~ ଗୋପୀନାଥପୁର ~

ଲେଖା: ଅମୃତେଶ ଖଟୁଆ
ନାତିଦୂର ବିଜନତାରେ ସବୁଜ ପଲ୍ଲୀଭୂମି ଦେଇ ସେଦିନ ପହିଲି ଶ୍ରାବଣର ଆଗମନ । କଜଳ ମେଘ ଉହାଡ଼ରେ ଗୋଟାପଣେ ଆଚ୍ଛନ୍ନ ମେଦୂର ଗଗନର ନୀଳ ବର୍ଣ୍ଣରାଜି । ଗ୍ରାମର ପଥେ ପଥେ ପଡ଼ିଥିଲା ତିଳ-ତଣ୍ଡୁଳିତ ଖରା । ଏହାର ପଥରୋଧ କରୁଥିବା ଊର୍ଦ୍ଧ୍ବମୁଖ ତରୁ ତଳ ଛାୟାଘନ ଆଶ୍ରୟ ଆହୁରି ଘନୀଭୂତ ହେଇ ଆସିଲାଣି । ଶାଖା ପ୍ରଶାଖା କୋଳରେ ବିହଙ୍ଗମ ଦଳ କେଜାଣି ନୀରବ । ସେମାନଙ୍କ ଆପାତ ନୀରବତା ଦେଖି ସେ ମୁହୂର୍ତ୍ତରେ ଛୁଟିଛି କାଦମ୍ବ-ବାରିଦମାଳ ।  ଅନୁଭବ କରି ହେଉଥାଏ ଯେପରି ସେଠାକାର ସଜ ପତ୍ର ଗହଳରେ ସେହି ପକ୍ଷୀମାନଙ୍କ ଡେଣା ଛାଟି ଆକାଶର କୋଳରୁ ପହଁରି ପହଁରି ସଅଳ ବେଗରେ ଛୁଟିଛି ଦୁର୍ବାର ସମୀରଣ ସ୍ରୋତ ।
ଦେଖୁ ଦେଖୁ, ସେଦିନ ଶ୍ରାବଣର ସକାଳ ନଇଁ ନଇଁ ଆସି ଦିଗ୍ବଳୟ ଆରପାରି ସବୁଜିମାରେ କ୍ରମାଗତ ଅପରାହ୍ଣର ଉପୋଦ୍ଘାତ ସହିତ ସକାଳର ସ୍ନିଗ୍ଧତା ଅପସୃୟମାଣ । ଆଗରେ ସ୍ଥିର ସବୁଜ ଯୌବନରେ ଅଥଚ ସମାଧିସ୍ଥ, ବିଛେଇ ହେଇପଡ଼ିଥିବା ବିଛୁଆତି, ବାଇଡଙ୍କ ଓ ଅନାବନା ଲତାରେ ସବୁଜ-ସୀମାୟିତ ଗୋଟିଏ ସୁନ୍ଦର ଉପକଣ୍ଠ । ପବନର ଚଟୁଳ ଲାସ୍ୟ ସେଠାରେ ସ୍ତବ୍ଧ । ଧୂଳିମୁକ୍ତ ବାଟଟା ଯେତିକି ଭିତର ଭିତର ଦେଇ ଗତି କରୁଛି, ଆମ ଉପର ମେଘଢଙ୍କା ଆକାଶ ଆହୁରି ଗମ୍ଭୀର ପରିଣତ ହୋଇଚାଲିଥାଏ । ମୁହଁ ଫେରେଇ ଆଗେ ପୁଣି ତ୍ରସ୍ତହୀନ ଏକାକୀ ସଡ଼କ ଲମ୍ବିଚାଲିଛି, ସଡ଼କ ଦି’ ଧାରରେ କଦମ୍ଵ, ଆମ୍ବ ଓ ବନସ୍ପତିଶ୍ରେଣୀ । ଗତାନୁଗତିକ ସକାଳର ଏପରି ନିଶ୍ଚଳ ଶୂନ୍ୟତା ପ୍ରାୟ ବିରଳ ।
ପୁଣି ପଞ୍ଚାୟତର କେତେକ ଗ୍ରାମପୁଞ୍ଜରେ, ଯେଉଁଠି ନିଇତି ହାଟ ବଣିକ, ପ୍ରଥମ ବଇନିର ସୁର ଧରି ବେପାର ବସେ । ନିଇତି ଶଗଡ଼ ଗୁଳାର ଚିହ୍ନ ଜାଣି ବାଟୋଇଟିଏ ଜାଣେ, କେଉଁ ବାଟେ ବିଲ ଅମଳ କରି ମୁଖର ଚଷାଟିଏ ସମାନ ବାଟ ଦେଇ ଫେରେ । ତଥାପି ଏସବୁ ସନ୍ଧାନ ଆମର ଉଦ୍ଦେଶ୍ୟ ଭିତରେ ଥିଲା ଏକାଧିକ ଅନୁସନ୍ଧାନ ଓ ରହସ୍ୟ । ବିନା ଦର୍ଶନର ରହସ୍ୟ ନିହାତି ଗୂଢ଼ ଓ ଏହାର ଅନ୍ଥର ଖେଦି ନ ପାରିଲେ ତାହା ଅମୀମାଂସିତ । କିନ୍ତୁ ଏହି ସୁସମୃଦ୍ଧ ଅଞ୍ଚଳର ଏକ ବିଡ଼ମ୍ବିତ ନିଶ୍ଚଳତା ଇଙ୍ଗିତ କରୁଥିଲା ଯେପରି ତା’ ବକ୍ଷରେ ଦିନେ ଛିଡ଼ା ହୋଇଥିବା ଇତିହାସର ଦର୍ପିତ ସତ୍ତା କାଳର ପ୍ରଭାବରେ ଆଜି ଲୋପ ପାଇଛି ।
ପୁଣି ସେହି ଶୂନ୍ୟତା ମଧ୍ୟରେ ସବୁ ପୂର୍ଣ୍ଣତା ପୂର୍ବ ପ୍ରାଚୁର୍ଯ୍ୟର କାନ୍ତି ନେଇ ଦିନେ ତ ନିଶ୍ଚୟ କାହା ଅନ୍ତଃସ୍ଥଳରେ ଉଦ୍ଭାସିତ ହେବ ବୋଲି ସୂଚେଇ ଦେଉଥିଲା । ସେହି ଆତ୍ମବିସ୍ମୃତ ପିଣ୍ଡକୁ ମଥିତ କରିବ, ନିଶ୍ଚେତନାର ଗହ୍ଵର ବିଦୀର୍ଣ୍ଣ କରିବ । ସେପରି ଇତିହାସ ଗର୍ଭରେ ଛପି ରହିଥିବା ଐତିହ୍ୟ ସନ୍ଧାନରେ ଆମର ଥିଲା ଏହି ରହସ୍ୟ ପ୍ରଚ୍ଛନ୍ନରେ ସମୁଦାୟ ଯାତ୍ରା । ସେଇ ନିତାନ୍ତ ଚିହ୍ନା ପଥରେ କିନ୍ତୁ ଥିଲା ଆହୁରି କିଛି ସନ୍ଧାନପୂର୍ବକ ଜାଣିବାର ।
ସେଦିନ ରବିବାର, ପ୍ରାୟ କଟକ ସହର ଠାରୁ ଅଦୂରରେ ପୁଣି ସେହି ସମାନ ସ୍ଥାନ, ଅନୁରୂପ ଅତୀତର ସ୍ତମ୍ଭିତ ମୂକସାକ୍ଷୀ । ଦିନେ ଏକ ସୁବିସ୍ତୀର୍ଣ୍ଣ ସୁନ୍ଦର ବ୍ରାହ୍ମଣ ପାଟକ, ଆମ ବେଳକୁ ଖୁବ୍ ସଙ୍କୁଚିତ । ଏହା ଯେ ଲୋକଲୋଚନ ଅଗୋଚରରେ ପୂର୍ବରୁ ଥିଲା, ବର୍ତ୍ତମାନ ଅବଶ୍ୟ ଐତିହ୍ୟ ପ୍ରଚାରକଙ୍କ ଯତ୍କିଞ୍ଚିତ ପ୍ରଯତ୍ନ ପରିଲକ୍ଷିତ ହେବା ପରଠୁ ଚଞ୍ଚଳ ପ୍ରଚାର ହେଲା । ସେଇ ସ୍ଥୂଳ କାରଣରୁ ଏହି ଗ୍ରାମର ଅତୀତ ଜାଣିବାକୁ ବୁଦ୍ଧିଜୀବୀଙ୍କ ମନରେ କିଛି ବର୍ଷ ହେବ ଅନୁସନ୍ଧିତ୍ସା ଉପୁଜିଛି । ସେଠାରେ କିଛି ଗୋଟାଏ ଦେଉଳ ଥିଲା, ସେଠାରେ ଗୋଟିଏ ପାଟକ ଥିଲା, ସେଠି କି ରାଜରାଜୁଡ଼ା ଖଞ୍ଜି ଦେଇଥିଲେ, ଯାହା ଆଜି ବିଲୁପ୍ତ । ଏପରି ଅନେକ ବିଶ୍ଳେଷଣର ଦିଗହଜା ସୂତ୍ର ସାଉଁଟିବା ଲାଗି ପ୍ରଖର ତତ୍ପରତା . . . ଲୋକେ ମଧ୍ୟ କୁହନ୍ତି, ବିଶାଳ ଦେଉଳ ଥିଲା, ଗ୍ରାମର ସଳଖ ଖଣ୍ଡାଧାର ପରି ବାଟ, ସେଇଠି ପୁଣି ଗ୍ରାମର ଆରମ୍ଭରୁ ମନ୍ଦିର ପଥ ପର୍ଯ୍ୟନ୍ତ ଠାଏ ଠାଏ ଘର । ବ୍ରାହ୍ମଣ ଶାସନର ଆଭିଜାତ୍ୟ ଥିଲା । ଏ ଉକ୍ତିର ଯଥାର୍ଥ ଉପଲବ୍ଧି ଆମେ ଅଙ୍ଗେ ନିଭେଇଛୁ । ପୂର୍ବେ ଏମାନଙ୍କ ପୃଷ୍ଠପୋଷକ ରାଜତନ୍ତ୍ର, ସମୃଦ୍ଧ ପୁରାତତ୍ତ୍ବ ଏହାର ଚିହ୍ନେ ଚିହ୍ନେ ବାରି ହୁଏ ।
ଯେହେତୁ ରାଜମାର୍ଗୀ ଶାସନର ବିଲୋପ ସଙ୍ଗେ ସଙ୍ଗେ ଗ୍ରାମଦେଶ ନଗରଠାରୁ ବିଚ୍ଛିନ୍ନ ରହିଲା, ଲୋକେ ଏଠିକାର ବସତିରୁ କ୍ରମଶଃ ଓହରି ଚାଲିଗଲେ । ପେଟ ପାଟଣାକୁ ବିଚାର ରଖି ସହରାଭିମୁଖ ହେଲେ । ଗାଁ ଗାଁରେ ବୟସ୍କ ପୁରୁଖା ନିଜ କୁଳ ଆଦରି ବଞ୍ଚି ରହିଲେ । ଉତ୍କଳବ୍ୟାପୀ ଏପରି ଅଯତ୍ନବର୍ଦ୍ଧିତ ଗ୍ରାମମାନେ ନିଜ ନିଜ ଅତୀତର ଗୌରବ ହରାଇବା ପରଠୁ ବିଲୋପ ମାର୍ଗରେ ସମଦଶାପନ୍ନ ।
ଏବଂବିଧ ପ୍ରତ୍ନତତ୍ତ୍ଵର ବିଚାର ଓ ଇତିହାସର ଅନ୍ତର୍ବାଣୀକୁ ହୃଦୟଙ୍ଗମ କରିବା ଓଡ଼ିଶାର ଆଧୁନିକ ଜଳବାୟୁର ଆଜି ଯଥେଷ୍ଟ ପ୍ରତିକୂଳ ନିଶ୍ଚୟ ଲାଗେ । ଗୋଷ୍ଠୀ ଓ ଅନୁଷ୍ଠାନମାନେ ନିଜ ପରିସରଭୁକ୍ତ ବୁଦ୍ଧିଜୀବୀଙ୍କ ଅନୁଗ୍ରହ ବଳରେ ଏପରି ଦୁରବସ୍ଥା ଜନିତ ସ୍ଥିତିର ଯଥେଷ୍ଟ ଗବେଷଣା କରୁଛନ୍ତି । ଏହା ଏକ ସାଧୁ ପ୍ରତିକ୍ରିୟା । ହେଲେ, କିଛି କିଛି ଅକଥ୍ୟ ଜଡ଼ତା ଓ ଯାତନା ଏହି ଅତୀତର ଅନ୍ତରାଳରେ ବି ରହି ଯାଇଛି ।
ସେସବୁ ମଧ୍ୟ ଆମର ଜିଜ୍ଞାସୁମାନଙ୍କ ଜ୍ଞାନ ଓ ପ୍ରଚାର ପାଇଁ ଯେତିକି ଦରକାର, ନିଶ୍ଚୟ ଜାତିର ନବଜୀବନ ପାଇଁ ସୁଦ୍ଧା ଅନୁସନ୍ଧେୟ । ସେପରି ଏକ ପ୍ରଚାର ବିଜିତ ମାର୍ଗରୁ ଓହରି ଏଣୁ, #ଅନ୍ତରଙ୍ଗ_କଳିଙ୍ଗ ପକ୍ଷରୁ ଏଇ ଅଭିଯାନ ଯେଉଁ ବିଶିଷ୍ଟ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା, ତା’ର ଏହା ଏକ ସ୍ଥୂଳ ନିଦର୍ଶନ ବୋଲି ଚଳିତ ପ୍ରସଙ୍ଗରୁ ଜାଣିବେ ।
ସେଦିନ ପ୍ରଭାତ ସମୟରୁ ଯାତ୍ରା ଆରମ୍ଭ କରି ଆମେ ପୁଣି ଥରେ ପହଞ୍ଚିଥିଲୁ କଟକ ଉପକଣ୍ଠରେ । ସାଲେପୁର ଥାନା ଅଧୀନ ଐତିହାସିକ ଗ୍ରାମ, #ଗୋପୀନାଥପୁର । ଆମର ମନସ୍ଥ ଯୋଜନା ଅନୁଯାୟୀ ପ୍ରଥମେ ଭେଟିବୁ ସେଠି ଥିବା ଲୋକମାନଙ୍କୁ । ଯେତେ ବାଟି ଜମିରେ ଦେଉଳ ଥାଉ ପଛକେ, ତା’ର ପଡ଼ିଥିବା ନିଅଁ ଓ ଶେଷ ପର୍ଯ୍ୟନ୍ତ ମୂଲ ଥିଲା ସେଠିକା କୁଳୀନ ମଣିଷର ଅବଦାନ ‌। ଦିନେ ଆମେ ଏଇ ସନିର୍ବନ୍ଧ ଭାବନାରୁ ପୁଣି ଆରମ୍ଭ କରିଥିଲୁ ଏହି ଅନୁଷ୍ଠାନ ସୁଦ୍ଧା । ଏହା ଯେହେତୁ ଆମର ନିବିଡ଼ ଆଦର୍ଶ । ସେଦିନ ଅବିଳମ୍ବେ ଗୋପୀନାଥପୁର ଶାସନରେ ପହଞ୍ଚିଲୁ । ଗ୍ରାମପଥର ବିଜନ ଦୃଶ୍ୟ ମଧ୍ୟ ଆମ ପୂର୍ବ ଗନ୍ତବ୍ୟ ମାର୍ଗର ନିଶ୍ଚଳତାର ପୁନରାବୃତ୍ତି କରୁଥିଲା ।
ବିଜେ ଗୋପୀନାଥପୁର ଶାସନ ମୁଣ୍ଡ, ପହିଲା ଘରଠୁ ପ୍ରାୟ କିଛି ପାହୁଣ୍ଡ ଦୂର ଗଲେ ମଝିରେ ମଝିରେ ଅମାର ଘର ‌। ଘର ସବୁ ପ୍ରାୟ ପକ୍କା ଛାତ ପଡ଼ି ସ୍ଥାୟୀ କୋଠା । ଆଗେ ଆଗେ ଦୋ’ ସେଣିଆ ଘର ନହେଲେ ଛୋଟ ଛୋଟ ଚାଳ ଶୋଭାମଣ୍ଡନ କରୁଥିଲା । ଏବେ ସେସବୁ କଳେଇ ଗଦା ପାଇଁ ଅମାର ସାଜିଛି । ଗୋପୀନାଥପୁର ଗ୍ରାମର ଉତ୍ତର ଦିଗକୁ ଛାଡ଼ି ଅନ୍ୟ ସବୁଠି ଶତାଧିକ ନଡ଼ିଆ ଓ ତାଳ ଗଛ । ସେପଟେ ଗୋଟିଏ ବିରାଟ ପୋଖରୀ ହୁଡ଼ା, ଆଉ ଇଟା ଭାଟି । ଦଲକାଏ ପବନରେ ବି ସେମାନଙ୍କ ସୁକୁମାର ଗଣ୍ଡି ଦୋହଲେ । ପ୍ରାୟ କାହାରି କୋଠ ବାଡ଼ ଗଛ ନ ହୋଇ ମୁକ୍ତ ତୋଟା ଭଳି ଇତସ୍ତତଃ ଉଧେଇ ସାରିଛନ୍ତି । କାଳେ କେହି ବାଟ ଭିତରକୁ ପଥ ବତେଇ ଦେବା ଲାଗି ବ୍ରାହ୍ମଣ ଯାଉଥିବାର ଅନୁମାନ କଲୁ ।
କିନ୍ତୁ, ଖରା ନଇଁ ବରଷା ପାଗ ଘୋଟି ଆସିଥିଲା । ଘଡ଼ିକ ବାଦ୍ ଗଲେ ମୂଷଳ ଧାରାଟିଏ ଥୟ । ତେଣୁ, ଗୋପୀନାଥପୁର ଗ୍ରାମ ପ୍ରାନ୍ତର ସ୍ବାଭାବିକ ନିର୍ଜନ । ନିଶବଦ ଗାଁ ଭୂଇଁକୁ ଟପି ଆଗ ପହଞ୍ଚିଲୁ ବଳଦେବଜୀଉଙ୍କ ମନ୍ଦିର ପାଖରେ । ଯେଉଁ ପ୍ରାଚୀନ ଦେଉଳ ଓ ତଦ୍ ଗତ ତଥ୍ୟଭିତ୍ତିକ ଇତିହାସ ପାଇଁ କେତେ କେତେ ଲୋକ ମଝିରେ ମଝିରେ ଦୈବାତ୍, ସମୟର ସୁଅ ମୁହଁରେ ଆସି କ୍ରମଶଃ ଲେଉଟି ଯାଇଛନ୍ତି । ହେଲେ ମୁଁ ଆସେ ପ୍ରାୟେ, ସେ ଦେଉଳ ପୂର୍ବରୁ ସେ ଗୋପୀନାଥପୁର ଗାଁ ମୋର ପ୍ରଥମ ଆଦର । ଆସି ପୁଣି ଖୋଜେ ଆଗେ, ନନାଙ୍କୁ ।
ଗୋପୀନାଥପୁର ଶାସନରେ ଏକମାତ୍ର ବର୍ଷୀୟାନ୍ ବ୍ରାହ୍ମଣ, କୁଳମଣି ପଣ୍ଡା । ବୟସ ଏକାନବେ ଉପରେ । ଶୀର୍ଣ୍ଣତାରେ ଅବୟବ ଚର୍ମ ଟାଣ, ଶିରାଳ ଓ ଯଥେଷ୍ଟ ଦୁର୍ବଳ । ଗତ ଦୁଇବର୍ଷ ତଳେ ସେ ସୁସ୍ଥ ଓ ସଚଳ ଥିଲେ । ଗ୍ରାମ ଦାଣ୍ଡରେ ଆଗେ ଦେଖା ହେଲା ତାଙ୍କୁ ଆମର ପ୍ରଣତି ଜଣାଉ । ସେ ବି ବନ୍ଧୁପଣ ସମଧିକ କୁଟୁମ୍ବୀ ବୋଲି ମାନି ନିତ୍ୟ ସଙ୍ଖୁଳେଇବାରେ ଅଭ୍ୟସ୍ତ ପାଲଟି ଯାଇଥିଲେ । କଥାର ସୂତ୍ର ହେଉଛି, ନନାଙ୍କ ଦୁଇ ପୁଅଙ୍କ ଅକାଳ ବିୟୋଗ ଓ ବର୍ଷୀୟସୀ ସ୍ତ୍ରୀଙ୍କ ପରଲୋକ ପରେ ସେ ନିଜ ସାନ ଭାଇଙ୍କ ସହ ରହୁଥିଲେ । ତାଙ୍କ ପୁତୁରା ନାତି ମୋ ସ୍କୁଲର ଛାତ୍ର, ମୁଁ ଦଶମରେ ଥିବା ବେଳେ ସେ ଯୁକ୍ତ ତିନିର ସ୍ନାତକରେ । ତେଣୁ, ମୋତେ ମଧ୍ୟ ପୁତ୍ରତୁଲ୍ୟ ଅଗତ୍ୟା ମାନ୍ୟ କରି ସମସ୍ତ ବୃତ୍ତାନ୍ତ ଆମୂଳଚୂଳ ଏତାଦୃଶ ଅବଗତ କରିଥିଲେ ।
ସେତେବେଳେ ସେ ଗୋପୀନାଥପୁର ଗ୍ରାମର ବଳଦେବଜୀଉଙ୍କ ପାଖକୁ ନେଇ ତାଙ୍କ ବେଢ଼ା ଭିତରେ ଅନେକ କଥାବାର୍ତ୍ତା କରନ୍ତି । ନିଜ ଅମଳର ନାନାବିଧ ଗାଥା କୀର୍ତ୍ତନରେ ସେ ଜଣେ ଅମିତ ବକ୍ତା । ସ୍ଵଭାବର, ଶାଳପ୍ରାଂଶୁ ତୁଙ୍ଗ ବପୁ ସମାନ ସେତିକି ସଳଖ, ବିଚାରରେ ସେତିକି ସ୍ପଷ୍ଟ ଓ ସ୍ଥିତପ୍ରଜ୍ଞ । ପୁନଶ୍ଚ କୁଳୀନ ବ୍ରାହ୍ମଣ । ତେଣୁ, ବଂଶବିହିତ ବିଚାରଧାରା ପ୍ରତି ସର୍ବଦା ସଚେତନ । ପୂଜା ପାଇଁ ନିୟମିତ ତାଙ୍କ ତତ୍ତ୍ଵାବଧାନରେ ନିଜ ସାନ ଭାଇଙ୍କ ସହ ଯିବେ । ସକାଳେ ଦିଅଁ ତିନି ବିଗ୍ରହଙ୍କ ପୂର୍ବ ଲୁଗା ଓଲାଗି କରନ୍ତେ ନୂଆ ଲୁଗା ଆଉଟାଇ ଆଣିବେ । ତେଣିକି ଦିନବେଳା କେବଳ ସଙ୍ଖୁଡ଼ି ପ୍ରମାଣେ ସାଦା ଅନ୍ନ, ଡାଲି ଓ ଶାଗ, ବେସର ତରକାରୀ ।
ସେତେବେଳେ ନିଜ ସାମର୍ଥ୍ୟ ଅନୁଯାୟୀ ନିଜ ଦାୟିତ୍ବ ପର୍ଯ୍ୟାପ୍ତ ନିର୍ବାହ କଲେ । ଏ ଯେ ଦୁଇବର୍ଷ ତଳେ ତାଙ୍କ ସହ ଦେଖା ହେବା ମୁହୂର୍ତ୍ତରେ । ଯାହା ତାଙ୍କ ସଂସ୍ପର୍ଶରୁ ମୁଁ କୃତାର୍ଥ । କିନ୍ତୁ, ଚଳିତ ଜୁଲାଇ ମାସ ରବିବାର ଦିନ ତାଙ୍କୁ ସ୍ବତଃପ୍ରବୃତ୍ତ ଭେଟିବା ଆଶାରେ ଯାଇଁ ଜାଣେ, ସେ ଅସୁସ୍ଥ । ଘଟଣାକ୍ରମେ କୌଣସି ଏକ ଦିନ ବାଟରୁ ଆସିବା ବେଳେ ପାଦଟି ଘର ପାଖରେ ମୋଡ଼ି ହେଇଯାଇଥିଲା । ଗଇଣ୍ଠି ଆଡୁ ହାଡ଼ ମାଂସପେଶୀ ସହଜେ ଦୁର୍ବଳ ଥିଲା, ଏତକରେ ଟାଣି ହେଇଗଲା । ସାକ୍ଷାତକାର ଉଦ୍ଦେଶ୍ୟରେ ତାଙ୍କ ପାଖରେ ମୁଁ ଉପଗତ ହେବା କ୍ଷଣି ତାଙ୍କ ପୀଡ଼ାରେ ବ୍ୟଥିତ ହେଲି ‌।
ଏଥି ସହ ଏପରି ଅତର୍କିତ ଭେଟ ପାଇଁ ସଙ୍କୋଚ ମୋର ଉଙ୍କିମାରିଲା । ମୁଁ ତଥାପି ନିରୁପାୟ ନ ଦିଶି ତାଙ୍କ ଦାଣ୍ଡ ଅଗଣାରେ ତାଙ୍କୁ ଅଭିବାଦନ ଜଣାଇ, ତାଙ୍କ ସାନ୍ନିଧ୍ୟ ଲୋଡ଼ିଲି । ସେ ଶଯ୍ୟାଶାୟୀ ଥାଆନ୍ତି । ପକ୍ଷ୍ମହୀନ ନେତ୍ର ଦିଓଟି ମଳି ସେ ଆମକୁ ଉଣ୍ଡିଲେ । ନିଦ୍ରାଭଙ୍ଗ ହେଲାରୁ ସେ ଆମକୁ ପାଖରେ ବସାଇ ନିଜ ସହ କିଛି କାଳାତିପାତ ପାଇଁ ଅନୁନୟ କଲେ । ଆମେ ମଧ୍ୟ ଅନୁରୂପ ସ୍ଥିତିକୁ ପ୍ରତି ଅପେକ୍ଷା ରଖିଥିଲୁ, ତାଙ୍କ କୁଶଳ ଜିଜ୍ଞାସା କରିବୁ । ବରଂ ମୁଁ ତାଙ୍କୁ ଭେଟିବା ଲାଗି ଅନେକ କାଳରୁ ବ୍ୟଗ୍ର ଥିଲି । ଫୋନ୍ କରି ମଝି ମଝିରେ କେତେ ଥର ଘରକୁ ସବୁ କଥା ପଚାରୁଥିଲେ । ବାର୍ଦ୍ଧକ୍ୟ ପର ଅସ୍ବାସ୍ଥ୍ୟଠୁ ତାଙ୍କର ସୂଚନା ନଥିଲା । “ତୁମକୁ ମୁଁ ବୋଧହୁଏ ଚିହ୍ନିପାରିବି, ଯଦି ମୋତେ ତୁମ ସହ ପୂର୍ବ ସାକ୍ଷାତକାରକୁ ସାମାନ୍ୟ ମନେ ପକେଇ ଦେଇପାରନ୍ତ ।” ନନା ଖଟରୁ ଉଠି ଜଣାଇଲେ । ମୁଁ ସମସ୍ତ ବୃତ୍ତାନ୍ତ କହିଲି, ମୋତେ ସେ କିପରି ଚିହ୍ନନ୍ତି, ନିଜ ପୁତୁରାଙ୍କ ପୁଅ ଯେ ମୋ ଛାତ୍ର ଜୀବନ ବନ୍ଧୁ, ଏବଂ ତା ବ୍ୟତୀତ ମୁଁ ଯେ ଏକାକୀ ତାଙ୍କ ସହ କିପରି ପୂର୍ବରୁ ପରିଚିତ ଓ ନିବିଡ଼ । ଏତିକି କହିସାରିଛି, ସେ ହଠାତ୍ ସ୍ଵର ଧରିଲେ, “ହଁ ହଁ ତୁମ ସହ ମୋର କେତେ କଥା ହୋଇଛି । ଅବଶ୍ୟ ଲୋକମାନଙ୍କ ସହ ଭେଟି ଭେଟି ମୁଁ ଅଭ୍ୟସ୍ତ । ଆପଣା ଓ ପରର ମୁଁ ଭେଦ ଦେଖିନାହିଁ । ଏଇ ଘର ଅଗଣା ଦେଇ କେହି ଅଜଣା ଲୋକଟି ବି ଯଦି ମୋ ପାଖ ମାଡ଼ି ଯାଏ, ତା ସହ ନିହାତି ମୋର ଭଲ ପଡ଼େ । ହେଲେ ଏ ଚରମ ବୟସ ସୋପାନରେ କାହାର କଥା ଏକା ବେଳକେ ମନେ ରଖିବାର ଆଉ ସାମର୍ଥ୍ୟ ନାହିଁ ।”
ଗୋପୀନାଥପୁର ଗ୍ରାମର ଆଉ ପୂର୍ବ ଭଳି ସମ୍ଭ୍ରାନ୍ତ ବ୍ରାହ୍ମଣ ନଥିଲେ । ଲୋକେ ବି ଖୁବ୍ ଅଳ୍ପ । ଯେଉଁ ମୁଷ୍ଟିମେୟ ବ୍ରାହ୍ମଣ ରହି ନିଜ ଅସମ୍ଭାବିତ କୁଳ ପରମ୍ପରା ରକ୍ଷା କରୁଛନ୍ତି, ସେମାନଙ୍କ ମଧ୍ୟରେ ଆମ କୁଳମଣି ନନା ଅନ୍ୟତମ । ତାଙ୍କ ପରିବାର ବି ଆଗେ ଅନେକ ସ୍ଥାନରେ ରହିଛି, ହେଲେ ପ୍ରପିତାମହଙ୍କ ପୂର୍ବ ଅନେକ ପିଢ଼ିଠାରୁ ଏପର୍ଯ୍ୟନ୍ତ ସେ ରହିଛନ୍ତି । ସେ ବଳଦେବଜୀଉଙ୍କ ସେବା କରୁଛନ୍ତି । ଆଜିର ବଳଦେବଜୀଉ ମନ୍ଦିର ହେଉଛି ଭୂତପୂର୍ବ ଜଗନ୍ନାଥ ମନ୍ଦିର, ଯାହା ଗଜପତି କପିଳେନ୍ଦ୍ରଦେବଙ୍କ ପ୍ରମୁଖ ସେନାଧ୍ୟକ୍ଷ ଗୋପୀନାଥ ମହାପାତ୍ର ସ୍ବୟଂ ଗ୍ରାମ ଉପହାର ସ୍ବରୂପ ପାଇ ଏଠାରେ ତିଆରି କରିଥିଲେ । ପାଠପଢାଟି ବେଳୁ ତାଙ୍କର ଅଚଞ୍ଚଳ ମନୋଭାବ ତାଙ୍କ ବିଦବତ୍ତାର ପରିଚୟ ଦେଲା । ତେଣୁ, ନିଜ କୁଳ ପ୍ରତି ସ୍ବଭାବସୁଲଭ ସେବେଠୁ ଏପର୍ଯ୍ୟନ୍ତ ସମର୍ପିତ ।
ସେତେବେଳେ ବହୁଗ୍ରାମ ମହାବିଦ୍ୟାଳୟରୁ ନିଜ ଉଚ୍ଚଶିକ୍ଷା ଶେଷ କରି ଆଉ ଆଗକୁ ପଢ଼ି ପାରିନଥିଲେ । କୁଳରେ ଅକିଞ୍ଚିତ ଦାରିଦ୍ର୍ୟ, କିନ୍ତୁ ଦିଅଁଙ୍କ ସେବାରେ ରତ ସେବକଙ୍କ ପକ୍ଷକୁ ପ୍ରାପ୍ୟ ନଗଣ୍ୟ । ଏହା ବୋଧହୁଏ ଅଧୁନାତନ ସମସ୍ତ କ୍ଷୁଦ୍ରବୃହତ ପ୍ରାଚୀନ ଗ୍ରାମ ମନ୍ଦିରମାନଙ୍କ ଅବସ୍ଥାର ରୂପ ଗ୍ରହଣ କରିସାରିଛି । ଏପରି ଦେଉଳମାନଙ୍କ ଜିମା ପ୍ରତ୍ନତତ୍ତ୍ଵ ନ ନେଇପାରିଲେ ଆମ ସରକାରଙ୍କ ଏକ ସ୍ଵତନ୍ତ୍ର ଦେବୋତ୍ତର ବିଭାଗ ନିଏ । ସେମାନଙ୍କ ଅଧୀନ ଦିଅଁଙ୍କ ନୀତିକାନ୍ତି ଭିତ୍ତିରେ ପରିଚାଳନା, କିନ୍ତୁ ପ୍ରମୁଖ ଦାୟିତ୍ଵ ଦେବ ମନ୍ଦିରମାନଙ୍କ ସମ୍ପତ୍ତି ସୁରକ୍ଷା । ମାତ୍ର, ଐତିହ୍ୟ ସମ୍ପତ୍ତିର ସୁରକ୍ଷା ଲାଗି ବୈମାତୃକ ସାଜିଥିବା ଏହି ବିଭାଗ ସକାଶେ ସର୍ବତ୍ର ବ୍ରାହ୍ମଣ ସେବକଙ୍କ ପ୍ରତ୍ୟୟଭଙ୍ଗ ହୋଇଛି ।
ସେହିପରି ଅନୁଦାତ୍ତ କଣ୍ଠରେ ସେଦିନ କହୁଥିଲେ ନନା, “ଆମ ବେଳେ ଆମେ କେତେ ତୀର୍ଥ କରି ବୁଲି ଆସିଛୁ, ବାପାଙ୍କ ଥିବା ବେଳେ ୧୯୮୪ ମସିହାର ଗୋଦାବରୀ ବୁଡ଼ ପାଇଁ ଆନ୍ଧ୍ରପ୍ରଦେଶ ଗଲୁ । ଅଳ୍ପ ବିତ୍ତ ସଞ୍ଚୟ, କିନ୍ତୁ ବ୍ରାହ୍ମଣ ମାତ୍ରେ ନିଜ ଧର୍ମ ଏଡ଼ି ରହି ନ ପାରି ନିଜ ଆଗ୍ରହରେ ରହଣି ଓ ଭ୍ରମଣ ସମ୍ପୂର୍ଣ୍ଣ କରିଛୁ । . . . ଆଜି ଆମ ମନ୍ଦିରଟି ସିନା ଏକାଧିକ ପାଣ୍ଠି ପାଇଛି, ନୂତନ ଗଢ଼ା ଯିବ ବୋଲି ପ୍ରତିଶ୍ରୁତି ପାଇଛି, ହେଲେ ମୋ ପୂର୍ବ ଯୌବନର ସଞ୍ଚୟ ଆଉ ଏବେ ସେତେ ସମୃଦ୍ଧ ରହିପାରି ନାହିଁ । ତେଣୁ, ମୋ ପକ୍ଷରେ ଏସବୁ ସମ୍ଭାଳିବା ଏକାବେଳକେ ଦୁଃସାଧ୍ୟ । ମଝି ମଝିରେ ମୁଁ ଦେଉଳକୁ ଯାଏ ନହେଲେ ଏଇନେ ତ ଘରେ ହିଁ ଦିନ ବିତି ଚାଲିଛି ।”
ଆବହମାନ ଶତାବ୍ଦୀରୁ ଏହି ବ୍ରାହ୍ମଣ ପାଟକରେ ତାଙ୍କ ଜାତିର ଆଭିଜାତ୍ୟକୁ ଲୋକେ ସବିନୟ ମର୍ଯ୍ୟାଦା ଦିଅନ୍ତି । ଟଙ୍କା ଓ ପଇସାର ମୂଲ ଆଜି ଭଳି ପୂର୍ବରୁ ବାଧା ନଥିଲା । ଆଜି ତାହା ବାଧୁଛି, ସ୍ପନ୍ଦନରେ ଘାତ କରୁଛି । କାରଣ, ଏହା ତାଙ୍କ ପାରିପାର୍ଶ୍ବିକ ସ୍ଥିତିର ପ୍ରତାଡ଼ନା, ଯାହା ସମ୍ମୁଖରେ ସେ କ୍ଷୀଣ । କ୍ଷୀଣ ଦୀପଶିଖା ଭଳି କେବଳ ନିଜ ଆୟୁକୁ ଜଗି ବଞ୍ଚିଛନ୍ତି । ଅଳ୍ପ ସ୍ବପ୍ନ ଓ ଅଳ୍ପ ଜାଗରଣ ମଧ୍ୟରେ ସେ ଅସ୍ବସ୍ତିର ନିଃଶ୍ବାସ ଛାଡ଼ିଦେଲେ । ସ୍ବପ୍ନଜାଗରଣମିଶା ଅତୀତର ହୃତଗୌରବକୁ ସେ ବାରମ୍ବାର ରୋମନ୍ଥନ କରି ବାଷ୍ପାକୁଳ ହୋଇ ଉଠନ୍ତି ।
ମ୍ରିୟମାଣ କଣ୍ଠରେ କୋହ ଅଧିକ ଆଉ ଚାପି ନ ପାରିବାରୁ ମୋ ଡାହାଣ ହାତଟିକୁ ଟାଣି ଧରନ୍ତି । ତାକୁ ନେଇ ନିଜ କାନ୍ଧରେ ରଖିଲେ । ଉଦବେଳିତ ସ୍ଵରରେ କହିଲେ, “ଯା ହଉ, ଏତେ ସବୁ ଜଞ୍ଜାଳ ମୋ ଦେହକୁ ଯେତେ ବ୍ୟାଘାତ ଦେଲା ପଛେ, ଏ ଛୁଆଟି କେତେ ଦିନ ପରେ ମୋ ପାଖେ ଆସିଛି, ମୁଁ ଟିକେ ଖୁସି ହେଉଛି ।” ଆମର ବାର୍ତ୍ତା ସମ୍ଭାଷଣ କିଛି କ୍ଷଣ ସ୍ଥଗିତ ।
ସେପଟେ କାଠର ମୁକୁଳା ଯାଉଁଳି କବାଟ ଦେଇ କୃଷ୍ଣଘନ ଆଚ୍ଛାଦିତ ଆକାଶର ଈଷତ ଦୃଶ୍ୟ । କୋହ ସମ୍ବରଣ ପରେ ନନା ବି ମୋ ଅସ୍ଥିରତା ଦେଖି ମୋ ଆଡ଼େ ଚାହିଁ କୁହନ୍ତି, “ମେଘ ଢାଙ୍କିଲାଣି, ତଥାପି ତୁମେ ଦୁହେଁ ଟିକେ ଆସିଛ ଯେତେବେଳେ, ବସିକି ଯାଅ ।” ବିଶ୍ବ ଚରାଚର ଚଞ୍ଚଳ ଗତିଶୀଳ, ସେ ମଧ୍ୟ । ଆଜି ବି ଜୀବନ ଗୋଟା ଆଲୋଚନା କରୁଛନ୍ତି, ସେଥିରେ ସୁଦ୍ଧା ଆଜୀବନ ସକଳ ଦୈନ୍ୟ ତାଙ୍କ ଅସ୍ଥିମଜ୍ଜାକୁ ଭେଦି ପାରୁନି । କିନ୍ତୁ, ବୃଦ୍ଧ ନନାଙ୍କୁ ବାଧୁଥିଲା ଏକାକୀ ପଣ । ତାଙ୍କ ଅନ୍ତରର କ୍ରନ୍ଦସୀ କୋହ ଖୋଜୁଥିଲା ଆତ୍ମୀୟତା । ଆମକୁ ପାଇ ସେ ପୂର୍ଣ୍ଣ ସାନ୍ତ୍ଵନା ପାଇଥିଲେ, ଏହା ତାଙ୍କର ମତ ।
ଗୋପୀନାଥପୁର ଗ୍ରାମର ବଳଦେବଜୀଉଙ୍କ ସେବା ଦିନମାନ ତାଙ୍କର ଇତି ମଧ୍ୟରେ ସେ ରୋମନ୍ଥନ କରିବା କ୍ଷଣି ତାଙ୍କ ବଦନର ତୀବ୍ର ଅତୃପ୍ତି ଅପସରି ଯାଉଥିଲା । ତାଙ୍କର କଳ୍ପନା-ଆକାଶରେ ନିଃସ୍ଵତା ଏକ କୁହେଳି ମାତ୍ର । ଯାହା ହରେଇବାର ଦୁରାଶା ତାଙ୍କୁ ଏପର୍ଯ୍ୟନ୍ତ ନିପୀଡ଼ିତ କରିରଖିଛି, ସେପରି ଏକ କୁହେଳିର ପରିଧି ଭିତରୁ ସେ ନିରନ୍ତର ଓହରି ଆସିଛନ୍ତି । ତାଙ୍କର ଆଶା ଆକାଂକ୍ଷା ବୃନ୍ତଚ୍ୟୁତ କୁସୁମ ସଦୃଶ ଗୋଟି ଗୋଟି ଧୂଳିରେ ଲୁଣ୍ଠିତ ହୋଇଥାଇପାରେ, କିନ୍ତୁ – ସ୍ବାଭିମାନ, ଆଦୌ ହରେଇନଥିଲେ । ଧନ, ମାନ, ଯଶ, ସମ୍ଭ୍ରମ, ଏସବୁ ଚଞ୍ଚଳ, ସେସବୁ ଚାଲିଯିବାର ତାଙ୍କ ଆଶଙ୍କା ନଥିଲା । ତେଣୁ ସେ ମୂଳରୁ ଲୋଡୁଥିଲେ କେବଳ ଆତ୍ମୀୟତା । ନିଃସଙ୍ଗ ଜୀବନରେ ସଖ୍ୟଦାନ କରି ଯେ ତାଙ୍କ ଅନ୍ତଃସ୍ଵରକୁ ହୃଦବୋଧ କରିବ ‌।
ସେ ତେଣୁ ଆମ ସହାନୁଭୂତିକୁ ଲୋଡ଼ିନଥିଲେ । ମୁହୂର୍ତ୍ତକ ଲାଗି ଆମ ସାନ୍ନିଧ୍ୟ ଓ ଆମ ସଚ୍ଚୋଟ ପ୍ରତିଶ୍ରୁତିକୁ କେବଳ ବାଞ୍ଛିତ ମନେ କଲେ । କର୍ମନିଷ୍ଠାରେ ସେ ବିଶ୍ବାସୀ ‌। “ମୋର ଯେତେକ ହରେଇବାର ସାନ୍ତ୍ଵନା କେବଳ ତୁମକୁ ଆଗାମୀ ସମୟରେ ଏକ ବିଶିଷ୍ଟ ମଣିଷ ରୂପେ ଦେଖିବା, ତେଣିକି ତୁମେ ଯେତେ ଥର ଗାଁକୁ ଆସିପାର, ମୋ ଜୀବଦ୍ଦଶାରେ ମୋତେ ଭେଟି କିଛି କରିପାର କାରଣ, ମୁଁ ତୁମରି ବୟସରେ ଏତେ ସବୁ ଦେଖିନଥିଲି । . . ଯଶ ଓ ପ୍ରତିପତ୍ତିକୁ ନେଇ ଅଚଳାଚଳ ସମ୍ପଦ ଭୋଗ କରିବେ ଲୋକ, କିନ୍ତୁ ନିଜ ବିଦ୍ୟା ଓ ଲକ୍ଷ୍ୟପଥରେ ଅବିଚ୍ୟୁତ ସାଧନା ରଖ, ସଫଳତାର ସହ ମୋତେ ଭେଟିବ ନିଶ୍ଚୟ ତା’ ପରେ ।”
×××
“ଆମର ସେବା ଯେତିକି ଥିଲା ଆଗରୁ, ଏବେ ଆହୁରି କମି ଆସିଛି । ଯାତ୍ରା ହେଉନି, କେବଳ ଚନ୍ଦନ ଓ ସ୍ନାନଯାତ୍ରା ଯାଏଁ କାମ । ଅଣସର ଶେଷକୁ ରଥଯାତ୍ରା ପରେ ତିନି ଦିନିଆ ବେଶ । ତେଣିକି ମନ୍ଦିର ନିଜ ଆୟ ଉତ୍ସ ଏଇ ଧାନ ଜମି ଆଉ ନିଜ ଭୂସମ୍ପତ୍ତି ବାବଦକକୁ ବଜାୟ ରଖିଛି । ହେଲେ ବାଟମାରଣା କରିବା ଲୋକଙ୍କ ପ୍ରାଦୁର୍ଭାବ ତ ସହଜେ ଆପଣଙ୍କୁ ଅଜଣା ନଥିବ । ଯେ ପାଣ୍ଠି ମଞ୍ଜୁର କଲା, ସରକାରଙ୍କ ଅନୁଦାନରୁ ଆମ ମନ୍ଦିରକୁ କିଛ ମିଳିଲା, ପୁନରୁଦ୍ଧାର ପାଇଁ ଜଣେ ମୋର ପରିଚିତ ଅଧିକାରୀ ସୁଦ୍ଧା ଆସିଥିଲେ ମାତ୍ର, ବର୍ତ୍ତମାନ ସ୍ଥିତିରେ ସେ ଅପର ଏକ ଦାୟିତ୍ୱରେ” ।
ତେଣୁ, ଏସବୁ ତାଙ୍କ ପାଇଁ ଏକାକୀ ସମ୍ଭାଳିବା ବଡ଼ କାଠିକର ପାଠ । ଆମର ବାର୍ତ୍ତା ସେମାନଙ୍କ ପାଖକୁ ପହଞ୍ଚିବା ଲାଗି ଯଥେଷ୍ଟ ବେଳ ଲାଗେନି । କିନ୍ତୁ, ଗୋପୀନାଥପୁର ଗ୍ରାମବାସୀଙ୍କ କ୍ରମଶଃ ଗ୍ରାମ ତ୍ୟାଗ ବା ସେମାନଙ୍କ କ୍ଷୀଣ ଭୂମିକା ଏଥିରେ ଆହୁରି ଅନ୍ତରାୟ । କେଉଁଠି ଦେଉଳଟି ଉଦ୍ଧାର ହେବ, ଏ ସ୍ଥାନରେ ପୁଣି ଦିଅଁଙ୍କ ପାଇଁ ଖଞ୍ଜା ବଢ଼ିବ, ଏଇ ଧାଡ଼ି ଧାଡ଼ି ରାସ୍ତାରେ ଯାନିଯାତ ଭିଆଇ ହେବ, ସବୁ ଉପରେ ଆସନ୍ତା ଭବିଷ୍ୟତ ବିଷୟରେ ଅନେକ ତଥ୍ୟ ଗୋଟାଇଲେ ମିଳିଯିବ । ହେଲେ ଡେରି ହେଇଗଲାଣି । ଆଜିକି ସିନା ଆମମାନଙ୍କ କଥା ଶୁଣି ତାଙ୍କ ମନକୁ କୁସୁମ ପରଶ ଲାଗିଲା । ତାଙ୍କ ପାଖରେ କେବଳ ବିଚାର ବିମର୍ଶରେ ଏସବୁ ରହିଯିବ ? ସେ ଯେ ବୃଥା ।
କୁଳମଣି ନନାଙ୍କ ମୁଣ୍ଡ ଭିତରେ ଖାଲି ଯୋଗ ଭଉଁରି ବୁଲୁଛି । ପୁଣି ଭାବନାରେ ସେ ମଜ୍ଜିତ ହୁଅନ୍ତି, ନିତିଦିନିଆ ମଳିଧୂଳି କାଦୁଅ ପଙ୍କ ଚକଟାର ଗୋହିରି ଆଜି ଏ ପାଟକ । ସେଥିରେ ରସ ନାହିଁ, ରୂପ ଗନ୍ଧଚର୍ଚ୍ଚିତ ମେଦୂର ମଳୟର ଉଚ୍ଛ୍ବାସ ନାହିଁ । ଜନତାଙ୍କ ଆବେଗ ଅଲୋଡ଼ା ପଡ଼ିଛି । ଉଛୁଳା ମନରେ ଆଶା ସୁଅ ବହୁନାହିଁ । ଦିନ ଆଲୁଅରେ ଦିକ୍ ଦିକ୍ ସେଇ ପତ୍ର ଗହଳରେ ଗଛ ତୋଟା, ଗୋଟାଏ ତାଳ ତୋଟା ପୁଣି ତା’ର ପତର ଦେଇ ଚାଲିଯାଉଛି ସମୟର ସମୀରଣ ସ୍ରୋତ । ବାଟଯାକ ଅବସନ୍ନ ନ ହୋଇ ଆମେ ପହଞ୍ଚିଥିଲୁ ନନାଙ୍କ ପାଖକୁ ଯେହେତୁ, ସେ ଆମକୁ ଏପରି ଯଥେଷ୍ଟ ଅଭ୍ୟର୍ଥନା କଲେ ।
ସେହି କ୍ଷଣି ଆମେ ନନାଙ୍କ ଅନୁମତି ଗ୍ରହଣ କରି ବଳଦେବଜୀଉଙ୍କ ମନ୍ଦିର ଅଭିମୁଖେ ଅଗ୍ରସର ହେଲୁ ।
କାଳର ଦନ୍ତାଘାତ ଫୁଟି ଉଠିଥିଲା ସେଦିନ ଗୋପୀନାଥପୁର ଗ୍ରାମର ବଳଦେବଜୀଉଙ୍କ ମନ୍ଦିର ଚାରି ପଟେ ‌। ଆଗେ ଆଗେ କେବଳ ପାତଳ ରାସ୍ତାଟି । ବାଟ ଦି ଧାର ଦି ପଟେ ପଦା ଭୂଇଁ, ନିଥର ସବୁଜ ଗାଲିଚା, ଆଗକୁ ଚାରିକଡ଼ର ଅଞ୍ଚଳ ପୂର୍ବ ଭଳି ଲତା, ଅନାବନା ଗୁଳ୍ମ ସମେତ ଆହୁରି କିଛି ଜବରଦଖଲ ଭିତରେ କବଳିତ । ମନ୍ଦିର ସମ୍ମୁଖରେ ଏହାର ବିରାଟ ପାଚେରୀ ପୂର୍ବରୁ, ଖସି ପଡ଼ିଛି କେତେ କାଙ୍ଗୁଳା, କେତେ ବାଡ଼, କେତେ ଦଧିନଉତି । ପ୍ରାୟ ଅର୍ଦ୍ଧାଧିକ ଅଯତ୍ନ ଓ ଅବହେଳା ଦିଶୁଥିଲେ ସୁଦ୍ଧା ଆହୁରି ଅର୍ଦ୍ଧେକ ହେଉଛି ନିଭୃତ ଇତିହାସ . . .
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

5 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

5 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

6 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

1 month ago