ଲେଖା: ସତ୍ୟଜିତ ପଣ୍ଡା
~ ହେରାପଞ୍ଚମୀ ~
ହେରାପଞ୍ଚମୀ, ହେରା ଅର୍ଥ ଦେଖିବା, ମାଆ ହେରାପଞ୍ଚମୀ ତିଥିରେ ପ୍ରଭୁଙ୍କୁ ଟିକେ ଦେଖିବେ। ଓଡ଼ିଆ ଘରର ପରମ୍ପରା, ସଂସ୍କୃତି। ସ୍ଵାମୀ ଦୁଃଖଦେଲେ ସ୍ତ୍ରୀ ଟିକେ ରାଗିଯାଇ ରାଗ ସୁଜେଇବା ପାଇଁ କଳି କରେ। ଓଡ଼ିଆ ଘରର କଥା ଏଇ ହେରାପଞ୍ଚମୀ।
ଆରେ . . ! ଏ କଣ ହେଲା? ତିନିଦିନ ହେଲା ଶ୍ରୀବତ୍ସ ଖଣ୍ଡଶାଳା ଏମିତି ଶୂନ୍ୟ!!। ପ୍ରଭୁ କହିଦେଇ ଗଲେ ସଅଳ ଆସିବେ ବୋଲି, କିନ୍ତୁ ଏ କଣ ଏତେ ବିଳମ୍ବ ହେଲା?? ଚିନ୍ତାରେ ଲକ୍ଷ୍ମୀ ସାଆନ୍ତାଣି। ଠିକ୍ ଏହି ସମୟରେ ତାଙ୍କ ପାଖରେ ପ୍ରକଟ ହେଲେ ମାଆ ବିମଳା। ଦେଖିଲେ ହସ ହସ ମୁଖଟା ମଳିନ ପଢ଼ିଛି, କାରଣ ପଚାରନ୍ତେ, ମାଆ ଉତ୍ତର ଦେଲେ- ଆମର ରୀତି ନୀତି ଅନୁସାରେ ବିବାହ ହେଲା। ତାପର ଦିନ ଗଇଁଠାଳ ଫିଟିନି, ପ୍ରଭୁ ଚାଲିଗଲେ ସ୍ନାନ କରିବାକୁ, ଏମିତି ଗାଧେଇଲେ ଯେ ଜ୍ଵର ହେଲା ପନ୍ଦର ଦିନ। ଗଲେ ଅଣସର, ସେଠୁ ଫେରି ଦେଲେ ନବଯୌବନ ଦର୍ଶନ। ଭାବିଥିଲି ଚଉଠି ହବ, କିନ୍ତୁ ଭାଇ ଭଉଣୀଙ୍କୁ ଧରି ପଳେଇଲେ ମାଆ ପାଖକୁ। ସେଠୁ ବିମଳା ବୋଲନ୍ତେ କେମିତିକା ପ୍ରଭୁ ମ ! ଘରେ ନୂଆ ବୋହୁଟା, ଏବେ ନ ଯାଇଥିଲେ ହେଇନଥାନ୍ତା। ହଉ ଗଲେ ଗଲେ ପୁଣି କାହାକୁ ନେଇକି ଗଲେ? ପ୍ରଶ୍ନ ଶୁଣି କ୍ରୋଧରେ ଲକ୍ଷ୍ମୀ ବୋଲନ୍ତି – ନା କଣ??
“#ଗେରସ୍ତ ଛାଡ଼ିକି ବାପଘରେ ଅଛି,
ସହଜେ ଚେପଟି ନାକି,
ବୁଲିଯିବା ପାଇଁ ରତ୍ନସିଂହାସନେ,
ବସିଥାଏ ଗୋଡ଼ ଟେକି”।
ବାହା ହେଇଚି ଅର୍ଜୁନଙ୍କୁ, କିନ୍ତୁ ରହୁଛି ଆମ ଘରେ। ଲଜ୍ଜା ନାହିଁ ତାକୁ। ଓଡ଼ିଆ ଘରର ବୋହୁ, ପାରିବାରିକ ସ୍ନେହ ପ୍ରେମ ପାଇଁ ସମସ୍ତଙ୍କୁ ଗାଳି ଦେଇପାରେ। ଏମିତି ଅନେକ କିଛି କହିଲେ। ବରୁଣ ରାଜାଙ୍କ କନ୍ୟା। ଟିକେ ରାଗିଗଲେ, କହିଲେ ଯିବି ଖୋଜିବାକୁ, ନା କେଉଁଠି କି??
“ଯା ମାୟା ଦେବେ ଅଗୋଚର,
କାହୁଁ ଜାଣିବ ଛର ନର”..।
ସେଠୁ ତନ୍ତ୍ରମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ବିମଳା କହିଲେ, ଗଲାବେଳେ ମୋ’ଠୁ ନେଇଯିବୁ ମୋହଚୂର୍ଣ୍ଣ, ପକେଇଦବୁ ତାଙ୍କ ଉପରେ, ସେ ମନକୁ ଫେରି ଆସିବେ। ହୋଇଗଲା ରାତି, ମାଆ ବାହାରିଲେ ଖୋଜିବାକୁ, କାହାକୁ ନା ଯାହାକୁ-
“ବ୍ରହ୍ମା ଡ଼ାକୁଥାନ୍ତି ପ୍ରଭୁ ମଣିମା ମଣିମା,
ଇନ୍ଦ୍ର ଡାକୁଥାନ୍ତି ପ୍ରଭୁ ଗୁହାରୀ ଶୁଣିମା”।
ତାଙ୍କୁ !
ସେପଟେ ଚାଲିଛି ଆଡ଼ପ ମଣ୍ଡପରେ ଦର୍ଶନ। କି ସୁନ୍ଦର ରୂପ ପ୍ରଭୁଙ୍କର, ଅଧରରେ ସୁନ୍ଦର ମାଳ ପଡ଼ିଛି। ପୂଜାପଣ୍ଡା ସନ୍ଧ୍ୟାଧୂପ ସାରିଦେଲେ। ଅଗଣିତ ଭକ୍ତ ଦର୍ଶନ କରୁଛନ୍ତି।କାହିଁକି ନା କଥାରେ ଅଛି, ରତ୍ନମଣ୍ଡପରେ ଦଶବର୍ଷର ଦର୍ଶନ ଆଡ଼ପ ମଣ୍ଡପରେ ଏକ ଦିନର ଦର୍ଶନ ସହ ସମାନ। ରାଣୀ ଗୁଣ୍ଡିଚା ଆଜି ଖୁସି। ଦୁନିଆରେ ଆଜ୍ଞା ସବୁପ୍ରକାର ମୋହ ଛାଡ଼ି ହେବ, କିନ୍ତୁ ମାଆର ମୋହ କେବେବି ନୁହେଁ। କାହିଁକି ନା ମାଆ ଶବ୍ଦର ଆକର୍ଷଣ ହିଁ ସେମିତି। ବିଭିନ୍ନ ସୁସ୍ୱାଦୁ ଖାଦ୍ୟ। ପ୍ରଭୁ ଦେଖେଇଲେ ଆଜି ମାଆ ପାଇଁ ସେ ବଡ଼ଦାଣ୍ଡକୁ ବି ଓହ୍ଲେଇ ପଡନ୍ତି। ଏ ହେଉଛି ଓଡ଼ିଆଙ୍କ ସାମାଜିକ ପରମ୍ପରା, ଚଳନି।
ଭକ୍ତ ସେଠି ଡାକୁଛି – “ହେ କୋଟି ଓଡ଼ିଆର ମାଉଡମଣି, କୋଟି କୈବଲ୍ୟନାଥ, ସବୁ ଅକାରଣ, ଅଘଟଣ, ଘଟଣାର କାରଣ, ଏ ଜାତିକୁ ରକ୍ଷା କରହେ ମଣିମା . .। ତମପାଇଁ ଏ ଜାତି ସବୁକିଛି ସମର୍ପି ଦେଇଛି, ତମପାଦ ତଳେ।ସବୁ ଯଶ କୀର୍ତ୍ତି, ମାନ, ଅଭିମାନ, ଲାଭ, କ୍ଷତିକୁ ତମର ଭାବି ହାତ ଟେକିଦେଇଛି ତମ ଆଗରେ ହେ ମଣିମା। ରକ୍ଷା କର । ଠିକ୍ ଏତିକି ବେଳେ ଉପସ୍ଥିତ ହେଲେ ଜଗତ ଜନନୀ ମାଆ, ନନ୍ଦିଘୋଷ ନିକଟରେ। ଜାଣିପାରିଲେ ପ୍ରଭୁ, କେମିତିବା ଜାଣିବେନି, ସେଥିପାଇଁ ଭାଗବତ କହିଲେ –
“#ବ୍ରହ୍ମାଣ୍ଡ ମାଳ ମାଳ ହୋଇ,
ଯା ଲୋମେ କୋପେ ବିରାଜଇ”।।
ତ୍ରିଭୁବନର ମାଲିକ ସେ, ଯାହାଙ୍କ ବିନା ଇଙ୍ଗିତରେ ଗଛରୁ ପତ୍ରଟିଏବି ହଲେନି, ସେ ପ୍ରଭୁ ଜାଣିପାରିଲେ ମାଆ ଆସିଛନ୍ତି। ସେପଟେ ପ୍ରଭୁଙ୍କୁ ନ ପାଇ ମାଆ ନନ୍ଦିଘୋଷ କୁ ପଚାରିଲେ ପ୍ରଭୁ କାହାନ୍ତି?? ସେ କିଛି ନକହିବାରୁ, ମାଆ ରାଗିଯାଇ ରଥର କାଠ ଖଣ୍ଡେ ଭାଙ୍ଗିଦେଲେ। ହାତଯୋଡି କହିଲେ ନନ୍ଦିଘୋଷ, ପ୍ରଭୁଙ୍କୁ ସବୁବେଳେ ନଉଛି, ଇଚ୍ଛା ଥିଲା କେବେ ମାଆଙ୍କ ଆଶୀର୍ବାଦ ପାଇବି??? କ୍ରୋଧରେ ହେଉ ପଛେ, ଆଜି ମୁଁ ସଂପୂର୍ଣ୍ଣ ହେଇଗଲି। ମାଆ ଆହୁରି ରାଗିଯାଇ ଦୌଡ଼ିଗଲେ ଗୁଣ୍ଡିଚା ମନ୍ଦିରକୁ। ଯାଇ ଦେଖନ୍ତେ ଭାଇ ଭଉଣୀ ତିନି ଜଣ ମିଶି ସୁସ୍ୱାଦୁ ଖାଦ୍ୟ ଖାଇ ମହାନନ୍ଦରେ ଦର୍ଶନ ଦେଉଛନ୍ତି। ଓଡ଼ିଆ ଘରର ପରମ୍ପରା, ଦେଢ଼ସୁର ଥିବାରୁ, ଟିକେ କଣରେ ଲୁଚିଗଲେ, ମାଆ। ଦେଖିଦେଲେ ପ୍ରଭୁ ଜଗନ୍ନାଥ। ଭୟରେ ଥରିବାକୁ ଲାଗିଲେ। ମାଆ ସେଠୁ ବୋଲାନ୍ତେ ନିଜ ଅନୁଚରମାନଙ୍କୁ, ନା କଣ…..
“#ସଖିଲୋ, ଡରରେ ଥରୁଛି କାଳିଆ ଦିଅଁଟା,
ଦେଖିଦେଲେ ମୋର ଆଖି ଲୋ”।
ସୁନ୍ଦର ପରିକଳ୍ପନା, ଓଡ଼ିଆ କବିଙ୍କ ବର୍ଣ୍ଣନା। କଣ ପାଇଁ?? ଅରୁଣ, ବରୁଣ ଶରଣ ପଶନ୍ତି ଚରଣ ଧରନ୍ତି ଯାହାର, ସେ ପୁଣି ଡରୁଛନ୍ତି। ସେଠୁ ପ୍ରଭୁ ଭାଇଭଉଣୀ ମାନଙ୍କୁ କହିଲେ ଚାଲ ପଳେଇବା। ପରେ ପରେ ମାଆଙ୍କୁ ଶାନ୍ତ କରିବାକୁ ନିଜର ଅଧର ଚୁମ୍ଵିତ ମାଳା ପ୍ରଦାନ କରନ୍ତେ, ଲକ୍ଷ୍ମୀ ସେ ମାଳାକୁ ଧରି ଟିକେ ଲୁଚିଯାଇ, ମାଆ ବିମଳାଙ୍କ ଠାରୁ ଆଣିଥିବା ମୋହଚୁର୍ଣ୍ଣକୁ ପ୍ରଭୁଙ୍କ ଉପରକୁ ପକେଇଲେ। ପ୍ରଭୁ ମୋହଗ୍ରସ୍ତ ହେଇକି ଯିବା ପାଇଁ ରଥ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ।
ମାଆ ସେଠୁ ନାକଚଣା ଦ୍ଵାରଦେଇ, ହେରା ଗୋହିରୀ ସାହି ଦେଇ ରାଜାଙ୍କ ଉଆସରେ ପ୍ରକଟ ହେଲେ। ରାଜା ମାଆଙ୍କ ଅଚାନକ ଉପସ୍ଥିତି ଜାଣି ତାଙ୍କୁ ବନ୍ଦାପନା କଲେ। ମାଆ ଆହୁରି ରାଗିଯାଇ କହିଲେ -“ନିଜକୁ ନବାକୋଟି କର୍ଣ୍ଣାଟ କଳବର୍ଗେଶ୍ଵର, କୋଟିଓଡ଼ିଆର ମଉଡମଣି, ଚଳନ୍ତି ପ୍ରତିମା, ଦେବତା ବୋଲାଉଛ ନା??? ଯା ଯା ଦେଖିବ, ଯାହାଙ୍କ ସହ ମଧ୍ୟସ୍ଥତା କରିକି ବାହାଘର କରିଥିଲ, ସେ ମତେ ଏକା ଶ୍ରୀମନ୍ଦିରରେ ଛାଡ଼ିଦେଇ, ସେଠି କଣ କରୁଛନ୍ତି?? ରାଜା ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି, ଲକ୍ଷ୍ମୀ କହିଲେ, ନା କଣ???
“#ଦୁଇଟା ଭାରିଯା ମନକୁ ଗଲେନି,
ଆର ଭାରିଯାକୁ ଖୋଜୁଛି,
ସେଇଥିପାଇଁ କି ରତ୍ନ ସିଂହାସନେ,
ଜଗା ରାଧାଭାରିଜାକୁ ଖୋଜୁଛି”!
ପୁଣି ଆଶ୍ଚର୍ଯ୍ୟ ରାଜା। ମାଆ ପୁଣି କହିଲେ, ଯଦି ଏ ରାଜ୍ୟର ରାଜା ତାହେଲେ ଶୀଘ୍ର ଏ ବିଷୟର ମୀମାଂସା କର, ନହେଲେ ମୁଁ ରାଜ୍ୟ ତ୍ୟାଗ କରିବି। ଚିନ୍ତାରେ ଗଜପତି, କଣ କରିବେ ମାଆ ରାଜ୍ୟ ତ୍ୟାଗ କଲେ ଉତ୍କଳ ଶ୍ରୀହିନ ହେଇଯିବ। କଣ କରିବେ??
ମାଆ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କଲେ।
ହେରାପଞ୍ଚମୀ କଥାବସ୍ତୁ ଏତିକି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago