍ଦେଶକ – ଗୋବିନ୍ଦ ତେଜ ! ଓଡ଼ିଆ ସଂସ୍କୃତିର ପଟ୍ଟଭୂମିରୁ ପ୍ରବାଦୀୟ ଧାରାକୁ ସେ ଆହୁରି ସକ୍ରିୟ କରି ଚଳଚ୍ଚିତ୍ର ଜଗତରେ ଅନେକ ଛୋଟବଡ଼ ଧାରାର ସଂସୃଷ୍ଟି ଘଟାଇଛନ୍ତି। ୫୦-୬୦ ଦଶନ୍ଧି ମଧ୍ୟରେ ପାରମ୍ପରିକ-ପ୍ରିୟତା ମଧ୍ୟରେ ଦର୍ଶକଙ୍କୁ ଆଧୁନିକ ମଞ୍ଚସଜ୍ଜା, ସମ୍ପାତ୍’ର ଉଦାହରଣ ଦେଇଥିଲେ। କଟକର ‘ନ୍ଯାସନାଲ୍ ମ୍ୟୁଜିକ୍ ଆସୋସିଏସନ୍’ ପ୍ରଯୋଜିତ ‘ରାମାୟଣ’ ଓ ନାଟକ ‘ବେଗମ୍ କୋଠି’ ନାହିଁ ନଥିବା ଶ୍ରଦ୍ଧା ଲଭିଛି। ଏହି କେତୋଟି ନୃତ୍ଯନାଟିକାର ସୂତ୍ରଧର ଥିଲେ : ନୃତ୍ଯଗୁରୁ ଦେବପ୍ରସାଦ ଦାସ, ସଂଗୀତଜ୍ଞ ଭୁବନେଶ୍ୱର ମିଶ୍ର ଓ ସ୍ଵୟଂ ଗୋବିନ୍ଦ ତେଜ୍ ! ‘ବେଗମ୍ କୋଠି’ ପାଇଁ ସେ ୧୯୫୭ ମସିହାରେ ଉତ୍କଳ ନୃତ୍ୟ ସଂଗୀତ ନାଟ୍ୟକଳା ପରିଷଦ ପକ୍ଷରୁ ଶ୍ରେଷ୍ଠ ଅଭିନେତା ରୂପେ ମାନ୍ୟତା ପାଇ  ପୁରସ୍କୃତ ହୋଇଥିଲେ।୧୯୫୦ ମସିହାରେ ‘ଶ୍ରୀଜଗନ୍ନାଥ‘ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଉପରାନ୍ତେ ଗୋବିନ୍ଦ ତେଜ୍, ନିତାଇ ପାଲିତ, ଗୌର ଘୋଷ ମିଶି ‘ୟୁନାଇଟେଡ୍ ଆର୍ଟିଷ୍ଟ୍’ ସଂସ୍ଥା ଗଢିଥିଲେ। ଏହି ପବ୍ଲିକ୍ ଲିମିଟେଡ଼ କମ୍ପାନୀ ଜନସାଧାରଣଙ୍କୁ ଅଂଶଧନ ବିକ୍ରୟ କରି ଚଳଚ୍ଚିତ୍ର ନିର୍ମାଣର ହେତୁ ରଖିଥିଲା। ତାଙ୍କ ଅନ୍ୟାନ୍ୟ ଚଳଚ୍ଚିତ୍ର ଯେପରି ‘ମନ ଆକାଶ‘ (୧୯୭୪), ‘ଗୌରୀ‘ (୧୯୭୯), ‘ସ୍କୁଲ ମାଷ୍ଟର‘ (୧୯୮୫) ଭଳି ଚଳଚ୍ଚିତ୍ରରେ ନିଜର ଅଭୂତପୂର୍ବ ବହୁମୁଖୀ ପ୍ରତିଭାର ଅଙ୍କୁରୋଦ୍ଗମ କରାଇଥିଲେ।ଗୋବିନ୍ଦ ତେଜ ୧୯୮୦ ମସିହାରୁ ଯେଉଁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ହୋଇଥିଲେ, ସେଗୁଡ଼ିକ ହେଲା ‘ରାମାୟଣ’, ‘କାବେରୀ’, ‘ସ୍କୁଲ ମାଷ୍ଟର’, ‘ତୁଣ୍ଡ ବାଇଦ’‘ଗାରେ ସିନ୍ଦୂର ଧାରେ ଲୁହ’। ୧୯୭୭ ମସିହାରେ ତାଙ୍କର ବନ୍ଧୁ ମହାନ୍ତି ଚଳଚ୍ଚିତ୍ର ଲୋକପ୍ରିୟ ହେବାର ମାନ୍ଯ ସହ ତାଙ୍କୁ ଦେଇଥିଲା ଶ୍ରେଷ୍ଠ ଅଭିନେତା ରୂପେ ରାଜ୍ଯ ଚଳଚ୍ଚିତ୍ର ପୁରସ୍କାର। ପରେ ପରେ ସେ ‘କାବେରୀ’, ‘ସ୍କୁଲ ମାଷ୍ଟର’ ତଥା ‘ତୁଣ୍ଡ ବାଇଦ’ ଚଳଚ୍ଚିତ୍ର ପାଇଁ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି।କେବଳ ଏତିକିରେ ତାଙ୍କ ଅବଦାନ ନଥିଲା। ସେ ରାଜ୍ୟ ସରକାରଙ୍କ ସାଂସ୍କୃତିକ ଦଳରେ ମଧ୍ୟ ଯୋଗ ଦେଇ କେରଳ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ ଗସ୍ତ କ୍ରମେ ସଫଳ ହେବାର ଅଭିଜ୍ଞତା ସାଉଁଟି ଥିଲେ। ଲୁପ୍ତପ୍ରାୟ ରାବଣଛାୟା ଓ ଉପକୂଳ ଓଡିଶାର ଛାୟା କଣ୍ଢେଇ ନୃତ୍ୟ ଉପରେ ଉଚ୍ଚତର ଗବେଷଣା କରି ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଓ ତିରୁପତି ମହାବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ପାଇଥିଲେ।

ଗୋବିନ୍ଦ ତେଜଙ୍କ ଉଦ୍ୟମ ଫଳରେ ୧୯୮୪ ମସିହାରେ ଅନୁଷ୍ଠିତ ଏସିଆଡ କମନୱେଲଥ୍ ଗେମ୍ସରେ ଘୁମୁରା ପ୍ରଦର୍ଶିତ ହୋଇ ପାରିଥିଲା। ଆଜୀବନ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଜନଜୀବନ ସହ ଆଧୁନିକ ଚହଳଛଟକ ସହ ନିଜ ଅଭିନୟ କଳାର ଉତ୍କର୍ଷତାକୁ ପ୍ରତିପାଦିତ କରି ସେ ଲଭିଥିଲେ ୧୯୮୬ ମସିହାରେ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ‘ଜୟଦେବ ପୁରସ୍କାର‘ ! ଓଡ଼ିଆ ସଂଗୀତ ନାଟକ ଏକାଡେମୀ କାର୍ଯ୍ୟକାରୀ କମିଟିର ସାଧାରଣ ସଭ୍ଯ, କେନ୍ଦ୍ର ସରକାରଙ୍କ ସଂଗୀତ ନାଟକ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ରୂପେ ତାଙ୍କ କାର୍ଯ୍ୟକାଳ ବେଶ୍ ସଫଳ ରହିଥିଲା। ଏହା ବ୍ୟତୀତ କଳିଙ୍ଗ ଷ୍ଟୁଡିଓର ପରିଚାଳନା କମିଟି ସଦସ୍ଯ, ରାଜ୍ଯ ସରକାରଙ୍କ ଚଳଚ୍ଚିତ୍ର ସଂସ୍ଥାର ପରିଚାଳନା ସଦସ୍ୟ, ଇଜେଡସିସିର କାର୍ଯ୍ୟକାରୀ କମିଟିର ସଦସ୍ୟ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ।୨୦୧୬ ମସିହା ଅଗଷ୍ଟ ୧୮ ତାରିଖରେ ୮୮ ବର୍ଷ ବୟସରେ ତିରୋଧାନ ହୁଏ ଗୋବିନ୍ଦଙ୍କର। ଚିର ଅମଳିନ ଆମ ଚଳଚ୍ଚିତ୍ରର ଜଣେ ‘ସୁଦାମା’ ସବୁବେଳେ ମୈତ୍ର ପରି ସୁହୃଦ ଓ ମହୀୟାନ ହୋଇ ରହିବେ।
Govind Tej
Amritesh Khatua
Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

6 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago