ଲେଖା: ଡ. ଜୟଶ୍ରୀ ନନ୍ଦ

~ ଗଇଁଠା ~
କଳାସାଆନ୍ତେ ଆମର ଖାଦ୍ୟପ୍ରିୟ ସଙ୍ଗୀତପ୍ରିୟ ଋତୁପ୍ରିୟ ଫୁଲପ୍ରିୟ। ବିଭିନ୍ନ ଋତୁରେ ମହାପ୍ରଭୁଙ୍କର ବିଭିନ୍ନ ପର୍ବପର୍ବାଣୀ । ଋତୁ ଅନୁସାରେ ଭିନ୍ନ ଭିନ୍ନ ଫଳ ଫୁଲ ପନିପରିବା ଆଦି ଉତ୍ପାଦନ ହୁଏ । ତେଣୁ ଶୀତ ବର୍ଷା ବସନ୍ତ ଶରତ ଭିନ୍ନ ଋତୁରେ ଯେଉଁ ପର୍ବପର୍ବାଣି ପାଳନ ହୁଏ ତଦନୁସାରେ ହେଉଥିବା ଭିନ୍ନ ଫଳମୂଳ ପନିପରିବାରେ ତିଆରି ହୁଏ ଭିନ୍ନ ବ୍ୟଞ୍ଜନ ଓ ପରଷାଯାଏ ମହାପ୍ରଭୁଙ୍କୁ । ସବୁ ପର୍ବପର୍ବାଣି ଅନୁସାରେ ବି ବ୍ୟଞ୍ଜନର ନାମ ! ଯେମିତି ଧନୁ ସଂକ୍ରାନ୍ତିରେ ଧନୁମୁଆଁ ଭୋଗଲାଗେ, ମକର ସଂକ୍ରାନ୍ତିରେ ମକର ଚାଉଳ, ପଣାସଂକ୍ରାନ୍ତିରେ ଆମ୍ବପଣା, ସେମିତି ଆମ୍ବ ବଉଳ ସମୟରେ ବଉଳ ଗଇଁଠା ଅର୍ଥ ଠାକୁରଙ୍କୁ ବଉଳ ଓ ଗଇଁଠା ଅର୍ପଣ କରାଯାଏ ।
(ଆମ୍ବବଉଳ, ଫଟୋ ସୌଜନ୍ୟ: ଶ୍ରୀମତୀ ବୀଣାପାଣୀ ସାହୁ)
ପୁଷ ବା ପୌଷ ମାସର ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟା ନାମରେ ପାଳନ କରାଯାଏ । ବକୁଳ/ବଉଳ ଅମାବାସ୍ୟା ବେଳକୁ ଆମ୍ବ ଗଛରେ ନୂଆ ଆମ୍ବ ବଉଳ ହୋଇଥାଏ । ମନ୍ଦିର ଓ ଘରେ ପୂଜା ପାଉଥିବା ଠାକୁରଙ୍କୁ ବଉଳ, ଗଇଁଠା ସହ ଅର୍ପଣ କରାଯାଏ
(ବଉଳ ଅମାବାସ୍ୟା ପୂଜା ପାଇଁ ଭୋଗପସରା)
ଶ୍ରୀମନ୍ଦିରରେ ସକାଳ ଧୂପରେ ଠାକୁରଙ୍କୁ ବଉଳ ଲାଗି ହେବା ସହ ଗଇଁଠା ଭୋଗ ହେଇଥାଏ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଠାରୁ ଆରମ୍ଭ କରି ସବୁ ସହରରେ ସବୁଘରେ ଠାକୁରଙ୍କ ପାଖରେ ବଉଳ ଓ ଗଇଁଠା ଭୋଗଲାଗେ। ଗଇଁଠା ମଧ୍ୟ ଛପନ ଭୋଗରୁ ଭୋଗଟିଏ । ପ୍ରତି ଓଡ଼ିଆ ଘରେ ଏହି ପର୍ବକୁ ପାଳନ କରାଯାଏ । ଯାହା ବାଡ଼ିରେ ଆମ୍ଵ, ପଣସ ଇତ୍ୟାଦି ଗଛ ଥାଏ ସେମାନେ ଏହି ଦିନ ଗଛ ମୂଳକୁ ପରିଷ୍କାର କରି ଗୋବରରେ ଲିପି, ଚିତା ପକେଇ ସନ୍ଧ୍ୟାବେଳେ ଗଛମୂଳରେ ଗଇଁଠା ପିଠା ଭୋଗ କରି ବଉଳ ଅମାବାସ୍ୟା ପାଳନ କରନ୍ତି । ଅବଶ୍ୟ ଖାଲି ସହର ନୁହେଁ ଗାଁ ମାନଙ୍କରେ ବି ଆଜିକାଲି ଲୋକମାନଙ୍କ ବାଡିରେ ଗଛଟିଏ ପାଇବା କଷ୍ଟ ହୋଇଗଲାଣି । ସମସ୍ତେ ଗଛଟିଏ ଅପେକ୍ଷା ଗଛ କାଟି ବଡ ଘରଟିଏ ତୋଳିବା ପାଇଁ ପସନ୍ଦ କରୁଛନ୍ତି । ଆମ ପରମ୍ପରାରେ ଗଛକୁ ପୂଜା କରିବା, ପ୍ରକୃତିକୁ ପୂଜା କରିବାର ଅନେକ ନିଦର୍ଶନ ମିଳେ ।
(ଗଛମୂଳେ ବଉଳ ଅମାବାସ୍ୟା ପୂଜା)
ବଉଳ ଅମାବାସ୍ୟା ଦିନ ଝିଅମାନେ ତାଙ୍କର ପ୍ରିୟ ସାଙ୍ଗ ମାନଙ୍କ ସାଙ୍ଗରେ ବଉଳ ବସନ୍ତି । ଏହି ଦିନରେ ପରସ୍ପରକୁ ବଉଳ ଖୁଆଇ ସବୁଦିନ ପାଇଁ ଏକ ସ୍ଵତନ୍ତ୍ର ସମ୍ପର୍କରେ ବାନ୍ଧି ହୁଅନ୍ତି। ବଉଳ ବସିବା ପରେ ଆଉ ନାଁ ଧରି ନ ଡାକି ପରସ୍ପରକୁ ବଉଳ ବୋଲି ସମ୍ବୋଧନ କରନ୍ତି। ଏହି ସମ୍ପର୍କରେ ଏକ ଅଦ୍ଭୁତ ନିବିଡତା ଥାଏ । ଆଜିକାଲିର ପିଲା ହୁଏତ ଏ ବଉଳ, ମକର, ସଙ୍ଗାତର ସମ୍ପର୍କକୁ ହସରେ ଉଡାଇ ଦେବେ, ତଥାପି ଏ ପ୍ରକାର ସ୍ଵତନ୍ତ୍ର ସମ୍ପର୍କର ଭାବ ଅଲଗା ।
(କ୍ଷିରଗଇଁଠା)
ଆମ୍ବ ବଉଳର ବାସ୍ନା ଶୀତଦିନ ସୁଲୁସୁଲିଆ ପବନରେ ଭାସିଆସେ ସକାଳ ସଞ୍ଜରେ । କୋଷେ ଦୂରରୁ ବାସ ମନ ମୋହିନିଏ । ଯତେବେଳେ ବଉଳ ଅମାବାସ୍ୟାରେ ପ୍ରଥମ ବଉଳ ଛିଡା ହୋଇ ଆସେ ସେତେବେଳେ ପ୍ରତିଘରୁ ସେ ଆମ୍ବବଉଳର ବାସ ଛୁଟିଆସୁଥାଏ । ମନେପଡେ ବଉଳ ଛିଡାଇ ଆଣିବା ପରେ ହାତଟିକୁ ନାକ ପାଖରେ ରଖି ପିଲାମାନେ ସେ ବାସକୁ ଆଘ୍ରାଣ କରି କେତେ ଖୁସି ହୁଅନ୍ତି । ଗଇଁଠା ତିଆରି ହୋଇ ଭୋଗ ହେବା ପରକୁ ପିଲାମାନେ ଜଗି ବସିଥାଆନ୍ତି ଖାଇବା ପାଇଁ । କେହି କେହି ସିଝା ଗଇଁଠା ଖାଇବା ପାଇଁ ପସନ୍ଦ କରନ୍ତି ତ କେହି କେହି କ୍ଷିରଗଇଁଠା । ଶିଝା ଗଇଁଠା ପିଲାମାନେ ଚିନି ମଡାଇ ଖାଇବା ପାଇଁ ପସନ୍ଦ କରନ୍ତି ।
~ ଗଇଁଠା ପ୍ରସ୍ତୁତି ପ୍ରଣାଳୀ ~
ପ୍ରଥମେ ଅରୁଆ ଚାଉଳକୁ କିଛି ଘଣ୍ଟା ବତୁରାଇ ବା ରାତିରେ ବତୁରାଇ ସକାଳୁ ବଟାଯାଏ । ଅବା କେହି କେହି ଚାଉଳକୁ ଢିଙ୍କିରେ କୁଟି ଚାଉଳ ଚୁନା ବନାଇ ଥାଆନ୍ତି। କଡେଇରେ ବା ହାଣ୍ଡିରେ ପାଣିକୁ ଫୁଟାଇ ସେଥିରେ ଲୁଣ ଦେଈ ଫୁଟି ଆସିଲେ ଚାଉଳଚୁନା ପକାଇ ଜନ୍ତୁଣି ବା ଖଳି ତିଆରି କରନ୍ତି। ସେ ଜନ୍ତୁଣିକୁ ହାତରେ ବଳି ଗୋଲ୍ ଗୋଲ୍ ବା ଟିକେ ଲମ୍ବାଳିଆ ଆକୃତିର ପିଠା ତିଆରି କରନ୍ତି । ସେଗୁଡିକୁ ସିଝାଇ ସିଝା ଗଇଁଠା ଅବା କ୍ଷିରକୁ ଫୁଟାଇ ଜନ୍ତୁଣୀରୁ ଗଢିଥିବା କୁନି କୁନି ପିଠା, ଚିନି, ନଡିଆ, ତେଜପତ୍ର ଅଳେଇଚ ଆଦି ପକାଇ ସେଥିରେ ଅଳ୍ପଟିକେ ଚୁନା ଓ ପାଣିର ମଣ୍ଡ ବି ଦେଇ କ୍ଷିର ଗଇଁଠା ତିଆରି କରନ୍ତି । କେହି କେହି ତେଜପତ୍ର ବଦଳରେ ଅନ୍ନପୂର୍ଣ୍ଣା ପତ୍ର ବି ଗଇଁଠାରେ ପକାନ୍ତି ।
(ଫଟୋ ସୌଜନ୍ୟ: ଶ୍ରୀମତୀ ବୀଣାପାଣୀ ସାହୁ)
ଗଇଁଠା ପିଠା ପିଲାଠାରୁ ବୃଦ୍ଧ ସମସ୍ତଙ୍କୁ ଭଲଲାଗେ । ଏହା ଶରୀର ପାଇଁ ବି ଖୁବ୍ ଭଲ । ଯେତେବେଳେ ସେରେଲାକ୍, ଅମୂଲ୍, ପିଲାଙ୍କର ଡବା ଖାଦ୍ୟ ମିଳୁ ନ ଥିଲା, ପିଲା ମାନଙ୍କୁ ମାଆ ମାନେ ଏଇ ସିଝା ଗଇଁଠା, କ୍ଷିର ଗଇଁଠା ପରି ଖାଦ୍ୟ ଖୁଆଉଥିଲେ । ଏଇ ପିଠା ସିଝା ହୋଇଥିବାରୁ ପ୍ରାୟ ଦେହ ପାଇଁ ଉପକାରକ । ବଉଳ ଅମାବାସ୍ୟା, ମାର୍ଗଶୀର ଗୁରୁବାର ଓ ପୂଜାରେ ମଧ୍ୟ ଲୋକମାନେ ଏ ଗଇଁଠା ତିଆରି କରି ଭୋଗ ଲଗାନ୍ତି ଓ ଏହା ଏକ ପ୍ରିୟ ଓଡ଼ିଆ ପିଠା ହୋଇଥିବାରୁ ସମସ୍ତଙ୍କର ପ୍ରିୟ ଓ ସମସ୍ତଙ୍କ ପାଇଁ ଭାରି ପରିଚିତ ।
(ସିଝାଗଇଁଠା)
ଆମେ ଜାଣିଛେ, ଆମର ପର୍ବପର୍ବାଣି ଗୁଡ଼ିକ ବିଜ୍ଞାନ ସମ୍ମତ ଓ ପରିବେଶ ସୁରକ୍ଷାର ବାର୍ତ୍ତାବହ । ସେଇ ସୂତ୍ରରେ ବଉଳ ଅମାବାସ୍ୟା ମଧ୍ୟ ଆମକୁ ଏହି ସମୟରେ ଫଳ ଦେଉଥିବା ବୃକ୍ଷ ର ମହତ୍ତ୍ଵ ବୁଝାଇବାକୁ ଚେଷ୍ଟା କରେ । ଆମ୍ବ, ପଣସ ଇତ୍ୟାଦି ଗଛରେ ଏହି ସମୟରେ ବଉଳ ହୁଏ, ତେଣୁ ଏହି ସବୁ ଫଳନ୍ତି ଗଛର ସୁରକ୍ଷା ଆବଶ୍ୟକ । ଠାକୁରଙ୍କୁ ବଉଳ ଲାଗି କଲେ ଭଲ ଫଳ ହୁଏ ବୋଲି ବିଶ୍ଵାସ ଅଛି । ତା’ ସହ ଠାକୁରଙ୍କ ପାଖରେ ବଉଳ ଟିକିଏ ଲାଗି କରି ତାକୁ ଆମେ ପାଇଲେ, ତା’ର ଔଷଧୀୟ ଗୁଣ ଆମ ଶରୀରକୁ ଯାଇ ରୋଗ ପ୍ରତିରୋଧକ ଭାବେ କାର୍ଯ୍ୟ କରେ ।
(ଖଣ୍ଡ ନଡିଆ ପଡି କ୍ଷିର ଗଇଁଠା)
ଗଛ ଲଗାଇବା, ଗଛକୁ ପୂଜା କରିବା, ବିଭିନ୍ନ ଋତୁକାଳୀନ ଫଳ, ଫୁଲ, କଢ, ପତ୍ରକୁ ଖାଦ୍ୟ ରୂପେ ଗ୍ରହଣ କରି ସୁସ୍ଥ ରହିବା ଓ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଆମର ପୂର୍ବପୁରୁଷ ଏହି ସବୁ ନିୟମ ଖଞ୍ଜି ଦେଇ ଯାଇଛନ୍ତି। ଆମେ କିନ୍ତୁ ଏହାର ମହତ୍ତ୍ଵକୁ ଅଣଦେଖା କରି ଏହି ସବୁ ପର୍ବକୁ ପୁରୁଣାକାଳିଆ ଭାବି ବିଭିନ୍ନ ପ୍ରକାର ରୋଗକୁ ନିମନ୍ତ୍ରଣ କରୁଛେ ।
(ପିଲାଙ୍କ ପ୍ରିୟ ସିଝା ଗଇଁଠା ଚିନି ସହ)
ଆସନ୍ତୁ, ଆମ ପରବର୍ତ୍ତୀ ପୀଢ଼ିଙ୍କୁ ଆମ ପର୍ବ ବିଷୟରେ ବୁଝାଇବା, ତାଙ୍କୁ ଆମର ପର୍ବପର୍ବାଣିର ମହତ୍ତ୍ଵ ବୁଝାଇ ଏହାକୁ ପାଳନ କରିବାକୁ ପ୍ରୋତ୍ସାହିତ କରିବା। ଆମ ପର ପିଢୀଙ୍କୁ ଟିକେ ବାଧ୍ୟ କଲେ ବି କ୍ଷତି ନାହିଁ । ପିଲାଦିନୁ ଆମେ ତାଙ୍କୁ ଯେଉଁ ସଂସ୍କାର ପାଇଛେ ତାକୁ ଆମେ ଯଦି ଆଜି ଯାଏଁ ପାଳୁଛେ ତେବେ ସେସବୁ ଆମ ପିଲାଙ୍କୁ ଦେବା, ଆଗକୁ ସେମାନେ ସେଇ ସଂସ୍କାର ଆପଣାଇ ନେବେ ଓ ଆମ ପରମ୍ପରା ସଂସ୍କାର ସଂସ୍କୃତିକୁ କେବେ ଭୁଲିବେ ନାହିଁ।
© Dr. Jayashree Nanda
Spread the love
admin

View Comments

  • କେତେ ପ୍ରକାର ହୋଇପାରେ ଆମ ଓଡ଼ିଶାର ଗଇଁଠା ସତେ । ଖାଦ୍ୟ ଯେମିତି ସ୍ଵାଦିଷ୍ଟ , ଲେଖା ମଧ୍ୟ ସେଇମିତି ସ୍ଵାଦିଷ୍ଟ। ସୁନ୍ଦର ଅତି ସୁନ୍ଦର ଭାବରେ ଲେଖିଛନ୍ତି।

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago