ଲେଖା: ନିରଞ୍ଜନ ସାହୁ

“ମନୁଷ୍ୟ ସିନା ଜିଭରେ କଥା କୁହେ, କିନ୍ତୁ ଆଖିରେ କ’ଣ କଥା କହେ ? ଆଶା ଓ ଭାଷା ଉଭୟ ବି ଆଖିରେ ପ୍ରକାଶ କରେ । ପୁଣି ଖାଲି ଆଶା ନୁହେଁ, ଗୋପନ ଆଶା ବି । ସମସ୍ତେ ଜାଣନ୍ତି ଆଶାକୁ ପ୍ରକାଶ କରିବା ପାଇଁ ଭାଷା ତିଆରି । ଅବଶ୍ୟ ଭାଷା ମାନେ ମୁଖନିଃସୃତ ଭାଷା, ଯଥା – ଭ୍ରମରର ଗୁଞ୍ଜନ, ପକ୍ଷୀର କୂଜନ, ଗାଈର ହମ୍ବା ଓ ମଣିଷର ବାକ୍ ଯନ୍ତ୍ର ନିୟନ୍ତ୍ରିତ ଧ୍ଵନି, ଶବ୍ଦ, ବାକ୍ୟ ଯାବତ୍ କିଛି, କିନ୍ତୁ ଭାଷାବିତମାନଙ୍କ ମତରେ ମନ କଥା ପ୍ରକାଶ କରିବା ପାଇଁ ଯେ କୌଣସି ଅବଲମ୍ବନ କଲେ ତାହା ଭାଷା । ପାଟି ନ ଫିଟାଇ ପାନ ଖଣ୍ଡେ ଦେଇ ଚାଲିଗଲେ ବି ଭାଷା । ଆଉ କେତେକ କହନ୍ତି, ଯଦି ଜଣେ ଲୋକ ଅତର ଲଗାଇ ପକେଟରୁ ରୁମାଲ କାଢ଼ି ବୁଲେ ଓ ଅନ୍ୟ ଲୋକ ତହିଁରୁ କିଛି ସଙ୍କେତ ପାଏ, ତେବେ ସେହି ଅତରଲଗା ରୁମାଲଧରା ବୈଜ୍ଞାନିକ ଦୃଷ୍ଟିରୁ ଭାଷା ବୋଲି ବିବେଚିତ ହେବ । ବିଜ୍ଞାନ ଦୃଷ୍ଟିରୁ ଭାଷା ମାନେ ସଙ୍କେତ, ଯାହା ମଣିଷକୁ କୌଣସି କାର୍ଯ୍ୟ କରିବାକୁ ପ୍ରେରଣା ଦିଏ ।” (ମଣିଷର ଭାଷା)

ଏହା ଥିଲା ୧୯୫୩ ମସିହାରେ ଜଣେ ୩୨ ବର୍ଷୀୟ ଯୁବକର ଟିପ୍ପଣୀ ଭାଷା ସମ୍ପର୍କରେ। ‘ଭାଷା’ର ନୂତନ ସଂଜ୍ଞା ନିର୍ଦ୍ଧାରଣ କରି ଏହି ଯୁବକ ସେହି ସମୟରେ ବହୁ ଚର୍ଚ୍ଚିତ ହେବାର ସୌଭାଗ୍ୟ ପାଇଥିଲେ । ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ, ଗଞ୍ଜେଇଡିହ । ୧୯୨୧ ମସିହା ଅକ୍ଟୋବର ମାସ ୧୫ ତାରିଖରେ ଜନ୍ମ ନେଇଥିଲେ ଏହି ମଣିଷ, ଭୋଳେଶ୍ଵର ଧଳ ଓ ଜାହ୍ନବୀ ଦେବୀଙ୍କ ଔରସରୁ । ସେହି ଶିଶୁଟି ପରବର୍ତ୍ତୀ ସମୟରେ ପ୍ରତିଭାତ ହେଲେ ଜଣେ ବିଶିଷ୍ଟ ବିଦ୍ୱାନ, ସାହିତ୍ୟିକ, ଶିକ୍ଷାବିତ୍, ପ୍ରାବନ୍ଧିକ, ଅନୁବାଦକ, ସୃଜନଧର୍ମୀ ଶିଶୁ ସାହିତ୍ୟିକ, ଭ୍ରମଣ ବୃତ୍ତାନ୍ତ ଲେଖକ ଭାବରେ । କିନ୍ତୁ ଅସଲରେ ପରିଚିତ ହେଲେ ବିଂଶ ଶତାବ୍ଦୀରେ ଭାରତବର୍ଷର ଜଣେ ପ୍ରଥିତଯଶା ଭାଷାତତ୍ତ୍ଵବିତ୍ ଭାବେ – ପ୍ରଫେସର ଗୋଲୋକ ବିହାରୀ ଧଳ । ହିନ୍ଦୀ ସାହିତ୍ୟରେ ପ୍ରଥମ ଧ୍ଵନିବିଜ୍ଞାନ ଗ୍ରନ୍ଥର ରଚୟିତା ।

ଗାଁ ବିଦ୍ୟାଳୟମାନଙ୍କରେ ପାଠ ଶେଷ କରି ୧୯୪୩ ମସିହାରେ ରେଭେନ୍ସା କଲେଜରୁ ସଂସ୍କୃତରେ ସର୍ବଶ୍ରେଷ୍ଠ ସ୍ନାତକ, ପରେ ପାଟଣା ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର, ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଭାଷା ତତ୍ତ୍ଵ କୃତିତ୍ଵର ସହ ଶେଷ କରି ଅଧ୍ୟାପନା କାର୍ଯ୍ୟ – ଆଗ୍ରା ବିଶ୍ଵବିଦ୍ୟାଳୟ, ଗଙ୍ଗାଧର ମେହେର ମହାବିଦ୍ୟାଳୟ, ରେଭେନ୍ସା କଲେଜରେ । ପୁଣି ଭାରତର IAS ଟ୍ରେନିଂ ସ୍କୁଲରେ ଭାଷା ଶିକ୍ଷା ଦେବାରେ ପ୍ରଥମ ଭାରତୀୟ ଅଧ୍ୟାପକ। ସର୍ବୋପରି ଅସାଧାରଣ ବ୍ୟୁତ୍ପତ୍ତି ସଂସ୍କୃତ, ହିନ୍ଦୀ, ଇଂରାଜୀ, ଓଡ଼ିଆ, ବଙ୍ଗଳା ଓ ବହୁ ଦେଶୀୟ ଓ ବିଦେଶୀୟ ଭାଷାରେ ।


ଭାଷା ଜଗତର ବିଶାଳ ପରିଧି ଭିତରେ ହଜାଇ ଦେଉଥିଲେ ନିଜକୁ ପ୍ରଫେସର ଗୋଲୋକ ବିହାରୀ ଧଳ ମହୋଦୟ । ମଣିଷର ଭାଷାକୁ ନେଇ ଯେଉଁ ଢଙ୍ଗରେ ସେ ଗବେଷଣା କରିଛନ୍ତି, ତାହା ଭାରତୀୟ ସାହିତ୍ୟରେ ବିରଳ । ଭାଷା ଗୁଡିକର ଧ୍ଵନିତତ୍ତ୍ଵ, ବୈଶିଷ୍ଟ୍ୟ, ଶାସ୍ତ୍ରୀୟତା, ବ୍ୟାକରଣ ଆଦିକୁ ଅନୁଶୀଳନ କରି, ମଣିଷର ଭାଷାକୁ ତା’ର ଜୀବନଚର୍ଯ୍ୟା, ସଭ୍ୟତା, ସଂସ୍କୃତି, ଜାତୀୟତା ବୋଧର ସୁସମନ୍ଵୟ ହେଉଛି ତାଙ୍କର ସାହିତ୍ୟ ଏବଂ ସାହିତ୍ୟର ଭାଷା । ଭାଷା ମଣିଷ ସହିତ ମଣିଷର ସମ୍ପର୍କକୁ ସୁଦୃଢ଼ କରେ, ପ୍ରେରଣା ଦିଏ ଓ ଶିକ୍ଷିତ ହେବାକୁ ପଥ ସୁଗମ କରେ, ଏଇଥି ପାଇଁ ଭାଷା ସହ ଧ୍ଵନି ଜଡ଼ିତ ହେବା ଅତ୍ୟାବଶ୍ୟକ ।ଗୋଲୋକ ବିହାରୀ ଧଳଙ୍କ ମତରେ – “ଜଗତର ଯାବତୀୟ ଉପାଦାନ ଭିତରେ ଭାଷାର ବହୁବିଧ ରୂପ ପ୍ରକାଶ୍ୟରେ ହେଉ ବା ଲୁକ୍କାୟିତ ଭାବେ ବିଦ୍ୟମାନ। ଭାଷାର ସାଧାରଣତଃ ଦୁଇଟି ଦିଗ – ଲିଖିତ ଭାଷା ଏବଂ ଉଚ୍ଚାରିତ ଭାଷା । ଲିଖିତ ଭାଷା ଅପେକ୍ଷା ଉଚ୍ଚାରିତ ଭାଷା ହିଁ ପ୍ରଭାବଶାଳୀ । ଲେଖିବା ଅପେକ୍ଷା କହିବା ସ୍ଥଳରେ ବେଶୀ ନିର୍ଭର କରେ ମଣିଷ । କାରଣ ମଣିଷ ଏକ କଥାକୁହା ଜୀବ । ମଣିଷ ଜାତି ଏକ ହୋଇପାରେ ସତ, ହେଲେ ତା’ର ଭାଷା ଅନେକ । ପ୍ରତ୍ୟେକ ମଣିଷ ଭାଷା ଦୃଷ୍ଟିରୁ ଅନ୍ୟ ଠାରୁ ଭିନ୍ନ । ଏହି ଉଚ୍ଚାରିତ ଭାଷା ହିଁ ଧ୍ଵନି ଅନୁଯାୟୀ ବିଭିନ୍ନ ଅର୍ଥବୋଧକ”। ସର୍ବଭାରତୀୟ ସ୍ତରରେ ଧ୍ଵନି ବିଜ୍ଞାନର ଗବେଷକ ପ୍ରଫେସର ଗୋଲୋକ ବିହାରୀ ଧଳ ୧୯୫୮ ମସିହାରେ ହିନ୍ଦୀ ସାହିତ୍ୟରେ ଲେଖିଲେ ଧ୍ଵନିବିଜ୍ଞାନ । ଏହା ହିନ୍ଦୀ ସାହିତ୍ୟରେ ସର୍ବପ୍ରଥମ ଗ୍ରନ୍ଥ (Phonetics) । ଏହି କ୍ରମରେ ଭାରତର ଅନ୍ୟତମ ଖ୍ୟାତି ସଂପନ୍ନ ଭାଷାବିତ୍ ସୁନୀତି କୁମାର ଚାଟାର୍ଜୀ ଏହାର ଭୂୟସୀ ପ୍ରଶଂସା କରି କହନ୍ତି – “ଏହା ହିନ୍ଦୀ କ୍ଷେତ୍ରରେ ସର୍ବପ୍ରଥମ ଧ୍ଵନିତତ୍ତ୍ଵ ସଙ୍କଳିତ ଗ୍ରନ୍ଥ । କୌଣସି ଅନ୍ୟ ଭାରତୀୟ ଭାଷାରେ ଧ୍ଵନି ବିଜ୍ଞାନ ସମ୍ପର୍କରେ ଏ ଭଳି ପୁସ୍ତକ ନାହିଁ । ଖଣ୍ଡିଏ ଛୋଟ ବହି ମାତ୍ର ମରାଠୀ ଭାଷାରେ ବୋଧହୁଏ (!) ଅଛି । ଧ୍ଵନିବିଜ୍ଞାନ ଅଧ୍ୟାପନା କ୍ଷେତ୍ରରେ ତାଙ୍କର ବିସ୍ତୃତ ଜ୍ଞାନ ଓ ଅନୁଭୂତିକୁ ହିନ୍ଦୀ ପାଠକ ମାନଙ୍କର ସୁବିଧା ପାଇଁ ଯେପରି ଭାବରେ ବ୍ୟବହାର କରିଛନ୍ତି, ତାହା ଅସାଧାରଣ” । ପ୍ରଥମରେ ଧ୍ଵନିବିଜ୍ଞାନ ଓଡି଼ଆରେ ଲେଖିଥିଲେ ମଧ୍ୟ ତାହା ପ୍ରକାଶିତ ହୋଇ ପାରିନଥିଲା ହିନ୍ଦୀ ଧ୍ଵନିବିଜ୍ଞାନ ପୂର୍ବରୁ । ତେବେ ଯାହା ହେଉନା କାହିଁକି ଓଡ଼ିଆ ଧ୍ଵନିବିଜ୍ଞାନ ପରବର୍ତ୍ତୀ ସମୟରେ ପ୍ରକାଶିତ ହୋଇଥିଲା ଓ ତାହା ଥିଲା ଓଡ଼ିଆ ସାହିତ୍ୟର ପ୍ରଥମ ଗ୍ରନ୍ଥ ଧ୍ଵନିତତ୍ତ୍ଵ ସମ୍ପର୍କିତ । ଭାଷା ବିଜ୍ଞାନ ବାବଦରେ ଓଡ଼ିଆଙ୍କର ଆଖି ଖୋଲି ଦେଇଥିଲେ ପ୍ରଫେସର ଗୋଲୋକ ବିହାରୀ ଧଳ । ସମଗ୍ର ଭାରତବର୍ଷର ପାଠକମାନଙ୍କୁ ଧ୍ଵନିତତ୍ତ୍ଵ ସହ ପରିଚିତ କରେଇବାରେ ସେ ଥିଲେ ପ୍ରଥମ ଅଗ୍ରପୁରୁଷ । ଏ ସମ୍ପର୍କରେ ଉତ୍କଳଖଣ୍ଡର ପ୍ରଥିତଯଶା ବାଗ୍ମୀପୁରୁଷ ଡ. ଶ୍ରୀରାମଚନ୍ଦ୍ର ଦାଶ କହନ୍ତି:- “ସେ ଜଣେ ତୀକ୍ଷଣ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ । ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଧ୍ଵନିତତ୍ତ୍ଵ ଅଧ୍ୟୟନ କରିବା ବେଳେ ଓଡ଼ିଆ ଓ ଇଂରାଜୀ ଶବ୍ଦର ତୁଳନାତ୍ମକ ଉଚ୍ଚାରଣ ବିଷୟରେ ଗବେଷଣା କରି ଭାରତକୁ ଫେରିବା ପରେ ଉଭୟ ଭାଷାର ଉଚ୍ଚାରଣ ଉପରେ ଗୁରୁତ୍ବ ଆରୋପ କରି ନାନା ସଭାସମିତିରେ ଭ୍ରାନ୍ତିପୂର୍ଣ୍ଣ ଉଚ୍ଚାରଣ ବିଷୟରେ ତୀବ୍ର ସମାଲୋଚନା କରୁଥିଲେ । ଏଥିପାଇଁ ଅନେକ ଇଂରାଜୀ ଅଧ୍ୟାପକ ତାଙ୍କୁ ପ୍ରତିକୂଳ ଦୃଷ୍ଟିରେ ଦେଖୁଥିଲେ । ଓଡ଼ିଆ ଭାଷାତତ୍ତ୍ଵ ଓ ଧ୍ଵନିତତ୍ତ୍ଵ ବିଷୟରେ କୌଣସି ଭ୍ରାନ୍ତ ବା ଅସମୀଚୀନ ମନ୍ତବ୍ୟ ଦେଖିଲେ ସେ ଅସହଣିକ ହୋଇ ତୀବ୍ର କଟାକ୍ଷ କରିବାକୁ ଛାଡ଼ୁନଥିଲେ । ଏହାକୁ କେତେକ ତାଙ୍କର ଅହମିକା ବୋଲି ବିଚାର କରିବା ସ୍ଵାଭାବିକ; କିନ୍ତୁ ଏହା ପ୍ରକୃତରେ ତାଙ୍କର ଭାଷା ପ୍ରୀତି ଥିଲା” ।

ପ୍ରଫେସର ଗୋଲୋକ ବିହାରୀ ଧଳ ଯେତେ ସବୁ ପୁସ୍ତକ ରଚନା କରିଛନ୍ତି, ସେଥିମଧ୍ୟରୁ ଭାଷା ଓ ଧ୍ଵନିତତ୍ତ୍ଵ ସମ୍ପର୍କିତ ରଚନା ସମୂହ ହେଉଛି — ମଣିଷର ଭାଷା, ପେଟର ପବନ ପାଟିର କଥା, ଇଂରାଜୀ ଉଚ୍ଚାରଣ ଶିକ୍ଷା, ଗାନ୍ଧିଜୀ ଓ ଭାଷା ସମସ୍ୟା, ଧ୍ଵନି ବିଜ୍ଞାନ ( हिंदी ), ଧ୍ଵନି ବିଜ୍ଞାନ (ଓଡ଼ିଆ), ଭାଷା ଶାସ୍ତ୍ର ପରିଚୟ, Aspiration in Oriya ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରବନ୍ଧ । ସେ ମଣିଷର ଭାଷାକୁ ପ୍ରାଣବନ୍ତ କରି ହସେଇ ରସେଇ ପ୍ରକାଶ କରିବାରେ ଥିଲେ ସିଦ୍ଧହସ୍ତ । ତାଙ୍କର ଗ୍ରନ୍ଥ ସମ୍ପର୍କରେ ବିଶିଷ୍ଟ ଜନସେବକ, କବି, ସ୍ବଦେଶପ୍ରେମୀ, ଗୋଦାବରୀଶ ମିଶ୍ର କହନ୍ତି, “ଲେଖକ ପୃଥିବୀର ନାନା ଭାଷାରୁ ଉପାଦାନ ଆଣି ସେ ସବୁର ତୁଳନାତ୍ମକ ଚିତ୍ର ଏଥିରେ ଦେଖାଇଛନ୍ତି। ଏହା ତାଙ୍କ ପାଣ୍ଡିତ୍ୟର ଯେପରି ପରିଚୟ ଦେଉଛି , ତାହା ତାଙ୍କ ଚିତ୍ରଣ ଶକ୍ତିର ସ୍ଵରୂପ ପ୍ରକାଶ କରୁଛି । ସେ ଗୋଟିଏ କଠିନ ବିଷୟର ଆଲୋଚନାରେ ହାତ ଦେଇ ତାକୁ ଅତି ସହଜ ରୂପରେ ବୁଝାଇଛନ୍ତି ଓ ସମସ୍ତଙ୍କ ବୁଝିବା ନିମନ୍ତେ ଚିତ୍ରକାଟି ଜଟିଳ ଭାବକୁ ସରଳ କରିଛନ୍ତି ।”

ସାଧାରଣ ଲୋକଙ୍କ ମୁହଁରୁ ଭାଷା ଛଡ଼ାଇ ନେଇ ତାକୁ ଉଚ୍ଚକୋଟୀର ସାହିତ୍ୟରେ ପରିଣତ କରିବା ହେଉଛି ତାଙ୍କର ଅସାଧାରଣ ପ୍ରତିଭା । ସେଇଥିପାଇଁ ତାଙ୍କର ରଚନା ସମୂହ, ବିଷୟ ନିର୍ବାଚନ, କଥାର ଶିରୋନାମା ସବୁ କିଛି ବିସ୍ମୟ ବୋଧ ହୁଏ ।
ଭ୍ରମଣ କାହାଣୀ ଆମେରିକା ଅନୁଭୂତି, ଲଣ୍ଡନ ଚିଠି ଓଡ଼ିଆ ଭ୍ରମଣ ସାହିତ୍ୟରେ ସ୍ଵତନ୍ତ୍ର ସ୍ଥାନ ବାଛିନିଏ ଏଇଥି ପାଇଁ । କେତେ ସରଳ ଲୋକ ଭାଷାରେ ଲିଖିତ ଅମର ମଣିଷ, ଗଙ୍ଗାରୁ ଗୋଦାବରୀ, ଓଡି଼ଆ କେବେ?, ବନ୍ଦୀ ନେହେରୁ । ପ୍ରେମଚନ୍ଦଙ୍କ ଗୋଦାନ ଅନୁବାଦ ମଧ୍ୟ ଗୋଲୋକ ବିହାରୀ ଧଳଙ୍କର ଏକ ଶ୍ରେଷ୍ଠ ଉଦାହରଣ, ଅନୁବାଦ କ୍ଷେତ୍ରରେ । ବିଶେଷ କରି ତାଙ୍କ ସାହିତ୍ୟର ଭାଷା ସିଧାସଳଖ ପାଠକର ହୃଦୟରେ ପହଞ୍ଚି ଥାଏ । ଥରେ ପଢ଼ିଲା ପରେ ତାହା ଯେମିତି ସ୍ମୃତିରେ ଜମାଟ ବାନ୍ଧିଯାଏ । ଅମର ମଣିଷ ପୁସ୍ତକରେ ସ୍ଥାନିତ ହୋଇଥିବା ମହାପୁରୁଷ ମାନଙ୍କର ଜୀବନୀର ଶିରୋନାମା ହିଁ ଗୋଲୋକ ବିହାରୀୟ ସ୍ଵାତନ୍ତ୍ର୍ୟ ! କେତେ ମନକୁ ଛୁଇଁ ପାରେ ସତେ ହଠାତ୍ ଲେଖାମାନଙ୍କର ଶିରୋନାମା ଦେଖିବା ପରେ ! ଯେପରି କି,
* ବାପ ଯାର ମୂଲିଆ, ସେ ପୁଣି କୋଟି ଲୋକର ମାଲିକ;
* ଆଠ ଟଙ୍କିଆ କୁଲିର ଅଠର ମହଲା କୋଠା;
* ଦୁନିଆ ଯାର ସ୍ତାବକ, ବେଙ୍ଗ ତାର ସାଥୀ;
* ଆଗ ଧାଡ଼ିର ସେ ଆଗୁଆ ସେନାପତି;
* ପାଳଗଦାରେ ଚଢ଼ି ଯେ ପାରାଙ୍କୁ ବକ୍ତୃତା ଦିଏ;
* ଦାସୀର ପୁଅ ଦୁନିଆ ଆଖିରେ ଆଲୁଅ ଜାଳେ;
* କଟକର ସରଳ ବାଳକ ଭାରତର ଓ୍ୱାଶିଂଟନ;
(ଏମିତି ଅନେକ କିଛି )ମାତୃଭାଷା ପ୍ରତି ଯଥେଷ୍ଟ ସମ୍ମାନବୋଧ ଥିଲା ଗୋଲୋକ ବିହାରୀ ଧଳଙ୍କର । ଭାଷା ଗବେଷଣା ତାଙ୍କର ବ୍ୟାପକ ଓ ଅତଳସ୍ପର୍ଶୀ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତା ସହ ଚିହ୍ନାଇବାକୁ ସେ ଥିଲେ ଶପଥିକୃତ । ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଓଡ଼ିଆ ଭାଷା ଓ ଧ୍ଵନିତତ୍ତ୍ଵ ବିଷୟରେ ଯାହା ଦେଇ ଯାଇଛନ୍ତି ଆମ ଜାତିକୁ, ତାହା ଆମର ଏକ ଜାତୀୟ ସମ୍ପତ୍ତି ହୋଇ ରହିଥିବ କାଳକାଳକୁ । ‘ଅନ୍ତରଙ୍ଗ କଳିଙ୍ଗ’ ତା’ର ଓଳିଗି ନମସ୍କାର ଜଣାଉଛି ସେହି ମହାନ ସାହିତ୍ୟିକଙ୍କୁ ।
ତଥ୍ୟ: ପ୍ରଫେସର ଗୋଲୋକ ବିହାରୀ ଧଳ ସ୍ମାରକୀ ଗ୍ରନ୍ଥ;
ଡଃ ବାଉରୀବନ୍ଧୁ କର; ସୁରେନ୍ଦ୍ର ମହାରଣା;
ପୁସ୍ତକ ‘ଅମର ମଣିଷ’ ଓ ‘ଓଡ଼ିଆ କେବେ?’
Goloka Bihari Dhal © Niranjan Sahu
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago