ବାଇମୁଣ୍ଡି

ଲେଖା: ନିରଞ୍ଜନ ସାହୁ

ସୋମବଂଶୀ ରାଜା ଜନ୍ମେଜୟ ଚୌଦ୍ଵାର ପର୍ଯ୍ୟନ୍ତ ଅଧିକାର ପୂର୍ବକ ଆଗ୍ରାହାଟ ଠାରେ ଯଜ୍ଞାନୁଷ୍ଠାନ କରିଥିଲେ। ତାଙ୍କ ପରେ ପ୍ରଥମ ଯଯାତି ଓ ଧର୍ମରଥ ମଧ୍ୟ ଏହି ଅଞ୍ଚଳରେ ଶାସନ କରିଥିଲେ। ଚୌଦ୍ଵାରରେ ସୋମବଂଶୀମାନେ ଚାରିଗୋଟି ଦ୍ଵାର ବିଶିଷ୍ଟ ରାଜଧାନୀ ସ୍ଥାପନ କରିଥିବାରୁ ଏହି ସ୍ଥାନର ନାମ ଚୌଦ୍ଵାର ହୋଇଥିଲା। ସୂଚନାଯୋଗ୍ୟ ଯେ ଜନ୍ମେଜୟ ଚାରିଗୋଟି ତାମ୍ର ଶାସନ ଏବଂ ପ୍ରଥମ ଯଯାତି ଗୋଟିଏ ତାମ୍ର ଶାସନ କଟକରୁ ପ୍ରଦାନ କରିଥିଲେ। ଏଥିରୁ ପ୍ରମାଣିତ ହୋଇଛି ଯେ ସୋମବଂଶୀ ରାଜତ୍ଵ କାଳରେ କଟକର ପ୍ରସିଦ୍ଧି ରହିଥିଲା। ମାଦଳାପାଞ୍ଜି ଓ କିମ୍ବଦନ୍ତୀ ଅନୁସାରେ ନୃପକେଶରୀ କଟକ ସହର ବସାଇଥିଲେ ତଥା ବିଡାନାସୀର କୃଷକ ବାଇମୁଣ୍ଡି (ବାଇଧର ମୁଣ୍ଡି)ଙ୍କ ଅନୁରୋଧ କ୍ରମେ ମର୍କତ କେଶରୀ କାଠଯୋଡ଼ିରେ ପଥର ବନ୍ଧ ନିର୍ମାଣ କରିଥିଲେ। କିନ୍ତୁ ଏହି ନୃପକେଶରୀ ବା ମର୍କତ କେଶରୀଙ୍କ ନାମ ସୋମବଂଶାବଳୀରେ ପରିଲକ୍ଷିତ ହୁଏ ନାହିଁ। ତେବେ ବିଭିନ୍ନ ଶିଳାଲେଖ ଓ ତାମ୍ର ଶାସନକୁ ଭିତ୍ତି କରି ଏହି ନୃପ କେଶରୀ ବା ମର୍କତ କେଶରୀ ଓ ସୋମବଂଶୀ ରାଜାମାନେ ମହାନଦୀ ଉପତ୍ୟକାରେ ଅନେକ କୀର୍ତ୍ତି କରିଯାଇଛନ୍ତି ବୋଲି ପ୍ରତୀୟମାନ ହୁଏ।
ବ୍ରାହ୍ମଣୀ ଉପତ୍ୟକାରେ ସୋମବଂଶୀ ରାଜାମାନେ ସେହି ସମୟରେ ରାଜତ୍ଵ କରୁଥିଲେ। ସେମାନଙ୍କ ଦ୍ୱାରା ଅନେକ କୀର୍ତ୍ତି ସ୍ଥାପିତ ହୋଇଥିଲା। ବ୍ରାହ୍ମଣୀ ଉପତ୍ୟକା ସଦୃଶ ମହାନଦୀ ଉପତ୍ୟକାରେ ସୋମବଂଶୀ ରାଜନ୍ୟବୃନ୍ଦ ଅନେକ କୀର୍ତ୍ତି କରିଯାଇଛନ୍ତି। ଜନ୍ମେଜୟଙ୍କ ଅନ୍ତେ ଏହି ମହାନଦୀର ଉପତ୍ୟକାରେ ନୃପ ବା ମର୍କତ କେଶରୀ ରାଜତ୍ଵ କରିଥିଲେ। ସେତେବେଳେ ମହାନଦୀ ଓ କାଠଯୋଡି ମଧ୍ୟସ୍ଥ ଅଞ୍ଚଳ ବାଣିଜ୍ୟ ସମୃଦ୍ଧ ଅଞ୍ଚଳ ଥିଲା। କାରଣ ନଦୀ ପଥରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବାଣିଜ୍ୟ ଦ୍ରବ୍ୟ ଆସି ଏହି ସ୍ଥାନରେ ଠୁଳ ହେଉଥିଲା ଏବଂ ଏଠାରୁ ବାଣିଜ୍ୟ ତରୀରେ ମହାନଦୀ ବକ୍ଷ ଦେଇ ସାଗରକୁ ଯାଉଥିଲା ଓ ଦରିଆପାରି ଦେଶ ମାନଙ୍କୁ ସ୍ଥାନାନ୍ତରିତ ହେଉଥିଲା। ଏଥିପାଇଁ ପ୍ରାଚୀନ ଶାସ୍ତ୍ରରେ ଏହାକୁ କଟିକର୍ଦ୍ଦମନଗରୀ ବୋଲି କୁହାଯାଇଛି।
ଏଥିରୁ ପ୍ରମାଣିତ ହୁଏ, କଟକ ନଗରର ଇତିହାସ ଏକହଜାର ବର୍ଷରୁ ବହୁ ପ୍ରାଚୀନ। ମହାନଦୀ ଓ କାଠଯୋଡି ନଦୀର ମଧ୍ୟବର୍ତ୍ତୀ ସ୍ଥାନରେ ବାରବାଟୀ, ବିଡାନାସୀ, ରାମଗଡ଼, କେଶରପୁର, ହରିପୁର, ଶଙ୍କରପୁର, ତୁଳସୀପୁର ପ୍ରଭୃତି ଗ୍ରାମମାନ ରହିଥିଲା। ଏହା ଉର୍ବର ଅଞ୍ଚଳ ହୋଇଥିବାରୁ ଉନ୍ନତ ଚାଷଜମି ଥିଲା ତଥା ଏହାର ଅଧିବାସୀ ମାନଙ୍କର ମୁଖ୍ୟ ଜୀବିକା ଥିଲା କୃଷି। ଏତଦବ୍ୟତୀତ କୃଷକମାନେ କୃଷି କାର୍ଯ୍ୟ ପରେ ବାଣିଜ୍ୟ କରୁଥିଲେ। ପ୍ରାଚୀନ ଅଭିଲେଖରୁ ଜଣାଯାଏ, ଏହି ଅଞ୍ଚଳ କୋଦିଣ୍ଡା ଦଣ୍ଡପାଟ ଅଧିନସ୍ଥ ରହିଥିଲା। ସେହି ସମୟରେ ବ୍ରାହ୍ମଣୀ ଅବବାହିକାରେ ଭୌମନଗରୀ ଦଣ୍ଡପାଟର ଖ୍ୟାତି ମଧ୍ୟ ତଦନୁରୂପ ରହିଥିଲା। ଏହି କୋଦିଣ୍ଡା ଦଣ୍ଡପାଟ ଅଧିନସ୍ଥ ବାରବାଟୀ ଗ୍ରାମରେ ସୋମବଂଶୀମାନେ ମହାନଦୀ ତଟ ବାଣିଜ୍ୟ ପେଣ୍ଠରେ ବିଶ୍ଵେଶ୍ଵର ଶିବଲିଙ୍ଗ ସ୍ଥାପନ କରିଥିଲେ। ଯାହା ସମ୍ପ୍ରତି ଗଡ଼ଗଡ଼ିଆ ମହାଦେବ ନାମରେ ପ୍ରସିଦ୍ଧ।
ମାଦଳାପାଞ୍ଜି ଓ ଷ୍ଟାର୍ଲିଙ୍ଗ ସାହେବଙ୍କ ବିବରଣୀ ଅନୁସାରେ ଦଶମ ଶତାବ୍ଦୀରେ ନୃପ କେଶରୀ ରାଜତ୍ଵ କରୁଥିଲେ। ସେହି ସମୟରେ ସୋମବଂଶୀ ମାନେ ବହିଃ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ନୃପ କେଶରୀ ଚୌଦ୍ଵାର ଅପେକ୍ଷା ନଦୀବେଷ୍ଟିତ କଟକକୁ ଅଧିକ ସୁରକ୍ଷିତ ମନେ କରି ସେଠାରେ ସେନା ଛାଉଣୀ ପ୍ରତିଷ୍ଠା କରିଥିଲେ। କଟକର ପ୍ରକୃତ ଅର୍ଥ ହେଉଛି ସୈନ୍ୟଛାଉଣୀ ବା ସୈନ୍ୟଙ୍କ ନିବାସସ୍ଥଳୀ। ଉତ୍ତର ଭାରତର ବାରାଣସୀ ସଦୃଶ ଏହା ନଦୀବେଷ୍ଟିତ ଅଞ୍ଚଳ ହୋଇଥିବାରୁ ନୃପ କେଶରୀ ଏହାର ନାମ ବାରାଣସୀ କଟକ ରଖିଥିଲେ। ଅନେକଙ୍କ ମତରେ ସେ ବିଡାନାସୀ ଗ୍ରାମରେ ନୂତନ ରାଜଧାନୀ ବାରାଣସୀ ୯୮୯ ଖ୍ରୀଷ୍ଟାବ୍ଦରେ ବସାଇଥିଲେ। ପୂର୍ବରୁ ସାତଗୋଟି ରାଜସ୍ଵ ଗ୍ରାମକୁ ନେଇ ମହାନଦୀ ଓ କାଠଯୋଡି ନଦୀର ମଧ୍ୟଭାଗରେ କଟିକର୍ଦ୍ଦମନଗରୀ ଥିଲେ ହେଁ ଜନମାନସରେ ନୃପ କେଶରୀଙ୍କୁ କଟକ ନଗରୀର ପ୍ରତିଷ୍ଠାତା କୁହାଗଲା। ନୃପ କେଶରୀଙ୍କ ପୂର୍ବରୁ ଜନ୍ମେଜୟଙ୍କ ରାଜତ୍ଵର ୩୧ ବର୍ଷରେ କଟକରୁ ତିନୋଟି ତାମ୍ରପତ୍ର ପ୍ରଦାନ କରିଥିଲେ ହେଁ ଐତିହାସିକ ମାନେ ଏହାକୁ ଚୌଦ୍ଵାର କଟକ ବୋଲି ନିର୍ଣ୍ଣୟ କରିଛନ୍ତି। ପ୍ରକୃତରେ ସୋମବଂଶୀଙ୍କ ରାଜତ୍ଵ ପୂର୍ବରୁ କଟକର ପ୍ରାଧାନ୍ୟ ଥିଲା। ଉତ୍ତର ଓ ଦକ୍ଷିଣ ଭାରତର ଯାତ୍ରା ପଥରେ ଏହାର ଅବସ୍ଥିତି ଥିବାରୁ ଏବଂ ନୌବାଣିଜ୍ୟ କେନ୍ଦ୍ର ଭାବରେ ଏହା ପ୍ରତିଷ୍ଠିତ ଥିବାରୁ ସର୍ବଭାରତୀୟ ସ୍ତରରେ କଟକର ଖ୍ୟାତି ରହିଥିଲା। ଏହି ଦୃଷ୍ଟିରୁ ବିଚାର କଲେ ରାଜା ଜନ୍ମେଜୟ କଟକରୁ ତାମ୍ରପତ୍ର ଦାନ କରିବା ଅତ୍ୟନ୍ତ ବିଶ୍ୱାସ ଯୋଗ୍ୟ। ସେ ସମଗ୍ର ରାଜତ୍ଵ କାଳ ଯୁଦ୍ଧରେ ବ୍ୟସ୍ତ ରହି କୌଣସି ଠାରେ ସ୍ଥାୟୀ ରାଜଧାନୀ ପ୍ରତିଷ୍ଠା କରିପାରିନଥିଲେ। ତେବେ ତଦୀୟ ବଂଶଧର ନୃପ କେଶରୀ ନଦୀ ବେଷ୍ଟିତ କଟକ ନଗରୀରେ ରାଜଧାନୀ ପ୍ରତିଷ୍ଠା ପୂର୍ବକ ଜନ୍ମେଜୟଙ୍କ ଇଚ୍ଛା ପୂରଣ କରିଥିଲେ। ଏହି ନୃପକେଶରୀଙ୍କୁ କେହି କେହି ଧର୍ମରଥ, ଭୀମରଥ ବା ପ୍ରଥମ ଯଯାତି ଭାବରେ ଚିତ୍ରଣ କରିଛନ୍ତି। କେତେକଙ୍କ ମତରେ ସୋମବଂଶୀ ନଘୁଷ ହିଁ ନୃପକେଶରୀ। ସେ ଯାହା ହେଉନା କାହିଁକି, ସୋମବଂଶୀ ନୃପକେଶରୀ କଟକ ନଗରୀର ପ୍ରତିଷ୍ଠାତା ବୋଲି ଶତାବ୍ଦୀ ଶତାବ୍ଦୀ ଧରି ଜନମାନସରେ ଉଜ୍ଜୀବିତ ରହିଛି। ସେ ହିଁ ପ୍ରାଚୀନ କଟିକର୍ଦ୍ଦମ ନଗରୀକୁ ରାଜନୈତିକ ଓ ସାଂସ୍କୃତିକ ମର୍ଯ୍ୟାଦା ପ୍ରଦାନ ପୂର୍ବକ ଉତ୍କଳର ରାଜଧାନୀ ମାନ୍ୟତା ପ୍ରଦାନ କଲେ ଓ ଏହି ନଗରୀର ନାମ ବାରାଣସୀ କଟକ ରଖିଲେ। ପ୍ରାଥମିକ ସ୍ତରରେ ସାତଗୋଟି ରାଜସ୍ଵ ଗ୍ରାମକୁ ନେଇ ଗଠିତ ଏହି ନଗରୀ ପରବର୍ତ୍ତୀ କାଳରେ ବିଶାଳକାୟ ହୋଇ ବିଶେଷ ଲୋକ ପ୍ରସିଦ୍ଧି ଲାଭ କରିଛି, ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ କେନ୍ଦ୍ର ଭାବରେ ସମଗ୍ର ଭାରତରେ ବିଦିତ ହୋଇଛି।
କଟକ ଠାରେ ରାଜଧାନୀ ପ୍ରତିଷ୍ଠା ପରେ ମର୍କତ କେଶରୀ (ନୃପ କେଶରୀ) ପଥରବନ୍ଧ ନିର୍ମାଣ କରିଥିଲେ ବୋଲି ପ୍ରବାଦ ରହିଛି। କଥିତ ଅଛି ବିଡାନାସୀ ଗ୍ରାମର କୃଷକ ବାଇମୁଣ୍ଡିଙ୍କ ଅନୁରୋଧ କ୍ରମେ ମର୍କତ କେଶରୀ ଏହି ପଥର ବନ୍ଧ ନିର୍ମାଣ କରିଥିଲେ। ଏପରିକି ବାଇମୁଣ୍ଡି ଏହି ମହତ କାର୍ଯ୍ୟ ପାଇଁ ନିଜେ ସଞ୍ଚିତ କରି ରଖିଥିବା ସାମାନ୍ୟ କିଛି ଅର୍ଥ ମଧ୍ୟ ପ୍ରଦାନ କରିଥିଲେ। ଐତିହାସିକ ଓ ଗବେଷକ ମାନେ ମର୍କତ କେଶରୀଙ୍କୁ ନଘୁଷ ବା ମହାଭବଗୁପ୍ତ ତୃତୀୟ ଭାବରେ ପରିଚିହ୍ନିତ କରିଥାନ୍ତି।
ପ୍ରଥମ ଯଯାତି ତାଙ୍କ ରାଜତ୍ଵର ୯ମ ବର୍ଷରେ କଟକ ତାମ୍ରଶାସନ ପ୍ରଦାନ କରି ଥିବାରୁ ଅନେକ ତାଙ୍କୁ ମର୍କତ କେଶରୀ ବୋଲି ଚିହ୍ନିତ କରିଥାନ୍ତି। ସେହି ସମୟରେ ବନ୍ୟା ଦାଉରୁ କଟକକୁ ରକ୍ଷା କରିବା ପାଇଁ ପଥର ବନ୍ଧର ଆବଶ୍ୟକତା ଥିଲା। ବର୍ଷା ଦିନେ ଉଦବୃତ୍ତ ବନ୍ୟାଜଳ କଟକରେ ପ୍ରବେଶ କରି ଚାଷଜମି ଓ ବାସଗୃହ ତଥା ଧନଜୀବନ ନଷ୍ଟ କରୁଥିଲା। ତେଣୁ ମର୍କତ କେଶରୀ କଟକ ନଗରୀର ଉତ୍ତର ପଶ୍ଚିମ ଓ ଦକ୍ଷିଣ ଦିଗରେ ଅର୍ଥାତ ମହାନଦୀର ଓ କାଠଯୋଡ଼ି କୂଳରେ ସୁଦୃଢ ପଥର ବନ୍ଧ ନିର୍ମାଣ କରିଥିଲେ। ଏହାଦ୍ବାରା କଟକ ନଗର ବନ୍ୟା ଦାଉରୁ ରକ୍ଷା ପାଇଲା। ଅବଶ୍ୟ ପରବର୍ତ୍ତୀ କାଳରେ ଏହି ପଥର ବନ୍ଧ ସୁଦୃଢ, ପ୍ରଶସ୍ତ, ସୁଉଚ୍ଚ ହୋଇଛି। କିନ୍ତୁ ପ୍ରକୃତରେ ଏହାର ମୂଳଭିତ୍ତି ମର୍କତ କେଶରୀ ପକାଇଥିଲେ, ବାଇମୁଣ୍ଡିଙ୍କ ଦୂରଦୃଷ୍ଟି ଓ ଅନୁରୋଧ କ୍ରମେ। ଏହି ମହତ କାର୍ଯ୍ୟ ପାଇଁ ମର୍କତ କେଶରୀ ସ୍ମରଣୀୟ ହୋଇ ରହିଛନ୍ତି। କେବଳ ସେତିକି ନୁହେଁ, କାଠଯୋଡ଼ି ପଥର ବନ୍ଧ ଚେତନାର ଆଦ୍ୟ ଚିନ୍ତାନାୟକ ବାଇମୁଣ୍ଡି ଅଦ୍ୟାବଧି ଲୋକ ସ୍ମୃତିରେ ଉଜ୍ଜିବୀତ। ଓଡ଼ିଶାର କୋଣ ଅନୁକୋଣରେ ଲୋକଙ୍କ ଦ୍ଵାରା ଆଜି ବି ଗୁଞ୍ଜରିତ ହେଉଛି ‘କଟକ ଚିନ୍ତା ବାଇମୁଣ୍ଡିକୁ’। ସେଇଥିପାଇଁ ସେ ହିଁ ଯଶୋଦେହେ ଆୟୁଷ୍ମାନ !
ସମସ୍ତ ଆଧାର: ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଆଲୋଚନା ‘ବାରାଣସୀ କଟକ’; ପ୍ରାଚୀନ ଓଡ଼ିଶା ପୁସ୍ତକ
Cover Image Courtesy: Cuttack Signature Social Organisation
Nrupa Keshari
Markata Keshari
Cuttack Kataka
Barabati
Baranasi Kataka
Kathajodi Baimundi
Niranjan Sahu
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago