ଲେଖା: ନିରଞ୍ଜନ ସାହୁ

~ ଇରମ ଗୁଳିକାଣ୍ଡ ~

୧୯୪୨ ମସିହା, ସେପ୍ଟେମ୍ବର ମାସ ୨୮ ତାରିଖ।

ଭାରତ ଛାଡ଼ ଆନ୍ଦୋଳନ ସମୟର ଏଇ ଦିନରେ ଘଟିଥିବା ନାରକୀୟ ଇରମ ଗୁଳିକାଣ୍ଡ ‘ନରମେଧ ଯଜ୍ଞ’ରେ ୨୯ ଜଣ ସହିଦ ହେବା ସହ ୫୬ ଜଣ ଆହତ ହୋଇଥିଲେ। ଏହି ଘଟଣା ଥିଲା ହୃଦୟ ବିଦାରକ। 

ଅଧୁନା ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନାର ସଦରମହକୁମା ଠାରୁ ୧୫ କିଲୋମିଟର ଦୂରରେ ଇରମ ଅବସ୍ଥିତ। ଏହା ଏକ ଜନବହୁଳ ଅଞ୍ଚଳ। ଗୋଟିଏ ଦିଗରେ ବଙ୍ଗୋପସାଗର, ଅନ୍ୟ ତିନି ପାର୍ଶ୍ଵରେ ଗମେଇ ଓ କାଂଶବାଂଶ ନଦୀ ପ୍ରବାହିତ। ଇରମକୁ ଆସିବାକୁ ହେଲେ ଏହି ଦୁଇଟି ନଦୀପାର ହୋଇ ଆସିବାକୁ ପଡ଼େ। ଏହା ମଧ୍ୟକୁ ପୋଲିସ ଓ ଇଂରେଜ ପ୍ରଶାସକମାନେ ପ୍ରବେଶ କରିବା ଏତେ ସହଜ ନଥିଲା। ତେଣୁ ସ୍ଵାଧୀନତା ସଂଗ୍ରାମୀମାନେ ଏହାକୁ ସଂଗ୍ରାମର ପୀଠସ୍ଥଳୀ ଭାବରେ ନିର୍ବାଚିତ କରିଥିଲେ। 

ବିଭିନ୍ନ ସମୟରେ ସଭାସମିତି କରିବା ପାଇଁ ସେଠାରେ ଥିବା ଏକ ବିସ୍ତୀର୍ଣ୍ଣ ପଡ଼ିଆ ବିଶେଷ ଭାବରେ ସହାୟକ ହେଉଥିଲା। ପଡ଼ିଆଟି ତିନି ପାର୍ଶ୍ଵରେ ଅବରୁଦ୍ଧ ହୋଇଥିଲା ଓ ତା ମଧ୍ୟକୁ ପ୍ରବେଶ କରିବା ପାଇଁ ଗୋଟିଏ ପାର୍ଶ୍ୱରେ ରାସ୍ତାଟିଏ ଥିଲା। ଏହାର ଉତ୍ତରପୂର୍ବ ଦିଗରେ ମହାକାଳୀ ମନ୍ଦିର, ତାକୁ ଲାଗି କରି ଏକ ଖାଲୁଆ ଗଡିଆ, ପଶ୍ଚିମରେ ଭାଗୀରଥି ପଣ୍ଡାଙ୍କ ପ୍ରଶସ୍ତ ବାସଗୃହ। ପୂର୍ବରେ ସୁବିସ୍ତୀର୍ଣ୍ଣ ନଅଣ ପୋଖରୀ ଓ ଦକ୍ଷିଣରେ ରାସ୍ତା । ଏହା ମେଲଣ ପଡିଆ ନାମରେ ପରିଚିତ। ଏହି ଐତିହାସିକ ପଡ଼ିଆ ଥିଲା ଅଭିଶପ୍ତ ସେପ୍ଟେମ୍ବର ୨୮ ତାରିଖ ଦିନ ସଂଘଟିତ ସେହି ନାରକୀୟ ଗୁଳିକାଣ୍ଡର ରକ୍ତରଞ୍ଜିତ ଭୂମି।

ସେଦିନର ନିର୍ମମ କାଣ୍ଡ ଏକ ଆକସ୍ମିକ ଘଟଣା କିନ୍ତୁ ନଥିଲା। ୧୯୨୦ ମସିହାର ଅସହଯୋଗ ଆନ୍ଦୋଳନ ଠାରୁ ଭାରତୀୟ କଂଗ୍ରେସର ଜାତୀୟ ବାର୍ତ୍ତା ପ୍ରଚାର କରିବା ପାଇଁ ଏହି ଇରମ ଥିଲା ପ୍ରକୃଷ୍ଟକ୍ଷେତ୍ର। ବହୁ ବିଭିନ୍ନ ସମୟରେ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଓ ଅନ୍ୟାନ୍ୟ ପ୍ରମୁଖ ନେତାଗଣ ଆସି ସ୍ଵାଧୀନତା ସଂଗ୍ରାମର ରଥଚକ୍ରକୁ ବେଗଗାମୀ କରାଉଥିଲେ।

ଇରମ ଅଞ୍ଚଳରେ ଭାରତଛାଡ ଆନ୍ଦୋଳନର ପ୍ରଥମ ସଭା ଆହୂତ ହୋଇଥିଲା ୧୯୪୨ ମସିହା ଅଗଷ୍ଟ ମାସ ସତେଇଶ ତାରିଖ ଦିନ। ପରେ ପରେ ସେପ୍ଟେମ୍ବର ସତର ତାରିଖ ଦିନ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସଭା ଆହୂତ ହୋଇଥିଲା। ଏଠାରେ ଇରମ୍ ଅଞ୍ଚଳର ନେତାମାନେ ଏକ ସମାନ୍ତରାଳ ସରକାର ଗଠନ କରି ତା’ର ନାମ ଦେଇଥିଲେ, ‘ସ୍ଵାଧୀନ ବାଞ୍ଛାନିଧି ଚକଡା଼’। ଉକ୍ତ ସରକାରର ପରିଚାଳନା ନିମନ୍ତେ ପାଞ୍ଚ ଜଣ ସଦସ୍ୟ ବିଶିଷ୍ଟ ଏକ ସର୍ବୋଚ୍ଚ କମିଟି ଗଠନ କରାଯାଇଥିଲା।

ପରେ ପରେ ଘଟଣାର ରଥଚକ ଗଡି ଚାଲିଲା। ସତ୍ୟାଗ୍ରହୀମାନେ ତତ୍କାଳୀନ ଜମିଦାରଙ୍କ କଚେରୀ ଘର, ୟୁନିଅନ ପ୍ରେସିଡେଣ୍ଟଙ୍କର କବାଟ, ଝରକା ଭାଙ୍ଗିବାକୁ ଧମକ ଦେଇଥିଲେ। ଏହି ଖବର ସେମାନେ ପୋଲିସଙ୍କୁ ଜଣାଇଥିଲେ ଆତ୍ମରକ୍ଷା ପାଇଁ। ତେଣୁ ଉକ୍ତ ଘଟଣାର ତଦନ୍ତ ଓ ତୁଙ୍ଗ ନେତାମାନଙ୍କୁ ଗିରଫ କରିବାକୁ ସେପ୍ଟେମ୍ବର ଅଠେଇଶି ତାରିଖ ଦିନ ବାସୁଦେବପୁର ଥାନାରୁ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପୋଲିସ ଫଉଜ ବାହାରିଥିଲେ। ସେମାନେ ଚୂଡାମଣି ଗ୍ରାମ ପାର ହେଉଥିବା ବେଳେ ଶଂଖଧ୍ଵନି ଦିଆଯାଇଥିଲା। ଫଳରେ ମେଲଣ ପଡ଼ିଆରେ ପ୍ରାୟ ଛଅ ହଜାର ସତ୍ୟାଗ୍ରହୀ ସମବେତ ହୋଇଥିଲେ। ସଭାକାର୍ଯ୍ୟ ପରିଚାଳନା କରୁଥାନ୍ତି ନେତା କମଳାପ୍ରସାଦ କର। ତାଙ୍କର ଓଜସ୍ଵିନୀ ଓ ଉଦ୍ଦୀପନାମୂଳକ ଭାଷଣ ଲୋକଙ୍କ ମନରେ ଶିହରଣ ସୃଷ୍ଟି କରୁଥାଏ। ପୋଲିସମାନଙ୍କ ଆଗମନରେ ବାୟୁମଣ୍ଡଳ ଅଧିକରୁ ଅଧିକ ସରଗରମ ହେବାକୁ ଲାଗିଲା। 

ସେତେବେଳେ ପୋଲିସ ଫୋର୍ସ ଜମିଦାରଙ୍କ ବଙ୍ଗଳାରେ ବିଶ୍ରାମ ନେଉଥାନ୍ତି। ଚୌକିଦାର ଓ ଜଣେ ଅସ୍ଥାୟୀ ଗୋଇନ୍ଦା କର୍ମଚାରୀ ଜମିଦାରଙ୍କ ଘରେ କାନ୍ଦ କାନ୍ଦ ହୋଇ ତଳେ ଗଡ଼ି ଯାଉଥାଆନ୍ତି। ସେତେବେଳେ ସେମାନଙ୍କଠାରୁ ଲୋକମାନେ କିପରି ବଳପୂର୍ବକ ବେଡିଂ ଛଡାଇଥିଲେ, ତାହାର ଏକ ବିବରଣୀ ଦେବା ସହ ମିଥ୍ୟା ଆରୋପ ଲଗାଇ କହିଥିଲେ ଯେ, ବହୁସଂଖ୍ୟକ ଲୋକ ତାଙ୍କୁ ଜୀବନରେ ମାରିଦେବାକୁ ଘେରିଥିଲେ ଏବଂ ଭାଗ୍ୟବଳରୁ ସେମାନେ ବଞ୍ଚି ଗଲେ। ଏହା ଶୁଣିବା ମାତ୍ରେ ସବ୍ ଇନ୍ସପେକ୍ଟର ନିଜ ରିଭଲଭରରେ ଗୁଳି ପୂରାଉ ପୂରାଉ କହିଥିଲେ ‘Today sure fire’। ସେହିପରି ଡି.ଏସ୍.ପି. ମଧ୍ୟ ଗର୍ଜିଉଠିଲେ ଓ କହିଲେ “ମୁଁ ଆଜି ନରମେଧ ଯଜ୍ଞ କରିବି ।” ସତକୁ ସତ ସନ୍ଧ୍ୟା ସାଢ଼େ ଛଅଟା ବେଳକୁ ମେଲଣ ପଡ଼ିଆରେ ପହଞ୍ଚିବା ମାତ୍ରେ ଡି.ଏସ୍.ପି. କୁଞ୍ଜବିହାରୀ ମହାନ୍ତି କୌଣସି ସତର୍କତା ମୂଳକ ସଙ୍କେତ ନଦେଇ ଗୁଳିଚାଳନା ପାଇଁ ଆଦେଶ ଦେଇଦେଲେ। ଫଳରେ ଘଟଣାସ୍ଥଳରେ ୨୯ ଜଣ ସତ୍ୟାଗ୍ରହୀ ଟଳି ପଡ଼ିଥିଲେ ଏବଂ ୫୬ ଜଣ ଆହତ ହୋଇଥିଲେ।

ଏହିପରି ଭାବେ ମେଲଣ ପଡ଼ିଆ ଅସ୍ତଗାମୀ ସୂର୍ଯ୍ୟ ରଶ୍ମିରେ ଲାଲ ରଙ୍ଗରେ ଆବୃତ ହେବା ସହ ମୃତ ଓ ଆହତ ଜନତାର ରକ୍ତରେ ରଞ୍ଜିତ ହୋଇଗଲା। ଘଟଣା ଥିଲା ହୃଦୟ ବିଦାରକ, ନୃଶଂସ, ମିଥ୍ୟା ଆରୋପ, ନାରକୀୟ ଓ ଲହୁଲୁହର କରୁଣ ସମାବେଶ। 

(ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଇରମ ଗୁଳିକାଣ୍ଡ ଥିଲା ଭାରତର ସ୍ଵାଧୀନତା ସଂଗ୍ରାମର ଦ୍ଵିତୀୟ ଲୋମହର୍ଷଣକାରୀ ଘଟଣା ।)

ଓଡ଼ିଆ ଜାତି ଆଜି ଲାଲ୍ ସଲାମ୍ ଜଣାଉଛି ସେହି ମହାନ ସହିଦମାନଙ୍କୁ, ସମଗ୍ର ଦେଶବାସୀଙ୍କ ସହ।

ତଥ୍ୟ: ଡ. ଜଗନ୍ନାଥ ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ ।

#ଇରମ #ଗୁଳିକାଣ୍ଡ

Eram Gulikanda Massacre Niranjan Sahu

Spread the love
admin

View Comments

  • ଏହା ହିଁ ଭାରତବର୍ଷର ଦ୍ଵିତୀୟ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ?। ସେହି ବୀର ମଣିଷଗଣ ଦେଶ ପାଇଁ ଯେଉଁ ଆତ୍ମବଳିଦାନ ଦେଲେ , ତାହାର ଫଳାଫଳ ହେତୁ ଆମେ ସବୁ ମୁଣ୍ଡ ଟେକିବାକୁ ସୁଯୋଗ ପାଇଥିଲେ ।

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago