ଲେଖା: ନିରଞ୍ଜନ ସାହୁ

ପାଠପଢା ମାତ୍ର ପଞ୍ଚମ ଶ୍ରେଣୀ । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପାଇଛନ୍ତି ‘ରାଷ୍ଟ୍ରବୀର’ ସମ୍ମାନ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦେଇଛନ୍ତି ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି, ମାନ୍ୟବର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଇଛନ୍ତି ତାମ୍ରଫଳକ ସହ ପ୍ରଶସ୍ତି ପତ୍ର, ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ପରିଷଦ, କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ବହୁ ସାଂସ୍କୃତିକ ଅନୁଷ୍ଠାନ ତାଙ୍କୁ ବହୁବାର ସମ୍ମାନିତ କରିଛନ୍ତି । ଏସବୁର ଉର୍ଦ୍ଧ୍ବରେ ସେ ବିଦିତ ହୋଇଛନ୍ତି ଓଡ଼ିଶାର ପୁରପଲ୍ଲୀରେ ମଦର ଟେରେସା ଭାବରେ ଏବଂ ବିଶେଷ କରି ଅନାଥ, ଅସହାୟ, ନିର୍ଯ୍ୟାତିତ ମଣିଷ ମାନଙ୍କର ଆଦରଣୀୟା ପ୍ରଭାନାନୀ ଭାବେ ପରିଚିତ ।

ପଶ୍ଚିମ ଓଡ଼ିଶାର ପ୍ରଭାନାନୀ ହିଁ ଆମ ଓଡ଼ିଶାର ପୂଜ୍ୟା ମା’ ପ୍ରଭାବତୀ ଦେବୀ । ବରଗଡ଼ ଜିଲ୍ଲାର ଦାଶପଡ଼ା ଗାଁ । ୧୯୦୯ ମସିହାରେ ଏକ ବ୍ରାହ୍ମଣ ପରିବାରରେ ଧନପତି ଦାଶ ଓ ମାଣିକ୍ୟ ଦେବୀଙ୍କ ଔରସରୁ ଜାତ । ନଅ ବର୍ଷ ବୟସରେ ବିବାହ, ଦଶ ବର୍ଷ ବୟସରେ ବିଧବା । ସେହି ଦିନଠାରୁ ଗୋଟିଏ ରକ୍ଷଣଶୀଳ ବ୍ରାହ୍ମଣ ପରିବାରର ନିୟମ ଅନୁଯାୟୀ ରଙ୍ଗୀନ ଲୁଗାର ସ୍ଥାନ ଅଧିକାର କରି ନେଲା ମୋଟା ଧଳାଶାଢ଼ୀ । ଖାଦ୍ୟ ହୋଇଗଲା ଆମିଷ ହୀନ, ସମୟ କଟିଲା ପୁରାଣପାଠ ଓ ପୂଜାର୍ଚ୍ଚନାରେ । ପାଠପଢ଼ାରେ ଡୋରି ବନ୍ଧା । ସମ୍ମୁଖରେ କେବଳ ଶୂନ୍ୟତା, ସମାଜରେ, ଗାଁରେ କୋଣଠେସା ଏବଂ ପରିବାରରେ ନିର୍ଯ୍ୟାତନା ଓ ଖୁଣ୍ଟାଦିଆ । ତେବେ ବସି ରହିବା ସାର ହେଲା ଶାଶୁଘର ନାଏକପଡ଼ା ଗାଁରେ । ସ୍ଵାମୀ ଓ ସନ୍ତାନହୀନ ପ୍ରଭାବତୀ ନା ସ୍ଵାମୀସୁଖ ନା ସନ୍ତାନସୁଖ, ନା ପରିବାରସୁଖ ପାଇଲେ, ବରଂ ଭର୍ତ୍ସନା ଥିଲା ଭାଗ୍ୟରେ । ଏସବୁ ସତ୍ତ୍ୱେ ବାଲ୍ୟକାଳରୁ ମହାନ ଗୁଣ ଥିଲା ତାଙ୍କର ଅନ୍ୟମାନଙ୍କ ଦୁଃଖରେ ସହଭାଗିତା, ପରକୁ ଆପଣାର କରିବା, ଅନାଥ ଓ ଅସହାୟଙ୍କ ପାଖରେ ପହଞ୍ଚିଯାଇ ସାନ୍ତ୍ଵନା ଦେବା ।

ସେହି ସମୟରେ ବାପୁଜୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଵାଧୀନତା ସଂଗ୍ରାମୀମାନେ ଜନମତ ସୃଷ୍ଟି କରିବା ପାଇଁ ଗାଁ ଗାଁ ଯାଉଥାନ୍ତି । ଏହା ପଛରେ ରହିଥାଏ ପଚିଶ ପଇସିଆ ଚାନ୍ଦା ଓ ସଭ୍ୟ ସଂଗ୍ରହ, ଫଳରେ ଜାଣିବାକୁ ମିଳିବ ପ୍ରକୃତରେ କେତେ ଲୋକ ସ୍ଵାଧୀନତା ପାଇଁ ଆଗ୍ରହୀ ତଥା ଆଗାମୀ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେବାକୁ ସ୍ଵେଚ୍ଛାକୃତ ଭାବେ ଆଗେଇ ଆସିବେ । ବରଗଡ଼ ଅଞ୍ଚଳରେ ଏହାର ଦାୟିତ୍ବ ନେଇଥାନ୍ତି ସମ୍ବଲପୁରର ନିର୍ଭୀକ ସ୍ଵାଧୀନତା ସଂଗ୍ରାମୀ ଫକୀର ବେହେରା ମହୋଦୟ । ଏମିତି ନାଏକପଡ଼ା ଗାଁରେ ପହଞ୍ଚି ଗାଁ ଦାଣ୍ଡରେ ବୁଲି ବୁଲି ଏ କାର୍ଯ୍ୟ କରୁଥାନ୍ତି ସେ । କବାଟ କୋଣରେ ଲୁଚି ଲୁଚି ଫକୀର ବେହେରାଙ୍କ କଥା ଶୁଣିପାରିଲେ କିଶୋରୀ ପ୍ରଭାବତୀ । ଦେଶସେବା, ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବାକୁ ମନ ବଳାଇଲେ । ହେଲେ ବାହାରକୁ ଗୋଡ଼ ବା କାଢ଼ି ହେଉଛି କୁଆଡ଼ୁ ?

ତଥାପି ଏରୁଣ୍ଡି ବନ୍ଧ ଡେଇଁଲେ ଦିନେ . .

ବାହାଘର ପର ଠାରୁ ଦୀର୍ଘ ଅଠର ବର୍ଷ କାଳ ଘରେ ବସି ରହି କେବଳ ସମାଜ ଓ ଦେଶ କଥା ଭାବି ଭାବି ସମୟ ବିତାଉଥିବା ପ୍ରଭାବତୀ ସମାଜସେବା ପାଇଁ ପ୍ରତିଜ୍ଞା କରିଥିଲେ ମଧ୍ୟ ସାମାଜିକ ବ୍ୟବସ୍ଥା କଣ୍ଟା ସାଜିଥିଲା । ସେତେବେଳେ ତାଙ୍କୁ ଅଠେଇଶି ବର୍ଷ ଅର୍ଥାତ୍ ୧୯୩୭ ମସିହା । ଗୋଟିଏ ଦିନର କଥା । ସଂଗ୍ରାମୀ ମାଳତୀ ଚୌଧୁରୀ ଜୀରା ନଦୀର ବାଲୁକା ଶଯ୍ୟାରେ ସଭା କରୁଥିବା ଖବର ମିଳିଲା । ଗାଁ ମାଇପି ମାନେ ଦଳ ଦଳ ହୋଇ ଚାଲିଲେ ସଭାକୁ । ତାଙ୍କ ସହ ବାହାରିଲେ ତରୁଣୀ ପ୍ରଭାବତୀ, ମାଳତୀ ଦେବୀଙ୍କ ଭାଷଣ ଶୁଣିବାକୁ । ଟିକେ ଦୂରରେ ବସି ରହି ମାଳତୀ ଚୌଧୁରୀଙ୍କ ଜ୍ଵାଳାମୁଖୀ ଭାଷଣ ଶୁଣିଲେ । ଏକାକିନୀ ହୋଇ ବସିଥିବାର ଦେଖି ମାଳତୀ ଦେବୀ ପ୍ରଭାବତୀଙ୍କ ପାଖକୁ ଆସି ସବୁ କଥା ବୁଝିଲେ । ଦେଶକାମ ପାଇଁ ତାଙ୍କର ପ୍ରବଳ ଆଗ୍ରହ ଦେଖି, ତାଙ୍କୁ ବରୀ ଆଶ୍ରମକୁ ପଠାଇଦେବା ପାଇଁ ସ୍ଥିର କଲେ ସେଇଠି । ତାଙ୍କ ଶାଶୁଘର ଲୋକଙ୍କ ସହ ଆଲୋଚନା କରିବା ପରେ ସମସ୍ତ ବନ୍ଦୋବସ୍ତ କରିଦେଲେ ବରୀ ଆଶ୍ରମରେ ଯୋଗ ଦେବା ପାଇଁ । ସଂଗ୍ରାମୀ ଫକୀର ବେହେରାଙ୍କ ସହ ଚାଲିଲେ ପ୍ରଭାବତୀ ଦେବୀ ଓ ପାର୍ବତୀ ଗିରି ।

~ ବରୀ ଆଶ୍ରମ ~
ସମାଜସେବା, ସ୍ଵାଧୀନତା ସଂଗ୍ରାମରେ ମନ ତ ଥିଲା ପୂର୍ବରୁ, ହେଲେ ସୁଯୋଗ ମିଳି ନଥିଲା । ମାଁ ରମାଦେବୀଙ୍କ ପାଖରେ ପହଞ୍ଚିବା ପରେ ସେଠାରେ ଆଶ୍ରମର ରୀତିନୀତି ସହ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗ ବାବଦରେ ବେଶ୍ କିଛି ଜ୍ଞାନ ଅର୍ଜନ କଲେ । ସେଠାରେ ପୁଣି ମିଶିଗଲେ ଗୋଦାବରୀ ଦେବୀ, ପାର୍ବତୀ ଗିରି, ପ୍ରିୟମ୍ବଦା ଦେବୀ, ଅନ୍ନପୂର୍ଣ୍ଣା ମହାରଣା ଇତ୍ୟାଦି ମହିୟସୀ ମା’ ମାନେ । ଏଇଠି ବିଭିନ୍ନ ରଚନାତ୍ମକ କାର୍ଯ୍ୟରେ ତାଲିମ ପାଇବା ଖୁବ୍ ସହଜ ହୋଇଗଲା ।

ତଥାପି ସାମାଜିକ ବନ୍ଧନ ଟଳିଲା ନାହିଁ !

ବରୀ ଆଶ୍ରମରୁ ଫେରିଆସି ସମ୍ବଲପୁର ଜିଲ୍ଲାକୁ କର୍ମକ୍ଷେତ୍ର ଭାବରେ ବାଛି ନେଇ ପହଞ୍ଚିଗଲେ ପୂଜ୍ୟା ପ୍ରଭାବତୀ ଦେବୀ ଦାଶପଡ଼ା ଓ ନାଏକପଡ଼ା ଗାଁରେ। ସେତେବେଳକୁ ପ୍ରଭାବତୀ ବରୀ ଯାଇ କାହା ସହ କୁଆଡ଼େ ଚାଲିଯାଇଛି ବୋଲି ଖଣ୍ଡମଣ୍ଡଳରେ ପ୍ରଚାର ହୋଇ ସାରିଥିଲା । “ଛି ଛି ବ୍ରାହ୍ମଣଘର ଝୁଅ, ପୁଣି ବିଧବା, ଜାତିଅଜାତି ମାନିଲା ନାହିଁ, ଗୋଟାଏ କାହା ସହ ପଳାଇଗଲା” — ଏହା ଥିଲା ସେ ଗାଁର ଲୋକଙ୍କ ମୁହଁର ଭାଷା । ପ୍ରଭାବତୀ ଆସି ଦେଖିଲେ, ବାପା ସମାଜରୁ ବାସନ୍ଦ, ଶାଶୁଘର ମୁହଁ ମୋଡ଼ି ଦେଇଛନ୍ତି କେବେଠାରୁ । ମନୋବଳ ଦୃଢ଼ ରହିଥାଏ କିନ୍ତୁ, ଅନ୍ୟ ପକ୍ଷରେ ବରୀ ଆଶ୍ରମର ତାଲିମ । ଆଉ ପଛକୁ କାହିଁକି ବା ଚାହିଁବେ ? ମନ ପ୍ରାଣ ଢାଳିଦେଇ ସ୍ଵାଧୀନତା ସଂଗ୍ରାମ ଓ ସେବାରେ ସମ୍ପୂର୍ଣ୍ଣ ଭାବେ ଝାସ ଦେଇଦେଲେ ।

~ ଦେଶ ଓ ଦଶ ପାଇଁ କାରାବରଣ ~
୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନ ବେଳକୁ ପ୍ରଭାବତୀ ଦେବୀ ବେଶ୍ ପରିଚିତି ଲାଭ କରିସାରିଥାନ୍ତି । ବାପୁଜୀ, ଜୟପ୍ରକାଶ ନାରାୟଣ, ବିନୋବା ଭାବେ ଓ କସ୍ତୁରବା ଗାନ୍ଧୀଙ୍କ ସହ କାମ କରିବାର ସୌଭାଗ୍ୟ ସେତେବେଳକୁ ମିଳିସାରିଥାଏ ତାଙ୍କୁ । ଅନ୍ୟ ପକ୍ଷରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀ ଚୌଧୁରୀ ଓ ସମ୍ବଲପୁରର ନୃସିଂହ ଗୁରୁ, ଦୟାନନ୍ଦ ଶତପଥି, ଘନଶ୍ୟାମ ଶତପଥୀ ଓ ଫକୀର ବେହେରା ପ୍ରମୁଖଙ୍କ ସହ ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇସାରିଥାନ୍ତି । ଏହି ସମୟରେ ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରି ଗିରଫ ହୋଇ ସମ୍ବଲପୁର ଜେଲରେ ମାତ୍ର ଛଅ ମାସ ପାଇଁ ରହିଲେ । ସେଠାରୁ ଖଲାସ ହୋଇ ପୁଣି ଆରମ୍ଭ କରିଦେଲେ ସଂଗ୍ରାମ । ସାତଦିନ ପରେ ପୁଣି ଗିରଫ ହୋଇ ସମ୍ବଲପୁର ଜେଲରେ ବନ୍ଦୀ ରହିଲେ ଛ’ ମାସ ଓ ସେଠାରୁ ସ୍ଥାନାନ୍ତରିତ କଟକ ଜେଲକୁ ଏକ ବର୍ଷ ପାଇଁ । ସେହି ସମୟରେ କଟକ ଜେଲରେ ଥାଆନ୍ତି ମା’ ରମାଦେବୀ, ମାଳତୀ ଚୌଧୁରୀ ପାର୍ବତୀ ଗିରି । ତେଣୁ କଟକ ଜେଲ୍ ହୋଇଗଲା ଭବିଷ୍ୟତର ରଚନାତ୍ମକ କାର୍ଯ୍ୟର ଏନ୍ତୁଡ଼ିଶାଳ !

~ ସ୍ଵାଧୀନତା ସଂଗ୍ରାମର ସ୍ମୃତି ତାଙ୍କ ଭାଷାରେ ~
“ଭାରତଛାଡ଼ ଆନ୍ଦୋଳନ ବେଳେ ପୋଲିସ ଜଣଙ୍କ ପରେ ଜଣଙ୍କୁ ଗିରଫ କରି ଗିରଫ କରି ଜେଲକୁ ନେଇ ଯାଉଥାଆନ୍ତି । ମୋତେ କିନ୍ତୁ ଗିରଫ କରୁନଥିବାରୁ ମୋ ମନରେ ଭାରି ଦୁଃଖ ଥାଏ । ଅନ୍ତର୍ଘାତି କାର୍ଯ୍ୟ କରୁଥିବା ରାସବିହାରୀ ଦାଶଙ୍କୁ ଏ ବାବଦରେ ପଚାରିଲି । ସେ କହିଲେ, ଆପଣ ଯଦି ଜେଲ୍ ଯିବା ପାଇଁ ଏତେ ବ୍ୟଗ୍ର, ତେବେ ମଦ ଦୋକାନ ଆଗକୁ ଯାଇ ପିକେଟିଂ କରନ୍ତୁ, ପୋଲିସ ଆପେ ଆପେ ବାନ୍ଧି ନେବ ।”

ତା’ପରେ ଦିନେ ପୋଲିସ ଆସି ସେବାଶ୍ରମରୁ ପ୍ରଭାବତୀଙ୍କୁ ଗିରଫ କଲା । ପ୍ରଭାଙ୍କ ଛାତି ଆନନ୍ଦେ ଫାଟି ପଡ଼ୁଥାଏ । ସାଙ୍ଗରେ ଚରଖା ନେଇ ସଙ୍ଗେ ସଙ୍ଗେ ବାହାରି ପଡ଼ିଲେ । କିନ୍ତୁ ସେତେବେଳେ ପୋଲିସ ଆଖିରେ ଲୁହ । ଘଟଣା କ’ଣ ତାହେଲେ ?  ବ୍ୟସ୍ତ ହୋଇ ପ୍ରଭାବତୀ ପୋଲିସକୁ ପଚାରିଲେ ଏବଂ ଉତ୍ତର ଆସିଥିଲା – “ଆମେ କେତେ ପାପୀ ! ଆପଣଙ୍କ ଭଳି ଦେଶସେବୀଙ୍କୁ ଗିରଫ କରି ଜେଲକୁ ନେଉଛୁ ।” ଏହି ସମୟରେ ଗୋଟିଏ ଶିଶୁର କାନ୍ଦ ଶୁଣି ପ୍ରଭାବତୀ ଦେବୀ ଫେରି ଆସି ଶିଶୁର ସେବା କରିବା ପରେ, ଆପଣା ଛାଏଁ ଜେଲ୍ ଗଲେ । ସେହି ଜେଲରେ ଦୁଇ ବର୍ଷ ପରେ ଛାଡ଼ ପାଇଲେ ।

~ ଜେଲ୍ ଜୀବନ ପରେ ~
କଟକ ଜେଲରୁ ଦୁଇ ବର୍ଷ ପରେ ଛାଡ଼ ପାଇଲେ ପ୍ରଭାବତୀ । ତାହା ଥିଲା ୧୯୪୪ ମସିହା ଜୁଲାଇ ମାସ । କଟକରୁ ବରଗଡ଼ ଚାଲିଲେ । ସେଠାରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପ୍ରହଲ୍ଲାଦ ରାୟ ଲାଠ ଏବଂ ତାଙ୍କର ସହଧର୍ମିଣୀ ରୁକ୍ମିଣୀ ଦେବୀ ଏକ ବଡ଼ ସଭାର ଆୟୋଜନ କରିଥାନ୍ତି । ବହୁ ସ୍ଵାଧୀନତା ସଂଗ୍ରାମୀ ବିଭିନ୍ନ ରଚନାତ୍ମକ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କଲେ । ପ୍ରଭାଙ୍କ ଉପରେ ନ୍ୟସ୍ତ ହେଲା ମାତୃମଙ୍ଗଳ ଓ ଶିଶୁକଲ୍ୟାଣ କାର୍ଯ୍ୟ । ସମ୍ବଲପୁର ବରଗାଁ ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀ ଜମି ଖଣ୍ଡିଏ ଯୋଗାଇ ଦେଲେ । ସେଇଠି ଆରମ୍ଭ ହେଲା ମାତୃମଙ୍ଗଳ କେନ୍ଦ୍ର । ବାରଜଣ ମହିଳା ପ୍ରଥମେ ଯୋଗ ଦେଇ ସୂତାକଟା ଆରମ୍ଭ କଲେ । ଏହା ସହ ପଡ଼ୋଶୀ ଗାଁର ଅସ୍ପୃଶ୍ୟ ପିଲା ମାନଙ୍କ ସେବା, ଶିକ୍ଷା ଓ ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇଗଲା । ୱର୍ଦ୍ଧା ସେବାଗ୍ରାମ ଯାଇ ବିଶେଷ ତାଲିମ ନେଇ ଫେରିଲେ ପ୍ରଭାବତୀ । ତାଲିମ ପରେ ମାତୃମଙ୍ଗଳ ଓ ଶିଶୁ କଲ୍ୟାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଲା ।

~ ବାଲ୍ ନିକେତନର ମା’ ~
ବରୀ ଆଶ୍ରମରେ ଯେଉଁ ଶିକ୍ଷା ପାଇଥିଲେ, ତାହା ସେଠାରେ ମହିଳାଙ୍କୁ ଶିଖାଇଲେ । ପୁଣି ୧୯୪୭ ମସିହାରେ ୱର୍ଦ୍ଧା ଯାଇ ପ୍ରସୂତି ବିଦ୍ୟା ହାସଲ କଲେ । କସ୍ତୁରବା ଟ୍ରଷ୍ଟ ପକ୍ଷରୁ ମାତୃମଙ୍ଗଳ ଓ ବାଲବାଡି଼ ଖୋଲିଲା । ସ୍ଵାଧୀନତା ସଂଗ୍ରାମୀ ପ୍ରହଲ୍ଲାଦ ରାୟ ଲାଠ ଦାନ କଲେ ଏକ ଲକ୍ଷ ଟଙ୍କା ସହ ଅନେକ ଆସବାବପତ୍ର, ୧୯୯୧ ମସିହାରେ । ରୁକ୍ମଣୀ ଦେବୀଙ୍କ ନାମରେ ନାମିତ ହେଲା ଏହି ଅନୁଷ୍ଠାନ ବରଗାଁ ନିକଟସ୍ଥ ଛଞ୍ଚାଣପଲ୍ଲୀ ଗ୍ରାମରେ । ସମ୍ବଲପୁରର ନଳିନୀ ଦେବୀ ଏକ ଏକର ଜମି ଯୋଗାଇ ଦେଲେ ନୂତନ ଭାବେ ଗଢ଼ିବା ପାଇଁ ବାଲବାଡ଼ି । ଓଡ଼ିଶା ସରକାର, କସ୍ତୁରବା ଟ୍ରଷ୍ଟ ଓ ବିଭିନ୍ନ ମହାନ ବ୍ୟକ୍ତିଙ୍କ ଅନୁଦାନରେ ୧୯୯୪ ମସିହାରେ ନିର୍ମିତ ହେଲା ନୂତନ ଗୃହ । ସମସ୍ତ ଦାୟିତ୍ବ ନେଲେ ପ୍ରଭାବତୀ ଦେବୀ ।

~ ମଦର ଟେରେସା ରୂପୀ ପ୍ରଭାବତୀ ଦେବୀ ~
ସମସ୍ତ ତ୍ୟାଗ, ସହାନୁଭୂତି ସହ ସେବା କାର୍ଯ୍ୟ ପାଇଁ ଆଗେଇ ଯାଉଥିଲେ ପ୍ରଭାବତୀ ଦେବୀ । ଅନାଥାଶ୍ରମର ଅନ୍ତେବାସୀ ମାନଙ୍କ ପାଇଁ ସେ ଥିଲେ ମାଁ । ନିଜ ହାତରେ ପିଲାଙ୍କ ମଳ, ମୂତ୍ର, କାଛୁ କୁଣ୍ଡିଆ ସଫାକରି ସେମାନଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଉଥିଲେ । ଜରାବ୍ୟାଧି ନିରାକରଣ ପାଇଁ ସାଇକେଲ ଚଢ଼ି ଗାଁକୁ ଗାଁ ବୁଲି ଲୋକଙ୍କ ଭଲମନ୍ଦ ବୁଝିବା ଥିଲା ତାଙ୍କର ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ । ପ୍ରସୂତି ସମୟରେ ସେ ପହଞ୍ଚିଯାଇ ହୋଇଯାଉଥିଲେ ଧାଈ । ତେଣୁ ସେ ଯେମିତି ଥିଲେ ପଶ୍ଚିମ ଓଡ଼ିଶାର ମଦର ଟେରେସା ।

ଏ ସବୁ କାମ ପାଇଁ ଯେମିତି ଜନ୍ମ ନେଇଥିଲେ ପ୍ରଭାବତୀ ଦେବୀ । ଦରିଦ୍ର ନାରାୟଣଙ୍କୁ କୋଳେଇ ନେଇଥିବା ମଣିଷ ମା’ ପ୍ରଭାବତୀ । ଶ୍ରଦ୍ଧାରେ ଲୋକେ କହୁଥିଲେ ପ୍ରଭାନାନୀ । ସେହି ମହାନ ସେବା ଅନୁଷ୍ଠାନ ବାଲବାଡ଼ି ଥିଲା ତାଙ୍କର କର୍ମଭୂମି, ନିଷ୍ଠାର ମନ୍ଦିର ଏବଂ ଶେଷରେ ହୋଇଗଲା ସମାଧି ଭୂମି । ୧୯୯୮ ମସିହା ନଭେମ୍ବର ମାସ ତେର ତାରିଖରେ ନିଜ ଦ୍ଵାରା ପ୍ରତିଷ୍ଠିତ ରୁକ୍ମିଣୀ ଦେବୀ ବାଲ୍ ନିକେତନରେ ଚିରଦିନ ପାଇଁ ଆଖି ବୁଜି ଶୋଇଗଲେ ପ୍ରଭାନାନୀ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅନ୍ତିମ ସମ୍ମାନ ଜଣାଇଲେ, ଶେଷ ଦର୍ଶନ ପାଇଁ ହଜାର ହଜାର ନରନାରୀ ସମବେତ ହୋଇ ବିଦାୟ ଦେଲେ ସେହି ଅମର ମଣିଷକୁ । ଓଡ଼ିଶାର ଏକ ନିଃସ୍ଵାର୍ଥପର ସେବିକା ଭାବରେ ସବୁ ଦିନ ପାଇଁ ନମସ୍ୟ ହୋଇ ରହିବେ ପ୍ରଭାବତୀ ଦେବୀ ।

ଆଧାର: ନୃସିଂହ ଚରଣ ସାହୁଙ୍କ ପ୍ରବନ୍ଧ; ତଥ୍ୟ ବାଲନିକେତନ, ଛଞ୍ଚାଣପଲ୍ଲୀ, ସମ୍ବଲପୁର  

ଫଟୋ ସୌଜନ୍ୟ: ଶ୍ରୀଯୁକ୍ତ କାର୍ତ୍ତିକ ବହିଦାର, ସମ୍ବଲପୁର 

Prabhabati Devi Pravabati Debi Godavari Devi Maa Ramadevi Annapurnna Maharana Malati Choudhury Bari Ashram Mahatma Gandhiji Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago