ଲେଖା: ଦେଵ ତ୍ରିପାଠୀ
ଇଏ ବୋଧହୁଏ ବିଶ୍ୱର ଏକମାତ୍ର ସ୍ଥାନ ଯେଉଁଠି ମହାପ୍ରଭୁ ଶ୍ରୀରାମ, ମା’ ସୀତା ଏବଂ ମହାବୀର ଲକ୍ଷ୍ମଣଙ୍କ ଦ୍ଵାରା ତିନୋଟି ଶିବଲିଙ୍ଗ ସ୍ଥାପନା ହେବାର ଜନଶ୍ରୁତି ରହିଛି ।
କଟକରୁ ନରସିଂହପୁର ଯିବା ରାସ୍ତାରେ ବୈଦେଶ୍ୱର ନିକଟରେ ରହିଛି ଏହି ରାମନାଥ, ବୈଦ୍ୟନାଥ ଓ ସିଂହନାଥ ଶିବମନ୍ଦିର । ପ୍ରଭୁ ରାମଚନ୍ଦ୍ରଙ୍କ ଦ୍ଵାରା ରାମନାଥ, ବୈଦେହୀ ସୀତାଙ୍କ ଦ୍ଵାରା ବୈଦ୍ୟନାଥ ଓ ଲକ୍ଷ୍ମଣଙ୍କ ଦ୍ଵାରା ସିଂହନାଥ ଶିବଲିଙ୍ଗ ସ୍ଥାପନାର ବାର୍ତ୍ତା ବହନ କରେ କିମ୍ବଦନ୍ତୀ । ପରସ୍ପରଠାରୁ ସମଦୂରରେ ତ୍ରିଭୁଜାକାରରେ ଏହି ମନ୍ଦିରତ୍ରୟ ପ୍ରକୃତିର ବିରଳ ବେଷ୍ଟନି ମଧ୍ୟରେ ବୃକ୍ଷର ଛାୟା ଓ ମହାନଦୀର ମାୟାରେ ବନ୍ଧା । କିମ୍ବଦନ୍ତୀ ଓ ଇତିହାସ, ସତ୍ୟ ଓ ଦ୍ୱନ୍ଦର ଦୋଛକିରେ ଛିଡା ହୋଇଥିବା ମନ୍ଦିରତ୍ରୟ ମଧ୍ୟରୁ ଅନନ୍ୟ କାରୁକାର୍ଯ୍ୟମୟ ସିଂହନାଥ ମନ୍ଦିର ସପ୍ତମ/ଅଷ୍ଟମ ଶତାବ୍ଦୀର ବୋଲି ଅନୁମେୟ । କୋଣାର୍କର ଶିଳ୍ପୀଗଣ ମହାନଦୀ ପାର ହୋଇ ଯାତାୟାତ କାଳରେ ଏଇ ମନ୍ଦିରକୁ ଗଢିଥିବାର ଜନଶୃତି ମଧ୍ୟ ରହିଛି ।
ଦର୍ଶକଙ୍କ ପାଇଁ ବିସ୍ମୟ ଏଇ ସିଂହନାଥ ମନ୍ଦିରର ପରିସରରେ କୃଷ୍ଣ ମନ୍ଦିର, କାର୍ତ୍ତିକ ମନ୍ଦିର, ନୀଳମାଧବ, ମଲ୍ଲୀନାଥ, ଲୋକନାଥ, ସୋମନାଥ ପ୍ରଭୃତି ମନ୍ଦିର ତଥା ମନ୍ଦିର ଗାତ୍ରରେ ନବଗୁଞ୍ଜର, ନୃସିଂହ, ବାମନ, ଭୈରବୀ, ଦୁର୍ଗା, ପାର୍ବତୀ, ପଶ୍ଚିମେଶ୍ୱରୀ, ହରପାର୍ବତୀ, ଜଳେଶ୍ବର, କାର୍ତ୍ତିକେଶ୍ୱର ଇତ୍ୟାଦି ଅପୂର୍ବ କାରୁକାର୍ଯ୍ୟମୟ ବିଗ୍ରହମାନଙ୍କୁ ଦେଖିଲେ ମନେହୁଏ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଠାରୁ ଏହା କିଛି କମ୍ ନୁହେଁ । ଦେଖିଲେ ଅନୁଭବ ହୁଏ ସତେ ଯେପରି ଏଠି ଜୀବନ୍ୟାସ ପାଇଛି ପାଷାଣ । ଏଇ ପାଷାଣ ଦେହରେ କାରୁକାର୍ଯ୍ୟର କବିତାକୁ କେଉଁ ଦର୍ଶକ ବା ଏଡାଇ ଦେଇପାରିବ ? ଏହି ପାଷାଣ ପ୍ରତିମାଗୁଡିକୁ ଦେଖିଲେ କେବେ ବି ମନେ ହେବନାହିଁ ଯେ ଏସବୁ ପଥରରେ ଗଢା ବୋଲି, ବରଂ ପ୍ରତୀୟ ହେବ କୌଣସି ଦେବଲୋକର ଅଭିଶପ୍ତ/ଅଭିଶପ୍ତା ଦେବଦେବୀଙ୍କ କମନୀୟ କାୟା ।
ଆହୁରି ମଧ୍ୟ, ମନ୍ଦିର ଗାତ୍ରରେ ଖୋଦିତ ରାମାୟଣ ଓ ମହାଭାରତର ନିଖୁଣ ଯୁଦ୍ଧ ଚିତ୍ର ଦର୍ଶକଙ୍କୁ ବିସ୍ମିତବିଭୋର କରେ । ସବୁଠାରୁ ବିରଳ ଶିବଲିଙ୍ଗ ଚିତ୍ର ଏବଂ ଶିବଲିଙ୍ଗ ଉପାସନା କରୁଥିବା ରମଣୀର ଚିତ୍ର କାରୁକାର୍ଯ୍ୟ ମଧ୍ୟରେ ସ୍ଥାନିତ, ଯାହା ଦେଶର କୌଣସି ଶିବମନ୍ଦିରରେ ଦେଖିବାକୁ ମିଳେନା ।
ଓଡ଼ିଶାର ଏହି ବିରଳ ମନ୍ଦିରତ୍ରୟ ପ୍ରକୃତିର ଯେଉଁ ସୁକୁମାର ସୌନ୍ଦର୍ଯ୍ୟର ଅଧିକାରୀ ଏହାକୁ ଦେଖି ଦର୍ଶକେ ଉତ୍କଳୀୟ ଶିଳ୍ପୀର କଳାନୈପୁଣ୍ୟର ନିଷ୍ଠା ଓ ପରାକାଷ୍ଠାର ପରିଚୟ ପାଇଥାଏ । ପ୍ରକୃତି ଓ ପର୍ଯ୍ୟଟନର ତୀର୍ଥଭୂମି ସିଂହନାଥ ମନ୍ଦିରର କାରୁକାର୍ଯ୍ୟ ଅନ୍ୟ ଏକ କୋଣାର୍କର କାରୁକାର୍ଯ୍ୟ, ପାଷାଣର ଶରୀରରେ କାଳଜୟୀ କବିତାର କମ୍ପନ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago