~ ଭୋଗବିଳାସ, ବିଶ୍ୱାସଘାତକତାରେ ରାଜ୍ୟ ହରାଇଥିବା ଏକ ରାଜାଙ୍କ କରୁଣ ଇତିହାସ ~
ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ
ନୟାଗଡ଼ ଇତିହାସ ଏବଂ ଗଞ୍ଜାମ ଆଠଗଡ଼ପାଟଣା ଇତିହାସର ତଥ୍ୟାନୁସାରେ, ନୟାଗଡ଼ର ତତ୍କାଳୀନ ରାଜା ସାହେବ ବ୍ରଜବଲ୍ଲଭ ସିଂହ ମାନଧାତା (ଖ୍ରୀ. ୧୮୨୩–୧୮୫୧) ଏବଂ ଆଠଗଡ଼ର ରାଜା ରାମଚନ୍ଦ୍ର ହରିଚନ୍ଦନ ଜଗଦେବ (ଖ୍ରୀ. ୧୮୪୫–୧୮୫୦) ସମସାମୟିକ ଶାସକ ଥିଲେ। ଉଭୟଙ୍କ ଜୀବନଶୈଳୀରେ ଭୋଗବିଳାସ, ନିଶାସକ୍ତି ଓ ବିଳାସବ୍ୟସନର ପ୍ରଭାବ ରହିଥିବା କଥା ଐତିହାସିକ ବର୍ଣ୍ଣନାରୁ ଜଣାପଡ଼େ। ତେବେ ଏହି ଦୁଇ ରାଜାଙ୍କ ଶାସନକାଳର ପରିଣତି ଦୁଇ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ଇତିହାସ ସୃଷ୍ଟି କରିଥିଲା। ଗୋଟିଏ ରାଜ୍ୟର ଅସ୍ତିତ୍ୱ ଲୋପ ପାଇଥିବା ବେଳେ, ଅନ୍ୟ ରାଜ୍ୟଟି ଅବନତିର ଚରମ ସୀମାରେ ପହଞ୍ଚିବା ପୂର୍ବରୁ ରାଜାଙ୍କ ଚେତନା ଉଦୟ ହୋଇଥିଲା।
ଏହି ଦୁଇ ରାଜପରିବାର ମଧ୍ୟରେ ବୈବାହିକ ସମ୍ପର୍କ ମଧ୍ୟ ରହିଥିଲା। ରାଜା ରାମଚନ୍ଦ୍ର ହରିଚନ୍ଦନ ଏବଂ ରାଜା ବ୍ରଜବଲ୍ଲଭ ସିଂହ ମାନଧାତା ସମ୍ପର୍କରେ ଥିଲେ ଶଳା ଭିଣୋର । ଆଠଗଡ଼ର ରାଜା ବାଲୁଙ୍କେଶ୍ୱର ହରିଚନ୍ଦନଙ୍କ ଏକମାତ୍ର ଅତି ଆଦରଣୀୟା ତଥା ରୂପଲାବଣ୍ୟମୟୀ କନ୍ୟା କଳାବତୀ, ନୟାଗଡ଼ର ପ୍ରସିଦ୍ଧ ରାଜା ତଥା ନିଜିଗଡ଼ (ନୟାଗଡ଼ ସହର) ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା ବିନାୟକ ସିଂହ ମାନଧାତାଙ୍କ ପୁତ୍ରବଧୂ ଥିଲେ।
ଏତେ ସୁନ୍ଦରୀ ଓ ଗୁଣବତୀ ପତ୍ନୀ ଥାଇ ମଧ୍ୟ ବ୍ରଜବଲ୍ଲଭ ସିଂହ ମାନଧାତାଙ୍କ ଭୋଗବିଳାସର ଲାଳସାରେ ଅନ୍ତ ନଥିଲା। ଚକ୍ରଧର ମହାପାତ୍ରଙ୍କ ବର୍ଣ୍ଣନାନୁସାରେ, ସେ “ଦ୍ୟୁତ, ମଦ୍ୟ, ପରସ୍ତ୍ରୀ ଘେନି ସେତେବେଳେ ପ୍ରକାଶ୍ୟରେ ଲୀଳା କରୁଥାନ୍ତି।” ଏହି ବିଳାସପୂର୍ଣ୍ଣ ଜୀବନଶୈଳୀର ପ୍ରଭାବରେ ପିତାଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ସ୍ୱପ୍ନ, ନିଜିଗଡ଼ରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣକୁ ସମ୍ପୂର୍ଣ୍ଣ କରିବା ଅଧୁରା ରହିଯାଇଥିଲା। ପିତା ମନ୍ଦିର ନିର୍ମାଣ ପାଇଁ ସଞ୍ଚିତ ରଖିଥିବା ଧନରାଶିକୁ ନୂତନ ରାଜା ଭୋଗବିଳାସ ଓ ବ୍ୟକ୍ତିଗତ ମଉଜମଜଲିସରେ ବ୍ୟୟ କରିବାରେ ଲାଗିଲେ। ଫଳରେ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ସହ ନୀତିକାନ୍ତି ପ୍ରତି ମଧ୍ୟ ତାଙ୍କର ଅବହେଳା ବୃଦ୍ଧି ପାଇଥିଲା।
କଥିତ ଅଛି, ଏହି ସାହିତ୍ୟ ଓ ସାହିତ୍ୟିକଙ୍କ ପ୍ରତି ଅନାଦର ରାଜାଙ୍କ ଠାରୁ ଅପମାନଜନକ ବ୍ୟବହାରରେ ଅତିଷ୍ଠ ହୋଇ, ନୟାଗଡ଼ ରାଜକବି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ରାଜନଅରକୁ ସବୁଦିନ ପାଇଁ ତ୍ୟାଗ କରିଥିଲେ। ତେବେ ଏହି ସମସ୍ତ ଘଟଣାବଳୀ ମଧ୍ୟରେ ନୟାଗଡ଼ ରାଜାଙ୍କ ଶ୍ୱଶୁରଘର ରାଜ୍ୟ ଆଠଗଡ଼ରେ ଏପରି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା, ଯାହା ଓଡ଼ିଶାର ଗଡ଼ଜାତ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବେ ରହିଗଲା। ଜଣେ ଭୋଗବିଳାସୀ, କାମୁକ ଓ ନିଶାସକ୍ତ ଶାସକଙ୍କ ଅବହେଳା, ଦାୟିତ୍ୱହୀନତା ତଥା ରାଜ୍ୟ ଶାସନରେ ଅକ୍ଷମତାର ପରିଣାମ ସ୍ୱରୂପ ଆଠଗଡ଼ ରାଜ୍ୟର ଅସ୍ତିତ୍ୱ ସଙ୍କଟାପନ୍ନ ହୋଇଥିଲା।
ଆଠଗଡ଼ର ଏହି ଦୁର୍ଦ୍ଦଶା ନୟାଗଡ଼ ରାଜାଙ୍କ ପାଇଁ ଏକ ସତର୍କ ଘଣ୍ଟି ସଦୃଶ ହୋଇଥିଲା। ଅନ୍ୟ ଏକ ରାଜ୍ୟର ପତନ ଓ ଦୁର୍ଦ୍ଦଶାରୁ ଶିକ୍ଷା ଗ୍ରହଣ କରି ତାଙ୍କର ଚେତନା ଉଦୟ ହୋଇଥିଲା। ଏହାପରେ ସେ ପିତାଙ୍କ ଅଧୁରା ସ୍ୱପ୍ନ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ କରିବା ସହ ପ୍ରଜାଙ୍କ ହିତସାଧନ ଓ ରାଜ୍ୟର ଉନ୍ନତିମୂଳକ କାର୍ଯ୍ୟରେ ମନୋନିବେଶ କରିଥିଲେ।
(ନୟାଗଡ଼ ରାଜବାଟୀ)
~ ଆଠଗଡ଼ ରାଜ୍ୟର ନିଲାମ ହେବା ପଛର ଐତିହାସିକ ପୃଷ୍ଠଭୂମି ~
ଆଠଗଡ଼ ଇତିହାସର ବର୍ଣ୍ଣନାନୁସାରେ, ତତ୍କାଳୀନ ରାଜା ରାମଚନ୍ଦ୍ର ହରିଚନ୍ଦନ ଜଗଦେବଙ୍କ ଦେୱାନ ଥିଲେ ବହାଦୁର ପଟ୍ଟନାୟକ। ସେ ବୁଦ୍ଧିରେ ଅତ୍ୟନ୍ତ ପ୍ରଖର ଓ ଚତୁର ଥିଲେ। ରାଜାଙ୍କ କାମୁକ ପ୍ରବୃତ୍ତି ଓ ଭୋଗବିଳାସ ପ୍ରତି ଆସକ୍ତିର ସୁଯୋଗ ନେଇ ଦେୱାନ ତାଙ୍କ ମନୋରଞ୍ଜନ ପାଇଁ ଏକ ନାଟ୍ୟକଳାକାର ଦଳର ବ୍ୟବସ୍ଥା କରିଥିଲେ। କାଶୀ ଖେଡ଼େଙ୍ଗା ନାମକ ଜଣେ ବ୍ରାହ୍ମଣ ଏହି ନାଟ୍ୟକଳାକାର ଦଳର ମୁଖ୍ୟ ଥିଲେ। ତାଙ୍କ ମାଧ୍ୟମରେ କବିସୂର୍ଯ୍ୟଙ୍କ ରଚିତ ଚମ୍ପୂ ଗୀତରେ କେତେକ ପିଲାଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଉଥିଲା। ଏହି ମନୋରଞ୍ଜନ ବ୍ୟବସ୍ଥାରେ ରାଜା ଏତେ ମାତ୍ରାରେ ଆସକ୍ତ ହୋଇପଡ଼ିଥିଲେ ଯେ, ଧୀରେ ଧୀରେ ରାଜକାର୍ଯ୍ୟ ପ୍ରତି ତାଙ୍କର ଆଗ୍ରହ ହ୍ରାସ ପାଇଥିଲା। ଫଳରେ ରାଜ୍ୟର ପ୍ରକୃତ ଶାସନ କ୍ଷମତା ଦେୱାନଙ୍କ ହାତକୁ ଚାଲିଯାଇଥିଲା।
ଏହି ସୁଯୋଗରେ ଦେୱାନ ବ୍ରିଟିଶ ସରକାରଙ୍କୁ ଦେବାକୁ ଥିବା ବାର୍ଷିକ ପେସକାସ୍ ଅର୍ଥକୁ ମଧ୍ୟ ଆତ୍ମସାତ କରିବାରେ ଲାଗିଥିଲେ। ଫଳସ୍ୱରୂପ ରାଜ୍ୟର ଆର୍ଥିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲା। ଏକପଟେ ବ୍ରିଟିଶ ସରକାରଙ୍କ ବକେୟା ପେସକାସ୍ ବୋଝ, ଅନ୍ୟପଟେ ରାଜ୍ୟ ପରିଚାଳନା ପାଇଁ ଅର୍ଥାଭାବ,ଏହି ଦୁଇ ସଙ୍କଟ ମଧ୍ୟରେ ପଡ଼ି ରାଜା ଅନ୍ୟ ଜମିଦାରମାନଙ୍କଠାରୁ ଋଣ କରିବାକୁ ବାଧ୍ୟ ହୋଇଥିଲେ। ପରିସ୍ଥିତି ଏପରି ଜଟିଳ ହୋଇପଡ଼ିଲା ଯେ, ଶେଷରେ ରାଜା ରାମଚନ୍ଦ୍ର ନିଜ ରାଜ୍ୟକୁ ଇଂରେଜ ସରକାରଙ୍କ ନିକଟରେ ବନ୍ଧକ ରଖିବାକୁ ମନସ୍ଥ କରିଥିଲେ। ସେତେବେଳେ ଗଞ୍ଜାମ ଜିଲ୍ଲାର ମାଜିଷ୍ଟ୍ରେଟ୍ ଥିଲେ ବୟାର୍ଡ଼ ସାହେବ।
ବିଦେଶୀ ହୋଇଥିଲେ ମଧ୍ୟ ଗୋଟିଏ ରାଜ୍ୟର ଐତିହ୍ୟ, ସଂସ୍କୃତି ଓ ଅସ୍ତିତ୍ୱ ଋଣ ଅର୍ଥଠାରୁ ଅଧିକ ମୂଲ୍ୟବାନ ବୋଲି ସେ ବିଚାର କରିଥିଲେ। ତେଣୁ ରାଜ୍ୟକୁ ରକ୍ଷା କରିବା ପାଇଁ ସେ ରାଜାଙ୍କୁ ଏକ ବିକଳ୍ପ ଆର୍ଥିକ ବ୍ୟବସ୍ଥାର ପରାମର୍ଶ ଦେଇଥିଲେ। ସେହି ବ୍ୟବସ୍ଥା ଅନୁଯାୟୀ, ରାଜ୍ୟକୁ ଆଗୁଆ କିଛି ଅର୍ଥ ପ୍ରଦାନ କରାଯାଇଥିଲା। ଏହି ଅର୍ଥକୁ ଉପଯୋଗ କରି ରାଜ୍ୟର ଉପାର୍ଜନ ବୃଦ୍ଧି କରିବା ସହ ଆୟର ଦଶ ଭାଗ ମୂଳଧନ ଓ ସୁଧ ପରିଶୋଧରେ ଏବଂ ଅନ୍ୟ ଛଅ ଭାଗ ରାଜ୍ୟର ଉନ୍ନତି ଓ ହିତସାଧନରେ ବିନିଯୋଗ କରିବାର ବ୍ୟବସ୍ଥା ହୋଇଥିଲା। ବୟାର୍ଡ଼ ସାହେବଙ୍କ ଏହି ନୀତି ଅନୁସାରେ ଧୀରେ ଧୀରେ ଆଠଗଡ଼ର ଆର୍ଥିକ ସ୍ଥିତିରେ ସୁଧାର ଆସିବାକୁ ଲାଗିଲା। ରାଜା ମଧ୍ୟ ନିଜ ଋଣ ପରିଶୋଧ କରିବାରେ ସଫଳ ହେଉଥିଲେ। କିନ୍ତୁ ତାଙ୍କର ଅବାଧ ଓ ବେହିସାବୀ ଖର୍ଚ୍ଚ ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ପୁନର୍ବାର ଦୁର୍ବଳ କରିଦେଇଥିଲା। ଘୁମୁସରର ତତ୍କାଳୀନ ରାଜା କନକଭଞ୍ଜଙ୍କଠାରୁ ବହୁମୂଲ୍ୟ ବିନିମୟରେ ଦୁଇଟି ହାତୀ କିଣିବା ସହ ଅତ୍ୟଧିକ ଅର୍ଥ ବ୍ୟୟ କରି ଆଉ ଏକ ଦନ୍ତାହାତୀ କ୍ରୟ କରିଥିଲେ। ଅନ୍ୟପଟେ ଅବଶିଷ୍ଟ ଅର୍ଥର କିଛି ଅଂଶ ଗଡ଼ଦେବୀ ମା’ କନକଦୁର୍ଗାଙ୍କ ମନ୍ଦିର, ପର୍ବଘର ନିର୍ମାଣ ତଥା ଅନ୍ୟ ଦେବାଳୟଗୁଡ଼ିକର ରକ୍ଷଣାବେକ୍ଷଣରେ ବିନିଯୋଗ କରିଥିଲେ।
ଆଠଗଡ଼ ରାଜାଙ୍କ ଏହି ଦୁର୍ବଳ ଶାସନର ସୁଯୋଗ ନେଇ ପଡ଼ୋଶୀ ଜମିଦାରୀ ଖଲ୍ଲିକୋଟର ନାବାଳକ ରାଜା ନାରାୟଣ ମର୍ଦ୍ଦରାଜଙ୍କ ମ୍ୟାନେଜର ତଥା ତାଙ୍କ କାକା ମାନସିଂହ ଏକ ସାଧାରଣ ଗ୍ରାମ୍ୟ ବିବାଦକୁ କେନ୍ଦ୍ର କରି ଆଠଗଡ଼ ଉପରେ ଆକ୍ରମଣ କରିଥିଲେ। ଏହି ସଂଘର୍ଷର ନିଷ୍ପତ୍ତି ଶେଷରେ ଗଞ୍ଜାମ କଲେକ୍ଟରଙ୍କ ନିକଟରେ ହୋଇଥିଲା। ଏହି ସମୟରେ ରାଜ୍ୟରେ ଦୁର୍ଭିକ୍ଷ ମଧ୍ୟ ଦେଖାଦେଇଥିଲା। ଫଳରେ ପ୍ରଜାମାନଙ୍କ ଦୁର୍ଦ୍ଦଶା ବଢ଼ିବା ସହ ରାଜକୋଷ ଆହୁରି ଶୂନ୍ୟ ହେବାକୁ ଲାଗିଲା। ଏହି ସୁଯୋଗର ଫାଇଦା ଉଠାଇ ଦେୱାନଙ୍କ ପ୍ରରୋଚନାରେ ରାଜକର୍ମଚାରୀମାନେ ମଧ୍ୟ ରାଜାଙ୍କ ବିରୋଧରେ ବିଦ୍ରୋହ କରିଥିଲେ।
(ଗଞ୍ଜାମ ଆଠଗଡପାଟଣାର ଭଗ୍ନ ରାଜବାଟୀ)
ପରିସ୍ଥିତିର ଗମ୍ଭୀରତା ବୁଝି ରାଜା ଏହାର ସମାଧାନ ପାଇଁ ଦେୱାନଙ୍କୁ ନିର୍ଦ୍ଦେଶ ଦେଇଥିଲେ, ପ୍ରଜାଙ୍କଠାରୁ ଆଦାୟ ହୋଇଥିବା କର, ରାଜକୋଷରେ ଥିବା ଅର୍ଥ ଏବଂ ରାଜପରିବାରର ସୁନାଗହଣା ଆଦି ବିକ୍ରୟ କରି ବ୍ରିଟିଶ ସରକାରଙ୍କ ବକେୟା ପେସକାସ୍ ପରିଶୋଧ କରିଦେବାକୁ । କିନ୍ତୁ ଦେୱାନ ରାଜାଙ୍କ ସମ୍ମୁଖରେ ସମ୍ମତି ପ୍ରକାଶ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହି ଦାୟିତ୍ୱ ପ୍ରତି କୌଣସି ଆନ୍ତରିକତା ପ୍ରଦର୍ଶନ କରିନଥିଲେ। ବରଂ ସେହି ଅର୍ଥକୁ ନିଜେ ଆତ୍ମସାତ କରିବାରେ ଲାଗିଥିଲେ। ଏହି ସମୟରେ ବ୍ରିଟିଶ ସରକାରଙ୍କ କେତେକ ଲୋଭୀ କର୍ମଚାରୀ ତଥା ଜିଲ୍ଲା ମୁନ୍ସିଙ୍କୁ ନିଜ ପକ୍ଷଭୁକ୍ତ କରି ପଡ଼ୋଶୀ ଜମିଦାରୀ ଖଲ୍ଲିକୋଟର ମ୍ୟାନେଜର ନିଜ କୂଟନୀତି ଓ ଅର୍ଥ ପ୍ରଲୋଭନ ମାଧ୍ୟମରେ ସେମାନଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ। ଏପରିକି ଆଠଗଡ଼ ରାଜ୍ୟକୁ ନିଲାମ କରିବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଇଥିଲେ।
କିନ୍ତୁ ହାୱାର୍ଡ଼ ସାହେବଙ୍କ ଉଦାର ମନୋଭାବ ଆଠଗଡ଼କୁ ପୁନର୍ବାର ଏକ ସୁଯୋଗ ଦେଇଥିଲା। ଏହି ଉଦ୍ଦେଶ୍ୟରେ ଇଂରେଜ ସରକାରଙ୍କ କାର୍ଯ୍ୟାଳୟର ଜଣେ ପିଅନଙ୍କ ମାଧ୍ୟମରେ ଗଡ଼ ମଧ୍ୟରେ ଡେଙ୍ଗୁରା ବା ନାଗରା ବଜାଇ ରାଜାଙ୍କୁ ସତର୍କ କରାଯାଇଥିଲା। ରାଜନଅର ମଧ୍ୟରୁ ଏହି ନାଗରା ଶବ୍ଦ ଶୁଣି ରାଜା ଏହାର କାରଣ ସମ୍ପର୍କରେ ଦେୱାନଙ୍କୁ ପଚାରିଥିଲେ। କିନ୍ତୁ ଦେୱାନ ଅତି ଚତୁରତାର ସହ ଉତ୍ତର ଦେଇଥିଲେ ଯେ, ଏହା କେଳା ନାଚର ନାଗରା। କେତେକ କନ୍ଧ ଲୋକ ଛାମୁଙ୍କଠାରୁ ଧାନ, ଚାଉଳ ଓ ମୁଗ ଆଦି ନେଇ ଗଡ଼ ମଧ୍ୟରେ ନାଚ ପରିବେଷଣ କରିବାକୁ ଗଡ଼କୁ ଆସିଛନ୍ତି। ଭୋଗବିଳାସରେ ମଗ୍ନ ରାଜା ମଧ୍ୟ ଦେୱାନଙ୍କ କଥାକୁ ସତ୍ୟ ବୋଲି ବିଶ୍ୱାସ କରିନେଇଥିଲେ। ଶେଷରେ ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପରି ଆଠଗଡ଼ ରାଜ୍ୟର ଭାଗ୍ୟ ନିର୍ଦ୍ଧାରିତ ହୋଇଗଲା। ୧୮୫୦ ମସିହାରେ ଇଂରେଜ ସରକାରଙ୍କ ଦ୍ୱାରା ଆଠଗଡ଼ ରାଜ୍ୟର ନିଲାମ ଡକାଯାଇ ଏହାକୁ ସବୁଦିନ ପାଇଁ ଖଲ୍ଲିକୋଟ ଜମିଦାରୀକୁ ହସ୍ତାନ୍ତର କରିଦିଆଗଲା।
ଏହାପରେ ମଧ୍ୟ ରାଜା ରାମଚନ୍ଦ୍ର ନିଜ ହରାଇଥିବା ରାଜ୍ୟକୁ ପୁନର୍ବାର ଫେରିପାଇବା ଆଶାରେ ଅନେକ ଥର ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ତଥା ଖଲ୍ଲିକୋଟ ରାଜାଙ୍କୁ ସାକ୍ଷାତ କରିଥିଲେ ଏବଂ ଅନୁରୋଧ ବି କରିଥିଲେ । କିନ୍ତୁ ତାଙ୍କର ସମସ୍ତ ପ୍ରୟାସ ବିଫଳ ହୋଇଥିଲା। ଆର୍ଥିକ ଦୁର୍ବଳତା, ରାଜକର୍ମଚାରୀଙ୍କ ବିଶ୍ୱାସଘାତକତା, ଦେୱାନଙ୍କ ଆତ୍ମଘାତୀ କୁଚକ୍ର ଏବଂ ସର୍ବୋପରି ନିଜର ଦୁର୍ବଳତା ଓ ଶାସନଗତ ଅବହେଳା ପାଇଁ ଶେଷରେ ତାଙ୍କୁ ନିଜ ପୈତୃକ ରାଜ୍ୟ ଓ ଭିଟାମାଟି ଚିରଦିନ ପାଇଁ ହରାଇବାକୁ ପଡ଼ିଥିଲା। ଯେଉଁ ଆଠଗଡ଼ ରାଜ୍ୟ କବିସୂର୍ଯ୍ୟ ବଳଦେବ ରଥଙ୍କ ପରି ମହାନ ରାଜକବିଙ୍କୁ ଆଶ୍ରୟ ଓ ପୃଷ୍ଠପୋଷକତା ପ୍ରଦାନ କରିଥିଲା, ଯେଉଁ ରାଜ୍ୟ ବଘେଲ ବୀର ଚନ୍ଦ୍ରମଣି ସିଂହଙ୍କ ବୀରତ୍ୱ ଓ ପରାକ୍ରମରୁ ପ୍ରତିଷ୍ଠା ଲାଭ କରିଥିଲା, ସେହି ରାଜ୍ୟର ଏପରି ପରିଣତି ଥିଲା ଅତ୍ୟନ୍ତ ଦୁଃଖଦ ଓ ମର୍ମସ୍ପର୍ଶୀ।
ଦିନେ ଯେଉଁ ବୀର ରାଜା ନିଜ ବାହୁବଳ ଓ ସାହସରେ ଓଡ଼ିଶାର ଗଜପତି ମହାରାଜା ଏବଂ ଆମ ଇଷ୍ଟ ଆରାଧ୍ୟ ଶ୍ରୀକ୍ଷେତ୍ରବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଦେଶୀ ମୁସଲମାନ ଶାସକଙ୍କ ଆକ୍ରମଣ ସମୟରେ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥିଲେ, ଯାହାଙ୍କ ଉଦ୍ୟମରେ ମାରଦା ଶ୍ରୀକ୍ଷେତ୍ର ବା ଶରଣ ଶ୍ରୀକ୍ଷେତ୍ରର ଐତିହାସିକ ଗୁରୁତ୍ୱ ପ୍ରତିଷ୍ଠିତ ହୋଇଥିଲା, ସେହି ବଂଶର ଗୌରବଗାଥା ଶେଷରେ ଇତିହାସର ପଶ୍ଚିମ ଆକାଶରେ ସବୁଦିନ ପାଇଁ ଅସ୍ତମିତ ହୋଇଗଲା।
Athagada Patna Nayagarh Nayagada Itihasa Prasant Das ନୟାଗଡ଼ ଇତିହାସ