ଲେଖା: ବନ୍ଧନ ଦଳେଇ
ଆଷାଢ ମାସ ଶୁକ୍ଲ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ମହୋତ୍ସବକୁ ଦର୍ଶନ କଲେ ଭକ୍ତଜନଙ୍କ ସାତକୋଟି ପାପରାଶି ନଷ୍ଟ ହୁଏ।
ସ୍କନ୍ଧ ପୁରାଣ ଅନୁଯାୟୀ ଶ୍ରୀକ୍ଷେତ୍ର #ନୃସିଂହ_କ୍ଷେତ୍ର ନାମରେ ପରିଚିତ। ପୁରୁଷୋତ୍ତମଙ୍କ ଉପସ୍ଥିତି ଯୋଗୁଁ #ଶ୍ରୀକ୍ଷେତ୍ର ସର୍ବୋତ୍ତମ କ୍ଷେତ୍ର ଭାବେ ପରିଚିତ ଓ #ମର୍ତ୍ତ୍ୟବୈକୁଣ୍ଠ ନାମରେ ବିଦିତ।
ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ କୃଷ୍ଣ, ଶ୍ୱେତ, ପୀତ ଓ ଲୋହିତ ବର୍ଣ୍ଣ ବିଶିଷ୍ଟ । ଶ୍ରୀବଳଭଦ୍ର ଜ୍ଞାନଯୋଗ, ଶ୍ରୀଜଗନ୍ନାଥ ଭକ୍ତିଯୋଗ ଓ ଦେବୀ ସୁଭଦ୍ରା ହେଉଛନ୍ତି କର୍ମଯୋଗର ପ୍ରତୀକ। କର୍ମର ହସ୍ତ ଜ୍ଞାନର ଚକ୍ଷୁ ଓ ଭକ୍ତିର ହୃଦୟ ଓ ଭକ୍ତିରସର ସମନ୍ୱୟରେ ମାନବ ବ୍ରହ୍ମତ୍ୱ ପ୍ରାପ୍ତ କରି ମୁକ୍ତ ହୁଏ। ସଂସାରରୂପକ ମାୟାଚକ୍ରରୁ।
ଜଗନ୍ନାଥ ମହାପ୍ରଭୁ ନାରାୟଣ ରୁପରେ, #ବଡ଼ମଣିମା ବଳଭଦ୍ର ତ୍ରିଲୋଚନ ରୁପରେ, ସୁଭଦ୍ରା #ଯୋଗମାୟା ରୂପରେ ଏବଂ ସୁଦର୍ଶନ ଗଣଦେବତା ମାଧବ ରୂପରେ ବିଦ୍ୟମାନ। #ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଓଁକାର ଭାବେ ୠକ୍, ଯଜୁ, ସାମ୍, ବେଦଭାବେ ଏବଂ ସତ୍ୱ, ରଜ, ତମ, ଭାବେ ପ୍ରତିପାଦିତ କରାଯାଇଛି।
ବିଭିନ୍ନ ଧର୍ମାବଲମ୍ବୀମାନଙ୍କୁ ପ୍ରୀତ କରିବାପାଇଁ ଆରାଧ୍ୟ ଦେବତା ରୂପେ ରତ୍ନସିଂହାସନରେ ବିଜେ କରିଛନ୍ତି। ଏହି ସର୍ବଧର୍ମର ଆରାଧ୍ୟ ଦେବତା ପୁଣି ଜାତିପାତି ଭେଦଭାବର ବହୁ ଉର୍ଦ୍ଧ୍ୱରେ ।
ଯେଉଁ ମାନବ ଭାବଭକ୍ତି ସହକାରେ ପରମେଶ୍ୱରଙ୍କ ନିକଟରେ ପ୍ରାଣ ଅର୍ପଣ କରି ତତ୍ପରତା ସହିତ ପରମ ଶ୍ରଦ୍ଧାରେ ପ୍ରଭୁ ଜଗନ୍ନାଥ, ବଳବଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଉପାସନା କରେ, ସେ ପରମେଶ୍ୱରଙ୍କ ଶ୍ରଦ୍ଧା ଓ ପ୍ରିୟପାତ୍ରର ଯୋଗ୍ୟତା ଅର୍ଜନ କରିଥାଏ।ପ୍ରଭୁ ଭକ୍ତର ଡାକରା ସର୍ବଦା କର୍ଣ୍ଣପାତି ଶ୍ରବଣ କରିଥାନ୍ତି ଓ ଭକ୍ତର ଆଗ୍ରହ ଦେଖି ରତ୍ନସିଂହାସନର ସମସ୍ତ ସୁଖ ପୂଜାମାର୍ଜନା ଦିବ୍ୟ ଅନ୍ନପ୍ରସାଦ ଇତ୍ୟାଦି ତ୍ୟାଗ କରି ନବଦିନ ପାଇଁ ବଡ଼ଦାଣ୍ଡକୁ ଭକ୍ତମାନଙ୍କ ଦର୍ଶନ ପାଇଁ #ଶ୍ରୀଗୁଣ୍ଡିଚା ବା #ରଥଯାତ୍ରା ଅବସରରେ ଅବତରଣ କରିଥା’ନ୍ତି ।
ଜାତି, ବର୍ଣ୍ଣ, ଧର୍ମର ଉର୍ଦ୍ଧ୍ୱରେ ରହି ଭକ୍ତମାନଙ୍କ ମନୋବାଞ୍ଛା ପୂରଣ କରିଥାଆନ୍ତି। ଖରା, ବର୍ଷା, ଝଡ଼ଝଞ୍ଜା ଇତ୍ୟାଦି ପ୍ରାକୃତିକ କ୍ରିୟାକୁ ଭ୍ରୁକ୍ଷେପ ନକରି ପ୍ରଭୁ ହସହସ ବଦନରେ, #ଦାସିଆ ପରି ଭକ୍ତ ମାନଙ୍କ ହସ୍ତରୁ ଶ୍ରୀଫଳ ନେଇଥାନ୍ତି। #ସାଲବେଗ ପରି ଭକ୍ତର ଭକ୍ତି ଅର୍ଘ୍ୟ ଲାଭ କରିବା ପାଇଁ ରଥ ଉପରେ ଦାଣ୍ଡଧୂଳିରେ ଅପେକ୍ଷା କରି ରୁହନ୍ତି । ଶିରରେ #ଟାହିଆ ବାନ୍ଧି, ଶଙ୍ଖ, ଘଣ୍ଟ, ଘଣ୍ଟା, କାହାଳୀ, ମର୍ଦ୍ଦଳର ଶବ୍ଦ ଝଙ୍କାରରେ ଆତ୍ମବିଭୋର ହୋଇପଡ଼ନ୍ତି। ଶ୍ରୀଚୈତନ୍ୟ ଦେବଙ୍କ ପରି ଭକ୍ତମାନଙ୍କ ଗହଣରେ ସଂକୀର୍ତ୍ତନ ଆତ୍ମନିବେଶ କରନ୍ତି। ଭକ୍ତ #ବଳରାମ_ଦାସ ଙ୍କ ବାଲିତିଆରି ରଥ ନିକଟରେ ଉଭା ହୁଅନ୍ତି।
ଭକ୍ତର ଗର୍ବ ଅହଂକାର ଗଞ୍ଜନ ପାଇଁ ବଡ଼ଦାଣ୍ଡରେ ଅଚଳ ମହାମେରୁ ହୋଇ ଘଣ୍ଟଘଣ୍ଟା ଧରି ନ ଖାଇ ନ ପିଇ ଦଣ୍ଡାୟମାନ ହୋଇ ଉଭା ହୁଅନ୍ତି। ସାମ୍ୟ, ମୈତ୍ରୀ, ବିଶ୍ୱଭାତୃତ୍ୱ ନିଦର୍ଶନ ଜନସମୁଦ୍ରରେ ଦେଖିବାକୁ ଭଲ ପାଆନ୍ତି।
ପ୍ରଥମ ଆଦ୍ୟସେବକ ଭକ୍ତରାଜ ଶିରୋମଣି ପୁରୀ ରାଜାଙ୍କ #ଛେରାପହଁରା, ଜଳମିଶ୍ରିତ ସୁଗନ୍ଧିତ ଚନ୍ଦନ କର୍ପୂରର ପରଶ ଲାଭ କରିବା ପାଇଁ ଚାହିଁ ବସନ୍ତି ।
ମହିଳା, ପୁରୁଷ, ଶିଶୁ, ବୃଦ୍ଧ, ଯୁବକ, ଯୁବତୀଙ୍କ ଆତ୍ମନିବେଦନ ଓ ଗୁହାରୀ କର୍ଣ୍ଣଡେରି ଶ୍ରବଣ କରି ମନୋବାଞ୍ଛା ପୂରଣ କରନ୍ତି ମହାପ୍ରଭୁ।
ରଥଯାତ୍ରା ଦିନ ପହଣ୍ଡି ସମୟରେ ଶ୍ରୀସୁଦର୍ଶନ ପରେ ବଳଭଦ୍ର, ତା’ପରେ ଦେବୀ ସୁଭଦ୍ରା ଓ ସର୍ବଶେଷରେ ଶ୍ରୀଜଗନ୍ନାଥଙ୍କୁ #ଧାଡ଼ିପହଣ୍ଡି ରେ ବିଜେ କରାଯାଇଥାଏ । ଶ୍ରୀବିଗ୍ରହମାନେ ରଥାରୂଢ ହେବାପରେ ଦଇତାପତିମାନେ ରୁନ୍ଧା କାର୍ଯ୍ୟ ଶେଷ କରନ୍ତି।
ରଥ ଉପରେ #ରୁନ୍ଧା, ମାଳଫୁଲ ଦେବା, ସୋଲଚିତା, ଇତ୍ୟାଦି ଲାଗି ହେବା ପରେ ଗୋବର୍ଦ୍ଧନ ପୀଠାଧିଶ ଜଗତଗୁରୁ #ଶଙ୍କରାଚାର୍ଯ୍ୟ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରନ୍ତି।
ଏହା ପରେ #ଗଜପତି ମହାରାଜା ବ୍ରତଚାରଣ ପୂର୍ବକ ରାଜଗୁରୁଙ୍କ ଉପସ୍ଥିତିରେ ରାଜନଅରରେ ଥିବା ଈଷ୍ଟଦେବୀ କନକଦୁର୍ଗା ଓ #ପଞ୍ଚମହାଦେବ ଙ୍କ ଉପାସନା କାର୍ଯ୍ୟ ସମାପନା କରି ରଥ ଉପରେ ଛେରାପହଁରା ନିମନ୍ତେ ରାଜାଙ୍କୁ ପଟୁଆରରେ ରାଜଗୁରୁଙ୍କ ସହିତ କାହାଳିଆମାନଙ୍କର କାହାଳୀ ବାଦନ କରାଯାଇ ରଥତ୍ରୟଙ୍କ ନିକଟକୁ #ତାମଯାନ ରେ ନିଆଯାଏ। ବଡଦାଣ୍ଡରେ ଉପସ୍ଥିତ ଭକ୍ତ ଛାମୁଙ୍କୁ ଦର୍ଶନ କରି କୃତାର୍ଥ ହୋଇଥାନ୍ତି। ବିଧିମୂତାବକ ମହାରାଜା ସମସ୍ତ ପ୍ରକାର ପୂଜାର୍ଚ୍ଚନା କରିସାରିବା ପରେ ତାଙ୍କ ହାତରେ ସୁନାବେଣ୍ଟଯୁକ୍ତ ଖଡ଼ିକାମୁଠା ଧରାଇ ଦିଆଯାଏ।
ରଥ ଉପରେ ରାଜା #ଛେରାପହଁରା ଆରମ୍ଭ କଲେ ପଛରୁ ପୁଜାପଣ୍ଡା ଓ ଅନ୍ୟ ସେବକଗଣ ଚନ୍ଦନ, କର୍ପୂର ଓ ସୁବାସିତ ଜଳ ସିଞ୍ଚନ କରି ମନ୍ତ୍ର ଉଚ୍ଚାରଣ ସହିତ ରଥ ଶୁଦ୍ଧ କରିଥାନ୍ତି। ଏହି କ୍ରମରେ ମହାରାଜା ଛେରାପହଁରା କାର୍ଯ୍ୟ ଶେଷ କରି, ଦଣ୍ଡପ୍ରଣାମ ପରେ ଶ୍ରୀନଅରକୁ ଫେରି ଯାଇଥାନ୍ତି ।
ପରେ ପରେ ରଥଟଣା ଆରମ୍ଭ ହେବା ସହିତ ରଥ ଉପରୁ କାହାଳିଆ ସେବକ କାହାଳୀ ବଜାଇଥାନ୍ତି। ପରେ ପରେ ଘଣ୍ଟୁଆ ସେବକ ରଥ ଉପରେ ଦୁଇପାର୍ଶ୍ୱରେ ଠିଆ ହୋଇ ସମତାଳରେ ଘଣ୍ଟ ବାଦନ କରିଥାନ୍ତି।
ପ୍ରଭୁଙ୍କର ଏହି ରଥଯାତ୍ରା କାହିଁ କେଉଁ କାଳରୁ ସଂଖ୍ୟାତୀତ ଭକ୍ତଗଣଙ୍କୁ ମୁଗ୍ଧ, ଚକିତ, ପ୍ରଭାବିତ, ରସାଣିତ, ଅନୁପ୍ରାଣିତ ଓ ଆମୋଦିତ କରି ଆସିଛି, ତାର ହିସାବ ନାହିଁ। ଜ୍ଞାନର ଗଭୀରତା ନେଇ କିଏ ତାଙ୍କର ଦିବ୍ୟଲୀଳାକୁ ଦେଖିଚି ତ ଆଉ କିଏ ଆଧ୍ୟାତ୍ମିକ ଅନୁଭୂତି ସହ ଏକାକାର କରିଦେଛନ୍ତି।
©ବନ୍ଧନ ଦଳେଇ Bandhan Dalai