ଲେଖା: ନିରଞ୍ଜନ ସାହୁ

ଆଜିକୁ ୧୯୫ ବର୍ଷ ତଳର ଏକ କୋଠାର କାହାଣୀ। ଏହି କୋଠା ଆଜି ପର୍ଯ୍ୟନ୍ତ ବଡ଼କୋଠା ଭାବେ ପରିଚିତ ସମଗ୍ର ଓଡ଼ିଶାରେ । ସ୍ମୃତିରେ ଏବେ ରହିଥାଇପାରେ, ହେଲେ ସମଗ୍ର ଦେଶର ଏହା ଥିଲା ସେ ସମୟର ଏକ ପବିତ୍ର ତୀର୍ଥ । ଏହାର ଇତିହାସ ହୁଏତ ଏବେ ଆମ ଭଳି ଇତିହାସ ବିମୁଖ ଜାତି ପାଖରେ ମୂଲ୍ୟହୀନ, କିନ୍ତୁ ସେତେବେଳେ ଓଡ଼ିଶାକୁ ଗର୍ବ ଓ ଗୌରବ ଆଣିଦେଇଥିଲା ଏହି ପ୍ରସ୍ତର ନିର୍ମିତ ଘରଟି ।

ଓଡ଼ିଆ ଜାତିର ଗର୍ବ ହୋଇପାରେ ଏ ଭୂଖଣ୍ଡରେ ଥିବା କିଛି ମନ୍ଦିର, କଳାକୃତି, ଅତୀତର ଗୌରବମୟ ଗାଥା । କିନ୍ତୁ କେନ୍ଦ୍ରାପଡ଼ା ସହରର ଏହି ‘ବଡ଼କୋଠା’ ଯେ ଏକ ତୀର୍ଥସ୍ଥଳୀ, ଏହାକୁ ଅସ୍ବୀକାର କରିହେବ ନାହିଁ ।

ସରସ୍ଵତୀ ଫକୀରମୋହନ ସେନାପତିଙ୍କ ଆତ୍ମ ଚରିତରୁ କିଛି: “ସନ ୧୮୯୯ ମସିହାରେ କେନ୍ଦ୍ରାପଡ଼ା ଜମିଦାର ଲକ୍ଷ୍ମୀନାରାୟଣ ଜଗଦ୍ଦେବଙ୍କ ଠାରୁ ଖଣ୍ଡିଏ ଟେଲିଗ୍ରାଫ୍ ପାଇ ଷ୍ଟିମର ଯୋଗେ କେନ୍ଦ୍ରାପଡ଼ା ଚାଲିଗଲି । ମୁଁ ଅକ୍ଟୋବର ୨୭ ତାରିଖ ଶୁକ୍ରବାର ରାତି ୮ ଘଣ୍ଟା ବେଳେ ସେଠାରେ ପହଞ୍ଚିଲି । ରାଧାଶ୍ୟାମ ନରେନ୍ଦ୍ର ଗୌରୀଶ୍ୟାମ ନରେନ୍ଦ୍ର ଦୁଇ ସହୋଦର ଭାଇ ଥିଲେ ।

ମୁଁ ଯାଇ ଦେଖିଲି, କେନ୍ଦ୍ରାପଡ଼ାର ଜମିଦାର ମାନେ ନାସିକାଗ୍ର ପର୍ଯ୍ୟନ୍ତ ଋଣ ସାଗରରେ ନିମଗ୍ନ । ଅତ୍ୟଧିକ ଦେବ ଓ ଅତିଥି ସେବା ଯୋଗୁଁ ସେମାନଙ୍କର ଏ ଭାଗ୍ୟ-ବିପର୍ଯ୍ୟୟ ଘଟିଅଛି ।
               ×      ×      ×
କେନ୍ଦ୍ରାପଡ଼ାର ସୁପ୍ରସିଦ୍ଧ ବଂଶ ଯୁଗଳର ବିପଦର ପ୍ରଧାନ କାରଣ — ଚତୁର୍ମାସ୍ୟାରେ ସାଧୁପଲ ପାଳନ। ଏ ବିଷୟଟି ସମସ୍ତ ଭାରତରେ ବିଖ୍ୟାତ ଥିବାରୁ ଭାରତର ଯାବନ୍ତ ଭଣ୍ଡ, ଶଠ, ଅଳସୁଆ ଅସାଧୁ-ସାଧୁ ପାଲଟିଯାଇ କେନ୍ଦ୍ରାପଡ଼ା ମଠରେ ପହଞ୍ଚିଯା’ନ୍ତି। ସାଧୁ ପାଲଟିବା ସେପରି କିଛି କଠିନ ବିଷୟ ନୁହେଁ ।

ବରଅଠା ବୋଳି ମୁଣ୍ଡ ବାଳଗୁଡ଼ାକ ଜଟା ତୟାର କରି, ଦେହରେ କାଦୁଅ ପାଉଁଶ ଗୁଡ଼ାଏ ବୋଳି ଦେଲେ ହେଲା । ସେଭଳି ଲୋକଙ୍କ ପକ୍ଷରେ କନା ଖଣ୍ଡେ କୌପୀନ ମାରିଦେବା କିଛି କଠିନ କଥା ନୁହେଁ । ‘ଆଷାଢ଼ସ୍ୟ ପ୍ରଥମ ଦିବସ’ ଠାରୁ ପୁଣ୍ୟ କାର୍ତ୍ତିକ ମାସ ପର୍ଯ୍ୟନ୍ତ ସାଧୁଗଣଙ୍କର ବିଶ୍ରାମ ସମୟ। ସେମାନଙ୍କର ସେବାର ବନ୍ଦୋବସ୍ତ ପୁଣି କିପରି ? ଭାତ, ଡାଲି, ତରକାରି ଓ ରୁଟି ଆଦେଶ ମାତ୍ରକେ ଉପସ୍ଥିତ । ତାହା ଛଡ଼ା ଦେବତା ମାନଙ୍କ ପାଇଁ ପୁରି , ମାଲପା ଓ ଲଡ଼ୁର ସ୍ଵତନ୍ତ୍ର ବନ୍ଦୋବସ୍ତ । ଆଉ ଗଞ୍ଜେଇ, ଭାଙ୍ଗ, ଗୁଡ଼ାଖୁ, ଧୂଆଁପତ୍ର ସମସ୍ତ ସାଧୁମାନଙ୍କର ନିତ୍ୟସେବ୍ୟ । ପୁଣି କେନ୍ଦ୍ରାପଡ଼ା ଉଠାଣି ସାଧୁ ମହାତ୍ମାମାନେ ତୀର୍ଥ ଦର୍ଶନକୁ ବାହାରିଯିବେ । ସେଥିପାଇଁ ବାଟଖର୍ଚ୍ଚ, ଟଙ୍କା, ଲୁଗା ଓ କମ୍ବଳ ନିତାନ୍ତ ଆବଶ୍ୟକ ।

ଜମିଦାରଙ୍କ ସାଧୁସେବା ଦ୍ଵାରା କେହି କେହି ସାଧୁ ମହାଜନ ପାଲଟି ଯାଉଥିଲେ । ସାମନ୍ତଙ୍କ ମନ୍ଦିରରୁ ଚାଉଳ, ଡାଲି, ମଇଦା, ଚିନି, ଘିଅ ଖାଇବାକୁ ମିଳେ । ଚାଉଳ, ଡାଲିରେ ପେଟ ପୂରିଯାଏ । ଘିଅ, ମଇଦା, ଚିନି ଗୁଡ଼ିକ ବଜାରରେ ବିକି ଟଙ୍କା ମୁଠିସ୍ଥ କରନ୍ତି । ଏହି ଉପାୟ ଦ୍ଵାରା କେହି କେହି ସାଧୁ ଅନେକ ଟଙ୍କା ଜମାଉଥିଲେ । ସେହି ଟଙ୍କାରୁ ପୁଣି ଜମିଦାରଙ୍କୁ କିଛି କରଜ ଦେଉଥିଲେ । ମୁଁ କେନ୍ଦ୍ରାପଡ଼ାରେ ଥିବା ସମୟରେ ଏହିରୂପ ଦୁଇଜଣ ସାଧୁ ମହାଜନ ଉପସ୍ଥିତ ହେଲେ। ସେମାନେ ପ୍ରତ୍ୟେକ ସାମନ୍ତଙ୍କୁ ପାଞ୍ଚଶତ ଟଙ୍କା କରଜ ଦେଇଥିଲେ । ସେମାନେ କହିଲେ ଯେ, ଗୋଟିଏ ସାଧୁଦଳ ସହିତ ସେମାନେ ଆସିଛନ୍ତି । ସେହି ଦଳ ବର୍ତ୍ତମାନ କଟକରେ ଅଛନ୍ତି । ସେମାନଙ୍କ ମୂଳ ଓ କଳନ୍ତର ଦେଇଦେଲେ ସେମାନେ ଚାଲିଯିବେ । ଯଦି ଦେବାକୁ ଦିନେ ଓଳିଏ ଡେରି ହୁଏ, ସେମାନଙ୍କ କଟକସ୍ଥ ଜମାୟତ୍ କେନ୍ଦ୍ରାପଡ଼ା ଚାଲି ଆସିବେ । ଜମାୟତ୍ ଦଳରେ ଷାଠିଏ ମୂର୍ତ୍ତି ସାଧୁ, ତପସ୍ୱୀ ଓ କେତେକ ହାତୀ, ଓଟ, ଘୋଡ଼ା ପ୍ରଭୃତି ଅଛନ୍ତି । ବର୍ତମାନ ମହାବିପଦ ଉପସ୍ଥିତ । ସେହି ସାଧୁଦଳ ଯଦି କେନ୍ଦ୍ରାପଡ଼ା ଆସିଯାନ୍ତି, ସେମାନଙ୍କ ପିଛା ଦୈନିକ ଅନ୍ତତଃ ଏକଶତ ଟଙ୍କା ଖରଚ ହେବ । ତହବିଲ୍ ତ ଶୂନ୍ୟ । ଅନେକ କଷ୍ଟରେ ଧାର କରଜ କରି କଳନ୍ତର ବାଡ଼ଟା ଛିଣ୍ଡାଇ ଦେଇ, ମୂଳ ଟଙ୍କା ସକାଶେ ଖଣ୍ଡିଏ ନୂତନ ତମସୁକ କରାଇ ଦିଆଗଲା । ଶୁଣିଲି ଏ ମହାଜନ ଯୋଡ଼ାକ ଏଥିପୂର୍ବେ ଲାଗ୍ ଲାଗ୍  ଦଶ ବାର ବର୍ଷ ପର୍ଯ୍ୟନ୍ତ ସାମନ୍ତଙ୍କ ମଠରେ ‘ଚତୁର୍ମାସ୍ୟ ସାଧୁ’ ଥିଲେ । ଏହି ମଠରୁ ଉପାର୍ଜିତ ଟଙ୍କାରେ ଏବେ ମହାଜନ ପାଲଟି ଯାଇଛନ୍ତି । ତିନିବର୍ଷ ପୂର୍ବେ ମୁଁ ଗୋଟିଏ ସରକାରୀ ରିପୋର୍ଟରେ ପଢ଼ିଥିଲି; ଭାରତରେ ସାଧୁ ସଂଖ୍ୟା ଅଣଚାଳିଶ ଲକ୍ଷ ।

ମୁଁ କେନ୍ଦ୍ରାପଡ଼ାରେ ଉପସ୍ଥିତ ହୋଇ ଜମିଦାରୀର ଆୟ ବ୍ୟୟ ଏବଂ ଦେଣା ପାଉଣା ବିଷୟରେ ତଦନ୍ତ କରି ଦେଖିଲି, ଜମିଦାରୀର ସମସ୍ତ ପ୍ରକାର ଆୟରୁ ମହାଜନମାନଙ୍କ ପ୍ରାପ୍ୟ ମୂଳ ଟଙ୍କାର କଳନ୍ତର ଆଦାୟ କରି, ଅଳ୍ପମାତ୍ର ଟଙ୍କା ଅବଶିଷ୍ଟ ରହେ । ଜମିଦାରୀ ବିକ୍ରୟ ନ କଲେ ମୂଳଟା ପରିଶୋଧର କୌଣସି ଉପାୟ ନାହିଁ । ଏଣେ ପୁଣି ଲକ୍ଷାବଧି ଟଙ୍କାର ଡିକ୍ରୀକାରି ମାମଲା ଅଦାଲତରେ ଝୁଲୁଥାଏ । ମୁଁ ବିବେଚନା କଲି, ମହାଜନମାନଙ୍କ କଳନ୍ତର ବାଦ୍ ଅବଶିଷ୍ଟ ଟଙ୍କାରେ ଜମିଦାର ଯଦି ସଂସାର ଚଳାଇବାକୁ ସ୍ଵୀକୃତ ହୁଅନ୍ତି, ଜମିଦାରୀର କେତେକ ଅଂଶ ବିକ୍ରୟ କରିଦେଇ, ଡିକ୍ରୀ ଟଙ୍କା ପରିଶୋଧ କରିଦେବୁଁ; ଆଉ ଅବଶିଷ୍ଟ ଜମିଦାରୀ କଲିକତାର କୌଣସି ମହାଜନ ନିକଟରେ ବନ୍ଧକ ରଖି, ଅଳ୍ପ କଳନ୍ତରରେ ଟଙ୍କା କରଜ ଆଣିବୁଁ । ଅତଃପର ଧୀରେ ଧୀରେ ମହାଜନ ଦେଣା ପରିଶୋଧ କରାଯିବ । ମୁଁ ଭଲରୂପେ ହିସାବ କରି ଦେଖିଲି ଯେ ଏହି ଉପାୟରେ ଅର୍ଦ୍ଧାଂଶ ଜମିଦାରୀ ରକ୍ଷା ପାଇପାରେ; ମାତ୍ର ମୋ’ କଳ୍ପିତ ବନ୍ଦୋବସ୍ତ ଅନୁସାରେ କାର୍ଯ୍ୟ ନ କରି ଜମିଦାର ପୂର୍ବବତ ସମସ୍ତ କାର୍ଯ୍ୟ କରିବାକୁ ଲାଗିଲେ । ମୋତେ ପରିଷ୍କାର ଜବାବ ଦେଲେ ଯେ, ଦେବସେବାର ଖର୍ଚ୍ଚ କୌଣସି ପ୍ରକାରେ କମାଇ ପାରିବେ ନାହିଁ । ମୁଁ କେନ୍ଦ୍ରାପଡ଼ାରେ ନ’ ମାସ ମାତ୍ର ଥିଲି । ଜମିଦାରୀ ରକ୍ଷାର କୌଣସି ଉପାୟ ନ ଦେଖି , କାର୍ଯ୍ୟତ୍ୟାଗ କରି କଟକ ଚାଲିଆସିଲି ।”

ବ୍ୟାସକବି ଓଡ଼ିଶାର ଏକ ସମ୍ଭ୍ରାନ୍ତ ଖ୍ୟାତିସମ୍ପନ୍ନ ପରିବାରର ଅଧଃପତନକୁ ସୁଧାରିବାକୁ ଯାଇ, ଯେଉଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ ତାହା ସେହି ବଂଶର ଆଭିଜାତ୍ୟ ଓ ଦାନଶୀଳ ପରମ୍ପରାର ଘୋର ବିରୋଧୀ ହୋଇଥିବାରୁ ପ୍ରତ୍ୟାଖ୍ୟାତ ହେବାରେ କୌଣସି ବିଚିତ୍ରତା ନାହିଁ ।

ଏହି ପରିବାର ମର୍ତ୍ତ୍ୟରେ ଥିଲେ ଦାନବୀର ହରିଶ୍ଚନ୍ଦ୍ର ସଦୃଶ ! କେନ୍ଦ୍ରାପଡ଼ା ସହରର ଗୋବରୀ ନଦୀ କୂଳରେ ଏକ କୋଠାରେ (ଯାହା ଏବେ ମଧ୍ୟ ବଡ଼କୋଠା ନାମରେ ଖ୍ୟାତ) ରହୁଥିଲେ ନରେନ୍ଦ୍ର ପରିବାର । ଏହି ମହାର୍ଘ ପରିବାରର ସମସ୍ତ ପାର୍ଥିବ ବିଭବ ଦାନ ମାଧ୍ୟମରେ ନିଃଶେଷ ହୋଇ ଯାଇଥିଲା । ସେହି ବଂଶର ରାଧାଶ୍ୟାମ ନରେନ୍ଦ୍ର, ସ୍ଵର୍ଗର ଇନ୍ଦ୍ରପଦ ଠାରୁ ଆହୁରି ଦୀପ୍ତିମନ୍ତ କାରଣ ସେତେବେଳେ ଲୋକୋକ୍ତି ଥିଲା – “ସ୍ଵର୍ଗେ ଇନ୍ଦ୍ର, ମର୍ତ୍ତ୍ୟେ ନରେନ୍ଦ୍ର” !

~ ରାଧାଶ୍ୟାମ ନରେନ୍ଦ୍ର (୧୮୦୭ — ୧୮୭୭) ~
ରାଧାଶ୍ୟାମ ନରେନ୍ଦ୍ର ଧରାବତରଣ କରିଥିଲେ ୧୮୦୭ ମସିହା ଜୁନ୍ ମାସ ୦୭ ତାରିଖ ଦିନ କେନ୍ଦ୍ରାପଡା ସହରର ଗୋବରୀ ନଦୀ କୂଳରେ ଅବସ୍ଥିତ ଏକ କୋଠାରେ, ଯାହା ପରବର୍ତ୍ତୀ ସମୟରେ ବଡ଼କୋଠା ଭାବେ ପରିଚିତ । ସେହି ମହାନ ମଣିଷ ଥିଲେ କେବଳ ଓଡ଼ିଶା ନୁହେଁ ବରଂ ଭାରତବର୍ଷର ଶ୍ରେଷ୍ଠ ଦାନୀ ।

~ ନଅଙ୍କ ଦୁର୍ଭିକ୍ଷର ମା’ ଅନ୍ନପୂର୍ଣ୍ଣା ~                                                          ୧୮୬୬ ମସିହାରେ କେବଳ ଗୋଟିଏ ଆର୍ତ୍ତ ଚିତ୍କାର ସର୍ବତ୍ର ଶୁଣିବାକୁ ମିଳୁଥିଲା — ହାଅନ୍ନ , ହାଅନ୍ନ । କ୍ଷୁଧା ମେଣ୍ଟାଇବାକୁ ପୁଅ ପତରରୁ ବାପ ଛଡ଼େଇ ନେଉଥିଲା, ଛତ୍ରରେ ବସୁଥିଲା, ଜାତି ହରାଉଥିଲା, ପଶୁ ମୁହଁରୁ ଯାହା ପାଇଲା ଛଡ଼ାଇ ଆଣୁଥିଲା । ଚାରିଆଡ଼େ କେବଳ କଙ୍କାଳ ହିଁ କଙ୍କାଳ। ମଣିଷଗୁଡ଼ା କଙ୍କାଳସାର ମଣିଷ । ଠିକ୍ ସେତିକିବେଳେ ବୈକୁଣ୍ଠରୁ ଯେମିତି ଓହ୍ଲାଇ ଆସିଥିଲେ ମା’ ଅନ୍ନପୂର୍ଣ୍ଣା ବେଶରେ ଜଣେ ମଣିଷ ତାଙ୍କ ପୁଅ ସହିତ, ରାଧାଶ୍ୟାମ ନରେନ୍ଦ୍ର ଓ ତାଙ୍କର ଏକମାତ୍ର ପୁତ୍ର ଜଗନ୍ନାଥ ଭ୍ରମରବର । ଅବିଭକ୍ତ କଟକ ଜିଲ୍ଲାର ବୁଭୁକ୍ଷୁ ଲୋକଙ୍କ ପାଇଁ ଖୋଲା କରି ଦେଇଥିଲେ ଜମିଦାରୀର ସମସ୍ତ ଖମାର । ଛତ୍ର ଖୋଲି ହଜାର ହଜାର କ୍ଷୁଧାର୍ତ୍ତଙ୍କୁ ମୁଠାଏ ମୁଠାଏ ଅନ୍ନ ପରଶି ଦେଉଥିଲେ ରାଧାଶ୍ୟାମ ମାସ ମାସ ଧରି । ପରିବାରର ସମସ୍ତେ ଯେମିତି ଜନ୍ମ ନେଇଥିଲେ ଈଶ୍ବରଙ୍କ ନିର୍ଦ୍ଦେଶ ମତେ ଏହି କ୍ଷୁଧାତୁର ମାନଙ୍କୁ ଖୁଆଇବା ପାଇଁ ! ଯିଏ ପହଞ୍ଚୁ ଥିଲା ସେ ବସି ଖାଉଥିଲା ଛତ୍ରରେ । ବାଛ ବିଚାର ନଥିଲା କିଛି ।

ସେ ସମୟରେ ଟଙ୍କାରେ ଚାଉଳ ଆଠ ସେର । ହେଲେ ଚାଉଳ ମିଳିବା ସମ୍ଭବ କେଉଁଠି ? ଛତ୍ର ତ ଖୋଲା ଯାଇଥିଲା, ଖାଦ୍ୟ ବଣ୍ଟା ଯାଉଥିଲା। ତଥାପି ରାଧାଶ୍ୟାମଙ୍କ ପାଖରେ ଆଉ କିଛି ଚାଉଳ ମହଜୁଦ ଥିଲା । ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ଠାରୁ ଶୁଣିଲେ ଯାଜପୁର ଅଞ୍ଚଳରେ ଅବସ୍ଥା ଆହୁରି ଦୟନୀୟ । ନିଜେ ବ୍ୟବସ୍ଥା କରି ୭୦୦୦ ମହଣ ଚାଉଳଡାଲି ପଠାଇଦେଲେ । କେନ୍ଦ୍ରାପଡ଼ା SDO ଏ କଥା ଶୁଣି ସରକାରଙ୍କ ତରଫରୁ ଚାଉଳ କିଣିବା ପାଇଁ ରାଧାଶ୍ୟାମଙ୍କ ଦ୍ଵାରସ୍ଥ ହେଲେ । ୮ ସେର ଚାଉଳ ବଦଳରେ ଟଙ୍କାକୁ ୧୨ ସେର ହିସାବରେ ଯୋଗାଇ ଦେବା ସହ କିଛି ଟଙ୍କା ଦେଇଦେଲେ ଜମିଦାର ନରେନ୍ଦ୍ର । କ୍ଷୁଧାର୍ତ୍ତଙ୍କ ସେବା କରିବାର ଏଭଳି ସୁଯୋଗ କ’ଣ ହାତଛଡ଼ା କରାଯାଇପାରେ ?

ଏ ସଂକ୍ରାନ୍ତରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରକାଶିତ ଜ୍ଞାନକୋଷର ଚତୁର୍ଥ ଭାଗରେ ଲିଖିତ ଅଛି, “ସେ ସମୟରେ ରାଧାଶ୍ୟାମ ନରେନ୍ଦ୍ରଙ୍କ ପରି ଦାତା ବାସ୍ତବିକ କେହି ନଥିଲେ । ଦରିଦ୍ର, ରାଣ୍ଡ, ଅନାଥ, କୁଷ୍ଠୀ, ଦୁର୍ଦ୍ଦଶାଗ୍ରସ୍ତ, କର୍ମହୀନ ଯେ ତାଙ୍କର ପାଖରେ ପହଞ୍ଚିଛି, ସେ ନିଶ୍ଚୟ ତା’ର ଦୁଃଖ ନିବାରଣ କରିଛନ୍ତି । ତାଙ୍କୁ ଦୟାସାଗର କହିଲେ ଅତ୍ୟୁକ୍ତି ହେବନାହିଁ । କେବଳ ଧନ ଦାନ କରିବା ଯୋଗୁଁ ନୁହେଁ, ପ୍ରତିପତ୍ତି ଓ ବିଚକ୍ଷଣ ବୁଦ୍ଧି ଯୋଗୁଁ ସେ ତତ୍କାଳୀନ ଜନସମାଜରେ ଯେପରି ଶ୍ରେଷ୍ଠତ୍ଵ ଲଭିଥିଲେ, ସେହିପରି ଇଂରେଜ ସରକାରଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ”

~ କମିଶନଙ୍କ ସାମ୍ନାରେ ଖେଦୋକ୍ତି ~
ନଅଙ୍କ ଦୁର୍ଭିକ୍ଷର ଭୟାବହତା ଏବଂ କାରଣ ଅନୁଶୀଳନ କରିବା ପାଇଁ କମିଶନ ଗଠିତ ହେଲା  ୧୮୬୭ ମସିହାରେ । ସାକ୍ଷୀ ଦେବାକୁ ଗଲେ ପଟାମୁଣ୍ଡାଇ ଉତ୍ତିକଣ ପ୍ରଗଣାର ଜମିଦାର ଦିଗମ୍ବର ମିତ୍ର, କେନ୍ଦ୍ରାପଡ଼ା ଜମିଦାର ରାଧାଶ୍ୟାମ ନରେନ୍ଦ୍ର ଏବଂ ଉତ୍କଳପ୍ରାଣ କର୍ମବୀର ଗୌରୀଶଙ୍କର ରାୟ

ରାଧାଶ୍ୟାମ ନରେନ୍ଦ୍ରଙ୍କ ଉକ୍ତି ଥିଲା, “ମୋ ବିଚାରରେ ଓଡ଼ିଶା ଡିଭିଜନର କମିଶନର ଜଣେ କଠୋର ହୃଦୟର ବ୍ୟକ୍ତି । ସେ ଚାଉଳର ଦର କମାଇବେ ନାହିଁ କି ପ୍ରଜାଙ୍କ ଉପରୁ ଖଜଣା ଛାଡ଼ କରିବେ ନାହିଁ । ବରଂ ଆପ୍ରାଣ ଚେଷ୍ଟା କରି ଜଳକର ଏକର ପିଛା ପାଞ୍ଚ ଟଙ୍କାକୁ ବୃଦ୍ଧି କରିଛନ୍ତି“।

କର୍ମବୀରଙ୍କ ଉକ୍ତି ଥିଲା, “ଜମିଦାରମାନଙ୍କ ଠାରୁ ଦାନସୂତ୍ରରେ ଚାଉଳ ସଂଗ୍ରହ କରି ଦୁର୍ଭିକ୍ଷ ପ୍ରପୀଡିତ ଲୋକମାନଙ୍କୁ ବାଣ୍ଟିବା ପାଇଁ ୧୮୬୬ ଅପ୍ରେଲ ମାସରେ ଗୋଟିଏ ବୈଠକରେ ସ୍ଥିର ହେଲା। ଏହି ମର୍ମରେ ଚିଠି ମଧ୍ୟ ପଠାଗଲା । ରାଧାଶ୍ୟାମ ନରେନ୍ଦ୍ର ଓ ଅନ୍ୟ ଚାରିଜଣ ଜମିଦାରଙ୍କ ବ୍ୟତୀତ ଓଡ଼ିଶାର ଅନ୍ୟ ସମସ୍ତ ଜମିଦାର ରୋକଠୋକ ଜଣାଇଦେଲେ ଯେ, ସେମାନଙ୍କ ପାଖରେ ଚାଉଳ ନାହିଁ ।”

୧୮୫୯ ମସିହାରେ ଗଜପତି ବୀରକିଶୋର ଦେବ ଇହଧାମ ତ୍ୟାଗ କଲେ । ସେ ଅପୁତ୍ରିକ ଥିଲେ । ମହାରାଣୀ ସୂର୍ଯ୍ୟମଣି ପାଟ ମହାଦେଇ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ପୁରୀ କଲେକ୍ଟରଙ୍କ ମାଧ୍ୟମରେ କଟକ କମିଶନରଙ୍କୁ ପତ୍ର ଲେଖିଲେ । ଏହା ଉପରେ ମନ୍ତବ୍ୟ ଦେଇ କମିଶନର ଦୁଇଜଣଙ୍କ ନାମ ସୁପାରିଶ କଲେ । ଜଣେ ବକ୍ସି ଜଗବନ୍ଧୁଙ୍କ ପୁତ୍ର ଓ ଅନ୍ୟଜଣକ ରାଧାଶ୍ୟାମ ନରେନ୍ଦ୍ର । ଆଉ ମଧ୍ୟ ଲେଖିଲେ ଯେ, ସର୍ବତୋଭାବେ ସେ ରାଧାଶ୍ୟାମ ନରେନ୍ଦ୍ରଙ୍କୁ ଅଗ୍ରାଧିକାର ଦେଉଛନ୍ତି । ଏକଥା ଜାଣି ପାରି ମହାରାଣୀ ଆଗତୁରା କୋର୍ଟରେ ଦରଖାସ୍ତ କଲେ ଓ ନିଜେ ଏହି ସମୟ ମଧ୍ୟରେ ସ୍ଥିର କରିଥିବା ଅନ୍ୟଜଣକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିବା ପାଇଁ ଅନୁମତି ପାଇଗଲେ । ‘ଗଜପତି’ ହେବା ରାଧାଶ୍ୟାମ ନରେନ୍ଦ୍ରଙ୍କ ଭାଗ୍ୟରେ ନୋହିଲା ।

~ ବୈଚିତ୍ର୍ୟମୟ ବଡ଼କୋଠା ~
ବଡ଼ ବିଚିତ୍ର ଏ କୋଠାର ଗାଥା ! ଏ କୋଠା ଇଟା, ସିମେଣ୍ଟ ବା ଚାରିକାନ୍ଥର କୋଠା ନୁହେଁ ! ଏହା ଓଡ଼ିଶାର ଏକ ତୀର୍ଥସ୍ଥଳୀ କହିଲେ ଭୁଲ ହେବନାହିଁ। ଏଇଠି ଦାନବୀର ରାଧାଶ୍ୟାମ ନରେନ୍ଦ୍ର ଜନ୍ମ ନେଇ କେତେ ଲୋକଙ୍କୁ ଯେ, ଅନ୍ନଦାନ କରି ସେମାନଙ୍କ ଜୀବନରକ୍ଷା କରିଛନ୍ତି ତାହା ଅସାଧାରଣ ସମଗ୍ର ଭାରତବର୍ଷରେ । ତାଙ୍କର ନିର୍ଦ୍ଦେଶ ଥିଲା, ଖାଇବାକୁ ବସିବାର ଏକ ଘଣ୍ଟା ପୂର୍ବରୁ ଚାରି ଜଣ ଲୋକ ଚାରି ଦିଗକୁ ଏକ ମାଇଲ୍ ଯାଏ ଘଣ୍ଟା ବାଡ଼େଇ ବାଡ଼େଇ ଯିବେ ଏବଂ ଯଦି କେହି ଭୋକିଲା ଥାଆନ୍ତି ସେମାନଙ୍କୁ ବଡ଼କୋଠାକୁ ଧରି ସାଥୀରେ ଆସିବେ । ସେମାନେ ପହଞ୍ଚି ଖାଇବା ପରେ ରାଧାଶ୍ୟାମ ନରେନ୍ଦ୍ର ହିଁ ଖାଦ୍ୟ ଗ୍ରହଣ କରୁଥିଲେ, ଯାହା ଥିଲା ପ୍ରତିଦିନର ରୁଟିନ୍ ! ସମଗ୍ର ଦେଶରେ ଆଉ କିଏ ଜଣେ ଏଭଳି ମଣିଷ ଅଛନ୍ତି କି ?

୧୮୨୫ ମସିହାରେ ଆରମ୍ଭ ହେଲା ଏହି ବଡ଼କୋଠାର ନିର୍ମାଣ କାର୍ଯ୍ୟ । ସେତେବେଳେ ରାଧାଶ୍ୟାମ ନରେନ୍ଦ୍ର ମାତ୍ର ୧୮ ବର୍ଷର ବାଳକ । ପ୍ରଚଣ୍ଡ କଳାକୃତି ଓ ବୈଷୟିକ ଜ୍ଞାନର ଅଧିକାରୀ । ଅନ୍ୟପକ୍ଷରେ ଖୋଲା ହୃଦୟର ବ୍ୟକ୍ତି । କୋଠାର ଉଚ୍ଚତା ରହିଲା ୪୦ ଫୁଟ (ଦ୍ଵିତଳ), ସାମ୍ନାରେ ଗମ୍ବୁଜ, ମୋଟ ଉଚ୍ଚତା ଗମ୍ବୁଜ ସହ ରହିଲା ୭୦ ଫୁଟ । କୋଠାର ଅଗଣା ମଝିରେ ୫୦ × ୨୦ ଫୁଟ ରାସ୍ତା । ପଥର ଖୋଦେଇ ବଡ଼ ବଡ଼ ଗୋଲେଇ ଖୁଣ୍ଟ । ବଡ଼କୋଠା ମଧ୍ୟରେ ରଙ୍ଗମହଲ, ଅତିଥିଗୃହ, ଠାକୁରଘର, ବୈଠକଖାନା, ସାଧୁସନ୍ଥମାନଙ୍କ ଆଶ୍ରୟସ୍ଥଳୀ, ଶୟନକକ୍ଷ, ନୃତ୍ୟସଙ୍ଗୀତ ସାଧନା କୋଠରୀ, ପାଠାଗାର, ଜମିଦାରୀର କାର୍ଯ୍ୟାଳୟ ଇତ୍ୟାଦି । ପଶ୍ଚାତରେ ନିଜ ବାସଭବନ, ବଗିଚା, କର୍ମଚାରୀଙ୍କ କୋଠରୀ, ରୋଷେଇ ଘର ଇତ୍ୟାଦି । ଏହି କୋଠା ସେ ସମୟରେ ଓଡ଼ିଶାରେ ଥିଲା ସବୁଠୁ ବଡ଼, ତେଣୁ ଲୋକ ମୁଖରେ ପ୍ରଚଳିତ ହେଲା ବଡ଼କୋଠା ଭାବରେ ।

ବହୁତ ବଡ଼ ଜମିଦାରୀ ଥିଲା ନରେନ୍ଦ୍ରଙ୍କର । ସେହି ଜମିଦାରୀର ଅଂଶ ଥିଲା ଏବେର ଯାଜପୁର ଜିଲ୍ଲାର ରତ୍ନଗିରି, ଲଳିତଗିରି, ଉଦୟଗିରି, ଛୁମୁକା, ଅଳତି, ବରୀ, ବାଲିଆ ଏବଂ କେନ୍ଦ୍ରାପଡା ଜିଲ୍ଲାର ବହୁ ଅଞ୍ଚଳ । ସେହି ଜମିଦାରୀର ଲାଭାଂଶ ଖର୍ଚ୍ଚ ହେଉଥିଲା ସେହି ଅଞ୍ଚଳର ପ୍ରଜାମାନଂକ ହିତରେ କେବଳ ।

ଏତିକିରେ ସରିନାହିଁ  !

ଏହି କୋଠା ଥିଲା ସଙ୍ଗୀତନିଧି ଗୋକୁଳ ଶ୍ରୀଚନ୍ଦନ, ତବଲାବାଦ୍ୟ ବିଶାରଦ ବିନୋଦବିହାରୀ ଶ୍ରୀଚନ୍ଦନ, ବାଣୀକଣ୍ଠ ନିମାଇଁଚରଣ ହରିଚନ୍ଦନଙ୍କ ଏନ୍ତୁଡ଼ିଶାଳ ।

ଏଇଠୁ ସାଧନା ପରେ ବଡ଼ବାବାଜୀ ରାଧାରମଣ ଦେବ ବୈଷ୍ଣବ ଧର୍ମ ପ୍ରଚାରରେ ବହିର୍ଗତ ହୋଇଥିଲେ । ବଡ଼ଖେମୁଣ୍ଡି ରାଜପୁତ୍ର ମହାପୁରୁଷ ଅରକ୍ଷିତ ଦାସ ଏହି ପରିବାର ଠାରୁ ଦାନସୂତ୍ରରେ ପାଇଥିଲେ ନରେନ୍ଦ୍ର ପରିବାର ମାଲିକାନାରେ ଥିବା ଓଳାଶୁଣୀ ଗୁମ୍ପା, ଯାହା ଆଜିର ଏକ ପ୍ରମୁଖ ଧର୍ମପୀଠ ।

ଏହି ବଡ଼କୋଠା ଥିଲା ବିଦ୍ଗଧକବି ଅଭିମନ୍ୟୁ ସାମନ୍ତସିଂହାର ଓ ଉତ୍କଳର ସୁପ୍ରସିଦ୍ଧ ସଙ୍ଗୀତଜ୍ଞ, ରଙ୍ଗମଞ୍ଚ ସଂସ୍କାରକ ଗୋବିନ୍ଦଚନ୍ଦ୍ର ଶୂରଦେଓଙ୍କ ଶ୍ଵଶୁରଘର । 

କଳାସଙ୍ଗୀତ କ୍ଷେତ୍ରରେ ବେଶ୍ କିଛି ନାଁ ଥିଲା ଏହି ବଡ଼କୋଠାର । ଏଇଠି ସମ୍ମିଳିତ ହେଉଥିଲେ ଭାରତର ବିଶିଷ୍ଟ ସଙ୍ଗୀତଜ୍ଞମାନେ । ବଡ଼ ଗୋଲାମ ଅଲ୍ଲୀ, ରୋସନାରା ବେଗମ୍, ହାଫିଜ୍ ଅଲ୍ଲୀ ଖାଁ ଏହି ରଙ୍ଗମହଲରେ ରହି ସଙ୍ଗୀତ ପରିବେଷଣ କରି ଅନେକ ଥର ଯାଇଛନ୍ତି । ଏଇ ବଂଶର ଆଭିଜାତ୍ୟର ପ୍ରତୀକ ବିଶିଷ୍ଟ ସଙ୍ଗୀତଜ୍ଞ ଗୋକୁଳ ଶ୍ରୀଚନ୍ଦନଙ୍କ ଠାରୁ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ମହାନ ସଙ୍ଗୀତଜ୍ଞ ବାଳକୃଷ୍ଣ ଦାସ ।

ଆଜି ବଡ଼କୋଠା କେବଳ ସ୍ମୃତିରେ ! କୋଠା ଅଛି, ମା’ ଅନ୍ନପୂର୍ଣ୍ଣାରୂପୀ ରାଧାଶ୍ୟାମ ନରେନ୍ଦ୍ର ନାହାଁନ୍ତି ! ଦୀର୍ଘ ୭୦ବର୍ଷର ଲୀଳାଖେଳା କରିବା ପରେ ରାଧାଶ୍ୟାମ ଈଶ୍ବରଙ୍କ ଠାରେ ଲୀନ ହୋଇଗଲେ ୧୮୭୭ ମସିହା ଡିସେମ୍ବର ମାସ ସତର ତାରିଖ ଦିନ । ଭୁଭୁକ୍ଷୁର ଆର୍ତ୍ତ ଚିତ୍କାର ଶୁଣି ଯେମିତି ଆସିଥିଲେ ଏହି ଧରାଧାମକୁ ସେହି ଦାନବୀର ହରିଶ୍ଚନ୍ଦ୍ର, ତାହା ସମଗ୍ର ଓଡ଼ିଶାବାସୀ ଭୁଲି ପାରି ନାହାଁନ୍ତି । ସେଇଥିପାଇଁ ସେ ମର୍ତ୍ତ୍ୟେ ନରେନ୍ଦ୍ର ।

ଆଧାର: ଫକୀରମୋହନ ସେନାପତିଙ୍କ ଆତ୍ମଚରିତ; ଜ୍ଞାନକୋଷ; “ଆମେ ଓଡ଼ିଆ”; ରାଧାଶ୍ୟାମ ନରେନ୍ଦ୍ରଙ୍କ ଅଣନାତି ଶ୍ରୀ ରବୀନ୍ଦ୍ର କିଶୋର ଶ୍ରୀଚନ୍ଦନ (ବାବି) ଏବଂ ଶ୍ରୀ ପରମାନନ୍ଦ ସେଠୀ 
ଫଟୋ ସୌଜନ୍ୟ: ବଡ଼କୋଠାର ବାବି ମହାଶୟ 

© Niranjan Sahu

Spread the love
admin

View Comments

Recent Posts

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 weeks ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 months ago