ଲେଖା: ଦେଵ ତ୍ରିପାଠୀ
କଥାରେ ଅଛି,
“ସାତଥର ଯିବ ପୁରୀ,
ଥରେ ଯାଇଥିବ ରସିକାକଢି
ସବୁ ପାପ ଯିବ ଛାଡ଼ି ।।”
ଏଇ ଉକ୍ତିରୁ ଜଣାପଡ଼େ ଶ୍ରୀକ୍ଷେତ୍ରଠାରୁ ଏ କ୍ଷେତ୍ରରେ ପୁଣ୍ୟ ଫଳ ଅଧିକ । ଅବଶ୍ୟ ସତକଥା । ହରିଙ୍କ ସହ ହର ପୂଜାପାଉଛନ୍ତି ଏଇ ବିଶେଷ କ୍ଷେତ୍ରରେ । ହରିହରଙ୍କୁ ଏଠାରେ ଖେଚୁଡ଼ିଭୋଗ ଲାଗି ହୁଏ । ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ଏଠାରେ ପାଳନ ହୁଏ ରସିକାକଢି ଯାତ୍ରା । ଏଇ ବିରଳପୀଠଟି ଗଦାକ୍ଷେତ୍ର ବିରଜାକ୍ଷେତ୍ରର ଅନନ୍ୟ ସିଦ୍ଧେଶ୍ୱର ମନ୍ଦିର । ଏ ତିଥିରେ ଯଦି ଧନିଷ୍ଠା ନକ୍ଷତ୍ର ଯୋଗ ହୁଏ ସେ ମହାର୍ଘ ମୂହୁର୍ତ୍ତରେ ଲିଙ୍ଗ ସ୍ବୟଂ ଉପରକୁ ଉଠନ୍ତି ବୋଲି ଜନଶ୍ରୁତି ରହିଛି ।
ପୂଣ୍ୟଭୂମି ଯାଜପୁର ବିରଜାକ୍ଷେତ୍ରରୁ ଅନତିଦୂରର ସୁନ୍ଦରୀମୁହଁ ଛକର ସାମାନ୍ୟ ଉତ୍ତର ଦିଗକୁ ଯାଇ ବୈତରଣୀ ନଦୀର କୂଳେ କୂଳେ ପ୍ରାୟ ୩କି.ମି. ଦୂରରେ ଦୃଶ୍ୟମାନ ଏଇ ସିଦ୍ଧେଶ୍ୱର ମନ୍ଦିର । ଏଇ ମନ୍ଦିର ବେଢ଼ାରେ ମଧ୍ୟ ମା’ ସିଦ୍ଧେଶ୍ଵରୀ ପୂଜିତା ।
ଏଇ ସିଦ୍ଧେଶ୍ୱର ମନ୍ଦିର ପରିସରରେ ଦୃଶ୍ୟମାନ ହୁଅନ୍ତି ଦୁଇଟି ସହସ୍ରଲିଙ୍ଗ, ନାଗଦେବୀ ମନସା, ଏକପାଦ ଭୈରବ, ଦଣ୍ଡାୟମାନ ସୂର୍ଯ୍ୟଦେବ ଏବଂ ଅନ୍ୟାନ୍ୟ ଦେବାଦେବୀ । ଏକତ୍ର ଦୁଇଟି ସହସ୍ରଲିଙ୍ଗ ବିଦ୍ୟମାନ ଥିବା ଏ ବୋଧହୁଏ ଏକମାତ୍ର କ୍ଷେତ୍ର ।
ବାରାଣସୀଠାରେ ମାତାଗଙ୍ଗା ଉତ୍ତରମୁଖୀ ହୋଇ ପ୍ରବାହିତ ହେବାଭଳି ଏ ପୀଠରେ ମାତା ବୈତରଣୀ ମଧ୍ୟ ଉତ୍ତରମୁଖୀ ।
~ ପୌରାଣିକ ଉପାଖ୍ୟାନ ~
କିମ୍ବଦନ୍ତୀ କହେ, ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନ ତପସ୍ୟା କରି ସିଦ୍ଧିଲାଭ କରିଥିଲେ ଏଇ ପୀଠରେ । ଏଠାକାର ତପସ୍ୟା ବେଦୀ ତଥା ସ୍ନାନଗଣ୍ଡ ସେଥିପାଇଁ ତାଙ୍କ ନାମରେ ନାମିତ । ଏଠାରେ ମଧ୍ୟ ରହିଛି ସିଦ୍ଧବଟ (ବଟବୃକ୍ଷ) ଏବଂ ସିଦ୍ଧପାବଚ୍ଛ (ପାହାଚଶ୍ରେଣୀ) । ପ୍ରଦ୍ୟୁମ୍ନ ହିଁ ତୋଳିଛନ୍ତି ଏଇ ମନ୍ଦିର । ଅନ୍ୟ କିମ୍ବଦନ୍ତୀ ଅନୁସାରେ ସ୍ବୟଂ ବିଷ୍ଣୁ ହିଁ ଲଭିଥିଲେ ସିଦ୍ଧି ଏଇ କ୍ଷେତ୍ରରେ, ମହାଦେବଙ୍କୁ ଆରାଧନା କରି । ପରେ ପରେ ତାଙ୍କ ଅନୁରୋଧ କ୍ରମେ ବିଶ୍ୱକର୍ମା ତୋଳିଥିଲେ ଏକ ଭବ୍ୟ ମନ୍ଦିର । ଏପରିକି ଏକଦା ଜୈନପୀଠ ଭାବେ ପ୍ରତିଷ୍ଠିତ ଏ ପୀଠ ପରବର୍ତ୍ତୀ ସମୟରେ ଶୈବପୀଠରେ ପରିଣତ ହୋଇ ଥିବା ବିଷୟ ଶୁଣିବାକୁ ମିଳେ, ତେବେ ଏ ପୀଠ ନିଶ୍ଚିତ ଭାବରେ ନିଷ୍ଠାପର ଗବେଷଣାର ଅପେକ୍ଷା ରଖେ ।
~ ଐତିହାସିକ ବୈଶିଷ୍ଟ୍ୟ ~
ଆଧ୍ୟାତ୍ମିକ ମହତ୍ତ୍ଵ ସହିତ ବହୁ ଐତିହାସିକ ବୈଶିଷ୍ଟ୍ୟର ଅଧିକାରୀ ଏଇ ମହାନ ମନ୍ଦିରର ବେଢ଼ାରେ ବୃଷଭ ସ୍ତମରେ ପ୍ରାଚୀନ ଓଡ଼ିଆ ଭାଷାରେ ଲିଖିତ ଗଙ୍ଗବଂଶୀୟ ରାଜା ନରସିଂହ ଦେବ (ଚତୁର୍ଥ)ଙ୍କ ଶିଳାଲିପି ଏଇ ମନ୍ଦିରଟି ଗଙ୍ଗବଂଶୀ ରାଜାଙ୍କ କୀର୍ତ୍ତି ବୋଲି ସୂଚାଇଥାଏ । ତିନିଶହ ବର୍ଷର ଶାସନ କାଳରେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଏ ବଂଶର ରାଜାମାନଙ୍କ ଶିଳାଲିପି ଦୃଷ୍ଟିଗୋଚର ହୁଏନା ବୋଲି ଐତିହାସିକ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମତ ଦିଅନ୍ତି ।
ଉତ୍କଳୀୟ ରାଜନ୍ୟବର୍ଗ ନିଜେ କିମ୍ବା ନିଜ ବଂଶର କେହି ଜଣେ ଆତ୍ମବଡିମା ପ୍ରଚାର ନ କରୁ ସେଥିପାଇଁ ନିର୍ମାଣ କରୁଥିବା ମନ୍ଦିରରେ କୌଣସି ଶିଳାଲେଖ ରଖୁ ନ ଥିଲେ । ସେଦୃଷ୍ଟିରୁ ଏ ମନ୍ଦିରଟି ଗଙ୍ଗବଂଶଙ୍କ ପୂର୍ବବର୍ତ୍ତୀ କୌଣସି ରାଜାଙ୍କ କୀର୍ତ୍ତି ବୋଲି ଡଃ ସତ୍ୟନାରାୟଣ ରାଜଗୁରୁଙ୍କ ମତ ।
ସିଦ୍ଧେଶ୍ଵର ମନ୍ଦିର ବେଢାରେ ଦୃଶ୍ୟମାନ ବହୁ ଭଗ୍ନ ମୂର୍ତ୍ତିକୁ ଅନୁଧ୍ୟାନ କରି କେହି କେହି ଏହା ଭୌମବଂଶୀ ରାଜାଙ୍କ କୀର୍ତ୍ତି ବୋଲି ଅଭିହିତ କରିଛନ୍ତି । ଏଇ ମହାର୍ଘ ସିଦ୍ଧେଶ୍ୱର ମନ୍ଦିର ଗବେଷଣାର ଆଢ଼ୁଆଳରେ ଥିବା ସହିତ ଏ କ୍ଷେତ୍ରରେ ଥିବା ଅସଂଖ୍ୟ ପ୍ରାଚୀନ ଦେବାଦେବୀ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଦିନକୁ ଦିନ କଳାନୈପୁଣ୍ୟତା ହରାଇବସୁଛି ।
ତଥ୍ୟ: “ସମାଜ”
ଫଟୋ: Gitanjali Mohanty