ଲେଖା: କୈବଲ୍ୟ ପଣ୍ଡା
~ ସିଦ୍ଧେଶ୍ୱର ମହାଦେବ ~
ଏକ ଅଳସୀ ଶୀତୁଆ ଅପରାହ୍ନରେ ଆମେ ପହଂଚି ଯାଇଥିଲୁ ମହାନଦୀ ଉପତ୍ୟକାର ଅନୁଚ୍ଚ ପର୍ବତ ଶିଖରରେ ଥିବା ସିଦ୍ଧେଶ୍ଵର ମହାଦେବ ମନ୍ଦିରରେ। ଖୁବ୍ ସୁନ୍ଦର ଏଇ ଧବଳ ସିଦ୍ଧେଶ୍ୱର ମହାଦେବ ମନ୍ଦିରଟିର ଅବସ୍ଥିତି ହେଉଛି କଟକ ନରାଜ ଠାରୁ ତଳଘର ରାସ୍ତାରେ, ପାହାଡ଼ ପାଦଦେଶରେ ଥିବା ଗାଁ ଦେଇ ଏକ ସରୁ ଅଙ୍କାବଙ୍କା ରାସ୍ତାର ଶେଷ ପ୍ରାନ୍ତ l କଟକ ସହର ଠାରୁ ପ୍ରାୟ ଅଠର କିଲୋମିଟର ଦୂର ହେବ ।
କଟକରେ ଆଇନ ପଢ଼ୁଥିବା ସମୟରେ ସିଦ୍ଧେଶ୍ୱର ଯିବା ପାଇଁ ନାନୀଙ୍କଠୁ ଅନେକ ଥର ପ୍ରେରଣା ପାଇଥିଲେ ମଧ୍ୟ ସୁଯୋଗ ଜୁଟି ନଥିଲା, ମାତ୍ର ସୌଭାଗ୍ୟବଶତଃ ନାନୀଙ୍କ ସହିତ ସେଠାକୁ ଯିବାଟା ଏବେ ସମ୍ଭବ ହେଲା l ସ୍ୱଳ୍ପ ଉଚ୍ଚର ଏହି ପାହାଡ଼ ପୃଷ୍ଠରେ କିଛି ବାଟ ଅତିକ୍ରମ କରି, ତା’ ପରେ ପାହାଚ ଚଢ଼ି ଯିବାକୁ ହୁଏ ସିଦ୍ଧେଶ୍ୱର ମହାଦେବ ମନ୍ଦିର l
ବୃକ୍ଷଲତା ଘେରା ପାହାଡ଼ ଶିଖରରେ ସିଦ୍ଧେଶ୍ୱର ମହାଦେବଙ୍କ ସୁଉଚ୍ଚ ଧବଳ ମନ୍ଦିର ଦର୍ଶନ ମାତ୍ରକେ ମନରେ ଅପୂର୍ବ ଆନନ୍ଦ ସଂଚାର ହେବା ସହ ଶିହରଣ ସୃଷ୍ଟି ହୁଏ l ମନ୍ଦିର ଉପରେ ବାହାର ପାର୍ଶ୍ୱରେ ଥିବା ସିଂହ ମୂର୍ତ୍ତି ତଥା ମନ୍ଦିର ପରିସରରେ ଥିବା ପାର୍ଶ୍ଵ ଦେବଦେବୀଙ୍କ ବିଗ୍ରହଙ୍କୁ ଦେଖି ମନରେ ଭକ୍ତି ଭାବ ଜାଗ୍ରତ ହୁଏ l ମାତ୍ର ବିଗ୍ରହମାନଙ୍କ ଦୂରାବସ୍ଥା ଦେଖି ମନରେ କଷ୍ଟ ହୁଏ l
କିମ୍ବଦନ୍ତୀ କୁହେ, ଦ୍ୱାପର ଯୁଗରେ ବନବାସ ସମୟରେ ମାତା କୁନ୍ତିଙ୍କ ସହିତ ପଞ୍ଚୁପାଣ୍ଡଵ ଏଠାରେ କିଛି ଦିନ ଅବସ୍ଥାନ କରିଥିଲେ l ଆଉ ସିଦ୍ଧି ପ୍ରାପ୍ତି ଉଦ୍ଦେଶ୍ୟରେ ତୃତୀୟ ପାଣ୍ଡଵ ଅର୍ଜୁନ ଏହି ସିଦ୍ଧେଶ୍ୱର ମହାଦେବଙ୍କୁ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଥିଲେ l ସେଠାରେ ଥିବା ଗୁମ୍ଫା ଗୁଡ଼ିକରେ ପାଣ୍ଡଵମାନେ ଅବସ୍ଥାନ କରିଥିଲେ ବୋଲି ଶୁଣାଯାଏ l ପରବର୍ତ୍ତୀ ସମୟରେ ବୌଦ୍ଧ ଶ୍ରମଣମାନେ ମଧ୍ୟ ସେହି ଗୁମ୍ଫା ଗୁଡ଼ିକରେ ରହୁଥିଲେ ବୋଲି ଜନଶ୍ରୁତିରୁ ଯାହା ଜଣାଯାଏ l
ଗର୍ଭ ଗୃହରେ ଥିବା ଶିବଲିଙ୍ଗ ଓ ବାହ୍ୟ ଗାତ୍ର ରେ ଥିବା ମା’ ପାର୍ବତୀଙ୍କ ପ୍ରତିମା ଶ୍ୱେତବର୍ଣ୍ଣର l ମନ୍ଦିର ଗର୍ଭଗୃହରେ ଭୈରବଙ୍କ ଏକ ବିଗ୍ରହ ରହିଅଛି l ପାର୍ଶ୍ଵ ଦେବଦେବୀ ରୂପେ କାର୍ତିକେୟ, ଶ୍ରୀ ବିନାୟକ, ମାତା ପାର୍ବତୀ ଓ ହନୁମାନ ପୂଜା ପାଉଛନ୍ତି l ସିଦ୍ଧେଶ୍ୱର ମହାଦେବ ମନ୍ଦିର ପରିସରରେ ଆଉ କିଛି ବିଗ୍ରହ ଭଗ୍ନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଇତିହାସର ମୂକସାକ୍ଷୀ ରୂପେ ପଡ଼ିରହିଛି l ପାହାଡ଼ କଟାହୋଇ ବେଢା ତିଆରି ହୋଇଥିବାବେଳେ, ସେଇ ପାହାଡ଼ଗାତ୍ରରେ ମଧ୍ୟ କେତେକ ବିଗ୍ରହ ଦୃଷ୍ଟିଗୋଚର ହୁଏ l
ଏକଦା ଏଠାରେ ବୌଦ୍ଧ ଧର୍ମାବଲମ୍ବୀମାନେ ତପସ୍ୟା କରୁଥିବାର ସୂଚନା ମିଳିଥାଏ l ଏଠାରେ ଥିବା କେତେକ ଭଗ୍ନ ପ୍ରତିମାଙ୍କୁ ବୌଦ୍ଧ ପ୍ରତିମା ବୋଲି କିଛି ଐତିହାସିକ ତଥା ଗବେଷକ ଦାବୀ କରନ୍ତି l ବର୍ତମାନର ଏହି ମନ୍ଦିରଟି ଗଙ୍ଗବଂଶୀ ରାଜାଙ୍କ ଦ୍ଵାରା ନିର୍ମାଣ ହୋଇଥିବା ଜଣାଯାଏ l ମନ୍ଦିର ବେଢାର ଅନତି ଦୂରରେ କେତୋଟି ପ୍ରାଚୀନ ମୂଷିକ, ସିଂହ ଓ ବୃଷଭାଦି ବିଗ୍ରହ ଅଲୋଡ଼ା ହୋଇ ପଡ଼ି ରହିଛି ଯାହା l
ଚମତ୍କାର ପରିବେଶ l ପଶ୍ଚିମାକାଶରେ ଅରୁଣଙ୍କ କିରଣ, ମଥା ଉପରେ ସୁନୀଳ ଗଗନ ଆଉ ପାହାଡ଼ ପାଦଦେଶରେ ଚିକ୍ ମିକ୍ କରୁଥିବା ମହାନଦୀର ରୌପ୍ୟ ଜଳରାଶି, ସତରେ ଖୁବ୍ ମନଲୋଭା ଦୃଶ୍ୟ l ସିଦ୍ଧେଶ୍ୱର ମହାଦେବ ମନ୍ଦିର ଚତୁର୍ପାଶ୍ୱର ଥିବା ଚୀର ହରିତ ସବୁଜିମା ସାଙ୍ଗକୁ ବିହଙ୍ଗଙ୍କ ସୁମଧୁର କାକଳୀ ଓ ମଳୟର ମୃଦୁ ସ୍ପର୍ଶ ମୋର ତନୁମନକୁ ଶିହରିତ କରୁଥାଏ l ଦେବାଦିଦେବ ମହାଦେବଙ୍କ ଏହି ଶିବାଳୟଟି ମନରେ କୈଳାସର ଆଲ୍ହାଦ ପ୍ରଦାନ କରୁଥାଏ l
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago