ମହାମନିଷୀଗଣ

ଓଡିଶା ସଙ୍ଗୀତ ଜଗତର ରାଣୀ ଡଃ ଶ୍ୟାମାମଣି ଦେଵୀ (Dr. Shyamamani Devi)

ଲେଖା: ସୁଚେତା ପ୍ରଧାନ ଓ ଦେଵ ତ୍ରିପାଠୀ
ପିଲାଟି ଦିନରୁ ସେ ଥିଲେ ସଙ୍ଗୀତ ପ୍ରତି ସମର୍ପିତ, ହେଲେ ରକ୍ଷଣଶୀଳ ସମାଜ କରିଥିଲା ତାଙ୍କର ପଥରୋଧ । ସେ କିନ୍ତୁ ଥିଲେ ଦୃଢନିଶ୍ଚିତ, ସଙ୍ଗୀତ ଥିଲା ତାଙ୍କ ଜୀବନ, ସେ ପଛକୁ ହଟିଥାନ୍ତେ ବା କେମିତି ! ପ୍ରବଳ ଆଗ୍ରହ ଓ ସଙ୍ଗୀତ ପ୍ରତି ନିଷ୍ଠା ସହିତ ଆଶୀର୍ବାଦ ହେଲା ପିତା ଏବଂ କକାଙ୍କ ସୁସମୟ ପ୍ରେରଣା । ଆଉ ଜୀବନରେ ପଛକୁ ଫେରି ନ ଥିବା ସେଇ ଛୋଟ ଝିଅଟି ଦିନେ ବନିଗଲା କେତେ କେତେ କଣ୍ଠଶିଳ୍ପୀଙ୍କ ପ୍ରେରଣା । ସେ ବନିଗଲା ଓଡିଶୀ ସଙ୍ଗୀତ, ପଲ୍ଲୀସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତଜଗତର ଏକ ଶ୍ରଦ୍ଧାଶୀଳ ନାମ । ସେ ଡଃ ଶ୍ୟାମାମଣି ଦେବୀ ।
ଶ୍ୟାମାମଣି ଦେବୀ ୧୯୩୮ ମସିହା ଡିସେମ୍ବର ମାସ ୨୧ ତାରିଖ ଦିନ କଟକ ଜିଲ୍ଲା ସ୍ଥିତ ବାଙ୍କୀ ସବଡିଭିଜନ ଅନ୍ତର୍ଗତ ଅଂଶୁପା ହ୍ରଦ କୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସୁବର୍ଣ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ୟାମାମଣି ଦେବୀ ଓଡ଼ିଶୀ ସଙ୍ଗୀତର ଦୁଇଜଣ ଦିଗ୍ଗଜ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଓ ଗୁରୁ କୁଣ୍ଡଳ ଆଦିନାରାୟଣ ରାଓଙ୍କଠାରୁ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ତେଣୁ ତାଙ୍କ ଗାୟନ ଶୈଳୀରେ ଥିଲା ସେସମସ୍ତଙ୍କ ଛାପ ଏବଂ ତାଙ୍କ ସ୍ୱର ହୋଇପାରିଥିଲା ବିଶେଷ ଆଦୃତ ।
ଏତଦବ୍ୟତୀତ ପୁନେର ଗାନ୍ଧର୍ବ ମହାବିଦ୍ୟାଳୟର ଗୁରୁ ବି.ଭି.ନବରଙ୍ଗଙ୍କ ତତ୍ତ୍ବାବଧାନରେ ଶ୍ୟାମାମଣିଙ୍କ ସଙ୍ଗୀତ ଜୀବନ ପ୍ରସ୍ଫୁଟିତ ହୋଇଥିଲା। ପୁନେରୁ ସଙ୍ଗୀତରେ ମାଷ୍ଟର୍ସ ଡିଗ୍ରୀ (ସଂଗୀତ ଅଳଙ୍କାର) ହାସଲ କରିଥିଲେ ଶ୍ୟାମାମଣି ।
ମାତ୍ର ୧୨ ବର୍ଷ ବୟସରେ ଆକାଶବାଣୀ କଟକରେ ୧୯୫୦ ମସିହାରେ ସ୍ଥାନ ପାଇ ଶିଶୁ କଣ୍ଠଶିଳ୍ପୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।
ସେତେବେଳେ କଟକରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଓଡିଶୀ କଣ୍ଠ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇ ଶ୍ୟାମାମଣି ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସେ ଗାଇଥିଲେ “କାନନର ବିତାନରେ **** ଏ କି ଗାନ ଶୁଭୁଛି ମା”।
ଶ୍ୟାମାମଣି ଅନେକ ଥର ତାଙ୍କ ଅଜାଙ୍କ  ସହିତ ଯାଇ ଠାକୁର ରାଜାଙ୍କ ସମ୍ମୁଖରେ ମଧ୍ୟ ସଙ୍ଗୀତ ଗାନ କରିଥିଲେ। ସେ ଗୀତର ମୁର୍ଚ୍ଛନାରେ ମୁଗ୍ଧ ହୋଇ ଛାମୁ ଶ୍ୟାମାମଣିଙ୍କୁ କିଛି ଦେବାକୁ ଚାହୁଁଥିଲେ। ତାଙ୍କର ଇଚ୍ଛା କଣ ପଚାରିଥିଲେ। ଶ୍ୟାମାମଣି ଜଗନ୍ନାଥଙ୍କ ସମ୍ମୁଖରେ ଗୀତ ଗାଇବାର ଇଚ୍ଛା ନିବେଦନ କରିଥିଲେ। ସେ ଇଚ୍ଛା ପୂରଣ ହୋଇଥିଲା। ପରଦିନ ଯାଇ ଶ୍ୟାମାମଣି ବଡଠାକୁରଙ୍କ ସିଂହାସନକୁ ଜାବୁଡି ଧରି ଭାବବିହ୍ବଳ କଣ୍ଠରେ ଗାଇଥିଲେ “ନୀଳମାଧବ ତୁମେ ପରା ଜଗତ ନାଥ . . “। ସତେ ଯେମିତି ମହାବାହୁଙ୍କ ଶୁଭାଶିଷ ତାଙ୍କ ମଥା ଉପରେ ଝରି ପଡିଥିଲା।
ସମୟକ୍ରମେ ସଙ୍ଗୀତ ଦୁନିଆରେ ସୋପାନ ପରେ ସୋପାନ ଅତିକ୍ରମ କରି ଶ୍ୟାମାମଣି ଦେଵୀ ନିଜ ପାଇଁ ଓଡ଼ିଶାର ସଙ୍ଗୀତପ୍ରେମୀଙ୍କ ହୃଦୟରେ ହାସଲ କରିପାରିଥିଲେ ସ୍ବତନ୍ତ୍ର ସ୍ଥାନ ।
ଛାନ୍ଦ, ଚମ୍ପୁ, ସୁଗମସଙ୍ଗୀତ, ଲଘୁସଙ୍ଗୀତ, ହିନ୍ଦୀ ଭଜନ, ଗଜଲ ଓ ରବୀନ୍ଦ୍ର ସଙ୍ଗୀତ ଗାଇବାରେ ଶ୍ୟାମାମଣି ନିପୁଣ ଥିଲେ ମଧ୍ୟ ଓଡିଶୀ ପ୍ରତି ତାଙ୍କର ଅସୀମ ଶ୍ରଦ୍ଧା ଥିଲା। ଓଡିଶୀର ସୁସଜ୍ଜିତ ରୂପ, କୋମଳତା ଓ ଲାଳିତ୍ୟ ଅନ୍ୟ କୌଣସି ସଙ୍ଗୀତରେ ସେ ଅନୁଭବ କରି ନଥିଲେ। ଓଡିଶୀ ପ୍ରତି ସମର୍ପିତା ଶ୍ୟାମାମଣି ଦେବୀ ଓଡିଶୀ ସଙ୍ଗୀତର ବିଧିବଦ୍ଧ ସଂରଚନା ପାଇଁ ପଦକ୍ଷେପ ନେଇଥିଲେ। ତାଳ, ଲୟ, ରାଗ, ବ୍ୟାକରଣର ପରିସୀମା ମଧ୍ୟରେ ଓଡିଶୀ ସଙ୍ଗୀତକୁ ସଜାଇ ଛାତ୍ର ଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ସେ କାର୍ଯ୍ୟାରମ୍ଭ  କରିଥିଲେ। ଆରମ୍ଭ ହୋଇଥିଲା ଓଡିଶୀ ସିଲାବସ୍ ତିଆରି କାର୍ଯ୍ୟକ୍ରମ। ଓଡିଶୀ ସଙ୍ଗୀତ ନାଟକ ଏକାଡେମୀ, ଓଡିଶୀ ରିସର୍ଚ୍ଚ ସେଣ୍ଟର ଆନୁକୁଲ୍ୟରେ ଅନେକ ପ୍ରମୁଖ ଗୁରୁ ଓ ମାର୍ଗଦର୍ଶକମାନଙ୍କ ମିଳିତ ଉଦ୍ୟମରେ ଶେଷରେ ଓଡିଶୀ ପାଠ୍ୟ ଖସଡା ସମ୍ପୂର୍ଣ୍ଣ  ହୋଇଥିଲା।
ପୂର୍ବାଞ୍ଚଳ ସାଂସ୍କୃତିକ ବିଭାଗର  ଜଣେ ସକ୍ରିୟ ସଦସ୍ୟ ଭାବରେ ଲୋକଗୀତ ଗୁଡିକର ସଂରକ୍ଷଣ ନିମନ୍ତେ ଅନେକ କାର୍ଯ୍ୟ କରିଛନ୍ତି୍ ଶ୍ୟାମାମଣି। ସାଧନାର ସିଦ୍ଧି ସ୍ବରୂପ ଜୀବନରେ ୧୩୩ ଥର ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତା ସେହି ପ୍ରଚଣ୍ଡ ପ୍ରତିଭାଶାଳୀ କଣ୍ଠଶିଳ୍ପୀ ତଥା ସଙ୍ଗୀତସାଧକଙ୍କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରଦାନ କରିଛି ସମ୍ମାନସୂଚକ ଡକ୍ଟେରଟ ଉପାଧି । ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ମାନେ ମଧ୍ୟ ତାଙ୍କୁ ସମ୍ମାନ୍ନିତ କରି ହୋଇପାରିଛନ୍ତି ଗୌରବମଣ୍ଡିତ। ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଗୁରୁ ସହଦେବ ପାଢ଼ୀ ମେମୋରିଆଲ ସମ୍ମାନ, ଓଡ଼ିଶା ସଂଗୀତ ନାଟକ ଏକୋଡମୀ ଆୱାର୍ଡ଼, ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ ତରଫରୁ ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ଼, କଟକ ନୃତ୍ୟୋତ୍ସବ ତରଫରୁ ଲାଇଫଟାଇମ ଏଚିଭମେଣ୍ଟ ଆୱାର୍ଡ଼ ଇତ୍ୟାଦି ସମ୍ମାନରେ ଭୂଷିତ ଓଡିଶା ସଙ୍ଗୀତଜଗତର ଯଥାର୍ଥ ମଣି, ତଥା ରାଣୀ ଅଟନ୍ତି ଡଃ ଶ୍ୟାମାମଣି ଦେବୀ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago