ଲେଖା: ନିରଞ୍ଜନ ସାହୁ
“ଓଡ଼ିଆ ଏକ ସ୍ଵୀକୃତ ପ୍ରାଚୀନ ଭାଷା । ମୁଁ ଓଡ଼ିଆ। ମୋ ଭାଷା ଓଡ଼ିଆ । ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ”। ଏହା ଥିଲା ୧୯୨୧ ମସିହାରେ ଜଣେ ପ୍ରଥିତଯଶା, କିମ୍ବଦନ୍ତୀ ପୁରୁଷ, ସ୍ଵାଭିମାନୀ ଓଡ଼ିଆର ଦୃଢ଼ୋକ୍ତି ଏବଂ ସାରଗର୍ଭକ ଭାଷଣର କିୟଦଂଶ, ‘ବିହାର ଓଡ଼ିଶା ବ୍ୟବସ୍ଥାପକ’ ସଭାରେ ପ୍ରଦତ୍ତ ଭାଷଣର କେତୋଟି ପଂକ୍ତି। ସେହି ମହାନ ବ୍ୟକ୍ତିତ୍ଵ ବାଗ୍ମୀ ବିଶ୍ଵନାଥ କର (Bagmi Biswanatha Kar) ମହୋଦୟ, ଓଡ଼ିଆ ସାହିତ୍ୟର ପ୍ରାଜ୍ଞପୁରୁଷ । ବ୍ୟାସକବି ଫକୀରମୋହନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଲେଖିପକାଇଲେ –
“ଧନ ନାହିଁ, ସାହା ନାହିଁ, ତୁଛା ସାହସରେ,
ଦିନରାତି ଲାଗି ପଡ଼ିଅଛ ସାହିତ୍ୟରେ।
ଦେଶେ ଲୁଚି ରହିଥିଲେ କେତେ କବି ଜ୍ଞାନୀ,
ସାହିତ୍ୟ ଆଣିଲା ତାଙ୍କୁ ବାହାରକୁ ଟାଣି ।
ଦେଶ ଉପକାର ଅର୍ଥେ ସତ୍ୟ ହିଁ ଜୀବନ,
ବିଶ୍ଵନାଥ ଦେଖାଇଲେ ସଫା ନିଦର୍ଶନ । “
ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରସିଦ୍ଧ ଜୀବନୀ ଲେଖକ କହନ୍ତି, ଈଶ୍ୱରଚନ୍ଦ୍ର ନିଜ ଗ୍ରାମରୁ ମାଇଲଖୁଣ୍ଟ ଗଣି କଲିକତା ଆସିବା ବେଳେ ମଧ୍ୟଯୁଗୀୟ ଅଚଳତା, ସ୍ଥିତିଶୀଳତା ଓ ନିଶ୍ଚଳ ଶାସ୍ତ୍ରୀୟ ଅନୁଶାସନକୁ ପଛରେ ପକାଇ ବିଚିତ୍ର ଜୀବନ ପ୍ରବାହପୁଷ୍ଟ, ଗତିଶୀଳ, ପ୍ରାଣଚଞ୍ଚଳ ଆଧୁନିକ କାଳର ବିଦ୍ୟାନଗରୀକୁ ଆସିଥିଲେ। ଅନୁରୂପ ଭାବରେ ୧୮୬୪ ମସିହା ଡ଼ିସେମ୍ବର ୨୪ ତାରିଖରେ ଏକ ଗ୍ରାମୀଣ ପରିବେଶରେ ଜନ୍ମଲାଭ କରି ବିଶ୍ଵନାଥ କେବଳ ଜ୍ଞାନଲାଭ ନିମନ୍ତେ କଟକ ସହରକୁ ଆସି ନ ଥିଲେ। ବରଂ ମଧ୍ୟଯୁଗୀୟ ଅଚଳାୟତନ ଗ୍ରାମ୍ୟ ସମାଜରେ କୁସଂସ୍କାର ପ୍ରବଳତା, ଲୌକିକ ଧର୍ମର ତାମସିକତା, ବାହ୍ୟାଡ଼ମ୍ବର, ଦୁର୍ନୀତି ଓ ଜାତିଭେଦର କଳୁଷିତ ପରିବେଶ ମଧ୍ୟରୁ ତାଙ୍କ ଚିତ୍ତ ମୁକ୍ତିଲାଭ ନିମନ୍ତେ ବ୍ୟାକୁଳ ହୋଇ ଉଠିଥିଲା।
କପିଳେଶ୍ଵର ବିଦ୍ୟାଭୂଷଣଙ୍କ ଠାରୁ ସାହିତ୍ୟ ଦୀକ୍ଷା, ପ୍ୟାରୀମୋହନଙ୍କ ସାଧୁତା, ସତ୍ୟନିଷ୍ଠା , ଆଦର୍ଶ, ମଧୁସୂଦନ ରାଓଙ୍କ ନୀତିମୟ ଜୀବନର ପବିତ୍ରତା, ଇୟଂ ସାହେବଙ୍କ ସାହଚର୍ଯ୍ୟ ତାଙ୍କ ବ୍ୟକ୍ତିତ୍ଵ ଗଠନରେ ଅଖଣ୍ଡ ପ୍ରଭାବ ବିସ୍ତାର କଲା। ଧର୍ମଭାବନା, ସାହିତ୍ୟ ସାଧନା, ତତ୍ଵାନେଷ୍ଵଣ, ଅଧ୍ୟୟନ ଓ ଚିତ୍ତଶୁଦ୍ଧିରେ ଜୀବନ ହେଲା ମହିମାନ୍ଵିତ ଓ ବୈଚିତ୍ର୍ୟମୟ। ଏହି ଶୁଦ୍ଧରୂପ ଦର୍ଶନ ତାଙ୍କ ସାହିତ୍ୟରେ ହେଲା ପ୍ରତିଫଳିତ।
ଉନ୍ନବିଂଶ ଶତାବ୍ଦୀର ଶେଷ ଦଶକରୁ ବିଂଶ ଶତାବ୍ଦୀର ଚତୁର୍ଥ ଦଶକ ପର୍ଯ୍ୟନ୍ତ ଅର୍ଦ୍ଧ ଶତାବ୍ଦୀକାଳ ବାଗ୍ମୀ ବିଶ୍ଵନାଥ କର ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବିସ୍ମୟକର ସାଂଗଠନିକ ଶକ୍ତି, ଅପରିମିତ ସାହିତ୍ୟବୋଧ, ବଳିଷ୍ଠ ସାହିତ୍ୟିକ ନେତୃସମ୍ପନ୍ନ ଜଣେ ପ୍ରତିଷ୍ଠିତ ମନୀଷି । ଜୀବନର ଦୁର୍ଗମ ବନ୍ଧୁର ପଥରେ ଯାତ୍ରା, ପ୍ରଚଳିତ ଧର୍ମ ଓ ସମାଜର ବନ୍ଧନ ଛିନ୍ନ କରିବା ନିମନ୍ତେ ଉନ୍ମୁଖତା, ସତ୍ୟ ପ୍ରତି ଅବିଚଳିତ ଶ୍ରଦ୍ଧା, ସାମାଜିକ କୁସଂସ୍କାର ବିପକ୍ଷରେ ନିର୍ଭିକ ବିଦ୍ରୋହ, ସକଳ ମଧ୍ୟରେ ଅପୂର୍ବ ସାହାସିକତା, ଅଟଳ ଆତ୍ମପ୍ରତ୍ୟୟ ତାଙ୍କ ଆଦର୍ଶ ଓ ଜୀବନ ଦର୍ଶନର ଦୃଢ଼ତାର ପରିଚାୟକ। ସତ୍ୟଧର୍ମର ସମୁଜ୍ଜଳ ଶିଖାରେ ଅନ୍ତର ତାଙ୍କର ଆଲୋକିତ, ମନୁଷ୍ୟତ୍ଵର ମହିମା ଗାନରେ କଣ୍ଠ ଉଛ୍ଵସିତ, ସାଧୁତା, ଉଦାରତା ଓ ବିଶ୍ଵପ୍ରୀତିରେ ଚରିତ୍ର ମହିମାନ୍ଵିତ । ଉତ୍କଳୀୟ ସମାଜ, ଧର୍ମ, ସାହିତ୍ୟ, ଶିକ୍ଷା ସର୍ବ କ୍ଷେତ୍ରରେ ବିଶ୍ଵନାଥଙ୍କ ବିଶ୍ୱାସ ଓ ସାଧନାର ସଙ୍କେତ ବିଦ୍ୟମାନ ।
ସାହିତ୍ୟ ଓ ସଂସ୍କୃତି ପ୍ରତି ଗଭୀର ଅନୁରାଗ ବଶତଃ ପ୍ରବନ୍ଧ ସାହିତ୍ୟର ଅଦ୍ୱିତୀୟ ବ୍ୟକ୍ତି ବାଗ୍ମୀ ବିଶ୍ଵନାଥ କର ‘ବିବିଧ ପ୍ରବନ୍ଧ’ର ଲେଖକ ଭାବରେ ସୁଖ୍ୟାତି ଲାଭ କରିସାରିବା ପରେ ‘ଉତ୍କଳ ସାହିତ୍ୟ ପତ୍ରିକା’ ସମ୍ପାଦନା ଆରମ୍ଭ ହେଲା ୧୮୯୭ ମସିହାରେ। ଉତ୍କଳ ସାହିତ୍ୟ ପତ୍ରିକାର ସେଇ ଅଦ୍ୱିତୀୟ ସମ୍ପାଦକ ସାହିତ୍ୟ ରଚନାରେ ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ସମସ୍ତଙ୍କର ସୁବିଧା ପାଇଁ ନିଜର ପୈତୃକ ସମ୍ପତି ଓ ସଞ୍ଚୟକୁ ନେଇ କଟକରେ ‘ଉତ୍କଳ ସାହିତ୍ୟ ପ୍ରେସ‘ ସ୍ଥାପନା କରିଥିଲେ। ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ପାଇଁ ଗଠନ କଲେ ‘ଉତ୍କଳ ସାହିତ୍ୟ ସମାଜ‘ ।
ହୃଦୟର ଆବେଗରେ ବିଭିନ୍ନ ସମୟରେ ଲିଖିତ ରଚନା ଗୁଡିକୁ ଗୁନ୍ଥି ଗୁନ୍ଥି ସାହିତ୍ୟ ସର୍ଜନା କରିଥା’ନ୍ତି ବିଶ୍ୱନାଥ କର । ସମକାଳୀନ ସମାଲୋଚନା ସାହିତ୍ୟରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିବା ବାଗ୍ମୀ ବିଶ୍ଵନାଥ କର ଓଡ଼ିଆ ସାହିତ୍ୟରେ ବୁଦ୍ଧିବାଦର ଜ୍ୟୋତି ବିକୀରଣ କରିବାରେ ଏ ଯାବତ ଶ୍ରେଷ୍ଠ କର୍ଣ୍ଣଧାର, ଅଦ୍ୱିତୀୟ । ଜଗତ ଜୀବନ ଧର୍ମ ଓ ସାହିତ୍ୟକୁ ଆଧାର କରି ନିଜ ବ୍ୟାପକ ଅନୁଭୂତି ପ୍ରକାଶ କରିବାରେ ଆନ୍ତରିକତା, ଯୁକ୍ତିର ନିକର୍ଷରେ ତାକୁ ଅଧିକ ଉଜ୍ଜ୍ୱଳ କରିବାରେ ପୁଷ୍ଟ ତାଙ୍କର ରଚନାବଳୀ, ଯାହା ଓଡ଼ିଆ ସାହିତ୍ୟ ପାଇଁ ସର୍ବଦା ପ୍ରେରଣାର ଉତ୍ସ ଓ ଶ୍ରେଷ୍ଠ ମାନ୍ୟତା ପାଇଛି। ସେ ଥିଲେ ଅସାଧାରଣ ଜ୍ଞାନ ପାଣ୍ଡିତ୍ୟର ଅଧିକାରୀ, ସମାଜ ସଂସ୍କାରକ, ପ୍ରାବନ୍ଧିକ, ବ୍ୟବସ୍ଥାପକ, ଅଦ୍ୱିତୀୟ ବକ୍ତା, ଋଷି ପ୍ରତୀମ ମଣିଷ । ଯୁଗଯୁଗ ପାଇଁ ନମସ୍ୟ।
ଓଡ଼ିଆ ସାହିତ୍ୟର ବିକାଶ କାଳରେ ବାଗ୍ମୀ ବିଶ୍ଵନାଥ କର ହେଉଛନ୍ତି ସର୍ବଶ୍ରେଷ୍ଠ ପ୍ରାବନ୍ଧିକ। ‘ବିବିଧ ପ୍ରବନ୍ଧ’ ରେ ସ୍ଥାନ ପାଇଥିବା କୋଡ଼ିଏଟି ପ୍ରବନ୍ଧ ଏ ଯାବତ୍ ଶ୍ରେଷ୍ଠ ପ୍ରବନ୍ଧର ସ୍ଵାକ୍ଷର ବହନ କରେ। ‘ସାହିତ୍ୟ ଓ ଜୀବନ’, ‘ସାହିତ୍ୟଚର୍ଚ୍ଚା’, ‘ସାହିତ୍ୟ ଓ ସମାଲୋଚନା’, ‘ଜାତୀୟ ଜୀବନରେ ସାହିତ୍ୟର ସ୍ଥାନ’ ଇତ୍ୟାଦି ଉତ୍କଳ ଭାରତୀ ଓ ଉତ୍କଳ ସାହିତ୍ୟର ଚିର ଅମୂଲ୍ୟ ସମ୍ପଦ।
ଦୀର୍ଘ ୩୮ ବର୍ଷକାଳ ବାଗ୍ମୀ ବିଶ୍ଵନାଥ କର ଥିଲେ ଓଡ଼ିଆ ଜାତୀୟ ଜୀବନର ଅନ୍ୟତମ ସାରଥୀ । ଓଜସ୍ଵିନୀ ଓ ସାରଗର୍ଭକ ଭାଷଣ ତାଙ୍କୁ ବିଦିତ କରିଥିଲା ସମଗ୍ର ଭାରତରେ। ଶତମୁଖରେ ପ୍ରଶଂସିତ ହୋଇଥିଲେ ଯେତେବେଳେ ବିଶ୍ଵକବି ରବୀନ୍ଦ୍ରନାଥ ଠାକୁର ବଙ୍ଗ ବିଭାଜନ ଉପରେ ତାଙ୍କର ପ୍ରଦତ୍ତ ଭାଷଣକୁ ଶୁଣିଲେ, ସ୍ଵତଃ ବାହାରି ଆସିଲା ବିଶ୍ଵକବିଙ୍କ କଣ୍ଠରୁ – ବିଶ୍ଵନାଥ କର ହେଉଛନ୍ତି ‘ଆମ ବଙ୍ଗଳାର ସୁରେନ୍ଦ୍ର ନାଥ’ । ବିଭିନ୍ନ ସଭାସମିତିରେ ତାଙ୍କର ପ୍ରଦତ୍ତ ଭାଷଣକୁ ଓଡ଼ିଶାର ଚଳନ୍ତି ଭାଷାବିତ ଗୋପାଳଚନ୍ଦ୍ର ପ୍ରହରାଜ ଲେଖା ଖାତାରେ ଟିପି ପକାଇ ତାହାକୁ ପରବର୍ତ୍ତୀ ସମୟରେ ‘ଉତ୍କଳ ସାହିତ୍ୟ‘ରେ ଛପାଇବାର ବନ୍ଦୋବସ୍ତ କରିଥାଆନ୍ତି।
ଉତ୍କଳ ସମ୍ମିଳନୀର ସେ ଥିଲେ ଅନ୍ୟତମ ପ୍ରବକ୍ତା ଓ ପୃଷ୍ଠପୋଷକ। ତାଙ୍କର ଅସାଧାରଣ ଜ୍ଞାନ, ପାଣ୍ଡିତ୍ୟ ଓ ସଂଗଠନ ଉପରେ ଇଂରେଜ ସରକାର ଗଭୀର ଆଶାନ୍ଵିତ ହୋଇ ‘ରାୟବାହାଦୁର‘ ଉପାଧି ପ୍ରଦାନ କଲେ। କିନ୍ତୁ ସ୍ଵାଧୀନ ଚେତା, ସ୍ଵାଭିମାନୀ ବିଶ୍ଵନାଥ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ, ଏଭଳି ସମ୍ମାନକୁ ଆଡ଼େଇ ଦେବାରେ ସେ ଥିଲେ ପ୍ରଥମ ଓଡ଼ିଆ ।
ସାହିତ୍ୟ ପତ୍ରିକା ସମ୍ପାଦକ ବିଶ୍ଵନାଥ ଆମ ସାହିତ୍ୟରେ ବ୍ୟାସକବି ଫକୀରମୋହନଙ୍କୁ ଗଳ୍ପ ଲେଖିବାକୁ ପ୍ରୋତ୍ସାହିତ କରିବା ବୋଧହୁଏ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ । ଏ ସମ୍ପର୍କରେ ଅନ୍ୟତମ ମହାନ ସାହିତ୍ୟ ରଥୀ ସୁରେନ୍ଦ୍ର ମହାନ୍ତିଙ୍କ ଉକ୍ତି ଉଦ୍ଧାର କରିବା – “ଫକୀରମୋହନଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକ ଶେଷ ଜୀବନରେ ରୋଗ ଶଯ୍ୟାରେ ଲିଖିତ ହୋଇଥିଲା। କିନ୍ତୁ ସେତେବେଳେ ସେ ଗଳ୍ପ ଲେଖିବାର ମାନସିକ ଅବସ୍ଥାରେ ନ ଥିଲେ। ଉତ୍କଳ ସାହିତ୍ୟ ପାଇଁ ବିଶ୍ଵନାଥଙ୍କ ବାଧ୍ୟବାଧକତାରେ ଫକୀରମୋହନ ଗଳ୍ପଗୁଡ଼ିକ ଲେଖିଥିଲେ।” (ଫକୀରମୋହନ ସମୀକ୍ଷା, ପୃଷ୍ଠା ୧୫)
ଏହି ଯୁଗପୁରୁଷ ବିଶ୍ୱନାଥ କର ୧୯୩୪ ମସିହା ଅକ୍ଟୋବର ୧୯ ତାରିଖ ବିଜୟା ଦଶମୀ ତିଥିରେ ଓଡ଼ିଶା ମାଟିରୁ ଚିରବିଦାୟ ନେଇଥିଲେ ।
© Niranjan Sahu
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…
ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…
ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…
View Comments
ଏଭଳି ଜାତି ପ୍ରେମୀ ଓଡ଼ିଶାରେ ବିରଳ ।
ବାଗ୍ମୀ , ସଂସ୍କାରକ , ଓଡ଼ିଶା ବିହାର ଆସେମ୍ବ୍ଳିର ବରିଷ୍ଠ ସଦସ୍ୟ ତଥା ସ୍ଵାଭିମାନୀ ଓଡିଆ ମଣିଷ ବିଶ୍ଵନାଥ କର ଏ ଜାତିର ସଦା ସର୍ବଦା ନମସ୍ୟ ହୋଇ ରହିଛନ୍ତି ଓ ଆଗାମୀ ଦିନରେ ରହିବେ ମଧ୍ୟ ।