ଲେଖା: ଦେଵ ତ୍ରିପାଠୀ

ସମ୍ବଲପୁର ଠାରୁ ପ୍ରାୟ ୪୦କି.ମି. ଦୂର ଏଲଏଣ୍ଡଟି ରୋଡ଼ ପାର୍ଶ୍ଵରେ ବୃକ୍ଷରାଜି ପରିବେଷ୍ଟିତ ଛୋଟ ଗାଁ ଖିଣ୍ଡା । ସମୟର ସ୍ତିମିତ ଗୋଧୂଳିରେ ପାଣ୍ଡୁର ଦୃଶ୍ୟପଟ ପରି ଗାଁ ଖିଣ୍ଡା । ସହରୀ କୋଳାହଳର ନିରାପଦ ଦୂରତାରେ ସଭ୍ୟତାର ଆଲୋକକୁ ପଛ କରି କାହିଁ କେଉଁ କାଳୁ ଆକାଶମୁହାଁ ହୋଇ ଠିଆ ହୋଇଛି ଏଇ ଗାଁ । ଉଦ୍ଧତ ବିଦେଶୀ ଶାସକଙ୍କ କ୍ରମାଗତ ଆକ୍ରମଣ ଏବଂ ଦେଶୀ ସରକାରଙ୍କ ନିର୍ଲଜ ଅବହେଳା ସତ୍ତ୍ଵେ ସେ ମଥାନତ କରିନାହିଁ । ଚାହିଁ ନାହିଁ ତଳକୁ, ତା’ର ସୁପୁତ୍ର ସୁରନ୍ଦରର ସ୍ବାଭିମାନ ଲାଂଚ୍ଛିତ ହେବା ଆଶଙ୍କାରେ । ଐତିହାସିକ ସ୍ବୀକୃତି ଓ ମର୍ଯ୍ୟାଦାରୁ ବଞ୍ଚିତ ହୋଇ ମଧ୍ୟ କାଉଁରିଆ କାଠିର ଦାମ୍ଭିକତା ନେଇ ଠିଆ ହୋଇଛି ଅପୂର୍ବ ଶକ୍ତି, ସାହସ, ଦୃଢ ପ୍ରତିଜ୍ଞା, ସ୍ବାଭିମାନ, ଶୌର୍ଯ୍ୟ, ବୀର୍ଯ୍ୟର ଅଧିକାରୀ, ଅଦମନୀୟ ବିପ୍ଳବୀ ତଥା ଭାରତୀୟ ମୁକ୍ତିସଂଗ୍ରାମର ଅନ୍ୟତମ ନେପୋଲିୟମ, ମହାନ ସେନାନାୟକ ସୁରେନ୍ଦ୍ର ସାଏ ବୀରଙ୍କ ଜନ୍ମମାଟି ଖିଣ୍ଡା ।

ଭାରତୀୟ ମୁକ୍ତି ସଂଗ୍ରାମ ସିପାହୀବିଦ୍ରୋହର ୧୭ ବର୍ଷ ପୂର୍ବରୁ ଏବଂ ଏହା ପ୍ରଶମିତ ହେବାର ୫ ବର୍ଷ ପର୍ଯ୍ୟନ୍ତ ଖିଣ୍ଡାର ରଣଦୁନ୍ଦୁଭି ନିରବି ନ ଥିଲା । ସୁରେନ୍ଦ୍ରସେନାର ଅସ୍ତ୍ରଝଙ୍କାର ଓ ଅଶ୍ୱଟାପୁର ଶବ୍ଦରେ ପ୍ରକମ୍ପିତ ହେଉଥିଲା ସମଗ୍ର ଅଞ୍ଚଳ । ଏଇ ଖିଣ୍ଡା ଦେଖିଛି ପାରିବାରିକ ସମ୍ପର୍କକୁ ତୁଚ୍ଛ କରି ଅଦୃଷ୍ଟ ଆଡ଼କୁ ଅଶ୍ୱ ଝପଟାଇ ଅଦୃଶ୍ୟ ହୋଇଯାଉଥିବା ସୁରେନ୍ଦ୍ରଙ୍କୁ । ଅଗ୍ରଜଙ୍କ ଆହ୍ୱାନରେ ନିଜ ସ୍ବାର୍ଥ, ଭବିଷ୍ୟତକୁ ପଦାଘାତ କରି ଯୁଦ୍ଧ ଭୂଇଁକୁ ସର୍ବଦା ଡେଇଁ ପଡୁଥିବା ତାଙ୍କ ପାଞ୍ଚ ଭାଇ ଉଦନ୍ତ, ଧ୍ରୁବ, ଉଜ୍ଜ୍ୱଳ, ଛବିଳମେଦିନୀଙ୍କୁ । ଆଜି କିନ୍ତୁ ସବୁ ନିରବ, ନିସ୍ତବ୍ଧ । କଳଙ୍କିଲଗା ଅଲୋଡ଼ା ତରବାରୀ ପରି ଖିଣ୍ଡା ଆଜି ଉପେକ୍ଷିତ, ଅବହେଳିତ । ସୁରେନ୍ଦ୍ର ଉଲୁଗୁଲାନରେ ଜଳିପୋଡ଼ି ଛାରଖାର ହୋଇଯାଇଥିବା ଗୋଟିଏ ପରିବାରର ସ୍ବପ୍ନ, ଆବେଗ, ସମ୍ପର୍କ, ପ୍ରତୀକ୍ଷା, ତିତିକ୍ଷାର ଲୁହଭିଜା ପାଉଁଶସ୍ତୁପଗୁଡିକୁ କୋଳରେ ଲୁଚାଇ ଅବସନ୍ନ ଇବ୍ ନଦୀ ପରି ଘୁମନ୍ତ ଖିଣ୍ଡା ଆଜି ମଧ୍ୟ ନିଜର ସ୍ମୃତିକୋଷରେ ଖୋଜୁଛି ତା’ର ଅତୀତ । ଆଉ ସେହି ଖିଣ୍ଡା ଗାଁର ଦରଖଣ୍ଡିଆ ଘରଟିରେ ମାଟିକାମୁଡି ପଡ଼ିରହିଛି ଗୋଟିଏ ସ୍ବାଭିମାନୀ, ସ୍ବାଧୀନଚେତା ଜାତିର ଗୌରବ, ବୀରତ୍ୱର ଗାଥା । ତା’ ସହିତ ନିଷ୍ପ୍ରଭ ଓ ଅବସନ୍ନ ଜଣେ ମହାନ ସେନାନାୟକର କରୁଣ ଆତ୍ମଦାହର ଇତିହାସ ।

ଉପଯୁକ୍ତ ରଣନୀତି, ସମନ୍ୱୟର ଅଭାବ ତଥା ତତ୍କାଳୀନ ଦେଶୀ ପ୍ରଶାସକମାନଙ୍କ ସମର୍ଥନ ଅଭାବରୁ ଦୀର୍ଘସ୍ଥାୟୀ ହୋଇପାରି ନ ଥିଲା ସିପାହୀ ବିଦ୍ରୋହ । ବ୍ରିଟିଶବାହିନୀ ସେଇ ବିଦ୍ରୋହକୁ କରିଥିଲେ ଦୃଢ ହସ୍ତରେ ଦମନ । ମାତ୍ର ଠିକ୍ ସେହି ସମୟରେ ପଶ୍ଚିମ ଓଡ଼ିଶାର ବନ୍ୟାଞ୍ଚଳରେ ସୁରେନ୍ଦ୍ର ଉଲୁଗୁଲାନର ଯେଉଁ ନିଆଁ ହୁତୁ ହୁତୁ ହୋଇ ଜଳି ଉଠିଲା ସେ ନିଆଁ ଅପ୍ରଶମିତ ରହିଲା ୧୮୬୨ ମସିହା ଯାଏଁ ।

ଭାଇମାନଙ୍କ ସହ ତରୁଣପୁତ୍ର ମିତ୍ରଭାନୁ ଏବଂ କମଳ ସିଂହଦେଓ, କୁଞ୍ଜଳ ସାଏ, ବୈରୀ ସାଏ, ହାତୀ ସାଏ, ଖଗେଶ୍ୱର ଦେଓ, ଲୋକନାଥ ଗଡତ୍ୟା, ଶାଳିଗ୍ରାମ ବରିହାଙ୍କ ପରି ବୀର ମୁକ୍ତିପାଗଳ ମୁକ୍ତିଯୋଦ୍ଧାମାନଙ୍କୁ ନେଇ ବଳିଷ୍ଠ ଅପ୍ରତିହତ ସୁରେନ୍ଦ୍ରସେନାର ଅପରିସୀମ ସାହସ, ତ୍ୟାଗ, ରଣକୌଶଳ, ବୀରତ୍ୱ ସମ୍ମୁଖରେ ପ୍ରବଳ ପରାକ୍ରମୀ ବ୍ରିଟିଶ ସେନା ଏକ ଦୁର୍ବଳ ଶଶକ ପରି ଅସହାୟ ହୋଇଉଠିଲା ।

ଜଙ୍ଗଲଯୁଦ୍ଧରେ ଅସାଧାରଣ ଦକ୍ଷ ସୁରେନ୍ଦ୍ରସେନା ପ୍ରତି ରାୟପୁରରୁ ସମ୍ବଲପୁର, ସମ୍ବଲପୁରରୁ ସିଂହଭୂମି ପରି ବିଶାଳ ଅଞ୍ଚଳରେ ଜନସାଧାରଣଙ୍କ ଅପୂର୍ବ ସହଯୋଗ, ଅଦ୍ଭୁତ ରଣସଜ୍ଜା, ଅନନ୍ୟ ରଣନୀତିକୁ ଧ୍ୟାନରେ ରଖି ତତ୍କାଳୀନ କଟକ କମିଶନର କକବର୍ଣ୍ଣ ଅତ୍ୟନ୍ତ ଚତୁରତାର ସହ ନାଗପୁର, ରାୟପୁର ଏବଂ କଟକପଟୁ ବିଶାଳ ସେନାବାହିନୀ ଯୋଗେ ଆକ୍ରମଣ କରିଥିଲେ ହେଁ ସଫଳ ହୋଇପାରି ନ ଥିଲେ ।

ମେଜର ଇମ୍ପେଙ୍କ ଶାନ୍ତି ପ୍ରସ୍ତାବରେ ରାଜି ହୋଇ ସୁରେନ୍ଦ୍ର ସାଏ ସଦଳବଳେ ଆତ୍ମସମର୍ପଣ କରିଥିଲେ ୧୮୬୨ ମସିହାରେ । ମାତ୍ର ବିଶ୍ୱାସରେ ବିଷ ଦେଇ ସେମାନଙ୍କୁ ଧରିବା ପାଇଁ ଗୋରା ଶାସକ ଯେଉଁ ହୀନରାସ୍ତା ବରଣ କରିଥିଲେ ତାହା ଇତିହାସରେ କାପୁରୁଷତାର ନିଦର୍ଶନ ହୋଇ ରହିବ କଳକାଳକୁ । ଅନ୍ୟ ପକ୍ଷରେ ମା’ ମାଟି ପାଇଁ ସମ୍ବଲପୁର ମାଟିର ସେଇ ସୁପୁତ୍ର ମାନଙ୍କର ଅସାଧାରଣ ସାହସ ଓ ବୀରତ୍ୱ ସହ ସେମାନଙ୍କ ଅସୀମ ତ୍ୟାଗ, ବଳିଦାନ, ଯନ୍ତ୍ରଣା ବିଶ୍ୱର ସମସ୍ତ ଦେଶପ୍ରେମୀମାନଙ୍କ ପାଇଁ ଦୃଷ୍ଟାନ୍ତ ହୋଇ ରହିବ ଚିରକାଳ ।

ଦୁର୍ଦ୍ଧର୍ଷ ସଂଗ୍ରାମୀର ଜୀବନ ଜୀଇଁଥିବା ବୀର ସୁରେନ୍ଦ୍ର ସାଏ ହିଁ ଲଢିଥିଲେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଦେଶର ସବୁଠାରୁ ଦୀର୍ଘ ସଂଗ୍ରାମ (କୋଡ଼ିଏ ବର୍ଷ କାଳରୁ ଅଧିକ) । ମାନସିକ ଓ ଶାରିରୀକ ଯନ୍ତ୍ରଣା, ଅସ୍ୱାସ୍ଥ୍ୟକର ପରିବେଶ ହେତୁ ଜୀବନର ଶେଷ କୋଡ଼ିଏ ବର୍ଷ ଅତ୍ୟନ୍ତ ଦୟନୀୟ ଭାବରେ ଅକଥନୀୟ ଅତ୍ୟାଚାର ସହି ସହି ବିତାଇଥିଲେ ।

ବୀର ସୁରେନ୍ଦ୍ର ସାଏ ଏକାଧାରରେ ଖାରବେଳ, ନେପୋଲିଅନ, ଶିବାଜୀ, ରାଣା ପ୍ରତାପଙ୍କ ସମସ୍ତ ଗୁଣ ଓ ଗାରିମା ଏକତ୍ର ଧାରଣ କରିଥିଲେ । ତାଙ୍କର ମହନୀୟ ଆଦର୍ଶ ଦେଶବାସୀଙ୍କୁ ଯୁଗେ ଯୁଗେ ଅନୁପ୍ରେରଣା ଯୋଗାଇବା ସହ ସେ ଏ ଦେଶର ମୂଲ୍ୟବାନ ସମ୍ବଳରୂପେ ଚିରକାଳ ପୂଜନୀୟ ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago