ଦେଵ ତ୍ରିପାଠୀ
“ବିଶ୍ୱପତି ନିଃସ୍ୱ ପ୍ରତି ସଦା ସଦୟ,
ବାଳ ଦେହେ କର ସ୍ନେହେ ଶକ୍ତି ଉଦୟ,
ଦିଅ ନାଥ କୋଟି ମନ ଗୋଟିଏ କରି,
ରେଣୁ ରେଣୁ ମିଶି ହେଉ ତୁଙ୍ଗ ଶିଖରୀ” II
ସ୍ୱଭାବକବି ଗଙ୍ଗାଧର ମେହେର !
ବିଶ୍ୱଭ୍ରାତୃପ୍ରେମର ଜୁଆର ତୋଳୁଥିବା ସେଇ ମହାନ କବିଙ୍କ କବିତାରେ ଛନ୍ଦର ଲାଳିତ୍ୟ, ମଧୁର ପଙ୍କ୍ତି, ପ୍ରକୃତିର ନୈସର୍ଗିକ ଶୋଭାବର୍ଣ୍ଣନା ଓ ଧ୍ୱନିରେ ସଙ୍ଗୀତର ସୁର ତାଙ୍କୁ ସ୍ୱଭାବକବିର ମାନ୍ୟତା ପ୍ରଦାନ କରିଆସିଛି I
କେତେବେଳେ ସେ ଲେଖିଛନ୍ତି ପ୍ରଣୟର ବଲ୍ଲରୀ, ପୁଣି କେବେ ସରଳ ଗ୍ରାମ୍ୟ ଚିତ୍ରର ଲୋଟଣି ତାଙ୍କ କବିତାର କଲ୍ଲୋଳ I କେବେ ରାଧାନାଥ ଯୁଗୀୟ ପ୍ରକୃତି ବର୍ଣ୍ଣନା ତ କେବେ ପୁଣି ଭଗବତ ଭାବନାର ସମନ୍ୱୟ, କେବେ ପୁଣି ପୁରାତନ ଯୁଗୀୟ ଛନ୍ଦରେ ଛନ୍ଦମୟ, କେବେ ବିଶ୍ୱଭ୍ରାତୃପ୍ରେମର ଧାରା ତାଙ୍କ କବିତାର ଆଦର୍ଶ I
ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣ୍ଣନା କରିବାରେ ସେ ଥିଲେ ସିଦ୍ଧହସ୍ତ, ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନ ଥିଲେ, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଥିଲେ । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଭରିଦେଇଥିଲେ ଗାନଯୋଗ୍ୟତା ।
ଓଡ଼ିଆ କବିତା ପରମ୍ପରାରେ “ଉତ୍କଳଲକ୍ଷ୍ମୀ” ଠାରୁ “କୀଚକ ବଧ”, “ତପସ୍ଵିନୀ” ଠାରୁ “ପ୍ରଣୟବଲ୍ଲରୀ” କେତେ ଯେ ଗଙ୍ଗାଧରୀୟ “ମହିମା” ପ୍ରକଟିତ ହୋଇଛି ତା’ର କଳନା ନାହିଁ I
ପ୍ରଚଣ୍ଡ ପ୍ରତିଭାବାନ ଓଡ଼ିଆ କବିତା ଜଗତର ପ୍ରାତଃସ୍ମରଣୀୟ ଯଶସ୍ୱୀ ସ୍ୱଭାବକବି ଗଙ୍ଗାଧର ମେହେର I ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମିତ ଗଙ୍ଗାଧରଙ୍କୁ କବିତାରେ ମାନବବାଦର ସମନ୍ୱୟ ପାଇଁ ବିଦେଶୀ ଗଣମାଧ୍ୟମ ଓ ଆନ୍ତର୍ଜାତୀୟ ମାନବବାଦୀ ସଙ୍ଗଠନ ବାସ୍ତବ “ବିଶ୍ୱକବି”ର ଆଖ୍ୟା ଦେଇଛନ୍ତି I
ହୃଦୟ-ଆହ୍ଲାଦକାରୀ ତାଙ୍କର କାବ୍ୟକଳା ଏବଂ କ୍ଷୁଦ୍ରକବିତାରେ ଯୁକ୍ତିନିଷ୍ଠ ଚେତନାର ପ୍ରୟୋଗ କୋଟି କୋଟି ପାଠକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି I ସେ ଥିଲେ ଜଗତଜୀବନର ସଫଳ ରୂପକାର, ବିନ୍ଦୁରେ ସିନ୍ଧୁକୁ, ଅନ୍ଧକାର ମଧ୍ୟରେ ଆଲୋକକୁ, ଅମଙ୍ଗଳ ଭିତରେ ମଙ୍ଗଳର ଶୁଭଧ୍ୱନି ଶୁଣିବା ତାଙ୍କ ମୌଳିକତା ତଥା ବ୍ୟକ୍ତିତ୍ୱର ପରିଚୟ I
ରାମ-ସୀତା, ଦୁଷ୍ମନ୍ତ-ଶକୁନ୍ତଳା, ଅଜ-ଇନ୍ଦୁମତୀ, ଅହଲ୍ୟା, ରାଜପୁତ ରମଣୀ ମହାସତୀ ପଦ୍ମିନୀ ଆଦି କାବ୍ୟଚରିତ୍ରମାନଙ୍କୁ ଜାତିପ୍ରେମୀ ଗଙ୍ଗାଧର ଭାରତୀୟ ସଂସ୍କୃତି ଓ ତା’ର ପରମ୍ପରାର ରତ୍ନାକରଗର୍ଭରୁ ମହାର୍ଘ ମଣିମୁକ୍ତାରୂପେ ଆହରଣ କରି ସେ ଚରିତ୍ରମାନଙ୍କୁ ବିଶ୍ୱମାନବର କଲ୍ୟାଣତମ ରୂପ ପ୍ରଦାନ କରିବାରେ ସିଦ୍ଧହସ୍ତ ଥିଲେ ସ୍ୱଭାବକବି ଗଙ୍ଗାଧର ମେହେର I ସେ ଥିଲେ ଓଡ଼ିଆ ସାହିତ୍ୟଜଗତର Wordsworth I
ତାଙ୍କ ପ୍ରଶଂସାରେ ଶତମୁଖ ହୋଇ ଡଃ ମାୟାଧର ମାନସିଂହ ଲେଖିଥିଲେ “Nothing in the whole of Odia literature can surpass the beauty, charm and grandeur of Sita as she comes to life in Meher’s famous Kabya TAPASWEENI”.
“ପବିତ୍ର ସୁନ୍ଦର କାବ୍ୟଲେଖି ପ୍ରିୟ କବି,
ସମ୍ମୁଜ୍ୱଳ କର ମାତୃଭୂମି ମୁଖ ଛବି”
ଯଥାର୍ଥତଃ ସତ୍ୟ-ଶିବ-ସୁନ୍ଦର-ସାଧକ ନିସର୍ଗ କବି ଗଙ୍ଗାଧର ନିଜ ପ୍ରିୟ କବିବନ୍ଧୁ ପଲ୍ଲୀକବି ନନ୍ଦକିଶୋରଙ୍କ ଉଲ୍ଲିଖିତ ଶୁଭେଛାକୁ ଜୀବନବ୍ୟାପୀ ସାରସ୍ୱତ ସାଧନା ବଳରେ ଚରିତାର୍ଥ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଜାତିର ଚିରନମସ୍ୟ ହୋଇପାରିଛନ୍ତି I
ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ଧରାବତରଣ ଏବଂ ଚୈତ୍ର ଅମାବାସ୍ୟାରେ ମହାପ୍ରୟାଣ ଲଭିଥିଲେ ସେଇ ମହାନ ସାରସ୍ବତ ସାଧକ ତଥା ଶବ୍ଦର ସୌଦାଗର I
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago