Categories: କୋଥଳି

ତ୍ରିପତି ଗାୟକରତ୍ନ

ଗବେଷଣା ଓ ଉପସ୍ଥାପନା: ଡ. ମନୋରମା ଦାଶ

ତ୍ରିପତି ଗାୟକରତ୍ନଙ୍କ ସାରସ୍ଵତ ପ୍ରତିଭା: ଏକ ଆଲୋଚନା 

ସାହିତ୍ୟ, ସଙ୍ଗୀତାଦି କଳା କ୍ଷେତ୍ରରେ ଅତୀତରେ ଏକ ଗୌରବମୟ ଐତିହ୍ୟ ଅର୍ଜନ କରିଥିବା ପବିତ୍ର ବଡ଼ଖେମୁଣ୍ଡି ମାଟିରେ ୧୮୯୧ ମସିହାରେ ପିତା କୈସାର୍ପୁ ଯୋଗେୟା ଦୋରା ଓ ମାତା ମହାଲକ୍ଷ୍ମୀଙ୍କ ଔରସରେ ଜନ୍ମଗ୍ରହଣ କରିଥିଲେ ତ୍ରିପତି ଗାୟକରତ୍ନ । ସେ ଥିଲେ ଜାତିରେ କାଚରା । ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମହୋଇ ଅଭାବ ଅନାଟନ ଜନିତ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ହେତୁ ଉଚ୍ଚଶିକ୍ଷା ଲାଭର ସୁଯୋଗ ପାଇପାରିନଥିଲେ । ତାଙ୍କର ବାଲ୍ୟ ଶିକ୍ଷା କେବଳ ଗାଁ ଚାଟଶାଳୀ ମଧ୍ୟରେ ହିଁ ସୀମିତ ରହିଥିଲା । ଉଚ୍ଚଶିକ୍ଷା ଲାଭ ସୁଯୋଗରୁ ବଞ୍ଚିତ ହୋଇଥଲେ ସୁଦ୍ଧା ଐଶ୍ଵରିକ କୃପାରୁ ସହଜାତ ପ୍ରତିଭାର ସେ ଅଧିକାରୀ ହୋଇପାରିଥିଲେ ।

ବାଲ୍ୟକାଳରୁ ହିଁ ତାଙ୍କ ଠାରେ ସାହିତ୍ୟ ଓ ସଙ୍ଗୀତ ପ୍ରତି ପ୍ରବଳ ଅନୁରାଗ ଜାତ ହୋଇଥିଲା । ବଡ଼ଖେମୁଣ୍ଡିର ତତ୍କାଳୀନ ରାଜା କୃପାମୟ ଦେବ ଜଣେ ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତିଧର୍ମୀ ବ୍ୟକ୍ତିଥୁବା ଯୋଗୁଁ ସେତେବେଳେ ବଡ଼ଖେମୁଣ୍ଡିର ରାଜଧାନୀ ଦିଗହପହଣ୍ଡିରେ ଦୁଇଗୋଟି ରଙ୍ଗାଳୟ ସ୍ଥାପନ କରିଥିଲେ ଏବଂ ତ୍ରିପତି ଦୋରାଙ୍କ ଲିଖିତ ଅନେକ ନାଟକ ଏହି ରଙ୍ଗାଳୟରେ ଅଭିନୀତ ହେଉଥିଲା ।

ତ୍ରିପତି ଗାୟକରତ୍ନ ଥିଲେ ଏକାଧାରାରେ ଜଣେ ସୁଦକ୍ଷ ସଙ୍ଗୀତ ଗାୟକ, ଅଭିନେତା ଓ କବି । ସେ ସ୍ଵୟଂ ଥିଲେ ଶହଶହ ସଙ୍ଗୀତ ଓ ଅନେକ ନାଟକର ରଚୟିତା, ଗାୟକ ଏବଂ ଅଭିନେତା । ସ୍ୱରଚିତ ସଙ୍ଗୀତ ସମୂହ ସୁଲଳିତ କଣ୍ଠସ୍ଵରରେ ପରିବେଷଣ କରି ତତ୍କାଳୀନ ଜନମାନସକୁ ବହୁଭାବେ ପ୍ରଭାବିତ କରିଥିଲେ । ବଡ଼ଖେମୁଣ୍ଡିର ରାଜା କୃପାମୟ ଦେବ ତାଙ୍କ ସଙ୍ଗୀତରେ ମୁଗ୍‌ଧ ହୋଇ ତାହାଙ୍କୁ ‘ଗାୟକରତ୍ନ’ ଉପାଧିରେ ଅଳଂକୃତ କରିଥିଲେ । ଏଠାରେ ପ୍ରତିଷ୍ଠିତ ହୋଇଥିବା ‘ରାମଚନ୍ଦ୍ର ରଙ୍ଗାଳୟ’ରେ ତ୍ରିପତିଙ୍କ ଦ୍ବାରା ରଚିତ ହୋଇଥବା ‘ଦାତାକର୍ଣ୍ଣ’, ‘ ବିଜୟ ବସନ୍ତ’, ‘ନଳଦମୟନ୍ତୀ’ ଆଦି ଅନେକ ନାଟକ ଅତୀତରେ ଅଭିନୀତ ହୋଇ ଦର୍ଶକମଣ୍ଡଳୀଙ୍କୁ ମୁଗ୍‌ଧ ଓ ଚକିତ କରୁଥିଲା ।

ତ୍ରିପତି ଗାୟକରତ୍ନ ମଧ୍ଯ ଜଣେ ପରମ ଅଧ୍ୟାତ୍ମବାଦୀ ଓ ଈଶ୍ଵରାନୁରାଗୀ ବ୍ୟକ୍ତି ଥିଲେ । ତାଙ୍କ ରଚିତ ଏକାଧ୍ଵକ ଭଜନ ଓ ଜଣାଣରୁ ଏହାର ପ୍ରମାଣ ମିଳିଥାଏ । ସେ ଥିଲେ ଶ୍ରୀରାମଚନ୍ଦ୍ର (ରଘୁନାଥ) ଙ୍କର ପରମ ଭକ୍ତ । ଦିଗପହଣ୍ଡିସ୍ଥ ଶ୍ରୀରଘୁନାଥ ମହାପ୍ରଭୁଙ୍କ ମନ୍ଦିରକୁ ସେ ପ୍ରତିଦିନ ଯାଇ ତାଙ୍କର ଆରାଧ୍ୟପ୍ରଭୁ ରଘୁନାଥଙ୍କ ପ୍ରାର୍ଥନାରେ ଦୀର୍ଘସମୟ ବିନିଯୋଗ କରୁଥିଲେ । ଜୀବନର ଶେଷ ନିଃଶ୍ବାସ ତ୍ୟାଗକଲା ଯାକେ ସେ ଶ୍ରୀ ରଘୁନାଥଙ୍କ ଦର୍ଶନ ବିନା ଜଳସୁଦ୍ଧା ସ୍ପର୍ଶ କରୁନଥିଲେ । ରଘୁନାଥଙ୍କ ପ୍ରତି ତାଙ୍କର ଅପାର ଭକ୍ତି ଭାବ ଯୋଗୁଁ ତାହାଙ୍କର ଏକମାତ୍ର ପୁତ୍ରକୁ ସେ ମଧ୍ୟ ‘ରାଘବ’ ବୋଲି ନାମକରଣ କରିଥିଲେ ।

ତାହାଙ୍କ ରଚିତ ‘କମଳାକାନ୍ତ ଚଉତିଶା’ରେ ନିଜ ହୃଦୟର ପ୍ରଗାଢ଼ ଭକ୍ତିଭାବର ଯେପରି ମର୍ମସ୍ପର୍ଶୀ ବର୍ଣ୍ଣନା କରିଛନ୍ତି ତାହା ପାଠକ ପ୍ରାଣକୁ ସହଜରେ ରସାସ୍ତୁତ କରିଥାଏ । ଚଉତିଶାର ଲକ୍ଷଣ ଓ ନିୟମାନୁଯାୟୀ ‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ବ୍ୟଞ୍ଜନବର୍ଷ ଗୁଡ଼ିକ ପ୍ରତ୍ୟେକ ବାକ୍ୟର ପ୍ରାରମ୍ଭରେ କ୍ରମାନୁଯାୟୀ ଆଲୋଚ୍ୟ ଚଉତିଶା ଟି ରଚିତ ହୋଇଛି । ପ୍ରାରମ୍ଭରେ ‘କ’ ବ୍ୟଞ୍ଜନ ବର୍ଣ୍ଣ ବ୍ୟବହାର କରି କବି ବ୍ୟାକୁଳ ହୃଦୟରେ ଗାଇଛନ୍ତି-

‘କମଳାକାନ୍ତ କତିରେ ରହି, କର ଯେଡ଼ି ଦାସ କରେ ତ୍ରାହି,
କର କୃପାମୟ, କଲାଣି ଅଥୟ,

ନିର୍ଦ୍ଦୟ କ୍ରୂର ସେ ଦୁଃଖଚୟ

ଆହେ କଂସ ଅରି,

କୁନ୍ତମାରି କଷ୍ଟ ମୋତେ କର ପାରି ।”

ଏ ସଂସାରରେ କୌଣସି ବ୍ୟକ୍ତିର ମଧ୍ଯ ଜୀବନ ଅନବରତ ସୁଖ ସମ୍ଭୋଗରେ ପରିପୂର୍ଣ ହୋଇପାରେନାହିଁ । ଜୀବନ ମାତ୍ରକେ ତାହା ଦୁଃଖ, ସୁଖର ସମନ୍ଵୟରେ ହିଁ ଗଠିତ । ଲେଖକ, କଳାକାରର ଭାଗ୍ୟ ସଂସାରର ଏହି ଚିରନ୍ତନ ନିୟମରୁ ମୁକ୍ତ ହେବ ବା କିପରି ? ଜୀବନର ଅକଥନୀୟ ଯନ୍ତ୍ରଣା କେବଳ ସେହି ପରମପ୍ରଭୁଙ୍କର ପଦାରବିନ୍ଦରେ ଚିତ୍ତ ରଖୁବାରେ ହିଁ ଯେପରି ଲାଘବ ହୋଇଥାଏ । ଉକ୍ତ ତ୍ରିପତିଙ୍କ ହୃଦୟରେ ଏ ବିଶ୍ଵାସ ଅତି । ଦୃଢ଼ ଓ ବଳବତ୍ତର

ହୋଇ ରହିଥିଲା । ତେଣୁ ସେ ଗାଇଛନ୍ତି-

“ ଖମଣି ମଣ୍ଡଳେ ତୁମ୍ଭ ବିନା

ଖଣ୍ଡିବ କେ ମୋ ଦୁଃଖ ଭାବନା
ଖରେ କର ତ୍ରାହି, ଆହେ ଭାବଗ୍ରାହୀ

ଖଟିଥବି ତୁମ୍ଭ ପାଦେ ମୁହିଁ

ଆହେ କ୍ଷିତି ପତି, ଖର୍ବକରି ଦୁଃଖ ଗର୍ବ କର ମୁକ୍ତି ।”

ଚଉତିଶାର ଅନ୍ତତି ପଦରେ କବି ନିଜ ପରିଚୟର କିଞ୍ଚିତ ଆଭାସ ଦେଇ ‘କ୍ଷ’ ବ୍ୟଞ୍ଜନ ବର୍ଣ୍ଣରେ ଲେଖୁଛନ୍ତି-

“ଖ୍ୟାତ ଖେମଣ୍ଡିର କ୍ଷିତିପତି, କୃପାମୟଦେବ ଗଜପତି,
ବାହୁଛାୟାତଳେ, ଅଛି ଭୂମଣ୍ଡଳେ,

ନାମ ମୋର ଅଟଇ ତ୍ରିପତି |
ଆହେ କ୍ଷମାସିନ୍ଧୁ, ସଦା ସିଞ୍ଚଶିରେ କୃପାଜଳ ବିନ୍ଦୁ ।”

ସମଗ୍ର ଚଉତିଶାଟି ଶ୍ରୁତିମଧୁର ଓ ଭାବଗର୍ଭକ ଶବ୍ଦାବଳୀ ଦ୍ୱାରା ହୃଦୟସ୍ପର୍ଶୀ ହୋଇପାରିଛି । ସ୍ଥାନେ ସ୍ଥାନେ ବିଭିନ୍ନ ଉପମାର ପ୍ରୟୋଗରେ ତୁଳନାତ୍ମକ ବର୍ଣ୍ଣନା ଦ୍ଵାରା ଏହା ଅଧିକ ଭାବେ ରସୋତ୍ତୀର୍ଣ୍ଣ ହୋଇଛି । ଯଥା – “ଚାତକର ପରି ଚାହିଁଛି ଶ୍ରୀହରି ପାଇବି ବୋଲି ମୁଁ କନ୍ଦର୍ପ ଦର୍ପଦଳି, ଝଟକେ ସର୍ବଦା ନୀରଦରେ ଯଥା ବ୍ୟୋମବିହାରୀ ବିଦ୍ୟୁତ୍ ପରି, “ଥୟ ହେଉନାହିଁ ମୋର ମନ, ନଳିନୀଦଳେ ଜଳ ଯେସନ”, “ ବୁଦ୍‌ବୁଦ୍ ପରାଏ ଜୀବନ ରହିଛି”, “ମହିମା ମେରୁ କରହେ ଦୟା”, ମରୀଚିକାସମ ନହେଉ ମୋ ଆଶା, ମରୁଭୂରେ ପଡ଼ି ହେଲି ବାହା”, “ଶିଳାସମ ନକର ତୁମ୍ଭ ଶରୀର”, “ଢ଼ାଙ୍କି ଦେଲାଣି ଦୁଃଖ ତିମିର, ଢ଼ାଳେ କୃପା ନିଶାପତି ଦ୍ଵାରା ତମ ନାଶି ଆଶୁ ମୋତେ ରକ୍ଷାକର” ଇତ୍ୟାଦିର ବହୁଳ ବର୍ଣନା କବିଙ୍କର ଉପମା ପ୍ରିୟତାର ପରିଚୟ ଦେଇଥାଏ ।

ଏତଦ୍‌ବ୍ୟତୀତ ତ୍ରିପତି ଗାୟକରତ୍ନ କବିଙ୍କ ଦ୍ଵାରା ରଚିତ ଆହୁରି ଅନେକ କବିତାରେ ଏହିପରି ଗଭୀର ଭକ୍ତିଭାବ ଓ ଈଶ୍ୱରପ୍ରାଣତାର ନିଦର୍ଶନ ମିଳେ । ଅଧୂକାଂଶ ଭକ୍ତି କବିତା କେବଳ ରଘୁନାଥଙ୍କ ଉଦ୍ଦେଶ୍ୟରେ ହିଁ ରଚିତ । ରାମଚନ୍ଦ୍ର (ରଘୁନାଥ)ଙ୍କ ତ୍ୟାଗପୂତ ଆଦର୍ଶ ଜୀବନ ଚରିତ ବର୍ଣନା ସହିତ ଅପାରଭକ୍ତିଧାରା ହିଁ ଏହି କବିତା ଗୁଡ଼ିକର ବିଷୟ ବସ୍ତୁ । କବି ଯେହେତୁ ଥିଲେ ଜଣେ ସୁଦକ୍ଷ ଗାୟକ ତେଣୁ ପ୍ରତ୍ୟେକ ଭଜନ ଗୁଡ଼ିକୁ

ବିଭିନ୍ନରାଗ, ତାଳ ଆଦିର ସମନ୍ଵୟରେ ଗାନୋପୋଯୋଗୀ ହେବା ନିମନ୍ତେ ରଚନା କରିଛନ୍ତି । ରାଘବ ଭବ ଅଘନାଶନ ହେ, ମନ ରଘୁନନ୍ଦନ ଭଜୁଥାରେ, ନକର ନିନ୍ଦ ଆଉ ଚକ୍ରପାଣିଙ୍କି, ହରିହେ ଦୀନଜନେ ଦୟା ନାହିଁକି, ହେ ରଘୁପତି ଘେନ ବାରେ ଆମ୍ଭର ବିନତି, ପୂର୍ଣ୍ଣକଲ ମୋର ମନୋରଥ ହେ ରଘୁନାଥ, ମାଁ କୁପାମୟୀ କରୁଣାକର, କୁଞ୍ଜବିହାରୀ ହରି ହେ ଗୋପପୁର ଶିରୀ, ହରି ଆରତ ଭଞ୍ଜନ ଜଗତ ଜୀବନ, ପାରିହେବ ଯଦି ଏଭବ ସାଗରୁ ହରିନାମ- ନାବ ଧର ଇତ୍ୟାଦି ବିଭିନ୍ନ କବିତା ଓ ଭଜନ ଗୁଡ଼ିକ ଗୋଟିଏ ଗୋଟିଏ ସୁଲଳିତ ନିର୍ଦ୍ଦିଷ୍ଟ ରାଗରେ ରଚିତ ।

ତାଙ୍କ ଲିଖତ ନାଟକ ଗୁଡ଼ିକରେ ମଧ୍ୟ ଅନେକ ସୁମଧୁର ସଙ୍ଗୀତର ଅବତାରଣା ହୋଇଥିବା ଲକ୍ଷ୍ୟ କରାଯାଏ । ସାଙ୍ଗୀତିକତା ସହିତ ଦେଶାତ୍ମବୋଧ ଓ ଜାତୀୟତାବାଦର ସମନ୍ଵୟରେ ଏଗୁଡ଼ିକ ଋଦ୍ଧିମନ୍ତ ହୋଇଛି । ତାହାଙ୍କ ରଚିତ ‘ନଳଦମୟନ୍ତୀ’ ନାଟକରେ ପ୍ରଦତ୍ତ ଏକ ପଦ ଏଠାରେ ଏକ ଦୃଷ୍ଟାନ୍ତ ସ୍ଵରୂପ ନିଆଯାଇପାରେ । ନିଜ ଦେଶ ମାତୃକାର ଗୌରବ ଗାନ ନିମନ୍ତେ କବି ଯେପରି ଶତମୁଖ ହୋଇ ଉଠିଛନ୍ତି । ଏଦେଶର ନଦନଦୀ ଗିରି, ମନ୍ଦିର, ଝରଣା ପ୍ରତ୍ୟେକ ବର୍ଣନା ମଧ୍ଯରେ କବିପ୍ରାଣ ବିଭୋର ହୋଇ

କବିଙ୍କ ଭାଷାରେ –

ସୁନ୍ଦର ମନ୍ଦିର ମନ୍ଦର ସାଗର

ଅମ୍ବର ଚୁମ୍ବିତ ଯା’ଗିରି ଶିଖର
ଚିଲିକା କଲ୍ଲୋଳ ଘୋଷେ ନିରନ୍ତର
ଯା’ଯଶ ପୌରୁଷ ମାନ ।
ଯା’ଅଙ୍କେ ଶୋଭିତ ନୀଳାଚଳ ନାଥ,
ତୀର୍ଥବାରି ସ୍ରୋତେ ଅଙ୍କ ପବିତ୍ରିତ ।
ଯା’ସୁତ ବୀରତ୍ୱ ଭୂଲୋକ ସ୍ତମ୍ବିତ
ଭଜ ସେହି ସୁପବିତ୍ର ନାମ ।”

ତ୍ରିପତିଙ୍କ ସମୟର ସମାଜରେ ବାଲ୍ୟବିବାହ ପ୍ରଥା ପ୍ରଚଳିତ ଥିଲା । ସମାଜରେ ବାଲ୍ୟବିଧବାମାନେ ଅକଥନୀୟ, ଯନ୍ତ୍ରଣାର ଶିକାର ହେଉଥିଲେ । ଭଲକରି ଲୁଗା ଖଣ୍ଡିଏ ବି ପିନ୍ଧିବାର ଅଧିକାର ସେମାନଙ୍କର ନଥିଲା । ଯଦିବା କେହି ନିଜଦେହକୁ ଜାଗ୍ରତକଲେ କିମ୍ବା ଭଲ ବସ୍ତ୍ର ଖଣ୍ଡେ ପରିଧାନ କଲେ ସେ ହେଉଥିଲା ନିନ୍ଦା ଓ ସମାଲୋଚନାର ଶରବ୍ୟ । ନିନ୍ଦା, ଅପବାଦ, ଦୁଃଖ, ଯନ୍ତ୍ରଣା ହିଁ ଯେପରି ହେଉଥୁଲା ତା’ଜୀବନର ଭୂଷଣ । ତତ୍କାଳୀନ ସମାଜରେ ବାଲ୍ୟବିଧବା ମାନଙ୍କର ଦୁଃଖ ଓ ନିର୍ଯ୍ୟାତନାକୁ ସ୍ମରଣ କରି କବିପ୍ରାଣ କିପରି ବ୍ୟାକୁଳିତ ହୋଇଛି, ତାହା ତାଙ୍କ ରଚିତ ‘ଭଗିନୀ’ କବିତାରେ ସ୍ପଷ୍ଟ ହୋଇଥାଏ । ସେ ଲେଖୁଛନ୍ତି-

କେତେ ଦୁଃଖ ଭୋଗୁଛୁ ଭଉଣୀ
ନିତି ନେତ୍ରରୁ ବୁହାଇ ପାଣି ।

ବାଲ୍ୟ ବିଧବା ହୋଇ ରହିଲୁ, ଭଲମନ୍ଦ କିଛି ନ ଜାଣିଲୁ,
ନାରୀ ଜନ୍ମ ଲଭି ହେଲୁ ବଇରାଗୀ
ବ୍ରତ ଉପବାସ ମୂଳ କଲୁ ଲୋ ଭଉଣୀ ।

X X

ଧୂଳିଖେଳ ବେଳେ ବିଭା ହେଲୁ
ଯୌବନରେ ପତି ହରାଇଲୁ

ସୁନାର ସଂସାର ଚୂନା ହେଲା ତୋର

ବଣ ମାଳତୀ ପରି ସଢ଼ିଲୁ ଲୋ ଭଉଣୀ ।”

ସମସାମୟିକ ସମାଜରେ ବିଧବା କିଶୋରୀ ଜୀବନର

ଅଶ୍ରୁଳଚିତ୍ରକୁ କବି ତ୍ରିପତି ଗାୟକରତ୍ନ ଯେପରି କରୁଣ ଓ ମର୍ମସ୍ପର୍ଶୀ ଭାଷାରେ ବର୍ଣ୍ଣନା କରିଛନ୍ତି ତାହା ପାଠକଲେ ଚକ୍ଷୁ ସ୍ୱତଃ ଲୋତକାର୍ଦ୍ର ହୋଇଥାଏ । ବାଲ୍ୟ ବିଧବା କାହା ଆଗରେ ନିଜ ମନର ବେଦନା ପ୍ରକାଶ କରିପାରେ ନାହିଁ । ସଧବା ନାରୀ ଯେତେ ଅନୀତି କଲେ ମଧ୍ୟ ପାର ହୋଇଯାଏ । କିନ୍ତୁ ବାଲ୍ୟ ବିଧବାଟି ଜୀବନର ପ୍ରତି ପଦପାତରେ ଡରି ଡରି ହିଁ ସମୟ ବିତାଇବା ସାର ହୋଇଥାଏ । ଘରର କୌଣସି ଶୁଭକର୍ମରେ ତାର ନାମ ମାତ୍ର ଉଚ୍ଚାରଣ ହିଁ ଅଶୁଭ ସଙ୍କେତ ବୋଲି ସମସ୍ତେ ଧରି ନେଇଥାନ୍ତି । ଏକ ଜୀବନ୍ନତ ଦୟନୀୟ ଜୀବନଯାପନ ବ୍ୟତୀତ ତାହାର ଆଉ କିଛି ମଧ୍ୟ ଉପାୟ ନଥାଏ । ବାଲ୍ୟ ବିଧବାର ଏ ସମସ୍ତ କରୁଣ କାହାଣୀ କୁ କବି ମର୍ମେ ମର୍ମେ ଉପଲବ୍ଧ କରିଛନ୍ତି । ତେଣୁ ସେ ଲେଖୁଛନ୍ତି-

“ ସବୁକଥାକୁ ଡରି ସରିଲୁ,
ମନଦୁଃଖ ମନରେ ମାରିଲୁ,
ସୁନାପରି ଦେହ ଚୂନା ହେଲା ଆହା,
ନେତୃ ଲୋତକ ଢାଳି ବସିଲୁ ଲୋ ଭଉଣୀ ।

ଘରେ ହେଲେ କିଛି ଶୁଭକାମ
କେହି ନଧରନ୍ତି ତୋର ନାମ ।
ଦୁଃଖ କଷ୍ଟ ତୋର ଦେଖୁ ସ୍ଵଆଖିରେ

କେହି ନବୋଲନ୍ତି ରାମ ରାମ ଲୋ ଭଉଣୀ ।”

ଏହିପରି ପର୍ଯ୍ୟାପ୍ତ ବର୍ଣନାରେ କବି ତତ୍କାଳୀନ ସମାଜରେ ବାଲ୍ୟବିଧବା ମାନଙ୍କର ଯେଉଁ ସବୁ ଯନ୍ତ୍ରଣାକୁ ଚିତ୍ର ପ୍ରଦାନ କରିଛନ୍ତି ସେଥୁରୁ ତାଙ୍କର ନିଆଶ୍ରୀ ନାରୀଜାତି ପ୍ରତି ଅକୁଣ୍ଠିତ ମମତା ଓ ସମ୍ବେଦନଶୀଳ ହୃଦୟର ପରିଚୟ ମିଳିଥାଏ ।

ନିଜ ଦେଶ ଦେଶ ଓ ଜାତିର ଭ୍ରାତୃବର୍ଗଙ୍କୁ ଶିକ୍ଷିତ କରି ଗଢ଼ିତୋଳିବା ନିମନ୍ତେ ମଧ୍ଯ ତ୍ରିପତିଙ୍କର ପ୍ରଚେଷ୍ଟା କମ ନଥିଲା । ଆଜି ବିଂଶ ଶତାବ୍ଦୀର ଶେଷ ଭାଗରେ ଆମେ ଦେଶର ନାଗରିକମାନଙ୍କୁ ସାକ୍ଷରତାର ଆଲୋକ ଦେଖେଇବା ଲାଗି ଯେଉଁ ଉଦ୍ୟମ କରିଛୁ, କବି ତ୍ରିପତିଙ୍କ ହୃଦୟରେ ଦୀର୍ଘ ଚାଳିଶି, ପଚାଶ ପୂର୍ବରୁ ଏହି ଚିନ୍ତାଧାରାର ଉଦ୍ରେକ ହୋଇଥିଲା । ନିରକ୍ଷରତା ଦୂରୀକରଣ ନିମନ୍ତେ ସେ ସୃଷ୍ଟି କରିଥିଲେ ଅଗଣିତ ଉଦ୍‌ବୋଧନୀ

ସଙ୍ଗୀତ । ନିଜ ଦେଶର ଅଗଣିତ ଉଦ୍‌ବୋଧନୀ ସଙ୍ଗୀତ । ନିଜ ଦେଶର ଅଗଣିତ ନିରକ୍ଷର ଅଶିକ୍ଷିତ ଭ୍ରାତୃବର୍ଗଙ୍କ ପ୍ରାଣରେ ସାକ୍ଷରତାର ଚେତାବହ୍ନି ଜଗାଇବା ପାଇଁ ତ୍ରିପତି ଗାୟକରତ୍ନ ଆହ୍ବାନ ଦେଇଛନ୍ତି –

“ ଜାଗ ଭାର ଜାଗ ଆସିଛି ସୁଯୋଗ
ନିରକ୍ଷରତାକୁ କରିବା ଦୂର
ମନଧ୍ୟାନ ଦେଇ ପାଠ ପଢ଼ ଭାଇ
ଅନାୟାସେ ନିଶ୍ଚେ ହେବା ସାକ୍ଷର ।
ନିରକ୍ଷର ହୋଇ ପଶୁ ସମ ରହି
ଦିନ କଟାଇବା ଅତି ଅସାର,
ଶିକ୍ଷିତ ସାଥୀରେ ସଭା ସମିତିରେ
ଏକତ୍ର ଆସନ ନାହିଁ ତୁମ୍ଭର ।”

ପୁଣି-

“ ନିତ୍ୟ କାରବାର ହିସାବ ପତର
ନିଜେ ସବୁ କରିପାରିବ ସ୍ଥିର,
ଅନ୍ୟମାନେ କେହି ଭୁଲାଇବେ ନାହିଁ
ଚଳାଇ ପାରିବ ନିଜ ସଂସାର ।
ସାହୁ ମହାଜନ, ଗୁମସ୍ତା, ଅମିନ
କରିନ ପାରିବେ କ୍ଷତି ତୁମ୍ଭର,
ଜନ ସମାଜରେ ଯାତ୍ରା ଉତ୍ସବରେ,
ସମସ୍ତେ କରିବେ ସମ ଆଦର ।”

ଶିକ୍ଷାର ଉନ୍ନତିରେ ଯେ ଦେଶ ଓ ଜାତିର ଉନ୍ନତି ସାଧୁତ ହେବ ଏକଥା ତ୍ରିପତି ଗାୟକରତ୍ନ ମର୍ମେ ମର୍ମେ ଉପଲବ୍ଧ କରିଥଲେ । ତେଣୁ ସେ ଶିକ୍ଷକ ସମାଜକୁ ମଧ୍ୟ ଏଥିଲାଗି ଏକ ପବିତ୍ର ଓ ନୀତିଗତ ଆଦର୍ଶମୟ ଜୀବନର ଅଧୂକାରୀ ହେବାପାଇଁ ଉଦ୍‌ବୋଧନ ଦେଇଛନ୍ତି । ସେ କହିଛନ୍ତି–

“ ଏବେ ଜାଗିବ ନାହିଁକି
ଶିକ୍ଷକ ମଣ୍ଡଳୀ ମନପ୍ରାଣ ଢ଼ାଳି
ଲାଗହେ, ଲାଗହେ, ଲାଗହେ
ଜାତିର ହିତ ପାଇଁକି ।
ଦେଖହେ ପଡ଼ୋଶୀ ବଙ୍ଗ ତ୍ରଇଲଙ୍ଗ

ଜ୍ଞାନ ବିଜ୍ଞାନରେ ହେଲେଣି ପାରଗ

ସ୍ଵଦେଶ କଲ୍ୟାଣ ସାଧନେ ନିପୁଣ
ହୋଇ ଟେକିଛନ୍ତି ଜାତିକି ।”

କେବଳ ପୂର୍ବପୁରୁଷଙ୍କର କୀର୍ତ୍ତିଗୀତ ଘୋଷି ଚାହିଁ ବସିଲେ ଏ ଦେଶର ଭାଗ୍ୟ ବଦଳି ଯିବନାହିଁ । ଏଥପାଇଁ ଶିକ୍ଷିତ ବ୍ୟକ୍ତି ମାନଙ୍କର ସଙ୍ଗଠନ ଓ ଜ୍ଞାନଦୀପ ଜାଳିବାର ଅନେକ ଆବଶ୍ୟକତା ରହିଛି । ତେଣୁ ୧୯୪୧ ମସିହା ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସମ୍ମିଳନୀର ପ୍ରଥମ ଅଧିବେଶନ ଉପଲକ୍ଷେ ଏକ ପ୍ରାରମ୍ଭିକ ସଙ୍ଗୀତ ରଚନା କରି ଗାଇଥିଲେ ତ୍ରିପତି ଗାୟକରତ୍ନ –

“ ଜାଗ ଜାଗ ଆଜି ଶିକ୍ଷକ ସମାଜ

ଲାଗ ଲାଗ ସାଧୁ କରମେ,
ଲଭ ଲଭ ବିଭୁ ଅମିୟ ଆଶିଷ
ପବିତ୍ର କର୍ତ୍ତବ୍ୟ ସାଧନେ ।

ଶାଶ୍ଵତ ତବ କର୍ମକ୍ଷେତ୍ର, ସକ୍ଷମ ଲୋକ ଶାସନେ

ସତତ ତୁମ୍ଭ ସିଦ୍ଧ ହସ୍ତ ଜ୍ଞାନ -ଅମୃତ ସିଞ୍ଚନେ ।”

ବାସ୍ତବରେ ଶିକ୍ଷକର ଜୀବନ ଏକ ତ୍ୟାଗପୂତ ଅମୃତୋପମ ଜୀବନ ! ତାହାର ପବିତ୍ର ହସ୍ତ କେବଳ ଜ୍ଞାନ ଅମୃତ ସିଞ୍ଚନ କରିବ, ଏବଂ ନିଜେ ଧନ୍ୟହେବା ସଙ୍ଗେ ସଙ୍ଗେ ଏ ଜାତିକୁ ମଧ୍ୟ ଧନ୍ୟ କରିବ । କବିଙ୍କର ଉପରୋକ୍ତ ବର୍ଣନା ଏ ଦେଶର ଶିକ୍ଷକ କୁଳଙ୍କୁ ଯେ ନିଶ୍ଚୟ କର୍ତ୍ତବ୍ୟ ସଚେତନ କରି ନୂତନ ପ୍ରେରଣା ଓ ଉତ୍ସାହ ଦେବ ଏଥ‌ିରେ ସନ୍ଦେହ ନାହିଁ ।

ପୁନଶ୍ଚ ତ୍ରିପତି ଗାୟକରତ୍ନଙ୍କ ସାହିତ୍ୟ ଜଗତକୁ ଦୃଷ୍ଟିଦେଲେ ଅନେକତ୍ର ହାସ୍ୟରସର ଅବତାରଣା ହୋଇଥିବା ମଧ୍ୟ ଲକ୍ଷ୍ୟ କରାଯାଏ । ତାହାଙ୍କ ସମୟରେ ବଡ଼ଖେମୁଣ୍ଡିର ବଡ଼ଦାଣ୍ଡରେ ଥରେ ମହାମନ୍ତ୍ର ସଂକୀର୍ତ୍ତନ ଖୁବ୍ ଜାକଜମକରେ ଅନୁଷ୍ଠିତ ହୋଇଥିଲା । ତାହାକୁ ଲକ୍ଷ୍ୟ କରି ସେ ସୃଷ୍ଟି କରିଥିଲେ ଭଜଗୋବିନ୍ଦ ଗୀତ । ‘ଇ’ ଅନ୍ତ୍ଯବର୍ଷ ସଂଯୁକ୍ତ ହୋଇ ଚାଳିଶି ପଦବିଶିଷ୍ଟ ଏହା ଏକ କୌତୁକ ଓ ହାସ୍ୟରସ ପୂର୍ଣ୍ଣ ଗୀତ । ଏଥିରେ ସେ ହୋମକୁଣ୍ଡ ପାଖରେ ହବିଷାନ୍ନ ଖାଇ ଦ୍ଵିଜ ମାନଙ୍କର, ଦିନରାତି ପୁରାଣପାଠ, ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲଣ୍ଡିତ ମସ୍ତକ ବ୍ରାହ୍ମଣ ମାନଙ୍କର ବେଦମନ୍ତ୍ର

ଉଚ୍ଚାରଣ ସହ ହୋମରେ ଘୃତାହୁତି ଦେବା, କୀର୍ତ୍ତନିୟା ମାନଙ୍କର ବେଦମନ୍ତ୍ର ଉଚ୍ଚାରଣ ସହ ହୋମରେ ଘୃତାହୁତି ଦେବା, କୀର୍ତ୍ତନିୟା ମାନଙ୍କର ଉଚ୍ଚସ୍ୱରରେ ସଂକୀର୍ତ୍ତନ, ନାରୀମାନଙ୍କର ଦଳଦଳ ହୋଇ ଭୋଗଡାଲା ମାନ ଧରି ଅଖଣ୍ଡ କୀର୍ତନ ମଣ୍ଡପକୁ ଗମନ, କେଉଁଠାରେ ଯୁବକ ମାନଙ୍କର ଭାଇ ଖାଇ ନିଶାହେବା, କେଉଁଠି ଲୋକେ ଜମା ହୋଇ ରୋଷେଇରେ ବ୍ୟସ୍ତଥିବା, ସ୍ଥାନେ ସ୍ଥାନେ ନାଟ, ପଟୁଆର ଦେଖୁବା ନିମନ୍ତେ ଦେଶବିଦେଶରୁ ବହୁଲୋକ ରୁଣ୍ଡ ହୋଇଥିବା ଇତ୍ୟାଦି ଅଖଣ୍ଡ କୀର୍ତ୍ତନର ଏକ ପ୍ରାଞ୍ଜଳ ବର୍ଣ୍ଣନା ପ୍ରଦାନ କରିଥିଲେ ମଧ୍ୟ ଅନେକସ୍ଥାନରେ ହାସ୍ୟରସକୁ ଯେପରି ପ୍ରୟୋଗ କରିଛନ୍ତି ପାଠକ ନହସି ରହିପାରିବେ ନାହିଁ । ଯଥା-

“ ହୁଣ୍ଡା ହଣ୍ଡା ପେଟପଣ୍ଡା ଧଣ୍ଡା ମାଳ ନେଇ
ଦଣ୍ଡଧରଙ୍କ ଗଳାରେ ଦେଉଛି ଲମ୍ବାଇ
ଚୁଲିଇଣ୍ଡା ପରିହାତ ଆଙ୍ଗୁଠି ଦେଖାଇ
ପୂଜାପାଠ କରୁଅଛି ତୁଣ୍ଡନ ଫିଟାଇ ।
ଦିଣ୍ଡାମାନେ ଦାଣ୍ଡ ପିଣ୍ଡା ପରେ ରୁଣ୍ଡ ହୋଇ ହୁଳହୁଳିରେ ମଣ୍ଡଳ ଦିଅନ୍ତି କମ୍ପାଇ ।
ଦେଶୁଆ ହୁଣ୍ଡା ମୁଣ୍ଡରେ ପାଗ ବାନ୍ଧିଦେଇ
ନାଶ ଖାଇ ବାଟଯାକ ଥୁମେ ଠିଆ ରହି ।”

ରୋଷେଇଶାଳରେ ଭାଙ୍ଗଖିଆ ଯୁବକ ମାନଙ୍କର ବଡ଼ବଡ଼ ହଣ୍ଡାବୋହିବାକୁ ଲକ୍ଷ୍ୟ କରି ଲେଖୁଛନ୍ତି –

“ଭେଣ୍ଡାମାନେ ହଣ୍ଡା ସବୁ ଉଠାନ୍ତି ପେଟାଇ
ନିଆଁ ତାପକୁ ତାଙ୍କର ତିଳେ ଭୟ ନାହିଁ ।
ଭାଙ୍ଗ ଅମଲରେ ଆଖି ଅଛି ରଙ୍ଗ ହୋଇ
ଅନ୍ନ ହାଣ୍ଡିରେ ପରିବା ଦିଅନ୍ତି ପକାଇ ।
ନିଶା ବେଶି ଯୋଗୁଁ କିଏ ପଡ଼ୁଛି ଢୁଳାଇ
ମହନ୍ତ ମାନଙ୍କୁ ଦେଖ ପଙ୍ଗତ ବଢ଼ାଇ
ଝୁଲାରେ ପଡ଼ିବ ବୋଲି ନିଅନ୍ତି ଉଠାଇ ।
” ପୁନଶ୍ଚ- ରାତି ଅନିଦ୍ରାରେ ଆଖି ପଡୁଛି ଢୁଳାଇ
ଖାଇବା ଆଶା ଥ‌ିବାରୁ ନିଦ ଆସୁନାହିଁ ।
ବୁଝୁଛନ୍ତି ମୋଜି କଥା କୁଣ୍ଡଳ ହଲାଇ ।”

ବାସ୍ତବରେ ଏକ କର୍ତ୍ତବ୍ୟନିଷ୍ଠ ସରଳ, ନିରାଡ଼ମ୍ବର ଜୀବନଯାପନ ସହ ଏକାଧାରାରେ ସାହିତ୍ୟ, ସଙ୍ଗୀତ ଓ ଅଭିନୟର ତ୍ରିବେଣୀ ସଙ୍ଗମରେ ଅବଗାହନ କରି ତ୍ରିପତି ଗାୟକରତ୍ନ ଓଡ଼ିଆ ସାହିତ୍ୟ ଜଗତକୁ ବହୁଭାବେ ଯେ ପ୍ରାଣବନ୍ତ ଓ ଋଦ୍ଧିମନ୍ତ କରିଛନ୍ତି ଏଥିରେ ସନ୍ଦେହ ନାହିଁ । ତାଙ୍କର ଅନେକ ରଚନା ଅଦ୍ୟାବଧୂ ଲୋକଲୋଚନର ଅନ୍ତରାଳରେ ଅଜ୍ଞାତ ରହିଛି । ସେସବୁ ସଂଗୃହିତ ହୋଇ ପ୍ରକାଶ ହୋଇଥଲେ ଓଡ଼ିଆ ସାହିତ୍ୟ ଭଣ୍ଡାର ଅଧିକଭାବେ ଋଦ୍ଧିମନ୍ତ ହୋଇପାରନ୍ତା ।

ଆଜୀବନ ସାହିତ୍ୟ, ସଙ୍ଗୀତ, ଅଭିନୟ ମଧ୍ଯରେ ନିଜକୁ ହଜେଇ ଦେଇଥିବା, ରଘୁନାଥଙ୍କର ପରମଭକ୍ତ ତ୍ରିପତିଙ୍କର ୧୯୬୫ ମସିହା ଜାନୁଆରୀ ୩ ତାରିଖ ସନ୍ଧ୍ୟାରେ, ନିଜର ଆରାଧ୍ଯ ପ୍ରଭୁ ରଘୁନାଥଙ୍କ ନାମ ଜପ କରୁଥିବା ଅବସ୍ଥାରେ ମହାପ୍ରୟାଣ ହୋଇଯାଇଥିଲା ।

#ପୂଜ୍ୟପୂଜା

#ଭାଷା #କଳ୍ପଦ୍ରୁମ

Spread the love
admin

Recent Posts

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago