ଲେଖା: ଶିବାଶିଷ ମହାପାତ୍ର “କଷ୍ଟ କଲେ କୃଷ୍ଣ ମିଳେ ଏ ସାର ବଚନ, ୧୮୬୮ ମସିହାର ସମ୍ବଲପୁର କଥା । ସେତେବେଳର ଏହି ଅଞ୍ଚଳରୁ ବାହାରିଥିଲେ ଗୋଟିଏ ବାଳକ ମନରେ ଅଦମ୍ୟ ଅଭିଳାଷ ଏବଂ ମ୍ୟାଟ୍ରିକ ପରୀକ୍ଷା ପାସ କରିବାର ଆଶା ନେଇ । ଲକ୍ଷ୍ୟ ନ ଥିଲା ପାଖ, ଯିବାକୁ ଥିଲା କଲିକତା ସହର । ସେ ସମୟରେ ନ ଥିଲା ଗାଡ଼ି ମଟର ତେଣୁ ତାଙ୍କୁ ଅର୍ଦ୍ଧେକରୁ ଅଧିକ ରାସ୍ତା ପାର କରିବାକୁ ପଡ଼ିଥିଲା ପାଦରେ ଚାଲି, କାଁ ଭାଁ କେଉଁଠି କେତେବେଳେ ମିଳିଯାଉଥିଲା ଶଗଡ଼ଗାଡ଼ି । ଏତେ କଷ୍ଟ ଦେଇ କଲିକତା ସହରରେ ପହଞ୍ଚି ପରୀକ୍ଷା ଦେଇ ଫେରିଥିଲେ ଏବଂ ବନି ଯାଇଥିଲେ ପଶ୍ଚିମ ଓଡ଼ିଶାର ପ୍ରଥମ ବ୍ୟକ୍ତି ଭାବରେ ମ୍ୟାଟ୍ରିକ ପରୀକ୍ଷା ପାସ କରିବାର ଗୈାରବ । ୧୮୫୦ ମସିହା ସେପ୍ଟେମ୍ବର ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଆ ଭାଷା ସାହିତ୍ୟ ତଥା ସ୍ବାଧୀନତା ସଂଗ୍ରାମର ଅଗ୍ରସାରଥୀ ଭାଷାସଂଗ୍ରାମୀ ଧରଣୀଧର ମିଶ୍ର । ଏହି ବର୍ଷ ଅପ୍ରେଲ ମାସରେ ସମ୍ବଲପୁର ରାଜ ଉଆସର ଦରବାରରେ ଆରମ୍ଭ ହୋଇଥିଲା ସମ୍ବଲପୁର ବିଦ୍ୟାଳୟ କେବଳ ୭ ଜଣ ଛାତ୍ରଙ୍କୁ ନେଇ । ଆଜି ଏହାର ଭିନ୍ନ ରୂପକୁ ଆମେ ଦେଖିପାରୁଛେ ଜିଲ୍ଲା ସ୍କୁଲ ଭାବରେ । ଏହି ବିଦ୍ୟାଳୟରେ ଦିନେ ପାଠ ପଢ଼ିଥିଲେ ଧରଣୀଧର ମିଶ୍ର ମହୋଦୟ । ମ୍ୟାଟ୍ରିକ ପାସ କରିବା ପରେ ଶିକ୍ଷକତା ଆରମ୍ଭ କରିଥିଲେ ସେ ଏବଂ ୧୮୭୩ ମସିହାରେ ବନିଥିଲେ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ । ୧୮୮୦ ମସିହା ବେଳକୁ ସେ ବନି ଯାଇଥିଲେ ଶିକ୍ଷା ବିଭାଗର ଡେପୁଟି ଇନ୍ସପେକ୍ଟର । ୧୮୯୫ ମସିହାର କଥା । ତତ୍କାଳୀନ କେନ୍ଦ୍ରୀୟ ପ୍ରଦେଶର ଚିଫ୍ କମିଶନର ଜନ୍ ଉଡ଼ବର୍ନ ଏକ ନିର୍ଦ୍ଦେଶନାମା ଜାରୀ କଲେ କୋର୍ଟ କଚେରୀରେ ବାଧ୍ୟତାମୂଳକ ଭାବରେ ହିନ୍ଦୀ ଭାଷାର ବ୍ୟବହାର ପାଇଁ । ସମ୍ବଲପୁରର ଡେପୁଟି କମିଶନର ଆର୍ .ଏ. ଚାପମେନ୍ ମଧ୍ୟ ଏହି ଆଇନକୁ ସମ୍ମତି ପ୍ରଦାନ କରିଥିଲେ । ୧୯ ଜାନୁଆରୀ ୧୮୯୫ ମସିହାରେ ସମ୍ବଲପୁର ପ୍ରାନ୍ତରୁ ଓଡ଼ିଆ ଭାଷା ଉଠାଇ ହିନ୍ଦୀ ଭାଷାର ପ୍ରଚଳନ କରାଯାଇଥିଲା ସବୁ ସରକାରୀ ତଥା ବିଦ୍ୟାଳୟରେ । ଏହି ନୀତିକୁ ବିରୋଧ କରିଥିଲେ ଶ୍ରୀ ଧରଣୀଧର ମିଶ୍ର, ଏବଂ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା ଏକ ବୈଠକ ୧୩ ଜୁନ୍ ୧୮୯୫ ମସିହାରେ ଏବଂ ପ୍ରଦାନ କରିଥିଲେ ଏକ ଚିଠି ତତ୍କାଳୀନ ଭାଇସରଏଙ୍କୁ । ୧୯୦୧ ମସିହାରେ ଥିଲା ଜନଗଣନା କାର୍ଯ୍ୟକ୍ରମ । ଏଥିରେ ଶ୍ରୀ ମିଶ୍ରଙ୍କୁ ସହଯୋଗ କରିଥିଲେ ସହକାରୀ କମିଶନର ବୈକୁଣ୍ଠନାଥ ପୂଝାରୀ । ଦିନ ସାରା ଅଫିସ କାମ କରି ରାତିରେ ସେମାନେ ଗାଁମାନଙ୍କୁ ବୁଲି ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିଲେ ଓଡ଼ିଆ ଭାଷା ପାଇଁ ଆରମ୍ଭ ହୋଇଯାଇଥିଲା ଏକ ଆନ୍ଦୋଳନର । ଲକ୍ଷାଧିକ ଲୋକ ସ୍ବତଃ ଭାବେ ଏଥିରେ ସାମିଲ ହୋଇ ନିଜ ଭାଷା ଓଡ଼ିଆ ବୋଲି ଲେଖିଥିଲେ ତଥା ନିଜକୁ ପରିଚୟ ଦେଇଥିଲେ ଓଡ଼ିଆ ବୋଲି । ଏହି ସମୟର କମିଶନର ଏଣ୍ଡ୍ରୁ ଫ୍ରେଜରଙ୍କୁ ଏକ ଚାରି ଜଣିଆ କମିଟି ନିଜର ଦାବି ପତ୍ର ପ୍ରଦାନ କରିଥିଲେ ନାଗପୁରରେ । କମିଶନର ଏହାକୁ ଭାଇସରଏ ଲର୍ଡ କର୍ଜନଙ୍କ ପାଖକୁ ପହଞ୍ଚାଇବାର ବ୍ୟବସ୍ଥା କରିବା କଥା ପ୍ରତିଶ୍ରୁତି ଦେଇଥିଲେ । ଏହି ସମୟରେ ନିଜର ଏକ ଦାବିପତ୍ର ପ୍ରେରଣ କରିଥିଲେ କୂଳବୃଦ୍ଧ ମଧୁସୂଦନ ଦାସଙ୍କ ପାଖକୁ କିନ୍ତୁ ଭୁଲରେ ତାହା ଯାଇ ପହଞ୍ଚିଥିଲା କବି ମଧୁସୂଦନ ରାଓଙ୍କ ପାଖରେ । ଏ ବିଷୟରେ କୂଳବୃଦ୍ଧ ଜାଣିବା ପରେ ସମର୍ଥନ ତଥା ଦାବି କରିଥିଲେ ଓଡ଼ିଆ ଆନ୍ଦୋଳନକୁ ସମ୍ବଲପୁରରେ । ୧୯୦୧ ମସିହା ସେପ୍ଟେମ୍ବର ମାସରେ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଭାଇସରଏଙ୍କୁ ଦେଖା କରିବା ପାଇଁ ସିମଲା ଗସ୍ତ କରିଥିଲେ କିନ୍ତୁ ଦୁଃଖର କଥା ଦେଖା ନ ହୋଇ ଫେରିଆସିଥିଲେ । କିନ୍ତୁ ଏହାର ପରିଣାମ ଥିଲା ସମ୍ବଲପୁର ଭଳିଆ ଏକ ଛୋଟ ସ୍ଥାନକୁ ଧାଇଁ ଆସିଥିଲେ କେନ୍ଦ୍ରୀୟ ପ୍ରଦେଶର ଚିଫ୍ କମିସନର ଘଟଣା ବିଷୟରେ ଜାଣିବା ପାଇଁ । ସ୍ବଭାବକବି ଗଙ୍ଗାଧର ମେହେର, ଭାଷାସଂଗ୍ରାମୀ ଧରଣୀଧର ମିଶ୍ର ତଥା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଅନେକ ପରିଶ୍ରମ କରି ଉଦ୍ଧାର କରିଥିଲେ ବୁଡ଼ି ଯାଉଥିବା ଓଡ଼ିଆ ଭାଷାକୁ । ସମ୍ବଲପୁର ହିତ୍ବେଷିଣୀ, ଉତ୍କଳ ଦୀପିକା ଆଦି ଓଡ଼ିଆ ଖବରକାଗଜ ମାନଙ୍କରେ ଲେଖା ଦେଇ ଏଇ ହିନ୍ଦୀକରଣକୁ ବିରୋଧ କରିଥିଲେ ଧରଣୀଧର ମିଶ୍ର ଏବଂ ସମସ୍ତ ମହାମନିଷୀ । ୧୯୦୧ ମସିହାରେ କମିଶନର ଏଣ୍ଡ୍ରୁ ଫ୍ରେଜର ସମ୍ବଲପୁର ଆସି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପରାମର୍ଶ ଗ୍ରହଣ କରିଥିଲେ । ସମସ୍ତେ ମତ ଦେଇଥିଲେ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷାର ପ୍ରଚଳନ ତଥା ସମ୍ବଲପୁର ଜିଲ୍ଲାକୁ ଓଡ଼ିଶାରେ ମିଶ୍ରଣ କରିବା ପାଇଁ । ଏହି ସମୟରେ ସମ୍ବଲପୁର ଜିଲ୍ଲାରେ ଆଜିର ସମଗ୍ର ପଶ୍ଚିମ ଓଡ଼ିଶାର ଅଞ୍ଚଳ ତଥା ଛତିଶଗଡ଼ର ବିଚ୍ଛିନ୍ନାଞ୍ଚଳ ମଧ୍ୟ ରହିଛି । ପରିଶେଷରେ ଅନେକ ଘାତ ପ୍ରତିଘାତ ପରେ ୧୯୦୩ ମସିହାରେ ଇଂରେଜ ସରକାର ଆଇନ ପ୍ରଣୟନ କଲେ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ । ଶ୍ରୀଯୁକ୍ତ ଧରଣୀଧର ମିଶ୍ର ଅନେକ ଥର ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ । ୧୯୨୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଅବ୍ୟବହିତ ପୂର୍ବରୁ ଧରଣୀଧର ମିଶ୍ରଙ୍କୁ ୨୫ ଟଙ୍କା ଜରିମାନା ଦେବାକୁ ପଡ଼ିଥିଲା ଜାତୀୟ ସଙ୍ଗୀତ ଲେଖି ଅନ୍ୟଙ୍କୁ ବାଣ୍ଟିଥିବା ଅଭିଯୋଗରେ । ଲେଖକ ଭାବରେ ଧରଣୀଧର ମିଶ୍ର ଛାଡ଼ି ଯାଇଛନ୍ତି ଅନେକ ପୁରାଣଶାସ୍ତ୍ର, ରାଜ୍ୟ ଏବଂ ରାଜ୍ୟ ବାହାରର ଖବର କାଗଜ ମାନଙ୍କରେ ପ୍ରକାଶିତ ହୋଇଛି ତାଙ୍କ ଲେଖା । ସେ ଥିଲେ ପରିଚୟ ସାହସିକତା, ଦାମ୍ଭିକତା ତଥା ଉଚ୍ଚାଭିଳାସର । ସେ ନ ଥିଲେ କେବଳ ଜଣେ ସ୍ବାଧୀନତା ସଂଗ୍ରାମୀ ସେ ନେତୃତ୍ବ ନେଇଥିଲେ ସମ୍ବଲପୁରରେ ଓଡ଼ିଆ ଭାଷା ଆନ୍ଦୋଳନର ନେତୃତ୍ଵ । ଆମେ ତାଙ୍କ ନିକଟରେ ଚିରଋଣୀ ତଥା ନମସ୍ୟ କାରଣ ଆଜି ତାଙ୍କ ପ୍ରଚେଷ୍ଟା ଫଳରେ ସମ୍ବଲପୁର ଆଜି ଓଡ଼ିଶା ରାଜ୍ୟର ଏକ ଅଂଶ ହୋଇପାରିଛି । ©️Odisha Stories |
|