ଇତିହାସ

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~
ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ
ମହା ଶୈବକ୍ଷେତ୍ର ଏକାମ୍ର କ୍ଷେତ୍ର l ତ୍ରିଭୁବନେଶ୍ୱର ରାଜାଧିରାଜ ବାବା ଲିଙ୍ଗରାଜ ସମେତ ରାମେଶ୍ୱର ଯମେଶ୍ୱର ଲଷ୍ମଣେଶ୍ୱର ଆଦି ଶତାଧିକ ଶିବ ମନ୍ଦିରରେ ଶୋଭିତ ଏ କ୍ଷେତ୍ର l କଥିତ ଅଛି ଏକ ଉଣା ଲକ୍ଷେ ଶିବ ଲିଙ୍ଗ ସ୍ଥାପନା ହେତୁ ଏ କ୍ଷେତ୍ର ଦ୍ଵିତୀୟ କାଶୀ ହୋଇପାରିନାହିଁ l
ଏ ପରମ ଶୈବକ୍ଷେତ୍ରରେ ଏକ ସୁନ୍ଦର ବୈଷ୍ଣବ ମନ୍ଦିର ଶ୍ରୀ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ମହାଦେବଙ୍କ ତ୍ରିଶୂଳ ପ୍ରସ୍ତୁତ ପବିତ୍ର ବିନ୍ଦୁସାଗର ତୀରରେ ସଗର୍ବେ ମଥା ଉନ୍ନତ କରି ଦଣ୍ଡାୟମାନ l ବଳରାମ, ସୁଭଦ୍ରା ଓ ଶ୍ରୀକୃଷ୍ଣ ଅଧିଷ୍ଠାତା ଦେବତା l ପ୍ରଭୁ ଏଇଠି ପଶ୍ଚିମମୁଖା l ପଶ୍ଚିମଦ୍ୱାର ଦେଇ ପ୍ରଵେଶ କରି ବାମ ଦିଗରେ ଦୃଷ୍ଟି ଦେଲେ ପ୍ରାଚୀରରେ ଦୁଇଟି ସଂସ୍କୃତ ଶିଳାଲିପି ଦୃଷ୍ଟିଗୋଚର ହୁଏ l ସାଧାରଣତଃ ମନ୍ଦିରରେ ସ୍ଥାନିତ ଶିଳାଲିପି ମନ୍ଦିର ରୀତି ନୀତି, ପ୍ରଦତ୍ତ ଦାନ କିମ୍ବା ନିର୍ମାତାଙ୍କ ଉପରେ ଆଲୋକ ପାତ କରେ l କିନ୍ତୁ ଅତୀବ ଦୁର୍ଭାଗ୍ୟର ବିଷୟ ଏ ଦୁଇ ଶିଳାଲିପିରୁ ଅନନ୍ତ ବାସୁଦେବ ମନ୍ଦିର ଉପରେ କିଛି ଜ୍ଞାନପ୍ରାପ୍ତି ହୁଏ ନାହିଁ l ବରଂ ଏକ ଶିଳାଲିପି ଦ୍ୱାରା ଶତାଧିକ ବର୍ଷ ଧରି ଅନନ୍ତ ବାସୁଦେବ ମନ୍ଦିର ଉପରେ ଭ୍ରମାତ୍ମକ ତଥ୍ୟ ପ୍ରଚଳିତ ଥିଲା l କାରଣ ଏକ ଶିଳାଲିପି ଟଙ୍କପାଣି ରୋଡ଼ ସ୍ଥିତ ମେଘେଶ୍ୱର ମନ୍ଦିର ଶିଳାଲିପି ଏବଂ ଅନ୍ୟଟି ଜଣେ ରାଢ଼ଦେଶୀୟ (ବର୍ତମାନ ପଶ୍ଚିମବଙ୍ଗର ବିଷ୍ଣୁପୁର ଅଂଚଳ) ବ୍ରାହ୍ମଣ ଭଟ୍ଟ ଭବଦେବଙ୍କ ଏକ ମନ୍ଦିର ନିର୍ମାଣ ସମ୍ପର୍କୀୟ ଶିଳାଲିପି l ଆଉ ଏଇ ଶିଳା ଲିପି ଆଧାରରେ ଗଙ୍ଗବଂଶୀୟ ପୁଣ୍ୟଶ୍ଳୋକ ଲାଙ୍ଗୁଳା ନରସିଂହ ଦେବ ଭଗ୍ନୀ ଚନ୍ଦ୍ରିକାଦେବୀ କୃତ ଅନନ୍ତ ବାସୁଦେବ ମନ୍ଦିର ଏକ ବଙ୍ଗୀୟ କୀର୍ତ୍ତି ବୋଲି ପ୍ରଚାରିତ ହୋଇଗଲା l
ଧର୍ମ ଉପରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହି ଇଂରେଜମାନେ 1803ରେ ପ୍ରଥମେ ପୁରୀ ଓ ପରେ କଟକ ସମେତ ଓଡିଶା ଅଧିକାର କଲେ l 1804 ରେ ଖୋର୍ଦ୍ଧା ଅଧିକାର କରି ଭୁବନେଶ୍ୱର ଉପରେ ମଧ୍ୟ ଶାସନ ଆରମ୍ଭ କଲେ l ସେ ସମୟରେ କର୍ନେଲ ଚାର୍ଲସ ଷ୍ଟୁଆର୍ଟ ନାମକ ଏକ ବ୍ୟକ୍ତି ପ୍ରଥମେ ଖୁବ ନାଁ କରି ‘ହିନ୍ଦୁ ଷ୍ଟୁଆର୍ଟ’ ନାମରେ ପରିଚିତ ଥିଲେ l ତାଙ୍କ ଦୃଷ୍ଟି ପଡିଲା ଅନିନ୍ଦ୍ୟ ସୁଷମାମାଳିନୀ ଭୁବନେଶ୍ୱରର ପ୍ରାୟ ଭଗ୍ନ ଓ ଅବହେଳିତ କୀର୍ତ୍ତିରାଜି ଉପରେ l ବଳପୂର୍ବକ ସେ ଅନେକ ମୂର୍ତ୍ତି ଏବଂ ବ୍ରହ୍ମେଶ୍ୱର, ମେଘେଶ୍ୱର ଓ ଅନନ୍ତ ବାସୁଦେବ ଶିଳାଲିପି ନେଇଯାଇଥିଲେ l ଦୁଇଟି କଲିକତାର ରୟାଲ ଏସିଆଟିକ ସୋସାଇଟି ଏବଂ ଅନନ୍ତ ବାସୁଦେବଶିଳାଲିପି ଲଣ୍ଡନ ବ୍ରିଟିଶ ମ୍ୟୁଜିଅମ ପଠେଇ ଦେଇଥିଲେ l ବ୍ରିଟିଶ ମ୍ୟୁଜିଅମରେ “ଭୁବନେଶ୍ୱରରୁ ପ୍ରାପ୍ତ” ନାମରେ ସେ ଶିଳାଲିପି ସେମିତି ଅବହେଳିତ ହୋଇ ରହିଗଲା l
ଏ ମଧ୍ୟରେ ଭୁବନେଶ୍ୱର ମନ୍ଦିର ସବୁର ପଣ୍ଡା ଓ ମୁନସୀ ମାନେ ବାରମ୍ବାର ଇଂରେଜ ମାନଙ୍କ ପାଖରେ ଅଭିଯୋଗ କଲେ l 1837ରେ ମାଲକାମ କିଟୋ ନାମକ ଭଦ୍ରବ୍ୟକ୍ତି ପଣ୍ଡା ଓ ମୁନସୀ ମାନଙ୍କ ଅଭିଯୋଗ ପ୍ରତ୍ୟୁତ୍ତରରେ ଦୁଇଟି ଶିଳାଲିପି ଭୁବନେଶ୍ୱର ଅଣେଇ ଅନନ୍ତ ବାସୁଦେବ ମନ୍ଦିରରେ ଖଞ୍ଜିଦେଲେ l ମେଘେଶ୍ୱର ଓ ଭଟ୍ଟ ଭବଦେବ ଶିଳାଲିପି l ପରବର୍ତୀ କାଳରେ ଏ କାର୍ଯ୍ୟ ଇତିହାସର ବିକୃତିକରଣରେ ଯଥେଷ୍ଟ ସାହାଯ୍ୟ କରିଥିଲା l ବ୍ରହ୍ମେଶ୍ୱର ଶିଳାଲିପି କାହିଁ ହଜିଗଲା l
ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପୃଥିବୀ ତଥା ଭାରତର ପ୍ରତ୍ନତତ୍ତ୍ୱ ଇତିହାସରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା l ଏହି ସମୟରେ ମିଶରୀୟ ସଭ୍ୟତାର ଇତିହାସ ଉନ୍ମୋଚନର ଅଗ୍ରଗତି ଘଟିଥିଲା, ସୁମେରୀୟ ସଭ୍ୟତା, ବାବିଲୋନୀୟ ସଭ୍ୟତା ମାଟିତଳୁ ଆବିଷ୍କୃତ ହୋଇଥିଲା, ଟ୍ରୟ ନଗରୀ ସନ୍ଧାନ ମିଳିଥିଲା l ଭାରତ ମଧ୍ୟ ପଛରେ ପଡ଼ି ନ ଥିଲା l ସାର ଅଲେକଜଣ୍ଡାର କନିଂହାମ ସାଞ୍ଚି, ସାରନାଥ ଆବିଷ୍କାର କରିଥିଲେ l ଜେମ୍ସ ପ୍ରିନସେପ ବ୍ରାହ୍ମୀ ଲିପି ପାଠୋଦ୍ଧାର କରିଥିଲେ, ଯଦ୍ୱାରା ଅଶୋକଙ୍କ ଖୋଦିତ ଶିଳାଲିପି ପାଠୋଦ୍ଧାର ହୋଇ ପାରିଲା l ଅନ୍ୟାନ୍ୟ ଶିଳାଲିପି ତାମ୍ରଲିପି ସବୁର ପାଠୋଦ୍ଧାର କାର୍ଯ୍ୟ ଆରମ୍ଭ ହେଲା l ତତ୍କାଳୀନ ଭାରତ ରାଜଧାନୀ କଲିକତାର ରୟାଲ ଏସିଆଟିକ ସୋସାଇଟି ଏଥିରେ ଅଗ୍ରଗଣ୍ୟ ଭୂମିକା ଗ୍ରହଣ କରିଥିଲା l
ଏଇ ପାଠୋଦ୍ଧାର କାର୍ଯ୍ୟରେ ତତ୍କାଳୀନ ଓଡିଶା ପ୍ରଦେଶର ଅବଦାନ ପ୍ରାୟ ଶୂନ୍ୟ ଥିଲା l ଶିକ୍ଷିତ ବ୍ୟକ୍ତି ପ୍ରାୟ ନ ଥିଲେ l କିନ୍ତୁ କଲିକତା ଅବସ୍ଥା ଅନ୍ୟ ପ୍ରକାର ଥିଲା l ଭାରତର ରାଜଧାନୀ ହେତୁ ଅନେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଥିଲା l ଅନେକ ଶିକ୍ଷିତ ବ୍ୟକ୍ତି ଥିଲେ l ତେଣୁ ଓଡିଶା ପରି ଏକ ଦରିଦ୍ର ନିରନ୍ନ ଅଶିକ୍ଷିତ ରାଜ୍ୟରେ ଯେ ଏପରି କୀର୍ତ୍ତି ସମୂହ ଓଡ଼ିଆ ମାନଙ୍କ ପୂର୍ବପୁରୁଷ ଯେ କରିପାରିଥିଲେ ତାହା ସେମାନଙ୍କୁ ଅବାସ୍ତବ ଲାଗିଥିଲା l ତେଣୁ କତିପୟ ବଙ୍ଗୀୟ ବିଦ୍ୱାନ ଓଡିଶାର କୀର୍ତ୍ତି ସମୂହ ଓଡ଼ିଆ ମାନଙ୍କର ନୁହେଁ ବରଂ ବଙ୍ଗୀୟ କୀର୍ତ୍ତି ଭାବରେ ପ୍ରମାଣିତ କରିବା ପାଇଁ ଗଳଦଘର୍ମ ପ୍ରଚେଷ୍ଟା କରିଥିଲେ l ଏଥିରେ ପ୍ରଥମ କାମ ଥିଲା ଶିଳାଲିପି କିମ୍ବା ତାମ୍ର ଶାସନର କିଂଚିତ ଭ୍ରମାତ୍ମକ ବ୍ୟାଖ୍ୟା l ତେଣୁ ଲିପି ପାଠ ସମୟରେ “ଗଙ୍ଗବଂଶୀ” ସବୁ “ଗଙ୍ଗାବଂଶୀ” ହୋଇଗଲେ l ଗଙ୍ଗା ବଙ୍ଗଦେଶରେ ଏଣୁ ଗଙ୍ଗାବଂଶୀ ଅର୍ଥ ବଙ୍ଗବାସୀ l (ଏ ପ୍ରସଙ୍ଗରେ ମନେ ପଡେ ଓଡିଶାର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଅଶି ଦଶକରେ ନୂଆ କରି MBA ପାଠ୍ୟକ୍ରମ ଖୋଲିଥିଲା l ବିଭାଗୀୟ ସହକାରୀ ଭାବିଲେ MBA କି ଜିନିଷ ହୁଏତ MA ପଢିବ ନହେଲେ BA, ଏଇଟା ବିଶ୍ୱବିଦ୍ୟାଳୟ ଏଣୁ ନିଶ୍ଚୟ MA ପ୍ରାର୍ଥୀ, ଭୁଲରେ MBA ଲେଖିଦେଇଛି l)
ପ୍ରସିଦ୍ଧ ଲେଖକ ବଂକିମ ଚନ୍ଦ୍ର ଲେଖିଲେ “ହଣ୍ଟାରେର ଗ୍ରନ୍ଥେ ଯେ ଉଡ଼ୀୟା ସୈନ୍ୟେର ଏତ ପ୍ରଶଂସା, ତାହାରା ତୋମାଦେର ଉଡ଼ିଷ୍ୟାବାସୀ ବାଙ୍ଗାଳି ସୈନ୍ୟ ” l ଆକବରଙ୍କ ସମୟରେ ମନ୍ଦାରଣ ଓଡିଶା ଅଧିକାରରେ ଥିବା ସତ୍ୱେ ବଂକିମ ଚନ୍ଦ୍ର ନିଜ “ଦୁର୍ଗେଶ ନନ୍ଦିନୀ” ବହିରେ ସେଇଠି ରାଜପୁତ ଅଧିକାର ଦେଖେଇଛନ୍ତି ଏବଂ ଦୀର୍ଘକାଳ ଓଡିଶାରେ କାମ କରି ମଧ୍ୟ ଉକ୍ତ ଉପନ୍ୟାସରେ ଏକ ବିଦୂଷକ ଚରିତ୍ରର ନାମ “ଗଜପତି” ରଖିଛନ୍ତି l ଅଥଚ ଓଡିଶା ପାଇଁ “ଗଜପତି” ଏକ ଅତ୍ୟନ୍ତ ସମ୍ମାନାସ୍ପଦ ଶବ୍ଦ l ସେଥିପାଇଁ ନଗେନ୍ଦ୍ର ନାଥ ବସୁ ଲେଖିଲେ “ଯଦି କୋଥାୟ ବଙ୍ଗୀୟ ଶିଳ୍ପ ନୈପୁଣ୍ୟେର ଉଜ୍ଜଳ ଉଦାହରଣ ଥାକେ – ତାହା ଏଇ ରବି କ୍ଷେତ୍ରେ . . “
ମନମୋହନ ଗାଙ୍ଗୁଲି ଲେଖିଗଲେ ରାଜା ହରି ବର୍ମଦେବ ଭୁବନେଶ୍ୱରର ରାମେଶ୍ୱର ସମେତ 108 ମନ୍ଦିର ନିର୍ମାଣ କରିଥିଲେ l ଏକାମ୍ର ପୁରାଣର ନିମ୍ନ ଦୁଇଟି ଶ୍ଳୋକ ଦ୍ରଷ୍ଟବ୍ୟ.
ଶଶାଙ୍କୋନନ୍ତମେଧାବୀ ଭବିଷ୍ୟତି ଶିବାତ୍ମକଃ l
ପୃଥିବ୍ୟାମ ୟାନି ଲିଙ୍ଗାନି ଅର୍ଚୟିଷ୍ୟତନ୍ଦ୍ରିତ l (ଅଧ୍ୟାୟ 13)
ପୁରା ଶ୍ରୁତିରୀୟମ ରାଜନ ! ଶଶାଙ୍କ8 କାରୟିଷ୍ୟତି l
ତସ୍ମାତ ତ୍ୱମପି ରାଜେନ୍ଦ୍ର ! ଅନ୍ୟତ୍ରାୟତନମ କୁରୁ l (ଅଧ୍ୟାୟ 50)
ଏଇ ଦୁଇ ଶ୍ଳୋକ ଆଧାରରେ ପ୍ରଚାର ଆରମ୍ଭ ହେଲା ହର୍ଷବର୍ଦ୍ଧନଙ୍କ ସମସାମୟିକ କର୍ଣ୍ଣ ସୁବର୍ଣ୍ଣ ରାଜା ଶଶାଙ୍କ ହିଁ ଲିଙ୍ଗରାଜ ମନ୍ଦିର ନିର୍ମାତା l ଶିବଙ୍କ ଅନ୍ୟ ନାମ ଯେ ଶଶାଙ୍କ, ଏକାମ୍ର ପୁରାଣ ଯେ ସପ୍ତମ ଶତାବ୍ଦୀର ବହୁତ ପରେ ରଚିତ ଏବଂ ଏହି ମନ୍ଦିର ଯେ ସୋମବଂଶୀ କୀର୍ତ୍ତି ସେ ଇତିହାସ ଆଲୋଚନା ଆରମ୍ଭ ହେଲାନାହିଁ l
ତେବେ ତଥ୍ୟକୁ ଅତଥ୍ୟ ଭାବେ ପ୍ରମାଣିତ କରିବାରେ ଶ୍ରୀ ବିଜୟଚନ୍ଦ୍ର ମଜୁମଦାର ଅଗ୍ରଗଣ୍ୟ ଥିଲେ l ଏ ମହାଶୟ ରାଜା ବୀରମିତ୍ରୋଦୟ ସିଂହଦେଓଙ୍କ ଠାରୁ ଆର୍ଥିକ ପ୍ରୋତ୍ସାହନ ପାଇ Typical Selections From Oriya Literature ନାମକ ବହି ଲେଖି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରସିଦ୍ଧି ଓ ପାଣ୍ଡିତ୍ୟକୁ ଯଥେଷ୍ଟ ନ୍ୟୁନ ଭାବରେ ପ୍ରଦର୍ଶିତ କଲେ l ଏଇ ମଜୁମଦାର ମହାଶୟ ଏକ ପୁସ୍ତକ ରଚନା କଲେ Making Of Orissa l ଏଇ ବହିରେ ସୋମବଂଶୀ ଶାସକ ମାନଙ୍କ “ମହାଶିବଗୁପ୍ତ” ଓ “ମହାଭବଗୁପ୍ତ” ବିରୁଦ ସମୂହର ଗୁରୁତ୍ୱ କିମ୍ବା ଅର୍ଥ ଅଧ୍ୟୟନ ନ କରି ସୋମବଂଶୀ ମାନଙ୍କୁ “କୋଶଳ ଗୁପ୍ତ” ଭାବରେ ସମ୍ବୋଧନ କରି ସେଇ “କୋଶଳ ଗୁପ୍ତ” ମାନଙ୍କୁ ବଙ୍ଗୀୟ ବଂଶୋଦ୍ଭବ ବୋଲି ପ୍ରମାଣିତ କରିବାକୁ ଯାଇ ଯଯାତି କେଶରୀ ପ୍ରଥମଙ୍କ ମାରଞ୍ଜ ମୁରା ତାମ୍ର ଶାସନର ଭୁଲ ପାଠୋଦ୍ଧାର କରିଥିଲେ l ମାରଞ୍ଜ ମୁରା ତାମ୍ର ଶାସନ ଏକ ଧାଡ଼ି
“ଅସ୍ମାତ ବଂଶକ୍ଷୟେ କାଳେ ଯ କଶ୍ଚିତ ନୃପତିର୍ଭବେତ ତସ୍ୟାହଂ ପଦରଜୋସ୍ମି ଯଯାତି……..”
ମଜୁମଦାର ଲେଖିଲେ “ଅସ୍ମାତ ବଙ୍ଗାନ୍ଵୟେ କାଳେ ଯ କଶ୍ଚିତ ନୃପତିର୍ଭଵେତ ତସ୍ୟାହଂ ପଦରଜୋସ୍ମି ଯଯାତି….” “ବଂଶକ୍ଷୟେ”କୁ “ବଙ୍ଗାନ୍ଵୟେ ଲେଖି ମଜୁମଦାର କେଶରୀମାନଙ୍କୁ ବଙ୍ଗୀୟ ବୋଲି ପ୍ରମାଣ କରିବାକୁ ଚେଷ୍ଟା କଲେ l ଏପରି ପରିବେଶରେ ଏହା ଆଦୌ ଆଶ୍ଚର୍ଯ୍ୟ ବିଷୟ ନୁହେଁ ଯେ କିଟୋ ଯେତେବେଳେ ଭଟ୍ଟ ଭବଦେବ ଶିଳାଲିପି ଅନନ୍ତ ବାସୁଦେବ ମନ୍ଦିର ଗାତ୍ରରେ ସ୍ଥାନିତ କରି ଦେଲେ ତତ୍କାଳୀନ ବଙ୍ଗୀୟ ବିଦ୍ୱାନ ଗୋଷ୍ଠୀ ଅନନ୍ତ ବାସୁଦେବ ମନ୍ଦିର ଓ ମୂର୍ତ୍ତି ଦେଖି ନ ଦେଖି ମଧ୍ୟ ନିଜର ମତାମତ ଦେଇଦେଲେ l
ଏ ଭଟ୍ଟ ଭବଦେବ କିଏ ଆଉ ସେ ଶିଳାଲିପି କଣ କହେ? ପ୍ରାୟ ଦେଢ଼ ଫୁଟକୁ ତିନି ଫୁଟ ବିଶିଷ୍ଟ ଏଇ ଶିଳାଲିପିରେ 34ଟି ଶ୍ଳୋକ ଅଛି l ଵାଚସ୍ପତି ମିଶ୍ର ନିଜ ବନ୍ଧୁ ତଥା ରାଜା ହରି ବର୍ମାଦେବଙ୍କ ପ୍ରଧାନମନ୍ତ୍ରୀ ରାଢ଼ ଦେଶର ସିଦ୍ଧଳ ଗ୍ରାମ ନିବାସୀ ଭବଦେବ ଭଟ୍ଟଙ୍କ ଉଦ୍ଦେଶ୍ୟରେ ଏ ପ୍ରଶସ୍ତି ରଚନା କରିଥିଲେ l ଆରମ୍ଭ “ଓଁ ନମୋ ଭଗବତେ ବାସୁଦେବାୟ “
ତେନାୟଂ ଭଗବାନ ଭବାର୍ଣ୍ଣବସମୁତ୍ତରାୟ ନାରାୟଣଃ
ଶୈଳ ସେତୁରିବ ପ୍ରସାଧିତଧରାପୀଠ ପ୍ରତିଷ୍ଠାପିତଃ l (ଶ୍ଳୋକ 27)
ସେ ଭବସମୁଦ୍ର ପାର ହେବାର ଶିଳା ନିର୍ମିତ ସେତୁପରି ଭୁପୃଷ୍ଠର ଅଳଙ୍କାର ରୂପୀ ଭଗବାନ ନାରାୟଣଙ୍କୁ ପ୍ରତିଷ୍ଠା କରାଇଥିଲେ l
ତେନ ପ୍ରାସାଦ ଏଷ ତ୍ରିପୁରହରଗିରିସ୍ପର୍ଦ୍ଧୟା ବର୍ଦ୍ଧିତଶ୍ରୀ8,
ଶ୍ରୀମାନ ଶ୍ରୀବତ୍ସ ଲଷ୍ମୀ ହରିରିବ ବିସ୍ଫୁରତ ଚକ୍ର ଚିହ୍ନ8 l(ଶ୍ଳୋକ 28)
କୈଳାସ ପର୍ବତ ସହ ସ୍ପର୍ଦ୍ଧା କରୁଥିବା ଏହି ପ୍ରାସାଦ ହରିଙ୍କ ପରି ଶ୍ରୀମାନ ଓ ଚକ୍ର ଶୋଭିତ ଥିଲା l
ନ୍ୟଵୀବିଶଦବେଶ୍ମନି ତତ୍ର ବିଷ୍ଣୋହ ସ ନିର୍ଭରମ ଗର୍ଭଗୃହାନ୍ତରେଷୁ
ନାରାୟଣାନନ୍ତନୃସିଂହମୂର୍ତ୍ତିର୍ବିଧାତ ବକ୍ତ୍ରେଷ୍ଵିବ ବେଦବିଦ୍ୟା l (ଶ୍ଳୋକ 29)
ପ୍ରାସାଦର ଗର୍ଭଗୃହ ମଧ୍ୟରେ ବେଦପତି ବ୍ରହ୍ମାଙ୍କ ମୁଖ ପରି ବିଷ୍ଣୁଙ୍କ ନାରାୟଣ, ଅନନ୍ତ ଓ ନୃସିଂହ ମୂର୍ତ୍ତି ସ୍ଥାପନ କରିଥିଲେ l 1837ରେ ମାର୍ଶାଲ ନାମକ ଜଣେ ବ୍ୟକ୍ତି ଏପରି ଅନୁବାଦ କରିଥିଲେ l କିନ୍ତୁ ଏ ଅନୁବାଦ ସମ୍ପୂର୍ଣ ଭ୍ରମାତ୍ମକ ଥିଲା l ବ୍ରହ୍ମାଙ୍କ ତିନି ମୁଖପରି ହେଲେ ନାରାୟଣଙ୍କ ମୁଖ ମନ୍ଦିର ଦକ୍ଷିଣ କାନ୍ଥ,ଅନନ୍ତଙ୍କ ମୁଖ ସମ୍ମୁଖ ଏବଂ ନୃସିଂହଙ୍କ ମୁଖ ମନ୍ଦିର ବାମ କାନ୍ଥ ଦିଗକୁ ମୁହଁ କରି ରହିବା କଥା l ଏବଂ “ଗର୍ଭଗୃହାଭ୍ୟନ୍ତରେ” ହେଲେ ହିଁ ଗର୍ଭଗୃହ ମଧ୍ୟରେ ତିନି ବିଗ୍ରହ ପ୍ରତିଷ୍ଠା l ଏ ଶ୍ଳୋକର ପ୍ରକୃତ ଅର୍ଥ ହେଉଛି l ନାରାୟଣଙ୍କ ସେ ମନ୍ଦିରରେ ତିନୋଟି ପାର୍ଶ୍ଵ ଦେବତା ଯଥା ନାରାୟଣ, ଅନନ୍ତ ଓ ନୃସିଂହ ମୂର୍ତ୍ତି ସ୍ଥାପନ କରିଥିଲେ l “ଗର୍ଭଗୃହାନ୍ତରେଷୁ ” ଅର୍ଥ ବିଭିନ୍ନ ଗର୍ଭଗୃହ l କିନ୍ତୁ ବିଭିନ୍ନ ବିଦ୍ୱାନ ଯଥା ନନିଗୋପାଳ ମଜୁମଦାର, ରାଜେନ୍ଦ୍ରଲାଲ ମିତ୍ର, ନଗେନ୍ଦ୍ରନାଥ ବସୁ ପ୍ରମୁଖ ଶିଳାଲିପି ପଢିଲେ, ଚକ୍ର ଶୋଭିତ ମନ୍ଦିର, ଅନନ୍ତ ନାମ, ସରୋବର ପୁନଃରୁଦ୍ଧାର l ଏଣୁ ଭଟ୍ଟ ଭବଦେବ ହିଁ ଅନନ୍ତ ବାସୁଦେବ ମନ୍ଦିର ନିର୍ମାତା ବୋଲି ପ୍ରଚାର ହୋଇଗଲା l
ତେବେ କିଏ ଏଇ ରାଜା ହରିବର୍ମା ଯାହାଙ୍କ ପ୍ରଧାନମନ୍ତ୍ରୀ ଏଇ ରାଢ଼ଦେଶୀୟ ଭଟ୍ଟ ଭଵଦେବ ଥିଲେ ? ଏକଦା ବଙ୍ଗଳା ଓ ବିହାର ଓ ଉତ୍ତର ପ୍ରଦେଶର ବହୁଳାଂଶରେ ଶାସନ କରୁଥିବା ପାଳ ରାଜବଂଶ ଦୁର୍ବଳ ହେବା ପରେ ଢାକା ନିକଟସ୍ଥ ବିକ୍ରମପୁରରେ ରାଜଧାନୀ ସ୍ଥାପନ କରି ଏକାଦଶ ଶତାବ୍ଦୀରେ ମାତ୍ର ଅଶି ବର୍ଷ ପାଇଁ ବର୍ମା ବଂଶ ରାଜୁତି କରୁଥିଲା l ପଶ୍ଚିମ ଦିଗରେ ସେନବଂଶୀ ମୁଣ୍ଡ ଟେକୁଥିଲେ l ଏଣୁ ସେନ ଅଞ୍ଚଳ ଡେଇଁ ଓଡିଶା ଆସି ଭୁବନେଶ୍ୱରରେ ହରି ବର୍ମା ମନ୍ଦିର କରିବା ଅସମିଚୀନ l ଭଟ୍ଟ ଭବଦେବ ହୁଏତ ବିକ୍ରମପୁରରେ ଏକ ନାରାୟଣ ମନ୍ଦିର କରିଥିଲେ ଯାହା ଏବେ ନିଶ୍ଚିନ୍ହ l
ତଥ୍ୟ କୃତଜ୍ଞତା – ଶ୍ରୀ କେଦାରନାଥ ମହାପାତ୍ର, ଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ଶ୍ରୀ ରାଧାକୃଷ୍ଣ ବସୁ; Cover Image Courtesy: Amritesh Khatua
Ananta Basudev Temple Maharaja Jajati Keshari Ekamra Bindusagar Bhubaneswar Ambika Patnaik
Spread the love
Antaranga Kalinga

View Comments

Recent Posts

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

36 minutes ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

2 weeks ago

ବଗା ପୂଜାରୀ

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…

3 weeks ago

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…

3 weeks ago

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 months ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

5 months ago