ଲେଖା: ନିରଞ୍ଜନ ସାହୁ

୧୯୩୪ ମସିହା ମଇ ମାସ ୩୧ ତାରିଖର ରୌଦ୍ରଦଗ୍ଧ ମଧ୍ୟାହ୍ନ । ଯାଜପୁର ବରୀ ଅଞ୍ଚଳର ବାଗଦା ଗ୍ରାମର ଚୌଧୁରୀ ବାମନ ଚରଣ ଦାସଙ୍କ ଚଉପାଢ଼ୀ । ସେତେବେଳର ଲଙ୍ଗଳା ଫକୀର ବାପୁଜୀ ବିଶ୍ରାମ ନେଉଥାନ୍ତି ଚଉପାଢ଼ୀ ଉପରେ । ଟିକେ ଦୂରରେ ଥାଆନ୍ତି ଓଡ଼ିଆ ଜାତିର ଚିର ନମସ୍ୟ ଗୋପବନ୍ଧୁ ଚୌଧୁରୀ, ପୂଜ୍ୟା ମା’ ରମାଦେବୀ ଓ ତାଙ୍କ ଗହଣରେ ଥିବା ଅନ୍ୟାନ୍ୟ ସତ୍ୟାଗ୍ରହୀଗଣ। ଗାନ୍ଧୀଜୀଙ୍କ ନିକଟରେ କିନ୍ତୁ ବସିଥାନ୍ତି ୧୮ ବର୍ଷୀୟା କିଶୋରୀ ଜଣେ । ହାତରେ ତାଙ୍କର ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଏବଂ ବାପୁଜୀଙ୍କ ହାତରେ ଗୋଟିଏ ସିଲଟ ଓ ମାଟିଖଡ଼ି । ସମସ୍ତଙ୍କ ଦୃଷ୍ଟି ସେଇଆଡ଼େ । ଆଶ୍ଚର୍ଯ୍ୟ ଲାଗୁଥାଏ ଉପସ୍ଥିତ କର୍ମୀ ଓ ଗାନ୍ଧୀଙ୍କୁ ଟିକେ ଦୂରରେ ରହି ଦେଖିବାକୁ ଆସୁଥିବା ସେହି ଅଞ୍ଚଳର ଲୋକମାନଙ୍କୁ । ଅବିଚଳିତ ଭାବେ କିନ୍ତୁ ପଢ଼ାଇ ଚାଲିଥାଏ ସେହି ଝିଅଟି ଗାନ୍ଧୀଜୀଙ୍କୁ ଓଡ଼ିଆ ବର୍ଣ୍ଣମାଳାର ‘ଅ ଠାରୁ କ୍ଷ’ ପର୍ଯ୍ୟନ୍ତ । ଶିଶୁର ପ୍ରିୟ ଖେଳନା ପରି ବହି ଓ ସିଲଟକୁ ଧରି ଗାନ୍ଧୀଜୀ ପୃଷ୍ଠା ଓଲଟାଇବା ସହ ଲେଖି ଚାଲିଥାନ୍ତି ଅକ୍ଷର ଓ ମାତ୍ରାଗୁଡ଼ିକୁ । ମଝିରେ ମଝିରେ ହାତ ଧରି ଅକ୍ଷର ମଡ଼ାଇବା ଶିଖାଉଥାଏ ସେହି ୧୮ ବର୍ଷୀୟା କିଶୋରୀ ଶିକ୍ଷୟିତ୍ରୀ, ଗାନ୍ଧୀଙ୍କ ଓଡ଼ିଆ ଭାଷା ଶିକ୍ଷାର ମାଷ୍ଟ୍ରେ ଗୋଦାବରୀ ଦେବୀ (ଦାସ )!


ଗୋଦାବରୀ ଦେବୀ – ଓଡ଼ିଶାର ଇତିହାସରେ ଯେମିତି ଲୁପ୍ତ ହୋଇଯାଇଛି ଏପରି ଜଣେ ସ୍ଵାଧିନଚେତା, ସଂଗ୍ରାମୀ ଓ ଦେଶ ସ୍ଵାଧୀନତା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିବା ମହିଳାଙ୍କ କଥା ! ତାଙ୍କ କଥା ଆଜି ସୀମିତ ହୋଇଯାଇଛି ଅଳ୍ପ କେତେଖଣ୍ଡି ପୁସ୍ତକ ମଧ୍ୟରେ ! ତେବେ ସେହି ମହିୟସୀ ଗୋଦାବରୀ ଦେବୀ ଓଡ଼ିଶା ଭୂଖଣ୍ଡରେ ଅନ୍ୟତମ ଯଶୋଦେହେ ଆୟୁଷ୍ମତୀ । ସେବାର ସତ୍ୟନିଷ୍ଠ ପୂଜାରିଣୀ ମା’ ରମାଦେବୀଙ୍କର ସେ ଥିଲେ ‘ସୁନାନାକୀ ଝିଅ’ । ଅନେକ ଝିଅ ତ ଥିଲେ ରମାଦେବୀଙ୍କର ! ହେଲେ ଗୋଦାବରୀ ଦେବୀ ଥିଲେ ଅନନ୍ୟା, ନ ହେଲେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପରି ଛାତ୍ରଟିଏ ପାଇବା କ’ଣ ସହଜ ? ସେଥିପାଇଁ ମା’ ରମାଦେବୀଙ୍କ ଅସଂଖ୍ୟ ଝିଅମାନଙ୍କ ପରିହାସ ଥିଲା, “ଆମେ ସମସ୍ତେ ପିତ୍ତଳ, ଗୋଦାବରୀ ଏକା ସୁନା !” 

ଯାଜପୁର ଜିଲ୍ଲାର କଲ୍ୟାଣପୁର ଗାଁ । ସେହି ଗାଁର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଏହି ଝିଅ ୧୯୧୬ ମସିହା ଜୁନ୍ ମାସରେ,  ପିତା ବାଞ୍ଛାନିଧି ଦାସ ଓ ମାତା ହୀରାମଣି ଦେବୀଙ୍କ ଔରସରୁ । ଛଅ ବର୍ଷ ବୟସରେ ଆରମ୍ଭ କଲେ ପ୍ରାଇମେରୀ ଶିକ୍ଷା । ସ୍କୁଲ ପାଠପଢ଼ାରେ ଯେତିକି ଧ୍ୟାନ ରହିଲା, ତତୋଧିକ ରହିଲା ସୂତାକଟା କାର୍ଯ୍ୟରେ । ପଡ଼ୋଶୀ ଥିଲେ ସ୍ଵାଧୀନତା ସଂଗ୍ରାମୀ ଅଦ୍ଵୈତ ଚରଣ ଦାସ ଓ ରଘୁନାଥ ଦାସ । ସେମାନଙ୍କ ଚାଲିଚଳନ, ଦେଶ ଚିନ୍ତା ପ୍ରଭାବିତ କଲା ସେହି କିଶୋରୀଙ୍କୁ । ରକ୍ଷଣଶୀଳ ପରିବାରର ଚଳଣୀକୁ ନେଇ ଆଉ ଅଧିକ ପାଠ ପଢ଼ିବାକୁ ସୁଯୋଗ ମିଳିଲା ନାହିଁ । ଘରେ ରହି ନିଜ ଚେଷ୍ଟାରେ ଓଡ଼ିଆ, ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଭାଷାକୁ ଆୟତ୍ତ କରିନେଲେ ଅବଶ୍ୟ ।


ସଂଗ୍ରାମୀ ଅଦ୍ଵୈତ ଚରଣ ଦାସଙ୍କ ଅନୁରୋଧ କ୍ରମେ ଏଯୁଗର ଅନ୍ୟତମ ସନ୍ଥ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ସତ୍ୟାଗ୍ରହୀଗଣ ୧୯୩୦ ମସିହାରେ ପହଞ୍ଚିଲେ କଲ୍ୟାଣପୁର ଗାଁରେ, ଲବଣ ସତ୍ୟାଗ୍ରହ ସକାଶେ ଲୋକ ଜାଗରଣ ସୃଷ୍ଟି କରିବା ସହ କର୍ମୀ ଯୋଗାଡ଼ କରିବାକୁ । ଗାଁ ଦାଣ୍ଡରେ ଲୋକ ଭରପୂର । ଭିଡ଼ ଭିତରୁ ଆଗକୁ ବାହାରି ଆସି  ୧୨/୧୩ ବର୍ଷର ଝିଅ ଗୋଦାବରୀ ଫୁଲମାଳଟିଏ ଲମ୍ବାଇ ଦେଲେ ଆଚାର୍ଯ୍ୟ ମହାଶୟଙ୍କ ବେକରେ । କଥା ସରିଗଲା ! ଗାଁ ଲୋକେ ଧରି ନେଲେ, ଏହା ତ ଏକ ଗର୍ହିତ କାର୍ଯ୍ୟ ! ଅବିବାହିତା ଝିଅଟା କେମିତି ଦେଇପାରିବ ପର ପୁରୁଷ ବେକରେ ଫୁଲମାଳ ?

ଏହି ଘଟଣାର କିଛି ଦିନ ପରେ ମା’ ରମାଦେବୀଙ୍କ ସହ ଭଦ୍ରକର କୋକିଳ ଦେବୀ ପଦବ୍ରଜରେ ବରୀ ଆଶ୍ରମରୁ ଗାଁ ଗାଁ ବୁଲି ଦେଶକୁ ସ୍ବାଧୀନ କରିବାର ବାର୍ତ୍ତା, ଲବଣ ସତ୍ୟାଗ୍ରହ କଥା ପ୍ରଚାର କରି କରି ପହଞ୍ଚିଥିଲେ କଲ୍ୟାଣପୁର ଗାଁରେ। ନାରୀ ମାନଙ୍କୁ ଆହ୍ଵାନ ଦେଲେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବାକୁ ଓ ସୂତା କାଟିବାକୁ । ସେହି ଗାଁର ଚାକିରୀ ଛାଡ଼ି ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା ଲାଲବିହାରୀ ପଟ୍ଟନାୟକଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ଦେବୀ ବାହାରି ଆସିଲେ ସେବା ଦଳରେ ସ୍ଵେଚ୍ଛାସେବିକା ଭାବେ ତାଲିମ ନେଇ ଦେଶ ପାଇଁ କାମ କରିବାକୁ । ଏକଥା କାନରେ ପଡ଼ନ୍ତେ ଗୋଦାବରୀ ଦେବୀ ବାହାରି ଆସିଲେ । ପଛେ ପଛେ ବାପା ବାଞ୍ଛାନିଧି ବାବୁ । ଝିଅକୁ ଜବରଦସ୍ତି ସେଠାରୁ ନେଇ ଆସି ଘରେ ଚାବି ଦେଇ ରଖିଦେଲେ । ସ୍ଵେଚ୍ଛାସେବୀ ତାଲିମ ନେବାକୁ କିନ୍ତୁ ଜିଦ୍ ଧରିଲେ ଗୋଦାବରୀ ଏବଂ ଖିଆପିଆ ଛାଡ଼ି ଦେଇ ଘରେ କାନ୍ଦି କାନ୍ଦି ରହିଲେ । ଆଠ ଦଶ ଦିନ ପରେ ଘରୁ ଲୁଚି ଲୁଚି ପହଞ୍ଚିଗଲେ ବିଷ୍ଣୁପ୍ରିୟା ଦେବୀଙ୍କ ପାଖରେ । ତାଙ୍କ ଦାଦା ସାଙ୍ଗରେ ୭/୮ ଜଣ ଲୋକ ଧରି ସେହି ସ୍ଥାନରୁ ଘୋଷାଡ଼ି ଘୋଷାଡ଼ି ଏବଂ ବିଧା ଚାପୁଡ଼ା ମାରି ନେଇ ଆସିଲେ ଘରକୁ, ଚାବି ଦେଇ ଘରେ ନଜରବନ୍ଦୀ ଭାବେ ରଖିଲେ । ସେବେଠାରୁ ଅନ୍ନଜଳ ସ୍ପର୍ଶ କଲେ ନାହିଁ ଆଉ !


ଏ ଖବର ବ୍ୟାପି ଯାଇ ବରୀ ଆଶ୍ରମରେ ମା’ ରମାଦେବୀଙ୍କ ପାଖରେ ପହଞ୍ଚିଲା । ଏ ଘଟଣାରେ ବ୍ୟଥିତ ହୋଇ ରମାଦେବୀ ଚିଠି ଲେଖି ପଠାଇଲେ ଗୋଦାବରୀଙ୍କ ବାପା ବାଞ୍ଛାନିଧି ଦାସଙ୍କ ପାଖକୁ । ଚିଠି ପଢ଼ି ବାପା ଉତ୍ତର ରଖିଲେ — “ଯଦି ରମାଦେବୀଙ୍କ  ତତ୍ତ୍ଵାବଧାନରେ ମୋ ଝିଅ ରହିବ, ତେବେ ମୋ’ର ଆପତ୍ତି ନାହିଁ । ମୁଁ ତାକୁ ଘରୁ ଛାଡ଼ିଦେଇ ପାରିବି ।”

କେତେ ଭରସା ସତେ ମା’ ରମାଦେବୀଙ୍କ ଉପରେ !

ବରୀ ଆଶ୍ରମରେ ପହଞ୍ଚି ନିଜକୁ ସମ୍ପୂର୍ଣ୍ଣ ରୂପେ ସ୍ଵରାଜ ଆନ୍ଦୋଳନରେ ସାମିଲ କରିଦେଲେ ଗୋଦାବରୀ ଦେବୀ । ୧୯୩୨ରୁ ୧୯୩୪ ଦୁଇ ବର୍ଷ ପାଦରେ ଚାଲି ଚାଲି, ଗାଁ ଗାଁ ବୁଲି ସ୍ଵାଧୀନତା ଆନ୍ଦୋଳନର ବାର୍ତ୍ତା ପ୍ରଚାର କଲେ । ନିଜେ ଖଦୀ ବୁଣିଲେ । ଚାରିଆଡ଼େ ଖଦୀ ବୁଣିବା, ଅରଟ ଚଳାଇ ସୂତା କାଟିବା, ଛୁଆଁଅଛୁଆଁ ଭେଦଭାବ ଦୂର କରିବା ପାଇଁ ଲୋକମାନଙ୍କୁ ବୁଝାଇଲେ । ହରିଜନ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କଲେ । ମା’ ରମାଦେବୀଙ୍କ ପାଖାପାଖି ରହି ସବୁ କିଛି ତଦାରଖ କରୁଥିଲେ । ଗାନ୍ଧୀଜୀଙ୍କ ଓଡ଼ିଶା ପଦଯାତ୍ରା ବେଳେ ସଭାସ୍ଥଳରେ ଆଗରୁ ପହଞ୍ଚି ସ୍ଵେଚ୍ଛାସେବୀ ଭାବେ ସମସ୍ତ କାର୍ଯ୍ୟ କରୁଥିଲେ । 

୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନ ତେଜି ଉଠିଥାଏ । ଗାନ୍ଧୀଜୀଙ୍କ ଏହି ଡାକରାର ପରଦିନ ବରୀ ଆଶ୍ରମ ନିକଟରେ ଥିବା ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ପ୍ରତିଷ୍ଠିତ ସେବା ଘର ବନ୍ଦ କରିବାକୁ ପହଞ୍ଚି ଗଲେ ପୋଲିସ୍ । ଗିରଫ ହେଲେ ଗୁଣନିଧି ମହାନ୍ତି ଓ ମଙ୍ଗଳା ଦେବୀ । ଘର ଭିତରେ ବସି ରହିଲେ ଗୋଦାବରୀ ଦେବୀ । ପୋଲିସ ସହ ବାକ୍-ଯୁଦ୍ଧ କଲେ ଏକୁଟିଆ ବସି ରହି। ସେବାଘର ଥିଲା ଝାଟିମାଟି ଘର, ନଥିଲା କବାଟ, ଲାଗିଥିଲା ବାଉଁଶ ତାଟି କବାଟ । ଶିକୁଳି ନାହିଁ । ତେଣୁ ପୋଲିସ ଦ୍ବାରା ଚାବି ଦେବା ନୋହିଲା, ଦଖଲ ହୋଇ ପାରିଲା ନାହିଁ ସେବା ଘର ।

ପରେ ୧୯୪୨ର ଆନ୍ଦୋଳନ ଆହୁରି ତୀବ୍ରତର ହେଲା । ଗୋଦାବରୀ ଦେବୀ ଗିରଫ ହୋଇ ଜେଲରେ ରହିଲେ । ଏହି ସମୟ ପୂର୍ବରୁ ବହୁ ଯୁବକଯୁବତୀମାନଙ୍କୁ ଦେଶସେବା ପାଇଁ ଉତ୍ସାହିତ କରି ଟାଣି ଆଣିଥିଲେ ସ୍ଵାଧୀନତା ସଂଗ୍ରାମକୁ ଏହି ମହିୟସୀ । ୧୯୪୭ରେ ଦେଶ ସ୍ଵାଧୀନ ହେବାପରେ ଅନ୍ୟମାନଙ୍କ ପରି ସ୍ଵପ୍ନ ସାକାର ହୋଇଗଲା ମହିୟସୀ ଗୋଦାବରୀ ଦେବୀଙ୍କର । ଏହା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ଗୋଦାବରୀ ଦେବୀ, ବାଲେଶ୍ଵର ନିବାସୀ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଶ୍ରୀ ରବୀନ୍ଦ୍ରମୋହନ ଦାସଙ୍କ ସହ । ଜୀବନର ଶେଷ ପର୍ଯ୍ୟନ୍ତ ସମାଜ ସେବାରେ ବ୍ରତୀ ରହିଥିଲେ ସ୍ଵାମୀଙ୍କ ସହିତ । ୧୯୯୬ ମସିହା ଜୁନ୍ ମାସ ୩୦ ତାରିଖ ଦିନ ଏହି ମହିୟସୀ ଗୋଦାବରୀ ଚିରନିଦ୍ରାରେ ଶୋଇଗଲେ । ଅମଳିନ କୀର୍ତ୍ତିର ପ୍ରତିମା, ଜାତିର ଜନକଙ୍କ ଓଡ଼ିଆ ଶିକ୍ଷୟିତ୍ରୀ, ଯଶୋଦେହେ ଆୟୁଷ୍ମତୀ ଗୋଦାବରୀ ଦେବୀ ସର୍ବଦା ଅମର ହୋଇ ରହିଥିବେ ।

ଆଧାର: ନୃସିଂହ ଚରଣ ସାହୁ କୃତ “ଆମେ ଓଡ଼ିଆ“; ସ୍ଵର୍ଗତ ବାମନ ଚରଣ ଦାସଙ୍କ ପ୍ରପୌତ୍ର

ଫଟୋ:  ଆନନ୍ଦ ସିଂ, ବାଗଦା ଗ୍ରାମର ଚଉପାଢ଼ୀର ଭଗ୍ନାବଶେଷ (ଗାନ୍ଧୀଙ୍କ ଓଡ଼ିଆ ଭାଷାଶିକ୍ଷା ସ୍ଥାନ) 

Niranjan Sahu

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

4 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago