ଦେଵ ତ୍ରିପାଠୀ
“ବିଶ୍ୱପତି ନିଃସ୍ୱ ପ୍ରତି ସଦା ସଦୟ,
ବାଳ ଦେହେ କର ସ୍ନେହେ ଶକ୍ତି ଉଦୟ,
ଦିଅ ନାଥ କୋଟି ମନ ଗୋଟିଏ କରି,
ରେଣୁ ରେଣୁ ମିଶି ହେଉ ତୁଙ୍ଗ ଶିଖରୀ” II
ସ୍ୱଭାବକବି ଗଙ୍ଗାଧର ମେହେର !
ବିଶ୍ୱଭ୍ରାତୃପ୍ରେମର ଜୁଆର ତୋଳୁଥିବା ସେଇ ମହାନ କବିଙ୍କ କବିତାରେ ଛନ୍ଦର ଲାଳିତ୍ୟ, ମଧୁର ପଙ୍କ୍ତି, ପ୍ରକୃତିର ନୈସର୍ଗିକ ଶୋଭାବର୍ଣ୍ଣନା ଓ ଧ୍ୱନିରେ ସଙ୍ଗୀତର ସୁର ତାଙ୍କୁ ସ୍ୱଭାବକବିର ମାନ୍ୟତା ପ୍ରଦାନ କରିଆସିଛି I
କେତେବେଳେ ସେ ଲେଖିଛନ୍ତି ପ୍ରଣୟର ବଲ୍ଲରୀ, ପୁଣି କେବେ ସରଳ ଗ୍ରାମ୍ୟ ଚିତ୍ରର ଲୋଟଣି ତାଙ୍କ କବିତାର କଲ୍ଲୋଳ I କେବେ ରାଧାନାଥ ଯୁଗୀୟ ପ୍ରକୃତି ବର୍ଣ୍ଣନା ତ କେବେ ପୁଣି ଭଗବତ ଭାବନାର ସମନ୍ୱୟ, କେବେ ପୁଣି ପୁରାତନ ଯୁଗୀୟ ଛନ୍ଦରେ ଛନ୍ଦମୟ, କେବେ ବିଶ୍ୱଭ୍ରାତୃପ୍ରେମର ଧାରା ତାଙ୍କ କବିତାର ଆଦର୍ଶ I
ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣ୍ଣନା କରିବାରେ ସେ ଥିଲେ ସିଦ୍ଧହସ୍ତ, ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନ ଥିଲେ, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଥିଲେ । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଭରିଦେଇଥିଲେ ଗାନଯୋଗ୍ୟତା ।
ଓଡ଼ିଆ କବିତା ପରମ୍ପରାରେ “ଉତ୍କଳଲକ୍ଷ୍ମୀ” ଠାରୁ “କୀଚକ ବଧ”, “ତପସ୍ଵିନୀ” ଠାରୁ “ପ୍ରଣୟବଲ୍ଲରୀ” କେତେ ଯେ ଗଙ୍ଗାଧରୀୟ “ମହିମା” ପ୍ରକଟିତ ହୋଇଛି ତା’ର କଳନା ନାହିଁ I
ପ୍ରଚଣ୍ଡ ପ୍ରତିଭାବାନ ଓଡ଼ିଆ କବିତା ଜଗତର ପ୍ରାତଃସ୍ମରଣୀୟ ଯଶସ୍ୱୀ ସ୍ୱଭାବକବି ଗଙ୍ଗାଧର ମେହେର I ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମିତ ଗଙ୍ଗାଧରଙ୍କୁ କବିତାରେ ମାନବବାଦର ସମନ୍ୱୟ ପାଇଁ ବିଦେଶୀ ଗଣମାଧ୍ୟମ ଓ ଆନ୍ତର୍ଜାତୀୟ ମାନବବାଦୀ ସଙ୍ଗଠନ ବାସ୍ତବ “ବିଶ୍ୱକବି”ର ଆଖ୍ୟା ଦେଇଛନ୍ତି I
ହୃଦୟ-ଆହ୍ଲାଦକାରୀ ତାଙ୍କର କାବ୍ୟକଳା ଏବଂ କ୍ଷୁଦ୍ରକବିତାରେ ଯୁକ୍ତିନିଷ୍ଠ ଚେତନାର ପ୍ରୟୋଗ କୋଟି କୋଟି ପାଠକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି I ସେ ଥିଲେ ଜଗତଜୀବନର ସଫଳ ରୂପକାର, ବିନ୍ଦୁରେ ସିନ୍ଧୁକୁ, ଅନ୍ଧକାର ମଧ୍ୟରେ ଆଲୋକକୁ, ଅମଙ୍ଗଳ ଭିତରେ ମଙ୍ଗଳର ଶୁଭଧ୍ୱନି ଶୁଣିବା ତାଙ୍କ ମୌଳିକତା ତଥା ବ୍ୟକ୍ତିତ୍ୱର ପରିଚୟ I
ରାମ-ସୀତା, ଦୁଷ୍ମନ୍ତ-ଶକୁନ୍ତଳା, ଅଜ-ଇନ୍ଦୁମତୀ, ଅହଲ୍ୟା, ରାଜପୁତ ରମଣୀ ମହାସତୀ ପଦ୍ମିନୀ ଆଦି କାବ୍ୟଚରିତ୍ରମାନଙ୍କୁ ଜାତିପ୍ରେମୀ ଗଙ୍ଗାଧର ଭାରତୀୟ ସଂସ୍କୃତି ଓ ତା’ର ପରମ୍ପରାର ରତ୍ନାକରଗର୍ଭରୁ ମହାର୍ଘ ମଣିମୁକ୍ତାରୂପେ ଆହରଣ କରି ସେ ଚରିତ୍ରମାନଙ୍କୁ ବିଶ୍ୱମାନବର କଲ୍ୟାଣତମ ରୂପ ପ୍ରଦାନ କରିବାରେ ସିଦ୍ଧହସ୍ତ ଥିଲେ ସ୍ୱଭାବକବି ଗଙ୍ଗାଧର ମେହେର I ସେ ଥିଲେ ଓଡ଼ିଆ ସାହିତ୍ୟଜଗତର Wordsworth I
ତାଙ୍କ ପ୍ରଶଂସାରେ ଶତମୁଖ ହୋଇ ଡଃ ମାୟାଧର ମାନସିଂହ ଲେଖିଥିଲେ “Nothing in the whole of Odia literature can surpass the beauty, charm and grandeur of Sita as she comes to life in Meher’s famous Kabya TAPASWEENI”.
“ପବିତ୍ର ସୁନ୍ଦର କାବ୍ୟଲେଖି ପ୍ରିୟ କବି,
ସମ୍ମୁଜ୍ୱଳ କର ମାତୃଭୂମି ମୁଖ ଛବି”
ଯଥାର୍ଥତଃ ସତ୍ୟ-ଶିବ-ସୁନ୍ଦର-ସାଧକ ନିସର୍ଗ କବି ଗଙ୍ଗାଧର ନିଜ ପ୍ରିୟ କବିବନ୍ଧୁ ପଲ୍ଲୀକବି ନନ୍ଦକିଶୋରଙ୍କ ଉଲ୍ଲିଖିତ ଶୁଭେଛାକୁ ଜୀବନବ୍ୟାପୀ ସାରସ୍ୱତ ସାଧନା ବଳରେ ଚରିତାର୍ଥ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଜାତିର ଚିରନମସ୍ୟ ହୋଇପାରିଛନ୍ତି I
ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ଧରାବତରଣ ଏବଂ ଚୈତ୍ର ଅମାବାସ୍ୟାରେ ମହାପ୍ରୟାଣ ଲଭିଥିଲେ ସେଇ ମହାନ ସାରସ୍ବତ ସାଧକ ତଥା ଶବ୍ଦର ସୌଦାଗର I
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago