ଲେଖା: ନିରଞ୍ଜନ ସାହୁ

ଅନନ୍ୟ ପ୍ରତିଭାର ଅଧିକାରୀ ସେ ମଣିଷ। ଦୂରପାହାଡ଼, ଜହ୍ନରାତିର ରୂପେଲି କିରଣ, ପୋଖରୀ ଭିତରେ ଚନ୍ଦ୍ରର ପ୍ରତିଛବି, ସବୁଜବନାନୀ, ଅଗଣିତ ତାରାଫୁଲ, ମଣିଷର ଅନ୍ତର୍ବେଦନା, ଦାର୍ଶନିକତତ୍ତ୍ଵ, ଅବିକଳ ପ୍ରତିଛବି, ପ୍ରାକୃତିକ ଶୋଭା, କଳ୍ପନାପଟରେ କେତେ କଥାର ଜୀବନ୍ତ ଚିତ୍ରର ଚିତ୍ରକର ଶିଳ୍ପୀ ବିମ୍ବାଧର ବର୍ମା, ଯାହାଙ୍କ ଚିତ୍ର ମଉନ ନୁହେଁ ବରଂ କଥା କହେ।

୧୯୦୧ ମସିହା ଅଗଷ୍ଟ ମାସ ୨୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଏହି ମହାନ୍ ଶିଳ୍ପୀ କଟକ ଜିଲ୍ଲାର କୁସୁପୁର ଗାଁରେ। ପିତାଙ୍କର ତିରୋଧାନ ହୋଇଗଲା ବାଳୁତ ଥିବା ବେଳେ ଆମର ଶିଳ୍ପୀ। ମାତା ଶାରଦା ଦେବୀଙ୍କ ଏକମାତ୍ର ପୁତ୍ର ବିମ୍ବାଧର ଲାଳିତପାଳିତ ହେଲେ ମା’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ।

ମା’ ଓଡ଼ିଆ ଘରର ବୋହୂ ଭାବେ ବାରମାସରେ ତେରପର୍ବ ପର୍ବାଣୀ ପାଳନ କରନ୍ତି, ସୁନ୍ଦର ଝୋଟିଚିତା ଆଙ୍କି ଦିଅନ୍ତି ଘର କାନ୍ଥରେ । ଏହି ଠାରୁ ଆରମ୍ଭ ହୋଇ ଆସୁଥିଲା ବିମ୍ବାଧରଙ୍କ ଚିତ୍ରକଳା ପ୍ରତି ଆଗ୍ରହ। ସାମାନ୍ୟ ପାଠ ପରେ ଡୋରି ବନ୍ଧା ହେଲା, ଚିତ୍ରକଳାର ନିଶାମଞ୍ଜି ବୁଣି ହୋଇଗଲା ମନ ଭିତରେ। ଆଉ ପଛକୁ ଫେରିବାକୁ ଅବକାଶ ନଥିଲା। ପ୍ରଥମ ଶିକ୍ଷା ଗୁରୁ ଭାବରେ ବରି ନେଲେ ଜଣେ ଶିଳ୍ପୀ ରଘୁନାଥ ପଣ୍ଡାଙ୍କୁ। ପରେ ପରେ କୁସୁପୁର ନିକଟରେ ଥିବା ଚାଇଁଆପାଳ ଗାଁରେ ଆଉ ଜଣେ ଶିଳ୍ପୀ, ମୂର୍ତ୍ତି କାରିଗର ରାଖାଲ୍ ବାବୁଙ୍କ  ଦ୍ଵାରସ୍ଥ ହେଲେ ଏବଂ ମୂର୍ତ୍ତି କଳାର କୌଶଳ ସମସ୍ତ ଶିଖିଲେ। କ୍ରମଶଃ ହୋଇଉଠିଲେ ମାହାଙ୍ଗା ଅଞ୍ଚଳରେ ପ୍ରଖ୍ୟାତ। ମା’ ଶାରଦା ଦେବୀଙ୍କ ନଜର ଥିଲା, ପୁଅ ଯେପରି ମୂର୍ତ୍ତି କାରିଗର ନହୋଇ ଆଉ କିଛି ହେଉ । ଏକ ଅନ୍ଧବିଶ୍ୱାସ ଅନୁଯାୟୀ ମା’ଙ୍କର ମନରେ ଥିଲା ମୂର୍ତ୍ତିକାରିଗର ମାନେ ରୂପଦେବତାଙ୍କୁ ଅସମ୍ମାନ କରୁଥିବା ହେତୁ ଅପୁତ୍ରିକ ରହନ୍ତି। ଏହି କଥା ମା’ ଜଣେଇବା ପରେ ବିମ୍ବାଧର ଶପଥ କରିଥିଲେ ଆଜୀବନ ବିବାହ ନ କରିବା ପାଇଁ। ତାହା ମଧ୍ୟ ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ବଳବତ୍ତର ରହିଲା।

ଥରେ କଟକରେ ଏକ ରଙ୍ଗମଞ୍ଚରେ କାମ କରିବା ପାଇଁ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଅନୁରୋଧରେ ଆସିଥିଲେ ବିମ୍ବାଧର। ରଙ୍ଗମଞ୍ଚରେ ବ୍ୟବହୃତ ଯବନିକା ପ୍ରସ୍ତୁତିରେ ଲାଗି ଥାଆନ୍ତି ଶିଳ୍ପୀ ବିମ୍ବାଧର। ସେହି ଯବନିକାରେ ମନ୍ଦିରମାଳିନୀ ଭୁବନେଶ୍ୱରର ପ୍ରତିଛବି ଆଙ୍କିବାରେ ଦାୟିତ୍ଵ ଥିଲା ବିମ୍ବାଧରଙ୍କ ଉପରେ। ସେ ଏହି ଛବି ଏପରି ଆଙ୍କିଲେ ଯେ ଏହାକୁ ଦେଖିବା କ୍ଷଣି ନନ୍ଦକିଶୋର କହି ଉଠିଲେ “ହଇହେ ବିମ୍ବାଧର, ତମେ ଚାରି ପଇସା ଖର୍ଚ୍ଚରେ ବିରାଟ ଭୁବନେଶ୍ୱର ଦେଉଳ ଠିଆ କରିଦେଲ !” ଏହି ଠାରେ ସେଦିନ ପଡ଼ିଲା ଅସାଧାରଣ ପ୍ରତିଭା ବିକାଶର ଭିତ୍ତିପ୍ରସ୍ତର ।ଏ କଥା ପ୍ରଚାରିତ ହେବାକୁ ଲାଗିଲା ଏବଂ ଓଡ଼ିଶାର କୋଣ ଅନୁକୋଣରେ ଚର୍ଚ୍ଚା ଧରିଲା ଏହି ମହାନ୍ ଶିଳ୍ପୀଙ୍କର। ଏହାପରେ ବାଲ୍ ଗଙ୍ଗାଧର ତିଳକ ଓ ମହାତ୍ମାଗାନ୍ଧୀଙ୍କର ଦୁଇଟି ତୈଳ ଚିତ୍ର ଆଙ୍କି ସମଗ୍ର ଓଡ଼ିଶାରେ ଏବଂ ରାଜ୍ୟ ବାହାରେ ଲୋକପ୍ରିୟ ହୋଇଉଠିଲେ ବିମ୍ବାଧର

୧୯୨୮ ମସିହାର ଗୋଟିଏ କଥା। ଜାତୀୟଗୈାରବ ମଧୁସୂଦନ ଉତ୍କଳର ସ୍ଵତନ୍ତ୍ରତା ନେଇ ଚିନ୍ତା କରୁଥାଆନ୍ତି। ହଠାତ୍ ମନକୁ ଆସିଲା ଉତ୍କଳ ମାତାର ଏକ ଚିତ୍ର। ଡାକରା ପାଇ ଆସିଲେ ବିମ୍ବାଧର ମହାଶୟ।ବରାଦ ଦିଆଗଲା ପାଞ୍ଚଦିନ ମଧ୍ୟରେ ପାଞ୍ଚଟି ଚିତ୍ର ଆଙ୍କିଦେବା ପାଇଁ। ସେଥିରୁ ପ୍ରଥମଟି ହେଲା ଛିନ୍ନମସ୍ତା, ଛିନ୍ନହସ୍ତା, ଛିନ୍ନଚରଣ ଉତ୍କଳ ମାତାର, ଦ୍ୱିତୀୟଟି ହେଲା ପ୍ରାକୃତିକ ଓଡ଼ିଶା ଓ ତା’ର ବିଚ୍ଛିନ୍ନାଞ୍ଚଳର ନକ୍ସା, ଅନ୍ୟ ତିନୋଟି ଥିଲା ବିଭିନ୍ନ ପ୍ରଦେଶରେ ଓଡ଼ିଆ ପିଲାମାନେ ପାଉଥିବା ବୈମାତୃକ ବ୍ୟବହାରର ପ୍ରତିଛବି। ଠିକ୍ ଭାବରେ ପାଞ୍ଚଦିନ ମଧ୍ୟରେ ଅଙ୍କିତ ହୋଇଗଲା ପାଞ୍ଚଟି ଚିତ୍ର। ଏହି କଳାକୃତି ଦେଖିବା ପରେ ଗଭୀର ଆଶାନ୍ଵିତ ହୋଇଉଠିଲେ ଜାତିଐରାବତ ଏହି ଶିଳ୍ପୀଙ୍କ ବାବଦରେ। ବୈଠକ ଗୃହରେ ପଦଚାରଣ କରିବା ସମୟରେ ହଠାତ୍ ଆସି ଆଲିଙ୍ଗନ କରିନେଲେ ଶିଳ୍ପୀଙ୍କୁ। ଆଶୀର୍ବାଦର ବର୍ଷା ଝରିପଡିଲା।

ଠିକ୍ କେତେ ଦିନ ପରେ ବିମ୍ବାଧର ବର୍ମାଙ୍କୁ ମିଳିଲା ଦିବଙ୍ଗତ ଗୋପବନ୍ଧୁଙ୍କ ପ୍ଲାଷ୍ଟର ଅଫ୍ ପ୍ୟାରିସରେ ତିଆରି କରିବାକୁ ଏକ ପ୍ରତିମୂର୍ତ୍ତି। ଅତି ସୁନ୍ଦର ଓ ନିଖୁଣ ଭାବେ ଗଢା ହେଲା ଏହି ମୂର୍ତ୍ତି। ଏହାହିଁ ଥିଲା ଗୋପବନ୍ଧୁଙ୍କ ପ୍ରଥମ ପ୍ରତିମୂର୍ତ୍ତି, ଯାହା ପରବର୍ତ୍ତୀ ସମୟରେ ଅନ୍ୟ କଳାକାର ମାନେ ଅନୁକରଣ କରୁଥିବାର ଦେଖାଯାଏ। ସୁଖ୍ୟାତି ବଢ଼ିଚାଲିଲା ଏବଂ ଶିଳ୍ପୀ ହୋଇଗଲେ ଓଡ଼ିଶାର ଅପ୍ରତିଦ୍ଵନ୍ଦୀ କଳାସମ୍ରାଟ। ଓଡ଼ିଶାର ଘରେ ଘରେ ପରିଚିତ ହେଲେ ଶିଳ୍ପୀଗୁରୁ ବିମ୍ବାଧର ବର୍ମା ଭାବରେ।

ବର୍ମା ମହାଶୟ କୌଣସି କଳା ବିଦ୍ୟାଳୟରେ ଅଧ୍ୟୟନ କରିନାହାନ୍ତି। ଅନ୍ତର୍ନିହିତ ଇଛା, କଠୋର ପରିଶ୍ରମ, ସାଧନା, ମନୋବଳ,ଅନୁରକ୍ତି ତାଙ୍କୁ କାରୁକଳା ଜଗତର ବହୁ ଉର୍ଦ୍ଧ୍ଵରେ ପହଞ୍ଚାଇଛି। ଯଦି କେହି ଗରୀବ ମେଧାବୀ ଛାତ୍ର କଳା ଶିକ୍ଷା ପାଇଁ ତାଙ୍କୁ ନିବେଦନ କରୁଥିଲେ, ତେବେ ସେ ଅକୁଣ୍ଠିତ ଚିତ୍ତରେ ବିନା ପାରିଶ୍ରମିକରେ ସାହାଯ୍ୟ କରୁଥିଲେ। ରୂପ ପାଗଳ ଏହି ମଣିଷ ଯାହା କିଛି ପାରିଶ୍ରମିକ ପାଉଥିଲେ ତାହାକୁ କଳା ଏବଂ ଦୁଃଖୀରଙ୍କୀମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ପଛାଉ ନଥିଲେ। ନୂତନ ଚିତ୍ର, ନୂତନ ଚେହେରା ସୃଷ୍ଟି କରିବା ଥିଲା ତାଙ୍କର ଜନ୍ମଗତ ନିଶା। ଏତେ ଦୁଃଖ କଷ୍ଟରେ ରହି ମଧ୍ୟ ସମୟ ତାଙ୍କୁ ଅର୍ଥ ପାଗଳ କରିନାହିଁ କିମ୍ବା ଅର୍ଥ ପଛରେ ଗୋଡ଼େଇ ନାହାଁନ୍ତି ଏହି ଶିଳ୍ପୀ।

ସାହିତ୍ୟ ସର୍ଜନା ପାଇଁ ସମୟ ମଧ୍ୟ ଦେଇଥିଲେ ଶିଳ୍ପୀ। ସାଧବଝିଅ, ପଲ୍ଲୀବଧୂ, ଗୋଧୂଳି ରାଗିଣୀ, କନ୍ୟା ଇତ୍ୟାଦି କାବ୍ୟ କବିତା ଉତ୍କଳ ଭାରତୀଙ୍କୁ ସମର୍ପି ଦେଇଛନ୍ତି। ତାଙ୍କୁ ସମ୍ମାନ ଦେବାକୁ ଯାଇ ଉତ୍କଳ ସାହିତ୍ୟ ସମାଜ ୧୯୪୦ ମସିହାରେ ଅଭିନନ୍ଦନ ଜଣାଇବା ସହ ଶିଳ୍ପୀଗୁରୁ ଭାବରେ ଭୂଷିତ କରିଥିଲେ। 


କଥାରେ ଅଛି ମା’ ସରସ୍ଵତୀଙ୍କ ବରଦାନ ଯେଉଁଠି ଥାଏ, ମା’ ଲକ୍ଷ୍ମୀ ଠାକୁରାଣୀ ସେଠାରେ ପହଞ୍ଚନ୍ତି ନାହିଁ। ସେଇଆ ବୋଧେ ଫଳିଥିଲା ଏହି ମହାନ ଶିଳ୍ପୀ ବିମ୍ବାଧରଙ୍କ କ୍ଷେତ୍ରରେ! ଦାରୁଣ ଅର୍ଥାଭାବ ସର୍ବଦା ଘେରି ରହିଥିଲା ତାଙ୍କୁ । ହୁଏତ କେତେଜଣଙ୍କୁ ବାଦ ଦେଲେ ତାଙ୍କର ଚିତ୍ର ସବୁ କିଣିବା ପାଇଁ ଓଡ଼ିଶାର ଲୋକେ ନଥିଲେ। କଳାକାରର ସନ୍ତଷ୍ଟି କେବଳ ତା’ର ସୃଷ୍ଟିରେ। ସେଇଆ ହିଁ ଘଟିଥିଲା ତାଙ୍କରି ଭାଗ୍ୟରେ। ବାଧ୍ୟ ହୋଇ କର୍ମସ୍ଥଳୀ କଟକ ଛାଡ଼ିବା ପାଇଁ ମନସ୍ଥ କଲେ ଏହି ବିଶ୍ଵକର୍ମା। ରୋଗ ଶଯ୍ୟାରେ ପଦେ ଆହା କରିବାକୁ କେହି ଆପଣାର ନଥିଲେ। ନିଜ ଜନ୍ମସ୍ଥାନ କୁସୁପୁର ଚାଲି ଆସିଥିଲେ ବିମ୍ବାଧର ବର୍ମା । ଶେଷ ହୋଇ ଆସୁଥିଲା ବିମ୍ବାଧରଙ୍କ ସମୟ ଏବଂ ଓଡ଼ିଶାର କଳାକ୍ଷେତ୍ରରେ ଏକ ଶୂନ୍ୟତା। ଆଖି ବୁଜିଲେ ଅମର ଶିଳ୍ପୀ ୧୯୫୨ ମସିହାରେ ମାତ୍ର ୫୨ ବର୍ଷ ବୟସରେ। ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ସମଗ୍ର ଓଡ଼ିଶାର ଅଗଣିତ କଳାପ୍ରେମୀ ଓ ଜନସାଧାରଣ।

ଏହି ମହାନ୍ ଶିଳ୍ପୀ ବିମ୍ବାଧର ବର୍ମା ଯଶୋଦେହେ ଆୟୁଷ୍ମାନ। ଭାଷାରେ ବ୍ୟକ୍ତ କରିବା କଷ୍ଟକର ତାଙ୍କର ଚିତ୍ର ସମୂହର ଅନ୍ତର୍ନିହିତ ଗାଥାକୁ। ସର୍ବଶେଷରେ ଶ୍ରୀ ରାଧାମୋହନ ଗଡ଼ନାୟକ ରଚିତ କବିତାର ପଦଟିଏ ଉପସ୍ଥାପନା କରି ‘ଅନ୍ତରଙ୍ଗ କଳିଙ୍ଗ’ ଭକ୍ତିପୂତ ପ୍ରଣାମ ନିବେଦନ କରୁଛି –

“ବାଧେ, ଭାରି ବାଧେ ବି.ବର୍ମା ହେ
 ଭାବିଲେ ତୁମର କଥା
 ଅନ୍ତରେ ମୋର ଭରି ଭରି ଉଠେ
 ଗଭୀର ବେଦନା ବ୍ୟଥା।
 କେତେ କି ପ୍ରତିମା, କେତେ କି ମୂର୍ତ୍ତି
 ରଚିଲ ହୃଦୟ ଢାଳି,
 କେତେ ଯେ ଚିତ୍ର ଆଙ୍କିଲ ପୁଣି
 ଯାଦୁର ତୂଳିକା ଚାଳି !
 ଶିଳ୍ପ ତୁମର, ଚିତ୍ର ତୁମର,
 ରଞ୍ଜନ ତୁମ ତୂଳୀ,
 କଳାର ରାଇଜେ ସୃଜି ଦେଇଅଛି
 ସ୍ଵପ୍ନର ଏକ ପୁରୀ।
 ମାନସୀର ଛବି ଫୁଟାଇଲ ତୁମେ
 ଅନ୍ତର ପରକାଶି,
 ରକତ ମାଉଁସ ଦେହ ଧରି କେହି
 ଛିଡ଼ା ହେଲା ନାହିଁ ଆସି।
 ନିଦାରୁଣ ରୋଗ ଭୋଗୁଅଛି ଆଜି
 ରୁଗଣ ତୁମର ଦେହ,
 ଆସିଲେନି କେହି ସଙ୍ଗିନୀ ତବ
 ଦେବାକୁ ଟିକିଏ ସ୍ନେହ।
 ବଞ୍ଚିତ ତୁମେ ବଞ୍ଚିତ ଆଜି
 ଦାନ ଦେଇ ଅନୁପମ
 ଆପେ ଜଳି ଜଳି ଅର୍ଚ୍ଚି ଢାଳୁଚ
 ଦଗ୍ଧ ଶଳିତା ସମ।
 ସାଇପ୍ରସର ସେ ବରଶିଳ୍ପୀର
 ସ୍ଵପ୍ନ ହୋଇଛି ସତ,
 ଓଡ଼ିଶାର ଆମ ବି.ବର୍ମା ହେ
 ଭଗ୍ନ ସମରାହତ।

Shilpi Bimbadhar Varma Niranjan Sahu

Spread the love
admin

View Comments

  • ହେ ଚିତ୍ରକର ! ଅତୁଳନୀୟ ତମର ଚିତ୍ରକଳା ! ଓଡ଼ିଆ ଜାତି ଆପଣାର ପ୍ରଣାମ ଜଣାଉଛି ।

  • ସମଗ୍ର ଉତ୍କଳ ଖଣ୍ଡରେ ପ୍ରାତଃ ସ୍ମରଣୀୟ ଅସାଧାରଣ ଚିତ୍ରଶିଳ୍ପୀ ଅଟନ୍ତି ବିମ୍ବାଧର ବର୍ମା । ଓଡ଼ିଶାରେ କବି ଅଛନ୍ତି , ସାହିତ୍ୟିକ ଅଛନ୍ତି , ଚିତ୍ରକର ଅଛନ୍ତି କି ? ଏକମାତ୍ର ହେ ସାଧକ , ଜାତୀୟ ସମ୍ମାନ ଅଧିକାରୀ ତ ଆପଣ ! ଆମେ କିନ୍ତୁ ଏପର୍ଯ୍ୟନ୍ତ ଚିହ୍ନି ପାରିଲୁ ନାହିଁ ଆପଣଙ୍କ ପ୍ରତିଭାକୁ ।

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

7 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago